କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ମୃତ ଛାତ୍ରୀଙ୍କ ଆତ୍ମାର ସଦଗତି କାମନା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ଏହି ଅପୂରଣୀୟ କ୍ଷତିର ସାମ୍ନା କରିବାକୁ ପରିବାରବର୍ଗଙ୍କୁ ଭଗବାନ ଅପାର ଶକ୍ତି ପ୍ରଦାନ କରନ୍ତୁ। ମାସକ ମଧ୍ୟରେ ତିନି ତିନିଟି ନାବାଳିକା ସମାନ ସ୍ଥିତିରେ ଜୀବନ ହାରିଲେଣି। ଜୁଇରେ ଜଳିଯାଇଛି ନିରୀହ ଜୀବନ।ପ୍ରଶାସନିକ ସ୍ଥାଣୁତା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ଆମ ମାଟିର ୩ ଜଣ ଝିଅ ଜୀବନ ଯାଇଛି। ସବୁ କ୍ଷେତ୍ରରେ ପ୍ରଶାସନିକ ବିଫଳତା ସ୍ପଷ୍ଟ ହୋଇଛି। ପ୍ରତିଦିନ ଏଇ ଧରଣର ଘଟଣା ସାରା ରାଜ୍ୟରୁ ଆସୁଛି। ରାଜ୍ୟ ବିଜେପି ସରକାର ଅମଳରେ ଆଉ କେତେ ଝିଅଙ୍କ ଜୀବନ ଯିବ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଆଉ କେତେ ମାଆ ସେମାନଙ୍କ ଝିଅଙ୍କୁ ହରାଇବେ। ଏହା ରାଜ୍ୟ ବିଜେପି ସରକାରଙ୍କ ଚରମ ବିଫଳତା ବୋଲି କହିଛନ୍ତି ନବୀନ
୨୩ ଜଣ ଯବାନଙ୍କୁ ନେଇ ଯାଉଥିବା ଆର୍ମି ଗାଡି ଦୁର୍ଘଟଣାଗ୍ରସ୍ତ, ୨ ଯବାନ୍ ସହିଦ
ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀର ଉଦ୍ଧମପୁରରେ ଦୁର୍ଘଟଣା। ଦୁର୍ଘଟଣାରେ ୨ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ୧୬ ଜଣ ଯବାନ ଆହତ ହୋଇଛନ୍ତି । ଉଦ୍ଧମପୁର ଜିଲ୍ଲାର ବସନ୍ତଗଡ଼ରେ ଘଟିଛି ଦୁର୍ଘଟଣା । ୨୩ ଜଣ ଯବାନଙ୍କୁ ନେଇ ଯାଉଥିବା ଆର୍ମିଗାଡି ହୋଇଛି ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳକୁ ଉଦ୍ଧମପୁର ଅତିରିକ୍ତ ଏସପି ସନ୍ଦୀପ ଭଟ୍ଟଙ୍କ ନେତୃତ୍ବରେ ପୋଲିସ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ କରିଛନ୍ତି । କଦୱା ଅଞ୍ଚଳରେ ଆଜି ସକାଳ ସାଢ଼େ ୧୦ଟାରେ ଘଟିଛି ଦୁର୍ଘଟଣା । ବସନ୍ତଗଡ଼ରୁ ଅପରେସନ ସାରି ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ହେଉଛି ୧୮୭ ବାଟାଲିଅନର । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଶୋକପ୍ରକାଶ କରିଛନ୍ତି । ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ସେ ଉଦ୍ଧମପୁର ଡେପୁଟି କମିଶନର ସାଲୋନି ରାୟଙ୍କ ସହ ଆଲୋଚନା କରିଛନ୍ତି ।
ପୁରୀ : ଲାଇନ କଟିଯିବାରୁ ଟର୍ଚ୍ଚ ଲାଇଟରେ ଚାଲିଛି ଚିକିତ୍ସା
ନନ୍ଦିଘୋଷ ବ୍ୟୁରୋ : ଅନ୍ଧାରରେ ଚାଲିଛି ଜରୁରୀ ଚିକିତ୍ସା। ଲାଇନ କଟିଯିବାରୁ ଟର୍ଚ୍ଚ ଲାଇଟରେ ଚାଲିଛି ଚିକିତ୍ସା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ। ଗତକାଲି ସନ୍ଧ୍ୟା ୫ଟା ୧୫ରେ ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟିଗଲା ଲାଇନ୍ । କାଜୁଆଲିଟି ବିଭାଗରେ ଲାଗିଥିଲା ଲମ୍ବା ଲାଇନ୍ । ଛୋଟ ପିଲାଠାରୁ ଆରମ୍ଭ କରି ଥିଲେ ବୟସ୍କ ରୋଗୀ ସମସ୍ତେ ଏହି ଲାଇନରେ ଛିଡା ହୋଇଥିଲେ । ହଠାତ୍ ଅନ୍ଧାର ହେବାରୁ ଯିଏ ଯୁଆଡେ ପାଇଲେ ମୋବାଇଲ୍ ଟର୍ଚ୍ଚ ଅନ୍ କଲେ। ଆଉ ସେଇ ଝାପସା ଆଲୁଅରେ ପ୍ରେସକ୍ରିପସନ୍ ଲେଖି ଚାଲିଥିଲେ ଉପସ୍ଥିତ ଡାକ୍ତର । ଉପସ୍ଥିତ ଦୁଇ ଡାକ୍ତର ଅବଶ୍ୟ ତାଙ୍କ କର୍ତ୍ତବ୍ୟ କରି ଚାଲିଥିଲେ। ହେଲେ ପ୍ରାୟ ଦଶ ମିନିଟ ଏଭଳି ଲାଇନ୍ କଟି ଆସିନଥିଲା। ୫ଟା ୨୫ ମିନିଟ ବେଳକୁ ଆସିଥିଲା ଲାଇନ୍। ଗୋଟିଏ ପଟେ ଟାଟାର ମନମାନି। ଅନ୍ୟପଟେ ବଡ ପ୍ରଶ୍ନ ହସ୍ପିଟାଲର ପାୱାର ବ୍ୟାକଅପ୍ କୋଉଠି ଥିଲା। ଗୋଟିଏ ପଟେ କାଜୁଆଲିଟିରେ ଲମ୍ବା ଲାଇନ୍ ଅନ୍ୟପଟରେ ବିଦ୍ୟୁତ୍ ବିଭ୍ରାଟ। ଏମର୍ଜେନ୍ସିରେ କେମିତି ରୋଗୀ ପାଇବେ ଚିକିତ୍ସା, ତାକୁ ନେଇ ପ୍ରଶ୍ନ ଉଠିଛି ।
କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡ଼ି
ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ, ଯଦି ପୋଲିସ ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା,ଆଜି ସେହି ଛାତ୍ରୀ ଜଣକ ଜୀବିତ ଥାଆନ୍ତେ । ପୋଲିସ ଏତଲା ରଖିଲା ନାହିଁ । ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଲୀଳ ଭିଡିଓ ଡିଲିଟ କରିବାକୁ ଓ ମୋବାଇଲ ସ୍ଵିଚ୍ ଅପ୍ କରିବାକୁ କହି ଚୁପ୍ ବସିଲା। ଯଦି ଆରମ୍ଭରୁ ଆକ୍ସନ ନେଇଥାନ୍ତା, ତେବେ ଏତେ ବଡ଼ ଅଘଟଣ ଘଟିନଥାନ୍ତା। ଘଟଣା ପାଇଁ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ବିଜେଡି। ଏହା ସହିତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଦଳ। ବର୍ତ୍ତମାନ ଚାଲିଆଡ଼େ, ସାରା ରାଜ୍ୟରେ ନାରୀ ହିଂସା ବଢ଼ିଛି । ଦୁଷ୍କର୍ମ ବଢ଼ିଛି । ଏଥିରୁ ଲାଗୁଛି ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ। ପୋଲିସ ଅପାରଗ ପାଲଟି ଯାଇଛି । ଉପଯୁକ୍ତ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷା ଦେବାକୁ ଡିଜିପିଙ୍କ ନିକଟରେ ଦାବି କରିଛି ବିଜେଡି।
ଖଣ୍ଡପଡ଼ା ଗଡ଼ର ରାଜା ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗ
ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ରାତିରେ ତାଙ୍କର ବିୟୋଗ ହୋଇଛି। ହୃଦ୍ ଜନିତ ସମସ୍ୟା ଯୋଗୁଁ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଖଣ୍ଡପଡ଼ା ଗଡ଼ର ରାଜା ଥିଲେ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ ବିଭୁତି ଭୂଷଣ ମର୍ଦ୍ଦରାଜ। ସେ ୧୯୮୦, ୧୯୮୫ ଓ ୧୯୯୫ – ଏପରି ତିନି ଥର ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁ ମାମଲାକୁ ନେଇ ପୁରୀରେ ବିଜେଡ଼ିର ହରତାଳ
ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁର ପ୍ରତିବାଦ। ଏହା ସହ ରାଜ୍ୟରେ ବଢ଼ିଚାଲିଥିବା ନାରୀ ନିର୍ଯାତନାର ପ୍ରତିବାଦରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ। ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରାଯିବ। ବଳଙ୍ଗା ଛାତ୍ରୀମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାନଯାଇଥିବା ବେଳେ ଦୋଷୀକୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ। ଓଡ଼ିଶାର ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ନିତିଦିନିଆ ଘଟଣା ହୋଇଯାଇଛି। ଦୁର୍ବଳ ତଦନ୍ତ ପ୍ରକ୍ରିୟା ଅପରାଧୀମାନଙ୍କୁ ଅଧିକ ଅପରାଧ କରିବା ପାଇଁ ପ୍ରୋତ୍ସାହିତ କରୁଛି । ଅବାଧ ନିଶା କାରବାର ରାଜ୍ୟସାରା କାୟା ବିସ୍ତାର କରିବାରେ ଲାଗିଛି । ସାରା ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳିତ ବାତାବରଣ ଜନମାନସକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଉଦ୍ବେଗଜନକ ପରିସ୍ଥିତିରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦିଆଯାଇଛି।

