spot_img
Home Blog Page 7144

‘କୋଭିଡ୍-୧୯ କେୟାର ସେଣ୍ଟର’ ରୂପେ ପ୍ରସ୍ତୁତ ରେଲୱେର ୨୧୫ ଷ୍ଟେସନ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ପ୍ରସ୍ତୁତ ରହିଛି ଭାରତୀୟ ରେଳବାଇ । ଦେଶର ୨୧୫ଟି ଷ୍ଟେସନରେ ଭାରତୀୟ ରେଳବାଇ ଆଇସୋଲେସନ୍ କୋଚକୁ ପ୍ରସ୍ତୁତ କରି ରଖିଛି । ଏହି ଆଇସୋଲେସନ୍ କୋଚରେ ଆକ୍ରାନ୍ତ ଚିକିତ୍ସା ସହ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ।

ଯଦି ଚିକିତ୍ସା ବେଳେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼େ ତେବେ, ତାଙ୍କୁ ମେଡିକାଲ ସ୍ଥାନାନ୍ତରଣ କରାଯିବ । ସଂକ୍ରମଣ ଏଡ଼ାଇବା ପାଇଁ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ଅଲଗା ଅଲଗା କୋଚରେ ରଖାଯିବ । ଆଇସୋଲେସନ୍ କୋଚଗୁଡ଼ିକୁ ଗ୍ରୀନ୍, ୟେଲୋ ଜୋନରେ ମଧ୍ୟ ରଖାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଭିଡ୍ ହସ୍ପିଟାଲ ନିକଟରେ ଥିବା ରେଲୱେ ଷ୍ଟେସନରେ ଏହି ଆଇସୋଲେସନ୍ କୋଚଗୁଡ଼ିକୁ ରଖାଯିବ ।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ମେଟ୍ରୋ ସିଟି ସମେତ ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଆସାମ, ଅରୁଣାଚଳ ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ତେଲଙ୍ଗାନା, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡ଼ିଶା, ଛତିଶଗଡ଼, ତ୍ରିପୁର, ତାମିଲନାଡ଼ୁ, ଗୋଆ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ ।

ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ ଆରପିଏଫ୍ । ଜନସାଧାରଣଙ୍କ ଠାରୁ ଦୂରତା ବଜାୟ ରଖିବା ପାଇଁ ରେଲୱେ ଷ୍ଟେସନ୍, ପ୍ଲାଟଫର୍ମରେ ସୂଚନା ଫଳକ ଲଗାଯିବ । ୨୧୫ ଷ୍ଟେସନ୍ ମଧ୍ୟରୁ ୮୫ଟି ଷ୍ଟେସନରେ ସେମାନଙ୍କ ନିଜସ୍ୱ ମେଡିକାଲ୍ ଷ୍ଟାଫ୍ ରହିଛନ୍ତି । ଅନ୍ୟ ସ୍ଥାନରେ ସମ୍ପୃକ୍ତ ସରକାର ଷ୍ଟାଫ ଓ ଔଷଧ ଯୋଗାଇଦେବେ ।

ଏବେ ସୁଦ୍ଧା ୫ ହଜାର ୧୫୦ଟି ଆଇସୋଲେସନ୍ କୋଚ୍ ପ୍ରସ୍ତୁତ ହୋଇ ରହିଛି । ହସ୍ପିଟାଲ୍ ଅନ୍ ହ୍ୱିଲ୍ସ ଭାବେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହାକୁ କନର୍ଭଟ କରିବାକୁ ଯୋଜନା ହୋଇଛି । ରେଳବାଇ ପକ୍ଷରୁ କୋଚ୍ ଗୁଡ଼ିକୁ ନିୟମିତ ସଫା କରିବା ସହ ଧୁଆ ଯାଉଛି । ଏଥିରେ ଆଇଆରସିଟିସି ଖାଦ୍ୟ ଯୋଗାଣ କରିବ ବୋଲି ଜଣାପଡ଼ିଛି ।

ବୟସ୍କ ଆଇନ୍‌ଜୀବୀଙ୍କୁ ହାଇକୋର୍ଟ ନଆସିବାକୁ ପରାମର୍ଶ

କଟକ: ସାରା ଦେଶ ସମେତ ଓଡ଼ିଶା ମଧ୍ୟ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଛି । ମହାମାରୀ କରୋନାରେ ଏବେ ସୁଦ୍ଧା ରାଜ୍ୟରେ ୨୦୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିସାରିଲାଣି । ଅନ୍ୟପଟେ ଦେଶରେ ମୃତକଙ୍କ ସଂଖ୍ୟା ୧୭୮୩ ଛୁଇଁଲାଣି । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ ରୁ ଉର୍ଦ୍ଧ୍ୱ ବୋଲି ଜଣାପଡ଼ିଛି । ବୟସ୍କ ଓ ବୃଦ୍ଧମାନେ ଅଧିକାଂଶ କ୍ଷେତ୍ରରେ ଆକ୍ରାନ୍ତ ହେଉଥିବା ତଥ୍ୟ କହୁଛି ।

ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ଆଇନଜୀବୀ କୋର୍ଟ ନ ଆସିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, କୋରନା ମୁକାବିଲା ପାଇଁ ହାଇକୋର୍ଟ ପରିସରରେ ରେଜିଷ୍ଟର ଜେନେରାଲ, ଏ.ଜି ଓ ବାର ଆସୋସିଏସନ୍‌ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୟସ୍କ ଆଇନଜୀବୀଙ୍କ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବର୍ଗର ଆଇନଜୀବୀଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ କୋର୍ଟରେ ଭିଡିଓ କନଫେରନସିଂରେ କେବଳ ୪ରୁ୫ ଜଣ ଆଇନଜୀବୀଙ୍କୁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ମାମଲାରେ ସଂମ୍ପୃକ୍ତ ଆଇନଜୀବୀଙ୍କ ଶୁଣାଣୀ ଶେଷ ହେବା ପରେ କୋର୍ଟ ପରିସରରେ ଭିଡ଼ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି ।

କ୍ୟାରିୟର ଆରମ୍ଭରୁ କାହିଁକି ମାଧୁରୀଙ୍କୁ ରିଜେକ୍ଟ କରିଥିଲା ଦୂରଦର୍ଶନ ?

ମୁମ୍ବାଇ: ବଲିଉଡ଼ର ଧକ୍ ଧକ୍ ଗର୍ଲ ମାଧୁରୀ  । କେବେ ନିଜର ଅଭିନୟ ପାଇଁ ତ କେବେ ନିଜର ଡ୍ୟାନ୍ସ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥିବା ମାଧୁରୀ ମଧ୍ୟ କରିଛନ୍ତି ବହୁତ ଷ୍ଟ୍ରଗଲ । ସେ ମଧ୍ୟ ନିଜ କ୍ୟାରିୟର ଆରମ୍ଭରୁ ସାମ୍ନା କରିଛନ୍ତି ବହୁ ରିଜେକ୍ସନର । ଏବେ ଯାହାଙ୍କ ହସର ଦିୱାନ ହୋଇଛି ଦୁନିଆ ତାଙ୍କ ହସର ଜାଦୁରେ କେବେ ପାଗଳ ହୋଉଥିଲେ ସିନେ ପ୍ରେମୀ । ଏହି ନାୟିକା ‘ହମ ଆପ କେ ହେ କୌନ୍, ଦେବଦାସ, ଅଞ୍ଜାମ ଏବଂ କୋଏଲା ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ।

ତେବେ ଆପଣ ଜାଣନ୍ତି ଏହି ନାୟିକା ଜଣଙ୍କ ଯେତେବେଳେ ନିଜ ଅଭିନୟକୁ କ୍ୟାରିୟର କରିବାକୁ ଚାହୁଁଥିଲେ ସେ ଅନେକ ରିଜେକ୍ସନକୁ ସାମ୍ନା କରିଥିଲେ । ସେ ପ୍ରଥମେ ତାଙ୍କ କ୍ୟାରିୟର ଟେଲିଭିଜନରେ ଆରମ୍ଭ କରିବାକୁ ଯାଉଥିଲେ । ସେ ଏକ ସିରିଏଲ ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଥିଲେ । ୧୯୮୪ ମସିହାରେ ଦୂରଦର୍ଶନ ପାଇଁ ଏକ ସିରିଏଲ କରିଥିଲେ ଯାହାର ନାଁ ଥିଲା ବମ୍ବେ ମେରି ହେ ।

ଏଥିରେ ମୁଖ୍ୟ ଭୂମିକାରେ ଥିଲେ ମାଧୁରୀ ଦିକ୍ଷିତ୍ ଏବଂ ତାଙ୍କ ବିପକ୍ଷ  ଥିଲେ  ସେବେକାର  ଜଣାଶୁଣା ଟିଭି ଅଭିନେତା ବେଜାମିନ ଗିଲାନି  ।  ଗୀଲାନି ଅନେକ ହିଟ୍ ସିରିଏଲ ମଧ୍ୟ ଦେଇଥିଲେ । ଏବଂ ଏହି ସିରିଏଲର ନିର୍ଦ୍ଦେଶକ ଥିଲେ ଅନିଲ ତେଜନି, ଯିଏ କି ଗୋବିନ୍ଦା ଏବଂ ସଲମାନଙ୍କ ଫିଲ୍ମ ପାର୍ଟନର ନିର୍ଦ୍ଦେଶନା ଦେଇଥିଲେ ।

ସିରିଏଲର ପ୍ରଥମ ଏପିସୋଡ଼ର ଶୁଟିଂ ସରିଥିଲା ଏବଂ ଏଥିପାଇଁ ଟ୍ରାକ୍ ବା ଗୀତ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା । କିନ୍ତୁ ଯେତେବେଳେ ଏପିସୋଡ଼ଟି ଦୂରଦର୍ଶନକୁ ପଠାଗଲା, କିନ୍ତୁ ଦୂରଦର୍ଶନ ଏହାକୁ  ରିଜେକ୍ଟ କରିଥିଲା । ଏବଂ ରିଜେକ୍ଟର କାରଣ ପାଲଟିଥିଲା ସିରିଏଲରେ କାଷ୍ଟ କରାଯାଇଥିବା ଅଭିନେତା ଓ ଅଭିନେତ୍ରୀ  । ତେବେ ଏହି ସିରିଏଲର ଫଟୋ ଏବେ ବି ଇଣ୍ଟରନେଟରେ ରହିଛି ।

ତେବେ ମାଧୁରୀଙ୍କ କଥା କହିବାକୁ ଗଲେ ମାଧୁରୀଙ୍କୁ ୧୯୮୪ରେ ରାଜଶ୍ରୀ ପ୍ରଡକ୍ସନ ଦ୍ୱାରା ନିର୍ମିତ ଫିଲ୍ମ ଅବୋଧ’ରେ ତାଙ୍କୁ ଡେବ୍ୟୁର ସୁଯୋଗ ମିଳିଥିଲା ।

ଏଣିକି ଆଉ ୧୪ ଦିନ ନୁହେଁ ୨୧ ଦିନ ରହିବ କ୍ୱାରେଣ୍ଟାଇନ୍‌ ଅବଧି

ଭୁବନେଶ୍ୱର: ଏଣିକି ଆଉ ୧୪ ଦିନ ନୁହେଁ ୨୧ ଦିନ ପର୍ଯ୍ୟନ୍ତ ରହିବ କ୍ୱାରେଣ୍ଟାଇନ୍‌ ଅବଧି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଉଛି । ଖୁବ୍‌ ଶୀଘ୍ର ଏନେଇ ବିଦ୍ଧିବଦ୍ଧ ଘୋଷଣା ମଧ୍ୟ କରାଯିବ । ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଭଳି ଯୋଜନା ଲାଗୁ କରାଯାଇପାରେ ।

ତେବେ କ୍ୱାରେଣ୍ଟାଇନ୍‌ ଅବଧି ବଢ଼ିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଶ୍ରୀନାଥ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଜିଲ୍ଲା ମୁଖ୍ୟାଳୟରୁ  ୧୩ ଜଣ ମନ୍ତ୍ରୀ, ଲୋକସେବା ଭବନରେ ୭ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗର ସଚିବମାନେ ଏହି ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସରୁ ଡ.ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି । ହରିୟାଣାର ଗୁଡ୍‌ଗାଓଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍‌ସିଂରେ ଯ଼ୋଡି ହୋଇଥିଲେ ଡ. ରେଡ୍ଡୀ ।

ତେବେ ଡ.ରେଡ୍ଡୀ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏଭଳି ପରାମର୍ଶ ଦେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଏନେଇ ଦେଇଛନ୍ତି ।

ଗ୍ୟାସ ଲିକ୍ ଘଟଣାରେ ଏମିତି ପ୍ରତିକ୍ରିୟା ରଖିଲେ ଅଭିନେତାମାନେ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଗ୍ୟାସ ଲିକ୍ ଘଟଣାକୁ ନେଇ ଏବେ ଅଭିନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀ, ଆଲୁ ଅର୍ଜୁନ ଏବଂ ମହେଶ ବାବୁଙ୍କ ସହ ସାଉଥରେ ଜଣାଶୁଣା ଅଭିନେତାମାନେ ଏହି ଘଟଣା ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଚିରଞ୍ଜିବ ଟ୍ୱିଟରେ ଲେଖିଛନ୍ତି ଯେ,ସବୁ ଅଧିକାରୀଙ୍କୁ ଲକଡାଉନର ପରେ ଫ୍ୟାକ୍ଟ୍ରି ଗୁଡ଼ିକ ଖୋଲିବାକୁ ଅନୁମତି ଦେବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ନିର୍ଦ୍ଦେଶକ ଏସଏସ ରାଜାମୌଲି ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଗ୍ୟାସ ଲିକ୍ ପରେ ଏହାର ଫଟୋ ସାମ୍ନାକୁ ଆସିବା ପରେ ଏବେ ଏହା ସମସ୍ତଙ୍କୁ ସମସ୍ୟାରେ ପକାଇଛି । ମୁଁ ସେ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବଂ ଏହି ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।

 

ବଲିଉଡ଼ ଅଭିନେତା ଅନୁପମ ଖେର ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ରବି ତେଜା ମଧ୍ୟ ଏହି ଘଟଣାଙ୍କୁ ନେଇ ଟ୍ୱିଟ କରିଛନ୍ତି ।  ଏହାସହ ସାଉଥର ସୁପର ହିଟ୍ ଅଭିନେତ୍ରୀ ତମନା ଭାଟ୍ଟିଆ ମଧ୍ୟ ଏହାକୁ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।

ଇସାରାରେ ପାକିସ୍ତାନକୁ ଭାରତର ଜବାବ: ଗିଲ୍‌ଗିଟ୍-ବାଲିଚିସ୍ତାନ ଅଞ୍ଚଳର ପାଣିପାଗ ନେଇ ପୂର୍ବାନୁମାନ କଲା IMD

ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତର ଜବାବ । ଇସାରାରେ ଗିଲ୍‌ଗିଟ୍-ବାଲିଚିସ୍ତାନ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଲା ଭାରତ । ଭାରତୀୟ ପାଣିପାଗ ବିଭାଗ ଜମ୍ମୁ କଶ୍ମୀର ସବ୍‌ ଡିଭିଜନକୁ ଏବେ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦ କହିବା ଆରମ୍ଭ କରିଦେଇଛି ।

NBT

ମଙ୍ଗଳବାର ଆଇଏମ୍‌ଡି ନର୍ଥଓ୍ୱେଷ୍ଟ ଇଣ୍ଡିଆ ପାଇଁ ପାଣିପାଗର ପୂର୍ବାନୁମାନ କରିଛି । ସେଥିରେ ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦକୁ ମଧ୍ୟ ସାମିଲ କରାଯାଇଛି । ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦ ଉଭୟ ଉପରେ ପାକିସନ୍ତାନର ଅବୈଧ ଅକ୍ତିଆର ରହିଛି ।

ଆଇଏମ୍‌ଡି ଡାଇରେକ୍ଟର ଜେନରାଲ୍ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆଇଏମ୍‌ଡି ସମ୍ପର୍ଣ୍ଣ ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ ବୁଲେଟିନ୍‌ ଜାରି କରିଛି । ଆମେ ବୁଲେଟିନ୍‌ରେ ଗିଲ୍‌ଗିଟ୍-ବାଲିଚିସ୍ତାନ ଏବଂ ମୁଜାଫରବାଦ ବିଷୟରେ ଏଥିପାଇଁ ଉଲ୍ଲେଖ କରିଛୁ ଯେ, କାହିଁକି ଏହା ଭାରତର ଅଂଶ । ଚଳିତ ମାସ ଆରମ୍ଭ ଭାରତ ସ୍ପଷ୍ଟ କରିଦେଇଛି ଯେ, ପାକିସ୍ତାନର ଏହି ସବୁ ଅଞ୍ଚଳରେ ଉପରେ କୌଣସି ହକ୍ ନାହିଁ । ସୁପ୍ରିମକୋର୍ଟର ପାକିସ୍ତାନ ସରକାରଙ୍କୁ ଗିଲ୍‌ଗିଟ୍-ବାଲିଚିସ୍ତାନ ନିର୍ବାଚନ କରିବା ଲାଗି ଆଦେଶ ଦେଇଛି । ଭାରତ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ପାକିସ୍ତାନ ସମ୍ପୃକ୍ତ ଅଞ୍ଚଳର ଆଭ୍ୟନ୍ତରୀଣ ବ୍ୟାପରରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ।

କାହିଁକି ହେଲା ଗ୍ୟାସ୍‌ ଲିକ୍‌, ଆସିଲା ପ୍ରାଥମିକ ରିପୋର୍ଟ…

ବିଶାଖାପାଟନମ୍: ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ପ୍ରାରମ୍ଭିକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ, ଗ୍ୟାସ୍‌ ଭଲଭରେ ସମସ୍ୟା ହେତୁ ଏହି ଦୁର୍ଘଟଣା ଘଟିଛି । ଗୁରୁବାର ଭୋର ସାଢ଼େ ଦୁଇଟା ସମୟରେ ଗ୍ୟାସ୍ ଭଲଭ୍ ଖରାପ ହୋଇ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏନେଇ ଅଧିକାରୀଙ୍କ ଏକ ସ୍ୱତନ୍ତ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଘଟଣାର ଅନୁସନ୍ଧାନ କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଗ୍ୟାସ୍ ପାଇଁ ଉଦ୍ଧିଷ୍ଟ ଭଲଭ୍‌ର ସଠିକ୍‌ ପରିଚାଳନା କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଅନ୍ୟପଟେ ସାଇରନ୍‌ ମଧ୍ୟ ବାଜି ନଥିଲା । ଯାହାଦ୍ୱାରା ଲୋକ ସତର୍କ ହୋଇନଥିଲେ । ତେଣୁ କାରଖାନା ପାଖାପାଖି ଅଞ୍ଚଳରେ ଥିବା ଅଧିକାଂଶ ଲୋକ ଏହି ବିଷାକ୍ତ ଗ୍ୟାସ୍‌ କବଳରେ ଆସିଥିଲେ ଏବଂ ଅସୁସ୍ଥ ହୋଇଥିଲେ ।

ବିଶାଖାପାଟନମରେ ଥିବା ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହେବା ପରେ ଏହାର ପ୍ରଥମ ପ୍ରତିକ୍ରିୟାରେ ଏଲଜି କେମ୍‌ କହିଛନ୍ତି ଯେ ବର୍ତ୍ତମାନ ଗ୍ୟାସ୍‌ ଲିକ୍ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ପୀଡିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । କମ୍ପାନୀ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ବିଶାଖାପାଟନମ୍‌ର ଏହି କାରଖାନାରୁ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗ୍ୟାସ୍‌ ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ଲୋକମାନେ ରାସ୍ତାରେ ଚେତାଶୂନ୍ୟ ହୋଇ ପଡ଼ିବା ଦେଖାଯାଇଥିଲା । ଏବେ ସଦ୍ଧା ଗ୍ୟାସ୍ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୩୧୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

କାମାକ୍ଷାନଗର: ଅବକାରୀ ବିଭାଗର ଚଢ଼ାଉ, ୯୧ ଲିଟର ଦେଶୀ ମଦ ଜବତ ସହ ୫ ଜଣ ଗିରଫ । ଧୂଳିଗୋଠ ଗାଁରେ କଙ୍କଡ଼ାହାଡ଼ ପୋଲିସର ଚଢ଼ାଉ । ୧୧୧ ଲିଟର ମଦ ଜବତ, ଜଣେ ଗିରଫ ।

କାମାକ୍ଷାନଗର: ଅବକାରୀ ବିଭାଗର ଚଢ଼ାଉ, ୯୧ ଲିଟର ଦେଶୀ ମଦ ଜବତ ସହ ୫ ଜଣ ଗିରଫ । ଧୂଳିଗୋଠ ଗାଁରେ କଙ୍କଡ଼ାହାଡ଼ ପୋଲିସର ଚଢ଼ାଉ । ୧୧୧ ଲିଟର ମଦ ଜବତ, ଜଣେ ଗିରଫ ।

ଲକଡାଉନ ଭିତରେ ଆସିଲା UG ଓ PG ପରୀକ୍ଷା ତାରିଖ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସହ କଲେଜ ଖୋଲିବା ସହ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି ପରୀକ୍ଷା ବିଜ୍ଞପ୍ତି । ଯୁକ୍ତ ୩ ଶେଷ ବର୍ଷ ଓ ପିଜି ଶେଷ ବର୍ଷ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ କଲେଜରେ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ହେବ ।

+୩ ଶେଷ ବର୍ଷ ପରୀକ୍ଷା ବା ଷଷ୍ଠ ସେମିଷ୍ଟାର ଜୁଲାଇ ୨୪ ତାରିଖ ସୁଦ୍ଧା ସରିବ । ରେଜଲ୍ଟ ଅଗଷ୍ଟ ୩୧ ସୁଦ୍ଧା ପ୍ରକାଶ ପାଇବ । ସେହିପରି ପିଜି ଦ୍ୱିତୀୟ ବର୍ଷ ପରୀକ୍ଷା ବା ଚତୁର୍ଥ ସେମିଷ୍ଟାର ଅଗଷ୍ଟ ୨୦ ସୁଦ୍ଧା ସରିବ । ରେଜଲ୍ଟ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ । ପରୀକ୍ଷା ସୂଚୀ ବିସ୍ତୃତ ଭାବେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ପ୍ରକାଶ କରିବେ ।

ତେବେ, ବ୍ୟାକ ପେପର ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପରୀକ୍ଷା ବେଳେ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯିବ । ସାମାଜିକ ଦୂରତ୍ୱ ରକ୍ଷା ସହ ହାତ ସଫା, ମାସ୍କ ବ୍ୟବହାରକୁ , ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷାରେ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବ । ତା ପୂର୍ବରୁ ଶ୍ରେଣୀକକ୍ଷ ଓ ଲାବ୍ରୋଟୋରୀଗୁଡ଼ିକୁ ସଂକ୍ରମଣମୁକ୍ତ କରାଯିବ । ପରବର୍ତ୍ତୀ ସମୟରେ ଯୁକ୍ତ ୩ ଓ ପିଜି ବ୍ୟାକ୍ ପେପର ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଆଜିଠୁ ଖୋଲିବ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ

କୋଭିଡ୍‌ ମୁକାବିଲା, ବିପଦ ହ୍ରାସ କରିବ ସାମାଜିକ ଦୂରତା: ରେଡ୍ଡୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ. ଶ୍ରୀନାଥ ରେଡ୍ଡୀ ଗୁରୁବାର “କୋଭିଡ୍‌ରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା”  ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡେଣ୍ଟ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ଡଃ ରେଡ୍ଡୀ ମୁଖ୍ୟତଃ କରୋନା ଭାଇରସର ଉତ୍ପତି, ସଂକ୍ରମଣ ସାରା ବିଶ୍ୱର ପରିସ୍ଥିତି ଏବଂ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ । ଯେହେତୁ କରୋନା ଭାଇରସ୍‌ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ ଉଦ୍ଭାବନ ହୋଇନାହିଁ, ତେଣୁ ସାମାଜିକ ଦୂରତ୍ୱ ଉପରେ ସେ ଗୁରୁତତ୍ୱାରୋପ କରିଛନ୍ତି । ଜନସାଧାରଣଙ୍କର ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ବନ୍ୟଜନ୍ତୁ ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି ଓ ପାଟି ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ ଯୁଦ୍ଧରେ ମାନବ ସମାଜ ବିଜୟୀ ହୋଇପାରିବ ବୋଲି ରେଡ୍ଡୀ ମତବ୍ୟକ୍ତ କରିଛନ୍ତି ।

ବିଭିନ୍ନ ସଂକ୍ରମିତ ଦେଶ ମାନଙ୍କରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଡ୍ଡୀ କହିଛନ୍ତି ଯେ, କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ । ତାସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ । କେତେକ କ୍ଷେତ୍ରରେ ଏହା ଥ୍ରୋମ୍ବୋସିସ୍‌ (Thrombosis) ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ବୟସ ନିର୍ବିଶେଷରେ ଏହି କରୋନା ଭାଇରସ ସମସ୍ତଙ୍କୁ ସଂକ୍ରମିତ କରିଥାଏ । ଯେହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରହନ୍ତୁ, ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ତଥା ରୋଗୀ ମାନେ ଗୁରୁତର ଭାବରେ ପୀଡିତ ହେବା ଏବଂ ମୃତ୍ୟୁମୁଖରେ ପଡିବା ଅଧିକ ଆଶଙ୍କା ରହିଛି ।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷ କରି ଓଡିଶାର ସଫଳତାର ସେ ଉଚ୍ଚପ୍ରଶଂସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ବ୍ରିଟେନ୍‌, ଆମେରିକା, ସ୍ୱିଡେନ୍‌ ପରି ଆଗୁଆ ଦେଶମାନେ ଲକ୍‌ଡାଉନ୍‌ ନ କରିବା ଫଳରେ ସେ ଦେଶ ଗୁଡିକୁ ବହୁମୂଲ୍ୟ ଦେବାକୁ ପଡିଛି । କିନ୍ତୁ ଭିଏତନାମ୍‌ ପରି ଦେଶ Isolation, Contract Tracing ଏବଂ Large Scale Testing ଦ୍ୱାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିଛି । ଉଚ୍ଚ ତାପମାତ୍ରା ସହିତ ଆଦ୍ରତା ପ୍ରଭାବରେ ଏହି ଭାଇରସ୍‌ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ୍‌ Climatic Temperature Neutral ବୋଲି ସେ ମତ ଦେଇଥିଲେ ।    ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍‌ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ୍‌ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଟୀକା ବାହାରିପାରେ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଲକ୍ଷଣଭିତ୍ତିକ ରୋଗ ଅନୁସଂଧାନ ଉପରେ ସେ ଗୁରୁତ୍ୱ ଦେବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ୱ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର୍‌ ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ଦେଇଥିଲେ ।

ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୋଲିସ୍‌ କର୍ମଚାରୀ ମଧ୍ୟ ଅଧିକ ବିପଦସଂକୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର । ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ୍‌ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡଃ ରେଡ୍ଡୀଙ୍କୁ ସ୍ୱାଗତ କରି ଆଲୋଚନା ଆରମ୍ଭ କରିଥିଲେ । ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶାପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ଡଃ ରେଡ୍ଡୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବରେ କାମ କରିଥିବା ବେଳେ ବର୍ତ୍ତମାନ Covid Solidarity Group Trial ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟରତ । Covid Care, ସଂକ୍ରମିତ ଅଞ୍ଚଳ, ସଂକ୍ରମଣ ଧାରା ଓ ଲକ୍‌ ଡାଉନ୍‌ର ପ୍ରଭାବ ଉପରେ ସେ ଅନେକ ଉପାଦେୟ ଲେଖା ରଚନା କରିଛନ୍ତି ।