ଭୁବନେଶ୍ୱର: ବିଦେଶରୁ ଫେରିବେ ପ୍ରବାସୀ ଭାରତୀୟ । ବିଭିନ୍ନ ଦେଶରେ ଫସିରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତ ସରକାର । ବିମାନ କିମ୍ୱା ଜଳପଥରେ ସେମାନଙ୍କୁ ଅଣାଯିବ । ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ଏସ୍ଓପି । ଫେରିବାକୁ ଆଗ୍ରହୀଥିବା ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ ଭାରତୀୟ ଦୂତାବାସ । ଆଗ୍ରହୀ ଭାରତୀୟ ନିଜ ଖର୍ଚ୍ଚରେ ଫେରିପାରିବ ଭାରତ । ସେମାନଙ୍କ ପାଇଁ ବାଣିଜ୍ୟିକ ବିମାନର ଆୟୋଜନ କରିବେ ସରକାର । ମେ’ ୭ରୁ ପର୍ଯ୍ୟାୟକ୍ରମେ ଏହି ଯାତ୍ରା ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା । ଲକ୍ଷଣ ନଥିବା ଲୋକେ ହିଁ ଫେରିପାରିବେ । ଡାକ୍ତରୀ ପରୀକ୍ଷଣ ପରେ ସେମାନଙ୍କୁ ମିଳିବ ଅନୁମତି । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ୧୪ ଦିନ ସଙ୍ଗରୋଧରେ ରହିବେ । ଏହା ସହ ଆରୋଗ୍ୟ ସେତୁରେ ପଞ୍ଜୀକରଣ ବାଧ୍ୟତାମୂଳକ ।
ସୁରତରେ ପୋଲିସ ଏବଂ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ, ସ୍ୱତନ୍ତ୍ର ଟ୍ରନ୍ ପାଇଁ ଦାବି
ଗୁଜରାଟ: କରୋନା ମହାମାରୀକୁ ରୋକିବା ଦେଶରେ ତୃତୀୟ ଥର ପାଇଁ ଲକଡାଉନ୍ ଜାରି ହୋଇଛି । ଯାହା ପ୍ରବାସୀ ଶ୍ରମିକ ମାନଙ୍କର ଧର୍ଯ୍ୟ ହରାଇଦେଇଛି । ସୋମବାର ଗୁଜୁରାଟର ସୁରତରେ ପ୍ରବାସୀ ଶ୍ରମିକମାନେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ପୋଲିସ ଆଗରେ ଦାବି କରିଥିଲେ । ଖାଲି ସେତିକି ନୁହେଁ ଘରକୁ ଫେରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଯାହାକୁ ନେଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଲା । ସୁରଟ ଉପକଣ୍ଠରେ ଥିବା ଭରେଲି ଗ୍ରାମ ନିକଟରେ ଏହି ଘଟଣା ଘଟିଛି ।
#WATCH Gujarat: A clash erupts between migrant workers & police in Surat. The workers are demanding that they be sent back to their native places. pic.twitter.com/aiMvjHGukY
— ANI (@ANI) May 4, 2020
ପୋଲିସ ଉପରେ ପ୍ରବାସୀ ଶ୍ରମିକ ମାନେ ଆକ୍ରମଣ କରିବା ପରେ ପୋଲି ମଧ୍ୟ ଆକ୍ସନ ମୁଡକୁ ଆସିଥିଲା । ପରିସ୍ଥିତି ଅଣାୟତ ହେଉଥିବାରୁ ପୋଲିସ ୧୪୪ ଧାରା ଜାରି କରିବା ପରେ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା । ସେପଟେ କ୍ରୋଧିତ ଶ୍ରମିକମାନେ ସୁରତ-କାଦୋଦରା ରାସ୍ତାରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।
ନିଲାମ ହେବାକୁ ଯାଉଛି ଚାନ୍ଦର କିଛି ଖଣ୍ଡ: ଖର୍ଚ୍ଚ କରିବାକୁ ପଡ଼ିବ ମାତ୍ର ଏତିକି ଟଙ୍କା
ନୂଆଦିଲ୍ଲୀ: ଆପଣ ଆପଣଙ୍କ ପ୍ରିୟଜନଙ୍କୁ ଉପହାରରେ ଚାନ୍ଦ ଦେବାକୁ ଚାହୁଁଛନ୍ତି କି ? ଯଦି ଆପଣ ତାହା ଚାହୁଁଛନ୍ତି ତ ଏଥିପାଇଁ ଆପଣଙ୍କ ପାଖରେ ବେଶ୍ କିଛି ଟଙ୍କା ଥିବା ଦରକାର। ଲଣ୍ଡନରେ ଜହ୍ନର ଏକ ଖଣ୍ଡ ନିଲାମ ହେବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ସେତିକି ଅର୍ଥ ଅଛି ତେବେ ଆପଣ ଯାଇ ତାକୁ କିଣି ଆଣିପାରିବେ । ଆସନ୍ତୁ ଜାଣିବା ଚାନ୍ଦର ଏହି ସୁନ୍ଦର ଖଣ୍ଡ ବା ପଥର ବିଷୟରେ ।

ବୈଜ୍ଞାନିକମାନଙ୍କ ଅନୁସାରେ ଚାନ୍ଦର ଏହି ଖଣ୍ଡଟି ଉତ୍ପତି ସେତେବେଳେ ହୋଇଥିବ ଯେତେବେଳେ କୌଣସି ଏକ ଧୁମକେତୁ କିମ୍ବା ଉଲକାପିଣ୍ଡ ସହ ଚାନ୍ଦର ଧକ୍କା ହୋଇଛି । ଏହାପରେ ଚାନ୍ଦର ଏହି ଅଂଶ ଅନ୍ତରୀକ୍ଷରୁ ତୀବ୍ର ଗତିରେ ବାହରିଯାଇଥିବ । ଯାହାଫଳରେ ଏହି ଖଣ୍ଡଟି ଦ୍ରୁତ ଗତିରେ ଆସି ଆଫ୍ରିକାର ମରୁଭୂମିରେ ପଡ଼ିଥିବ । ଚନ୍ଦ୍ରମାର ଏହି ଖଣ୍ଡଟିର ଓଜନ ପ୍ରାୟ ୧୩.୫କିଲୋଗ୍ରାମର । ଏହାର ନିଲାମ ବ୍ରିଟିସର ନିଲାମଘର କ୍ରିଷ୍ଟି କରାଯାଉଛି । ନିଲାମର ପ୍ରାରମ୍ଭିକ ମୁଲ୍ୟ ୨.୫ମିଲିୟନ ଡଲାର ଅର୍ଥାତ୍ ୧୯ କୋଟି ଟଙ୍କା ରହିଛି ।

ଏହି ଖଣ୍ଡଟିର ନାଁ ରହିଛି NWA ୧୨୬୯୧ । ଏହା ପୃଥିବୀରୁ ମିଳିଥିବା ପଞ୍ଚମ ବଡ଼ ଖଣ୍ଡ । ପୃଥିବୀରେ ସମୁଦାୟ ୬୫୦କି.ଗ୍ରାର ଚନ୍ଦ୍ରମାର ଖଣ୍ଡ ରହିଛି । ଯେଉଁଥିର NWA ୧୨୬୯୧ ମଧ୍ୟ ସାମିଲ ରହିଛି । ଚାନ୍ଦର ଏହି ଖଣ୍ଡଟ ମରୁଭୂମିର ଆଲଜେରିଆରେ ପଡ଼ିଥିଲା ।

ଚନ୍ଦ୍ରମାର ଖଣ୍ଡ NWA ୧୨୬୯୧ର ଆକାର ଫୁଟବଲ ଭଳି । କ୍ରିଷ୍ଟୀର ବୈଜ୍ଞାନିକ ଏବଂ ପ୍ରାକୃତିକ ଇତିହାସର ପ୍ରମୁଖ ଜେମ୍ସ ହିସଲୋପ କହିଛନ୍ତି ଯେ, ଆପଣଙ୍କ ହାତରେ ଏମିତି ଏକ ପଥର ରଖିବାର ସୁଯୋଗ ରହିଛି ଯାହା ଆପଣଙ୍କ ପାଖରେ ଥିଲେ ଆପଣ ତାହାକୁ କେବେ ବି ଭୁଲିପାରିବେ ନାହିଁ ।

ଜେମ୍ସ କହିଛନ୍ତି ଯେ, ଏହା ଚନ୍ଦ୍ରମାର ଏକ ବାସ୍ତବିକ ଖଣ୍ଡ । ଏହା ମଣିଷର ମୁଣ୍ଡଠାରୁ ଟିକେ ବଡ଼ । ଏହି ଖଣ୍ଡଟି ଅନ୍ତରୀକ୍ଷ ଇତିହାସ ବା ମୁନ୍ ଏକ୍ସପ୍ଲୋରେସନନେ ଋଚି ରଖୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅଦ୍ଭୁତ ସଂଗ୍ରହଣୀୟ ବସ୍ତୁ ହେବ ।

ଏବେ ପର୍ଯ୍ୟନ୍ତ ୩୦ରୁ ଅଧିକ ଚାନ୍ଦର ଖଣ୍ଡ ମିଳି ପାରିଛି । ଏଥିମଧ୍ୟରୁ ଅଧିକାଂଶ ଖଣ୍ଡ ଗୁଡ଼ିକୁ ପରୀକ୍ଷଣ କରାଯାଇ ଏହା ଚାନ୍ଦର ଖଣ୍ଡ ବୋଲି ସ୍ପଷ୍ଟ କରାଯାଇଛି । ଆମେରିକାର ସ୍ପେସ୍ ଏଜେନ୍ସି NASAର ଆପୋଲୋ ମିଶନ ଦ୍ୱାରା ଚନ୍ଦ୍ରମା ଠାରୁ ଅଣା ଯାଇଥିବା ପଥରଠାରୁ ଅଲଗା ଏବଂ ଓଜନଦାର ରହିଛି ।

କୁହାଯାଉଛି କି ଯେଉଁ ଉଲକାପିଣ୍ଡ ବା ଚାନ୍ଦର ଖଣ୍ଡ ପୃଥିବୀର ମରୁଭୂମିରେ ପଡ଼ିଛିତ ତାହା ୨୬ ହଜାର କିଲୋଗ୍ରାମର ଥିଲା । ଏହାର କିଛି ଅଂଶ ସହାରା ସହ କାଲହାରି ମରୁଭୂମି ପର୍ଯ୍ୟନ୍ତ ପହଞ୍ଚିଥିଲା ।
ଅମାନିଆଙ୍କୁ ଚେତାବନୀ, ସଂଘରୋଧ କେନ୍ଦ୍ର ପାଚେରୀ ଡ଼େଇଁଲେ ବନ୍ଧା ହେବ
ଭୁବନେଶ୍ୱର: ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କୁ ବାରମ୍ବାର ଧୈର୍ଯ୍ୟର ସହ କ୍ୱାରେଣ୍ଟାଇନ ନିୟମକୁ ଅନୁପାଳନ କରିବାକୁ ଅନୁରୋଧ କରୁଛନ୍ତି ସରକାର । ପ୍ରାୟ ୯୦ ପ୍ରତିଶତ ଲୋକ କ୍ୱାରେଣ୍ଟାଇନ ନିୟମକୁ ପାଳୁଥିବା ବେଳେ ଅମାନିଆ ହେଉଛନ୍ତି ମାତ୍ର ୧୦ ପ୍ରତିଶତ । ସେମାନଙ୍କ ପାଇଁ ଏବେ କଠୋର ହୋଇଛନ୍ତି ସରକାର। ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସତର୍କ କରାଇଦେଇଛନ୍ତି । ଅପିଲ କରିଛନ୍ତି ଯେ, ଓଡିଶା ଫେରୁଥିବା ପ୍ରତ୍ୟେକ ପ୍ରବାସୀ ଆମ ନିଜର । ସାମାନ୍ୟତମ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ ।
ଯେଉଁମାନେ ଓଡିଶା ଫେରୁଛନ୍ତି ସେମାନେ ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ । ନହେଲେ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ମାନେ କ୍ୱାରେଣ୍ଟାଇନ ଭାଙ୍ଗି ବାହାରକୁ ଯାଉଛନ୍ତି । ସେମାନେ ସେମାନଙ୍କର ଚେଷ୍ଟାରେ ସଫଳ ହେବେ ନାହିଁ । କାରଣ ଓଡ଼ିଶା ବାହାର ରାଜ୍ୟ ଭଳି ଏତେ ବଡ଼ ନୁହେଁ ।
ତେଣୁ ଲୁଚୁଥିବା ଲୋକଙ୍କୁ ଖୋଜି ବାହାର କରିବାକୁ ପ୍ରଶାସନକୁ ମାତ୍ର କେଇ ଘଣ୍ଟା ଲାଗିବ ।ତେଣୁ ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା ନକରିବାକୁ ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ବିଭିନ୍ନ ରାଜ୍ୟରୁ ୮ହଜାର ୮୩୦ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୬ହଜାର ୩୮୨ ଜଣ ବସରେ, ୨ହଜାର ୪୦୯ଜଣ ଟ୍ରେନରେ ଏବଂ ୩୯ ଜଣ ନିଜ ନିଜ ବ୍ୟବସ୍ଥାରେ ଫେରିଛନ୍ତି ।
ଲକ୍ଡାଉନ୍ ଯୋଗୁଁ ଅଟକିଲା ସ୍ଥାନାନ୍ତର: ଏବେ ମଧ୍ୟପ୍ରଦେଶ ଯିବ ନାହିଁ ‘ସୁନ୍ଦରୀ’
ଭୁବନେଶ୍ୱର: ମଣିଷଖିଆ ବାଘୁଣୀ ସୁନ୍ଦରୀର ସ୍ଥାନାନ୍ତର ପ୍ରକିୟାକୁ ପ୍ରଭାବିତ କରିଛି ଲକ୍ଡାଉନ୍ । ବର୍ତ୍ତମାନ ପାଇଁ ସେ ମଧ୍ୟପ୍ରଦେଶ ଯିବ ନାହିଁ ବୋଲି ହରିଶଙ୍କର ଉପାଧ୍ୟାୟ, ପିସିସିଏଫ୍ ଓ୍ୱାଇଲ୍ଡଲାଇଫ୍ ସୂଚନା ଦେଇଛନ୍ତି। ତେବେ ସୁନ୍ଦରୀ ସଂପୂର୍ଣ୍ଣ ସୁସ୍ଥ ଅଛି। ସେହିପରି ଲକଡାଉନ୍ ସମୟରେ ଖାଦ୍ୟ ସନ୍ଧାନରେ ହାତୀ ଓ ମଣିଷ ମୁହାଁମୁହିଁ ହେଉଛନ୍ତି। ଗତ ଏକ ମାସ ମଧରେ ୯ ଜଣ ଲୋକଙ୍କ ଦନ୍ତା ଦଳି ଦେଇଥିବା ରିପୋର୍ଟ ହୋଇଛି।
ମଧ୍ୟପ୍ରଦେଶ ଯିବ ସୁନ୍ଦରୀ। ହେଲେ କେବେ? ମଣିଷଖିଆ ବାଘୁଣୀର ମଧ୍ୟପ୍ରଦେଶ ଫେରିବାର ବାଟରେ ଲକଡାଉନ୍ର କଣ୍ଟା। ତା ସ୍ୱାସ୍ଥ୍ୟ ପରୀକ୍ଷା କରି ମଧ୍ୟପ୍ରଦେଶ ଫେରିଛନ୍ତି ପ୍ରାଣୀ ଚିକିତ୍ସକ ଦଳ। ହେଲେ ତିନି ତିନି ଥର ଲକଡାଉନ୍ ଯୋଗୁ ସୁନ୍ଦରୀକୁ ନେବା ପାଇଁ ଆସି ପାରୁ ନାହାନ୍ତି। ଯେଉଁଥି ପାଇଁ ତାକୁ ଆହୁରି କିଛି ଦିନ ସାତକୋଶିଆରେ ରହିବାକୁ ହେବ। ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ସୁନ୍ଦରୀକୁ ବାନ୍ଧଭଗଡ଼ରୁ ଅଣାଯାଇଥିଲା। ବାଘ ବଂଶ ବୃଦ୍ଧି ବଦଳରେ ମଣିଷ ସଂଖ୍ୟା ହ୍ର।ସ କରିବାରେ ଲାଗିଲା ସୁନ୍ଦରୀ। ଦୁଇ ଦୁଇ ଜଣଙ୍କୁ ମାରି ପକାଇଲା ଏହି ମଣିଷଖିଆ। ବାଘୁଣୀକୁ ଆଠମଲ୍ଲିକ ଲୋକ ବିରୋଧ କରିବା ପରେ ତାକୁ ଏକ ସ୍ୱତନ୍ତ୍ର ଜନ୍ତାରେ ରଖାଯାଇ ମଧ୍ୟପ୍ରଦେଶ ଫେରାଇବାକୁ ଯ଼ୋଜନା କରାଯାଇଥିଲା। ହେଲେ ଲକଡାଉନ୍ ପାଇଁ ସୁନ୍ଦରୀ ବି ରାଜ୍ୟ ଛାଡ଼ି ପାରୁ ନାହିଁ।
ସର୍ବପ୍ରଥମେ କରୋନା ଭାକ୍ସିନ ତିଆରି କରି ଦୁନିଆ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଛି ଚୀନ
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଏବେ ସାରା ବିଶ୍ୱର ଅନେକ ଦେଶ ରେସ୍ରେ ଅଛନ୍ତି । ହେଲେ ଚାଇନା ଯଦି ଏହି ରେସ୍ରେ ଆଗେଇ ଯାଏ ତେବେ ସେ ଅର୍ଥିକ ଦୃଷ୍ଟିରୁ ସାରା ବିଶ୍ୱକୁ ଲୁଟ୍ କରିବା ଆରମ୍ଭ କରିବ । ଏହା ସହ ନିଜର କୁଟନୈତିକ ଫାଇଦା ପାଇଁ ତାହା ବ୍ୟବହାର କରିବ । ଏନେଇ ଆମେରିକା ଆଶଙ୍କା ପ୍ରକାଶ କରିଛି ।
ଦୁନିଆର ଅନେକ ଦେଶ ପରସ୍ପର ସହ ତଥ୍ୟ ଆଦାନ ପ୍ରଦାନ କରି ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରୁଥିବା ବେଳେ ଆମେରିକା ଏବଂ ଚୀନ୍ ନିଜେ ଏକାକୀ ନିଜ ଦମରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ପଲିଟିକୋ ରିପୋର୍ଟ ଅନୁଯାୟୀ ଆମେରିକାର ଜାତୀୟ ସୁରକ୍ଷା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ସେମାନେ (ଚୀନ୍) ଜାଣନ୍ତି ଯେ ପ୍ରଥମେ ଯିଏ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବ ସେହି ଦେଶ ସମ୍ପୂର୍ଣ୍ଣ ବିଶ୍ୱ ଉପରେ ରାଜ୍ କରିବ ।
ପେଣ୍ଟାଗନ୍ ଏବଂ ସିଆଇଏର ପୂର୍ବତନ ଅଧିକାରୀ ମ୍ୟାଟ୍ କ୍ରୋଏନିଗ୍ କହିଛନ୍ତି, ଚାଇନାରୁ ମିଳୁଥିବା ସହାୟତା ପଛରେ ଅନେକ ସମୟରେ କିଛି ନା କିଛି ଅନ୍ୟ ସ୍ୱାର୍ଥ ଥାଏ । ତେଣୁ, ଭ୍ୟାକ୍ସିନ ପ୍ରସ୍ତୁତ କରିବା ପରେ ସେ ଏହା ଦ୍ୱାରା ନିଜର ପ୍ରଭାବ ବିସ୍ତାର ଏବଂ ଆମେରିକାକୁ ପଛକୁ ଠେଲିବା ପାଇଁ ଚେଷ୍ଟା କରିପାରେ । ଏପ୍ରିଲରେ ଚୀନ୍ କହିଥିଲା ଯେ କରୋନା ଭ୍ୟାକ୍ସିନ୍ର ପ୍ରଥମ ପରୀକ୍ଷଣ କିଛି ମାତ୍ରାରେ ସଫଳ ରହିଛି । ବଡ କଥା ହେଉଛି କରୋନା ଜୀବାଣୁ ଚାଇନାରୁ ହିଁ ବ୍ୟାପିଛି । ତେଣୁ ଏହା ସମ୍ଭବ ଯେ ଚୀନ୍ ଅନ୍ୟ ଦେଶ ତୁଳନାରେ ଟିକା ପ୍ରସ୍ତୁତ କରିବା କାର୍ଯ୍ୟ ପ୍ରଥମେ ଆରମ୍ଭ କରିସାରିଛି । ଏଥିସହ ବୁହାନରୁ କରୋନା ବ୍ୟାପିଥିବାରୁ ସାରା ବିଶ୍ୱରୁ ଏନେଇ ପ୍ରଶ୍ନ ଉଠିଛି । ଏଭଳି ପରିସ୍ଥିତିରେ ଯଦି ଚୀନ୍ ପ୍ରଥମେ ଭ୍ୟାକ୍ସିନ୍ ପ୍ରସ୍ତୁତ କରେ, ତେବେ ତାହା ଅନ୍ୟ ଦେଶକୁ ଯୋଗାଇ ନିଜର ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ମଧ୍ୟ ଚେଷ୍ଟା କରିବ ।
ତେବେ ଆମେରିକାର ଜାତୀୟ ସୁରକ୍ଷା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଭ୍ୟାକ୍ସିନ୍ ଉତ୍ପାଦନକୁ ନେଇ ଚୀନ୍ ଏପର୍ଯ୍ୟନ୍ତ କୌଣସି ସଫଳତା ପାଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ‘ ଚାଇନା ଅନେକ ସମୟରେ ଅନ୍ୟର ରିସର୍ଚ୍ଚ ଚୋରି କରିବାକୁ ଚେଷ୍ଟା କରେ ।’ ପୂର୍ବରୁ ଏଭଳି ନଜିର ମଧ୍ୟ ରହିଛି ।
ଯେଉଁ ଦେଶ ପ୍ରଥମେ ଭ୍ୟକ୍ସିନ୍ ପ୍ରସ୍ତୁତ କରିବ ସେ ନିଜର କୂଟନୈତିକ ପ୍ରଭାବ ଅପେକ୍ଷା ଅର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବ । ଏହାସହ ନିଜର ଲୋକଙ୍କୁ ଏହି ରୋଗରୁ ମୁକ୍ତ କରିବାକୁ ଚେଷ୍ଟା କରିବ । ଏହା ଦ୍ୱାରା ସେହି ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ବାଟ ଖୋଲିଯିବ ।
ଆହୁରି ମଧ୍ୟ ପ୍ରଶ୍ନ ଉଠିଛି ଯେ, ଚୀନ୍ ଯଦି ପ୍ରଥମେ ଭ୍ୟାକ୍ସିନ୍ ପ୍ରସ୍ତତ କରିବ ତେବେ ସେହି ଭ୍ୟାକ୍ସିନ୍ ଉପରେ ଅନ୍ୟ ଦେଶମାନେ କେତେ ବିଶ୍ୱାସ କରିପାରିବେ ? କରୋନା ସମୟରେ ଚୀନ୍ ପକ୍ଷରୁ ବିଭିନ୍ନ ଦେଶକୁ ମେଡିକାଲ କିଟ୍ ପଠାଯାଇଥିଲା । ଯାହାକି ବହୁତ ଖରାପ କ୍ୱାଲିଟିର ରହିଥିଲା । ଏନେଇ ଅନେକ ଦେଶ ଅଭିଯୋଗ ମଧ୍ୟ କରିଛନ୍ତି ।
କାଲିଠୁ ରଥ ନିର୍ମାଣ ସମ୍ଭାବନା, ଘୋଷଯାତ୍ରା ନେଇ ନିଷ୍ପତ୍ତି ନେବେ ସରକାର
ପୁରୀ: କାଲିଠାରୁ ଆରମ୍ଭ ହୋଇପାରେ ରଥ ନିର୍ମାଣ । ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାମ ପାଇଁ ସହମତି ପ୍ରକାଶ ପାଇଛି । ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ପୁରୀ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ,ରଥଯାତ୍ରା ଧାର୍ମିକ ପର୍ବ ନୁହେଁ । ରଥଯାତ୍ରା ଧର୍ମୀୟ ପର୍ବ । ତେଣୁ ରଥ କାମ ଆରମ୍ଭ ହେବ । କିନ୍ତୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଶେଷ ନିଷ୍ପତି ସରକାର ନେବେ ।
ସେ କହିଛନ୍ତି ଯେ, ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ । ପୁରୀ ଗ୍ରୀନ ଜୋନରେ ଆସୁଛି,ତେଣୁ ରଥ ନିର୍ମାଣ ଆରମ୍ଭ ହେବ । ରଥଖଳାରେ ରଥ ନିର୍ମାଣ ହେବ । ସରକାର ଯଦି ରଥଯାତ୍ରା ନକରିବାକୁ ନିଷ୍ପତ୍ତି ନେବେ ତେବେ ସେଥିରେ କିଛି ଅସୁବିଧା ନାହିଁ । ଲୋକଙ୍କ ସୁରକ୍ଷା ପ୍ରଥମ ।
ପରିଚାଳନା କମିଟି ବୈଠକରେ ରଥଯାତ୍ରା ଓ ସ୍ନାନ ଯାତ୍ରା ନେଇ କୌଣସି ଆଲୋଚନା ହୋଇନାହିଁ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ । ଗାଇଡ୍ ଲାଇନରେ ଏଭଳି କୌଣସି ଜିନିଶ ନାହିଁ ଯାହା ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ବାରଣ କରୁଛି । ତେଣୁ ରଥ ନିର୍ମାଣ କାମ ଆରମ୍ଭ ହେବ ।
ତେବେ ବିଶେଷଜ୍ଞଙ୍କ କହିବା ହେଉଛି ପରିଚାଳନା କମିଟି ନିଷ୍ପତ୍ତିକୁ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ହିଁ ରଥ ନିର୍ମାଣ ଆରମ୍ଭ ହେବ । କମିଟିର ନିଷ୍ପତ୍ତିକୁ ରାଜ୍ୟ ସରକାର ପରଖିବା ପରେ ଏନେଇ କୌଣସି ନିଷ୍ପତ୍ତି ନେବେ ।
ଲକ୍ଡାଉନ୍ ବଢ଼ିବା ପରେ ସ୍ଥଗିତ ହେଲା ଆଇଏଏସ୍ ପରୀକ୍ଷ: ଆସନ୍ତା ୨୦ରେ ପରବର୍ତ୍ତୀ ନିଷ୍ପତ୍ତି
ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁପିଏସସି ପରୀକ୍ଷା । ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖିଲା ୟୁନିୟନ୍ ପବ୍ଳିକ୍ ସର୍ଭିସ କମିଶନ । ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ବଢ଼ାଯାଇଛି । ଏହା ପରବର୍ତ୍ତୀ ପରିସ୍ଥିତି ଓ କଟକଣା ସମ୍ପର୍କରେ ସୋମବାର ୟୁନିୟନ୍ ପବ୍ଳିକ୍ ସର୍ଭିସ କମିଶନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସମୀକ୍ଷା କରାଯାଇଥିଲା ।
ସ୍ଥିତି ସମୀକ୍ଷା ପରେ ବୈଠକରେ UPSC(ପ୍ରିଲିମିନାରୀ) ପରୀକ୍ଷାକୁ ସ୍ଥଗିତ କରିବା ନେଇ ନିଷ୍ପତ୍ତି ନେଇଛି କମିଶନ । ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିଲା ସିଭିଲି ସର୍ଭିସ (ପ୍ରଲିମିନାରୀ) ପରୀକ୍ଷା ୨୦୨୦ । ତେବେ ଲକ୍ଡାଉନ୍ ହଟିବା ପରେ ଆସନ୍ତା ମେ’ ୨୦ ତାରିଖରେ ପୁଣି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବା ସହ ପରୀକ୍ଷା ତାରିଖ ନେଇ ୟୁପିଏସସି ଓ୍ୱେବ୍ସାଇଟ୍ରେ ସୂଚନା ଦିଆଯିବ ବୋଲି କମିଶନ ପକ୍ଷରୁ ଜାରି ପ୍ରେସ ରିଲିଜ୍ରେ ପ୍ରକାଶ । ତାରିଖ ସ୍ଥିତ ହେବା ପରେ ସ୍ଥଗିତି ରଖାଯାଇଥିବା ପରୀକ୍ଷା ଏବଂ ଟେଷ୍ଟ ନେଇ ଅନ୍ୟୁନ ୩୦ ଦିନ ପୂର୍ବରୁ ସୂଚନା ଦିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି ।
କରୋନା ସଙ୍କଟ: ଆମେରିକାଠାରୁ ବଳି ଯିବ କି ଋଷର ଅବସ୍ଥା ?
ମାସ୍କୋ: ଚୀନ, ଆମେରିକା, ସ୍ପେନ, ଇଟାଲିର ଅବସ୍ଥା ଖରାପ କରିବା ପରେ ଏବେ କରେନାର ଟାର୍ଗେଟରେ ଆସିଛି ଋଷ । ଋଷରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରେନା ମାମଲା ସାମ୍ନାକୁ ଆସିଛି । ଋଷରୁ ଗୋଟିଏ ଦିନରେ ୧୦୬୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଋଷରେ ଏବେ କରୋନାଭାଇରସରେ ସମୁଦାୟ ୧୩୪,୬ ୮୭ଜଣ ସଂକ୍ରମିତ ହୋଇଛନ୍ତି । କୋରନା ଭାଇରସର ସଂକ୍ରମଣରେ ଋଷ ଦୁନିଆର ୭ନମ୍ବର ସ୍ଥାନରେ ରହିଛି । ଋଷରେ ୧୨୮୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଆମେରିକା, ସ୍ପେନ, ଇଟାଲି ଭଳି ଦେଶ ତୁଳନା ଋଷରେ ଅଧିକ ଲୋକେ ସଂକ୍ରମଣରେ ମୃତ୍ୟୁ ବରଣ କରିନାହାଁନ୍ତି । ଅନ୍ୟ ଦେଶମାନଙ୍କ ତୁଳନା ଋଷରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବହୁତ୍ କମ୍ କିନ୍ତୁ ରବିବାର ଦିନ ହିଁ କରୋନା ଭାଇରସରେ ଋଷରେ ୫୮ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ।
ରୁଷର ରାଜଧାନୀ ମାସ୍କୋ ସବୁଠାରୁ ଖରାପ ଅବସ୍ଥାରେ ଅଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଅଧିକ । ଏହାସହ ଏଠାକାର ଚିକିତ୍ସା ବ୍ୟବସ୍ଥା ପ୍ରଣାଳୀ ସମ୍ପୂର୍ଣ୍ଣ ଖରାପ ଅବସ୍ଥାରେ ରହିଛି । ତେଣୁ ମସ୍କୋରେ ପ୍ରତିଦିନ ପ୍ରାୟ ୧୭୦୦ ଲୋକ ଭର୍ତ୍ତି ହେଉଛନ୍ତି ।

ମାସ୍କୋର ମେୟର ସର୍ଗେଇ ଶନିବାର ଦିନ କହିଛନ୍ତି ଯେ, ଆମ ସମସ୍ତଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ, ଯେମିତି କି ଆମେ କରୋନା ଭାଇରସ୍ ଠାରୁ ବଞ୍ଚି ପାରିବା । କାରଣ ଆମର ଏଠାରେ ଯଦିଓ କରୋନା ମୃତ୍ୟୁ ସଂଖ୍ୟା କମ୍ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି ।

ସେ ଏହା ମଧ୍ୟ କହିଛନ୍ତି ରାଜଧାନୀରେ ୨ ପ୍ରତିଶତ ଅର୍ଥାତ୍ ପ୍ରାୟ ୨.୫୦ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି । ରବିବାର ଦିନ, ମସ୍କୋରେ ୫୯୪୮ କରୋନା ରୋଗୀ ସାମ୍ନାରୁ ଆସିଥିଲେ । ଏହା ସହିତ ସହରର ମୋଟ କରୋନା ରୋଗୀ ସଂଖ୍ୟା ୬୮,୬୦୬ କୁ ବୃଦ୍ଧି ପାଇଛି ।

ମାସ୍କୋରେ ଲକଡାଉନ୍ କଡ଼ାକଡ଼ି ଭାବେ ପାଳନ କରାଯାଇଛି । ଏହି ସହରରେ ପ୍ରାୟ ୧.୨୦ କୋଟି ଲୋକ ନିଜ ଘରେ ହିଁ ରହୁଛନ୍ତି । ରାଷ୍ଟ୍ରପତି ବ୍ଲାଦିମୀରପୁତିନ ଋଷର ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ, ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଆସି ନାହିଁ ତେଣୁ ସୁରକ୍ଷିତ ରୁହନ୍ତୁ ।

ଏହି ସପ୍ତାହରେ, ଋଷର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁସ୍ତିନ୍ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ଶୁକ୍ରବାର ଦିନ ଅନ୍ୟ ବରିଷ୍ଠ ମନ୍ତ୍ରି ଭ୍ଲାଦିମିର ୟାକୁଶେଭ ମଧ୍ୟ କରୋନାରେ ପୀଡିତ ଥିଲେ ।

ଋଷରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ରୁଷ ସରକାର ଦେଶରେ କରାଯାଇଥିବା କରୋନା ପରୀକ୍ଷଣ ସଂଖ୍ୟାକୁ ଦିନକୁ ୪୦ ହଜାରକୁ ବୃଦ୍ଧି କରିଛନ୍ତି । ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଠାରେ ଲକ୍ଷଣ ଦେଖାଯାଉନାହିଁ । ତେଣୁ ଏହା ଏବେ ଚିନ୍ତାର କାରଣ ପାଲଟିଛି ।

ଭ୍ଲାଦିମିର ପୁଟିନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶରେ କରୋନା କିଟର ତୀବ୍ର ଅଭାବ ରହିଛି । କିଛି ଦିନ ପୂର୍ବରୁ ପୁତିନ ନିଜେ ମସ୍କୋର ଏକ ଡାକ୍ତରଖାନା ପରିଦର୍ଶନ କରିବାକୁ ଯାଇଥିଲେ। ଯେଉଁଠାରେ ସେ ହଳଦିଆ ରଙ୍ଗର ଏକ ପିପିଇ କିଟ୍ ପିନ୍ଧିଥିବାର ଦେଖାଯାଇଥିଲା ।
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ଜିଲ୍ଲାରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୨ ପଜିଟିଭ କୋଲକାତା ଫେରନ୍ତା ବୋଲି ସୂଚନା ରହିଛି । ବାସୁଦେବପୁର ଓ ଧାମନଗରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
2nd Health Update, 4th May
2 Positive cases in Bhadrak
45 yr Male & 55 yr Male4 Positive cases in Jajpur:
M 48 yr Male, 55 yr Male 60 yr Male & 62 yr Male.(All Kolkata returnees. All in quarantine)
Contact tracing & followup action is being done.Total Positive Case:169
— I & PR Department, Odisha (@IPR_Odisha) May 4, 2020
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି । ଏଥିସହ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ମୋଟ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛନ୍ତି ।
୬୦ ଜଣ କରୋନା ଭାଇରସ କବଳରୁ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ୧୦୮ଟି ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷରେ ଜଣଙ୍କ ଜୀବନ ନେଇଛି କରୋନା ।

