spot_img

Latest Posts

ସୁନା ଦର ହ୍ରାସ ପରେ ସୁନା ଦୋକାନରେ ଭିଡ଼ !

ନନ୍ଦିଘୋଷ ବ୍ୟୁରୋ : ସୁନା ଦରରେ ହ୍ରାସ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ଗତ ଏକ ମାସ ମଧ୍ୟରେ ସୁନା ମୂଲ୍ୟ ୭ ପ୍ରତିଶତରୁ ଅଧିକ କମିବା ପରେ ଅଳଙ୍କାର ବଜାରରେ ପୁଣି ଚାହିଦା ବଢ଼ିଛି। ଦୀର୍ଘଦିନ ଧରି ଅଧିକ ଦର ଯୋଗୁଁ ସୁନା କିଣିବାରୁ ଦୂରେଇ ରହିଥିବା ଗ୍ରାହକ ଏବେ ଧନତେରସ ପୂର୍ବରୁ ଗହଣା ଦୋକାନମୁହାଁ ହୋଇଛନ୍ତି। ଚଳିତ ଧନତେରସରେ ସୁନା ବିକ୍ରିରେ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ବଜାର ବିଶେଷଜ୍ଞମାନେ ଆଶା ରଖିଛନ୍ତି।

ସର୍ବୋଚ୍ଚ ଦରଠାରୁ ଯଥେଷ୍ଟ ଶସ୍ତା ହେଲା ସୁନା

୧୦ ଗ୍ରାମ ସୁନା ଦର କମିଯାଇଛି ଖସିଆସିଛି। ସର୍ବୋଚ୍ଚ ଦର ତୁଳନାରେ ଏବେ ସୁନା ଯଥେଷ୍ଟ ଶସ୍ତା ହୋଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍‌ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟାଙ୍କ ଆକଳନ ଅନୁସାରେ, ଗତବର୍ଷ ତୁଳନାରେ ଏଥର ଧନତେରସରେ ସୁନା ବିକ୍ରି ୧୦ରୁ ୧୨ ପ୍ରତିଶତ ବଢ଼ିପାରେ। ଧନତେରସରେ ସୁନା କିଣିବା ଶୁଭ ବୋଲି ମାନ୍ୟତା ଥିବାରୁ ଏହି ଅବସରରେ ବଜାରରେ ବିଶେଷ ଚାହିଦା ଦେଖାଦେଇଥାଏ।

ବିବାହ ଋତୁ ପାଇଁ ଆଗୁଆ ଅର୍ଡର

କେବଳ ପାର୍ବଣ କିଣାକିଣି ନୁହେଁ, ଆଗାମୀ ବିବାହ ଋତୁକୁ ନଜରରେ ରଖି ମଧ୍ୟ ଗ୍ରାହକମାନେ ଅଳଙ୍କାର ପାଇଁ ଆଗୁଆ ବୁକିଂ କରୁଛନ୍ତି। ସୁନା ଦର ଅଧିକ ଥିବା ସମୟରେ ଅନେକ ପରିବାର କିଣାକିଣି ସ୍ଥଗିତ ରଖିଥିଲେ। ଏବେ ଦର କମିବା ପରେ ସେହି ଚାହିଦା ପୁଣି ବଜାରକୁ ଫେରିଛି। ସୁନା ଗହଣା ସହିତ ରୂପା ମୁଦ୍ରାର ବିକ୍ରି ମଧ୍ୟ ବଢ଼ିଛି।

୧୮ କ୍ୟାରେଟ୍ ଗହଣା ପ୍ରତି ବଢ଼ୁଛି ଆଗ୍ରହ

ସୁନା ଦର ହ୍ରାସ ପରେ ଗ୍ରାହକମାନେ ନିଜ ବଜେଟ୍ ମଧ୍ୟରେ ଅଧିକ ଓଜନର କିମ୍ବା ଆକର୍ଷଣୀୟ ଡିଜାଇନ୍‌ର ଗହଣା କିଣିବାକୁ ସୁଯୋଗ ପାଉଛନ୍ତି। ତଥାପି ସୁନା ଦର ଏବେ ବି ଅଧିକ ରହିଥିବାରୁ ଅନେକ ଗ୍ରାହକ ହାଲୁକା ଗହଣା ଏବଂ କମ୍ କ୍ୟାରେଟ୍‌ର ସୁନାକୁ ପସନ୍ଦ କରୁଛନ୍ତି। ବିଶେଷକରି ୧୮ କ୍ୟାରେଟ୍ ଅଳଙ୍କାରର ଚାହିଦା ବଢ଼ିଛି। ଏହା ତୁଳନାତ୍ମକ ଭାବେ କମ୍ ମୂଲ୍ୟରେ ଆକର୍ଷଣୀୟ ଡିଜାଇନ୍‌ର ଗହଣା କିଣିବାର ସୁଯୋଗ ଦେଉଛି।

 ଡିଜାଇନ୍‌କୁ ଗୁରୁତ୍ୱ

ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କ କିଣାକିଣି ପସନ୍ଦରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି। କ୍ୟାରାଟଲେନ୍‌ର ସହ-ପ୍ରତିଷ୍ଠାତା ଗୁରୁକୀର୍ତି ଗୁରୁନାଥନଙ୍କ ମତରେ, ଏବେ ଗ୍ରାହକମାନେ ଧାତୁର ପରିମାଣ କିମ୍ବା ମୂଲ୍ୟ ଅପେକ୍ଷା ଅଳଙ୍କାରର ଡିଜାଇନ୍‌କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦୈନନ୍ଦିନ ବ୍ୟବହାର ଉପଯୋଗୀ ହାଲୁକା ହୀରା ଗହଣା, ଷ୍ଟଡେଡ୍ ଜୁଏଲାରୀ ଏବଂ ସଲିଟାୟାର୍‌ର ଚାହିଦା ମଧ୍ୟ ବଢ଼ିଛି। ସାମଗ୍ରିକ ଭାବେ, ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ସହ ଅଳଙ୍କାର ବଜାରରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଏଥର ଧନତେରସରେ ଭଲ ବ୍ୟବସାୟ ହେବ ବୋଲି ଗହଣା ବ୍ୟବସାୟୀମାନେ ଆଶା ରଖିଛନ୍ତି ।

Latest Posts

Don't Miss