ବୟସ୍କ ଆଇନ୍‌ଜୀବୀଙ୍କୁ ହାଇକୋର୍ଟ ନଆସିବାକୁ ପରାମର୍ଶ

କଟକ: ସାରା ଦେଶ ସମେତ ଓଡ଼ିଶା ମଧ୍ୟ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଛି । ମହାମାରୀ କରୋନାରେ ଏବେ ସୁଦ୍ଧା ରାଜ୍ୟରେ ୨୦୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିସାରିଲାଣି । ଅନ୍ୟପଟେ ଦେଶରେ ମୃତକଙ୍କ ସଂଖ୍ୟା ୧୭୮୩ ଛୁଇଁଲାଣି । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ ରୁ ଉର୍ଦ୍ଧ୍ୱ ବୋଲି ଜଣାପଡ଼ିଛି । ବୟସ୍କ ଓ ବୃଦ୍ଧମାନେ ଅଧିକାଂଶ କ୍ଷେତ୍ରରେ ଆକ୍ରାନ୍ତ ହେଉଥିବା ତଥ୍ୟ କହୁଛି ।

ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ଆଇନଜୀବୀ କୋର୍ଟ ନ ଆସିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, କୋରନା ମୁକାବିଲା ପାଇଁ ହାଇକୋର୍ଟ ପରିସରରେ ରେଜିଷ୍ଟର ଜେନେରାଲ, ଏ.ଜି ଓ ବାର ଆସୋସିଏସନ୍‌ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୟସ୍କ ଆଇନଜୀବୀଙ୍କ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବର୍ଗର ଆଇନଜୀବୀଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ କୋର୍ଟରେ ଭିଡିଓ କନଫେରନସିଂରେ କେବଳ ୪ରୁ୫ ଜଣ ଆଇନଜୀବୀଙ୍କୁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ମାମଲାରେ ସଂମ୍ପୃକ୍ତ ଆଇନଜୀବୀଙ୍କ ଶୁଣାଣୀ ଶେଷ ହେବା ପରେ କୋର୍ଟ ପରିସରରେ ଭିଡ଼ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି ।

Leave a Reply