ବହୁମତ ପରୀକ୍ଷାରେ ଉଦ୍ଧବ ପାସ୍‌, ଜାଣନ୍ତୁ କେତେ ମିଳିଲା ଭୋଟ୍‌ …

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ବହୁମତ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଗୁରୁବାର ଶିବାଜୀ ପାର୍କରେ ସମ୍ବିଧାନର ଶପଥ ନେଇଥିବା ଉଦ୍ଧବ ଆଜି ବିଧାନସଭାର ଲିଟ୍‌ମସ୍ ଟେଷ୍ଟରେ ପାସ୍ କରିଛନ୍ତି । ମେଣ୍ଟ ସରକାର ସପକ୍ଷରେ ପଡ଼ିଛି ୧୬୯ ଭୋଟ୍‌ । ଯାହା ମହାରାଷ୍ଟ୍ର ବିଧାନସଭାର ୧୪୫ ମ୍ୟାଜିକ ନମ୍ବରଠାରୁ ଢେର ଅଧିକ ।

ଚଳିତ ନିର୍ବାଚନରେ ଶିବସେନାକୁ ୫୬ଟି ସିଟ୍‌ ମିଳିଥିବା ବେଳେ ଏନସିପି ପାଇଥିଲା ୫୪ଟି ଆସନ ଏଥିସହ କଂଗ୍ରେସ ହାତକୁ ଯାଇଥିଲା ୪୪ ସିଟ୍‌ । ତିନି ଦଳ ମିଶି ମ୍ୟାଜିକ ନମ୍ବର ହାସଲ କରୁଥିଲେ ମଧ୍ୟ ମହାମେଣ୍ଟକୁ ମିଳିଛି ଅନ୍ୟମାନଙ୍କ ସମର୍ଥନ । ଶିବସେନାର ଅନ୍ୟ ସହଯୋଗୀ ଛୋଟ ଦଳମାନଙ୍କ ସମେତ ସମାଜବାଦୀ ପାର୍ଟି, ବହୁଜନ ବିକାଶ ଅଘାଡ଼ି ଓ ସ୍ବାଭିମାନୀ ସେବାକାରୀ ସଂଗଠନ ବି ମେଣ୍ଟ ସପକ୍ଷରେ ଭୋଟ ଦେଇଛନ୍ତି । କିନ୍ତୁ ଭୋଟ ଦାନରୁ ବିରତ ରହିଛନ୍ତି ସିପିଆଇଏମ୍‌, ଏମଏନଏସ୍ ଓ ଏଆଇଏମ୍‌ଆଇଏମ୍‌ର ମୋଟ ୪ ବିଧାୟକ । ଏଭଳି ଭାବେ ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି ଉଦ୍ଧବ ଠାକରେ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସରକାର ବିପକ୍ଷରେ କୌଣସି ବି ଭୋଟ୍‌ ଯାଇନି । ଆଜି ବିଧାନସଭା ପହଁଚିବା ପରେ ଗୃହରେ ଉଦ୍ଧବ ଠାକରେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ପରସ୍ପରକୁ ଆଲିଙ୍ଗନ କରିଥିଲେ । ତାପରେ ନିଜ ସିଟ୍‌ରେ ବସିଥିଲେ ଉଦ୍ଧବ । ଗୃହରେ ଆଲୋଚନା ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକମାନେ ହୋହାଲ୍ଲା କରି କକ୍ଷତ୍ୟାଗ କରିଥିଲେ । ବନ୍ଦେ ମାତରମ୍‌ରୁ ଗୃହ କାହିଁକି ଆରମ୍ଭ ହେବନି କହି ଆପତ୍ତି ଉଠାଇଥିଲେ ଫଡ଼ନବିସ୍ ।

ଏଥିସହ ଶପଥ ଗ୍ରହଣ ପର୍ବରେ ପରମ୍ପରା ଉଲଙ୍ଘନର ଅଭିଯୋଗ ଆଣିଥିଲେ । ପରେ ଅସ୍ଥାୟୀ ବାଚସ୍ପତିଙ୍କ ଉକ୍ତିରେ ଅସନ୍ତୁଷ୍ଟ ହୋଇ ଗୃହ ଛାଡ଼ିଥିଲେ। ଏବେ ସମସ୍ତଙ୍କ ଅପେକ୍ଷା ‘ହାତ’ରେ ‘ଘଡ଼ି’ ପିନ୍ଧି କଣ ଉଦ୍ଧବ ଆଣିପାରିବେ ମହାରାଷ୍ଟ୍ର ପାଇଁ ଅଚ୍ଛେଦିନ୍‌ ?

Leave a Reply