ବିଦେଶ ମାଟିରେ ମନ ମୋହିଲେ ଓଡ଼ିଆ ମାଆ
ଭୁବନେଶ୍ୱର : ବିଦେଶ ମାଟିରେ ସୁନ୍ଦରୀ ପ୍ରତିଯୋଗିତାରେ ମନ ମୋହିଲେ ଓଡ଼ିଆ ମାଆ । ମୟୂରଭଞ୍ଜର ମୟୂରୀ ହେଲେ ସିଙ୍ଗାପୁର ସୁନ୍ଦରୀ । ନିଜର ସୌନ୍ଦର୍ଯ୍ୟ ସାଙ୍ଗକୁ ଇର୍ଷଣୀୟ ଉପସ୍ଥାପନା ଯୋଗୁଁ ଜିତିଲେ ମିସେସ୍ ପପୁଲାର ଆଓ୍ବାର୍ଡ । ସିଙ୍ଗାପୁର ସୁନ୍ଦରୀ ପ୍ରତିଯୋଗିତାର ଏହି ସଫଳ ପ୍ରତିଯୋଗୀ ହେଲେ ଓଡ଼ିଆ ବିୟୁଟି ପାଜେଣ୍ଟ ରଶ୍ମୀ ମାନ୍ନା ଓରଫ୍ ରଶ୍ମୀରାଣୀ ପାତ୍ର। ସେଠାକାର ଏକ ଘରୋଇ କଂପାନୀରେ ଚାକିରି କରିଥିଲେ ହେଁ ଚମତ୍କାର ଅଭିନୟ, ନୃତ୍ୟ, ଗୀତ ଓ ମଡେଲିଂ ପାଇଁ ରଶ୍ମୀ ସାଉଣ୍ଟିଛନ୍ତି ଏହି ବିରଳ ସଫଳତା । ‘ମିସେସ୍ ସିଙ୍ଗାପୁର’ ଟାଇଟଲରୁ ଅଳ୍ପକେ ବଞ୍ଚିତ ହୋଇ ସେ ମିସେସ୍ ପପୁଲାର ଆଓ୍ବାର୍ଡ ଜିତିଛନ୍ତି। ଆଉ ‘ମିସେସ୍ ପପୁଲାର’ ଟାଇଟଲ ଜିତିବା ପରେ ସିଙ୍ଗାପୁରରେ ସତକୁସତ ପପୁଲାର ହୋଇଯାଇଛନ୍ତି ରଶ୍ମୀ ।

‘ମିସେସ୍ ସିଙ୍ଗାପୁର-୨୦୧୯’ ଟାଇଟଲ ପାଇଁ ଏଥର ଆଶାୟୀ ଥିଲେ ଶତାଧିକ ପ୍ରତିଯୋଗୀ । ସିଙ୍ଗାପୁର ବ୍ୟତୀତ ସେଠାରେ ଭିସାରେ ରହୁଥିବା ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଭାଗନେବାର ସୁଯୋଗ ଥିଲା । ବିଶେଷ କରି ଚୀନ, ମାଲୟେସିଆ, ଇଣ୍ଡୋନେସିଆ, ଭାରତ ଓ ଶ୍ରୀଲଙ୍କା ଆଦିରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ମାତ୍ର ୧୬ ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ଆଉ ସେଥିରୁ ଫାଇନାଲିଷ୍ଟ ତାଲିକାରେ ରହିଥିଲେ ହାତଗଣତି କେତେଜଣ । ଫାଇନାଲିଷ୍ଟ ତାଲିକାରେ ରହି ମିସେସ୍ ସିଙ୍ଗାପୁର ଟାଇଟଲ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ରଶ୍ମୀ। ମାତ୍ର ଏହି ଇଭେଣ୍ଟର ଦ୍ବିତୀୟ ମର୍ଯ୍ୟଦାଜନକ ଟାଇଟଲ ‘ମିସେସ୍ ପପୁଲାର’ ଟାଇଟଲ ଜିତିବାକୁ ସକ୍ଷମ ହୋଇଥିଲେ ।

ରଶ୍ମୀଙ୍କ ଜନ୍ମ ବାରିପଦାରେ । ବାଣୀବିହାରରେ ପ୍ରାଣୀବିଜ୍ଞାନରେ ପିଜି କରିବା ପରେ ଏଠାରେ ପିଏଚଡି ବି କରିଥିଲେ । ତା ସହିତ ଭୁବନେଶ୍ବର ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ କରିଥିଲେ । ବାଲେଶ୍ବରରେ ବିବାହ କରିବା ପରେ ଗତ ୧୦ ବର୍ଷ ହେଲା ସେ ନିଜ ସ୍ବାମୀଙ୍କ ସହ ସିଙ୍ଗାପୁରରେ ରହୁଛନ୍ତି । ସିଙ୍ଗାପୁରରେ ସେ ଏକ ମଲଟିନାସନାଲ ଫାଇନାନ୍ସ କମ୍ପାନୀରେ କାମ କରନ୍ତି ।

କିନ୍ତୁ ବିଦେଶ ମାଟିରେ ପେଶାରେ ସେ ଯେତିକି ପରିଚୟ ପାଇନାହାନ୍ତି, ନିଶା ଜନିତ ପ୍ରତିଷ୍ଠା ତାକୁ ଟପିଯାଇଛି । କେବଳ ଅଭିନୟ ବା ମଡେଲିଂ ନୁହେଁ, ସିଙ୍ଗାପୁରରେ ଏବେ ସେ ସମାଜସେବା ବି କରନ୍ତି ରଶ୍ମୀ । ମୟୂରଭଞ୍ଜର ମୟୁରୀ ଏବେ ସିଙ୍ଗାପୁର ସୁନ୍ଦରୀ ହେବା ପରେ ଏହି ଓଡ଼ିଆ ମାଆଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।
ସୀମାନ୍ତରେ ଆନ୍ଧ୍ର ସରକାରଙ୍କ ମନମାନୀ, ପୁଣି ଏକ ଗାଁ କବ୍ଜା କରିବାକୁ ମସୁଧା
ଚିତ୍ରକୋଣ୍ଡା: ରାଜ୍ୟ ଓଡ଼ିଶା। ଗାଁ ବି ଓଡ଼ିଶାର । ହେଲେ ଚାଲିଛି ଆନ୍ଧ୍ରପ୍ରଦେଶ ସରକାର ରାଜୁତି । ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି ଆନ୍ଧ୍ର ସରକାର । ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଥିବା ଆଉ ଏକ ସୀମାନ୍ତ ଗାଁ ଜୁମାଡ଼ାଙ୍ଗକୁ ସମ୍ପୂର୍ଣ୍ଣ କବଜା କରିଛି ଆନ୍ଧ୍ର ।

କିଛି ବର୍ଷ ତଳେ ଚିତ୍ରକୋଣ୍ଡା ବ୍ଲକ୍ ରାଲେଗାଡ଼ା ପଞ୍ଚାୟତରୁ ଅଲଗା ହୋଇ ଧୂଳିପୁଟ୍ ପଞ୍ଚାୟତରେ ମିଶିଥିଲା ଏହି ଗାଁ। ସରକାରୀ ସ୍ତରରେ ଏହି ନିଷ୍ପତ୍ତି ସିନା ହେଲା, କିନ୍ତୁ ବାସ୍ତବରେ ଏ ଗାଁ ସହ କୌଣସି ସମ୍ପର୍କ ରଖିଲାନି ବ୍ଲକ୍ ପ୍ରଶାସନ। ଆଉ ଏପଟେ ଓଡ଼ିଶା ଅବହେଳାର ଫାଇଦା ନେଇ ଜୁମଡାଙ୍ଗ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛି ଆନ୍ଧ୍ର । ପାନୀୟ ଜଳ, ବିଜୁଳି ଆଲୁଅ, ରାସନ କାର୍ଡଠୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ଲୋକଙ୍କ ହାତ ପାଆନ୍ତାରେ ପହଞ୍ଚାଇଛି। ଖାଲି ସେତିକି ନୁହେଁ, ପୂର୍ବରୁ ଓଡ଼ିଶାର ଭୋଟର ଓ ଆଧାର କାର୍ଡ ରଖିଥିବା ଏହି ଲୋକଙ୍କୁ ନୂଆ ପରିଚୟପତ୍ର ଦେଇ ଆନ୍ଧ୍ର ବାସିନ୍ଦା ବୋଲି ପ୍ରମାଣିତ କରାଯାଉଛି।

ତେବେ ଘଟଣା ନେଇ ଅବଗତ ହେବା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଗୋଷ୍ଠୀ ସାମାଜିକ ସଂପ୍ରସାରଣ ଅଧିକାରୀ ଆମର ମାଡକାମୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ବାସ୍ତବ ସ୍ଥିତି ପରଖିବାକୁ ଜୁମାଡାଙ୍ଗ ଗାଁକୁ ଯାଇଥିଲେ ଏବଂ ମାତ୍ର ୬ଟି ପରିବାରକୁ ଛାଡ଼ି ଦେଲେ ବାକି ସବୁ ପରିବାର ଆନ୍ଧ୍ର ଭୋଟ ପରିଚୟ ପତ୍ର ଓ ରାସନ କାର୍ଡ ଥିବା ବିଜୁଳି ଶିକ୍ଷା ପାନୀୟ ଜଳ ସୁବିଧା ମଧ୍ୟ ଆନ୍ଧ୍ର ଯୋଗାଇ ଦେଇଥିବା ଜାଣିବାକୁ ପାଇଛନ୍ତି |
ଜୁମଡାଙ୍ଗ ଗାଁରେ ପୂର୍ବରୁ ଏକ ଅଙ୍ଗନାବଡ଼ି କେନ୍ଦ୍ର ଥିଲା। ହେଲେ ଗଲା କିଛି ବର୍ଷ ହେବ ତା’ ବି ବନ୍ଦ ହୋଇଯାଇଛି। ଓଡ଼ିଶା ପ୍ରଶାସନ ଗାଁରେ ଆଜିଯାଏଁ ସ୍କୁଲଟିଏ କରିବାକୁ ଉଚିତ ମଣିନଥିବାରୁ ସେ ସୁବିଧା ମଧ୍ୟ ଯୋଗାଇ ଦେଇଛି ଆନ୍ଧ୍ର। ଫଳରେ ପିଲାଏ ଓଡ଼ିଆ ହୋଇ ବି ତେଲୁଗୁ ଭାଷାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଜୁମଡାଙ୍ଗ ବାସିନ୍ଦାଙ୍କ ଅଭିଯୋଗ ବର୍ଷ ବର୍ଷ ଧରି ପ୍ରଶାସନର କୌଣସି ଅଧିକାରୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି। ଏପଟେ ପଞ୍ଚାୟତରେ ନିର୍ବାଚନ ହୋଇନଥିବାରୁ ପଞ୍ଚାୟତ ପ୍ରତିନିଧି ବି ନାହାନ୍ତି। ତେଣୁ ଆନ୍ଧ୍ର ସହଯୋଗ ଗ୍ରହଣ କରିବା ବ୍ୟତୀତ ସେମାନଙ୍କ ନିକଟରେ କିଛି ବିକଳ୍ପ ନାହିଁ ବୋଲି ଏହି ପ୍ରତିନିଧି ଦଳ ନିକଟରେ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଥିଲେ । ତେଵେ ଏହି ତଦନ୍ତକାରୀ ଦଳ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବା ପରେ ଏହି ଅଞ୍ଚଳ ର ବିକାଶ କାର୍ଯ୍ୟ କୁ ତ୍ୱରାନିତ କରାଯିବ ବୋଲି ଜଣାପଡିଛି |
୪୫ ସୁନା ଗହଣା ଦୋକାନ ଉପରେ ଚଢ଼ାଉ, ତଣ୍ଡ ଗଣିଲେ ୩ ଲକ୍ଷ ୭୭ ହଜାର
ଭୁବନେଶ୍ୱର: ମୁଣ୍ଡ ଉପରେ ବିବାହ ଚିନ୍ତା? ସୁନା ଦାମ ମନକୁ ପାଉନି? ହେଲେ କିଣିବାକୁ ବାଧ୍ୟ? ହଲମାର୍କ ସୁନା ନ କିଣିଲେ ଲଜ୍ଜା ଲାଗିବାର ଭୟ? ସାବାଧାନ! ଦାମୀ ସୁନା ବି ଛାତି ଧଡ଼କାଇପାରେ । କାହିଁକି ନା’ ନାମୀଦାମୀ ସୁନା ଦୋକନୀ ବି ଗ୍ରାହକଙ୍କୁ ଠକୁଛନ୍ତି । ନାମ ବଡା ଦର୍ଶନ ଛୋଟା! ଏହି ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଠକ ଦୋକାନୀଙ୍କ ତାଲିକାରେ ବ୍ରାଣ୍ଡେଡ୍ ଜୁଏଲର୍ସ । ଗତ ବିଧାନସଭା ଶୀତାକଳୀନ ଅଧିବେଶନରେ ଠକ ଦୋକାନୀଙ୍କ ଯେଉଁ ତାଲିକା ଗୃହରେ ରଖିଥିଲେ ବିଭାଗୀୟ ମନ୍ତ୍ରୀ, ସେଥିରେ ଭୁବନେଶ୍ୱର ଓ ବ୍ରହ୍ମପୁରର କୌଣସି ଦୋକାନର ନାଁ ନଥିଲା । ହେଲେ ନଭେମ୍ବର ୨୨ରୁ ୨୫ ତାରିଖ ଭତରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ଯେଉଁ ଚଢାଉ କରିଥିଲା ଖାଉଟି କଲ୍ୟାଣ ବିଭାଗ, ସେଥିରେ ଭୁବନେଶ୍ୱର ବ୍ରହ୍ମପୁରର ଏପରି ସୁନା ଦୋକାନର ଠକାମୀ ପଦାରେ ପଡ଼ିଲା ଯେ ସୁନା ଦୋକାନୀ ଉପରୁ ଭରସା ଚାଲିଯିବ!

ସୁନାଗହଣାରେ ବୈଧମାପରେ ତ୍ରୁଟି କରିଥିବା ହାଇପ୍ରୋଫାଇଲ ଦୋକାନୀଙ୍କ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏକ ନମ୍ବର ସ୍ମାଟ ସିଟି ଭୁବନେଶ୍ୱରରୁ ଠକ ଦୋକାନୀ ତାଲିକାରେଥିବା କିଛି ବଡ ନାଁ ଉପରେ ନଜର ପକାଇବା । ସାରା ରାଜ୍ୟରେ ସୁନାଗହଣା ବ୍ୟବସାୟରେ ଖ୍ୟାତି ଅର୍ଜନ କରିଥିବା ଭୁବନେଶ୍ୱରର ଲାଲଚାନ୍ଦ ଜୁଏଲର୍ସ ପ୍ରାଇଭେଟ ଲିମିଟେଡ୍- ଷ୍ଟେସନ ବଜାର, କଲ୍ୟାଣୀ ଜୁଏଲର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍-ସହିଦନଗର, ଖେମଜି ଜୁଏଲର୍ସ-ସହିଦନଗର, ତନିସ୍କ-ଚନ୍ଦ୍ରଶେଖରପୁର, ରିଲିୟାନ୍ସ-ଚନ୍ଦ୍ରଶେଖରପୁର, ସେନକୋ ଗୋଲଡ ଟେକ୍, ମାଷ୍ଟରକ୍ୟାଣ୍ଟିନ୍, ମେସର୍ସ ହଲ୍ମାର୍କ, ଚନ୍ଦ୍ରଶେଖରପୁର, କଟକର ଇପାରି ଗୋବିନ୍ଦ ଆଣ୍ଡ ସନ୍ସ, ନିମ୍ଚୌଡ଼ି, ଜ୍ୟୋତ୍ସା ଅଳଙ୍କାର ଭଣ୍ଡାର, ଜେଲ୍ରୋଡ୍, ଅନିତା ଜୁଏଲର୍ସ, ନିମଚୌଡ଼ି ସମେତ ୨୭ଟି ସୁନାଗହଣା ଦୋକାନରୁ ଜରିମାନା ଆଦାୟ କରାଯାଇଥିବାବେଳେ ସମ୍ୱଲପୁର ନ୍ୟୁଉ ପାୟଲ୍ ଜୁଏଲର୍ସ ଏବଂ ବ୍ରହ୍ମପୁରର କେଶବ ଜୁଏଲର୍ସ, ବଡ଼ବଜାରକୁ କମ୍ପାଉଣ୍ଡିଂ ନୋଟିସ ଜାରି କରାଯାଇଛି ।

ଛୋଟ ହେଉ କି ବଡ ଦୋକାନୀ, ସରକାରୀ ଛାଟରୁ କାହାକୁ ନିସ୍ତାର ନାହିଁ । ସବୁ ସୁନା ଦୋକାନର ରେଜିଷ୍ଟ୍ରେସନ୍କୁ ବାଧ୍ୟତାମୂଳକ କରାଯିବ। ଯାହା ସୁନା ଦୋକାନୀଙ୍କ ଟେନସନ୍ ବଢାଇବା ପାଇଁ ଯଥେଷ୍ଟ । କାରଣ ସମସ୍ତ ମାନଦଣ୍ଡକୁ ଠିକ୍ ଭାବେ ପାରି ହେବା ସେତେଟା ସହଜ ନୁହେଁ । ୧୨, ୧୪ ଓ ୨୨ କ୍ୟାରେଟ୍ର ସୁନା ବିକ୍ରି କଲେ, ଦାମ ପ୍ରଦର୍ଶିନ ହେବ ବାଧ୍ୟତାମୂଳକ । ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅନୁଯାୟୀ ହଲ୍ମାର୍କ ସୁନା ରଖିବାର କଡା ନିୟମ ପାଳନ କରିବା କରିବାକୁ ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଗତ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ମୋଟ ୪୫ଟି ଦୋକାନ ଉପରେ ଚଢ଼ାଉ ହୋଇଥିବା ବେଳେ ୨୯ଟି ଦୋକାନ ଏବଂ ପ୍ରତିଷ୍ଠାନରୁ ୩ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଖୁବ୍ଶୀଘ୍ର ସୁନା ଦୋକାନୀଙ୍କୁ ନୋଟିସ୍ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।
ହାରିଗଲେ ହରିଭାଇ
ଓଡିଶା ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ।
କ୍ୟାନ୍ସର ସହ ଲଢ଼ି ଲଢ଼ି ଶେଷରେ ହାରିଯାଇଛନ୍ତି ଓଡ଼ିଶାର ପ୍ରସିଦ୍ଧ ତାବଲାବାଦକ ତଥା ସଂଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରାଧାକାନ୍ତ ନନ୍ଦ । ସେ ହରି ଭାଇ ନାଁରେ ସାରା ଓଡ଼ିଶାରେ ସୁପରିଚିତ ଥିଲେ । ଦୀର୍ଘଦିନ ଧରି କର୍କଟ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ ଆଉ ଆଜି ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ପରଲୋକ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ସାରା ଓଡିଶାର ସଂଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।ତାଙ୍କ ବିୟୋଗରେ ବହୁ ବିଶିଷ୍ଚ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ବହୁମତ ପରୀକ୍ଷାରେ ଉଦ୍ଧବ ପାସ୍, ଜାଣନ୍ତୁ କେତେ ମିଳିଲା ଭୋଟ୍ …
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ବହୁମତ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଗୁରୁବାର ଶିବାଜୀ ପାର୍କରେ ସମ୍ବିଧାନର ଶପଥ ନେଇଥିବା ଉଦ୍ଧବ ଆଜି ବିଧାନସଭାର ଲିଟ୍ମସ୍ ଟେଷ୍ଟରେ ପାସ୍ କରିଛନ୍ତି । ମେଣ୍ଟ ସରକାର ସପକ୍ଷରେ ପଡ଼ିଛି ୧୬୯ ଭୋଟ୍ । ଯାହା ମହାରାଷ୍ଟ୍ର ବିଧାନସଭାର ୧୪୫ ମ୍ୟାଜିକ ନମ୍ବରଠାରୁ ଢେର ଅଧିକ ।
ଚଳିତ ନିର୍ବାଚନରେ ଶିବସେନାକୁ ୫୬ଟି ସିଟ୍ ମିଳିଥିବା ବେଳେ ଏନସିପି ପାଇଥିଲା ୫୪ଟି ଆସନ ଏଥିସହ କଂଗ୍ରେସ ହାତକୁ ଯାଇଥିଲା ୪୪ ସିଟ୍ । ତିନି ଦଳ ମିଶି ମ୍ୟାଜିକ ନମ୍ବର ହାସଲ କରୁଥିଲେ ମଧ୍ୟ ମହାମେଣ୍ଟକୁ ମିଳିଛି ଅନ୍ୟମାନଙ୍କ ସମର୍ଥନ । ଶିବସେନାର ଅନ୍ୟ ସହଯୋଗୀ ଛୋଟ ଦଳମାନଙ୍କ ସମେତ ସମାଜବାଦୀ ପାର୍ଟି, ବହୁଜନ ବିକାଶ ଅଘାଡ଼ି ଓ ସ୍ବାଭିମାନୀ ସେବାକାରୀ ସଂଗଠନ ବି ମେଣ୍ଟ ସପକ୍ଷରେ ଭୋଟ ଦେଇଛନ୍ତି । କିନ୍ତୁ ଭୋଟ ଦାନରୁ ବିରତ ରହିଛନ୍ତି ସିପିଆଇଏମ୍, ଏମଏନଏସ୍ ଓ ଏଆଇଏମ୍ଆଇଏମ୍ର ମୋଟ ୪ ବିଧାୟକ । ଏଭଳି ଭାବେ ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି ଉଦ୍ଧବ ଠାକରେ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସରକାର ବିପକ୍ଷରେ କୌଣସି ବି ଭୋଟ୍ ଯାଇନି । ଆଜି ବିଧାନସଭା ପହଁଚିବା ପରେ ଗୃହରେ ଉଦ୍ଧବ ଠାକରେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ପରସ୍ପରକୁ ଆଲିଙ୍ଗନ କରିଥିଲେ । ତାପରେ ନିଜ ସିଟ୍ରେ ବସିଥିଲେ ଉଦ୍ଧବ । ଗୃହରେ ଆଲୋଚନା ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକମାନେ ହୋହାଲ୍ଲା କରି କକ୍ଷତ୍ୟାଗ କରିଥିଲେ । ବନ୍ଦେ ମାତରମ୍ରୁ ଗୃହ କାହିଁକି ଆରମ୍ଭ ହେବନି କହି ଆପତ୍ତି ଉଠାଇଥିଲେ ଫଡ଼ନବିସ୍ ।
ଏଥିସହ ଶପଥ ଗ୍ରହଣ ପର୍ବରେ ପରମ୍ପରା ଉଲଙ୍ଘନର ଅଭିଯୋଗ ଆଣିଥିଲେ । ପରେ ଅସ୍ଥାୟୀ ବାଚସ୍ପତିଙ୍କ ଉକ୍ତିରେ ଅସନ୍ତୁଷ୍ଟ ହୋଇ ଗୃହ ଛାଡ଼ିଥିଲେ। ଏବେ ସମସ୍ତଙ୍କ ଅପେକ୍ଷା ‘ହାତ’ରେ ‘ଘଡ଼ି’ ପିନ୍ଧି କଣ ଉଦ୍ଧବ ଆଣିପାରିବେ ମହାରାଷ୍ଟ୍ର ପାଇଁ ଅଚ୍ଛେଦିନ୍ ?
ରାଜ୍ୟରେ ନିବେଶ ହେବ ୮,୯୩୮ କୋଟି ଟଙ୍କା । ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ୫ଟିର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ବର୍ଷିକିଆ କାଉଣ୍ଟ ଡାଉନ୍ । ୨୦୨୦ ନଭେମ୍ୱର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ ବୋଲି ବୋଲି ଶିଳ୍ପ ବିଭାଗ ସୂଚନା ଦେଇଛି ।

ଆଜି ଲୋକସେବା ଭବନରେ ୨୭ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫେରେନ୍ସି ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏ ପ୍ରକଳ୍ପର ମୂଲ୍ୟ ରହିଛି ୮ ହଜାର ୯୩୮ କୋଟି ଟଙ୍କା ।

ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨ ହଜାର ୧୪୨ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ତିନୋଟି ପ୍ରମୁଖ ପୁଞ୍ଜିନିବେଶ ରାଜ୍ୟ ମଧ୍ୟରେ ଓଡ଼ିଶା ନିଜକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନର ପୁଞ୍ଜିନିବେଶକୁ ଦେଖିଲେ ଏହା ସ୍ପଷ୍ଟ ବାରିହୋଇପଡୁଛି । ୨୦୧୯ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶର ୧୮ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି । ଏ ସବୁ ପ୍ରକଳ୍ପକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଫୋକସ୍ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସବୁ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟରେ ଶିଳ୍ପ ବିକାଶ ପାଇଁ ସରକାର ଆପଣାଉଥିବା ପଦ୍ଧତିକୁ ସମସ୍ତେ ଦେଖିସାରିଲେଣି ।

ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଏକ ଓ୍ୱେବସାଇଟକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।






