ରାମ ମନ୍ଦିର ନିର୍ମାଣ ପାଇଁ ଜମି ସମତଳିକରଣ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି,ବିଶ୍ୱ ହିନ୍ଦୁ ପରିଷଦ କହିଲା ହିନ୍ଦୁ ତାଲିବାନ କହୁଥିବା ଲୋକଙ୍କୁ ଯବାବ

ଅଯୋଦ୍ଧ୍ୟା: ରାମ ମନ୍ଦିର ନିର୍ମାଣ କାମ ଧିରେ ଧିରେ ଆରମ୍ଭ ହେଲାଣି । ଏହା ମଧ୍ୟରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ କରାଯାଉଥିବା ଜମି ସମତଳିକରଣ କାର୍ଯ୍ୟ ସମୟରେ କିଛି ଐତିହାସିକ ଅବଶେଷ ମିଳିଛି । ଏହି ଅବଶେଷରେ କିଛି ପୁରାତନ ମୂର୍ତ୍ତି,ଖମ୍ବ ଓ ଶିବଲିଙ୍ଗ ତଥା କଳଶ ମଧ୍ୟ ମିଳିଛି ।

ରାମ ଜନ୍ମଭୂମି ପରିସରରେ ମନ୍ଦିର ନିର୍ମାଣ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିପାଇଁ ଭୂମି ସମତଳିକରଣ କରାଯାଉଛି । କରୋନା କାରଣରୁ ଏହି ସ୍ଥାନରେ ସୋସିଆଲ ଡିଷ୍ଟାନସିଂର ଧ୍ୟାନ ରଖାଯାଇଛି । ଏହାରି ଭିତରେ ପୁରାତନ ଅବଶେଷ ମିଳୁଛି ।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁଠି ଯେଉଁଠି ଖନନ ହୋଇଛି,ସେଠାରୁ ଦେବୀ ଦେବତାଙ୍କ ମୂର୍ତ୍ତି,ପୁଷ୍ପ କଳଶ,କଳାକୃତି ଆଦି ବାହାରୁଛି ।

ଟ୍ରଷ୍ଟ ତରଫରୁ ଅବଶେଷ ମିଳିବା କଥା କୁହାଯାଇଥିଲେ ମଧ୍ୟ ଅବଶେଷ ସମ୍ବନ୍ଧରେ ବିସ୍ତାର ପୂର୍ବକ କିଛି କୁହାଯାଇ ନାହିଁ । ବିଶେଷଜ୍ଞ ନିରିକ୍ଷଣ କରିବା ପରେ ଏ ବାବଦରେ କୁହାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଏହି ଅବଶେଷରେ ଦେବୀ ଦେବତାଙ୍କୁ ଭଗ୍ନ ମୂର୍ତ୍ତି,ଅନ୍ୟ କଳାକୃତିର ପଥ, ୭ଟି ବ୍ଲାକ୍ ଟଚ୍ ଷ୍ଟୋନର ସ୍ତମ୍ଭ ଓ ୬ଟି ଲାଲ ବାଲୁକା ପଥର ସ୍ତମ୍ଭ ଓ ୫ ଫୁଟ ଆକାରର ଶିବଲିଙ୍ଗ ମିଳିଛି ।

ଅନ୍ୟପକ୍ଷରେ ରାମ ମନ୍ଦିର ପରିସରରୁ ପୁରତାନ ମୂର୍ତ୍ତି ମିଳିବା ଉପରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିକ୍ରିୟା ଆସିଛି । ପ୍ରତିକ୍ରିୟାରେ ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ,ଯେଉଁମାନେ ଆମକୁ ହିନ୍ଦୁ ତାଲିବାନ କହୁଥିଲେ ,ଏବେ ସେମାନେ ଯବାବ୍ ଦିଅନ୍ତୁ ।

Leave a Reply