ନନ୍ଦିଘୋଷ ବ୍ୟୁରୋ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇଲା ICC । ଏହି ଦୁଇ କିମ୍ବଦନ୍ତୀ ଭାରତୀୟ କ୍ରିକେଟର କିଛି ଦିନ ତଳେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଉଭୟଙ୍କ କ୍ରିକେଟ କ୍ୟାରିଅରର କୀର୍ତ୍ତିମାନକୁ ସମ୍ମାନ ଜଣାଇ ICC । ନିଜ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରି ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ଦେଇଛନ୍ତି । ତେବେ କହି ରଖୁଛୁ କି, ହଠାତ ଉଭୟଙ୍କ ଅବସର ଘୋଷଣାକୁ ନେଇ ଫ୍ୟାନ୍ସମାନେଚକିତ ହୋଇଥିଲେ । ତେବେ ଏମାନଙ୍କ ଅବସର ପଛରେ କାରଣ କଣ ରହିଛି ? ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ପୂର୍ବରୁ ଟି-୨୦ରୁ ଅବସର ଘୋଷଣା କରିଥିବାବେଳେ ଏବେ କେବଳ ଦିନିକିଆରେ ଉଭୟ ନଜର ଆସିବେ ।
ସରିଛି ବାହାଘର, ଯାଇ ପାରୁନାହାନ୍ତି ବରଯାତ୍ରୀ : ପିଣ୍ଡାରେ ପଡ଼ି ରହିଛନ୍ତି…
ନନ୍ଦିଘୋଷ ବ୍ୟୁରୋ: ବରଯାତ୍ରୀ ନାଚକୁ ନେଇ ତୁମୁଳ କାଣ୍ଡ । ବରଯାତ୍ରୀ ଆସିଥିବା ବସକୁ ଭାଙ୍ଗିଲେ କନ୍ୟାଘର ଗାଁ ଲୋକ । ଗତକାଲି ରାତିଠାରୁ ପଡ଼ୋଶୀ ଘର ବାରଣ୍ଡାରେ ପଡ଼ିରହିଛନ୍ତି ବର ଓ ବରଯାତ୍ରୀ । ଅଭିଯୋଗ ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳର ରାକେଶ ପରିଡାଙ୍କ ପୁଅ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନ ଅନ୍ତର୍ଗତ ଜରି ଅଞ୍ଚଳର ସୁରେନ୍ଦ୍ର ସାମଲଙ୍କ ଝିଅଙ୍କୁ ବିବାହ କରିବା ପାଇଁ ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ | ପ୍ରୋସେସନରେ ନାଚକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ଲାଗିବା ସହ ବରଯାତ୍ରୀ ଆସିଥିବା ବସକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗିଦେଇଥିଲେ କନ୍ୟାପକ୍ଷ ଲୋକ । ତେଣୁ ଗତକାଲି ରାତିରୁ ବିବାହ ସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବରକନ୍ୟାଙ୍କ ସହ ପ୍ରାୟ ୫୦ରୁ ଅଧିକ ବରଯାତ୍ରୀ ଅଟକି ରହିଛନ୍ତି । ଅନ୍ୟପଟେ ଏ ନେଇ ବରଘର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୁରଣ ଦାବି କରିଛନ୍ତି । ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ : ହାଇକୋର୍ଟ ବିଚାରପତିଙ୍କୁ ମିଳିବ ପୂରା ପେନସନ
ନନ୍ଦିଘୋଷ ବ୍ୟୁରୋ: ଚାକିରିରେ ଆଗପଛ ନାହିଁ । କିଏ କେତେବେଳେ ବିଚାରପତି ହେଲେ କିଏ କେତେବେଳେ ବାରରେ ଯୋଡିହେଲେ କିଛି ଦେଖାଯିବ ନାହିଁ । ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ଯ ବିଚାରପତି ଓ ବିଚାରପତିଙ୍କୁ ମିଳିବ ପୂରା ପେନସନ । ଏନେଇ ଆଜି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେ କୌଣସି ସମଯରେ ଚାକିରି କରିଥିଲେ ବି ସେମାନଙ୍କ ଅବସର ପରେ ମୁଖ୍ଯ ବିଚାରପତିଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରଧାନବିଚାରପତିଙ୍କ ଅଧ୍ଯକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଚାରପତିଙ୍କୁ ବାର୍ଷିକ ୧୩ ଲକ୍ଷ ୫୦ ହଜାର ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତିଙ୍କ କାର୍ଯ୍ଯକାଳକୁ ଦେଖି କୌଣସି ପକ୍ଷପାତ କରାଯିବନି ବୋଲି ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଅତିରିକ୍ତ ବିଚାରପତି ନିଯୁକ୍ତ ହୋଇ ଅବସର ନେଇଥିଲେ ମଧ୍ଯ ସେମାନଙ୍କୁ ପେନସନ ବାବଦକୁ ବିଚାରପତିଙ୍କ ପେନସନ ପରି ୧୩ ଲକ୍ଷ ୫୦ ହଜାର ଟଙ୍କା ମିଳିବ ।
‘ଅପରେସନ ସିନ୍ଦୂର’ ଉପରେ ଫିଲ୍ମ ନେଇ ଭିକି କୌଶଲ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ରହିଛି କି ବିବାଦ ? ଟ୍ବିଙ୍କିଲ୍ କହିଲେ..
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଥମିଥିଲେ ସୁଦ୍ଧା ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବରସବୁ ସାମ୍ନାକୁ ଆସୁଛି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦ ବିରୋଧରେ କରାଯାଇଥିଲା ’ଅପରେସନ ସିନ୍ଦୂର’ । ତେବେ ଏହାକୁ ନେଇ ବଲିଉଡରେ ଫିଲ୍ମ ନିର୍ମାଣ କରାଯିବ । ଏହି ନାମକୁ ନେଇ ବହୁ ପ୍ରଯୋଜକଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଯାଉଥିବା କୁହାଯାଉଛି । ଏପରିକି ଏହି ଶୀର୍ଷକଙ୍କୁ ନେଇ ଅକ୍ଷୟ କୁମାର ଏବଂ ଭିକି କୌଶଲଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଥିବା ଚର୍ଚ୍ଚା ହେଉଛି ।
ଯାହାର ଉତ୍ତର ରଖିଛନ୍ତି ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା । ଅଭିନୟଠାରୁ ଦୂରରେ ରହିଥିବା ଟ୍ବିଙ୍କଲ ଏବେ ଲେଖାଲେଖିରେ ବେଶ ଆଗ୍ରହ ରଖିଛନ୍ତି । ଏପରିକି ବିଭନ୍ନ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ଅପରେସନ ସିନ୍ଦୂର ଶୀର୍ଷକକୁ ନେଇ ଫିଲ୍ମ ନିର୍ମାଣ ଉପରେ ଭିକ୍କି କୌଶଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଶ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସିଧାସଳଖ ଅକ୍ଷୟ କୁମାରଙ୍କୁ ପଚାରିଥିଲେ ଟ୍ବିଙ୍କଲ ଖାନ୍ନା ।
ସେପଟେ ଫୋନରେ ଅକ୍ଷୟ କୁମାର କହିଥିଲେ କି, ନାଁ ଏସବୁ ମିଛ । ତୁମେ ଫୋନ ରଖ ମୋ ଗୋଡ଼ ଜଳି ଯାଉଛି । ମୋତେ ଲାଗିଥିଲା କି, ସେ ଏହି କଥାକୁ ଏଡ଼ାଇବା ପାଇଁ ଏଭଳି କହିଛନ୍ତି । ମାତ୍ର ଘରେ ଆସି ଦେଖିବା ପରେ ଗୋଡ଼ ସୁଟିଂ ସମୟରେ ଜଳିଥିଲା । ଆଉ ସେହି ବିବାଦ ଗୁଜବ ବୋଲି କହିଥିଲେ ଅକ୍ଷୟ । ପରେ ଭାବିଥିଲି କି, ସୋସିଆଲ ମିଡିଆରେ ଏଭଳି ଗୁଜବ ପ୍ରଚାର କରାଯାଉଛି । ଏଣୁ ନିଜେ ନଦେଖିବା ବୁଝିବା ପର୍ଯ୍ୟନ୍ତ କୌଣସି କଥାକୁ ବିଶ୍ବାସ କରି ହେଉନି ।
ଡେବ୍ୟୁ ମ୍ୟାଚରେ ଆଉଟ୍ ହେବାପରେ କାହିଁକି କାନ୍ଦିଥିଲେ ବୈଭବ ସୂର୍ଯ୍ୟବଂଶୀ ? କହିଲେ..
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ପ୍ଲେଅଫରେ ଏବେ ତିନି ଦଳ ନିଜର ସ୍ଥାନ ପକ୍କା କରିଛନ୍ତି । ଗୁଜୁରାଟ,ପଞ୍ଜାବ ଏବଂ ବାଙ୍ଗାଲୋର ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଥିବାବେଳେ ଆଉ ଗୋଟିଏ ସ୍ଥାନ ପାଇଁ ତିନି ଦଳ ରେସରେ ରହିଛନ୍ତି । ତେବେ ରବିବାର ଖେଳାଯାଇଥିବା ପଞ୍ଜାବ ଏବଂ ଗୁଜୁରାଟ ମ୍ୟାଚରେ ଅନେକ କିଛି ଗଡ଼ବଡ଼ ହୋଇଥିଲା । ଏହି ମ୍ୟାଚରେ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ । ତେବେ ଡେବ୍ୟୁ ମ୍ୟାଚରେ ସେ ଆଉଟ୍ ହେବା ପରେ କାନ୍ଦି ଥିବା ନଜରକୁ ଆସିଥିଲେ । ଯେଉଁଥି ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ ।
ତେବେ ସୂର୍ଯ୍ୟବଂଶୀ କାହିଁକି କାନ୍ଦିଥିଲେ ? ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହୋଇଥିଲା । ଆଉ ଏବେ ଏହାର ଉତ୍ତର ରଖିଛନ୍ତି ନିଜେ ବୈଭବ ସୂର୍ଯ୍ୟବଂଶୀ । ଏବେ ଏକ ଭିଡିଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପୋଷ୍ଟ କରାଯାଇଛି । ଯେଉଁଥିରେ ମୁଶିର ଖାନ୍ ତାଙ୍କୁ ପଚାରୁଛନ୍ତି କି, ତୁମେ ସେଦିନ କାହିଁକି କାନ୍ଦୁଥିଲ ? ଆଉ ଏହାର ଉତ୍ତରରେ ସୂର୍ଯ୍ୟବଂଶୀ କହିଛନ୍ତି କି, ବାସ୍ତବରେ ମୁଁ ସେଦିନ କାନ୍ଦୁନଥିଲି । ମୋ ଆଖରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଯେଉଁ କାରଣରୁ ମୁଁ ଆଖକୁ ଧରିଥିଲି । ମାତ୍ର ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଆଉ ମୁଁ କାନ୍ଦୁଥିବା କୁହାଯାଇଥିଲା । ମାତ୍ର ସମ୍ପୂର୍ଣ୍ଣ ଭାବେ ଭୁଲ୍ ।
ପୁଣି ଉପର ମୁହାଁ ସୁନା ଦର ; ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କା
ଭୁବନେଶ୍ବର: ପୁଣି ଉପର ମୁହାଁ ସୁନା ଦର । ଆଜି ୨୨ କ୍ୟାରେଟ ୧୦ ଗ୍ରାମ ଉପରେ ୩୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ଉପରେ ୭ଶହ ଟଙ୍କା ବୃଦ୍ଧି ପାଇଛି । ସୁନା ୧୦ ଗ୍ରାମକୁ ୮୭ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ୨୨ କ୍ୟାରେଟ୍ ୮୭ ହଜାର ୨ଶହ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୯୫ ହଜାର ୮୦୦ ଟଙ୍କା ଥିଲା । ଆଗକୁ ଆହୁରି ବଢ଼ିବ ସୁନା ଦର ।
ଆମେରିକା ଷ୍ଟକ ମାର୍କେଟର ରେଟିଂ ହ୍ରାସ ଘଟିଛି । ଯାହା ପାଇଁ ସୁନାରେ ପୁଞ୍ଜି ନିବେଶ ପାଇଁ ବଢ଼ିଛି ଚାହିଦା । ଆଉ ଷ୍ଟକ ବଜାରକୁ ଭରସା କରିପାରୁନାହାନ୍ତି ନିବେଶକ । ଏପରି ହେଲେ ଚାହିଦା ହୁ ହୁ ବଢ଼ିବ । ଯାହାକୁ ନେଇ ଗ୍ରାହକ କେଉଁଠି ନା କେଉଁଠି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବାହାଘର ସିଜିନ୍ ଥିବା କାରଣରୁ ସୁନାର ଡିମାଣ୍ଡ ରହିଛି, ସେଥିପାଇଁ କିଛି ମାତ୍ର ବଢିଛି ସୁନା ଦର । ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବ୍ୟବସାୟୀ ।
ଆସିବ ସମ୍ଭଲ ଜାମା ମସଜିଦ ରାୟ ; ହରିହର ମନ୍ଦିର ନା ଶାହି ଜାମା ମସଜିଦ ?
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବିବାଦୀୟ ସମ୍ଭଲ ଜାମା ମସଜିଦ ମାମଲା। ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଆସିବ ରାୟ। ଏହା ପ୍ରକୃତରେ ହରିହର ମନ୍ଦିର ନା ଜାମା ମସଜିଦ ଏ ନେଇ ରାୟ ଶୁଣାଇବେ ବିଚାରପତି । ପୂର୍ବରୁ ସମ୍ଭଲ ସିଭିଲ କୋର୍ଟ ଦେଇଥିବା ଆଦେଶ ପ୍ରତ୍ୟାହାର ହେବ ବୋଲି ଆଶା ରଖିଛନ୍ତି ଶାହି ଜାମା ମସଜିଦ ପକ୍ଷ ଓକିଲ । ଗତ ୧୯ ନଭେମ୍ବର ୨୦୨୪ରେ ହିନ୍ଦୁ ସଂଗଠନ ପକ୍ଷରୁ ଆବେଦନ ହୋଇଥିଲା । ଏହାପରେ ସମ୍ଭଲ ସିଭିଲ କୋର୍ଟ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ଭେ ଦୁଇଟି ଭାଗରେ କରାଯାଇଥିଲା । ଜାମା ମସଜିଦ କମିଟି ସର୍ଭେ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ । ଏହାପରେ ସୁପ୍ରିମକୋର୍ଟ ସେମାନଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ ।
ଆଜି ଦୁଇଟି ବିଷୟରେ ନିର୍ଦ୍ଦେଶ ଆସିବ। ଗୋଟିଏ ହେଉଛି ସିଭିଲ୍ ଜଜ୍ ସିନିୟର ଡିଭିଜନ ସମ୍ଭଲ ସର୍ଭେ ନିର୍ଦ୍ଦେଶ ଦେବାର ଅଧିକାର ଥିଲା କି ନାହିଁ ଏବଂ ଅନ୍ୟ ଗୋଟିଏ ହେଉଛି ଏହା ପ୍ରକୃତରେ ହରିହର ମନ୍ଦିର ନା ଜାମା ମସଜିଦ। ଏହା ପୂର୍ବରୁ ଗତ ୧୩ ତାରିଖରେ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ରୋହିତ ରଂଜନ । ଗତ ୨୮ ଏପ୍ରିଲରେ ହୋଇଥିବା ଶୁଣାଣିରେ ଏଏସଆଇକୁ ୪୮ ଘଣ୍ଟା ମଧ୍ୟରେ ସର୍ଭେ ଏବଂ ରିପୋର୍ଟ ନେଇ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ୮ ଜାନୁଆରୀରେ ହାଇକୋର୍ଟ ସିଭିଲ କୋର୍ଟ ଦେଇଥିବା ସର୍ଭେ ଉପରେ ରୋକ ଲଗାଇଥିଲେ। ଗତ ବର୍ଷ ୨୪ ନଭେମ୍ବରରେ ସମ୍ଭଲ ମସଜିଦ ସର୍ଭେକୁ ନେଇ ବିବାଦ ଦେଖାଦେଇଥିଲେ। ଉତ୍ତେଜନା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୯ ପୋଲିସ କର୍ମୀ ଆହତ ହୋଇଥିଲେ
ଆସନ୍ତା ୨୮ ତାରିଖରେ ପୋଲାଭରମ ନେଇ ବୈଠକ କରିବେ ମୋଦୀ
ନନ୍ଦିଘୋଷ ବ୍ୟୁରୋ: ବାହାରିବ କି ପୋଲାଭରମ ବିବାଦର ସମାଧାନ । ଏନେଇ ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିବ । ଏଥିରେ ୪ ରାଜ୍ୟ ଓଡି଼ଶା, ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ସଂପୃକ୍ତ ରାଜ୍ୟର ଜଳସମ୍ପଦ ମନ୍ତ୍ରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସେହିପରି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗଦେବେ ।
ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ପ୍ରତିବାଦ କରିଆସୁଛି । ପ୍ରକଳ୍ପ କାମ ଏବେ ସରିବାକୁ ବସିଲାଣି । ପ୍ରକଳ୍ପ ସଂପୂର୍ଣ୍ଣ ହୋଇଗଲେ ମାଲକାନଗିରିର ମୋଟୁ ଅଞ୍ଚଳ ବିଶେଷଭାବେ ପ୍ରଭାବିତ ହେବ । ଓଡ଼ିଶାର ୭୦ ପ୍ରତିଶତ ଆଦିବାସୀ ପ୍ରଭାବିତ ହେବେ । ପୋଲାଭରମ ଯୋଗୁଁ ଓଡିଶାର ଯେପରି କିଛି କ୍ଷତି ନହେବ ସେନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ବର ଉଠାଇ ଆସିଛନ୍ତି । ସ୍ବତନ୍ତ୍ର ଟିମ ଗଠନ କରି ଦଳ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି । ୨୦୨୭ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଡେଡଲାଇନ ଅଛି ।
ବିଜୟ ଶାହଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; ମାମଲାରେ SIT ଗଠନ କଲେ ସୁପ୍ରିମକୋର୍ଟ
ନନ୍ଦିଘୋଷ ବ୍ୟୁରୋ: ଆର୍ମି ଅଫିସର କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ପ୍ରସଙ୍ଗ। ମାମଲାରେ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହାଙ୍କୁ ଭର୍ତ୍ସନା କରିୁଛନ୍ତି ସୁପ୍ରିମକୋର୍ଟ। ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାଙ୍କୁ ଗ୍ରହଣ କରାଯିବନାହିଁ ବୋଲି କହିଲେ ସୁପ୍ରିମକୋର୍ଟ । ମାମଲାର ତଦନ୍ତ ଲାଗି SIT ଗଠନ କଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ୧୦ଟା ସୁଦ୍ଧା SIT ଗଠନ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସଆଇଟି ଗଠନ କରିବେ ମଧ୍ୟପ୍ରଦେଶ ଡିଜିପି । ଜଣେ ଆଇଜି ରାଙ୍କର ଅଫିସର SITର ନେତୃତ୍ଵ କରିବେ। ୩ ଆଇପିଏସ ଅଧିକାରୀଙ୍କୁ ନେଇ SIT ହେବ । SITରେ ଜଣେ ମହିଳା ଅଫିସର ରହିବେ । ଆସନ୍ତା ୨୮ ତାରିଖ ସୁଦ୍ଧା ଏସଆଇଟି ପ୍ରଥମ ଷ୍ଟାଟସ ରିପୋର୍ଟ ଦାଖଲ କରିବ । ତଦନ୍ତରେ ସହାୟତା କରିବେ ଆବେଦନକାରୀ । ମନ୍ତ୍ରୀ ବିଜୟ ଶାହାଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।
ତୁମେ କୁମ୍ଭୀର କାନ୍ଦଣା କାନ୍ଦୁଛ କି ?
ସୁପ୍ରିମକୋର୍ଟ ବିଜୟ ଶାହାଙ୍କୁ ଭର୍ସନା କରି କହିଛନ୍ତି ଆପଣଙ୍କର କ୍ଷମା ପ୍ରାର୍ଥନା କେଉଁଠି ? ଆପଣ କି ପ୍ରକାରର କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛନ୍ତି ? ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କି ? ସୁପ୍ରିମକୋର୍ଟ କହିଛନ୍ତି ଯେ ଏବେ ତୁମେ କାହିଁକି କ୍ଷମା ମାଗୁଛ । ଆମକୁ ତୁମର କ୍ଷମା ଦରକାର ନାହିଁ । ଏବେ ଆମେ ଆଇନ ଅନୁଯାୟୀ ଏହାକୁ ମୁକାବିଲା କରିବୁ । ଯଦି ତୁମେ ପୁଣି ଥରେ କ୍ଷମା ମାଗିବ, ତେବେ ଆମେ ଏହାକୁ କୋର୍ଟର ଅବମାନନା ବୋଲି ବିବେଚନା କରିବୁ । ଆପଣ ଜଣେ ଜନସାଧାରଣ, ଜଣେ ରାଜନେତା କିନ୍ତୁ ଆପଣ କ’ଣ କହୁଛନ୍ତି ଏସବୁ ଭିଡିଓରେ ଅଛି । ତୁମେ କେଉଁଠିକୁ ଯିବ ଏବଂ କ’ଣ କହିବ ଏନେଇ ସମ୍ବେଦନଶୀଳ ହେବା ଉଚିତ୍ ଏବଂ ନିଜର ଦାୟିତ୍ୱ ବୁଝିବା ଉଚିତ୍ । ଏହା ଅତ୍ୟନ୍ତ ଦାୟିତ୍ୱହୀନ। ଆମେ ଆମ ସେନା ଉପରେ ଗର୍ବିତ । ସୁପ୍ରିମକୋର୍ଟ କହିଛନ୍ତି ଯେ ତୁମେ ଲୋକଙ୍କୁ ଆଘାତ ଦେଇଛ । ଏତେ ବଡ଼ ଗଣତନ୍ତ୍ରରେ ନେତା ତୁମେ । ତୁମେ ଯାହା ଇଚ୍ଛା କର, ଆମେ ତୁମର କ୍ଷମା ପ୍ରାର୍ଥନା ଗ୍ରହଣ କରିବୁନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବକ୍ତବ୍ୟ ।
ଜଣେ ଗୁପ୍ତଚରଙ୍କୁ କେତେ ଟଙ୍କା ଦିଏ ପାକିସ୍ତାନ ISI, ଜାଣନ୍ତୁ ..
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ ହେବା ପରେ ଏକ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଜଣେ ଗୁପ୍ତଚରଙ୍କୁ ଗୁପ୍ତଚର କରିବା ପାଇଁ କେତେ ଟଙ୍କା ଦିଏ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଜ୍ୟୋତି ମାଲହୋତ୍ରାଙ୍କ ବିଳାସପୂର୍ଣ୍ଣ ଜୀବନ ସୋସିଆଲ ମିଡିଆରେ ଶିରୋନାମାରେ ଅଛି ।ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ ଏପର୍ଯ୍ୟନ୍ତ ଯେଉଁ ସୂଚନା ଆସିଛି, ତାହା ଅନୁଯାୟୀ, ୨୦୨୦ ମସିହା ପର୍ଯ୍ୟନ୍ତ ଜ୍ୟୋତି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଚାକିରି ହରାଇବା ପରେ ଜଣେ YouTuber ହୋଇଗଲେ। ଏହି ସମୟ ମଧ୍ୟରେ ଜ୍ୟୋତି ପାକିସ୍ତାନୀ ଗୁପ୍ତଚରମାନଙ୍କ ସମ୍ପର୍କରେ ଆସିଥିଲେ ଏବଂ ଗୁପ୍ତଚର ସୂଚନା ଲିକ୍ କରିବା ଆରମ୍ଭ କରିଥିଲେ ।
ଗୁପ୍ତଚର ପାଇଁ ISI କେତେ ଟଙ୍କା ଦିଏ ?
ରିପୋର୍ଟ ଅନୁସାରେ ISI ସ୍ଥାନକୁ ପ୍ରଥମ ପ୍ରାଥମିକତା ଦିଏ। ଅର୍ଥାତ୍, ଗୁଇନ୍ଦା ସୂଚନା କେଉଁଠାରୁ ନିଆଯିବ ସେହି ଅନୁସାରେ ଟଙ୍କା ସ୍ଥିର କରାଯାଏ। ଉଦାହରଣ ସ୍ୱରୂପ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ଭଳି ଦେଶ ପାଇଁ କମ୍ ଟଙ୍କା ଦିଆଯାଏ। ସେହି ସମୟରେ, ISI ଭାରତ ଏବଂ ଆମେରିକା ଭଳି ଦେଶରୁ ଗୁପ୍ତ ସୂଚନା ସଂଗ୍ରହ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରେ। ଏହାର ଅର୍ଥ ହେଉଛି ଏହି ଦେଶଗୁଡ଼ିକରେ କାମ କରୁଥିବା ଏଜେଣ୍ଟମାନଙ୍କୁ ISI ଅଧିକ ଟଙ୍କା ଦେଇଥାଏ। ଗୁପ୍ତଚରମାନଙ୍କୁ ଦେୟ ଦେବା ପାଇଁ, ISIକୁ କୋଟି କୋଟି ଟଙ୍କାର ବଜେଟ୍ ଦିଆଯାଇଛି। ପାକିସ୍ତାନ ସରକାରଙ୍କ ଦ୍ୱାରା ପ୍ରତିବର୍ଷ 5 ବିଲିୟନ ଦିଆଯାଇଥାଏ । ISI ଏହି ଟଙ୍କାକୁ ତାର କର୍ମଚାରୀମାନଙ୍କୁ ଦରମା ଦେବା ଏବଂ ଗୁପ୍ତଚରମାନଙ୍କୁ ଦରମା ଦେବା ପାଇଁ ବ୍ୟବହାର କରେ । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ISI ଅଧୀନରେ ୪ହଜାର କର୍ମଚାରୀ ଅଛନ୍ତି।
ଜଣେ ଗୁପ୍ତଚର ପାକିସ୍ତାନରୁ କେତେ ଟଙ୍କା ପାଆନ୍ତି ?
ପାକିସ୍ତାନ ସରକାର କିମ୍ବା ଗୁଇନ୍ଦା ସଂସ୍ଥା ISI କେବେ ଏ ବିଷୟରେ କିଛି କହିନାହିଁ, କିନ୍ତୁ ଧରାପଡ଼ିଥିବା ଗୁପ୍ତଚରମାନଙ୍କ ଦ୍ୱାରା କରାଯାଇଥିବା ପ୍ରକାଶ ଅନୁସାରେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ସୂଚନା ଆଧାରରେ ଗୁପ୍ତଚରମାନଙ୍କୁ ଟଙ୍କା ଦେଇଥାଏ। ପଞ୍ଜାବ ପୋଲିସ ଫେବୃଆରୀ ୨୦୨୫ରେ ଅମୃତସରରୁ ISI ଏଜେଣ୍ଟଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ଏଚେଣ୍ଯ ଜଣଙ୍କ କହିଥିଲେ ISI ଛୋଟ ସୂଚନା ପାଇଁ ୫ ହଜାର ଟଙ୍କା ଏବଂ ବଡ଼ ସୂଚନା ପାଇଁ ୧୦ ହଜାର ଟଙ୍କା ଦିଏ। ୨୦୧୧ ମସିହାରେ, ଜଣେ ଆମେରିକୀୟ ଅଧିକାରୀ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସମୟରେ ଧରାପଡ଼ିଥିଲେ। ଉକ୍ତ ଅଧିକାରୀ ଜଣକ ପ୍ରକାଶ କରିଥିଲେ ଯେ ପାକିସ୍ତାନ ତାଙ୍କୁ ଗୁପ୍ତଚର ପାଇଁ ୩କୋଟି ଟଙ୍କା ଦେଇଥିଲା । ଏହାର ଅର୍ଥ ହେଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ତାର ଗୁପ୍ତଚରମାନଙ୍କୁ ସ୍ଥିତି ଏବଂ ସୂଚନା ଆଧାରରେ ଦରମା ଦେଇଥାଏ। ଜ୍ୟୋତି ମାଲହୋତ୍ରା ମାମଲାରେ, ଏପର୍ଯ୍ୟନ୍ତ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ସେ ବିଷୟରେ ସୂଚନା ପ୍ରକାଶ କରାଯାଇ ନାହିଁ ।

