spot_img
Home Blog Page 7020

ଲକ୍ଷ୍ମଣ କହିଲେ ରାମାୟଣ ସମୟରେ କେତେ ମିଳୁଥିଲା ପାରିଶ୍ରମିକ ?

ମୁମ୍ବାଇ: ଲକଡାଉନ ପାଇଁ ଦୂରଦର୍ଶନରେ ଆରମ୍ଭ ହୋଇଛି ପୂରୁଣା ସିରିଏଲ ଗୁଡ଼ିକର ପୁନଃ ପ୍ରସାରଣ । ତେଣୁ ଭାରତୀୟ ଟେଲିଭିଜନ୍ ଇତିହାସରେ ଜବରଦସ୍ତ ଟିଆରପି ପ୍ରଦାନ କରିବାର ରେକର୍ଡ ପୁଣି ଆରମ୍ଭ ହୋଇଛି । ଏହି ରେସରେ ସବୁଠୁ ଆଗରେ ଅଛି ସିରିଏଲ ରାମାୟଣ । ତେଣୁ ଏହାର ଜଣା ଅଜଣା କଥା ଜାଣିବାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏନେଇ ଆମେ ଏମିତି ଏକ କାହାଣୀ ନେଇ ଆସିଛୁ ।

ପରଦା ଆଗରେ ଥିବା କାହାଣୀ ବ୍ୟତୀତ, ପରଦା ପଛରେ ରହିଛି ଅନେକ କାହାଣୀ । ଏହି କାହାଣୀଗୁଡିକ କେବଳ ଅତ୍ୟନ୍ତ କୌତୁହଳପ୍ରଦ ନୁହେଁ ବରଂ ଆମକୁ ବୁଝାଏ ଯେ ସେହି ସମୟରେ ଜିନିଷଗୁଡିକ କିପରି ଥିଲା । ରାମାନନ୍ଦ ସାଗରଙ୍କ ରାମାୟଣ କଳାକାରମାନଙ୍କୁ ଏତେ ଲୋକପ୍ରିୟତା ଦେଇଥିଲା ଯେ ଲୋକମାନେ ତାଙ୍କୁ ଦେବତା ପରି ପୂଜା କରିବା ଆରମ୍ଭ କରିଥିଲେ ।

ଏହି ଶୋ’ରେ ରାମ, ଲକ୍ଷ୍ମଣ ଏବଂ ସୀତା ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋବିଲ, ସୁନୀଲ ଲହରି ଏବଂ ଦୀପିକା ଚିଖଲିଆ । ସେମାନେ ନିଜେ ମଧ୍ୟ ଅନେକ ଥର କହିଛନ୍ତି ଯେ ସେମାନେ ଯେତେବେଳେ ଗାଁ ଓ ସହରକୁ ଯାଉଥିଲେ ଲୋକମାନେ କିପରି ତାଙ୍କ ପାଦ ଛୁଉଁ ଥିଲେ । ଏଥିରୁ ହିଁ ଜଣାପଡ଼େ ସେମାନେ ସେ ସମୟରେ କେତେ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ରାମାୟଣର କଳାକାରମାନଙ୍କ ଅଭିନୟର ପାରିଶ୍ରମିକ କେତେ ଥିଲା । ସେହି ସମୟ ସେମାନେ କେତେ ଟଙ୍କା ରୋଜଗାର କରୁଥିଲେ? ଏନେଇ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ସ୍ପଷ୍ଟ କରିଛନ୍ତି ।

ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରି କହିଛନ୍ତି, “ମୁଁ କେବଳ କହିବି ଯେ ଆମକୁ ବାଦାମ ମୁଲ୍ୟର ପାରିଶ୍ରମିକ ମିଳୁଥିଲା । ସେତେବେଳେ ଆଜିଭଳି ସେତେ ଖର୍ଚ୍ଚ ନଥିଲା।” ଯଦିଓ ସେ କେତେ ଟଙ୍କା ପାଉଥିଲେ ତାହା ସୁନୀଲ ସିଧାସଳଖ ତ କହି ନଥିଲେ, କିନ୍ତୁ ସେ ନିଶ୍ଚିତ ଭାବରେ କହିଥିଲେ ଯେ ଏହି ଅଭିନୟର ପାରିଶ୍ରମିକ ବହୁତ କମ୍ ମିଳୁଥିଲା । ସୁନୀଲ ତାଙ୍କ ଆଲୋଚନାରେ ଆହୁରି ମଧ୍ୟ କହିଛନ୍ତି ଯେ, ସେତେବେଳେ ଦୈନନ୍ଦିନ ଖର୍ଚ୍ଚ ଏତେ ଟଙ୍କା ନଥିଲା । ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାମାୟଣ ସିରିଏଲର ସୁଟିଂ ୧୯୮୭ରେ କରାଯାଇଥିଲା ।

ପୁରା ଶୋ’ କରିବା ପରେ ମଧ୍ୟ ଆମ ପାଖରେ ଏତେ ଟଙ୍କା ନଥିଲା ଯେ ଆମେ ଘର ତିଆରି କରିପାରିବାକୁ ଚିନ୍ତା କରିବୁ

ସୁନୀଲ କହିଛନ୍ତି, “ଯଦିଓ ଆଜି ଜଣେ ଅଭିନେତା ଗୋଟିଏ ଶୋ କରି ନିଜ ପାରିଶ୍ରମିକରେ ଘର ତିଆରି କରିପାରନ୍ତି । କିନ୍ତୁ ସେତେବେଳେ ଆମେ ପୂରା ରାମାୟଣ କରିବା ପରେ ମଧ୍ୟ ଘର ନିର୍ମାଣ କରିବାକୁ ଚିନ୍ତା ବି କରିପାରୁ ନଥିଲୁ । ଆଜି ଭଳି ଆମେ ନିଜ ଲାଇଫ୍ ଷ୍ଟାଇଲକୁ ନେଇ ଏତେ ସିରିୟସ ନଥିଲୁ କି ଏନେଇ ବେଶୀ ଚିନ୍ତାମଧ୍ୟ କରି ନଥିଲୁ ।  ” କ୍ରମାଗତ ଭାବରେ ମନୋରଞ୍ଜନ ଜଗତ ଯେପରି ଦ୍ରୁତ ଗତିରେ ଆଗକୁ ବଢୁଛି ସୁନୀଲ ଲାହିରୀ ତାକୁ ପ୍ରଶଂସା କରିଛନ୍ତି ।

ହୋମ୍‌ ଆଇସୋଲେସନ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ହୋମ୍‌ ଆଇସୋଲେସନ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍‌। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗାଇଡଲାଇନ୍‌ ଜାରି କରିଛି । ସାମାନ୍ୟ ମାମଲାରେ ଜଣେ ହୋମ ଆଇସୋଲେସନରେ ରହିପାରିବେ । ୨୪ ଘଣ୍ଟିଆ ସେବା ପାଇଁ କେୟାରଟେକର ରହିବେ। ତାଙ୍କ ସମ୍ପର୍କରେ କେୟାରଟେକର ହସ୍ପିଟାଲକୁ ନିୟମିତ ଅବଗତ କରାଇବେ।

କେୟାରଟେକର ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି HDX ନେବେ । ମୋବାଇଲରେ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବେ । ହୋମ୍‌ କ୍ୱାରେଣ୍ଟାଇନ୍‌ ଗାଇଡଲାଇନ୍‌ ମାନିବାକୁ ପଡ଼ିବ। ସ୍ୱାସ୍ଥ୍ୟରେ ଅବନତି ହେଲେ ମେଡିକାଲରେ ଭର୍ତ୍ତି କରାଯିବ। ମେଡିକାଲ ଅଫିସରଙ୍କ ସୁସ୍ଥ ସାର୍ଟିଫିକେଟ ପରେ ହିଁ ଆଇସୋଲେସନରୁ ମୁକ୍ତି ମିଳିବ ।

ଏହି ସରକାରୀ ବ୍ୟାଙ୍କ ଦେଉଛି ବିଶେଷ ଋଣ, ୬ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି କିସ୍ତି

ନୂଆଦିଲ୍ଲୀ: କରୋନା ଟାଣି ଆଣିଛି ଜୀବନ ସହ ଧନ ସଙ୍କଟ । କିଛି କ୍ଷଣରେ ଚାଲିଯାଉଛି ଶହ ଶହ ଲୋକଙ୍କ ଜୀବନ । କରୋନା ପାଇଁ ଲକଡାଉନ କରାଣରୁ ଠପ୍ ହୋଇପଡ଼ିଛି ସବୁ ପ୍ରକାର ବ୍ୟବସାୟ । ତେଣୁ ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ଅନେକ ସ୍ଥାନରେ ଛଟେଇ ରିପୋର୍ଟ ଆସୁଛି। ଏପରି ପରିସ୍ଥିତିରେ ଟଙ୍କାର ଅଭାବ ଦେଖା ଦେଇଛି । ଏହି ସମସ୍ୟାକୁ ତୁରନ୍ତ ଦୂର କରିବା ପାଇଁ ସରକାରୀ କ୍ଷେତ୍ରର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ଏକ ସ୍ୱତନ୍ତ୍ର ଲୋନ ପ୍ରଦାନ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାହକମାନଙ୍କୁ ଏହି ଲୋନ ବା ଋଣର EMI ବା କିସ୍ତି ଦେବା ପାଇଁ ୬ ମାସର ରିହାତି ଦିଆଯିବ । ଆସନ୍ତୁ ଜାଣିବା ଭାରତୀୟ ଓଭରସିଜ୍ ବ୍ୟାଙ୍କର ଏହି ବିଶେଷ ଯୋଜନା ବିଷୟରେ ..

 ବାସ୍ତବରେ ଜରୁରୀକାଳୀନ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିଛି । ଏହାର ଫାଇଦା କେବଳ ଯେକୌଣସି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନେବାକୁ ସକ୍ଷମ ହେବ । ଏହି ଯୋଜନା ଅଧୀନରେ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ସର୍ବାଧିକ ୫୦୦୦ ଟଙ୍କାର ଋଣ ପ୍ରଦାନ କରାଯିବ । ଗୋଷ୍ଠୀ ପାଇଁ ଋଣର ସୀମା ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ବ୍ୟାଙ୍କ ମଧ୍ୟ ଏହି ସ୍ୱତନ୍ତ୍ର ଯୋଜନା ପାଇଁ କିଛି ସର୍ତ୍ତ ରଖିଛି । ବ୍ୟାଙ୍କ କହିଛି ଯେ ଉନ୍ନତ ରେକର୍ଡ ଥିବା ଏବଂ ଭାରତୀୟ ଓଭରସିଜ୍ ବ୍ୟାଙ୍କରୁ ଅତି କମରେ ଦୁଇଥର ଋଣ ନେଇଥିବା ଗୋଷ୍ଠୀ ଏହି ସୁବିଧା ପାଇପାରିବେ। ଏହି ଯୋଜନାର ସୁବିଧା ୩୦ ଜୁନ୍, ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବ । ବ୍ୟାଙ୍କର ନିୟମ ଅନୁଯାୟୀ, କେବଳ ସେହି ସହାୟତା ଗୋଷ୍ଠୀ ଏହି ଯୋଜନା ଅନ୍ତର୍ଗତ ଋଣ ନେବାକୁ ଯୋଗ୍ୟ ହେବେ ।

ବ୍ୟାଙ୍କ କହିଛି ଯେ ଆଗ୍ରହୀ ସ୍ୱୟଂ ସହାୟକ ଗୋଷ୍ଠୀ ସିଧାସଳଖ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ମାଧ୍ୟମରେ ଆବେଦନ କରିପାରିବେ । ଏହି ଋଣକୁ ଛୁଟି ଦିନକୁ ଛାଡ଼ି କୌଣସି ବି ଦିନରେ ମଞ୍ଜୁର କରିହେବ ଏବଂ ପ୍ରଦାନ କରାଯାଇପାରିବ । ଋଣକୁ ମାସିକ ୩୦ଟି କିସ୍ତି (EMI) ରେ ପରିଶୋଧ କରିବାକୁ ପଡିବ ।

ତେବେ ପ୍ରଥମ ଛଅ ମାସ ପାଇଁ କୌଣସି କିସ୍ତି ଦେବାକୁ ପଡିବ ନାହିଁ  । ଏହି ଯୋଜନା ଅଧୀନରେ ଋଣ ଉପରେ ସୁଧ ହାର ୯.୪ ପ୍ରତିଶତ ହେବ । କେବଳ ଏତିକି ନୁହେଁ ବ୍ୟାଙ୍କ ଏହି ଯୋଜନା ଅଧୀନରେ ଋଣ ପାଇଁ ପ୍ରକ୍ରିୟାକରଣ ଫି କିମ୍ବା ଦେୟ ପୂର୍ବରୁ କୌଣସି ବି ଫି ଆଦାୟ କରିବ ନାହିଁ ।

କରୋନା ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନିକା କପୁର, ଦାନ କରିବେ ନିଜ ପ୍ଲାଜମା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରତିଦିନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଥିଲା। ସବୁଠାରୁ ବଡ କଥା ହେଲା ସେ ବିଦେଶରୁ ଫେରି କ୍ୱାରେଣ୍ଟାଇନରେ ନ ରହି କିଛି ପାର୍ଟିରେ ଯୋଗ ଦେଇଥିବାରୁ ଅନେକେ ତାଙ୍କୁ ସମାଲୋଚନା କରିଥିଲେ। ଏହା ତାଙ୍କର ଖାମଖିଆଲ ନୀତି ବୋଲି କେହି କେହି କହିଥିଲେ। ଯେବେ କନିକା କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା ସେତେବେଳେ ସେ ପୁରା ଭାଙ୍ଗି ପଡିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ଲକ୍ଷ୍ନୌ ସ୍ଥିତ ଘରେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି ବୋଲି ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି।

ତେବେ ସୋମବାର ଦିନ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ତାଙ୍କ ପ୍ଲାଜମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ସୋମବାର ସନ୍ଧ୍ୟାରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ରକ୍ତ ପରୀକ୍ଷା କରିଥିଲେ। ଯଦି ତାଙ୍କର ଏହି ପରୀକ୍ଷା ସଫଳ ହୁଏ, ତେବେ ସୋମବାର କିମ୍ବା ମଙ୍ଗଳବାର ସକାଳେ ତାଙ୍କର ୫୦୦ ମିଲି ପ୍ଲାଜମା କେଜିଏମୟୁ କଢ଼ାଯିବ । କେଜିଏମୟୁ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଚେୟାରମ୍ୟାନ୍ ଡକ୍ଟର ତୁଲିକା ଚନ୍ଦ୍ର କହିଛନ୍ତି ଯେ ଗାୟକ କନିକା କପୁର ତାଙ୍କ ପ୍ଲାଜମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ତାଙ୍କୁ ରକ୍ତ ନମୁନା ପରୀକ୍ଷା କରିବାକୁ ଡକାଯାଇଥିଲା।

ବୈଦିକ ରିତିନୀତିରେ ସମ୍ପନ୍ନ ହେଲା ବାହାଘର…

ଯାଜପୁର: କରୋନାକୁ ମାତ୍‌ ଦେବାକୁ ଏବେ ସମସ୍ତେ ଅଣ୍ଟାଭିଡିଛନ୍ତି । ଗାଁଠୁ ସହର ସବୁଠି ତାଲାବନ୍ଦ । ପୂଜାପାଠ ପାଇଁ ନା କୈାଣସି ମନ୍ଦିର ଖୋଲା ନା ବିବାହ ବ୍ରତ ହେଉଛି । ତଥାପି ଏମିତି ଏକ ବିପଦ ସମୟରେ ଜଣେ ଜଣଙ୍କର ଜୀବନସାଥି ହୋଇଛନ୍ତି । ବୈଦିକ ରିତିନୀତିରେ ଉଭୟଙ୍କ ବିବାହ ସମ୍ପନ ହୋଇଛି । ଯାଜପୁରର ଏହି ବିବାହକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ।

କୌଣସି ଜାକଜମକରେ ବିବାହ ହୋଇନାହିଁ । ନା ଅଛି ବାଜାବାଣ ନା ବରଯାତ୍ରୀଙ୍କ ସହ ରୋଶଣି । ନା ଫୁଲରେ ସଜା ହୋଇଛି ବରଗାଡି ନା ନିଜେ ବର ପିନ୍ଧିଛନ୍ତି କୈାଣସି ଶେରଓ୍ବାନୀ ।  ସାଧାସିଧା ପ୍ୟାଣ୍ଟସାର୍ଟ ପିନ୍ଧି ବେକରେ କର୍ପୁର ମାଳ ଓ ମୁହଁରେ ମାସ୍କ ପିନ୍ଧି ବାହା ହେବାକୁ ଯାଇଛନ୍ତି ବର । ସାମାଜିକ ଦୂରତା ଯୋଗୁ କେବଳ କେବଳ ବଡ଼ବାପା ଓ ଭିଣୋଇ ସାଙ୍ଗରେ ଥିଲେ । ଦୁଇମାସ ତଳେ ଦାନଗଦି ବ୍ଲକ୍‌ ନନ୍ଦକିଶୋରପୁର ଗାଁର ଚନ୍ଦନ ନନ୍ଦଙ୍କର ବରୀ ବ୍ଲକ ମେଦୁଆକୂଳ ଅଞ୍ଚଳର ପ୍ରଣତୀଙ୍କ ସହ ନିର୍ବନ୍ଧ ହୋଇଥିଲା ।  ଆଉ ଅକ୍ଷୟ ତୃତୀୟାକୁ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା ।

ହେଲେ ଲକ୍‌ଡାଉନ୍‌ ପାଇଁ ସବୁକିଛି ବନ୍ଦ । କିନ୍ତୁ ଉଭୟ ପରିବାର ଏଥିପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇ ବିବାହ ପାଇଁ ଅନୁମତି ଆଣିଥିଲେ । ବରକନ୍ୟା, ପୁରୋହିତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରଖି ପ୍ରଣତୀଙ୍କ ସହ ସମ୍ପନ୍ନ ବାହାଘର ହୋଇଥିଲା ।  ପବିତ୍ର ଅକ୍ଷୟ ତୃତୀୟାରେ ନିଜ ସମ୍ପର୍କକୁ ସବୁଦିନ ପାଇଁ ଅକ୍ଷୟ କରିବାକୁ ଶପଥ ନେଇଛନ୍ତି ଚନ୍ଦନ ଓ ପ୍ରଣତୀ । ବାଜା, ବାଣ, ରୋଶଣୀ ଓ ବରଯାତ୍ରୀଙ୍କ ମେଳରେ ବରବେଶ ହୋଇ ଦିନେ ବାହା ହେବାକୁ ସ୍ବପ୍ନ ଦେଖିଥିଲେ ଚନ୍ଦନ । ଏହି ସ୍ବପ୍ନ ସବୁଦିନ ପାଇଁ ସ୍ବପ୍ନ ହୋଇ ରହିଗଲା । ସେପଟେ କୋଲକତାରେ ଫସିଥିବା ପ୍ରଣତୀଙ୍କ ବାପାଙ୍କ ପାଇଁ ମଧ୍ୟ ଆଉଥରେ ଆସିବ ନାହିଁ କନ୍ୟାଦାନ କରିବାର ସୁଯୋଗ । ଏନେଇ ଅବସୋସ ଥିଲେ ବି  ଉଭୟଙ୍କର ବାହାଘର ହୋଇଛି ।

କରୋନା କଟକଣା ପରେ ଏବେ ଦାଉ ସାଜିଛି କାଳବୈଶାଖୀ ବର୍ଷା, ସରକାରଙ୍କ ସହାୟତା ଲୋଡ଼ିଲେ ଚାଷୀ

ଭୁବନେଶ୍ୱର: କରୋନା କଟକଣା ପରେ ଏବେ ଦାଉ ଜାଜିଛି କାଳବୈଶାଖୀ ବର୍ଷା । କିଛିଦିନ ପୂର୍ବରୁ ଲକ୍‌ଡାଉନ୍‌ କଟକଣା ପାଇଁ ଚାଷକାର୍ଯ୍ୟ ବନ୍ଦ ରହିଥିଲା । ହେଲେ ରାଜ୍ୟ ସରକାର ଚାଷୀଙ୍କ ହିତପାଇଁ ଚାଷକାର୍ଯ୍ୟ ଉପରୁ କଟକଣା କୋହଳ କରିଥିଲେ । ଚାଷୀ ନିଜ କ୍ଷେତକୁ ପୁଣି ଥରେ ଫେରିଥିଲା । ହେଲେ ଏବେ ଅଦିନିଆ ବର୍ଷା ଉଜାଡି ଦେଇଛି ଫସଲ । ଫଳରେ ଚାଷୀ ଏବେ ସରକାରଙ୍କ ସହାୟତା ଲୋଡିଛି । ସେପଟେ ଗତ ଶୁକ୍ରବାର ସରକାର ମଧ୍ୟ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କାଳବୈଶାଖୀ ବର୍ଷାରେ ବେହାଲ ଫସଲ, ଭାଙ୍ଗିଦେଲାଣି ଚାଷୀଙ୍କ ମେରୁଦଣ୍ଡ । ହେଲେ ଚଷା ପୁଅର ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ସରକାର । କ୍ଷୟକ୍ଷତିର ଆକଳନକରି ଅତିଶୀଘ୍ର କ୍ଷତିପୂରଣ ଦେବକୁ ପ୍ରଶାସନକୁ ଦେଇଛନ୍ତି ନିର୍ଦ୍ଦେଶ । ଗତ କିଛିଦିନ ହେବ ଅଦିନିଆ କୁଆପଥର ବର୍ଷା ଯ଼ୋଗୁ ସମ୍ବଲପୁରରେ ଏକର,ଏକର ଫସଲ କ୍ଷତି ହୋଇଛି । ଜୁଜୁମୁରା, ଧନକଉଡା ଭଳି ଅନେକ ବ୍ଲକରେ ପାଣିରେ ବୁଡି ରହିଛି କଟା ଅପେକ୍ଷାରେ ଥିବା ଧାନ । ହେଲେ ସରକାରଙ୍କ ନିର୍ଦ୍ଦେଶ ପରେ କୃଷି ଏବଂ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି । ଜିଲ୍ଲାରେ ପ୍ରାୟ ୪ ହଜାର ୨୦୦ ହେକ୍‌ଟର ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

କାଳବୈଶାଖୀ ବର୍ଷା ଯୋଗୁଁ ସବୁଆଡେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀର, ସୋନପୁର ଓ ବରଗଡ ଜିଲ୍ଲାରେ ମଧ୍ୟ କୁଆପଥର ବର୍ଷାଯୋଗୁ ଫସଲ ନଷ୍ଟ ହୋଇଛି । କରୋନା କଟକଣା କୋହଳ ପରେ ଚାଷକାର୍ଯ୍ୟ ଆରମ୍ଭ କରିଥିବା ଚାଷୀ ଏବେ ପୁଣି ହତାଶ ହୋଇଛି । ଏସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯିବାକୁ ଦାବି କରିଛନ୍ତି ଚାଷୀ । ତେବେ ଏପ୍ରିଲ୍‌ ୩୦ ରୁ ମେ’ ୩ ତାରିଖ ଭିତରେ ବଙ୍ଗୋପସାଗରରେ ସୃଷ୍ଟ ହେବାକୁଥିବା ଲଘୁଚାପ ପୁଣି ଚାଷୀଙ୍କ ଚିନ୍ତା ବଢାଇଦେଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ଅଭୟବାଣୀ: ଓଡ଼ିଶାକୁ ନାହିଁ ବାତ୍ୟାର ଭୟ

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାକୁ ନାହିଁ ବାତ୍ୟାର ଭୟ । ଲୋକ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ କରୋନା ଆତଙ୍କ ଲାଗି ରହିଥିବା ବେଳେ ବାତ୍ୟା ଚର୍ଚ୍ଚା ଏହି ଭୟକୁ ଦୁଇଗୁଣ କରିଦେଇଛି । ତେବେ ସେମିତି କିଛି ହେବାର ସମ୍ଭାବନା ନାହିଁ । ଆସନ୍ତା ୩୦ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲଘୁଚାପ ସକ୍ରିୟ ରହିବ ।

ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୬୮.୨ ମିଲିମିଟର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, କନ୍ଧମାଳ, ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲାକୁ ବର୍ଷା ନେଇ ସତର୍କ କରି ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିପାରେ । କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି ।

ବାତ୍ୟା ନେଇ ଡରିବାର ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।