ନନ୍ଦିଘୋଷ ବ୍ୟୁରୋ : ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ । ସହରରେ ମୁତୟନ ହୋଇଛନ୍ତି ୨୦୦୦ ନ୍ୟାସନାଲ ଗାର୍ଡ ବାହିନୀ । ସହରରେ ଇମିଗ୍ରେସନ ରେଡ ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ହୋଇଛି ପ୍ରତିବାଦ ଆନ୍ଦୋଳନ । ଗତ ଶୁକ୍ରବାରଠାରୁ ସହରରେ ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଉତ୍ତେଜନା ରୋକିବା ଲାଗି ଦମନ ପ୍ରକ୍ରିୟା ଜାରି ରହିଛି । କେତେକ ସ୍ଥାନରେ ହିଂସାକାଣ୍ଡ ବି ଦେଖିବାକୁ ମିଳିଛି । କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନିଉଜକମ ଓ ଲସ ଆଞ୍ଜେଲସ ମେୟର କାରେନ ବାସଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଏହି ଘଟଣାକୁ ପ୍ରାୟ ୫୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଉତ୍ତେଜନା ପ୍ରଶମିତ କରିବା ଲାଗି ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି ବର୍ଡର ପାଟ୍ରୋଲ ବାହିନୀ । ଆନ୍ଦୋଳନକାରୀମାନେ ମାସ୍କ ପିନ୍ଧି ପ୍ରତିବାଦ କରୁଥିବା ଦେଖାଯାଉଛି । ଗତ ଶୁକ୍ରବାରଠାରୁ ଲସ ଆଞ୍ଜେଲସରେ ଇମିଗ୍ରେସନ ରେଡ ଜାରି ରହିଛି । ଏହି ରେଡରେ ୪୪ ଜଣଙ୍କୁ ଗିରଫ କରାଯାଇଛି । ଏହି ରେଡକୁ ବିରୋଧ କରି ପ୍ରାୟ ଏକ ହଜାର ଲୋକ ରାସ୍ତା ଉପରକୁ ଆସିଛନ୍ତି । ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ପୋଡାଜଳା କରିଛନ୍ତି । ଡିପୋର୍ଟେସନ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯାଇଥିବାବେଳେ ବିନା ନଥିପତ୍ରରେ ରହୁଥିବା ବିଦେଶୀଙ୍କୁ ବାହାର କରିବା ଲାଗି ଜୋରଦାର ଅଭିଯାନ ଆରମ୍ଭ ହୋଇଛି । ଆନ୍ଦୋଳନକୁ ନିନ୍ଦା କରିଛନ୍ତି ହ୍ବାଇଟ ହାଉସ ଡେପୁଟି ଚିଫ ଅଫ ଷ୍ଟାଫ ଷ୍ଟିଫେନ ମିଲର । ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନଫୋର୍ସମେଣ୍ଟ ବା ICE ବିରୋଧରେ ହେଉଥିବା ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ । ଦମନ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଛି ଏଫବିଆଇ ।
କମ୍ବିଂ ଅପେରସନକୁ ଜୋରଦାର, ଡ୍ରୋନ କ୍ୟାମେରା ସହାୟତାରେ ଚାଲିଛି ଅପରେସନ
ସମ୍ବଲପୁର : ସମ୍ବଲପୁର ସୁବର୍ଣ୍ଣପୁର ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସନ୍ଦେହ । ସମ୍ବଲପୁର ଜିଲ୍ଲାର ଚାରମାଲ ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳରେ ମାଓବାଦୀ ଗତିବିଧି ଦେଖା ଦେଇଥିବା ଜଣାପଡ଼ିଛି। ମାଓବାଦୀ ଗତିବିଧି ପରେ କମ୍ବିଂ ଅପେରସନକୁ ଜୋରଦାର କରାଯାଇଛି। ଡ୍ରୋନ କ୍ୟାମେରା ସହାୟତାରେ ଅର୍ଦ୍ଧ ସାମରିକ ବାହିନୀ, DVF ଓ ଏସଓଜି ଯବାନଙ୍କୁ ନେଇ ଚାଲିଛି ଅପରେସନ। ଛତିଶଗଡରେ ଜୋରଦାର ଅପରେସନ ପରେ ୧୦୦ରୁ ଅଧିକ ମାଓବାଦୀ ଏ ଅଞ୍ଚଳକୁ ଆସିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଯୁଯୁମୁରା ମେଘପାଳ ଆଦି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିଲା। ପୂର୍ବରୁ MCC ମାଓ କମ୍ୟୁନିଷ୍ଟ ସେଣ୍ଟର୍ ଓ ପରେ ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ହେଉଛି ସିପିଆଇ ମାଓବାଦୀଙ୍କର ରେଡ୍ କରିଡର ଅଞ୍ଚଳ। ଆନ୍ଧ୍ର ପଟରୁ ସୋନପୁର ସମ୍ବଲପୁର ଦେଓଗଡ଼ ସୁନ୍ଦରଗଡ଼ ଦେଇ ଝାଡ଼ଖଣ୍ଡକୁ ସଂଯୋଗ କରୁଛି ଲହି ରେଡ୍ କରିଡର।
ମହିଳାଙ୍କୁ ଦୁଇ ସମ୍ପର୍କୀୟ ଭାଇଙ୍କ ଦୁଷ୍କର୍ମ ଅଭିଯୋଗ
ଆନନ୍ଦପୁର : ମହିଳାଙ୍କୁ ଦୁଇ ସମ୍ପର୍କୀୟ ଭାଇଙ୍କ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ । ମହିଳାଙ୍କୁ ଏକାକୀ ପାଇ ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ ପୀଡିତା ମହିଳା । ଏହି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଅଟକ ଦୁଇ ଭାଇ ହେଲେ ଦୁର୍ଯ୍ୟଧନ ମଲ୍ଲିକଙ୍କ ପୁଅ ବ୍ରହ୍ମେଶ୍ବର ଓ ଅରୁଣ ମଲ୍ଲିକଙ୍କ ପୁଅ ବବୁଲୁ ।
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଇସ୍ତଫା ଦେଲେ ୟୁଟ୍ୟୁବର ମନୀଷ କଶ୍ୟପ
ପାଟନା : ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ୟୁଟ୍ୟୁବର ବା ବିଜେପି ନେତା ମନୀଷ କଶ୍ୟପ ଦଳରୁ ଇସ୍ତଫା ଦେଇଛନ୍ତି। କଶ୍ୟପ ଫେସବୁକରେ ଲାଇଭ୍ ହୋଇ ଇସ୍ତଫା ଘୋଷଣା କରିଥିଲେ। କଶ୍ୟପ ୨୫ ଏପ୍ରିଲ ୨୦୨୪ରେ ଦଳରେ ଯୋଗ ଦେଇଥିଲେ। ସେ କହିଛନ୍ତି, ମୁଁ ମୋ ଗାଁକୁ ଯାଇ ସେଠାକାର ଲୋକଙ୍କ ସହ କଥା ହୋଇଥିଲି, ତା’ପରେ ମୁଁ ଏହି ନିଷ୍ପତ୍ତି ନେଇଛି। ମୋତେ ବିହାର ଓ ବିହାରୀମାନଙ୍କ ପାଇଁ ଲଢ଼ିବାକୁ ପଡିବ।
ମନୀଷ କଶ୍ୟପ ଆହୁରି କହିଛନ୍ତି, ମୁଁ ଭାବୁଛି ଯେ ଦଳରେ ରହି ମୁଁ ଲୋକଙ୍କ ସ୍ୱର ଉଠାଇପାରିବି ନାହିଁ। ଏପରି ପରିସ୍ଥିତିରେ ମୁଁ ଏହି ନିଷ୍ପତ୍ତି ନେଇଛି। ମୁଁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲି। କଶ୍ୟପ କହିଥିଲେ ଯେ ମୁଁ ଏକ ପ୍ଲାଟଫର୍ମ ଖୋଜୁଛି। ଆପଣମାନେ ମୋତେ କୁହନ୍ତୁ ଯେ ମୁଁ ମୋର ନିଜର ଦଳ ଗଠନ କରିବି କି ନାହିଁ ? କିନ୍ତୁ, ମୁଁ ଏପରି ସ୍ଥିତିରେ ଅଛି । ମୁଁ କେଉଁ ଦଳରୁ ନିର୍ବାଚନ ଲଢ଼ିବି, ଏକା ନା ଆଉ କାହା ସହିତ? ଏହି ସମୟରେ ମନୀଷ ବିଜେପି ନେତାଙ୍କ ନାମ ନ ନେଇ ସେମାନଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଏଠାରେ ରହିବା ଅର୍ଥ ହେଉଛି ଦୁର୍ନୀତି ଦେଖିବା ପରେ ମଧ୍ୟ ଆଖି ବନ୍ଦ କରି ରଖିବା। ମୁଁ ବିହାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଠିଆ ହୋଇଛି। ମୋର ଲଢ଼େଇ ହେଉଛି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବା।
ନିକଟରେ ପିଏମସିଏରେ ମନୀଷଙ୍କୁ ମାଡ଼ ମରାଯାଇଥିଲା। ଏହା ପରେ କୌଣସି ବିଜେପି ନେତା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ନଥିଲେ। ଏଥିରେ କ୍ଷୁବ୍ଧ ହୋଇ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।
ମନୀଷ କଶ୍ୟପ ୨୮ ମାର୍ଚ୍ଚରେ ଲାଇଭ୍ ଆସି ଇସ୍ତଫା ଦେବେ ବୋଲି କହିଥିଲେ। ଗୁରୁବାର ରାତିରେ ସେ କହିଥିଲେ ଯେ ପୋଲିସ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଏଫଆଇଆର୍ ରୁଜୁ କରିଛି। ମୁଁ ଶୁକ୍ରବାର ବିଜେପିରୁ ଇସ୍ତଫା ଦେବି। ଏହି ଘୋଷଣା କରିବାର ମାତ୍ର ୨୦ ଘଣ୍ଟା ପରେ ସେ ୟୁ-ଟର୍ଣ୍ଣ ନେଇଥିଲେ।
ବିଦ୍ୟୁତ୍ ଚୋରି ମାମଲାରେ ଏସପି ସାଂସଦ ଜିଆଉର ରହମାନ ବାର୍କଙ୍କୁ ଆଶ୍ୱସ୍ତି
ନନ୍ଦିଘୋଷ ବ୍ୟୁରୋ : ବିଦ୍ୟୁତ୍ ଚୋରି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏସପି ସାଂସଦ ଜିଆଉର ରହମାନ ବାର୍କଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏ ସମ୍ପର୍କରେ ଏସପି ସାଂସଦଙ୍କ ଏକ ବୟାନ ଆସିଛି। ସେ ବିଦ୍ୟୁତ ବିଭାଗ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କେବଳ ମୁଁ ନୁହେଁ ବରଂ ସମ୍ଭଲର ଅଧିକାଂଶ ଲୋକଙ୍କୁ ବିଦ୍ୟୁତ ବିଭାଗ ହଇରାଣ କରାଯାଉଛି।
ଏସପି ସାଂସଦଙ୍କ ଉପରେ ବିଦ୍ୟୁତ୍ ଚୋରି ଅଭିଯୋଗ ହୋଇଥିଲା। ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ସାଂସଦଙ୍କ ଉପରେ ୧.୯୧ କୋଟି ଟଙ୍କା ଜରିମାନା ଲଗାଇଥିଲେ। କୋର୍ଟ ଶନିବାର ତୁରନ୍ତ ଜରିମାନା ଉପରେ ସ୍ଥଗିତ ରଖିଥିଲେ ଓ ତାଙ୍କ ଘରର ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକୁ ବଜାୟ ରଖିବା ପାଇଁ କୋର୍ଟ ସାଂସଦଙ୍କୁ ୬ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାଂସଦ ବିଦ୍ୟୁତ୍ ଅଧିକାରୀମାନଙ୍କୁ ଟାର୍ଗେଟ କରି କହିଛନ୍ତି, ଯେଉଁ ଅଧିକାରୀମାନେ ମୋ ଉପରେ ବିଦ୍ୟୁତ୍ ଚୋରି କରିବାର ଅଭିଯୋଗ ଆଣିଛନ୍ତି ସେମାନେ ପ୍ରଥମେ ନିଜ ବିବେକ ଭିତରକୁ ଚାହିଁ ଦେଖନ୍ତୁ ।, ମୁଁ ଜାଣିନାହିଁ ଯେ ଅଧିକାରୀମାନେ କାହାର ଚାପରେ କାମ କରୁଛନ୍ତି। କିନ୍ତୁ ଅଧିକାରୀମାନେ ମୋ ପ୍ରତି ଯାହା କଲେ ତାହା ବହୁତ ଭୁଲ କଲେ। କେବଳ ମୁଁ ନୁହେଁ ବରଂ ସମଗ୍ର ସମ୍ଭଲ ଅତ୍ୟାଚାର ଓ ନିର୍ଯାତନାର ସମ୍ମୁଖୀନ ହେଉଛି। ଆମକୁ ମାନସିକ ଭାବରେ ହଇରାଣ କରାଯାଉଛି। ଗତ ୬ ମାସ ହେଲା ମୋ ଘରେ ବିଦ୍ୟୁତ ନାହିଁ। ମୁଁ ମୋର ସମସ୍ତ କାମ ବହୁତ ସଚ୍ଚୋଟତାର ସହିତ କରେ। ମୋ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ଏହା ସତ୍ତ୍ୱେ, ମୋ ଉପରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ସାଂସଦ କୋର୍ଟରେ ଆଶା ପ୍ରକାଶ କରି କହିଥିଲେ ଯେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୁଁ ନିଶ୍ଚିତ ଭାବରେ ନ୍ୟାୟ ପାଇବି ଓ ଏହି ଆଶା ନେଇ ମୁଁ କୋର୍ଟକୁ ଯାଇଥିଲି।
ଦିଲ୍ଲୀ ନେହେରୁ ବିହାରରେ ସୁଟକେସରୁ ମିଳିଲା ନାବାଳିକାର ମୃତଦେହ
ଦିଲ୍ଲୀ : ଦିଲ୍ଲୀର ନେହେରୁ ବିହାରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି। ଝିଅଟିର ମୁହଁରେ ଅନେକ ଆଘାତ ଚିହ୍ନ ରହିଛି । ପୋଲିସ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରିଛି। ଅଧିକାରୀଙ୍କ ଅନୁଯାୟୀ, ପ୍ରାଥମିକ ତଦନ୍ତରେ ପୋଲିସ ଯୌନ ନିର୍ଯାତନା ସନ୍ଦେହ କରୁଛି
ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଅନୁସାରେ ଜୁନ୍ ୭ ତାରିଖ ରାତି ୮ ଟା ୪୧ ମିନିଟରେ ଏକ ପିସିଆର୍ କଲ୍ ଆସିଥିଲା, ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ନେହେରୁ ବିହାରରେ ଏକ ସୁଟକେସ୍ ଭିତରେ ଜଣେ ନାବାଳିକା ଝିଅ ମିଳିଛି। ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଝିଅର ବାପା ତାଙ୍କୁ ଜେପିସି ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଝିଅର ବୟସ ପ୍ରାୟ ୯ ବର୍ଷ। ଡାକ୍ତରମାନେ କହିଛନ୍ତି ଯେ ଝିଅର ମୁହଁରେ ଅନେକ ଆଘାତ ଚିହ୍ନ ଅଛି। ଏହି ସମୟ ମଧ୍ୟରେ ଡାକ୍ତରମାନେ ଝିଅ ଉପରେ ଯୌନ ନିର୍ଯାତନା ସନ୍ଦେହ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଝିଅଟିର ବାପା ନେହେରୁ ବିହାରର ଲେନ୍ ନମ୍ବର ୨ରେ ଥିବା ଦୟାଲପୁରରେ ଏକ ସୁଟକେସ୍ ଭିତରେ ଝିଅଟିକୁ ଅଚେତ ଅବସ୍ଥାରେ ପାଇଥିଲେ। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତ ଝିଅଟିର ମୃତଦେହକୁ ଏକ ବ୍ରିଫକେସରେ ଲୁଚାଇ ରଖି କୌଣସି ସ୍ଥାନରେ ଫିଙ୍ଗି ଦେବାକୁ ଚେଷ୍ଟା କରୁଥିଲା, କିନ୍ତୁ ସ୍ଥାନୀୟ ଲୋକମାନେ ପୋଲିସକୁ ଡାକିଥିଲେ । ଯାହା ପରେ ଅଭିଯୁକ୍ତ ଖସି ପଳାଇଗଲା। ବର୍ତ୍ତମାନ, ଏଫଏସଏଲ ଦଳ ଘଟଣାସ୍ଥଳ ଯାଞ୍ଚ କରୁଛି । ପୋଲିସ ପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ପୋଲିସ ଦୟାଲପୁର ଥାନାରେ ବିଏନଏସ ଓ ୬ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଜନପ୍ରତିବାଦ
ଭୁବନେଶ୍ୱର : ଭୁବନେଶ୍ୱର ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଅଳିଆଗଦା ହଟାଅ ଓ଼ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଜନପ୍ରତିବାଦ। ପ୍ଲାଣ୍ଟ ଭିତରକୁ ଡମ୍ପିଙ୍ଗ ପାଇଁ ସମସ୍ତ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ହେବା ସହିତ ସେହି ରାସ୍ତାରେ ଯାତାୟାତ ବନ୍ଦ କରିଛି ଅଭିଯାନ। ଦୈନିକ ୩୫୦ ମେଟ୍ରିକ ଟନ ଶୁଖିଲା ଓ ଓଦା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି । ସେଥିପାଇଁ ସେହି ଅଞ୍ଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଞ୍ଚିବା ଦୁର୍ବିସହ ହୋଇ ପଡିଛି । ଯଦି ଦୈନିକ ୧୫୦ ଟନ ଶୁଖିଲା ଅଳିଆ ପଳାଶୁଣୀରେ ପ୍ରୋସେସିଂ ହେବ, ତେବେ ଗାଡ଼କଣରୁ ଅଳିଆ କମିଯିବ । ସେପଟେ ବିଏମସିର ପୂର୍ବ ପ୍ରତିଶୃତି ଅନୁଯାଇ ଗାଡ଼କଣରେ ପୂର୍ବରୁ ଗଦା ହୋଇ ରହିଥିବା ସବୁ ଅଳିଆ ସଫା ହୋଇଯିବା କଥା । ଏବେ ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧରେ ରହି ହେଉନି। ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ। ତେଣୁ ଯଥାଶୀଘ୍ର ଏଠାରୁ ଅଳିଆ ଗଦା ହଟାଇବାକୁ ଦାବି କରିଛି ଅଭିଯାନ।
କୋଳନରା ବ୍ଲକ୍ ବିନିସପୁର ଗାଁରେ ଅଜଣା ରୋଗର ଆତଙ୍କ !
ରାୟଗଡା : ରାୟଗଡା ଜିଲ୍ଲା କୋଳନରା ବ୍ଲକ୍ ବିନିସପୁର ଗାଁରେ ଅଜଣା ରୋଗର ଆତଙ୍କ। ଜ୍ଵର ସାଙ୍ଗକୁ ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ଼ ଝିମା ସହ ଦୁର୍ବଳ ଅନୁଭବ କରୁଛନ୍ତି ରୋଗୀ । ଗତ କିଛିଦିନ ହେଲା ଗାଁରେ ଜଣକ ପରେ ଜଣଙ୍କୁ ଜ୍ବର ହେବାରେ ଲାଗିଛି । ଗାଁରେ ୮୦ ପରିବାର ବସବାସ କରୁଥିବା ବେଳେ ପ୍ରତ୍ୟେକ ଘରେ ଦୁଇରୁ ତିନି ଜଣ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ସେ ମଧ୍ୟରୁ ପ୍ରାୟ ୧୫ ରୁ ୨୦ ଜଣ ଶିଶୁ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ଏବେ ବି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମେଡିକାଲ ଟିମ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସଚେତନ କରୁଛନ୍ତି । ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ରୋଗର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।
ହନ୍ତସନ୍ତ କରୁଛି ଗରମ ସାଙ୍ଗକୁ ଗୁଳିଗୁଳି, ଆସନ୍ତା ୭ ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ବର : କଲବଲ କରୁଛି ତାତି । ଦିନରେ ଖରା, ରାତିରେ ବର୍ଷା ପରେ ବି କମୁନି ତାପମାତ୍ରା। ଆଜି ପାଇଁ ରାଜ୍ୟର ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ହନ୍ତସନ୍ତ କରୁଛି ଗରମ ସାଙ୍ଗକୁ ଗୁଳିଗୁଳି। ଉପକୂଳବର୍ତ୍ତି ଜିଲ୍ଲାରେ ତାତିର ପଡ଼ିବ ଅଧିକ ପ୍ରଭାବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୭ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ୩୦ ରୁ 40 କିଲୋମିଟର ବେଗରେ ବହିପାରେ ପବନ । ଆଜି ପାଇଁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ରହିଛି।
ମୈତେଇ ନେତାଙ୍କ ଗିରଫଦାରୀ ପରେ ମଣିପୁରରେ ଉତ୍ତେଚନା, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ
ନନ୍ଦିଘୋଷ ବ୍ୟୁରୋ : ମୈତେଇ ସମ୍ପ୍ରଦାୟ ନେତା ଆରାମ୍ବାଇ ତେଙ୍ଗଗୋଲଙ୍କ ଗିରଫଦାରୀ ପରେ ମଣିପୁରରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ରାଜ୍ୟର ୬ଟି ଜିଲ୍ଲାରେ ପୋଲିସ ହାଇ ଆଲର୍ଟରେ ଅଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଏହା ବ୍ୟତୀତ ୬ଟି ଜିଲ୍ଲାରେ ନିଷେଧ ଆଦେଶ ଜାରି କରାଯାଇଛି।
ମଣିପୁର ସରକାର ଶନିବାର ରାତି ୧୧:୪୫ ଟାରୁ କାକଚିଙ୍ଗ୍, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, ବିଷ୍ଣୁପୁର ଓ ଥୌବାଲ୍ ଜିଲ୍ଲାରେ ମୋବାଇଲ୍ ଡାଟା ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ଆଗାମୀ ୫ ଦିନ ପାଇଁ ଏହି ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିପାଇଁ ଗୃହ ବିଭାଗ ସଚିବ ଏନ ଅଶୋକ କୁମାରଙ୍କ ଦ୍ୱାରା ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ପୂର୍ବ ସୂଚନା ନ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହାର ଉଦ୍ଦେଶ୍ୟ କୌଣସି ପ୍ରକାରର ଗୁଜବ କିମ୍ବା ଉତ୍ତେଜନାକୁ ରୋକିବା। ଯିଏ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରିବେ ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହା ବ୍ୟତୀତ, ରାଜ୍ୟର ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, କାକଚିଂ ଓ ବିଷ୍ଣୁପୁର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ନିଷେଧମୂଳକ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ସହିତ, ନାଗରିକମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ, ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ ଏବଂ କାକଚିଂ ଜିଲ୍ଲାରେ ୪ କିମ୍ବା ତା’ଠାରୁ ଅଧିକ ବ୍ୟକ୍ତିଙ୍କ ଏକାଠି ଠିଆ ହେବା ଉପରେ ନିଷେଧ କରାଯାଇଛି। ସେହି ସମୟରେ, ବିଷ୍ଣୁପୁରରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରାଯାଇଛି।

