spot_img
Home Blog Page 809

ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ; ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୁଳ: ଆଜି ତାଳଚେର ଉପଖଣ୍ଡ ବନ୍ଦ । ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଦାବିରେ ୧୦ ଦଫା ଦାବି ନେଇ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ସୁଭଦ୍ରା ନ୍ୟାୟ ମହାମଞ୍ଚ । ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ସଂପୃକ୍ତ ଥିବା ବେଳେ ପୋଲିସ କେବଳ ଜଣକୁ ଗିରଫ କରିଛି । ଜଣେ ଲୋକ ଗୋଟେ ଖୋଲା ଅଟୋରେ ଅପହରଣ, ଦୁଷ୍କର୍ମ କରିବା ସହ ହତ୍ୟା କରିବା ସନ୍ଦେହ ସୃଷ୍ଟି କରିଛି । ତେଣୁ ଏହାର ସିବିଆଇ ତଦନ୍ତ ଦାବି କରିଛି ମହାମଞ୍ଚ ।

ଯେଉଁ ରେଳବାଇ ଥାନା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପାଟ୍ରୋଲିଂ ମାତ୍ରା ବଢାଇବା, ଷ୍ଟେସନ ରାସ୍ତାରେ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା ଏବଂ ରକ୍ଷଣା ବେକ୍ଷଣ ଦାବିରେ ବନ୍ଦ ଡାକରା ଦେଇଛି ମହାମଞ୍ଚ ।

ଆଜି ପୁଟିନ-ଟ୍ରମ୍ପ ଆଲୋଚନା ; ଅସ୍ତ୍ରବିରତି ପ୍ରସଙ୍ଗରେ ହେବ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ଓ ବାଣିଜ୍ୟ ପ୍ରସଙ୍ଗ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରୁଷ ଓ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ନେଇ କୌଣସି ସହମତି ହୋଇପାରି ନଥିବାବେଳେ ଏନେଇ କଥାବାର୍ତ୍ତା କରିବାକୁ ଆଗେଇ ଆସିଛନ୍ତି ଟ୍ରମ୍ପ । ତୁର୍କୀ ଇସ୍ତାନବୁଲରେ ହୋଇଥିବା ରୁଷ-ୟୁକ୍ରେନ ମଧ୍ୟରେ ପ୍ରଥମ ସିଧାସଳଖ କଥାବାର୍ତ୍ତାରେ କେବଳ ଏକ ହଜାର ଲେଖାଁଏ ଯୁଦ୍ଧବନ୍ଦୀ ଅଦଳବଦଳ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ହେଲେ ଅସ୍ତ୍ରବିରତି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା । ଅସ୍ତ୍ରବିରତି ପ୍ରସଙ୍ଗରେ ପୁଟିନଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବି ଆଲୋଚନା କରିବା ସମ୍ଭାବନା ରହିଛି । ଏହା ସହ ଟ୍ରମ୍ପ ବି ନାଟୋ ନେତାଙ୍କ ସହ ବି ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ଇସ୍ତାନବୁଲ ଆଲୋଚନାରେ ଅସ୍ତ୍ରବିରତି ଲାଗି ୟୁକ୍ରେନ ରାଜି ଥିବା କହିଥିଲେ ଜେଲେନସ୍କି । ସେପଟେ ରୁଷର ଡ୍ରୋନ ହମଲାରେ ୯ ଜଣ ୟୁକ୍ରେନ ନାଗରିକ ପ୍ରାଣ ହରାଇବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜେଲେନସ୍କି । ଗତ ୧୭ ତାରିଖରେ ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରଥମ ଥର ଲାଗି ଇସ୍ତାନବୁଲରେ ସିଧାସଳଖ କଥାବାର୍ତ୍ତା ହୋଇଥିଲା । ମାତ୍ର ୨ ଘଣ୍ଟା ଲାଗି ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ ଅସ୍ତ୍ରବିରତି ନେଇ ନିଷ୍ପତ୍ତି ନିଆଯିବ ବୋଲି ଯେଉଁ ଆଶା ରହିଥିଲା ତାହା ସଫଳ ହୋଇନଥିଲା । ପୂର୍ବରୁ ଜେଲେନସ୍କି ୟୁରୋପୀୟ ସମ୍ମିଳନୀରେ ଯୋଗଦେଇ ଟ୍ରମ୍ପ ଓ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ପୋଲାଣ୍ଡର ନେତାଙ୍କ ସହ ଆଲୋଚନା କରିଥିଲେ ।

ଇସ୍ରୋର ସାଟେଲାଇଟ୍ EOS-09 ଉତକ୍ଷେପଣ ବିଫଳ

ନନ୍ଦିଘୋଷ ବ୍ୟୁରୋ: ଇସ୍ରୋର EOS-09 ଉତକ୍ଷେପଣ ବିଫଳ ହୋଇଯାଇଛି । ଲଞ୍ଚିଂ ବେଳେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିନି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଭି. ନାରାୟଣନ । ୧୦୧ତମ ସାଟେଲାଇଟ୍ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସହାୟତାରେ ସାଟେଲାଇଟକୁ ଲଞ୍ଚ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସକାଳ ୫ଟା ୫୯ରେ ସାଟେଲାଇଟକୁ ଉତକ୍ଷେପଣ କରାଯାଇଥିଲା । ହେଲେ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିଲାନି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।

ରବିବାର ଭୋର ୫ଟା ୫୯ ମିନିଟରେ ଏହାର ଉତକ୍ଷେପଣ ହୋଇଥିଲା । ଶନିବାର ସକାଳ ୭ଟା ୫୯ ମିନିଟରୁ ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିଲା । ଏହି ଉପଗ୍ରହ ଯେକୌଣସି ପରିସ୍ଥିତିରେ ପୃଥିବୀର ହାଇ ରିଜୋଲ୍ୟୁସନ ଫଟୋ ନେବାକୁ ସକ୍ଷମ ଥିଲା । ଉପଗ୍ରହ ଦ୍ବାରା ୨୪ ଘଣ୍ଟା ଉଠା ଯାଉଥିବା ଫଟୋରୁ କୃଷି, ଜଙ୍ଗଲ ଉପରେ ନଜର ରଖିବା, ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବା, ଅର୍ବାନ ପ୍ଲାନିଂ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ନଜର ରଖାଯାଇପାରିଥାନ୍ତା । ମିଶନର ଉଦ୍ଦେଶ୍ୟ ଥିଲା ସାରା ଦେଶରେ ହେଉଥିବା ଘଟଣାର ତଥ୍ୟ ସଂଗ୍ରହ କରିବା ।

IPLରୁ ବଡ଼ ଖବର: ଟ୍ରାଭିସ ହେଡଙ୍କୁ କୋଭିଡ଼

ନନ୍ଦିଘୋଷ ବ୍ୟୁରୋ: ଟ୍ରାଭିସ ହେଡଙ୍କୁ କୋଭିଡ । ଲକ୍ଷ୍ମୌ ସୁପର ଜାଏଣ୍ଟସ ବିରୋଧରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ମ୍ୟାଚରେ ଖେଳି ପାରିବେନି ଟ୍ରାଭିସ । ଏନେଇ ସୂଚନା ଦେଇଛନ୍ତି ହେଡ କୋଚ ଡାନିଏଲ ଭିଟୋରୀ । ତେବେ ଅବଶିଷ୍ଟ ଦୁଇଟି ମ୍ୟାଚ ଲାଗି ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଟ୍ରାଭିସଙ୍କୁ କୋଭିଡ ହୋଇଥିବା ନେଇ ସୂଚନା ଦେଇଥିଲେ ଭିଟୋରୀ । ତେବେ ଟ୍ରାଭିସ କେବେ କୋଭିଡ ଆକ୍ରାନ୍ତ ହୋଇଛନ୍ତି ସେ ନେଇ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବଲର ଅଷ୍ଟମ ସ୍ଥାନରେ ରହିଛି । ମେ ୨୩ରେ ରହିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ସହ ମ୍ୟାଚ । ସେହିପରି ୨୫ରେ କୋଲକାତା ନାଇଟ ରାଇଡର୍ସ ସହ ହେବ ମ୍ୟାଚ ।

ଭୁବନେଶ୍ବରରେ ଖୋଲିବ ଏନଆଇଏ ଅଫିସ୍

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵରରେ ଖୋଲିବ ଏନଆଇଏ ଅଫିସ୍ । ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଏହି ଶାଖା ଏକ ଥାନା ଭାବେ କାମ କରିବ । ଏହି ଥାନା ଅଧୀନରେ ରହିବ ପୂରା ରାଜ୍ୟ । ଭୁବନେଶ୍ଵର ଭିଏସଏସ୍ ନଗରରେ ଖୋଲିବ ଏହି ଥାନା ।

ଭିଏସଏସ ନଗର ବିଏସଏନଏଲ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଏହା ଅସ୍ଥାୟୀ ଭାବେ ଖୋଲାଯିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ବଢୁଥିବା ଆଇନ ଶୃଙ୍ଖଳାକୁ ନଜରେ ରଖି ଏନଆଇଏର ଏହି ଶାଖା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଅବହେଳା: ପଦୋନ୍ନତି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ଠକି ଚାଲିଛି ବିଜେପି ସରକାର । ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସରକାରଙ୍କ ଅବମାନନା । ରାଜ୍ୟରେ କାର୍ଯ୍ୟରତ ଦିବ୍ୟାଙ୍ଗ କର୍ମଚାରୀଙ୍କ ପଦୋନ୍ନତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ବେଖାତିର । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ସରକାରଙ୍କ ଆଇନକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ରାଜ୍ୟରେ କାର୍ଯ୍ୟକାରୀ ହୋଇପାରୁନାହିଁ ଭିନ୍ନକ୍ଷମ ଅଧିକାର ଆଇନ । ଦିବ୍ୟାଙ୍ଗମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ ମଧ୍ୟ ବିଭାଗ ଉପରେ କିଛି ଫରକ ପଡୁନାହିଁ ।

ଗଣେଶ୍ବର ବରାଳ, ଜଣେ ଦୃଷ୍ଟିବାଧିତ ଶିକ୍ଷକ । ପଦୋନ୍ନତି ପାଇଁ ୮ ବର୍ଷ ହେଲା ଅପେକ୍ଷା କରିଛନ୍ତି । ହେଲେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ଫାଇଲ ପଡି ରହିଛି । ଆଉ ଜଣେ ହେଲେ ସେକ୍ ସମଦ କଳାପାହାଡ଼ । ଦର୍ଶନ ଶାସ୍ତ୍ର ବିଭାଗର ଅଧ୍ୟାପକ । କନିଷ୍ଠ ଅଧ୍ୟାପକରୁ ବରିଷ୍ଠ ଅଧ୍ୟାପକ ପ୍ରମୋସନ ଲାଗି ବିଭାଗକୁ ଦୌଡୁଛନ୍ତି । ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଦୃଷ୍ଟି, ଶ୍ରବଣ ଓ ବାକ୍ ବାଧିତ, ମାନସିକ ଅନଗ୍ରସର, ଶାରିରୀକ ଅକ୍ଷମତା ଦିବ୍ୟାଙ୍ଗ ବର୍ଗରେ ଆସୁଛନ୍ତି । ୨୦୨୪ ଜାନୁଆରୀରେ ମୋଟ ପଦବୀରେ ୪ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ପଦୋନ୍ନତି ଦେବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ । ହେଲେ ୧୫ ମାସରୁ ଅଧିକ ସମୟ ବିତିଲାଣି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ । ସାଧାରଣ ପ୍ରଶାସନ ବିଭାଗ ହାଇକୋର୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ବିଭାଗର ଜଣେ ଅତିରିକ୍ତ ସଚିବଙ୍କୁ ଦାୟୀ କରିଛି ଉତ୍କଳ ଦୃଷ୍ଟିହୀନ ସଂଘ ।

ପଦୋନ୍ନତି କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଦେବାକୁ ସୁପ୍ରିମକୋର୍ଟ ୨୦୨୨ରେ ଏବଂ ଏହାକୁ ଆଧାର କରି ହାଇକୋର୍ଟ ୨୦୨୪ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ଆଶାୟୀମାନେ ବାରମ୍ବାର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଦୌଡୁଛନ୍ତି । ହେଲେ ବିଭାଗର ଅଧିକାରୀମାନେ କେତେ ବେଳେ ଆଇନ ବିଭାଗର ଆଳ ଦେଖାଉଛନ୍ତି ତ ପୁଣି କେତେବେଳେ ଅର୍ଥ ବିଭାଗକୁ ଦାୟୀ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ୨୦୨୪ ଡିସେମ୍ବରରେ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କେବଳ ବାହାନା ଖୋଜୁଛନ୍ତି ।

ଗୋଟେ ପଟେ ଲୋକଙ୍କ ସରକାର ସ୍ଲୋଗାନ ଜୋରସୋରରେ ଚାଲିଥିବା ବେଳେ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରାଯାଉଛି । ଦିବ୍ୟାଙ୍ଗଙ୍କୁ ନ୍ୟାୟ ପାଇବା କ୍ଷେତ୍ରରେ ବିଳମ୍ବ କିମ୍ବା ପ୍ରତ୍ୟାଖାନ କରିବା ଉଚିତ ନୁହେଁ । ରାଜ୍ୟ ସରକାର ତୁରନ୍ତ ଏ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଦୃଷ୍ଟିହୀନ ସଂଘ ଦାବି କରିଛି ।

ଭକ୍ତଙ୍କ ନୂଆ ଟିମକୁ ନେଇ ଉଠିଲା ପ୍ରଶ୍ନ, ଅସନ୍ତୋଷ ଜାହିର କଲେଣି ନେତା !

ନନ୍ଦିଘୋଷ ବ୍ୟୁରୋ: ନୂଆ ଟିମ୍‌, ନୂଆ ଯୋଶ । ହେଲେ ଟିମ୍‌ରେ ବରିଷ୍ଠଙ୍କ ସଂଖ୍ୟା କମ୍‌ । ପିସିସି ସଭାପତି ଭକ୍ତ ଦାସଙ୍କ ନୂଆ ବ୍ରିଗେଡ଼କୁ ନେଇ ବରିଷ୍ଠ ନେତାଏ ଖୁସି ନଥିଲା ଭଳି ଲାଗୁଛି । ନିଜ ପସନ୍ଦର କର୍ମୀଙ୍କୁ ଟିମରେ ସାମିଲ କରି ବଡ଼ ଚେହେରାଙ୍କୁ ଅଣଦେଖା କରାଯାଇଛି କି ? ସିଧାସଳଖ ନ ହେଲେ ବି କମିଟିର କାୟାକଳ୍ପକୁ ନେଇ କଂଗ୍ରେସ କିଛି ବରିଷ୍ଠ ନେତା ଏପରି ତେରଛା ବାଣ ମାରିବାକୁ ପଛାଇ ନାହାନ୍ତି । ସେପଟେ ଦଳର ସଂଗଠନ ମଜବୁତ କରିବାକୁ ହେଲେ ବରିଷ୍ଠଙ୍କ ଅଭିଜ୍ଞତା ଆବଶ୍ୟକ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ।

ଭକ୍ତଙ୍କ ନୂଆ ଟିମରେ ମୋକିମ ଓ ସୋଫିଆ ହୋଇଛନ୍ତି କି କୋଣଠେସା । ବରିଷ୍ଠଙ୍କୁ ମାନିବେ ତ ଯୁବକ ? ଏମିତିରେ ପିସିସି ଗାଡ଼ି ଗଡ଼ିବ ନା ଫେରିବ ଦଳୀୟ କନ୍ଦଳ ? ଗତକାଲି ପିସିସି ସଭାପତିଙ୍କ ନୂଆ ଟିମ୍‌କୁ ନେଇ ଏବେ ଏମିତି ମାଳ ମାଳ ପ୍ରଶ୍ନ ଉଠିବାରେ ଲାଗିଛି । ଖୋଲାଖୋଲି ବିଦ୍ରୋହ ନକଲେ ବି ବୁଲେଇ ବାଙ୍କେଇ ନିଜ ଅସନ୍ତୋଷ ଜାହିର କଲେଣି ନେତା । ସିଧାସିଧା ନ କହି ତେରଛା ବାଣ ମାରିଛନ୍ତି ବରିଷ୍ଠ ନେତା । କହିଲେଣି କେଉଁ ପରିସ୍ଥିତିରେ ଏପରି ଟିମ୍ କରାଗଲା ତାହା କେବଳ ସଭାପତି ଜାଣିଥିବେ । ଯାହାର ଟିମ୍‌ ସେ ହିଁ ଉତ୍ତରଦାୟୀ ରହିବ ।

ଅନ୍ୟପଟେ ପଦ ପାଇଥିବା ନେତାଙ୍କ କହିବା କଥା ପୂର୍ବରୁ ପିସିସି ସଭାପତି ଦୌଡ଼ରେ ଥିବା ମହମ୍ମଦ ମୋକିମଙ୍କୁ ପଦ ମିଳିନି । ହେଲେ ମୋକିମଙ୍କ ନେତୃତ୍ବକୁ ନେଇ କେହି ପ୍ରଶ୍ନ କରି ପାରିବେ ନାହିଁ । ଯେଉଁଠି ଅଧିକାଂଶ ବିଧାୟକଙ୍କୁ ଭକ୍ତଙ୍କ ଟିମରେ ସ୍ଥାନ ମିଳିଛି ସେଠାରେ କଂଗ୍ରେସର ଏକମାତ୍ର ମହିଳା ବିଧାୟକ ତଥା ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କୌଣସି ପଦ ମିଳିନି । ଏହାର ଅର୍ଥ ନୁହେଁ ଯେ କଟକବାସୀଙ୍କ ପାଇଁ କାମ କରିବେନି । ଭକ୍ତ ଦାସ ପିସିସି ସଭାପତି ହେବା ମାତ୍ରେ ନେତାଙ୍କ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହର କରିଥିଲେ । ଏହି ତାଲିକାରେ ଥିବା ମାନସ ଚୌଧୁରୀ ଓ ସୁର ରାଉତରାୟଙ୍କୁ ବି କୌଣସି ପଦ ମିଳିନି । ଖୋଲାଖୋଲି ଭାବେ ସୁର କହିଲେଣି ବରିଷ୍ଠଙ୍କ କଥା ମାନ, ଟଙ୍କା ଖର୍ଚ୍ଚ କର ନ ହେଲେ ବୁଡ଼ିଯିବ କଂଗ୍ରେସ ।

ଦଳରେ ବରିଷ୍ଠଙ୍କ ଆବଶ୍ୟକତା ରହିଛି । ଖୋଦ ଏହି କଥାକୁ ସ୍ବୀକାର କରିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ମଙ୍ଗୁ ଖିଲ । ଯୁବ ଚେହେରା ଦଳର ସଂଗଠନକୁ ମଜବୁତ କରିବାକୁ ଅଞ୍ଚଳ ବୁଲିବେ । ଲୋକଙ୍କ ପାଖକୁ ଯିବେ । ପଲ୍ଲୀରୁ ଦିଲ୍ଲୀ ଯାଏଁ ସ୍ବର ଶାଣିତ କରିବେ । ହେଲେ ବରିଷ୍ଠଙ୍କ ଅନୁଭୁତି ଯୁବ ନେତାଙ୍କୁ ଅଧିକ ବଳ ଦେବ । ଏକଥାକୁ ଭୁଲିବା ଠିକ୍‌ ହେବନି । ଆଗକୁ ବରିଷ୍ଠଙ୍କୁ ଅଧିକ ଦାୟିତ୍ବ ମିଳିବା ନେଇ ଯୁବନେତା ଆଶାବାଦୀ । ଗତକାଲି ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୭ ଉପ ସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସମ୍ପାଦକଙ୍କ ଭିତରୁ ଅଧିକାଂଶ ଯୁବ ଚେହେରା ଅଛନ୍ତି ।

ଭାରତ-ପାକ୍ ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ରବିରତି

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଅସ୍ତ୍ରବିରିତି ସମୟ ସୀମା ଶେଷ ହେଉଥିବା ବେଳେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇ ଦିଆଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ବିବୃତି ଜାରି କରି ସୂଚନା ଦିଆଯାଇଛି । ୨ ଦେଶ ମଧ୍ୟରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ଅସ୍ତ୍ରବିରତି ପାଇଁ ଭାରତ ରାତି ହୋଇଛି । ଗତ ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ବେଳେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ରବିରତି ନେଇ ସହମତି ହୋଇଥିଲା ।

ତେବେ ଆଜି ଡିଜିଏମଓ ସ୍ତରୀୟ ଆଲୋଚନା ହେବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି । ଏହାସହ ୧୨ ତାରିଖ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସ୍ପଷ୍ଟ କରାଯାଇଛି ।

ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଆଜି ଶେଷ ହେଉଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଥିଲା । ଏହାକୁ ଭାରତୀୟ ସେନା ପକ୍ଷରୁ ବିବୃତ୍ତି ଜାରି କରି ଖଣ୍ଡନ କରାଯାଇଛି । ମେ’ ୧୮ ତାରିଖରେ ଅସ୍ତ୍ରବିରତି ଖବର ପରେ ଅନେକ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତଥାପି ସେନା ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ସମାପ୍ତ ହେବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ସେହିପରି କିଛି ଗଣମାଧ୍ୟମ ଏହା ମଧ୍ୟ ଦାବି କରୁଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଆଜି ସ୍ଥିର ହୋଇଛି । କିନ୍ତୁ ଏପରି କୌଣସି ଆଲୋଚନା ସ୍ଥିର କରାଯାଇ ନାହିଁ ବୋଲି କହିଛି ସେନା । ଗତ ୧୨ ତାରିଖରେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଯୁଦ୍ଧବିରତି ଉପରେ ଏକ ଚୁକ୍ତି ହୋଇଥିଲା । ଏହାର କୌଣସି ଅବଧି ତାରିଖ ସ୍ଥିର କରାଯାଇ ନାହିଁ । ଏହାର ଅର୍ଥ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ଅସ୍ତ୍ରବିରତି ।

ପାକିସ୍ତାନରେ ଲସ୍କର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି କରି ହତ୍ୟା କଲେ ଅଜ୍ଞାତ ବ୍ୟକ୍ତି, ଭାରତରେ ୩ଟି ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ଭାରତ, ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପଙ୍କୁ ଧ୍ବଂସ କରିବା ସହ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଏବେ ଅପରେସନ ସିନ୍ଦୂର ସ୍ଥଗିତ ରହିଥିଲେ ବି, ଯେ କୌଣସି ସମୟରେ ଭାରତର ଶିକାର ହେବା ଭୟରେ ପ୍ରମାଦ ଗଣୁଛନ୍ତି ଆତଙ୍କବାଦୀ । ଆଉ ଏମିତି ସ୍ଥିତିରେ ବହୁ ଆତଙ୍କବାଦୀ ପାକିସ୍ତାନ ସେନା ସହାୟତାରେ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛନ୍ତି । ହେଲେ ପାକିସ୍ତାନରେ ବି ଏବେ ସେମାନେ ସୁରକ୍ଷିତ ନୁହଁନ୍ତି । ଭାରତ ସମେତ ଅନ୍ୟ କିଛି ଲୋକ ବି ଅଛନ୍ତି, ଯେଉଁମାନେ ଏମାନଙ୍କୁ ଶିକାର କରିବାକୁ ଘାତ ଲଗାଇ ସୁଯୋଗକୁ ଅପେକ୍ଷା କରିଛନ୍ତି । ଏହି କ୍ରମରେ ଲସ୍କର-ଏ- ତୈୟବାର ଟପ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି ମାରି ହତ୍ୟା କରାଯାଇଛି । କେହି ଅଜ୍ଞାତ ବନ୍ଧୁକଧାରୀ ତାକୁ ଗୁଳି କରି ନିପାତ କରିଛି । ଦୀର୍ଘ ଦିନ ହେଲା ନେପାଳରେ ରହି ନିଜ ଆତଙ୍କବାଦୀ ନେଟଓ୍ବର୍କ ଚଲାଉଥିଲା । କିଛିଦିନ ହେବ ସିନ୍ଧ ପ୍ରଦେଶର ମତଲି ଓ ବଦିନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇଥିଲା ।

ସୂଚନାଯୋଗ୍ୟ, ଭାରତରେ ତିନୋଟି ବଡ଼ ଆକ୍ରମଣ ପଛରେ ଖଲିଦର ହାତ ଥିଲା । ୨୦୦୬ରେ ମହାରଷ୍ଟ୍ରର ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ଆକ୍ରମଣର ଷଡଯନ୍ତ୍ର ରଚିଥିଲା । ସେହିପରି ୨୦୦୧ରେ ରାମପୁରରେ ସିଆରପିଏଫ କ୍ୟାମ୍ପରେ ଆକ୍ରମଣ କରାଇଥିଲା । ଏହାସହ ବେଙ୍ଗାଲୁରୁରେ ୨୦୦୫ରେ ଆକ୍ରମଣ ପଛରେ ତା’ର ହାତ ଥିଲା ।

କିଏ ଏହି ସୈଫୁଲ୍ଲା ଖାଲିଦ ?

ଖାଲିଦ ଲସ୍କରର ଅପରେଟର ଥିଲା । ଭାରତରେ ଆକ୍ରମଣ କରାଇବାର କାମ ସେ ବୁଝୁଥିଲା । ଏହାପରେ ସେ ନେପାଳରେ ନିଜର ବେସ ବନାଇ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଉଥିଲା । ଏନେଇ ଭାରତର ଗୁଇନ୍ଦା ସଂସ୍ଥା ସୁରାକ ପାଇବା ପରେ ସେ ନେପାଳ ଛାଡ଼ି ପୁଣି ପାକିସ୍ତାନ ଚାଲି ଯାଇଥିଲା । ଭାରତର ଆତଙ୍କବାଦୀଙ୍କ ତାଲିକାରେ ମୋଷ୍ଟ ଓ୍ବାଣ୍ଟେଡ ଥିଲା ଖାଲିଦ । ଭାରତ ନଜରରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ ନାଁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲା । ନେପାଳରେ ବିନୋଦ କୁମାର ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଉଥିଲା ।

ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲେ ବାପା

ନନ୍ଦିଘୋଷ ବ୍ୟୁରୋ: ଆଖି ଆଗରେ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲେ ବାପା । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଗେନା ବାଲିଘାଟରେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ୩୨ ବର୍ଷୀୟ ରୁଦ୍ର ନାୟକ ।

ରୁଦ୍ରଙ୍କ ଘର ବାଲିଘାଟ ନିକଟସ୍ଥ ଖମାର ଗାଁରେ । ଆଜି ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବାଲିଘାଟରେ ପଡିଥିଲା । ଏହା ପରିବାର ଲୋକେ ଦେଖି ଥିଲେ । ରୁଦ୍ରଙ୍କ ବାପା ପୁଅର ମୃତଦେହ ଦେଖି ଅଧର୍ଯ୍ୟ ହୋଇ ପଡ଼ିଥିଲେ । ମାନସିକ ସ୍ଥିତି ହରାଇ ବିଷ ପିଇ ଦେଇଥିଲେ । କିଏ ଓ କାହିଁକି ରୁଦ୍ରଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି । ପରିବାର ଲୋକେ ବାଲିଘାଟରେ କାର୍ଯ୍ୟରତ ଜଣେ ଜେସିବି ଡ୍ରାଇଭର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l

ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତ ଜେସିବି ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ବାଲି କାରବାରକୁ ନେଇ ରୁଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ବାଲି କାରବାରକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା । ବାଲିଘାଟକୁ କେନ୍ଦ୍ର କରି ଢେଙ୍କାନାଳ ଜୟଗୋପାଳ ସାହିର ମହେଶ୍ୱର ବେହେରାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।