spot_img
Home Blog Page 704

ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଚାଲିବ ଗୁପ୍ତସେବା, ଶ୍ରୀଅଲାରନାଥରେ ଜମିବ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡିତ ମହାପ୍ରଭୁ । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଚାଲିବ ଗୁପ୍ତସେବା । ସ୍ନାନବେଦୀରେ ସ୍ନାନଯାତ୍ରା ସରିବା ପରେ ଅଣସର ଚାଳିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜ୍ବର ଲାଘବ ପାଇଁ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଛନ୍ତି ଦଇତାପତି । ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ, ସଂକୀର୍ତ୍ତନ ଆଦି ନିତୀ ବନ୍ଦ ରହିବା ସହ ଶ୍ୱେତ ପୁଷ୍ପରେ ମହାପ୍ରଭୁଙ୍କୁ ପୂଜା କରାଯିବ । ସେପଟେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିରରେ ଆଜିଠାରୁ ଦର୍ଶନ ଦେଉଛନ୍ତି ପଟି ଦିଅଁ । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମାଆ ଭୂବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଉଛନ୍ତି ।

ସେପଟେ ଆଜିଠାରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠରେ ଲାଗିଛି ଗହଳି । ୨୫ ତାରିଖ ଯାଏଁ ବ୍ରହ୍ମଗିରି ଅଲାରନାଥ ପୀଠରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ଯବସ୍ଥା, ସୁରକ୍ଷା ଓ ନୀତିକାନ୍ତି ନେଇ ସମସ୍ତ ବ୍ଯବସ୍ଥା କରାଯାଇଛି । ଶୃଙ୍ଖଳିତ ନୀତିକାନ୍ତି ସହ ଭକ୍ତ କିପରି ସୁବିଧାରେ ଅଲାରନାଥଙ୍କ ପ୍ରଶିଦ୍ଧ କ୍ଷୀରି ଭୋଗ ପାଇବେ, ସେଥିପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ପୁରୀରୁ ବ୍ରହ୍ମଗିରିକୁ ଗମନଗମନ ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ଲାନ୍ । ୩ଟି ପଏଣ୍ଟରେ ଟ୍ରାଫିକ କଟକଣା ସହ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

୨୦ ଡିଗ୍ରୀ ତଳକୁ କରିହେବନି AC: AC ଚଳାଇବାକୁ ଆସିବ ନୂଆ ନିୟମ

ନନ୍ଦିଘୋଷ ବ୍ୟୁରୋ: ଏଣିକି ଘରେ ନିଜର କୋଠରୀକୁ ସିମଲା ଭଳି ଥଣ୍ଡା କରିହେବ ନାହିଁ। ୨୦ ଡିଗ୍ରୀ ତଳକୁ କରିହେବନି AC। ଏ ନେଇ ଖୁବଶୀଘ୍ର ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ବଡ଼ ଘୋଷଣା କରିଛନ୍ତି।

ଏହି ନିୟମ ଅନୁଯାୟୀ, ଏସିର ତାପମାତ୍ରା ୨୦ ଡିଗ୍ରୀରୁ ୨୮ ଡିଗ୍ରୀ ମଧ୍ୟରେ ସ୍ଥିର କରାଯିବ। ଲୋକେ ୨୦ ଡିଗ୍ରୀ ତଳକୁ ଥଣ୍ଡା ଏବଂ ୨୮ ଡିଗ୍ରୀ ଉପରକୁ କରିପାରିବେ ନାହିଁ। ଏହା ଦ୍ଵାରା ବିଦ୍ୟୁତ୍ ସଞ୍ଚୟ ସହ ପରିବେଶ ପାଇଁ ଲାଭଦାୟକ ହେବ। ଏହି ନିୟମ ଏସି କମ୍ପାନୀଗୁଡ଼ିକୁ ମନଇଚ୍ଛା ତାପମାତ୍ରା ସ୍ଥିର କରିବାରୁ ରୋକିବ। ଏୟାର କଣ୍ଡିସନିଂ ମାନଦଣ୍ଡ ସମ୍ପର୍କରେ ଖୁବଶୀଘ୍ର ଏକ ନୂତନ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ସମସ୍ତେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ପରିସର ମଧ୍ୟରେ ଏସି ବ୍ୟବହାର କରନ୍ତୁ ବୋଲି ସରକାର ଚାହୁଁଛନ୍ତି। ଏହା ବିଦ୍ୟୁତ୍ ବ୍ୟବହାର ହ୍ରାସ କରିବ। ବିଦ୍ୟୁତ୍ ସଞ୍ଚୟ କରିବା ଦ୍ୱାରା ଦେଶ ଆର୍ଥିକ ଭାବରେ ମଧ୍ୟ ଲାଭବାନ ହେବ। ଏହା ସହିତ ପରିବେଶ ପ୍ରତି ସୃଷ୍ଟି ହେଉଥିବା ବିପଦ ମଧ୍ୟ ହ୍ରାସ ପାଇବ। ଏହି ନିୟମ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଲୋକଙ୍କୁ ଏହା ବିଷୟରେ ସଚେତନ କରାଯାଉଛି।

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୦୦ରୁ ଅଧିକ ଭକ୍ତ ମେଡିକାଲରେ ଭର୍ତ୍ତି

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୦୦ରୁ ଅଧିକ ଭକ୍ତ ମେଡିକାଲରେ ଭର୍ତ୍ତି। ତାମିଲନାଡୁ ବିରୁଧୁନଗର ଜିଲ୍ଲାର ଏକ ମନ୍ଦିରରେ ପ୍ରସାଦ ଖାଇ ଅସୁସ୍ଥ ହୋଇ ପଡିଛନ୍ତି ଭକ୍ତ। ମନ୍ଦିରରେ ମହୋତ୍ସବରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଅସୁସ୍ଥଙ୍କୁ ମଦୁରାଇର ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ କିଛି ଲୋକଙ୍କୁ ବିରୁଧୁନଗରର ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ସମସ୍ତ ରୋଗୀ ସୁସ୍ଥ ଥିବା ରାଜାଜୀ ହସ୍ପିଟାଲର ଡିନ୍ କହିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଖାଦ୍ୟରେ ବିଷକ୍ରିୟାର କାରଣ କଣ ଏହାର ତଦନ୍ତ ଚାଲିଛି।

ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସୂପକାର ସେବାୟତଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସୂପକାର ସେବାୟତଙ୍କୁ ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁରୀ ପୋଲିସ। ଅଭିଯୁକ୍ତ ନାରାୟଣ ପାଟ୍ଟଯୋଶୀଙ୍କୁ ଗିରଫ କରିଛି ପୋଲିସ।
ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଘଟିଥିଲା ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ।

ମୃତ ସେବାୟତ ହେଲେ ମହି ପ୍ରକାଶ ମଠର ୮୪ ବର୍ଷୀୟ ଜଗନ୍ନାଥ ଦିକ୍ଷୀତ। ସ୍ନାନ ମଣ୍ଡପରେ ପନ୍ତିବଡୁ ସେବା ପାଳିସାରି ଫେରୁଥିଲେ ଜଗନ୍ନାଥ। ରାସ୍ତାରେ ଜଗନ୍ନାଥଙ୍କୁ ନିଜ ଘରକୁ ଡ଼ାକି ହତ୍ୟା କରିଥିଲା ନାରାୟଣ। ପରେ ମୃତ ଦେହକୁ ଦାଣ୍ଡରେ ଶୁଆଇ ଦେଇ ସାଇକେଲ ଯୋଗେ ପଳାଇଥିଲା। ପଡ଼ୋଶୀ ଖବର ଦେବାପରେ ସାଇଣ୍ଟିଫିକ ଟିମ୍ ଓ ଟାଉନଥାନା ପୋଲିସ ପହଞ୍ଚି ଛନଭିନ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଛି ପୋଲିସ। ସେପଟେ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସେ କହିଛନ୍ତି।

ସରକାରଙ୍କୁ ଘାରିଛି ଦଶମରେ ଡ୍ରପଆଉଟ ଚିନ୍ତା

ସରକାରଙ୍କୁ ଘାରିଛି ଦଶମରେ ଡ୍ରପଆଉଟ ଚିନ୍ତା । ଏହାକୁ ରୋକିବାକୁ ଡ୍ରପଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବି ଚାଲିଛି । ଡୋର ଟୁ ଡୋର ଯାଇ ଶିକ୍ଷକମାନେ ସର୍ଭେ କରିଛନ୍ତି । ସେହି ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ଗତ ଶିକ୍ଷା ବର୍ଷରେ ଏହା ଉପରେ ଅଂକୁଶ ଲାଗିପାରି ନଥିଲା ।

ଗତବର୍ଷ ୭,୬୮୨ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଏଥିସହ ୨୦୨୪-୨୫ ମସିହାରେ ପ୍ରାଥମିକ ଶ୍ରେଣୀରେ ୨, ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ୧,୧୯୮ ପିଲା ଅଧାରୁ ପାଠ ଛାଡ଼ିଥିଲେ । ସେହିପରି ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୧,୪୪୬ ପିଲା ଅଧାରୁ ପାଠ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୮୧ ପିଲା ସ୍କୁଲ ଫେରିଥିଲେ । ମାତ୍ର ୨୮ ଟି ଜିଲ୍ଲା ୯୬୫ ପିଲା ବିଦ୍ୟାଳୟ ଆସୁନାହାନ୍ତି । ମାଟ୍ରିକରେ ଫର୍ମ ଫିଲଅପ୍ କରି ୮୩୬୨ ପିଲା ପରୀକ୍ଷା ଦେଇ ପାରି ନଥିଲେ । ଏହାର ପ୍ରକୃତ କାରଣ ଖୋଜି ଶିକ୍ଷା ଉପଯୋଗୀ ବାତାବରଣ ସୃଷ୍ଟି କରିବାକୁ ଅଭିଭାବକ ଦାବି କରିଛନ୍ତି ।

ଗୁରୁମନ୍ତ୍ର ଦେବେ ନବୀନ; ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଦେବେ ଫର୍ମୁଲା

ଭୁବନେଶ୍ୱର: ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ। ଫୋକସରେ ତୃଣମୂଳ ସଂଗଠନ। ସରକାରଙ୍କ ବିରୋଧରେ ତ୍ବରିତ ହେବ ଜନଜାଗରଣ। ବିଧାୟକ କହିଲେ ଜନସେବା ହିଁ ବିଜେଡିର ମୂଳମନ୍ତ୍ର। ସଶକ୍ତ ବିରୋଧୀ ଦଳ ଭୂମିକାରେ ବିଜେଡି। ଲୋକଙ୍କ ସ୍ବର ସାଜି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛି ଦଳ। କେତେବେଳେ ଦରଦାମକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ତ ଆଉ କେତେବେଳେ ଓବିସି ସଂରକ୍ଷଣ ନେଇ ସରକାର ବିରୋଧରେ ଜୋରଦାର ଲଢେଇ କରିଛି। ମହାନଦୀ, ପୋଲାଭରମ ପାଇଁ ବିଜେଡି ଗ୍ରାଉଣ୍ଡରୁ ବିଧାନସଭା ଯାଏଁ ହକ ମାଗିଛି। ୫୧ ଜଣ ବିଜେଡି ବିଧାୟକ ବିଧାନସଭାରୁ ନିର୍ବାଚନମଣ୍ଡଳି ଯାଏ ଲୋକଙ୍କ ସମସ୍ୟା ସରକାରଙ୍କ ସାମ୍ନାକୁ ଆଣି ସମାଧାନର ବାଟ ବାହାର କରିଛନ୍ତି। ଏହାରି ଭିତରେ ବିଜେପି ସରକାରକୁ ବର୍ଷେ ପୂରିଛି। ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରିନାହିଁ। ବିଜେପି ସରକାର ଯାହା ପ୍ରତିଶୃତି ଦେଇଥିଲା ତାହା ପାଳନ କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କ ସହ ବୈଠକ କରି ଦେବେ ଗୁରୁମନ୍ତ୍ର ।

ବିଜେଡି ସଭାପତି ବାରମ୍ବାର ସଂଗଠନକୁ ନେଇ ବୈଠକ କରିବା ପରେ ତୃଣମୂଳରୁ ରାଜ୍ୟସ୍ତରରେ ବିଜେଡି ସଂଗଠନ କ୍ରିୟାଶୀଳ ହୋଇଛି। ୨୦୨୪ ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା କମିଥିଲେ ମଧ୍ୟ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି। ବିଜେପି ସରକାର ବିଫଳତା ବିରୋଧରେ ଶାଣିତ ସ୍ବର ଉଠାଇବାକୁ ନବୀନ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ବିଜେଡି ଏବେଠାରୁ ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛି ।

୨୦୨୪ ନିର୍ବାଚନ ପରେ ୨୦୨୭ ପାଇଁ ବିଜେଡି ସଂଗଠନକୁ ନୂଆରୂପ ଦେଇ ତୃଣମୂଳ ସଂଗଠନକୁ ମଜଭୁତ କରିବାକୁ ଫୋକସ କରିଛି। ରାଜ୍ୟସ୍ତରୀୟ ଜନ ଜଗରଣ ଅଭିଯାନକୁ ତୃଣମୂଳସ୍ତରରେ ବିଧାୟକମାନେ କିପରି ଅଧିକ ତ୍ବରାନ୍ନିତ କରିବେ ତାହା ଉପରେ ବୈଠକରେ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରିବ ବିଜେଡି।

ସରକାରଙ୍କ ବର୍ଷ ପୂର୍ତ୍ତି ଆଗରୁ ହିସାବ ମାଗି ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଆସନ୍ତାକାଲି ମୋହନ ସରକାରଙ୍କୁ ବର୍ଷ  ପୂରିବ। ବର୍ଷପୂର୍ତ୍ତି ଅବସରରରେ ଶାସକ ବିଜେପି ନିଜ ସଫଳତାର ଗାଥା ଓଡି଼ଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ବଡ଼ ଯୋଜନା କରିଛି। ସେପଟେ କିନ୍ତୁ ସରକାରଙ୍କ ରିପୋର୍ଟ କାର୍ଡକୁ ନେଇ ଘେରିଛନ୍ତି ବିରୋଧୀ।

ଓଡି଼ଶାବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ବିଫଳ। ୧୧ ପ୍ରତିଶୃତି ପାଳନ କରିଛୁ ବୋଲି ଯାହା କହୁଛନ୍ତି, ତାହା ପୁରା ମିଛ। ଏପରି ଅଭିଯୋଗ କରି ବିଜେଡି କହିଛି, ବିଜେପିର ଗୋଟେ ବି ପ୍ରତିଶୃତି କ୍ରିୟାନ୍ଵୟନ ହୋଇନାହିଁ  । ଆଇନଶୃଙ୍ଖଳା ପରିସ୍ଥିତି ସଭିଙ୍କୁ ନିରାଶ କରିଛି, ନିଯୁକ୍ତି ନାହିଁ। ସାମାଜିକ ସୁରକ୍ଷାରେ ସେମିତି କିଛି ନାହିଁ। ଧାନରେ ୮୦୦ ଟଙ୍କା ବୋନସ୍ ଦେଲେ ସତ, କିନ୍ତୁ ଏତେ କଟନି ଛଟନି କଲେ ଯେ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଏପରିକି ଧାନ ଟଙ୍କା ପାଇବାକୁ ଚାଷୀକୁ ଆନ୍ଦୋଳନ କରିବାକୁ ପଡୁଛି। ସରକାର କହିଥିଲେ ଚାଷୀଙ୍କ ସବୁ ଧାନ କିଣିବେ, ହେଲେ କିଣିଲେ ନାହିଁ। ଏସବୁ କଣ ପ୍ରତିଶୃତି ନ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ଵର ବେହେରା । କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେପି ବର୍ଷେ ହେଲାଣି କେବଳ ବିଜେଡିର କାମରେ ରଙ୍ଗ ଦେଇଛି । ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟିଛି।

ବିଜେଡିର ଦାବି ହେଲା ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କଣ ଲେଖିଛନ୍ତି,  ତାହା ସାର୍ବଜନୀନ କରାଯାଉ। ମାଗଣା ବିଜୁଳି, ଚାଷୀଙ୍କ ଆୟ, ଚିଟଫଣ୍ଡ ଟଙ୍କା, ଦାଦନ ମୁକ୍ତ ଓଡ଼ିଶା ଆଦି ପ୍ରତିଶୃତିକୁ ମନେ ପକାଇ ଦେଇ ବିଜେଡି ଅଭିଯୋଗ କରିଛି, ସବୁଠି ବିଜେପି ସରକାର ଫେଲ। ଏ ସଂପର୍କରେ ଓଡି଼ଶାବାସୀଙ୍କୁ ଅବଗତ କରିବୁ ବୋଲି କହିଛି ବିଜେଡି। ଜବାବରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଓ କଂଗ୍ରେସ ଯାହା ଭାବିନଥିଲେ, ତାହା ଆମେ କରିକି ଦେଖାଇଛୁ।

ପିପୁଲ୍ସ ଫ୍ରେଣ୍ଡଲି ହୋଇ ପାରୁନି କି କମିଶନରେଟ୍ ପୋଲିସ

ଭୁବନେଶ୍ୱର: ମାଡ଼ ଖାଉଛି ପୋଲିସ, ବାଟ ହୁଡୁଛନ୍ତି ଲୋକେ। ଥାନା ଭିତରେ ଖାକି ବର୍ଦ୍ଦିଧାରୀଙ୍କୁ ନିର୍ଘାତ ମାଡ଼ । ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି କି ପୋଲିସ ? ସେପଟେ ମାନବାଧିକାର କମିଶନରେ ମଧ୍ୟ ବଢୁଛି ଖାକି ବିରୋଧରେ ମାମଲା। ରାଜଧାନୀରେ ବାରମ୍ବାର ସାମ୍ନାକୁ ଆସୁଛି ଖାକି ବର୍ଦ୍ଦିର ବିକଳ ଚିତ୍ର । ଭୁଶୁଡି ପଡୁଥିବା ଆଇନଶୃଙ୍ଖଳାର ନଗ୍ନ ନମୁନା ମଙ୍ଗଳବାର ଇନ୍ଫୋସିଟି ଥାନାରେ ଦେଖିବାକୁ ମିଳିଛି। ଯେଉଁଠାରେ ସାଧାରଣ ଲୋକଙ୍କ ମାଡ଼ରେ ମହିଳା ସବଇନ୍ସପେକ୍ଟର ଆହତ ହୋଇଛନ୍ତି। ଇଏ ହେଉଛି ସେହି ସାଙ୍ଘାତିକ ଚିତ୍ର। ୫୦ ଲୋକଙ୍କ ବିରୋଧରେ କେସ ରୁଜୁ କରିଛି ପୋଲିସ। ଅନ୍ୟପଟେ ଏଭଳି ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ ବିଗତ ୩ ବର୍ଷ ଭିତରେ ଟୁଇନସିଟିରେ କମିଶନରେଟ ପୋଲିସ ଉପରକୁ ୧୬ ଥର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।

ପିପୁଲସ ଫ୍ରେଣ୍ଡଲି ହେବାକୁ ସଦାସର୍ବଦା ପ୍ରାଧାନ୍ୟ ଦେଇଛନ୍ତି ଡିଜିପି । କିନ୍ତୁ ବୟାନ ଓ ବାସ୍ତବତା ଭିତରେ ରହୁଛି ଅନେକ ତଫାତ। ମାନବାଧିକାର କମିଶନରେ ପୋଲିସ ବିରୋଧରେ ଗଡୁଛି ସର୍ବାଧିକ ମାମଲା । OHRCରେ ନ୍ୟାୟ ଅପେକ୍ଷାରେ ବର୍ତ୍ତମାନ ୧୫ ହଜାରରୁ ଉର୍ଦ୍ଧ ମାମଲା ଗଡୁଥିବା ବେଳେ ସେଥିମଧ୍ୟରୁ ୯ ହଜାର କେବଳ ପୋଲିସ ବିରୋଧରେ । ସେଥିମଧ୍ୟରୁ ଅନେକ ହାଜତ ମୃତ୍ୟୁ ମାମଲା ମଧ୍ୟ ରହିଛି । କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ବିଗତ ୮ ବର୍ଷରେ କମିଶନରେଟ ପୋଲିସର ୧୧୦ କେସ ଏବେ ମାନବାଧିକାର କମିଶନଙ୍କ ବିଚାରାଧୀନ ରହିଛି । ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ କମ୍ୟୁନିଟି ପୋଲିସିକୁ ଗୁରୁତ୍ୱ ଦେବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ, ବ୍ୟବହାରରେ ପରିବର୍ତ୍ତନ ଆଣିବା ଅପରିହାର୍ଯ୍ୟ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

ଲୋକେ କିଭଳି ଥାନାରେ ଉତ୍ତମ ବ୍ୟବହାର ପାଇବେ, ସେ ନେଇ ପୂର୍ବରୁ ସରକାର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ମାତ୍ରାଧିକ ଚାପରେ ରହୁଥିବା ପୋଲିସ ଅଧିକାଂଶ ସମୟ ବାଟ ହୁଡୁଛି। ଅପରାଧ ଓ ଆଇନଶୃଙ୍ଖଳାକୁ ପୃଥକ କଲେ ଏଭଳି ଘଟଣାରେ ରୋକ ଲାଗିପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ବିଭୋର ଶ୍ରଦ୍ଧାଳୁ

ପୁରୀ: ଭକ୍ତଙ୍କ ମେଳରେ ଭକ୍ତବତ୍ସଳ। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ମହାବାହୁ। ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନଯାତ୍ରା ଦେଖି ବିଭୋର ଶ୍ରଦ୍ଧାଳୁ । ଭକ୍ତି ଓ ଆବେଗରେ ଜନ ସମୁଦ୍ର ବଡ଼ଦାଣ୍ଡ। ଘଣ୍ଟ ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । ଜ୍ୟେଷ୍ଠ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଛି ଦାରୁଦିଅଁଙ୍କ ସ୍ନାନ ନୀତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ ଟା ୩୦ ରେ ମଙ୍ଗଳାର୍ପଣ ସରି ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପରେ ମଦନମୋହନ ବିଜେ ହୋଇ ମଙ୍ଗଳଆଳତି, ମଇଲମ, ତଡପଲାଗି ନୀତି ସରିବା ପରେ ଅଧର ପୋଛା ନୀତି ସମ୍ପର୍ଣ୍ଣ ହୋଇଥିଲା । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ସୁବାସିତ ଜଳକୁ ଗରାବଡୁ ସେବକ ମାନେ ସ୍ନାନମଣ୍ଡପକୁ ବିଜେ କରାଇଥିଲେ । ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଛେରାପହଁରା ପରେ ମହାପ୍ରଭୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ନୀତିକାନ୍ତି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ସେବାୟତ।
ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ନାନ ନୀତି ଦେଖି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ । ଏହାପରେ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିଲା ମହାପ୍ରଭୁଙ୍କ ହାତୀବେଶ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଲୋକାରଣ୍ଯ ହୋଇଛି ଶ୍ରୀକ୍ଷେତ୍ର । ଅନ୍ୟପଟେ ଭିଡ଼କୁ ଦୃଷ୍ଟିର ରଖି ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଥିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ ରୁ ପ୍ଲାଟୁନ ଫୋର୍ସ ସହ ୨୫୦ ଅଧିକ ଅଧିକାରୀ ମୁତୟନ ହୋଇଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାରିକେଡ ବ୍ଯବସ୍ଥା କରାଯାଇଥିବାବେଳେ କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ସିସିଟିଭିରେ ନଜର ରଖିଥିଲା ପୋଲିସ ।
ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ପ୍ରତକ୍ଷ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଚତୁର୍ଦ୍ଧା ମୂର୍ତ୍ତି । ଅଣସର ତାଟିରେ ଦଇତାପତି ସେବାୟତଙ୍କ ଦ୍ବାରା ଚାଲିବ ଗୁପ୍ତ ଉପଚାର । ଏପଟେ ଶ୍ରୀମନ୍ଦିରରେ ଦର୍ଶନ ଦେବେ ପଟିଦିଅଁ ।

କଟକ ଜନନୀ ନର୍ସିଂହୋମରେ ଭୁଲ ଅସ୍ତ୍ରୋପଚାର ଘଟଣା, ସିଡିଏମଓଙ୍କୁ ଭେଟିଲେ ପୀଡିତାଙ୍କ ସ୍ବାମୀ

କଟକ: କଟକ ମଙ୍ଗଳାବାଗ ଅଂଚଳର ଜନନୀ ନର୍ସିଂ ହୋମରେ ଭୁଲ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ମଳଦ୍ବାର ନଳି କାଟି ଦେଇଥିବା ଅଭିଯୋଗରେ ଆଜି ପିଡିତାଙ୍କ ସ୍ବାମୀ କଟକ ଆସି ସିଡିଏମଓଙ୍କୁ ଭେଟିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ନ୍ୟାୟ ମିଳି ନଥିବାରୁ ତୁରନ୍ତ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଏପରିକି ମେଡିକାଲ କର୍ତ୍ତୃପକ୍ଷ କିଛି କାଗଜ ପତ୍ରକୁ ଚଞ୍ଚକତା କରି ବଦଳେଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଘଟଣାର ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସେପଟେ ତଦନ୍ତ କରୁଥିବା ଡାକ୍ତରୀ ଟିମ ୩ ଦିନ ମଧ୍ଯରେ ରିପୋର୍ଟ ଦେବେ। ଏହାକୁ ତର୍ଜମା କରାଯିବା ସହ ପୋଲିସକୁ ପ୍ରଦାନ କରାଯିବ ବୋଲି କଟକ ସିଡିଏମଓ କହିଛନ୍ତି । ଯଦି ଅବହେଳା କି ତ୍ରୁଟି ପରିଲକ୍ଷିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରସୂତି ସମସ୍ୟା ନେଇ ନର୍ସିଂହୋମକୁ ଆସିଥିଲେ ମାହାଙ୍ଗା ଅଞ୍ଚଳର ମହିଳା। ଡାକ୍ତର ଭୁଲରେ ତାଙ୍କ ମଳଦ୍ବାର ନଳି ଅପରେସନ କରିଥିଲେ। ଏନେଇ ଗତ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ପରିବାର। ଘରଣାର ଗୁରୁତ୍ବକୁ ଦେଖି ଡିସିପି ସ୍ବାସ୍ଥ୍ୟ ବିଭାଗକୁ ଘଟଣାର ବୈଷୟିକ ତଦନ୍ତ ପାଇଁ ଚିଠି ଲେଖିଥିଲେ । କଟକ ସିଡିଏମଓଙ୍କ ନିର୍ଦ୍ଦେଶରେ ୩ ଜଣିଆ ଟିମ ତଦନ୍ତ କରିଛନ୍ତି । ନର୍ସିଂହୋମ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚୁରା କରିଛନ୍ତି । ଅସ୍ତ୍ରୋପଚାର ଥିଏଟର ବୁଲି ଦେଖିଛି ଟିମ୍।