ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଶଂସା କଲେ କ୍ୟାବିନେଟ ସଚିବ

1 min read

ଭୁବନେଶ୍ୱର: ଓଡ଼ିଶାକୁ ପ୍ରଶଂସା କଲେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବ । ବାତ୍ୟା ଅମ୍ଫାନର ମୁକାବିଲା ଦିଗରେ ଓଡ଼ିଶା ନେଇଥିବା ପଦକ୍ଷେପ ପାଇଁ ଅନେକ ଧନଜୀବନ ସୁରକ୍ଷିତ ରହିଛି ବୋଲି କେନ୍ଦ୍ର କ୍ୟାବିନେଟ ସଚିବ କହିଛନ୍ତି । ବାତ୍ୟା ପାଇଁ ୨ ଲକ୍ଷ ଲୋକ ସ୍ଥାନାନ୍ତର କରାଯିବା ଗୋଟିଏ ବଡ଼ ପଦକ୍ଷେପ ଥିଲା । ଏହାଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିଲା । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅମ୍ଫାନ ପରବର୍ତ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ବେଳେ କେନ୍ଦ୍ର କ୍ୟାବିନେଟ ସଚିବ ଓଡ଼ିଶା ପଦକ୍ଷେପକୁ ପ୍ରସଂଶା କରିଥିଲେ ।

ବାତ୍ୟା ସମ୍ପର୍କରେ ଓ ବାତ୍ୟା ପରବର୍ତ୍ତି ସ୍ଥିତି ମୁକାବିଲା ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବାବଦରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ୮୯ ବ୍ଲକ ଅମ୍ଫାନ ଦ୍ଵାରା ପ୍ରଭାବିତ ହୋଇଛି । ରାସ୍ତା ମରାମତି ଦ୍ୱାରା ପ୍ରଭାବିତ ସବୁ ଅଞ୍ଚଳକୁ ଆଜି ସୁଧା ଗମନାଗମନ ସୁବିଧା ହେବ । ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ CESU ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛି । CESU ଅଞ୍ଚଳରେ ଦିନେ ଦୁଇଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ହେବ । ୨୧୦ ମେଡିକାଲ ଓ ୭୫ ଭେଟେରାନ୍‌ ଟିମ୍‌କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ତିହିଡିରେ କାନ୍ଥ ପଡି ୩ ମାସର ଶିଶୁର ମୃତ୍ୟୁ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ସହାୟତା ପ୍ରଦାନ କରାଯିବ ।

ଅନ୍ୟପଟେ, ବାତ୍ୟା ପରେ ସହାୟତା ପାଇଁ ଅଣ୍ଟା ଭିଡିଲେ ରାଜସ୍ୱ ଓ କୃଷି ବିଭାଗ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କେତେ ଘର ଭାଙ୍ଗିଛି ଓ କେତେ ଚାଷ ନଷ୍ଟ ହୋଇଛି, ତାହାର ତର୍ଜମା କରାଯିବ। ଏସବୁର ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ସହାୟତା ମଗାଯିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ । ସେହିପରି କୃଷି ବିଭାଗ ମଧ୍ୟ ସହାୟତା ପାଇଁ ଅଣ୍ଟା ଭିଡିଛି । କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ରିଲିଫ କୋଡ୍‌ ଅନୁସାରେ ସହାୟତା ଯୋଗାଇ ଦିଆଯିବ ।

Leave a Reply