spot_img
Home Blog Page 781

ବିରୋଧୀ ଦଳରେ ଥିବା ବେଳେ ବିଜେପି ଦେଇଥିଲା ପ୍ରତିଶ୍ରୁତି, ସରକାରକୁ ଆସିବା ପରେ ପ୍ରତାରଣା ଅଭିଯୋଗ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଗୋଟେ କଥା, ସରକାରକୁ ଆସିବା ପରେ ଆଉ ଗୋଟିଏ କଥା । ଏବେ ବିଜେପି ସରକାରଙ୍କ କାନରେ ପଡୁନି ଶିକ୍ଷକଙ୍କ ଆକୁଳ ଚିତ୍କାର ।  ସେତେବେଳେ ବିଜେପି ବିରୋଧୀ ଦଳରେ ଥିଲା, ଏବେ ରାଜ୍ଯରେ ଡବଲ ଇଞ୍ଜିନ ସରକାର । ସମସ୍ତ ପ୍ରତିଶୃତି ପୂରଣ କରିବା ପାଇଁ ସକ୍ଷମ ଥାଇ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ ହେଉନାହିଁ । ଫଳରେ ଏବେ ଗାନ୍ଧୀ ମାର୍ଗରେ କନିଷ୍ଠ ଶିକ୍ଷକଙ୍କ ଗର୍ଜନ କରିଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ପଟେ ନିଯୁକ୍ତି ପତ୍ର ବଣ୍ଟନ, ଆଉ ଗୋଟିଏ ପଟେ ଶିକ୍ଷକଙ୍କୁ ହତାସ କରାଯାଉଥିବା ଅଭିଯୋଗ ହୋଇଛି । ଖରା ଓ ଗୁଳିଗୁଳିଙ୍କୁ ଖାତିର ନ କରି ପ୍ରତିବାଦ କରିଛନ୍ତି ଶିକ୍ଷକ । କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଚାକିରି ଓ NEP ଆଧାରରେ  ବାଲବାଟିକାରେ କନିଷ୍ଠ ଶିକ୍ଷକ ଓ ଶିକ୍ଷଯତ୍ରୀ ମାନଙ୍କୁ ବୋଝ ନ ଦେଇ ନୂଆ ନିଯୁକ୍ତି ଦେବାକୁ ଦାବି ହୋଇଛି।

ଉତ୍ତରପ୍ରଦେଶ ଭଳି କେତେକ ରାଜ୍ୟରେ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ଓଡ଼ିଶାରେ ଏବେ ମଧ୍ୟ ଯୋଜନଭିତ୍ତୀକ ପ୍ରଥାର ପ୍ରଚଳନ ଚାଲିଛି। ହିମାଚଳରେ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ସବୁଠାରୁ ଅଧିକ ୫୯,୭୭୦ ଟଙ୍କା ରହିଥିବା ବେଳେ ଓଡିଶାରେ ସର୍ବନିମ୍ନ ୧୬୦୦୦ ଟଙ୍କା । ତାଲିମ୍ ସମୟରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବୋର୍ଡ ପରୀକ୍ଷା ଦେବା ପରେ ପୁନଶ୍ଚ ଦୁଇ ଦୁଇଟି ପ୍ରବେଶିକା ଜରିଆରେ ବର୍ତ୍ତମାନ ନିଯୁକ୍ତି ଦିଆଯାଉଛି।ସେପଟେ ସମୟ ଅନୁସାରେ ସମସ୍ୟାର ସମାଧାନ ହେବ । ବ୍ୟତିବ୍ୟସ୍ତ ହୋଇ ସ୍କୁଲ ବନ୍ଦ କରି ରାଜରାସ୍ତାରେ ନ ବସିବା ପାଇଁ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ବୋଝ ଉପରେ ଲଳିତା ବିଡା ପରି ପୁଣି ଶିଶୁବାଟିକା ପରି ଏକ ଶ୍ରେଣୀକୁ ଆଣି ଯୋଡି ଦେଇ ତାର ସମସ୍ତ ଭାର ପ୍ରାଥମିକ ଶିକ୍ଷକଙ୍କ ଉପରେ ଲଦି ଦେଇଛନ୍ତି। ହେଲେ ଏହି ଶ୍ରେଣୀରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷକ ଆବଶ୍ୟକ ବୋଲି ଅନୁଭୂତ ହେଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି  ଶିକ୍ଷକ ।

ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା, ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଗୌରବ ହରାଇଲାଣି ଗଞ୍ଜାମ । ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ।  ଦୁଇ ଦୁଇଟି ହତ୍ୟାକାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ ଏବେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଭିଆଉଛନ୍ତି ଅପରାଧୀ  । ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ସେମାନଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭାବନୀୟ ଘଟଣା ଘଟାଇ ସ୍ଥାନୀୟ ଅଞ୍ଚଳରୁ ଫେରାର ହୋଇଯାଇଛନ୍ତି ୪ ଯୁବକ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ମଇନା କରାଯାଇଥିବା ବେଳେ ଷ୍ଟେଟମେଣ୍ଟ ନିଆଯାଇଛି l

ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି ।ସେମାନଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି l ଅଭିଯୁକ୍ତ ମାନେ ଦୁଇଟି ବାଇକରେ ଦୁଇ ନାବାଳିକାଙ୍କୁ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡିଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । ପୂର୍ବ ସରକାର ସମୟରେ ଶାନ୍ତ ଥିବା ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହେଉଛି । ପୋଲିସର ଢିଲା ପଣିଆ ଯୋଗୁ ଏଭଳି ଅପରାଧ ନିୟନ୍ତ୍ରଣ ବାହାକୁ ଚାଲିଯାଇଥିବା  ଅଭିଯୋଗ ହୋଇଛି ।

ଅସରାଏ ବର୍ଷାରେ ଧସିଗଲା ରାସ୍ତା

ଡୁଙ୍ଗୁରିପାଲି : ନିର୍ମାଣକୁ ମାସେ ବି ଗଲାନି। ଅସରାଏ ବର୍ଷାରେ ଧସିଗଲା ରାସ୍ତା । ପୂର୍ତ୍ତ ବିଭାଗ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର  ଆଗଲପୁର ବ୍ଲକ ହରଭଙ୍ଗା ଓ ଡୁଙ୍ଗୁରିପାଲି ମଧ୍ୟରେ କୋଠିଜୋର ଉପରେ ସେତୁ ନିର୍ମାଣ କରାଯାଇଥିଲା l ସେତୁର ଉଭୟ ପାର୍ଶ୍ଵରେ ଆପ୍ରୋଚ ରୋଡ୍ ନିର୍ମାଣ ହୋଇଥିଲା । ଅସରାଏ ବର୍ଷାରେ ମାଟି ଧସିଯାଇ ପିଚୁ ରାସ୍ତାର ଦୂରାବସ୍ଥା ହୋଇଛି। ପିଚୁ ଫାଟି ଆଁ ମେଲା କରିଛି । ରାସ୍ତା ଧୋଇହୋଇ ୧୫ରୁ ୨୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତା କଡ଼ରେ ଥିବା ଗାର୍ଡ଼ ଖମ୍ଭ ମଧ୍ୟ ଉପୁଡ଼ି ଗଲାଣି । ଆପ୍ରୋଚ ରାସ୍ତା ତିଆରି ହେଲା। କିନ୍ତୁ ଗାର୍ଡ଼ୱାଲ ନିର୍ମାଣ କରାଗଲାନି।  ମୋରମ ସ୍ଥାନରେ ମାଟି ପକାଇ ସଂଯୋଗ ରାସ୍ତା ନିର୍ମାଣ ସହିତ କାମ ନିମ୍ନମାନର ହୋଇଥିବାରୁ ଏପରି ସ୍ଥିତି ସଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ନିମ୍ନମାନର ରାସ୍ତା କାମ ପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଆଗକୁ ବଡ଼ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇଯିବା ଆଶଙ୍କା ଦେଖାଦେଇଛି । ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଉଠିଛି। ଏହାସହିତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ରାସ୍ତା ନିର୍ମାଣ ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥ ପାଣିରେ ପଡୁଛି ।

ବଞ୍ଚିବାର ରାହା ପାଇଲେ ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ବୃଦ୍ଧା ବୁଧୁନି

ଉଦଳା : ମୁହଁରେ ମନ ଖୋଲା ହସ । ନୂଆ ଶାଢ଼ୀ ପିନ୍ଧିବା ପରେ ସେହି ଶାଢୀକୁ ସଜାଡି ଦେଉଛନ୍ତି ନିଜେ । ଯାହାକୁ ଦିନେ କିଏ କ’ଣ କହିଲେ କିଛି ଫରକ ପଡୁନଥିଲା । ଆଜି ସିଏ ମନଭରି କଥା ଶୁଣୁଛି ଆଉ ଓଠ ଖୋଲି ହସୁଛି । ବଞ୍ଚିବାର ରାହା ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ଭଙ୍ଗା ଝାଟିମାଟି ଘରେ ଜୀବନର ରାହା ଖୋଜୁଥିବା ବୃଦ୍ଧା ବୁଧୁନି । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ ଆଉ ଉଦ୍ଧାର ହେଲେ ବୃଦ୍ଧା । ଉଦଳା ବିଡିଓଙ୍କ ସହିତ ବାରିପଦା ବୃଦ୍ଧାଶ୍ରମର କର୍ମଚାରୀ ପହଞ୍ଚି ଭଙ୍ଗା ଘରୁ ବୁଧୁନି ପାତ୍ରଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମକୁ ନେଇଛନ୍ତି ।…

ଅସହାୟ ଅବସ୍ଥାରେ ଭଙ୍ଗା ମାଟି କାନ୍ଥ ଘରେ ଦୁର୍ବିସହ ଜୀବନ ବିତାଉଥିଲେ ବୃଦ୍ଧା ବୁଧୁନି । ଜଙ୍ଗଲିଆ ପରିବେଶ ମଧ୍ୟରେ ଭଙ୍ଗା ଝାଟିମାଟି ଘରେ ଚିରା ପଲିଥିନ୍ ପାଲ ଢାଙ୍କି ରହୁଥିଲେ । ଏପରିକି  ତାଙ୍କୁ ଆହା ପଦେ କହିବାକୁ ପାଖରେ କେହି ନଥିଲେ । ଓଳିଏ ଖାଇଲେ ଆର ଓଳି ଉପାସ ରହୁଥିଲେ । ଘରର କବାଟ ଦୂରର କଥା ଭଙ୍ଗା ଘର ମଧ୍ୟରେ ଜନ୍ତୁଜୁନ୍ତାଙ୍କ ମଧ୍ୟ ଭୟ ରହୁଥିଲା । ଏପରି ସ୍ଥିତିରେ ଦେବଦୂତ ସାଜିଥିଲା ନନ୍ଦିଘୋଷ ଟିଭି । ବୁଧୁନିଙ୍କ ଦୁଃଖକୁ ବୁଝିପାରି ତାଙ୍କୁ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶାସନ ଏବଂ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି । ବୁଧୁନିଙ୍କ ପରି ଅନେକ ନିରାଶ୍ରୟ ବୃଦ୍ଧ ବୃଦ୍ଧା ରହିଛନ୍ତି । ଯେଉଁମାନଙ୍କୁ ଖୋଜି ବାହାର କରି ବଞ୍ଚିବାର ରାହା ଦେଖାଇବା ପାଇଁ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ । ଏହା ସହିତ ଆଗକୁ କିପରି ବୁଧୁନି ତାଙ୍କ ଅବଶିଷ୍ଠ ଜୀବନରେ ହସଖୁସିରେ ବିତାଇବେ ସେଥିପାଇଁ ପ୍ରଶାସନ ଯତ୍ନବାନ ହେବା ଜରୁରୀ ।

ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର

ଚଣ୍ଡିଖୋଲ : ପରିଚୟ ଖୋଜୁଛି ପ୍ରାଚୀନ କୀର୍ତ୍ତିରାଜି । ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜା ଗଲାଣି ପାଚେରୀ । ପର୍ଯ୍ୟଟକଙ୍କ ପାଇଁ ନାହିଁ ମୌଳିକ ସୁବିଧା । ଏଠାକାର ବୌଦ୍ଧ କୀର୍ତ୍ତିରାଜି ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ସମୟର ବୋଲି କୁହାଯାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆଜି ଏହି ପର୍ଯ୍ୟଟନସ୍ଥଳୀ ଜରାଜୀର୍ଣ୍ଣ ଅବସ୍ଥାରେ। ବୌଦ୍ଧ କୀର୍ତ୍ତିରାଜିର ସୁରକ୍ଷା ପାଇଁ ନିର୍ମିତ ପାଚେରୀ କେଉଁଠି ପାଚେରୀ ଭାଙ୍ଗିଯାଇଛି ତ ଆଉ କେଉଁଠି ପାଚେରୀରେ ଲାଗିଥିବା ଲୁହାକୁ ଚୋରିକରି ନେଇଛନ୍ତି ଦୁବୃର୍ତ୍ତ । ବୌଦ୍ଧ ବିହାରକୁ ଭଲ ରାସ୍ତାଟିଏ ନଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କିମ୍ଵା ରହଣି ପାଇଁ ମୌଳିକ ସୁବିଧା ନାହିଁ । ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା ଦ୍ଵାରା ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡ଼ିକ ଏଣେତେଣେ ପଡ଼ିରହିଛି । ଦୀର୍ଘଦିନର ଦାବି ପରେ ମଧ୍ୟ ଏଠାରେ ମ୍ୟୁଜିୟମ ଟିଏ ସ୍ଥାପନ ହୋଇପାରିଲାନାହିଁ।

ଉଦୟଗିରିକୁ ବର୍ଷତମାମ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ନେପାଳ, ଭୂଟାନ, ତିଦ୍ଦତ, ଗୟା ଓ ବାରଣାସୀରୁ ବୌଦ୍ଧ ଧର୍ମାବଲମ୍ବୀମାନେ ଆସିଥାନ୍ତି। । ହେଲେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଉନଥିବାରୁ ପର୍ଯ୍ୟଟକମାନେ ଆସିବାକୁ ମୁଁହ ଫେରାଉଛନ୍ତି । ପୂର୍ବରୁ ଏଠାରେ ଗୁରୁ ପଦ୍ମସମ୍ଭବଙ୍କ ଅନ୍ତର୍ଜାତୀୟ ମହାସମାବେଶ ଅନୁଷ୍ଠିତ ହୋଇଥିଲା । ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ମହାସମାବେଶ ପାଇଁ ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ସୁଦ୍ଧା ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଉ ନଥିବାରୁ ସମସ୍ୟା ଦେଖାଦେଉଛି । କେନ୍ଦ୍ର ପତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ବାଲିଗୁଡ଼ା ସହର

ବାଲିଗୁଡା : ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର । ମନ୍ଦିର ଛାଡ଼ି ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା । ସାହି ସାହି ବୁଲି ଭକ୍ତଙ୍କ କଷ୍ଟ ଲାଘବ କରୁଛନ୍ତି । ରୀତିନୀତି ଅନୁସାରେ ପ୍ରତ୍ୟେକ ଦିନ  ମା’ଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ଧୂପ, ଦ୍ଵାରଫିଟା ପରେ ଦିନ ତମାମ ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ଆଳତୀ ପରେ ନିର୍ଦ୍ଧାରିତ ସାହିକୁ ମା’ ପାଟ୍ଟଖଣ୍ଡା ଚାରି ଭଉଣୀ ମା’ ବରାଳ ଦେବୀ, ମା ଡେଙ୍ଗିଶିଳୀ, ମା’ ଦୂର୍ଗା, ମା’ ମହାମାୟାଙ୍କୁ ସାଙ୍ଗରେ ଧରି ନଗର ଭ୍ରମଣରେ ବାହାରିଥିଲେ । ଶେଷ ଦିନରେ ବିରାଟ ପଟୁଆରରେ ମା’ ଆଚାର୍ଯ୍ୟ କଲୋନୀ ଭ୍ରମଣ କରିଥିଲେ । ମା’ ପାଟ୍ଟଖଣ୍ଡାଙ୍କୁ ଝିଅ ରୂପେ ପାଇ ଦାୟିତ୍ଵ ତୁଲାଇ ଗର୍ବ ଅନୁଭବ କରିଛନ୍ତି ଶ୍ରୀନିବାସ ଦୋରା ।

ରାଜାରାଜୁଡ଼ା ସମୟରୁ କନ୍ଧମାଳ ଜିଲ୍ଲାରେ ପୂଜା ପାଇଆସୁଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା । ବାଲିଗୁଡ଼ା ସହରର ମୁଖ୍ୟ ବଜାରର ମଧ୍ୟ ଭାଗରେ ରହିଛି ମା’ଙ୍କ ପୀଠ । କ୍ଷତ୍ରୀୟ ବଂଶର ପାତ୍ର ଲୋକେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଗତ କିଛିବର୍ଷ ହେବ ଅଞ୍ଚଳବାସୀଙ୍କ ସହଯୋଗରେ ମା’ ପାଟ୍ଟଖଣ୍ଡା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠାକୁରାଣୀ ଯାତ୍ରା ପାଳନ କରାଯାଉଛି । ଗତ ମେ’ ମାସ ୬ ତାରିଖରୁ ଜୁନ୍ ୬ ତାରିଖ ଯାଏଁ ମା’ଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରଙ୍ଗିନ୍ ଆଲୋକ ମାଳାରେ ସଜେଇ ହୋଇଥିଲା ବାଲିଗୁଡ଼ା ସହର । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପନ୍ନ ହୋଇଛି ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା । ପୁଣି ଅପେକ୍ଷା ଆଉ ତିନିବର୍ଷ । ମା’ ପାଟ୍ଟଖଣ୍ଡା ପୁଣି ମନ୍ଦିର ଛାଡ଼ି ବାପଘରକୁ ଆସି ସାହି ବୁଲି ଭକ୍ତଙ୍କ କଷ୍ଟ ଲାଘବ କରିବେ ।

ଭୁଲ ଇଞ୍ଜେକ୍ସନରୁ ୬ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ, ତଦନ୍ତ ପୂର୍ବରୁ କ୍ଲିନ ଚିଟ୍ ଦେଇଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସପିଟାଲରେ ଭୁଲ ଇଞ୍ଜେକ୍ସନରୁ ୬ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ। ତଦନ୍ତ ପୂର୍ବରୁ କ୍ଲିନ ଚିଟ୍ ଦେଇଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। କହିଲେ, ଭୁଲ ଇଞ୍ଜେକ୍ସନ କିମ୍ବା ଚିକିତ୍ସା ଅବହେଳାରୁ ଯାଇନି ରୋଗୀଙ୍କ ଜୀବନ। ସେ କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ମୃତ୍ୟୁ ଅସ୍ୱାଭାବିକ ମୃତ୍ୟୁ ନୁହେଁ। ଆଇସିୟୁରେ ଗୁରୁତର ରୋଗୀ ଥାଆନ୍ତି। ସେହି ରୋଗୀଙ୍କ ମଧ୍ୟରୁ ଜଣଙ୍କର ଲିଭର ଡ୍ୟାମେଜ ଥିଲା। ଆଉ ଜଣେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ଏସସିବି ଓ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲର ବିଶେଷଜ୍ଞ ଦଳ ଘଟଣାର ତଦନ୍ତ କରୁଛନ୍ତି। ସାତ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ରିପୋର୍ଟକୁ ଆଧାର କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଜଗନ୍ନାଥ ଧାମ ଆପରେ ଗୁରୁତର ତ୍ରୁଟି

ପୁରୀ : ପୁଣି ପଦାରେ ପଡ଼ିଲା ପୁରୀ ଜିଲ୍ଲା ପ୍ରଶାସନର ତ୍ରୁଟି। ଜଗନ୍ନାଥ ଧାମକୁ ନେଇ ସ୍ୱତନ୍ତ୍ର ଆପ ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ଥିବା ନୀଳଚକ୍ର ଫଟୋ ଚିତ୍ର ଓଲଟା ରହିଛି। ପୂର୍ବରୁ ରଥଯାତ୍ରାକୁ ନେଇ କରିଥିବା ଭିଡିଓ ଟିଜରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଜିଲ୍ଲା ପ୍ରଶାସନ ଶ୍ରୀଜଗନ୍ନାଥ ଧାମ ଆପ ପ୍ରସ୍ତୁତ କରିଥିବା ବେଳେ, ସେଥିରେ ତ୍ରୁଟି ଦେଖିବାକୁ ମିଳିଛି। ଆପ ପ୍ରସ୍ତୁତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଉଛି।

କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ

ଭୁବନେଶ୍ବର  : କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦେଶାବଳୀ। ରଥଯାତ୍ରା ପାଇଁ କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ। ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ ଗୁରୁତର ରୋଗ ରହିଥିବା ଲୋକେ ରଥଯାତ୍ରାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନେ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଓ ହାତ ଧୋଇବା, ସ୍ଵଛ ପିଇବା ପାଣି ପିଇବାକୁ ଗୁରୁତ୍ୱ। ରଥଯାତ୍ରା ପାଇଁ କୋଭିଡ ବେଳେ ପୁରୀରେ ଯେଉଁ ଆଇସିୟୁ ଥିଲା ତାକୁ କାର୍ଯ୍ୟକ୍ଷମ କରାଯାଉଛି। ସ୍ୱାସ୍ଥ୍ୟ ସଚିବ ନିଜେ ତଦାରଖ କରିଛନ୍ତି। ପୁରୀ ହସ୍ପିଟାଲର ଶଯ୍ୟା ବୃଦ୍ଧି ସହ ଡାକ୍ତର ସଂଖ୍ୟା ବଢାଯାଇଛି। ସମସ୍ତ ଯନ୍ତ୍ରପାତି, ଆଇସିୟୁ ଠିକ ରଖିବା ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଅମରେନ୍ଦ୍ର ନାଥ ମହାନ୍ତି।

ପାଣି ପାଇଁ ଭାରତକୁ ନିବେଦନ କରୁଛି ପାକିସ୍ତାନ, ଥରେ ନୁହେଁ ଚାରି ଥର ଲେଖିଲାଣି ଚିଠି

ନନ୍ଦିଘୋଷ ବ୍ୟୁରୋ : ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବା ପରେ ପାକିସ୍ତାର ସ୍ଥିତି ଖରାପ ହେବାରେ ଲାଗିଛି । ପାକିସ୍ତାନ ପୂର୍ବରୁ ଋଣରେ ବୁଡ଼ି ରହିଥିବା ବେଳେ, ଏବେ ଜଳ ଅଭାବ ଏହାର ସମସ୍ୟାକୁ ଆହୁରି ବଢାଇ ଦେଇଛି । ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତକୁ ଅନୁରୋଧ କରୁଛି। ଭାରତ ସରକାରଙ୍କ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତି ପରେ, ଭାରତ ସରକାରଙ୍କୁ ୪ଟି ଚିଠି ଲେଖିଛି ପାକିସ୍ତାନ। ଏହି ଚିଠି ମାଧ୍ୟମରେ, ପାକିସ୍ତାନ ଭାରତ ସରକାରଙ୍କୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ଉପରେ ପୁନଃବିଚାର କରିବାକୁ ଅନୁରୋଧ କରିଛି। ପାକିସ୍ତାନ ଏହା ମଧ୍ୟ କହିଛି ଯେ ସେ ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି।

ପ୍ରକୃତରେ, ପାକିସ୍ତାନ ଚିନ୍ତିତ ଯେ ଭାରତର ଏହି ନିଷ୍ପତ୍ତି ପାକିସ୍ତାନରେ ରବି ଫସଲ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ସୂତ୍ର ଅନୁସାରେ, ନିୟମ ଅନୁଯାୟୀ ଏହି ଚିଠି ବୈଦେଶିକ ମନ୍ତ୍ରଣାଳୟକୁ ପଠାଯାଇଛି। କିନ୍ତୁ, ପାକିସ୍ତାନର ଆବେଦନ ପ୍ରତି ଭାରତର କୌଣସି ସହାନୁଭୂତି ନାହିଁ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ରକ୍ତ ଓ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଅନ୍ୟପକ୍ଷରେ, ଭାରତ ସରକାର ପାକିସ୍ତାନକୁ ଯାଉଥିବା ପାଣିର ସଦୁପଯୋଗ ପାଇଁ ୧୨ କିଲୋମିଟର ଲମ୍ବା ସୁଡ଼ଙ୍ଗ ଏବଂ ୧୨୦-୧୩୦ କିଲୋମିଟର ଲମ୍ବା କେନାଲ ନିର୍ମାଣ ଯୋଜନାରେ କାମ କରୁଛି। ଏହି ସୁଡ଼ଙ୍ଗ ଏବଂ କେନାଲ ମାଧ୍ୟମରେ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକର ପାଣିକୁ ରବି କେନାଲ ପ୍ରକଳ୍ପ, ଇନ୍ଦିରା ନଦୀ ପ୍ରକଳ୍ପ, ବିକାନେର କେନାଲ ଏବଂ ଗଙ୍ଗ କେନାଲ ସହିତ ସଂଯୋଗ କରିବାର ଯୋଜନା ରହିଛି ଯାହା ଦ୍ଵାରା ଏହି ନଦୀଗୁଡ଼ିକର ପାଣି ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀକୁ ଅଣାଯାଇପାରିବ।

ପ୍ରକୃତରେ, ବିଦେଶୀ ପ୍ରତିନିଧିମାନେ ବିଦେଶ ଯାଇଥିବା ୭ଜଣ ଭାରତୀୟ ପ୍ରତିନିଧିମଣ୍ଡଳୀଙ୍କୁ ସିନ୍ଧୁ ଜଳ ଚୁକ୍ତିନାମା ବିଷୟରେ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତରରେ ଭାରତୀୟ ପ୍ରତିନିଧିମଣ୍ଡଳ କହିଥିଲେ ଯେ ରକ୍ତ ଓ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଇ ଚାଲିଥାଏ, ସେପର୍ଯ୍ୟନ୍ତ କୌଣସି ପରିବର୍ତ୍ତନର କୌଣସି ସୁଯୋଗ ନାହିଁ।

୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାଓଁରେ ଏକ ଆକ୍ରମଣ ହୋଇଥିଲା। ପହଲଗାଓଁ ଆକ୍ରମଣ ପରେ, ପାକିସ୍ତାନ ଦ୍ୱାରା କରାଯାଉଥିବା ଆତଙ୍କବାଦ ଉପରେ ବିରୁଦ୍ଧରେ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଏହା ପରେ, ପାକିସ୍ତାନ ଏବେ ପାଣି ଅଭାବର ସମ୍ମୁଖୀନ ହେଉଛି।