ନନ୍ଦିଘୋଷ ବ୍ୟୁରୋ: ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ହାଇକୋର୍ଟରେ ଜାମିନ ଆବେଦନ। ୨୦୧୬ରେ ତାଙ୍କ ବିରୋଧରେ ହୋଇଥିବା ଏକ ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସାରଥି। ୨୦୧୬ ମସିହାରେ ପ୍ରଦ୍ୟୁମ୍ନ ପାତ୍ର ସାରଥି ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରିଥିଲେ। ଏହି ଆଧାରରେ ଅଭିଯୁକ୍ତ ମଙ୍ଗୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦେବେନ୍ଦ୍ର ରାଉଳ, ବିଶ୍ଵପ୍ରକାସ ପାତ୍ରଙ୍କୁ ଜାମିନ ମିଳିଥିଲା ।ହେଲେ ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଜାମିନ ମିଳିନଥିଲା। ସାରଥି ଓରଫ ସନ୍ତୋଷ ରାଉଳ ଜେଲରେ ଥାଇ ଷଡଯନ୍ତ୍ର କରୁଥିବା କାରଣରୁ ସାରଥୀଙ୍କ ସମେତ ତାଙ୍କର ଅନ୍ୟ ୩ ଜଣ ସହଯୋଗୀଙ୍କ ନାମରେ ଏତଲା ହୋଇଥିଲା। ସେଥିରୁ ଦୁଇ ଜଣଙ୍କୁ ଜାମିନ ମିଳିଥିବା ବେଳେ ଆଜି ସାରଥି ଓରଫ ସନ୍ତୋଷ ରାଉଳ ଜାମିନ ପାଇଁ ହାଇ କୋର୍ଟରେ ଆବେଦନ କରିଛନ୍ତି।.
ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ: ଗର୍ଭବତୀଙ୍କ ମୃତ୍ୟୁ ପରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି
କେନ୍ଦ୍ରାପଡ଼ା: ଆଗକୁ ବଢୁଛି ବିଜ୍ଞାନ, ହେଲେ ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତ ଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି। ଅନ୍ଧ ବିଶ୍ଵାସ ରହିଛି, ଗର୍ଭବତୀଟି ମରିଗଲେ ସେ ଚିରୁଗୁଣୀ ହେବ। ମହିଳା ଜଣକ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରେ ମୃତ ମହିଳାର ପେଟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚିରି ମୃତଦେହକୁ ନଦୀ କୁଳ ନିର୍ଜନ ସ୍ଥାନରେ ଏକ ଗଛକୁ ଡେରି ବସାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ। ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା। କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ତାଙ୍କୁ ଏଭଳି ଭାବେ ଗଛ ମୂଳରେ ଡେରିକି ବସାଇ ଦିଆଯାଇଥିଲା। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝା ସୁଝା କରିଥିଲେ। ପରେ ମୃତଦେହକୁ ମାଟି ଖୋଳି ପୋତି ଦିଆଯାଇଥିଲା।
ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା
ଭୁବନେଶ୍ବର: ଚଳିତ ବର୍ଷ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଲିଙ୍ଗରାଜରେ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ। ମେ’ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା କରାଯିବ । ଭୁବନେଶ୍ୱରରେ ଶୀତଳଷଷ୍ଠୀ କମିଟିର ସାମ୍ବାଦିକ ସମ୍ମିଳନୀରେ ଦିଆଗଲା ସୂଚନା। ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।
ଚଳିତ ବର୍ଷ ଶୀତଳଷଷ୍ଠୀ ପ୍ରସ୍ତୁତି ଜୋରସୋର କରାଯାଇଛି । ଦୁଇ ଦିନିଆ ରୋଷଣୀରେ ୪୦ ପ୍ରକାର ନୃତ୍ୟ ପରିବେଷଣ କରାଯିବ। ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଘଣ୍ଟ, ବାରିପଦା ଛଉ, ସମ୍ବଲପୁରୀ, ଦୁଲ୍ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୂରୀ, କଣ୍ଢେଇ, ଘୋଡ଼ାନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ ପରିବେଷଣ କରି ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବ । ଶୀତଳଷଷ୍ଠୀ ଯାତ୍ରା ନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି କମିଟି । ଏହାସହ ରାଜ୍ୟ ସରକାର, ବିଏମସି ଓ ପୋଲିସର ସହଯୋଗ କାମନା କରିଛି।
ଡାକ୍ତରଙ୍କୁ ମାଡ଼ମାରି କାର କାଚ ଭାଙ୍ଗିଲେ ଦୃର୍ବୃତ୍ତ
ଭୁବନେଶ୍ୱର: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ। ଡାକ୍ତର ନିଶିତ ରଞ୍ଜନ ଶତପଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ୩ ଦୁର୍ବୃତ୍ତ ଆକ୍ରମଣ କରିବା ସହ କାର୍ ଭଙ୍ଗାରୁଜା କରିଛନ୍ତି ।
ସୂଚନା ଅନୁଯାୟୀ, ନିମାପଡା ସରଦେଇପୁର ରାସ୍ତାରେ କାରରେ ଘରକୁ ଫେରୁଥିବା ବେଳେ ବାଳକାଟୀ ବଜାର ଅଟୋଷ୍ଟାଣ୍ଡ ନିକଟରେ ହୋଇଛି ଆକ୍ରମଣ। ଗୋଟିଏ ବାଇକରେ ୩ ଜଣ ନିଶାସକ୍ତ ଯୁବକ ଆସି କାରକୁ ପ୍ରଥମେ ସାଇଡ ମାରିଥିଲେ । ଡାକ୍ତର ନିଶିତ ତାଙ୍କୁ ଗାଡି ଧୀରେ ଚଳାଇବାକୁ କହି ସେଠାରୁ ଘର ଅଭିମୁଖେ ଯାଉଥିବାବେଳେ ଦୁର୍ବୃତ୍ତ ମାନେ ଡାକ୍ତରଙ୍କ କାର ଆଗରେ ବାଇକ ରଖି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାର କାଚକୁ ବାଡେଇ ଭାଙ୍ଗିଥିଲେ। ଘଟଣାସ୍ଥଳରେ ବାଳକାଟି ଫାଣ୍ଡି ପୋଲିସ ଓ ପିସିଆର୍ ପହଞ୍ଚି ୨ ଜଣକୁ ଅଟକ ରଖିଥିବା ବେଳେ ଜଣେ ଫେରାର ହୋଇଛି। ଏନେଇ ଡାକ୍ତର ବାଳକାଟୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

