କୋଭିଡ୍‌ ମୁକାବିଲା, ବିପଦ ହ୍ରାସ କରିବ ସାମାଜିକ ଦୂରତା: ରେଡ୍ଡୀ

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ. ଶ୍ରୀନାଥ ରେଡ୍ଡୀ ଗୁରୁବାର “କୋଭିଡ୍‌ରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା”  ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡେଣ୍ଟ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ଡଃ ରେଡ୍ଡୀ ମୁଖ୍ୟତଃ କରୋନା ଭାଇରସର ଉତ୍ପତି, ସଂକ୍ରମଣ ସାରା ବିଶ୍ୱର ପରିସ୍ଥିତି ଏବଂ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ । ଯେହେତୁ କରୋନା ଭାଇରସ୍‌ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ ଉଦ୍ଭାବନ ହୋଇନାହିଁ, ତେଣୁ ସାମାଜିକ ଦୂରତ୍ୱ ଉପରେ ସେ ଗୁରୁତତ୍ୱାରୋପ କରିଛନ୍ତି । ଜନସାଧାରଣଙ୍କର ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ବନ୍ୟଜନ୍ତୁ ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି ଓ ପାଟି ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ ଯୁଦ୍ଧରେ ମାନବ ସମାଜ ବିଜୟୀ ହୋଇପାରିବ ବୋଲି ରେଡ୍ଡୀ ମତବ୍ୟକ୍ତ କରିଛନ୍ତି ।

ବିଭିନ୍ନ ସଂକ୍ରମିତ ଦେଶ ମାନଙ୍କରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଡ୍ଡୀ କହିଛନ୍ତି ଯେ, କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ । ତାସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ । କେତେକ କ୍ଷେତ୍ରରେ ଏହା ଥ୍ରୋମ୍ବୋସିସ୍‌ (Thrombosis) ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ବୟସ ନିର୍ବିଶେଷରେ ଏହି କରୋନା ଭାଇରସ ସମସ୍ତଙ୍କୁ ସଂକ୍ରମିତ କରିଥାଏ । ଯେହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରହନ୍ତୁ, ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ତଥା ରୋଗୀ ମାନେ ଗୁରୁତର ଭାବରେ ପୀଡିତ ହେବା ଏବଂ ମୃତ୍ୟୁମୁଖରେ ପଡିବା ଅଧିକ ଆଶଙ୍କା ରହିଛି ।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷ କରି ଓଡିଶାର ସଫଳତାର ସେ ଉଚ୍ଚପ୍ରଶଂସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ବ୍ରିଟେନ୍‌, ଆମେରିକା, ସ୍ୱିଡେନ୍‌ ପରି ଆଗୁଆ ଦେଶମାନେ ଲକ୍‌ଡାଉନ୍‌ ନ କରିବା ଫଳରେ ସେ ଦେଶ ଗୁଡିକୁ ବହୁମୂଲ୍ୟ ଦେବାକୁ ପଡିଛି । କିନ୍ତୁ ଭିଏତନାମ୍‌ ପରି ଦେଶ Isolation, Contract Tracing ଏବଂ Large Scale Testing ଦ୍ୱାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିଛି । ଉଚ୍ଚ ତାପମାତ୍ରା ସହିତ ଆଦ୍ରତା ପ୍ରଭାବରେ ଏହି ଭାଇରସ୍‌ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ୍‌ Climatic Temperature Neutral ବୋଲି ସେ ମତ ଦେଇଥିଲେ ।    ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍‌ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ୍‌ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଟୀକା ବାହାରିପାରେ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଲକ୍ଷଣଭିତ୍ତିକ ରୋଗ ଅନୁସଂଧାନ ଉପରେ ସେ ଗୁରୁତ୍ୱ ଦେବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ୱ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର୍‌ ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ଦେଇଥିଲେ ।

ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୋଲିସ୍‌ କର୍ମଚାରୀ ମଧ୍ୟ ଅଧିକ ବିପଦସଂକୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର । ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ୍‌ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡଃ ରେଡ୍ଡୀଙ୍କୁ ସ୍ୱାଗତ କରି ଆଲୋଚନା ଆରମ୍ଭ କରିଥିଲେ । ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶାପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ଡଃ ରେଡ୍ଡୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବରେ କାମ କରିଥିବା ବେଳେ ବର୍ତ୍ତମାନ Covid Solidarity Group Trial ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟରତ । Covid Care, ସଂକ୍ରମିତ ଅଞ୍ଚଳ, ସଂକ୍ରମଣ ଧାରା ଓ ଲକ୍‌ ଡାଉନ୍‌ର ପ୍ରଭାବ ଉପରେ ସେ ଅନେକ ଉପାଦେୟ ଲେଖା ରଚନା କରିଛନ୍ତି ।

Leave a Reply