ଭାରତ-ଚୀନ ଗତିରୋଧ: G-7 ବିସ୍ତାରକୁ ନେଇ ଚୀନ ମିଡିଆର ଧମକ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ

1 min read

ବେଜିଂ: ଚୀନର ସରକାର ନିୟନ୍ତ୍ରିତ ଗଣମାଧ୍ୟମ ଭାରତକୁ ଧମକ ଦେଇଛି । ଜି-୭ର ବିସ୍ତାର ଓ ଏଥିରେ ଭାରତକୁ ସାମିଲ କରିବା  ପାଇଁ ଆମେରିକାର ଉଦ୍ୟମ ଚୀନ ମିଡିଆକୁ ଉତକ୍ଷିପ୍ତ କରିଛି ।ସେଠାକାର ଗଣମାଧ୍ୟମ ଚେତାବନୀ ଦେଇ କହିଛି ଯେ,  ଜି-୭ ବିସ୍ତାରରେ ସାମିଲ ହେବା ପାଇଁ ଉଦ୍ୟମ କରି ଭାରତ ନିଆଁ ସହ ଖେଳୁଛି ।

ଚୀନ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଜି-୭ ବିସ୍ତାର ବିଚାର ଜିଓ ପଲିଟିକ୍ସ ବା ଭୂ-ରାଜନୈତିକ ଗଣିତ ଉପରେ ଆଧାରିତ । ଯାହାର ଲକ୍ଷ୍ୟ ହେଉଛି ଚୀନକୁ ଘେରିବା । ଭାରତ କେବଳ ଦୁନିଆର ପଂଚମ ବୃହତ୍ ଆର୍ଥିକ ଶକ୍ତି ନୁହେଁ ଏହା ମଧ୍ୟ ଆମେରିକାର ଭାରତ-ପ୍ରଶାନ୍ତ ମହାସାଗର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ତେଣୁ ଆମେରିକା ଭାରତକୁ ଜି-୭ରେ ସାମିଲ କରିବାକୁ ଚାହୁଁଛି । ଚୀନକୁ ଚେକମେଟ୍ କରିବା ପାଇଁ ଆମେରିକା ଅନେକ ଦିନ ଧରି ଭାରତକୁ ନିଜ ପାଲରେ ପକାଇବା ପାଇଁ ଉଦ୍ୟମ କରି ଆସୁଛି ବୋଲି ଗ୍ଲୋବାଲ ଟାଇମ୍ସ ଲେଖିଛି ।

 

ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଚୀନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଛି

ଗ୍ଲୋବାଲ ଟାଇମ୍ସ ଅନୁସାରେ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଚୀନ୍ ନେଇ ଭାରତ ସରକାରଙ୍କ ରଣନୀତି ବଦଳିଛି । ମହାଶକ୍ତି ବନିବାର ମହତ୍ୱାକାଂକ୍ଷା ରଖିଥିବା ଭାରତ ଆମେରିକାର ଜି-୭ ବିସ୍ତାର ପ୍ରସ୍ତାବକୁ ସମର୍ଥନ ଦେଇ ଚୀନକୁ ସନ୍ଦେଶ ଦେବାକୁ ଚାହୁଁଛି । ମୋଦି ଅଷ୍ଚ୍ରେଲିଆ,ଆମେରିକା  ଓ ଜାପାନ ସହ ଚୀନ ବିରୋଧରେ ମେଣ୍ଟ କରୁଛନ୍ତି ବୋଲି ଗ୍ଲୋବାଲ ଟାଇମ୍ସ ଦାବି କରିଛି ।

ଭାରତ-ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବ

ଗ୍ଲୋବାଲ ଟାଇମ୍ସ ଅନୁସାରେ ଜି-୭ର ବିସ୍ତାର ଅର୍ଥ ଆମେରିକା ଇଣ୍ଡୋ ପେସିଫିକ୍ ରଣନୀତିକୁ ଲାଗୁ କରିବା ପାଇଁ ପ୍ରସ୍ତୁତ ଅଛି । ବଦଳରେ ଭାରତ ଆମେରିକାଠାରୁ ମହାଶକ୍ତି ମାନ୍ୟତା ଓ ଅନ୍ୟ ଯୋଜନା ସମ୍ପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ମାଗୁଛି । ଚୀନକୁ ନିଶାନାରେ ନେବା ପାଇଁ ଭାରତ ଆମେରିକାର ଅନେକ ଯୋଜନାରେ ସକ୍ରିୟ ଅଛି । କରୋନା ପରେ ଯଦି ଆମେରିକାର ପତନ ହୁଏ ଓ ଚୀନ ଆଗକୁ ବଢେ, ତେବେ ଚୀନର ଘେରାବନ୍ଦୀ ପାଇଁ ଭାରତ ଆମେରିକା ସହ ମିଶିବାର ପୂର୍ଣ୍ଣ ସମ୍ଭାବନା ରହିଛି ।

ଭାରତ ଯଦି ତରତର ହୋଇ ଚୀନକୁ ଶତ୍ରୁ ଭାବେ ବିବେଚନା କରୁଥିବା ଜି-୭ ଭଳି ଗୋଟିଏ ଛୋଟ ଗ୍ରୁପରେ ସାମିଲ ହୁଏ ତେବେ ଦୁଇ ଦେଶଙ୍କ ମଧ୍ୟରେ ସମ୍ବନ୍ଧ ଖରାପ ହେବ । ଯାହା ଭାରତ ହିତରେ ନୁହେଁ ବୋଲି ଗ୍ଲୋବାଲ ଟାଇମ୍ସ ଦାବି କରିଛି   ।

Leave a Reply