ନିଶା ଆଗରେ ହାର ମାନିଲା ମା’ର ମମତା,ଦୁଇ ମାତାଲ ପୁଅଙ୍କ ମାଡରେ ଗଲା ମା’ ଜୀବନ

ମୟୂରଭଞ୍ଜ: ମାତାଲ ପୁଅଙ୍କ ମାଡରେ  ଗଲା ମାଆର ଜୀବନ । ଠେଙ୍ଗାରେ ବାଡ଼େଇ ବାଡ଼େଇ ମାଆକୁ ମାରିଦେଲେ । ଦୁଇ ପୁଅଙ୍କର ନୃଶଂସତାକୁ ଅଟକାଇ ପାରିଲାନି ମାଆର ମମତା । ନିଶାରେ ପିଟିପିଟି ରକ୍ତାକ୍ତ କରିଦେଲେ ମାଆର ପଣତକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ । ଦୁଇ ପୁଅ ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଇଥିବା ଥାନାରେ  ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତୁଳସୀ ସିଂହ । ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମାଆ ତୁଳସୀ ସିଂହଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ନିଶାରେ ଥିବା ଦୁଇ ଭାଇ ଏନେଇ ମାଙ୍କୁ  ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରବି ଏବଂ ରାଜ କିଶୋର ନିଶାସକ୍ତ ଅବସ୍ଥାରେ ମାଆ ତୁଳସୀ ସିଂହଙ୍କୁ ଦୁଇଟି ଠେଙ୍ଗାରେ ମୁଣ୍ଡକୁ ପାହାର ଦେଇଥିଲେ । ଫଳରେ ମାଆ ତୁଳସୀ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

ଏନେଇ ଆଜି ସକାଳେ ଜଣାପଡ଼ିବା ପରେ ତୁଳସୀଙ୍କ ସ୍ୱାମୀ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତୁଳସୀଙ୍କ ମୃତ ଦେହକୁ ଜବତ କରିବା ସହ ଦୁଇ ପୁଅ ରବି ସିଂହ ଏବଂ ରାଜ କିଶୋର ସିଂହଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବାଙ୍ଗିରିପୋଷି ଥାନା ଅଧିକାରୀ କହିଛନ୍ତି । ଏହି ଅଘଟଣ ବାଙ୍ଗରିପୋଷି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply