୪ ଦେଶର ଉଦାହରଣ ଦେଇ ଲକ୍‌ଡାଉନ୍‌କୁ ଫେଲ୍‌ ଦର୍ଶାଇଲେ ରାହୁଲ

1 min read

ନୂଆଦିଲ୍ଲୀ: ଭୟଙ୍କର ଭୂତାଣୁ କରୋନାକୁ ନେଇ ବିପତ୍ତି ଏଯାଏଁ ଟଳିନି । କିନ୍ତୁ ସରକାର ଅନେକ କ୍ଷେତ୍ରରେ ଲକ୍‌ଡାଉନ୍‌ କୋହଳ କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁଠି କଟକଣା କୋହଳ ହୋଇଛି । ଇତିମଧ୍ୟରେ ଦେଶର ଆରମ୍ଭ ହୋଇସାରିଛି ଅନ୍‌ଲକ୍‌ ୧.୦ ।   ତେବେ ଏବର ପରିସ୍ଥିତିରେ ଲକ୍‌ଡାଉନ୍ କୋହଳ ନିଷ୍ପତ୍ତି ସହ ବିଭିନ୍ନ ବିଶେଷଜ୍ଞ ଏକମତ ନୁହଁନ୍ତି । କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ଲକ୍‌ଡାଉନକୁ ବିରୋଧ କରୁଥିବା ବେଳେ ଏବେ ଅନଲକ୍‌କୁ ବିରୋଧ କରିଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଏକ ଟ୍ୱିଟ୍ କରି ପୁଣି ମୋଦି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ନିଜ ଟ୍ୱିଟ୍‌ରେ ରାହୁଲ ଭାରତର କରୋନା ଗ୍ରାଫ ସହ ଅନ୍ୟ କିଛି ଦେଶର ଗ୍ରାଫ୍‌କୁ ତୁଳନାତ୍ମକଭାବେ ପ୍ରଦର୍ଶିତ କରିଛନ୍ତି । ଏବଂ ଲେଖିଛନ୍ତି ଏହା ବିଫଳ ଲକ୍‌ଡାଉନ୍‌ର ଗ୍ରାଫ୍‌ ।

ରାହୁଲ ଏପରି ଲେଖିବାର କାରଣ ହେଉଛି, ସେ ସେୟାର କରିଥିବା ଦେଶମାନଙ୍କର କରୋନା ଗ୍ରାଫ୍‌ ଅନୁଯାୟୀ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଏବଂ ସଂଖ୍ୟା ହ୍ରାସ ହେବା ସମୟରେ ଅନଲକ୍‌ ଘୋଷଣା କରାଯାଇଥିଲା । କିନ୍ତୁ ଭାରତରେ ଅନଲକ୍‌ ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ।

ରାହୁଲ ଗାନ୍ଧି ଯେଉଁ ଦେଶମାନଙ୍କ ଗ୍ରାଫ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ପେନ୍‌, ଜର୍ମାନୀ, ଇଟଲୀ ଏବଂ ବିଟ୍ରେନ ଭଳି ଦେଶ ରହିଛି । ସୂଚନା ଯୋଗ୍ୟ ଯେ, ରାହୁଲ ଗାନ୍ଧି ପୂର୍ବରୁ ମଧ୍ୟ ସରକାରଙ୍କ କରୋନା ମୁକାବିଲା ପଦକ୍ଷେପକୁ ନେଇ ଗଠନ ମୂଳକ ସମାଲୋଚନା କରିଆସିଛନ୍ତି ।

Leave a Reply