ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ। ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ପ୍ରଥମେ ମାଷ୍ଟର କ୍ୟାଣ୍ଟିନରୁ ବିକ୍ଷୋଭ ପ୍ରଦର୍ଶନ କରି ଲୋୟର ପିଏମଜି ଆଡ଼କୁ ଆସିଥିଲେ ବିଜେଡିର ନେତା ଏବଂ କର୍ମୀ । ଶାନ୍ତିପୂର୍ଣ୍ଣଭାବେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିବା ଉଠାଇ ନେଇଛି ପୋଲିସ । ମହାନଦୀ ପାଣି ଶୁଖି ଯାଇଛି, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର, ଧାନରେ କଟନି ଛଟନୀ, ନାରୀ ନିର୍ଯାତନା ଆଦି ବହୁ ପ୍ରସଙ୍ଗକୁ ନେଇ ଏହି ପ୍ରତିବାଦ କରାଯାଇଥିଲା । ତେବେ ଲୋୟର ପିଏଜିରେ ଆଗକୁ ବଢ଼ିଥିଲେ ବିଜେଡିର ବରିଷ୍ଠ ନେତା ଏବଂ କର୍ମୀ ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
ନନ୍ଦିଘୋଷ ବ୍ୟୁରୋ: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା କୁକାନାର ଥାନା ଅଂଚଳରେ ଗୁଳି ବିନିମୟ ହୋଇଛି। କୁକାନାର ଥାନା ଅଂଚଳରେ ଡିଆରଜି ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। କମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ଜବାନ ଆସୁଥିବା ଦେଖି ପ୍ରଥମେ ଗୁଳି ଚାଳଣା କରିଥିଲୋ । ପାଲଟା ଜବାବରେ ଯବାନଙ୍କ ଗୁଳିର ସାମନା କରି ନ ପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଏହି ଗୁଳି ବିନିମୟରେ ଦୁଇଜଣ ମାଓବାଦୀ ନିହତ ହୋଇଥିବାବେଳେ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁକୁମା ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛିା
ସେନା ଦିବସରେ ପାକିସ୍ତାନ ସେନା ମୁଖ୍ୟଙ୍କୁ ଡାକିଲା ଆମେରିକା, କଂଗ୍ରେସ କହିଲା ଟ୍ରମ୍ପ..
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଅସ୍ତ୍ର ବିରତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ସେନା ଦିବସରେ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଡାକିଛି ଆମେରିକା । କିନ୍ତୁ ଭାରତୀୟ ସେନାମୁଖ୍ୟଙ୍କୁ କୌଣସି ନିମନ୍ତ୍ରଣ ନାହିଁ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି । ଯାହାକୁ ନେଇ କଂଗ୍ରେସ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଛି ।
खबर है कि पाकिस्तानी सेना प्रमुख जनरल असीम मुनीर को अमेरिका के सेना दिवस (14 जून) के मौके पर वॉशिंगटन डीसी में आयोजित कार्यक्रम में आमंत्रित किया गया है।
यह खबर भारत के लिए कूटनीतिक और सामरिक दृष्टि से एक बड़ा झटका है।
यह वही व्यक्ति हैं जिसने पहलगाम आतंकी हमले से ठीक पहले…
— Jairam Ramesh (@Jairam_Ramesh) June 12, 2025
ଆସନ୍ତା ଜୁନ୍ ୧୪ ତାରିଖରେ ଓ୍ବାଶିଂଟନରେ ଆମେରିକା ସେନା ପକ୍ଷରୁ ୨୫୦ତମ ବର୍ଷପୂର୍ତ୍ତି ଉତ୍ସବ କରିବାକୁ ଯାଉଛି । ଏହି ଅବସରରେ ପାକିସ୍ତାନର ସେନା ମୁଖ୍ୟ ଯୋଗଦେବେ । ଯାହାକୁ ନେଇ ନିଜର ଏକ୍ସ ଆକାଉଣ୍ଟରେ କଂଗ୍ରେସ ନେତା ଜୟରାମ ରମେଶ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏହା ଭାରତର କୁଟନୈତିକ ଏବଂ ରଣନୈତିକ ଦୃଷ୍ଟିର ଏକ ବଡ଼ ଝଟକା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ମଧ୍ୟ ଅସୀମ ବିଭିନ୍ନ ବିବାଦୀୟ ପ୍ରତିକ୍ରିୟାମାନେ ଦେଉଥିଲେ । ସେପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଏବେ ମଧ୍ୟ ଜାରି ରହିଛି ଅପରେସନ ସିନ୍ଦୂର । କିନ୍ତୁ ଏଭଳି ଏକ ସମୟରେ ଅସୀମଙ୍କ ଆମେରିକା ଗସ୍ତ ଭାରତ ପାଇଁ ଚିନ୍ତାଜନକ ହେବନି ତ ? ଏମିତି ପ୍ରଶ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାଜପୁରରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଡାଇରିଆ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଲାଣି । ଏହି ସୂଚନା ଦେଇନ୍ତି ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ଦୁଇ ଜୀବନ ଯାଇଛି। ଏହା ସହିତ ବହୁତ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ୫ ଶହରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ନିଜେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବି ଯାଇଥିଲେ। ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ ପହଞ୍ଚି ଚିକିତ୍ସା କରୁଛନ୍ତି। ଏକ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଥିଲା। ପରେ ସ୍ଵାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ, ଡାଇରିଆର ବ୍ୟାକଟେରିଆ ମିଳିଛି। ୩ ଦିନ ମଧ୍ୟରେ ବ୍ୟାସନଗର, ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଥିଲେ। ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି। ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି।
ମେଡ଼ିକାଲ ଟିମ୍ ଦ୍ଵାରା ଖାଦ୍ୟ ଜନିତ କାରଣ ବା ଫୁଡ୍ ପୟୋଜନ ପାଇଁ ଏଭଳି ହୋଇଥିବା ଦର୍ଶାଯାଇଥିବା ବେଳେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଯାଜପୁର ରୋଡ଼ ମେଡିକାଲରେ ୨୬୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୫୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଦାନଗଦି ମେଡିକାଲରେ ୭୮ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୮୯ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ଏଠାରେ ୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। … ଅଭିଯୋଗ ଅନୁସାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଏହା କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। …
ଲର୍ଡସରେ ଇତିହାସ ରଚିଲେ ସ୍ମିଥ୍, ଭାଙ୍ଗିଲେ ଏହି ଖେଳାଳିଙ୍କ ରେକର୍ଡ
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଟେଷ୍ଟ ଚାମ୍ପିୟନ୍ସସିପ । ପ୍ରଥମେ ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ଧରାଶାୟୀ ହୋଇଛନ୍ତି କଙ୍ଗାରୁ ବ୍ୟାଟ୍ସମ୍ୟାନ । ତଥାପି ରେକର୍ଡ କରିଛନ୍ତି ସ୍ମିଭ୍ ସ୍କିଥ୍ । ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକୀୟ ପାଳି ଖେଳିଥିବାବେଳେ ନିଜ ନାମରେ ଯୋଡ଼ିଛନ୍ତି ଏକ ରେକର୍ଡ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇ ୨୧୨ ରନ କରିବାରେ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ଏବଂ ଓ୍ବେବଷ୍ଟର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବାଡା ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ମାର୍କେ ୟାନସନ ୩ ଓ୍ବିକେଟ ନେଇଛନ୍ତି । ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୨୨ ଓଭର ବ୍ୟାଟିଂ ମଧ୍ୟ କରିଛି । ଦଳ ୪୩ ରନରେ ୪ ଓ୍ବିକେଟ ହରାଇ ସାରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ପକ୍ଷରୁ ସ୍ମିଥ୍ ୬୬ ରନ କରିଛନ୍ତି । ବିଦେଶୀ ଖେଳାଳିଭାବେ ବଡ଼ ସ୍କୋର କରିବାର ରେକର୍ଡ ଲର୍ଡସରେ ସ୍ମିଥ୍ ନିଜ ନାମରେ କରିଛନ୍ତି । ଏଯାବତ ସ୍ମିଥ୍ ଲର୍ଡରେ ୫୯୩ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜର ସୋବର୍ସଙ୍କ ନାମରେ ରହିଥିଲା । ସେ ୫୭୧ କରିଛନ୍ତି । ବିଦେଶୀ ଖେଳାଳିଭାବେ ଲର୍ଡସରେ ଏହି ରେକର୍ଡ ସ୍ମିଥ୍ ଅର୍ଜନ କରିଥିବାବେଳେ ବାକି ଗୋଟିଏ ଇନିଂସ ରହିଛି ।
ଭଦ୍ରକରେ ୨୪ ଘଣ୍ଟା ପାଇଁ ବନ୍ଦ ରହିଲା ଇଣ୍ଟରନେଟ ସେବା ବନ୍ଦ
ନନ୍ଦିଘୋଷ ବ୍ୟୁରୋ: ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ। ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିଲା ଇଣ୍ଟରନେଟ ସେବା। ଆଇନ ଶୃଙ୍ଖଳା କାରଣରୁ ଆଜି ସକାଳ ୬ରୁ କାଲି ସକାଳ ପର୍ଯ୍ୟନ୍ତ ଏହି ଇଣ୍ଟରନେଟ ସେବା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଭଦ୍ରକ ମୁନିସିପାଲିଟି, ଭଦ୍ରକ ବ୍ଲକ, ଧାମନଗର ଏନଏସି, ଧାମନଗର ବ୍ଲକ ଓ ତିହିଡି ବ୍ଲକରେ ବନ୍ଦ ରହିଛି ଇଣ୍ଟରନେଟ। ଏହା ସହିତ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।
ତିହିଡି ଥାନାରେ ଗତ ମେ ମାସ ୩୦ ତାରିଖରେ ରୁଜୁ ହୋଇଥିବା ମାମଲା 197/25କୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଘଟଣାରେ ସଂପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଓ ଜାରି ରଖିଛି। ତିହିଡି ଥାନା କଷଟି ଗୁଜିଦାରଡ଼ା ଅଞ୍ଚଳରେ ଏକ ବିବାଦକୁ ନେଇ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଆଜି ବିଜେଡିର ୧୨ ଘଣ୍ଟିଆ ରାଇଘର ବନ୍ଦ ଡ଼ାକରା
ନନ୍ଦିଘୋଷ ବ୍ୟୁରୋ: ଆଜି ବିଜେଡିର ରାଇଘର ବନ୍ଦ ଡ଼ାକରା । ରାଜ୍ୟ ସରକାର ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ଆନ୍ଦୋଳନ ତୀବ୍ରତର ପାଇଁ ସରକାରଙ୍କୁ ଚେତାବନୀ ଦେଇଛି ବିଜେଡି। ଆନ୍ଦୋଳନ ବେଳେ ଅତ୍ୟାବଶ୍ୟକ ସେବା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡି ଓ ଔଷଧ ଦୋକାନକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ବିଜେଡି ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି। ରାଇଘର ଅଂଚଳର ୩୪୪ ଜଣ ଚାଷୀ ସରକାରୀ ନିୟମ ଅନୁସାରେ ରେଜିଷ୍ଟ୍ରେସନ ପରେ ଧାନ ଚାଷ କଲେ।୧୫ ଫେବୃଆରୀରୁ ଧାନ ବିକିବା ପାଇଁ ମେସେଜ ଆସିଲା। ମଣ୍ଡିରେ ଧାନ ଦେଇ ରସିଦ ପାଇଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି ଟଙ୍କା ପାଇଲେ ନାହିଁ। ସରକାରୀ ନିୟମ ଅନୁସାରେ ୨୪ ଘଣ୍ଟାରୁ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଧାନ ବିକ୍ରିର ଟଙ୍କା ମିଳିବା କଥା।୨୩ ଏପ୍ରିଲରେ ସରକାରୀ ଅଧିକାରୀ ଚାଷୀଙ୍କ ସହ ଆଲୋଚନା ପରେ ବି ଚାଷୀ ଟଙ୍କା ପାଇଲେ ନାହିଁ। କିଛି ମିଲ୍ ମାନଙ୍କୁ ଟାର୍ଗେଟ ଦିଆ ଯାଇନାହିଁ ତେଣୁ ଚାଷୀ ଟଙ୍କା ପାଇ ପାରୁ ନାହାନ୍ତି। ଚାଷୀଙ୍କ ଭୁଲ୍ ରହିଲା କେଉଁଠି ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପିର ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତୀବ୍ରତର ହେବ। ଆଜି ରାଇଘରରେ ପାଳନ ହେବ କଳାଦିବସ। ଚାଷୀଙ୍କର ସାଢ଼େ ଚାରିକୋଟି ଟଙ୍କା ଏଯାଏଁ ମିଳିନାହିଁ। ୬ ଦିନ ହେଲା ଭୁବନେଶ୍ୱରରେ ଚାଷୀ ଆନ୍ଦୋଳନ କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ବିଷୟ ନବୁଝିବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି।
ହନିମୁନ ମର୍ଡର ମିଷ୍ଟ୍ରି, ଆଜିଠୁ ୮ ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ
ନନ୍ଦିଘୋଷ ବ୍ୟୁରୋ: ଖୋଲିବ ହାଇପ୍ରୋଫାଇଲ ମର୍ଡରର ଗୁମର। ରାଜା ରଘୁବଂଶୀ ହତ୍ୟା ଘଟଣାରେ ଆଜିଠାରୁ ୮ ଦିନିଆ ରିମାଣ୍ଡରେ ନେଇ ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବା ମେଘାଳୟ ଏସଆଇଟି। ତେଣେ ମେଘାଳୟରେ ରହଣୀ କାଳରେ ସୋନମ ଛାଡ଼ିଯାଇଥିବା ଏକ ମଙ୍ଗଳସୂତ୍ର ଓ ଏକ ମୁଦି ପୋଲିସ ଜବତ କରିବା ପରେ ଘଟଣାର ଖିଅ ଧରିପାରିଥିଲା ପୋଲିସ। ଜଣେ ନବବିବାହିତା କାହିଁକି ମଙ୍ଗଳସୂତ୍ର ଛାଡି ଚାଲିଯିବେ ବୋଲି ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଗତକାଲି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ ମାନିଥିଲା ପତ୍ନୀ ସୋନମ।
ସିସିଟିଭି ଫୁଟେଜ, କଲ ରେକର୍ଡ ଆଦି ପ୍ରମାଣ ମିଳିବା ପରେ ଜେରା ବେଳେ ଭାଙ୍ଗି ପଡିଥିଲା ସୋନମ। ଅନ୍ଯ ୪ ଅଭିଯୁକ୍ତ ରାଜ ଖୁସୱାହା, ଆନନ୍ଦ କୁର୍ମୀ, ଆକାଶ ରାଜପୁତ, ବିଶାଲ ସିଂ ଚୌହାନଙ୍କୁ ବି ଆଜିଠାରୁ ହେବ ମାରାଥନ ଜେରା। ଖୁବ ଶୀଘ୍ର ସମସ୍ତଙ୍କୁ ନେଇ କରାଯାଇପାରେ ସିନ ରିକ୍ରିଏସନ। ହତ୍ଯା ଘଟଣାରେ ଏହି ୫ ଅଭିଯୁକ୍ତ ନା ଅନ୍ୟ କେହି ଅଛନ୍ତି ତାହାର ଖୋଳତାଡ଼ କରିବ ଏସଆଇଟି। ଗତକାଲି ରାଜା ରଘୁବଂଶୀଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ସୋନମର ଭାଇ ଗୋବିନ୍ଦ। ଏପରିକି ଏହି ହତ୍ୟା ଲାଗି ରାଜାଙ୍କ ପରିବାର ନିକଟରେ ସେ କ୍ଷମା ମାଗିଥିଲେ। ସୋନମ ଯଦି ଦୋଷୀ ତେବେ ତାକୁ ଫାଶୀ ଦିଆଯାଉ କହିଥିଲେ ଗୋବିନ୍ଦ। ଗତ ମେ ୧୧ ତାରିଖରେ ନୂଆ ସଂସାର ଗଢିଥିଲେ ରାଜା ଓ ସୋନମ। ହନିମୁନରେ ଦୁହେଁ ଯାଇଥିଲେ ମେଘାଳୟ। ହେଲେ ୨୩ରେ ଘଟିଥିଲା ହତ୍ୟାକାଣ୍ଡ। ଜୁନ ୨ରେ ରାଜାଙ୍କ କ୍ଷତାକ୍ତ ମୃତଦେହ ହୋଇଥିଲା ଉଦ୍ଧାର। ଜୁନ ୯ରେ ୟୁପି ଗାଜିପୁରରୁ ସୋନମକୁ କରାଯାଇଥିଲା ଗିରଫ।
ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି : ୭ ଦିନ ପ୍ରବଳ ଛେଚିବ
ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ଆଗାମୀ ୭ ଦିନ ପାଇଁ ରାଜ୍ୟରେ ରହିବ ବର୍ଷାର ପ୍ରଭାବ । ରାଜ୍ୟରେ କିଛିଦିନ ଧରି ଦିନରେ ଖରା ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଗରମ ଗୁଳୁଗୁଳି ବଢି ଚାଲିଥିଲା । ହେଲେ ଆସନ୍ତାକାଲି ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିବ । ରାଜ୍ୟକୁ ପୁଣି ମୌସୁମୀ ଫେରୁଛି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମୌସୁମୀ ପ୍ରବହ ନେଇ ଅନୁକୂଳ ରହିଛି ପାଗ । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବ । ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରାଯାଇଛି ।
ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ଆଜି ମାମଲାର ଶୁଣାଣି
ନନ୍ଦିଘୋଷ ବ୍ୟୁରୋ: ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା। ଆଜି ମାମଲାର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ। ଗତ ଜୁନ ୪ରେ ବେଙ୍ଗାଳୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିଲେ ୧୧ ଜଣ। ଆହତ ହୋଇଥିଲେ ୫୦ରୁ ଅଧିକ ଦର୍ଶକ। ମାମଲାର ଶୁଣାଣି ବେଳେ ନିଜ ଉତ୍ତର ଏକ ମୁଦା ଲଫାଫାରେ ଦାଖଲ କରିବା ଲାଗି ଆଡଭୋକେଟ ଜେନେରାଲ ଶଶୀକିରଣ ସେଟ୍ଟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଆଡଭୋକେଟ ଜେନେରାଲ କହିଥିଲେ- ମାମଲାର ତଦନ୍ତ ଲାଗି ଗଠିତ ହୋଇଛି ଏକ ବିଚାର ବିଭାଗୀୟ କମିଶନ। ଏହି କମିଶନ ଏକ ମାସ ଭିତରେ ରିପୋର୍ଟ ଦେବ। ଏହି ବହୁଚର୍ଚ୍ଚିତ ଘଟଣାରେ ନିଜ ଆଡୁ ପିଟିସନ ଦାୟର କରି ତଦନ୍ତ କରୁଛନ୍ତି କାର୍ଯ୍ଯକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଭି. କାମେଶ୍ବର ରାଓ ଓ ଜଷ୍ଟିସ ସି.ଏମ. ଯୋଶୀ। ସେପଟେ ଜଣେ କାଉନସେଲ ବି ଏହି ମାମଲାରେ ଏକ ଜନସ୍ବାର୍ଥ ମାମଲା ଦାୟର କରୁଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ RCB ମାର୍କେଟିଂ ହେଡ୍ ନିଖିଲ ସୋସାଲେ ସମେତ ଅନ୍ୟ କର୍ମଚାରୀ ଗିରଫ ହୋଇଥିଲେ। ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଇଏସ ଜୟରାମ ଦେଇଥିଲେ ଇସ୍ତଫା। ଗତ ୭ ତାରିଖରେ ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା ସିଆଇଡି।

