spot_img
Home Blog Page 7080

ବୁକିଂ ସାଇଟ୍‌ ଖୋଲୁ ଖୋଲୁ ୪ ଲକ୍ଷ ରେଳ ଟିକେଟ୍‌ ବୁକ୍‌ !

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧା ପାଇଁ ଜୁନ୍ ୧ ରୁ ୨୦୦ ଟ୍ରେନ୍‌ ଚଳାଚଳ କରିବାକୁ ଭାରତୀୟ ରେଳ ବିଭାଗ ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକ ପାଇଁ ବୁକିଂ ଗୁରୁବାର ସକାଳ ୧୦ ଟାରୁ ବୁକିଂ ଆରମ୍ଭ ହୋଇଛି । ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଟିକେଟ୍ ବୁକ୍ କରାଯାଇଛି ।  ସ୍ୱତନ୍ତ୍ର ଓ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ରେଳବାଇ ଏହି ୨୦୦ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକରେ ସାଧାରଣ ବଗି ପାଇଁ ଟିକେଟ୍ ମଧ୍ୟ ବୁକ୍ କରାଯାଇପାରିବ । କନ୍‌ଫର୍ମ ଟିକେଟ୍ ଧାରକ ହିଁ ଏହି ଟ୍ରେନରେ ଯାତ୍ରା କରିପାରିବ ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଜୁନ୍ରୁ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ୍ ପାଇଁ ରେଳବାଇ ପକ୍ଷରୁ ୧୦ଟି ୱେବ୍‌ସାଇଟ୍‌ରେ ବୁକିଂ ଆରମ୍ଭ ହୋଇଥିଲା । ବୁକିଂ ସାଇଟ୍‌ ଖୋଲିବା ଆରମ୍ଭରୁ ଘଣ୍ଟାଏ ମଧ୍ୟରେ ଦେଢ଼ ଲକ୍ଷ ଟିକେଟ୍ ବୁକ୍ କରାଯାଇଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୭୩ଟି ଟ୍ରେନ୍ ପାଇଁ ୧ ଲକ୍ଷ ୪୯ ହଜାର ୦୨୫ ଟିକେଟ୍ ବୁକ୍ ହୋଇଥିଲା । ଏହାଦ୍ୱାରା ୨ ଲକ୍ଷ ୯୦ ହଜାର ୫୧୦ ଲୋକ ଏହି ଟିକେଟ୍‌ରେ ଯାତ୍ରା କରିପାରିବେ ।

ପୀୟୁଷ ଗୋୟଲ କହିଛନ୍ତି ଯେ, ଜୁନ୍ ୧ରୁ ଚାଲିବାକୁ ଥିବା ଟ୍ରେନ୍ ପାଇଁ ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଦ୍ୱିତୀୟ ଶ୍ରେଣୀ ଟିକେଟ୍‌  ଟିକେଟ୍ ବୁକ୍ ହୋଇଛି । ଟିକେଟ୍ ବୁକିଂରୁ ଜଣାପଡ଼ୁଛି ବହୁ ସଂଖ୍ୟାରେ ଲୋକ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଅନେକ ଲୋକ ନିଜ କର୍ମ କ୍ଷେତ୍ରକୁ ମଧ୍ୟ ଯିବାକୁ ଚାହୁଛନ୍ତି ।

ଆଗାମୀ ଦିନରେ ରେଳବାଇ ପକ୍ଷରୁ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୀୟୁଷ ଗୋୟଲ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ରେଳ ୱେବସାଇଟ୍ ଏବଂ ଆପ୍ ବ୍ୟତୀତ ଅନ୍ୟ ୧.୭ ଲକ୍ଷ ସେବା କେନ୍ଦ୍ରରୁ ଏହି ୨୦୦ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରାଯାଇପାରିବ ।

୨୫ ତାରିଖ ସୁଦ୍ଧା ସେବାୟତଙ୍କ ତାଲିକା ଦେବେ ସବୁ ନିଯୋଗ

ପୁରୀ: ସ୍ନାନ ଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି । ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ନିଯୋଗ ସେମାନଙ୍କ ସେବାୟତଙ୍କ ତାଲିକା ଦେବାକୁ କୁହାଯାଇଛି । କୋଭିଡ୍ କଟକଣା ଭିତ୍ତିରେ କିଭଳି ନୀତି ସମ୍ପାଦନ କରାଯିବ ସେନେଇ ଆଲୋଚନା ହୋଇଛି । ଲକଡାଉନ୍ ସମୟରେ ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ନୀତି କିଭଳି ସମ୍ପାଦନ କରାଯିବ ସେନେଇ ଧାର୍ମିକ ଗୁରୁଙ୍କ ମତ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସେବାୟତମାନେ ମହାପ୍ରଭୁଙ୍କ ସମସ୍ତ ସେବାନୀତି ଶୃଙ୍ଖଳିତ ଓ ନିୟମ ଅନୁସାରେ କରିବା ନେଇ ମତ ଦେଇଛନ୍ତି ।

ଆଗାମୀ ଜୁନ୍ ୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଠାରୁ ଆରମ୍ଭକରି ଜଳ ବିଜେ, ସ୍ନାନ ନୀତି ତଥା ଗଜାନନ ବେଶ ସୂଚାରୁ ରୂପେ ସମ୍ପାଦନ କରିବାନେଇ ବୈଠକରେ ଆଲୋଚନା କରାଯାଇଛି । କୋଭିଡ୍-୧୯ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଓ ସୂଚାରୁ ରୂପେ ହେବ ସେ ନେଇ ବିଭିନ୍ନ ନିଯୋଗ ସେବାୟତଙ୍କ ତାଲିକା ଦେବେ ।

ଚଳିତ ବର୍ଷ ୧୫ ଦିନ ଅଣସର ନୀତି କରିବା ସହ ଶୀଘ୍ର ପହଣ୍ଡି କରିବା ନେଇ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ । ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଗୁଡ଼ିକ କିଭଳି କରାଯିବ ସେନେଇ ଧାର୍ମିକ ଗୁରୁଙ୍କ ମତାମତ ନିଆଯିବ । ଜିଲ୍ଲାପାଳ ବୈଠକ କରି ଆବଶ୍ୟକୀୟ ପଦକ୍ଷେପ ନେବେ ।

ବୈଠକରେ ପୂଜାପଣ୍ଡା, ପୁଷ୍ପାଳକ, ଗରାବଡୁ, ସୁଆରବଡୁ, ପତ୍ରୀ ବଡୁ, ମହାଜନ, ପ୍ରତିହାରୀ, ଖୁଣ୍ଟିଆ, ମେକାପ ଓ ସୁଆର ମହାସୁଆର ନିଯୋଗର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସ୍ନାନ ଯାତ୍ରା ଦିନ ନୀତି ସମ୍ପାଦନ ପାଇଁ ଆବଶ୍ୟକୀୟ ସେବାୟତ ମାନେ ହିଁ ଉପସ୍ଥିତ ରହି ନୀତି କରିବାକୁ ମତ ରଖିଥିଲେ । ରଥଯାତ୍ରାରେ ଆବଶ୍ୟକ ହେଲେ ସବୁ ସେବାୟତ ମିଶିକରି ରଥ ଭିଡ଼ିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ଚୀନରେ କୋଭିଡ୍ ୧୯ର ଦ୍ୱିତୀୟ ଫେଜ୍, ରୂପ ବଦଳାଇ ଆସୁଛି କରୋନା

ବେଜିଂ: ଚୀନରେ କରୋନା ଭାଇରସରେ ସଂକ୍ରମିତଙ୍କ ଠାରେ ଗମ୍ଭୀର ଲକ୍ଷଣ ଦେଇଖିବାକୁ ମିଳିଛି । ଏହି ନୂତନ ରୋଗୀମାନଙ୍କ ମଧ୍ୟରେ କରୋନାର ଭିନ୍ନତା ଦେଖିବାକୁ ମିଳିଛି । ଏବଂ ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରସ୍ କ୍ରମାଗତ ଭାବରେ ନିଜକୁ ପରିବର୍ତ୍ତନ କରୁଛି । ଏହି ନୂତନ ରୋଗୀମାନେ ସୁସ୍ଥ ହେବା ପାଇଁ ଅଧିକ ସମୟ ନେଉଛନ୍ତି ଏବଂ ସେମାନଙ୍କ ଠାରେ ଦୀର୍ଘ ସମୟ ଧରି କରୋନା ଭାଇରସ୍ ବଞ୍ଚି ରହୁଛି ।

ଏନେଇ ଜଣେ ଡାକ୍ତର କହିଛନ୍ତି ଯେ ଦୀର୍ଘ ଦିନ ଧରି ଚୀନ୍‌ର ଜିଲିନ୍‌ ଏବଂ ହିଲୋଙ୍ଗଜିଆଙ୍ଗ ଅଞ୍ଚଳରେ ରୋଗୀମାନଙ୍କଠାରେ କରୋନା ଭାଇରସ୍ ରହୁଛି । କେବଳ ଏତିକି ନୁହେଁ, ଏହି ନୂତନ ରୋଗୀମାନେ ଉହାନରେ ସଂକ୍ରମିତମାନେ ସୁସ୍ଥ ହେବା ପାଇଁ ଯେତିକି ସମୟ ନେଇଥିଲେ ତାଙ୍କଠାରୁ ଅଧିକ ସମୟ ଏମାନେ ନେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ବିଶେଷଜ୍ଞ ଗୋଷ୍ଠୀର ସଦସ୍ୟ କ୍ୟୁ ହେଡବୋ କହିଛନ୍ତି ଯେ ରୋଗୀମାନଙ୍କଠାରେ ଜ୍ୱରର ଲକ୍ଷଣ ବହୁତ କମ୍ ରହୁଛି । ଏହି ଭାଇରସ୍ ଅନେକ ଅଙ୍ଗ ଅପେକ୍ଷା ଫୁସଫୁସରେ ଅଧିକ କ୍ଷତି ଘଟାଉଛି ।

ମହାମାରୀ ରିଟର୍ଣ୍ଣ କରିବା ପରେ ବିପଦ ବଢିଛି ! ମହାମାରୀର ଦ୍ୱିତୀୟ ୱେଭ୍ ଆସିଥିବାର କୁହାଯାଉଛି…

ଗତ କିଛି ଦିନ ତଳେ ଚୀନ୍‌ରେ କରୋନା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ମହାମାରୀର ଦ୍ୱିତୀୟ ୱେଭ୍ ହେବାର ଆଶଙ୍କା ଥିବାର ଜଣାପଡ଼ିଛି । ଏହାସହ ସେ କହିଛନ୍ତି ଯେ, ଏହି ଅଞ୍ଚଳର ରୋଗୀମାନେ ଉହାନ ଅପେକ୍ଷା ସୁସ୍ଥ ହେବାକୁ ଅଧିକ ସମୟ ନେଉଛନ୍ତି । ଏହା ଜଣେ ରୋଗୀଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ କରିବାର ଆଶଙ୍କା ମଧ୍ୟ ବଢାଇଦେଇଛି । ଏମିତି ପରିସ୍ଥିତିରେ ସଂକ୍ରମିତମାନେ ତାଙ୍କ ପରିବାର ସହିତ ରହି ନିଜର ଯତ୍ନ ନେଇ ପାରୁନାହାଁନ୍ତି । ଯାହା ପୂରା ପରିବାରରେ କରୋନା ସଂକ୍ରମିତ କରିଥାଏ ।

ଲସ୍ ଏଲମୋସ୍ ନ୍ୟାସନାଲ୍ ଲାବ୍ରୋଟୋରୀ ଅନୁଯାୟୀ, ଗୋଟିଏ ପ୍ରଜାତିର ଭାଇରସ୍ ଅଧିକ ସଂକ୍ରମିତ ହୋଇପାରେ। ଅନ୍ୟପକ୍ଷରେ, ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାଇରସ୍ ପରିବର୍ତ୍ତନ ହେଉଛି କିନ୍ତୁ ଏହା ଅନ୍ୟ ପ୍ରଜାତିର ଭାଇରସର ଲକ୍ଷଣ ନୁହେଁ । ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନାଥନ ଷ୍ଟୋଏ ଚେତାବନୀ ଦେଇଛନ୍ତି ଯେ ଏହି ଭାଇରସ୍ କ୍ରମାଗତ ଭାବରେ ନିଜର  ରୂପ ପରିବର୍ତ୍ତନ କରୁଛି । ତେଣୁ ଏହାର ପରିଣାମ କ’ଣ ହେବ ତାହା ଆମକୁ ଜାଣାନାହିଁ ।

ଚାଇନାରେ କରୋନାର ୧୬ଟି ନୂଆ ମାମଲା

ଚାଇନାରେ କରୋନା ସଂକ୍ରମଣର ୧୬ଟି ନୂଆ ମାମଲା ଆସିଛି , ସେଥିମଧ୍ୟରୁ ୧୫ଟି ଚିକିତ୍ସା ହୋଇନଥିବା ରୋଗ କେନ୍ଦ୍ରସ୍ଥଳ ଉହାନରୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀ ବୁଧବାର କହିଛନ୍ତି ଯେ ଉହାନରେ ସମୁଦାୟ ୧.୧୨ କୋଟି ଜନସଂଖ୍ୟାରେ କରୋନା ଭାଇରସର ଅନୁସନ୍ଧାନ କରାଯାଉଛି ଏବଂ ଏହି ପ୍ରକ୍ରିୟାରେ ନୂତନ ମାମଲା ରୁଜୁ ହୋଇଛି । ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) କହିଛି ଯେ ମଙ୍ଗଳବାର ଦିନ ପାଞ୍ଚଟି ମାମଲା ଚିହ୍ନଟ ହୋଇଛି ଏବଂ ୧୬ନମ୍ବର ରୋଗୀଠାରେ ଏହି ରୋଗର ଲକ୍ଷଣ ନାହିଁ ।

ଜିଲିନ୍ ପ୍ରଦେଶରେ ସ୍ଥାନୀୟ ଭାବରେ ଚାରିଟି ସଂକ୍ରମଣ ଘଟିଥିଲା ​ । ମଙ୍ଗଳବାର ସୁଦ୍ଧା, ଜିଲିନ୍ ପ୍ରଦେଶରେ ୧୩୩ ସ୍ଥାନୀୟ ସଂକ୍ରମଣ ମାମଲା ରହିଥିଲା, ସେଥିମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୬ ଜଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ୨୫ ଜଣ ରୋଗୀ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଏବଂ ସମସ୍ତେ ଜିଲିନ୍ ସହରର । ଏଥିସହ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୧୧୮୧ ଜଣଙ୍କ ଉପରେ ନଜର ରଖାଯାଇଛି । ମଙ୍ଗଳବାର ଦିନ, କୌଣସି ଲକ୍ଷଣ ନଥିବା ୧୬ଟି ନୂଆ ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୧୫ଟି ଉହାନରୁ ଆସିଛି।

ବିନା ଲକ୍ଷଣ ଥାଇ ୩୬୮ ଲୋକ ସଂକ୍ରମିତ

NHC ରିପୋର୍ଟ କରିଛି ଯେ ଲକ୍ଷଣ ବିନା ୩୬୮ ଜଣଙ୍କ ଉପରେ ନଜର ରଖାଯାଇଛି । କୌଣସି ଲକ୍ଷଣ ନଥିବା ମାମଲା ଅଧିକ ଗୁରୁତର ଭାବରେ ବିବେଚନା କରାଯାଉଛି କାରଣ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ମଧ୍ୟ ସେମାନେ ଜ୍ୱର, କାଶ କିମ୍ବା ଗଳାରେ ଜନ୍ତ୍ରଣା ଭଳି କୌଣସି ଲକ୍ଷଣ ଦେଖାଯାଏ ନାହିଁ ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମଣ ବିସ୍ତାର କରିବାକୁ ଅଧିକ ପ୍ରବୃତ୍ତ ହୁଅନ୍ତି । ଏହି ରୋଗରେ ଚାଇନାରେ ୪୬୩୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

ବାତ୍ୟା ଅମ୍ଫାନ ମୁକାବିଲା ନେଇ ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ‘ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସରକାର ବାତ୍ୟା ଅମ୍ଫାନକୁ ଯେଉଁଭଳି ଭାବେ ମୁକାବିଲା କରିଛନ୍ତି ତାହାର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ,  ଓଡ଼ିଶା ସାହସର ସହ ବାତ୍ୟା ଅମ୍ଫାନର ମୁକାବିଲା କରୁଥିବା ବେଳେ ମୋ ଭାବନା ଓଡ଼ିଶାର ଲୋକଙ୍କ ସହ ରହିଛି ।  ଏହାସହ ପ୍ରଶାସନ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ତୃଣମୁଳ ସ୍ତରରେ କାମ କରୁଛି  ଓ ଖୁବ ଶୀଘ୍ର ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିଆସିବ ବୋଲି ମଧ୍ୟ ଆଶା କରିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅମ୍ଫାନ କ୍ଷୟକ୍ଷତି ନେଇ ଆଜି ନବୀନଙ୍କ ସହ କଥା ହୋଇଛନ୍ତି ଅମିତ୍‌ । ରାଜ୍ୟରେ ବାତ୍ୟା ଅମ୍ଫାନ ପ୍ରଭାବରେ କେତେ କ୍ଷତି ହୋଇଛି ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କିପରି ଥିଲା, ସେନେଇ ଆଲୋଚନା କରିଛନ୍ତି ଅମିତ ଶାହା । ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅମିତ୍‌ । ସେ ଟ୍ୱିଟରେ ସୂଚନା ଦେଇଛନ୍ତି ଯେ, ଅମ୍ଫାନ କ୍ଷୟକ୍ଷତି ନେଇ ନବୀନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସେ ଆଜି କଥାବାର୍ତ୍ତା କରିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅମ୍ଫାନ ପରବର୍ତ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ବେଳେ କେନ୍ଦ୍ର କ୍ୟାବିନେଟ ସଚିବ ଓଡ଼ିଶା ପଦକ୍ଷେପକୁ ପ୍ରସଂଶା କରିଥିଲେ ।

ପଞ୍ଜାବ: ମଦ କାରଖାନରେ ଶିକ୍ଷକଙ୍କ ଡ୍ୟୁଟି ଲଗାଇଲେ ଗୁରୁଦାସପୁର ଜିଲ୍ଲାପାଳ!

ଗୁରୁଦାସପୁର: କରୋନା ମହାମାରୀକୁ ନେଇ ଦେଶବ୍ୟାପି ଲକଡାଉନ୍ ଲାଗୁ ହୋଇଛି । ଏହାରି ଭିତରେ ପଞ୍ଜାବ ଗୁରୁଦାସପୁରର ଜିଲ୍ଲାପାଳ ଏମିତି ଗୋଟିଏ ଆଦେଶ ଦେଇଛନ୍ତି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜିଲ୍ଲାରେ ଥିବା ମଦ ଫ୍ୟାକ୍ଟ୍ରି ଗୁଡିକରେ ସରକାରୀ ଶିକ୍ଷକ କାମ କରିବେ ବୋଲି ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି । ତେବେ ଏହାର ଅର୍ଥ ନୁହେଁ ଯେ, ଶିକ୍ଷକ ମାନେ ମଦ ପ୍ରସ୍ତୁତ କରିବେ । ସେମାନେ କେବଳ ହିସାବ ରଖିବେ ଓ ନଜର ରଖିବେ । ତେବେ ଜିଲ୍ଲାପାଳଙ୍କ ଏହି ଆଦେଶକୁ ନେଇ ଶିକ୍ଷକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମଦ ଫ୍ୟାକ୍ଟ୍ରି ଓ ଡିଷ୍ଟିଲରିଜରେ ତିଆରି ହେଉଥିବା ମଦ ଉପରେ ନଜର ରଖିବା ଓ ମଦର ଅବୈଧ ଚୋରାଚାଲଣକୁ ରୋକିବା ପାଇଁ ଓ ସର୍ଭ କରିବା ପାଇଁ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । କିନ୍ତୁ ମିଳିତ ଶିକ୍ଷକ ସଂଘ ଏହାକୁ ବିରୋଧ କରୁଛି । ସଂଘର କହିବା ହେଉଛି ଶିକ୍ଷକଙ୍କ ପଦ ଏକ ସମ୍ମାନଜନକ ପଦ ଅଟେ । ମଦ ଫ୍ୟାକ୍ଟ୍ରିରେ ଶିକ୍ଷକଙ୍କୁ ଡ୍ୟୁଟି କରାଯିବା ପାଇଁ କହିବା ଠିକ୍ କଥା ନୁହେଁ । ତେଣୁ ଜିଲ୍ଲାପାଳ ତୁରନ୍ତ ନିଜ ଆଦେଶକୁ ପ୍ରତ୍ୟାହାର କରି ନିଅନ୍ତୁ ।

ଅନ୍ୟପକ୍ଷରେ ଆଦେଶରେ କୁହାଯାଇଛି ଯେ, ଯେଉଁ ଶିକ୍ଷକ ମାନେ ଡ୍ୟୁଟିରେ ଯୋଗ ଦେବେ ନାହିଁ ସେମାନଙ୍କ ବିରୋଧରେ ଧାରା ୧୮୮ ଅନ୍ତର୍ଗତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂଘ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ତେବେ ଜିଲ୍ଲାପାଳଙ୍କ ଅଫିସରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଆସିନାହିଁ ।

ମେ’ ୭ରୁ ପଞ୍ଜାବରେ ଚାଲିଛି ମଦର ହୋମ୍ ଡେଲିଭରି

ରାଜ୍ୟ ସରକାର ମେ’ ୭ ତାରିଖରୁ ମଦର ହୋମ୍ ଡେଲିଭରି ପାଇଁ ଆଦେଶ ଦେଇଥିଲେ । ଲକଡାଉନ ବେଳେ ଏହି ଆଦେଶ ବଳରେ ଜଣେ ବ୍ୟକ୍ତି ଦୁଇ ଲିଟର ମଦ କିଣି ପାରିବେ । ପଞ୍ଜାବ ଦେଖାଦେଖି ପଶ୍ଚିମବଙ୍ଗ ମଧ୍ୟ ମଦର ହୋମ୍ ଡେଲିଭରି ଆରମ୍ଭ କରିଛି । ୱେବସାଇଟ୍ ଜରିଆରେ ପଶ୍ଚିମବଙ୍ଗରେ ମଦ କିଣା ଯାଇପାରିବ ।

 

ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଶଂସା କଲେ କ୍ୟାବିନେଟ ସଚିବ

ଭୁବନେଶ୍ୱର: ଓଡ଼ିଶାକୁ ପ୍ରଶଂସା କଲେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବ । ବାତ୍ୟା ଅମ୍ଫାନର ମୁକାବିଲା ଦିଗରେ ଓଡ଼ିଶା ନେଇଥିବା ପଦକ୍ଷେପ ପାଇଁ ଅନେକ ଧନଜୀବନ ସୁରକ୍ଷିତ ରହିଛି ବୋଲି କେନ୍ଦ୍ର କ୍ୟାବିନେଟ ସଚିବ କହିଛନ୍ତି । ବାତ୍ୟା ପାଇଁ ୨ ଲକ୍ଷ ଲୋକ ସ୍ଥାନାନ୍ତର କରାଯିବା ଗୋଟିଏ ବଡ଼ ପଦକ୍ଷେପ ଥିଲା । ଏହାଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିଲା । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅମ୍ଫାନ ପରବର୍ତ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ବେଳେ କେନ୍ଦ୍ର କ୍ୟାବିନେଟ ସଚିବ ଓଡ଼ିଶା ପଦକ୍ଷେପକୁ ପ୍ରସଂଶା କରିଥିଲେ ।

ବାତ୍ୟା ସମ୍ପର୍କରେ ଓ ବାତ୍ୟା ପରବର୍ତ୍ତି ସ୍ଥିତି ମୁକାବିଲା ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବାବଦରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ୮୯ ବ୍ଲକ ଅମ୍ଫାନ ଦ୍ଵାରା ପ୍ରଭାବିତ ହୋଇଛି । ରାସ୍ତା ମରାମତି ଦ୍ୱାରା ପ୍ରଭାବିତ ସବୁ ଅଞ୍ଚଳକୁ ଆଜି ସୁଧା ଗମନାଗମନ ସୁବିଧା ହେବ । ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ CESU ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛି । CESU ଅଞ୍ଚଳରେ ଦିନେ ଦୁଇଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ହେବ । ୨୧୦ ମେଡିକାଲ ଓ ୭୫ ଭେଟେରାନ୍‌ ଟିମ୍‌କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ତିହିଡିରେ କାନ୍ଥ ପଡି ୩ ମାସର ଶିଶୁର ମୃତ୍ୟୁ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ସହାୟତା ପ୍ରଦାନ କରାଯିବ ।

ଅନ୍ୟପଟେ, ବାତ୍ୟା ପରେ ସହାୟତା ପାଇଁ ଅଣ୍ଟା ଭିଡିଲେ ରାଜସ୍ୱ ଓ କୃଷି ବିଭାଗ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କେତେ ଘର ଭାଙ୍ଗିଛି ଓ କେତେ ଚାଷ ନଷ୍ଟ ହୋଇଛି, ତାହାର ତର୍ଜମା କରାଯିବ। ଏସବୁର ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ସହାୟତା ମଗାଯିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ । ସେହିପରି କୃଷି ବିଭାଗ ମଧ୍ୟ ସହାୟତା ପାଇଁ ଅଣ୍ଟା ଭିଡିଛି । କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ରିଲିଫ କୋଡ୍‌ ଅନୁସାରେ ସହାୟତା ଯୋଗାଇ ଦିଆଯିବ ।

ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତଙ୍କ ପାଇଁ ବିରାଟଙ୍କ ପ୍ରାର୍ଥନା : ଭଗବାନ ସମସ୍ତଙ୍କୁ ରକ୍ଷା କରନ୍ତୁ

ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡ଼ ଅମ୍ଫାନ । ଗତକାଲି ଅମ୍ଫାନ ତ ଚାଲି ଯାଇଛି କିନ୍ତୁ ପଛରେ ଛାଡି ଯାଇଛି ବିଧ୍ୱଂସ ଓ ବିଭିଷିକାର  ଚିହ୍ନ ।  ଗତକାଲି ପ୍ରଳୟଙ୍କାରୀ ବାତ୍ୟା ଅମ୍ଫାନ ତାର କୋପ ସକାଳ ପ୍ରାୟ ୮ରୁ ଆରମ୍ଭ କରିଦେଇଥିଲା  । ପ୍ରଥମେ ଏହାର ଶୀକାର ହୋଇଥିଲା ଓଡ଼ିଶା ତାପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା ଅମ୍ଫାନ । ଏବେ ସୋସିଆଲ ମିଡ଼ିଆରେ ଅମ୍ଫାନରୁ ରକ୍ଷା କରିବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ସେଲିବ୍ରିଟି ଏବଂ କ୍ରିକେଟର ।

ଏନେଇ ଆଜି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ଅମ୍ଫାନରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥନା କରିବା ସହ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।

କେବଳ ବିରାଟ ନୁହଁନ୍ତି ଅହୁରି କିଛି କ୍ରିକେଟରମାନେ ମଧ୍ୟ ବାତ୍ୟା ଅମ୍ଫାନରୁ ଲୋକ ସୁରକ୍ଷିତ ରୁହନ୍ତୁ ବୋଲି  ପ୍ରାର୍ଥନା କରିଛନ୍ତି । ଏବଂ ସେମାନେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି । ବିରାଟଙ୍କ ପରେ ଭି ଭି ଏସ ଲକ୍ଷ୍ମଣ ମଧ୍ୟ ତାଙ୍କ ଆକାଉଣ୍ଟରେ ଏଭଳି ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ମୋ ଭାବନା ଓ ପ୍ରାର୍ଥନ ପୂର୍ବ ଭାରତର ଲୋକଙ୍କ ସହ ରହିଛି,ଯେମିତିକି ସେମାନେ ବାତ୍ୟା ଅମ୍ଫାନର ପ୍ରଭାବକୁ ସାମ୍ନା କରୁଛନ୍ତି । ଗୁରୁବାର ସକାଳ ୧୦.୪୪ ମିନିଟରେ ସେ ଏହି ଟ୍ୱିଟ୍ କରିଛନ୍ତି ।

କ୍ରିକେଟ୍ ଦୁନିଆରେ  ଟର୍ବନେଟର ଭାବେ ପରିଚିତ କ୍ରିକେଟର ହରବଚନ ସିଂ ମଧ୍ୟ ତାଙ୍କ ଆକାଉଣ୍ଟରୁ ଟ୍ୱିଟ୍ କରିଛନ୍ତି । ଅମ୍ଫାନ ଦ୍ୱାରା ପ୍ରଭାବିତ କୋଲକୋତାର ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି କୋଲକୋତା ସୁରକ୍ଷିତ ରୁହ ।

ରାମ ମନ୍ଦିର ନିର୍ମାଣ ପାଇଁ ଜମି ସମତଳିକରଣ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି,ବିଶ୍ୱ ହିନ୍ଦୁ ପରିଷଦ କହିଲା ହିନ୍ଦୁ ତାଲିବାନ କହୁଥିବା ଲୋକଙ୍କୁ ଯବାବ

ଅଯୋଦ୍ଧ୍ୟା: ରାମ ମନ୍ଦିର ନିର୍ମାଣ କାମ ଧିରେ ଧିରେ ଆରମ୍ଭ ହେଲାଣି । ଏହା ମଧ୍ୟରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ କରାଯାଉଥିବା ଜମି ସମତଳିକରଣ କାର୍ଯ୍ୟ ସମୟରେ କିଛି ଐତିହାସିକ ଅବଶେଷ ମିଳିଛି । ଏହି ଅବଶେଷରେ କିଛି ପୁରାତନ ମୂର୍ତ୍ତି,ଖମ୍ବ ଓ ଶିବଲିଙ୍ଗ ତଥା କଳଶ ମଧ୍ୟ ମିଳିଛି ।

ରାମ ଜନ୍ମଭୂମି ପରିସରରେ ମନ୍ଦିର ନିର୍ମାଣ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିପାଇଁ ଭୂମି ସମତଳିକରଣ କରାଯାଉଛି । କରୋନା କାରଣରୁ ଏହି ସ୍ଥାନରେ ସୋସିଆଲ ଡିଷ୍ଟାନସିଂର ଧ୍ୟାନ ରଖାଯାଇଛି । ଏହାରି ଭିତରେ ପୁରାତନ ଅବଶେଷ ମିଳୁଛି ।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁଠି ଯେଉଁଠି ଖନନ ହୋଇଛି,ସେଠାରୁ ଦେବୀ ଦେବତାଙ୍କ ମୂର୍ତ୍ତି,ପୁଷ୍ପ କଳଶ,କଳାକୃତି ଆଦି ବାହାରୁଛି ।

ଟ୍ରଷ୍ଟ ତରଫରୁ ଅବଶେଷ ମିଳିବା କଥା କୁହାଯାଇଥିଲେ ମଧ୍ୟ ଅବଶେଷ ସମ୍ବନ୍ଧରେ ବିସ୍ତାର ପୂର୍ବକ କିଛି କୁହାଯାଇ ନାହିଁ । ବିଶେଷଜ୍ଞ ନିରିକ୍ଷଣ କରିବା ପରେ ଏ ବାବଦରେ କୁହାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଏହି ଅବଶେଷରେ ଦେବୀ ଦେବତାଙ୍କୁ ଭଗ୍ନ ମୂର୍ତ୍ତି,ଅନ୍ୟ କଳାକୃତିର ପଥ, ୭ଟି ବ୍ଲାକ୍ ଟଚ୍ ଷ୍ଟୋନର ସ୍ତମ୍ଭ ଓ ୬ଟି ଲାଲ ବାଲୁକା ପଥର ସ୍ତମ୍ଭ ଓ ୫ ଫୁଟ ଆକାରର ଶିବଲିଙ୍ଗ ମିଳିଛି ।

ଅନ୍ୟପକ୍ଷରେ ରାମ ମନ୍ଦିର ପରିସରରୁ ପୁରତାନ ମୂର୍ତ୍ତି ମିଳିବା ଉପରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିକ୍ରିୟା ଆସିଛି । ପ୍ରତିକ୍ରିୟାରେ ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ,ଯେଉଁମାନେ ଆମକୁ ହିନ୍ଦୁ ତାଲିବାନ କହୁଥିଲେ ,ଏବେ ସେମାନେ ଯବାବ୍ ଦିଅନ୍ତୁ ।

୨୦୦ ନୂଆ ଟ୍ରେନ୍ : ରିଜର୍ଭେସନ୍ କରାଇବାକୁ ଚାହୁଁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଟିକେଟ୍ ବୁକିଂ ଓ ଯାତ୍ରାର ୧୦ ନିୟମ

ନୂଆଦିଲ୍ଲୀ: ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ ଖୁସୀଖବର । ଭାରତୀୟ ରେଳବାଇ ଜୁନ୍ ୧ ତାରିଖରୁ ୨୦୦ ନୂଆ ଟ୍ରେନ୍ ଟ୍ରାକରେ ଦୌଡାଇବ । ଏଥିପାଇଁ ଟିକେଟ୍ ବୁକିଂ ୨୧ ମେ’ ଅର୍ଥାତ୍ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇସାରିଛି । ଏହି ଟ୍ରେନ୍ ଗୁଡିକର ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଏହି ସବୁ ଟ୍ରେନରେ ଜେନରାଲ କୋଚ୍ ରହିବ ଓ ଏଥିରେ ମଧ୍ୟ ଯାତ୍ରା ପାଇଁ ସିଟ୍ ସଂରକ୍ଷଣ କରିବାକୁ ପଡିବ । ବିନା କନଫର୍ମ ଟିକେଟରେ ଯାତ୍ରୀ ଜେନରାଲ କୋଚରେ ଯାତ୍ରା କରିପାରିବେ ନାହିଁ । ଆସନ୍ତୁ ଜାଣିବା ଜୁନ୍ ୧ ତାରିଖରୁ ଚାଲିବାକୁ ଥିବା ୨୦୦ ଟ୍ରେନର ନିୟମ ବାବଦରେ ।

୨୦୦ ନୂଆ ଟ୍ରେନ୍ ପାଇଁ ଯାତ୍ରା ନିୟମ କଣ ?

୧. ଏହି ସବୁ ଟ୍ରେନ୍ ପାଇଁ କେବଳ ଟିକେଟ୍ କେବଳ ଆଇଆରସିଟିସିର ୱେବସାଇଟରୁ ହିଁ ବୁକିଂ ହୋଇପାରିବ । କୌଣସି କାଉଣ୍ଟରରୁ ଟିକେଟ୍ ମିଳିବ ନାହିଁ ।

୨. ଅଗ୍ରିମ ସଂରକ୍ଷଣ ଅବଧି (ଏଆରପି) ସର୍ବାଧିକ ୩୦ ଦିନର ହେବ । ଅର୍ଥାତ ଏହି ୨୦୦ ଟ୍ରେନ୍ ପାଇଁ ଯାତ୍ରୀ ଟିକେଟ୍ ବୁକିଂ ଯାତ୍ରାର ୩୦ ଦିନ ପୂର୍ବରୁ କିମ୍ବା ୩୦ ଦିନ ଭିତରେ କରିପାରିବେ । ଯେମିତିକି ୩୦ ଜୁନରେ ଯାତ୍ରା କରିବାର ଥିଲେ ଯାତ୍ରୀ ୧ ଜୁନରୁ ୩୦ ଜୁନ୍ ଭିତରେ ଟିକେଟ୍ କରିପାରିବେ ।

୩. RAC ଓ ୱେଟିଂ ଟିକେଟ୍ ବର୍ତ୍ତମାନର ନିୟମ ଅନୁସାରେ ହିଁ ଦିଆଯିବ ।  ତେବେ ୱେଟିଂ ଟିକେଟ୍ ଥିବା ଯାତ୍ରୀଙ୍କୁ ଟ୍ରେନରେ ଚଢିବା ଅନୁମତି ଦିଆଯିବ ନାହିଁ । ଉଲ୍ଲେଖନୀୟ ଯେ, ଏବେର ନିୟମ ଅନୁସାରେ ଏସି-୧ରେ ୨୦,ଏସି୨ରେ ୫୦,ଏସି ୩ରେ ୧୦୦ ଓ ସ୍ଲିପର କୋଚରେ ୨୦୦ ୱେଟିଂ ଟିକେଟ୍ ବୁକ୍ କରାଯାଇ ପାରିବ ।

୪. ଯାତ୍ରା କାଳରେ କୌଣସି ଯାତ୍ରୀଙ୍କୁ ଅସଂରକ୍ଷିତ ଟିକେଟ୍ ଜାରି କରାଯିବ ନାହିଁ କିମ୍ବା ଅନ୍ୟ କୌଣସି ଟିକେଟ୍ ଦିଆଯିବ ନାହିଁ  । ଅର୍ଥାତ୍ ଟିଟିଇ ଯାତ୍ରା କାଳରେ କାହାରିକି ଟିକେଟ୍ ଦେଇ ପାରିବେ ନାହିଁ ।

୫. ଏହି ଟ୍ରେନ୍ ଗୁଡିକ ପାଇଁ କୌଣସି ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ବୁକିଂର ଅନୁମତି ନାହିଁ ।

୬. ଟ୍ରେନ୍ ଯାତ୍ରା ଆରମ୍ଭ କରିବାର ଅତିକମରେ ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟକୁ ପ୍ରସ୍ତୁତ କରାଯିବ । ଦ୍ୱିତୀୟ ଚାର୍ଟକୁ ଯାତ୍ରାର ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ଚାର୍ଟ୍ ଯାତ୍ରାର ୩୦ ମିନିଟ୍ ପୂର୍ବରୁ ଜାରି ହେଉଥିଲା । ପ୍ରଥମ ଓ ଦ୍ୱିତୀୟ ଚାର୍ଟ ପ୍ରସ୍ତୁତ ପୂର୍ବରୁ କେବଳ ଅନଲାଇନ୍ ଟିକେଟ୍ ବୁକିଂର ଅନୁମତି ରହିବ ।

୭. ଯାତ୍ରୀଙ୍କ ମେଡିକାଲ ଯାଂଚ୍ ଅନିବାର୍ଯ୍ୟ । ସୁସ୍ଥ ଯାତ୍ରୀଙ୍କୁ ହିଁ ମିଳିବ ଯାତ୍ରା ଅନୁମତି
୮. କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀ ଷ୍ଟେଶନରେ ପ୍ରବେଶ କରିପାରିବେ ।

୯.ଷ୍ଟେଶନରେ ପ୍ରବେଶ ଓ ଯାତ୍ରା କାଳରେ ସମସ୍ତେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ଯାତ୍ରୀଙ୍କୁ ସେହି ରାଜ୍ୟର ସ୍ୱାସ୍ଥ୍ୟ ପ୍ରୋଟୋକଲ ମାନିବାକୁ ପଡିବ ।

୧୦.ଷ୍ଟେଶନରେ ଥର୍ମାଲ ସ୍କ୍ରିନିଂ ସୁବିଧା ରହିବ । ଯାତ୍ରୀ ଟ୍ରେନ୍ ଛାଡିବାର ଅତିକମରେ ୯୦ ମିନିଟ୍ ପୂର୍ବରୁ ଷ୍ଟେଶନରେ ପହଂଚିବେ । ଅସୁସ୍ଥ ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ । ଷ୍ଟେଶନ ଓ ଟ୍ରେନରେ ସାମାଜିକ ଦୂରତାକୁ ପାଳନ କରାଯିବ ।

କୋଟା ସହିତ ଜଡିତ ନୂଆ ନିୟମ କଣ ?

ନିୟମିତ ଟ୍ରେନ୍ ଭଳି ଏହି ସବୁ ଟ୍ରେନରେ ସବୁ ପ୍ରକାର କୋଟାରେ ଟିକେଟ୍ ବୁକିଂ ହୋଇପାରିବ । କୋଟାରେ ସଂରକ୍ଷଣ ପାଇଁ ସୀମିତ ସଂଖ୍ୟାରେ ସଂରକ୍ଷଣ (PRS) ଟିକେଟ୍ କାଉଣ୍ଟର ଖୋଲାଯିବ । ତେବେ ଏହି କାଉଣ୍ଟର ମାଧ୍ୟମରେ ସାମାନ୍ୟ ଟିକେଟ୍ ବୁକିଂ କରାଯିବ ନାହିଁ ।

ଟ୍ରେନରେ କଣ ମିଳିବ ରିହାତି ?

ଏହି ଟ୍ରେନରେ ଦିବ୍ୟାଙ୍ଗଙ୍କ ପାଇଁ କେବଳ ୪ ଶ୍ରେଣୀରେ ରିହାତି ମିଳିବ ଓ ରୋଗୀ ଯାତ୍ରୀଙ୍କୁ ୧୧ ଶ୍ରେଣୀରେ ରିହାତି ମିଳିବ । ଏହା ସହ ଟିକେଟ୍ କ୍ୟାନସଲ କଲେ ସାମାନ୍ୟ ଟ୍ରେନ୍ ଭଳି ୨୦୧୫ର ନିୟମ ଲାଗୁ ହେବ ।

ଟିକେଟରେ ଭୋଜନ ପାଇଁ ଟଙ୍କା ନିଆଯିବ ନାହିଁ । ଯାତ୍ରୀଙ୍କୁ ନିଜ ଖାଦ୍ୟ ଓ ପାଣି ଆଣିବାକୁ ପ୍ରତ୍ସୋହିତ କରାଯିବ ।

ରେଳ ଷ୍ଟେଶନରେ ସବୁ ଷ୍ଟଲକୁ ଖୋଲାଯିବ । ଫୁଡ୍ ପ୍ଲାଜାରୁ ଯାତ୍ରୀ ଖାଦ୍ୟ ନେଇ ପାରିବେ କିନ୍ତୁ ସେଠାରେ ବସି ଖାଇ ପାରିବେ ନାହିଁ ।

ଟ୍ରେନରେ ମିଳିବ ନାହିଁ ଚାଦର ଓ କମ୍ବଳ

ଟ୍ରେନ୍ ଭିତରେ ଚାଦର, କମ୍ବଳ ଓ ପରଦା ଉପଲବ୍ଧ ହେବ ନାହିଁ ।  ତେଣୁ ଯାତ୍ରୀଙ୍କୁ ଚାଦର ଓ କମ୍ବଳ ନିଜ ସହ ନେଇକରି ଯିବାକୁ ପଡିବ । ତେବେ କୋଚ୍ ଭିତରେ ତାପମାନ କମ ରଖାଯିବ ବୋଲି ରେଳବାଇ କହିଛି । ସବୁ ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ଅନିବାର୍ଯ୍ୟ ।

କ୍ୟାପିଟାଲ ହସ୍ପିଟାଲରେ WHOର ଟିମ୍,କୋଭିଡ୍ ପ୍ରୋଟୋକଲ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତି କେବଳ ଦେଶର ନୁହେଁ ପୂରା ବିଶ୍ୱ ଏବେ ସମାନ ପରିସ୍ଥିତ ଦେଇ ଗତିକରୁଛି । କେଉଁ ସ୍ଥାନରେ କିଭଳି ସ୍ୱାସ୍ଥ୍ୟ ସେବାର ସୁବିଧା ରହିଛି ସେନେଇ ଧ୍ୟାନ ଦିଆଯାଇଛି । ଏସବୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅଣ୍ଟା ଭିଡ଼ିଛି । ଏହାର କିଛି ଟିମ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସେବା ପରୀକ୍ଷଣ କରିବା ସହ କୋଭିଡର ସ୍ଥିତି ସମୀକ୍ଷା କରୁଛନ୍ତି । ଏନେଇ ଆଜି WHOର ଏକ ଟିମ କ୍ୟାପିଟାଲ ହସପିଟାଲରେ କୋଭିଡ଼ ମୁକାବିଲା ପାଇଁ ଡାକ୍ତରଖାନା କେତେ ପ୍ରସ୍ତୁତ ତାହାର ସ୍ଥିତି ସମୀକ୍ଷା କରିଛନ୍ତି ।

(କ୍ୟାପିଟାଲ ହସ୍ପିଟାଲରେ‘ହୁ’ ଟିମ୍‌ )

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ କ୍ୟାପିଟାଲ ହସ୍ପିଟାଲ ଆସି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ଟିମ୍ ଉପସ୍ଥିତ ଥିଲେ । ଏହି ଭିତ୍ତିରେ  ଡବ୍ଲୁଏଚ୍‌ଓର ଟିମ୍ ଲିଡର ଡା. ନିହାର ରାୟ ଓ ୟୁଏନ୍‌ଏଫ୍‌ପିଏର ଡା. ଦୀପା କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ । କରୋନା ମହାମାରୀ ପରିସ୍ଥିତିରେ ରାଜ୍ୟର ଯେ କୌଣସି ହସ୍ପିଟାଲ କରୋନା ପାଇଁ ପ୍ରସ୍ତୁତ ରହିବା ଜରୁରୀ । ଏଭଳି ପରିସ୍ଥିତିରେ କରୋନା ସଂକ୍ରମିତଙ୍କୁ କିଭଳି ଚିହ୍ନଟ କରାଯିବ ଓ ସେମାନଙ୍କୁ ଅଲଗା ରଖାଯିବ ତାହାର ଏକ ପ୍ରୋଟୋକଲ ରହିବା ଜରୁରୀ ବୋଲି whoର ଅଧିକାରୀ କହିଛନ୍ତି।