କାଲିଠୁ ରଥ ନିର୍ମାଣ ସମ୍ଭାବନା, ଘୋଷଯାତ୍ରା ନେଇ ନିଷ୍ପତ୍ତି ନେବେ ସରକାର

ପୁରୀ: କାଲିଠାରୁ ଆରମ୍ଭ ହୋଇପାରେ ରଥ ନିର୍ମାଣ । ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାମ ପାଇଁ ସହମତି ପ୍ରକାଶ ପାଇଛି । ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ  ପୁରୀ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ,ରଥଯାତ୍ରା ଧାର୍ମିକ ପର୍ବ ନୁହେଁ । ରଥଯାତ୍ରା ଧର୍ମୀୟ ପର୍ବ । ତେଣୁ ରଥ କାମ ଆରମ୍ଭ ହେବ । କିନ୍ତୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଶେଷ ନିଷ୍ପତି ସରକାର ନେବେ ।

ସେ କହିଛନ୍ତି ଯେ, ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ । ପୁରୀ ଗ୍ରୀନ ଜୋନରେ ଆସୁଛି,ତେଣୁ ରଥ ନିର୍ମାଣ ଆରମ୍ଭ ହେବ । ରଥଖଳାରେ ରଥ ନିର୍ମାଣ ହେବ । ସରକାର ଯଦି ରଥଯାତ୍ରା ନକରିବାକୁ ନିଷ୍ପତ୍ତି ନେବେ ତେବେ ସେଥିରେ କିଛି ଅସୁବିଧା ନାହିଁ । ଲୋକଙ୍କ ସୁରକ୍ଷା ପ୍ରଥମ ।

ପରିଚାଳନା କମିଟି ବୈଠକରେ  ରଥଯାତ୍ରା ଓ ସ୍ନାନ ଯାତ୍ରା ନେଇ କୌଣସି ଆଲୋଚନା ହୋଇନାହିଁ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ । ଗାଇଡ୍ ଲାଇନରେ ଏଭଳି କୌଣସି ଜିନିଶ ନାହିଁ  ଯାହା ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ବାରଣ କରୁଛି ।  ତେଣୁ ରଥ ନିର୍ମାଣ କାମ ଆରମ୍ଭ ହେବ ।

ତେବେ ବିଶେଷଜ୍ଞଙ୍କ କହିବା ହେଉଛି ପରିଚାଳନା କମିଟି ନିଷ୍ପତ୍ତିକୁ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ହିଁ ରଥ ନିର୍ମାଣ ଆରମ୍ଭ ହେବ । କମିଟିର ନିଷ୍ପତ୍ତିକୁ ରାଜ୍ୟ ସରକାର ପରଖିବା ପରେ ଏନେଇ କୌଣସି ନିଷ୍ପତ୍ତି ନେବେ ।

 

Leave a Reply