spot_img
Home Blog Page 7077

ଭାରତ ଏବଂ ଚୀନର ବିବାଦରେ ସାମ୍ନାକୁ ଆସିଲା ଆମେରିକା…

ନୂଆଦିଲ୍ଲୀ: ବାରମ୍ବାର ଭାରତର ସୀମାକୁ ଅତିକ୍ରମ କରୁଛି ଚାଇନା । ଭାରତୀୟ ସେନାର ବାରମ୍ବାର ଚେତାବନୀ ପରେ ମଧ୍ୟ ସୁଧୁରିବାର ନାଁ ହିଁ ଧରୁନି । ଅରୁଣାଚଳ ପ୍ରଦେଶରେ ବାରମ୍ବାର ସୀମା ଉଲଙ୍ଘନ କରୁଛି । ତେବେ ଚାଇନାକୁ ତାଗିଦ କରିବା ପାଇଁ ଆମେରିକା ମଧ୍ୟ ଭାରତର ସାଥ ଦେଇଛି । ହ୍ୱାଇଟ ହାଉସ ଗୁରୁବାର ଦିନ ଦେଇଥିବା ରିପୋର୍ଟରେ କହିଛି ଯେ ଚୀନ୍ ଭାରତ ସମେତ ସମସ୍ତ ପଡୋଶୀ ଦେଶରେ ଉତ୍ତେଜନାମୂଳକ କାର୍ଯ୍ୟକଳାପ କରୁଛି । ଏହାର ଗୋଟିଏ ଦିନ ପୂର୍ବରୁ ଆମେରିକୀୟ କୂଟନୀତିଜ୍ଞ ମଧ୍ୟ ଭାରତ ସୀମାରେ ଚୀନ୍‌ର ଏଭଳି କାର୍ଯ୍ୟକଳାପ ସମଗ୍ର ବିଶ୍ୱ ପାଇଁ ବିପଦ ବୋଲି କହିଥିଲେ ।

ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ଶକ୍ତି ବୃଦ୍ଧି ପାଇଛି ଏବଂ ଏଥି ସହିତ ସମଗ୍ର ବିଶ୍ୱରେ ଏହାର ରଣନୀତିକ ଉଦ୍ଦେଶ୍ୟ ଏବଂ ସ୍ୱାର୍ଥ ପାଇଁ ଦେଖାଯାଉଥିବା ବିପଦକୁ ଦୂର କରିବା ପାଇଁ ବଳ ପ୍ରୟୋଗ ମଧ୍ୟ ବୃଦ୍ଧି ପାଇଛି । ସେପଟେ କିନ୍ତୁ ବେଜିଂର କାର୍ଯ୍ୟକଳାପ ଚୀନ୍ ନେତାଙ୍କ ଦାବିକୁ ମିଥ୍ୟା ପ୍ରମାଣିତ କରିଛି । ଚୀନ ସାମରିକ ଶକ୍ତି ବ୍ୟବହାରକୁ ବିରୋଧ କରେ ଏବଂ ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ତ ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ।

ଏହାପୂର୍ବରୁ ଟ୍ରମ୍ପ ପ୍ରଶାସନର ବରିଷ୍ଠ କୂଟନୀତିଜ୍ଞ ମଧ୍ୟ ଚୀନ୍‌ର ବାରମ୍ବାର ଭାରତୀୟ ସୀମାରେ ଅନୁପ୍ରବେଶ ବିରୋଧରେ ଭାରତର ପ୍ରତିରୋଧକୁ ସମର୍ଥନ କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦକ୍ଷିଣ ଏବଂ ପଶ୍ଚିମ ଏସିଆର ମୁଖ୍ୟ ଆଲିସ୍ ୱେଲ୍ସ କହିଛନ୍ତି, “ଯଦି ଆପଣ ଦକ୍ଷିଣ ଚୀନ୍ ସାଗରକୁ ଦେଖନ୍ତି ତେବେ ଚୀନ୍‌ର ମଧ୍ୟ ସମାନ ରଣନୀତି ରହିଛି । ଏହା କ୍ରମାଗତ ଭାବରେ ଉଲ୍ଲଂଘନ କରୁଛି ଏବଂ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି ।

ହ୍ୱାଇଟ ହାଉସ ଅନୁଯାୟୀ ଚୀନ୍‌ର ବିସ୍ତାରବାଦୀ ନୀତି ବିରୋଧରେ ଆମେରିକା ଅନେକ ଦେଶ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । ହାଉସ ଅର୍ଡର ସର୍ଭିସ କମିଟି ରାଙ୍କିଙ୍ଗ ସଦସ୍ୟ ହାଉସ ଥର୍ନବେରୀ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନର ଏହି ରିପୋର୍ଟ ଏକ ଭଲ ଆରମ୍ଭ । ମ୍ୟାକ୍ କହିଛନ୍ତି, ଏହି ରିପୋର୍ଟ ଆମେରିକାର ସାମରିକ ଶକ୍ତିରେ ବିନିଯୋଗ ବୃଦ୍ଧି କରିବା ସହିତ ସେମାନଙ୍କର ସହଯୋଗୀ ଏବଂ ବନ୍ଧୁମାନଙ୍କ ସହ ସାମାଜିକ ହେବା ଉପରେ ଗୁରୁତ୍ୱାରୋପ କରିଛି ।

ଅମ୍ଫାନ ବାତ୍ୟା: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧ ହଜାର କୋଟି ଟଙ୍କା ସାହାଯ୍ୟ ଘୋଷଣା

କୋଲକୋତା: ବାତ୍ୟା ଅମ୍ଫାନ ପରବର୍ତ୍ତି ପରିସ୍ଥିତି ଅନୁଧ୍ୟାନରେ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାରମ୍ଭିକ ସାହାଯ୍ୟ ଭାବେ ପଶ୍ଚମବଙ୍ଗକୁ ୧ ହଜାର କୋଟି ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳ ୧୦.୩୦ ମିନିଟରେ କୋଲକୋତାରେ ପହଂଚିଥିଲେ । କୋଲକୋତାରୁ ସେ ବିମାନଯୋଗେ ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିଥିଲେ । ବିମାନରେ ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିଲେ ।

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ପରେ  ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଦେଶର କରୋନା ଭାଇରସ ସଂକଟ ଲାଗି ରହିଥିବା ବେଳେ ପୂର୍ବ ଭାଗକୁ ବାତ୍ୟା ପ୍ରଭାବିତ କରିଛି । ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଏହି ବାତ୍ୟା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ୮୦ ଜଣ ବ୍ୟକ୍ତିଙ୍କ ଜୀବନ ଆମେ ବଞ୍ଚାଇ ପାରିନାହୁଁ । ଏହି ବାତ୍ୟା କାରଣରୁ ଅନେକ ସମ୍ପତ୍ତି ନଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ସହାୟତା ରାଶି ଭାବେ ୧ ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି । ଏହାସହ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ କ୍ଷତିପୁରଣର ମଧ୍ୟ ଘୋଷଣା କରିଛନ୍ତି ।  ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏ ଦେବାକୁ ସେ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ରାଜ୍ୟପାଳ ଜଗଦୀପ ଧନକଡ ଓ କିଛି କେନ୍ଦ୍ର ମନ୍ତ୍ରୀ ଆକାଶ ମାର୍ଗରୁ ସର୍ଭେ କରିଥିଲେ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ଆର୍ଥିକ ବର୍ଷରେ କମ୍ ରହିବ ଅଭିବୃଦ୍ଧି ହାର, ମାନିଲା ଆରବିଆଇ

ମୁମ୍ବାଇ: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର (ଜିଡିପି) ନୈରାଶ୍ୟଜନକ ରହିବ । ଅର୍ଥାତ୍ ଜିଡିପି ତଳକୁ ଖସିବ । କରୋନା ଲକଡାଉନ୍ ପାଇଁ କେତେକ ରେଟିଂ ଏଜେନ୍ସି ଅଭିବୃଦ୍ଧି ହାର ଖସିବା ନେଇ ଆକଳନ କରିଥିଲେ । କିନ୍ତୁ, ଜିଡିପି ନେଇ ଆରବିଆଇ ସେତେବେଳେ କୌଣସି ଅନୁମାନ ସାଧାରଣରେ ପ୍ରକାଶ କରିନଥିଲା ।

କରୋନା ସଂକଟ ଉପରେ ବସିଥିବା ମୁଦ୍ରା ନୀତି ସମିତି ବେଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକଥା କହିଛନ୍ତି । ୨୦୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ଖସିବ ଏପରିକି ଏହା ନକରାତ୍ମକ ରହିପାରେ ବୋଲି କହିଛନ୍ତି ।

Reserve Bank

କରୋନା ପାଇଁ ମୋଦି ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ୟାକେଜର ବିସ୍ତୃତ ବିବରଣୀ ରଖି ସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ହ୍ରାସର ଘୋଷଣା କରିଛନ୍ତି । ହ୍ରାସ୍ ପରେ ରେପୋ ରେଟ୍ ୪ ପ୍ରତିଶତ ରହିବ । ଏଥିସହ ଆରବିଆଇ ଅତିରିକ୍ତ ଭାବେ ଭାବେ ଲୋନ୍ ଉପରେ ୩ ମାସର ମହଲତ ଦେଇଛି ।

ମହାମାରୀ କରୋନା ପାଇଁ ଦେଶରେ ଅର୍ଥନୀତି ସଂକଟ ବଢ଼ିବ ବୋଲି ପୂର୍ବରୁ ଦୁନିଆର ବଭିନ୍ନ ରେଟିଂ ଏଜେନ୍ସି ଆକଳନ କରି ଚିନ୍ତା ପ୍ରକାଶ କରିଥିଲେ । କ୍ରେଡିଟ୍ ରେଟିଂ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ମଧ୍ୟ ୨୦୨୦-୨୧ ବର୍ଷରେ ଭାରତର ଆର୍ଥିକ ବିକାଶ ଦର ଶୂନ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା ।

RBIର ବଡ ଘୋଷଣା: ରେପୋ ରେଟ୍ ହ୍ରାସ ହେତୁ ଶସ୍ତା ହୋଇପାରେ ଲୋନ୍‌,ଇଏମ୍‌ଆଇ ପାଇଁ ଆଉ ୩ ମାସ ମହଲତ

ଦେଶରେ କରୋନା ସଂକ୍ରମଣ ମାମଲାରେ ସବୁଠୁ ବଡ ବୃଦ୍ଧି,୨୪ ଘଣ୍ଟାରେ ୬ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୬ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଗୁରୁବାର ସକାଳ ୮ରୁ ଶୁକ୍ରବାର ସକାଳ ୭ ଟା ଭିତରେ ଦେଶରେ ୬୧୦୦ କରୋନା ସଂକ୍ରମିତଙ୍କ ସନ୍ଧାନ ମିଳିଛି ।  ଏହି ନୂଆ ୬ ହଜାର ମାମଲା ସହ ଦେଶେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ରେ ପହଂଚିଛି ।  ଏହାଭିତରେୁ ୬୬,୩୩୦ ଆକ୍ଟିଭ୍ ମାମଲା ହୋଇଥିବା ବେଳେ ୪୮ ହଜାର ୫୩୩ ଜଣ ଡିସଚାର୍ଜ ହୋଇଛନ୍ତି । ଅନ୍ୟପକ୍ଷରେ ୩ ହଜାର ୫୮୩ ଜଣ ଏଥିରେ ପ୍ରାଣ ହରାଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ୱିପପୁଂଜରେ ୩୩,ଆନ୍ଧ୍ରପ୍ରଦେଶ ୨୬୪୭, ଅରୁଣାଚଳ ପ୍ରଦେଶର ୧,ବିହାରରେ ୧୯୮୨, ଆସାମରେ ୨୦୩,ଚଣ୍ଡିଗଡରେ ୨୧୭,ଛତିସଗଡରେ ୧୨୮,ଦାଦ୍ରା ନଗର ହାବେଲୀରେ ୧,ଦିଲ୍ଲୀରେ ୧୧୬୫୯,ଗୋଆରେ ୫୨,ଗୁଜୁରାଟରେ ୧୨୯୦୫,ହରିଆନାରେ ୧୦୩୧,ଜମ୍ମୁକାଶ୍ମୀରରେ ୧୪୪୯,ଓଡ଼ିଶାରେ ୧୧୦୩,ପୁଡୁଚେରିରି ୨୦,ରାଜସ୍ଥାନରେ ୬୨୨୭,ତାମିଲନାଡୁରେ ୧୩୯୬୭,ମହାରାଷ୍ଟ୍ରରେ ୪୧୬୪୨ ଜଣ ସଂକ୍ରମିତ ହୋଇଛନ୍ତି  ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ ଅଛି । ଏପରିକି ଭଲ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ପ୍ରତିଶ୍ରତ ଦୃଷ୍ଟିରୁ ଅଲଗା ଦେଶ ତୁଳନାରେ ଭାରତରେ ଅଧିକ । କିନ୍ତୁ ବିଶେଷଜ୍ଞଙ୍କ କହିବା ହେଉଛି ଜୁନ ମାସ ବେଳକୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେବ । ଏହାସହ ଲକଡାଉନ୍ ୪.୦ରେ ଅଧିକ ରିହାତି ଦିଆଯାଇଛି । ଏହି ରିହାତି କାରଣରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଗତ ୨୪ ଘଣ୍ଟାରେ ୬ ହଜାର ନୂଆ ସଂକ୍ରମିତଙ୍କ ଚିହ୍ନଟ ସେହି ଦୀଗ ଆଡକୁ ଇଶାରା କରୁଛି । କାରଣ କରୋନା ଭାରତରେ ପହଂଚିବା ପରଠାରୁ ଏହା ହେଉଛି ୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ।

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

ପଶ୍ଚିମବଙ୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ମମତା କହିଲେ ‘ଅମ୍ଫାନ’ ଘୋଷଣା ହେଉ ଜାତୀୟ ବିପର୍ଯ୍ୟୟ

କୋଲକାତା: ପଶ୍ଚିମବଙ୍ଗରେ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଭୀଷଣ କ୍ଷୟକ୍ଷତି କରିଛି । ବିଗତ ୨୮୩ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ‘ଅମ୍ଫାନ’ ହେଉଛି ସବୁଠୁ ବଡ଼ ବାତ୍ୟା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଅପିଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ବିମାନବନ୍ଦରରେ ପହଞ୍ଚିଛନ୍ତି । ମମତା ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିବା ପରେ ଉଭୟ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳକୁ ସର୍ଭେ ପାଇଁ ବାହାରିଛନ୍ତି । ‘ଅମ୍ଫାନ’କୁ ଜାତୀୟ ବିପର୍ଯ୍ୟୟ ଘୋଷଣା ପାଇଁ ମମତା ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନକଡ଼ ଓ କେନ୍ଦ୍ରମନ୍ତ୍ରୀ ଆକାଶ ମାର୍ଗରୁ ‘ଅମ୍ଫାନ’ ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖୁଛନ୍ତି । ପିଏମ୍ ମୋଦି ଉତ୍ତର ଓ ସାଉଥ୍ ପ୍ରଗଣା ଅଞ୍ଚଳ ବୁଲି ଦେଖିବା ପରେ ବସିରହାଟ ଯିବେ, ସେଠାରେ ବୈଠକ ହେବାର ଅଛି ।

ଶୁକ୍ରବାର ସକାଳ ସୁଦ୍ଧା ‘ଅମ୍ଫାନ’ ଯୋଗୁଁ ପଶ୍ଚିମବଙ୍ଗରେ ୮୦ ଲୋକଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

କରୋନା ଭାଇରସ୍ ଯୋଗୁଁ ଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀ ମୋଦି, ପ୍ରାୟ ୮୩ ଦିନ ପରେ ପ୍ରଥମଥର ପାଇଁ ଦିଲ୍ଲୀ ବାହାରକୁ ଯାତ୍ରା କରିଛନ୍ତି । ପଶ୍ଚିମବଙ୍ଗରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କରିବାକ କାର୍ଯ୍ୟକ୍ରମ ରହିଛି ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ନିଶା ଆଗରେ ହାର ମାନିଲା ମା’ର ମମତା,ଦୁଇ ମାତାଲ ପୁଅଙ୍କ ମାଡରେ ଗଲା ମା’ ଜୀବନ

ମୟୂରଭଞ୍ଜ: ମାତାଲ ପୁଅଙ୍କ ମାଡରେ  ଗଲା ମାଆର ଜୀବନ । ଠେଙ୍ଗାରେ ବାଡ଼େଇ ବାଡ଼େଇ ମାଆକୁ ମାରିଦେଲେ । ଦୁଇ ପୁଅଙ୍କର ନୃଶଂସତାକୁ ଅଟକାଇ ପାରିଲାନି ମାଆର ମମତା । ନିଶାରେ ପିଟିପିଟି ରକ୍ତାକ୍ତ କରିଦେଲେ ମାଆର ପଣତକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ । ଦୁଇ ପୁଅ ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଇଥିବା ଥାନାରେ  ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତୁଳସୀ ସିଂହ । ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମାଆ ତୁଳସୀ ସିଂହଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ନିଶାରେ ଥିବା ଦୁଇ ଭାଇ ଏନେଇ ମାଙ୍କୁ  ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରବି ଏବଂ ରାଜ କିଶୋର ନିଶାସକ୍ତ ଅବସ୍ଥାରେ ମାଆ ତୁଳସୀ ସିଂହଙ୍କୁ ଦୁଇଟି ଠେଙ୍ଗାରେ ମୁଣ୍ଡକୁ ପାହାର ଦେଇଥିଲେ । ଫଳରେ ମାଆ ତୁଳସୀ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

ଏନେଇ ଆଜି ସକାଳେ ଜଣାପଡ଼ିବା ପରେ ତୁଳସୀଙ୍କ ସ୍ୱାମୀ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତୁଳସୀଙ୍କ ମୃତ ଦେହକୁ ଜବତ କରିବା ସହ ଦୁଇ ପୁଅ ରବି ସିଂହ ଏବଂ ରାଜ କିଶୋର ସିଂହଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବାଙ୍ଗିରିପୋଷି ଥାନା ଅଧିକାରୀ କହିଛନ୍ତି । ଏହି ଅଘଟଣ ବାଙ୍ଗରିପୋଷି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

RBIର ବଡ ଘୋଷଣା: ରେପୋ ରେଟ୍ ହ୍ରାସ ହେତୁ ଶସ୍ତା ହୋଇପାରେ ଲୋନ୍‌,ଇଏମ୍‌ଆଇ ପାଇଁ ଆଉ ୩ ମାସ ମହଲତ

ନୂଆଦିଲ୍ଲୀ:  କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ହାର ହ୍ରାସ କରିବାକୁ ଘୋଷଣା କରିଛନ୍ତି ।

କରୋନାରେ ବେହାଲ୍‌ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା । ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ହ୍ର।ସ ନେଇ ସୂଚନା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋରେଟ୍‌ ୪.୪ ପ୍ରତିଶତରୁ ହ୍ର।ସ ପାଇ ୪ ପ୍ରତିଶତ କରାଯାଇଛି । ଏହାଫଳରେ ଇଏମ୍‌ଆଇ ଓ ଲୋନ୍‌ ଶସ୍ତା ହୋଇପାରେ । ସେହିପରି ଇଏମ୍‌ଆଇ ପାଇଁ ରିଜର୍ଭ ବ୍ୟାଙ୍କ ଆଉ ୩ ମାସ ମହଲତ ଦେଇଛନ୍ତି । ବ୍ୟାଙ୍କଗୁଡ଼ିକ ଏହାକୁ କାର୍ଯ୍ୟକାରୀ କଲେ ଗ୍ରାହକ ସୁଫଳ ପାଇବେ । ଅର୍ଥନୈତିକ ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ଆର୍‌ବିଆଇ ୪ସୂତ୍ରୀ ଯୋଜନା ଘୋଷଣା କରିଛି । ପ୍ରଥମଟି ହେଲା, ବଜାରରେ କାରବାର ବୃଦ୍ଧି ।

ଦ୍ୱିତୀୟରେ ରପ୍ତାନୀ ବୃଦ୍ଧି ପାଇଁ ସହଯୋଗ, ତୃତୀୟରେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ହ୍ର।ସ କରିବା ଏବଂ ଚତୁର୍ଥରେ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ପ୍ରତିବନ୍ଧକ ଦୂର କରିବା । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥନୈତିକ ବିକାଶ ପାଇଁ ଆଶା ପ୍ରକାଶ କରିବା ସହ ଚଳିତବର୍ଷ ସ୍ୱାଭାବିକ ମୌସୁମୀ ହେବ ଏବଂ ଏଥିରୁ ଅର୍ଥନୀତିକୁ ସୁଫଳ ମିଳିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ମାସରେ ସିମେଣ୍ଟ ଉତ୍ପାଦନ ପ୍ରଭାବିତ ହୋଇଛି । ଏହା ୧୯ ପ୍ରତିଶତ ହ୍ର।ସ ପାଇଛି । ସେହିପରି ଶିଳ୍ପ ଉତ୍ପାଦନ ୧୭ ପ୍ରତିଶତ ହ୍ର।ସ ପାଇଛି। ତେବେ ଖାଦ୍ୟ ଶସ୍ୟ ଉତ୍ପାଦନ ୩ ଦଶମିକ ୭ ପ୍ରତିଶତ ବଢିଛି । ଅପରପକ୍ଷରେ କରୋନା ଯୋଗୁଁ ଦେଶରେ ପୁଞ୍ଜିନିବେଶ କମିଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।

EMI ନେଇ ଆରବିଆଇ ଗଭର୍ଣ୍ଣରଙ୍କ ବଡ଼ ସୂଚନା

ଆରବିଆଇ ଲକଡାଉନ୍ ଆରମ୍ଭ କାଳରେ ବ୍ୟାଙ୍କ ମାନଙ୍କୁ ୩ ମାସ ପାଇଁ ଲୋନ୍ ଓ ଇଏମଆଇ ଉପରେ ରିହାତି ଦେବାକୁ ଘୋଷଣା କରିଥିଲା । ଏହାପରେ ଅଧିକାଂଶ ବ୍ୟାଙ୍କ ଆରବିଆଇର ପରାମର୍ଶକୁ ଗ୍ରହଣ କରିନେଇଥିଲେ । ବର୍ତ୍ତମାନ ଆରବିଆଇ ପୁଣିଥରେ ଆଉ ତିନି ମାସ ପାଇଁ ଇୋନ୍ ଓ ଇଏମଆଇ ଉପରେ ରିହାତି ଘୋଷଣା କରିଛି । ଏହାର ଅର୍ଥ ହେଲା ବ୍ୟାଙ୍କ ଗ୍ରାହକଙ୍କୁ ଇଏମଆଇ ଦେବାକୁ ବାଧ୍ୟ କରିପାରିବେ ନାହିଁ । ଆଗର ୩ ମାସ ଓ ନୂଆ ୩ ମାସକୁ ମିଶାଇ,ଗ୍ରାହକଙ୍କୁ ମୋଟ ୬ ମାସର ମହଲତ ମିଳିବ । ଅନ୍ୟପକ୍ଷରେ ଏହି ଅବଧିରେ ଲୋନ୍ ଇଏମଆଇ ଦେଉନଥିବା ଗ୍ରାହକଙ୍କ ସିବିଲ ସ୍କୋର ମଧ୍ୟ ଠିକ ରହିବ । ଅର୍ଥାତ ବ୍ୟାଙ୍କ ନଜରରେ ଆପଣ ଡିଫଲ୍ଟର ହେବେ ନାହିଁ । ତେବେ ଏଥିପାଇଁ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । 

ଗଭର୍ଣ୍ଣରଙ୍କ ବଡ ଘୋଷଣା

– ଲକଡାଉନ୍ ଠାରୁ ଅର୍ଥନୈତିକ କ୍ଷେତ୍ରରେ ପ୍ରବଳ ହ୍ରାସ ହୋଇଛି , ମୁଖ୍ୟତଃ ୬ଟି  ବୃହତ ଶିଳ୍ପ ରାଜ୍ୟରେ ରେଡ ଜୋନରେ ରହିଛି ।

– କରୋନା ପାଇଁ ମାର୍ଚ୍ଚ ମାସରେ ପୁଞ୍ଜି ସାମଗ୍ରୀ ଉତ୍ପାଦନ ୩୬% ହ୍ରାସ ପାଇଛି  ।

– ଉପଭୋକ୍ତାଙ୍କ ସ୍ଥାୟୀ ଉତ୍ପାଦନରେ ୩୩% ହ୍ରାସ ପେଇଛି  ।

– ମାର୍ଚ୍ଚରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ କରୋନା ପାଇଁ ୧୭ ପ୍ରତିଶତ ହ୍ରାସ ହୋଇଛି ।

-ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ପୁଣି ୮.୬ ପ୍ରତିଶତକୁ ବୃଦ୍ଧି ପାଇଛି

– ଡାଲିର ମୁଦ୍ରାସ୍ଫୀତି ଆସନ୍ତା ମାସରେ ବିଶେଷ ଚିନ୍ତାର କାରଣ ହେବ । କାରଣ ଡ଼ାଲିର ଦର ଏବେ ଯାହା ଅଛି ତାହା ଆଗକୁ ବଢ଼ିବ ।

– ଏହି ଅଧା ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ଅଧିକ ରହିବ କିନ୍ତୁ ପରବର୍ତ୍ତୀ ଅଧା ବର୍ଷରେ ଏଥିରେ ହ୍ରାସ ଘଟିପାରେ ।

 

ରାଜ୍ୟରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ…୧୧୮୯ ହେଲା ମୋଟ୍‌ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକଟ । ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ ୮୦ ଜଣ  । ଜଣେ କଣ୍ଟେନମେଣ୍ଟ ଜୋନରୁ ଏବଂ ଅନ୍ୟ ୫ଜଣ ନୂଆ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ । ତେବେ ନୂଆ କରୋନା ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି ।

ଯାଜପୁରରୁ ୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏହା ପରେ ଯାଜପୁରରେ କରୋନା ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମରୁ ୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଗଞ୍ଜାମରେ ୩୨୨କୁ ଛୁଇଁଛି ସଂକ୍ରମଣ । ଭଦ୍ରକ, କେନ୍ଦୁଝର, ଖୋର୍ଦ୍ଧା,ପୁରୀରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବଲାଙ୍ଗିରରୁ ୨ ଜଣ ଏବଂ ସୁନ୍ଦରଗଡ଼ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ତେବେ ଆସନ୍ତାକାଲି ୫୦୧୪ଟି ନମୁନା ପରୀକ୍ଷା ହୋଇଥିଲା । ଏପର୍ଯ୍ୟନ୍ତ ୧ ଲକ୍ଷ ୧୩ ହଜାର ୪୪୬ଟି ନମୁନା ପରୀକ୍ଷା ସରିଛି । ଏବେ ରାଜ୍ୟରେ ୭୮୯ ଆକଟିଭ୍‌ କେସ ଥିବା ବେଳେ ୩୯୩ ଜଣ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଛି ।

ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

କରୋନା ସଂକ୍ରମଣ ପାଇଁ ବିଶ୍ୱରେ ୧୧ ନମ୍ବର ସ୍ଥାନରେ ରହିଛି ଦେଶ, ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ଟପିଲାଣି

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସାଢେ ୫ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଧ୍ୟା ଲକ୍ଷେ ୧୫ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩୦ରୁ ଅଧିକଙ୍କ ଜୀବନ ନେଇଛି ଭୂତାଣୁ । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ସାଢେ ୩ହଜାର ପାର ହୋଇଛି ।

ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ରହିଛି । ଗତକାଲି ରାଜ୍ୟରେ ୨୩ ଶହରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମିତଙ୍କ  ସଂଖ୍ୟା ୪୧ହଜାର ଟପିଛି । କେବଳ ମୁମ୍ବାଇରେ ଆକ୍ରାନ୍ତ ସଂଖ୍ୟା ୨୫ହଜାର ପାର ରହିଛି । ଗତ ୫ ଦିନ ମଧ୍ୟରେ ମହାରାଷ୍ଟ୍ରରେ ୧୦ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ସେହିପରି ତାମିଲନାଡୁରେ ସଂଖ୍ୟା ୧୩ ହଜାର ଟପିଥିବା ବେଳେ ଗୁଜରାଟରେ ୧୨ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶ୍ୱର କୋରାନ ସଂକ୍ରମିତ ଦେଶ ତାଲିକାରେ ଭାରତ ୧୧ନମ୍ବର ସ୍ଥାନରେ ରହିଛି।

ସାବିତ୍ରୀ ବ୍ରତରେ ମନ୍ଦିର ମନା… ଘରେ ରହି ସାବିତ୍ରୀ ପୂଜା କରିବାକୁ ନିର୍ଦ୍ଦେଶ… ପୂଜାପାଠ ପାଇଁ କଣ୍ଟା ସାଜିଛି ଭୂତାଣୁ

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ସାବିତ୍ରୀ… । ସ୍ୱାମୀଙ୍କ ଦିର୍ଘାୟୁ ପାଇଁ ବ୍ରତ ପାଳନ କରିଥାନ୍ତି ସବୁ ସଧବା । ମନ୍ଦିର ଯାଇ ସାଢ଼ି ସଙ୍ଖା ସିନ୍ଦୂରକୁ ପୂଜା କରିଥାନ୍ତି । ମନ୍ଦିରରୁ ସ୍ତ୍ରୀ ଘରକୁ ଆସି ସ୍ୱାମୀଙ୍କ ପାଦ ସ୍ପର୍ଶ ପାଣି ପିଇ ଆଶୀର୍ବାଦ ନେଲା ପରେ ନିଜର ବ୍ରତ ଭାଙ୍ଗିଥାନ୍ତି । କିନ୍ତୁ ଏବେ ସାବିତ୍ରୀ ପୂଜାରେ ବାଧା ଆଣିଛି କରୋନା । କରୋନା ପାଇଁ ଏବେ ସବୁ ମନ୍ଦିର ବନ୍ଦ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ମନ୍ଦରରେ କଟକଣା କରାଯାଇଛି । ସ୍ତ୍ରୀ ମାନେ ମନ୍ଦରରେ ସାବିତ୍ରୀ ପୂଜା ନକରି ଘରେ କରିବାକୁ ସରକାରଙ୍କ ତରଫରୁ ଗାଇଡ଼ ଲାଇନ ଜାରି କରାଯାଇଛି ।

ସାବିତ୍ରୀ ଅମାବାସ୍ୟାକୁ ଆଖିରେ ରଖି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର ପରିସରରେ ୧୪୪ ଧାରା ରୁଜୁ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି । ମୟୂରଭଂଜରେ ଘରେ ସାବିତ୍ରୀ ପାଳିବାକୁ ପରାମର୍ଶ ଦେଇଛି ପ୍ରଶାସନ । ବାହାରେ ଯାଇ ଭିଡ଼ ନବଢ଼ାଇବାକୁ ପ୍ରଶାସନ ପରାମର୍ଶ ଦେଇଛି। ମହାମାରୀ କରୋନା ପାଇଁ କରାଯାଇଥିବା ଲକ୍‌ଡାଉନ୍‌ କଟକଣା ଯୋଗୁଁ ଧର୍ମାନୁଷ୍ଠାନରେ ଭିଡ ନଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି । ମେ ୩୧ ତାରିଖ ଯାଏ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ହୋଇଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲଗାଯାଇଛି । ମନ୍ଦିର ଖୋଲିବ ତେବେ ଭକ୍ତଙ୍କ ପୂଜାର୍ଚ୍ଚନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଆଜି ସାବିତ୍ରୀ ବ୍ରତ । ଏବଂ ବହୁ ସଂଖ୍ୟାରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛି । ପରମ୍ପରା ବଜାୟ ରଖିବା ସହ ସମାଜକୁ ସୁରକ୍ଷିତ ରଖିବା ସମସ୍ତଙ୍କ କର୍ତବ୍ୟ ବୋଲି ପୋଲିସ ପ୍ରଶାସନ ବିଜ୍ଞପ୍ତି ଜାରି କରିଛି ।

ଅନ୍ୟପଟେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ମହିଳାଙ୍କ ପାଇଁ ସାବିତ୍ରୀ ସଜ ପଠାଇଲେ ସରପଞ୍ଚ । ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଚୁଙ୍ଗୁଡ଼ିଘାଇ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ମହିଳାଙ୍କ ପାଇଁ ନୂଆ ଶାଢୀ ଓ ପୂଜା ସାମଗ୍ରୀ ପଠାଇଛନ୍ତି । କରୋନା ସଂକ୍ରମଣ ରୋକିବାକୁ ବାହାର ରାଜ୍ୟରୁ ଆସୁଥିବା ମହିଳାମାନେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହୁଛନ୍ତି। ତେଣୁ ସେମାନେ ସାବିତ୍ରୀ ବ୍ରତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଦେଇଛନ୍ତି ସରପଞ୍ଚ । ଚୁଙ୍ଗୁଡ଼ିଘାଇ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା ମିଳିଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।