ପଞ୍ଜାବ: ମଦ କାରଖାନରେ ଶିକ୍ଷକଙ୍କ ଡ୍ୟୁଟି ଲଗାଇଲେ ଗୁରୁଦାସପୁର ଜିଲ୍ଲାପାଳ!

ଗୁରୁଦାସପୁର: କରୋନା ମହାମାରୀକୁ ନେଇ ଦେଶବ୍ୟାପି ଲକଡାଉନ୍ ଲାଗୁ ହୋଇଛି । ଏହାରି ଭିତରେ ପଞ୍ଜାବ ଗୁରୁଦାସପୁରର ଜିଲ୍ଲାପାଳ ଏମିତି ଗୋଟିଏ ଆଦେଶ ଦେଇଛନ୍ତି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜିଲ୍ଲାରେ ଥିବା ମଦ ଫ୍ୟାକ୍ଟ୍ରି ଗୁଡିକରେ ସରକାରୀ ଶିକ୍ଷକ କାମ କରିବେ ବୋଲି ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି । ତେବେ ଏହାର ଅର୍ଥ ନୁହେଁ ଯେ, ଶିକ୍ଷକ ମାନେ ମଦ ପ୍ରସ୍ତୁତ କରିବେ । ସେମାନେ କେବଳ ହିସାବ ରଖିବେ ଓ ନଜର ରଖିବେ । ତେବେ ଜିଲ୍ଲାପାଳଙ୍କ ଏହି ଆଦେଶକୁ ନେଇ ଶିକ୍ଷକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମଦ ଫ୍ୟାକ୍ଟ୍ରି ଓ ଡିଷ୍ଟିଲରିଜରେ ତିଆରି ହେଉଥିବା ମଦ ଉପରେ ନଜର ରଖିବା ଓ ମଦର ଅବୈଧ ଚୋରାଚାଲଣକୁ ରୋକିବା ପାଇଁ ଓ ସର୍ଭ କରିବା ପାଇଁ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । କିନ୍ତୁ ମିଳିତ ଶିକ୍ଷକ ସଂଘ ଏହାକୁ ବିରୋଧ କରୁଛି । ସଂଘର କହିବା ହେଉଛି ଶିକ୍ଷକଙ୍କ ପଦ ଏକ ସମ୍ମାନଜନକ ପଦ ଅଟେ । ମଦ ଫ୍ୟାକ୍ଟ୍ରିରେ ଶିକ୍ଷକଙ୍କୁ ଡ୍ୟୁଟି କରାଯିବା ପାଇଁ କହିବା ଠିକ୍ କଥା ନୁହେଁ । ତେଣୁ ଜିଲ୍ଲାପାଳ ତୁରନ୍ତ ନିଜ ଆଦେଶକୁ ପ୍ରତ୍ୟାହାର କରି ନିଅନ୍ତୁ ।

ଅନ୍ୟପକ୍ଷରେ ଆଦେଶରେ କୁହାଯାଇଛି ଯେ, ଯେଉଁ ଶିକ୍ଷକ ମାନେ ଡ୍ୟୁଟିରେ ଯୋଗ ଦେବେ ନାହିଁ ସେମାନଙ୍କ ବିରୋଧରେ ଧାରା ୧୮୮ ଅନ୍ତର୍ଗତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂଘ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ତେବେ ଜିଲ୍ଲାପାଳଙ୍କ ଅଫିସରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଆସିନାହିଁ ।

ମେ’ ୭ରୁ ପଞ୍ଜାବରେ ଚାଲିଛି ମଦର ହୋମ୍ ଡେଲିଭରି

ରାଜ୍ୟ ସରକାର ମେ’ ୭ ତାରିଖରୁ ମଦର ହୋମ୍ ଡେଲିଭରି ପାଇଁ ଆଦେଶ ଦେଇଥିଲେ । ଲକଡାଉନ ବେଳେ ଏହି ଆଦେଶ ବଳରେ ଜଣେ ବ୍ୟକ୍ତି ଦୁଇ ଲିଟର ମଦ କିଣି ପାରିବେ । ପଞ୍ଜାବ ଦେଖାଦେଖି ପଶ୍ଚିମବଙ୍ଗ ମଧ୍ୟ ମଦର ହୋମ୍ ଡେଲିଭରି ଆରମ୍ଭ କରିଛି । ୱେବସାଇଟ୍ ଜରିଆରେ ପଶ୍ଚିମବଙ୍ଗରେ ମଦ କିଣା ଯାଇପାରିବ ।

 

Leave a Reply