spot_img
Home Blog Page 698

ଅବପାତରେ ପରିଣତ ହେଲା ଲଘୁଚାପ ; ୨ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଏହା ସକ୍ରିୟ ରହିଛି । ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ଗତି କରିବ। ପ୍ରଭାବରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ସେହିପରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଂଜାମ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ । ଆଜି ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

 

ବିହାରରେ କଂଗ୍ରେସର ଦମଦାର ପ୍ରଦର୍ଶନ ; ତୃତୀୟ ଦିନରେ ଭୋଟ ଅଧିକାର ଯାତ୍ରା

ନନ୍ଦିଘୋଷ ବ୍ୟୁରା: ବିହାରରେ କଂଗ୍ରେସର ଦମଦାର ପ୍ରଦର୍ଶନ। ଆଜି ରାଲିର ତୃତୀୟ ଦିନ। ଗତକାଲି ଦ୍ଵିତୀୟ ଦିନରେ ବିହାର ଔରାଙ୍ଗାବାଦରେ ଭୋଟ ଅଧିକାର ଯାତ୍ରା। ଏଥିରେ ସାମିଲ ହୋଇଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ। ଔରାଙ୍ଗାବାଦରେ ଚାଲିଥିବା ଅଭିଯାନରେ ସାମିଲ ହୋଇଛନ୍ତି ହଜାର ହଜାର କର୍ମୀ। ସାସାରାମରୁ ଏକ ଭରପୂର ସମାବେଶରେ ଆରମ୍ଭ ହୋଇଥିଲା ଭୋଟ ଅଧିକାର ଯାତ୍ରା। ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଭୋଟ ଗଡ଼ବଡି ନେଇ ଇସିଆଇଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ରାହୁଲ କହିଥିଲେ ନିର୍ବାଚନରେ ବ୍ୟାପକ ଭୋଟ ଗଡ଼ବଡି ହୋଇଥିଲା। ଭିଡିଓଗ୍ରାଫି ମାଗିଲା ପରେ ବି ଇସି ତାହା ଦେଇ ନଥିଲେ।

ସେହିପରି ଏଆଇସିସି ସଭାପତ ମଲ୍ଲିକାର୍ଜୁନ ଖଡଗେ କହିଥିଲେ- ଭୋଟ ଅଧିକାର ସମ୍ବିଧାନ ପ୍ରଦତ୍ତ ଅଧିକାର। ଏହି ଅଧିକାରରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ। ଏହାସହ ବିହାରରେ ଭୋଟ ଚୋରି ପ୍ରସଙ୍ଗରେ ଇସିଆଇଙ୍କ ଉପରେ ବର୍ଷିଥିଲେ ଖଡଗେ। ବିହାରରେ ଭୋଟଚୋରି, ବିକାଶ, ଆଇନଶୃଙ୍ଖଳା, ହତ୍ୟା, ଅପହରଣ ପ୍ରସଙ୍ଗ ନେଇ ଏନଡିଏ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ। କଂଗ୍ରେସର ଏହି ଯାତ୍ରା ଆସନ୍ତା ସେପ୍ଟେମ୍ବର ୧ରେ ଶେଷ ହେବ ଏବଂ ସେହି ଦିନ ପାଟନା ଗାନ୍ଧି ମଇଦାନରେ ମେଗା ସମାବେଶ ହେବ।

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ; ଇଣ୍ଡି ପକ୍ଷରୁ ଆଜି ବସୁଛି ବୈଠକ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ । ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ବସୁଛି ବୈଠକ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ମଧ୍ୟାହ୍ନ ସାଢେ ୧୨ଟାରେ ବସିବ ବୈଠକ । ଯୋଗ ଦେବେ ବିରୋଧୀ ମେଣ୍ଟର ପ୍ରମୁଖ ନେତା । କାହାକୁ ପ୍ରାର୍ଥୀ କରିବେ ଏହାକୁ ନେଇ ନିଷ୍ପତ୍ତି ନେବ ଇଣ୍ଡି ମେଣ୍ଟ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ତାର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ।

NDA ଦ୍ୱାରା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ, ବିରୋଧୀ ଦଳ ମଧ୍ୟ ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏକ ବୈଠକ କରୁଛନ୍ତି । ଏବେ ଦେଖିବାକୁ ବାକି ଅଛି ଯେ ବିରୋଧୀ ଦଳ ମଧ୍ୟ ଦକ୍ଷିଣ ରାଜନୀତି ଉପରେ ଜୋର ଦେଉଛନ୍ତି ନା ଏକ ନୂତନ ମୁହଁ ସାମ୍ନାକୁ ଆଣିବେ ।

ଆଜିଠାରୁ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ଭୁବନେଶ୍ବର: ବେସରକାରୀ କଲେଜରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ। ଆଜିଠାରୁ ହଜାରେରୁ ଅଧିକ କଲେଜରେ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନରୁ ବାଧାପ୍ରାପ୍ତ ହେବ ଶିକ୍ଷାଦାନ। ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ବା OSNLEA। ରାଜ୍ୟରେ ବିଭିନ ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧ ଜୁନ ୨୦୦୮ ରୁ ୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରର ଭୁକ୍ତ ଦାବିରେ ଆନ୍ଦୋଳନ ଜାରି ରଖିଛି ସଙ୍ଘ। ଅଗଷ୍ଟ ୧୫ସୁଦ୍ଧା ଦାବି ପୂରଣ ପାଇଁ ପୂର୍ବରୁ ସଙ୍ଘ ଚେତାବନୀ ଦେଇଥିଲେ ବି ଶୁଣିଲେନି ସରକାର। ଏହାପରେ ଅଗଷ୍ଟ ୧୬ ତାରିଖରେ ବିଧାନସଭା ସମୁଖରେ ଆନ୍ଦୋଳନ କରିଥିଲା ସଙ୍ଘ। ତଥାପି କିଛି ସୁଫଳ ହେଲାନି ।

ଏହାପରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି ବୋଲି ସଙ୍ଘ ସଭାପତି ସୂଚନା ଦେଇଛନ୍ତି। ଶିକ୍ଷକ ଦାବି ଦିବସରେ ଅନୁପସ୍ଥିତ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ଆଲୋଚନାକୁ ବି ଡାକିଲେନି। ୩୦ ଜିଲ୍ଲାରେ ହଜାରେରୁ ଅଧିକ କଲେଜରୁ ବିଭିନ କଲେଜ ସମ୍ମୁଖରେ ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି। ବାରମ୍ବାର ଦାବି ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଏଯାଏ ସଙ୍ଘ ସହ ଆଲୋଚନା କରିନାହାଁନ୍ତି। କଲେଜ ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଜାରି ରଖିଛନ୍ତି। ଆଜିସୁଦ୍ଧା ମୁଖ୍ୟମନ୍ତ୍ରୀ ନିଜେ ସଙ୍ଘ ସହିତ ହସ୍ତକ୍ଷେପ କରି ପ୍ରତ୍ୟକ୍ଷ ଆଲୋଚନା ନକଲେ ଆନ୍ଦୋଳନକୁ ଆହୁରି ହଜାରେରୁ ଅଧିକ କଲେଜରେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

ଇନ୍ଦୋରରେ ଚମତ୍କାର : ଦୁଇଟି ମୁଣ୍ଡ, ଚାରୋଟି ହାତ ଓ ଦୁଇ ହୃଦୟ ବିଶିଷ୍ଟ ଦୁର୍ଲଭ ଶିଶୁ ଜନ୍ମ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋରର ଏକ ଦୁର୍ଲଭ ଶିଶୁକନ୍ୟା ଜନ୍ମ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ଇନ୍ଦୋରର ଏକ ହସ୍ପିଟାଲରେ ଜନ୍ମ ହୋଇଛି ଏହି ଶିଶୁ । ୧୩ ଅଗଷ୍ଟରେ ଖାରଗୋନ ଜିଲ୍ଲାର ମୋଥାପୁରା ଗାଁର ଜଣେ ମହିଳା ଏକ ସ୍ୱତନ୍ତ୍ର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହି ଶିଶୁକନ୍ୟାଟିର ଦୁଇଟି ମୁଣ୍ଡ, ଚାରୋଟି ହାତ ଏବଂ ଦୁଇଟି ହୃଦୟ ଅଛି, ହେଲେ ତାର ଶରୀରର ଛାତି ଏବଂ ପେଟ ଏକାଠି ଯୋଡି ହୋଇ ରହିଛି। ଏହା ବ୍ୟତୀତ, ଶିଶୁକନ୍ୟାଟିର ଦୁଇଟି ସାଧାରଣ ଗୋଡ ମଧ୍ୟ ଅଛି।

ଝିଅଟିକୁ ଇନ୍ଦୋରର MY ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ତାର ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ, ଏପରି ପିଲାମାନଙ୍କ ଉପରେ ଅସ୍ତ୍ରୋପଚାର ଅତ୍ୟନ୍ତ କଷ୍ଟକର ଏବଂ ବିପଦପୂର୍ଣ୍ଣ, କାରଣ ସେମାନଙ୍କ ଶରୀରର ଅନେକ ଅଂଶ ପରସ୍ପର ସହିତ ସଂଯୁକ୍ତ। ପ୍ରାୟତଃ ଏପରି ପରିସ୍ଥିତିରେ, ପିଲାମାନଙ୍କୁ ଜରୁରୀକାଳୀନ ୱାର୍ଡରେ ରଖାଯାଏ ଯାହାଦ୍ୱାରା ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ।

ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ଶିଶୁଟିର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଆଶ୍ୱସ୍ତିର କଥା ହେଉଛି ଯେ ତା’ର ଉଭୟ ହୃଦୟ ସ୍ୱାଭାବିକ ଭାବରେ କାମ କରୁଛି। ତଥାପି, ପରବର୍ତ୍ତୀ ଅବସ୍ଥା ଜାଣିବା ପାଇଁ ସୋନୋଗ୍ରାଫି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା କରାଯାଉଛି। ଡାକ୍ତରୀ ଭାଷାରେ, ଏପରି ଜନ୍ମକୁ କଞ୍ଜାଇଣ୍ଡ୍ ଯମଜ କୁହାଯାଏ, ଏବଂ ଏପରି ପରିସ୍ଥିତିକୁ ଅତ୍ୟନ୍ତ ଜଟିଳ ବୋଲି ବିବେଚନା କରାଯାଏ।

ସୂଚନା ଅନୁଯାୟୀ, ଶିଶୁକନ୍ୟାଙ୍କ ପ୍ରସବ MTH ହସ୍ପିଟାଲରେ ହୋଇଥିଲା। ଏହା ପରେ, ତାଙ୍କ ଗୁରୁତର ଅବସ୍ଥା ଦେଖି ତାଙ୍କୁ MY ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କୁ PICU (ପିଡିଆଟ୍ରିକ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଛଅ ମାସ ପରେ ଶିଶୁର ଅବସ୍ଥା ଅନୁକୂଳ ରହେ, ଏହା ପରେ ଅସ୍ତ୍ରୋପଚାର ସାହାଯ୍ୟରେ ତାଙ୍କ ଶରୀରକୁ ଅଲଗା କରାଯାଇପାରିବ। ତଥାପି, ଏହି ପ୍ରକ୍ରିୟା ବହୁତ ସମ୍ବେଦନଶୀଳ ଏବଂ ଜଟିଳ ।

ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ

ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ, ପରିବାର ଶିଶୁଟିକୁ ଡିସଚାର୍ଜ କରି ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦମ୍ପତିଙ୍କର ପ୍ରଥମ ସନ୍ତାନ, ଏବଂ ପରିବାର ଶିଶୁଟିର ସୁସ୍ଥତା ଆଶା କରୁଛନ୍ତି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଇନ୍ଦୋରରେ ଏପରି ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ମଧ୍ୟ ସହରରେ ଦୁଇଟି ମୁଣ୍ଡ ଥିବା ଏକ ଶିଶୁ ଜନ୍ମ ନେଇଛି। ଏପରି ଘଟଣା ଚିକିତ୍ସା ବିଜ୍ଞାନ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ, ଏବେ ଏହି ଖବରଗୁଡ଼ିକ ପ୍ରାୟତଃ ଆଲୋଚନା ଏବଂ କୌତୁହଳର ବିଷୟ ହୋଇଯାଇଛି।

 

ୟୁକ୍ରେନର ହୃଦୟ ପଛରେ ପୁଟିନ୍ ! ଡୋନବାସ କାହିଁକି ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ?

ନନ୍ଦିଘୋଷ ବ୍ୟୁରୋ: ଖେଳ କରିଦେଲେ ପୁଟିନ୍ । ଯଦି ସର୍ତ୍ତରେ ରାଜି ତାହେଲେ ଯୁଦ୍ଧ ବନ୍ଦ । ଏଭଳି ସର୍ତ୍ତ ଶୁଣିବା ପରେ ଟ୍ରମ୍ପଙ୍କ ମନୋଭାବ ବଦଳିଯାଇଥିବା ଦେଖିବାକୁ ମିଳିଛି । ବାସ୍ତବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଶାନ୍ତି ଚୁକ୍ତିନାମା ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ପୁଟିନ ସମ୍ପୂର୍ଣ୍ଣ ଡୋନବାସ ଅଞ୍ଚଳ ମାଗିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଡୋନବାସକୁ ୟୁକ୍ରେନର ଶିଳ୍ପ ହୃଦୟ କୁହାଯାଏ। ଏହି ଅଞ୍ଚଳ କୋଇଲା ଏବଂ ଭାରୀ ଶିଳ୍ପ ପାଇଁ ପ୍ରସିଦ୍ଧ। ଏହି ଅଞ୍ଚଳ ଅଧିଗ୍ରହଣ ହେବା ମାତ୍ରେ କୃଷ୍ଣ ସାଗର ଏବଂ ଆଜୋଭ ସାଗରରେ ରୁଷର ପ୍ରାଧାନ୍ୟ ବୃଦ୍ଧି ପାଇବ। ଡୋନବାସରେ ପ୍ରାକୃତିକ ଗ୍ୟାସ ଏବଂ ତୈଳ ଗଚ୍ଛିତ ରହିଛି। ଏହି ଅଞ୍ଚଳ ୟୁକ୍ରେନର ଜିଡିପିରେ ସର୍ବାଧିକ ଅବଦାନ ରଖେ। ପୁଟିନ ଆଲାସ୍କା ଶିଖର ସମ୍ମିଳନୀ ସମୟରେ ଟ୍ରମ୍ପଙ୍କୁ କହିଥିଲେ ଯେ ଯଦି ୟୁକ୍ରେନ ଡୋନବାସ ଏବଂ ଲୁହାନସ୍କକୁ ହସ୍ତାନ୍ତର କରିବ ତେବେ ରୁଷ ଦକ୍ଷିଣ ୟୁକ୍ରେନର ଖେରସନ ଏବଂ ଜାପୋରିଝିଆରେ ଆକ୍ରମଣ ବନ୍ଦ କରିବ।

ଟ୍ରମ୍ପଙ୍କ ମନୋଭାବରେ ପରିବର୍ତ୍ତନ

ଯଦିଓ ଆଲାସ୍କା ଶିଖର ସମ୍ମିଳନୀ କୌଣସି ନିଷ୍କର୍ଷରେ ପହଞ୍ଚିପାରିଲା ନାହିଁ, ତଥାପି ପୁଟିନଙ୍କୁ ଭେଟିବା ପରେ ଟ୍ରମ୍ପଙ୍କ ମତ ପରିବର୍ତ୍ତନ ହୋଇଛି । ଆଲାସ୍କା ଶିଖର ସମ୍ମିଳନୀ ପରେ ଟ୍ରମ୍ପ ୟୁରୋପୀୟ ନେତାମାନଙ୍କୁ କହିଥିଲେ ଯେ ସେ ଡୋନବାସକୁ ରୁଷକୁ ହସ୍ତାନ୍ତର କରିବା ଯୋଜନାକୁ ସମର୍ଥନ କରୁଛନ୍ତି । ଆଜି ୱାଶିଂଟନରେ ହେବାକୁ ଥିବା ବୈଠକ ସମୟରେ ଟ୍ରମ୍ପ ଜେଲେନସ୍କିଙ୍କ ସମ୍ମୁଖରେ ଏହି ପ୍ରସ୍ତାବ ରଖିବେ ବୋଲି ଆଶା କରାଯାଉଛି। ତଥାପି ଜେଲେନସ୍କି ବାରମ୍ବାର ଦୋହରାଇଛନ୍ତି ଯେ ୟୁକ୍ରେନ୍ କେବେବି ଡୋନବାସ ଛାଡିବ ନାହିଁ । ଲୁହାନସ୍କ୍ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ରୁଷ ନିୟନ୍ତ୍ରଣରେ ଅଛି, କିନ୍ତୁ ୟୁକ୍ରେନ୍ ଏବେ ବି ଡୋନବାସର କିଛି ଅଂଶ ଉପରେ ନିୟନ୍ତ୍ରଣ ରଖିଛି । ଏଥିରେ କ୍ରାମଟୋର୍ସ୍କ ଏବଂ ସ୍ଲୋଭିଆନସ୍କ ଭଳି ରଣନୈତିକ ସହର ଅନ୍ତର୍ଭୁକ୍ତ । ଏଗୁଡ଼ିକ ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳ ଯାହାର ସୁରକ୍ଷା ପାଇଁ ହଜାର ହଜାର ୟୁକ୍ରେନୀୟ ସୈନିକ ନିଜ ଜୀବନ ବଳିଦାନ ଦେଇଛନ୍ତି ।

ଡୋନବାସ ପୁଟିନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଡୋନବାସ ୟୁକ୍ରେନର ଶିଳ୍ପ କେନ୍ଦ୍ର। ଏହା ରୁଷ ସୀମାବର୍ତ୍ତୀ ଡୋନେସ୍କ ଏବଂ ଲୁହାନସ୍କ ପର୍ଯ୍ୟନ୍ତ ବ୍ୟାପ୍ତ। କୋଇଲା ଏବଂ ଭାରୀ ଶିଳ୍ପର ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳ ୟୁକ୍ରେନର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଡୋନବାସ ଉପରେ ନିୟନ୍ତ୍ରଣ ରୁଷକୁ ପୂର୍ବ ୟୁକ୍ରେନ ଉପରେ ପ୍ରାୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେବ। ସେହି ସମୟରେ ୟୁକ୍ରେନ ଦୁର୍ବଳ ହୋଇଯିବ। ଏହି ଅଞ୍ଚଳଟି ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।  ଯୁଦ୍ଧ ବିଶ୍ଳେଷକଙ୍କ ଅନୁସାରେ ଡୋନେଟ୍ସ୍କ ଏକ ଦୁର୍ଗ ଭଳି ଅଞ୍ଚଳ। ୟୁକ୍ରେନୀୟ ସେନା ୨୦୧୪ ମସିହାରୁ ଏଠାରେ ଏକ ବହୁସ୍ତରୀୟ ସୁରକ୍ଷା ଘେରା ନିର୍ମାଣ କରିଛି। ଏଥିରେ ଟ୍ରେଞ୍ଚ, ବଙ୍କର, ଲ୍ୟାଣ୍ଡମାଇନ୍ ଏବଂ ସୁଦୃଢ଼ ସହରାଞ୍ଚଳ ଅନ୍ତର୍ଭୁକ୍ତ। ଏହି କାରଣରୁ ୟୁକ୍ରେନ ଉପରେ ରୁଷର ଅଗ୍ରଗତି ଏକ ଦଶନ୍ଧିରୁ ଅଧିକ ସମୟ ଧରି ଧୀର ରହିଛି। ଡୋନବାସ୍‌କୁ ହରାଇବା ୟୁକ୍ରେନ୍‌ ପାଇଁ ବିପର୍ଯ୍ୟୟଜନକ ହେବ। ଯଦି ଏହା ହୁଏ ତେବେ ରୁଷ ପାଇଁ ଖାରକିଭ୍, ପୋଲ୍ଟାଭା ଏବଂ ଡ୍ନିପ୍ରୋ ଆଡକୁ ଆଗକୁ ବଢ଼ିବା ପାଇଁ ଏକ ସିଧାସଳଖ ପଥ ମିଳିଯିବ ।

୨୦୧୪ ମସିହାରୁ ଡୋନବାସ ଉପରେ ଆକ୍ରମଣ ଜାରି 

ଡୋନବାସରେ ଲଢ଼େଇ ନୂଆ ନୁହେଁ । ୨୦୧୪ ମସିହାରେ କ୍ରିମିଆକୁ ମିଶାଇବା ପରେ ରୁଷ ପ୍ରଥମେ ଏହି ଅଞ୍ଚଳରେ ପ୍ରବେଶ କରିଥିଲା। ମସ୍କୋ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଡୋନେଟସ୍କ ଏବଂ ଲୁହାନସ୍କ ଗଣରାଜ୍ୟ ଘୋଷଣା କରିଥିଲେ। ୨୦୨୨ ମସିହାରେ ରୁଷ ଆକ୍ରମଣ କରିବା ସମୟରେ ମସ୍କୋ ପୂର୍ବ ୟୁକ୍ରେନର ଏକ ତୃତୀୟାଂଶରୁ ଅଧିକ ଉପରେ ନିୟନ୍ତ୍ରଣ ହାସଲ କରିଥିଲା। ବର୍ତ୍ତମାନ ରୁଷୀୟମାନେ ପ୍ରାୟ ସମସ୍ତ ଲୁହାନସ୍କ ଏବଂ ଡୋନେଟ୍ସ୍କର  ୭୫% ଦଖଲ କରିସାରିଛନ୍ତି । ୟୁକ୍ରେନୀୟ ସେନା ଡୋନେଟ୍ସ୍କରେ ପ୍ରାୟ ୬,୬୦୦ ବର୍ଗ କିଲୋମିଟର ଅଞ୍ଚଳ ନିୟନ୍ତ୍ରଣ କରେ ଯେଉଁଠାରେ ଏବେ ବି ଯୁଦ୍ଧ ଚାଲିଛି ।

 

ରେଳଷ୍ଟେସନରୁ ପର୍ସିଆନ ବିଲେଇ ଉଦ୍ଧାର ; ଦମ୍ପତି ଗିରଫ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପର୍ସିଆନ ବିଲେଇ। ମୁମ୍ବାଇ ଶାଳୀମାର ଟ୍ରେନରେ ଅଣାଯାଉଥିଲା । ବଡ଼ ସାନ କରି ୨୦ଟି ପର୍ସିଆନ ବିଲେଇ। ମୁମ୍ବାଇରୁ ଆଣି ସାନ୍ତରାଗାଛିକୁ ନେଇ ଯାଉଥିଲେ ଏହି ବିଲେଇ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମ ରେ ବିକ୍ରି କରିବାର ଉଦ୍ଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।

ଶାଳୀମାର ଟ୍ରେନରେ ରାତିରେ ୨.୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଚିବା ପରେ ଆରପିଏଫ ତରଫରୁ ବିଲେଇ ନେଇ ଯାଉଥିବା ଦମ୍ପତିଙ୍କୁ ଅଟକ ରଖିଛି ନେଇଛି ଆରପିଏଫ । ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁକୁ ନେଇ ଏହି ବିଲେଇ ନେଇ ଯାଉଥିଲେ ।

୧୯ ବର୍ଷ ତଳେ ଆସିଥିବା ଫିଲ୍ମ ୪୬୦ ଦିନ ଯାଏଁ ହଲରେ କରିଥିଲା ରାଜ୍

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଅନେକ ସିନେମା ତିଆରି ହୁଏ। ପ୍ରତ୍ୟେକ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଭିନ୍ନ ପ୍ରକାର ରିଲିଜ୍ ହୁଏ । କିଛି ସୁପରହିଟ୍ , ବ୍ଲକବଷ୍ଟର ହୁଏ ତ ଏବଂ କିଛି ଫ୍ଲପ୍ ହୁଏ। କାରଣ ଗୋଟିଏ ମାସ ମଧ୍ୟରେ ସିନେମାଗୁଡ଼ିକ ସିନେମା ହଲ୍ରୁ ହଟିଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସିନେମା ବିଷୟରେ କହିବାକୁ ଯାଉଛୁ ଯାହା ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସିନେମା ହଲରେ ଚାଲିଥିଲା। ଏହା ଏହାର ବଜେଟ୍ ଠାରୁ ୧୦୭ ଗୁଣ ଅଧିକ ରୋଜଗାର କରିଥିଲା।

୨୦୦୬ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ‘ମୁଙ୍ଗାରୁ ମାଲେ’ । ଯାହାର ଲେଖକ ଏବଂ ନିର୍ଦ୍ଦେଶକ ଯୋଗରାଜ ଭଟ୍ଟ ଥିଲେ। ଏହି ରୋମାଣ୍ଟିକ-ଡ୍ରାମା ବିଶିଷ୍ଟ ଚଳଚିତ୍ର ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା। ଏଥିରେ ଗଣେଶ ଏବଂ ପୂଜା ଗାନ୍ଧୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଅନନ୍ତ ନାଗ ମଧ୍ୟ ଏଥିରେ ଅଭିନୟ କରିଥିଲେ । ୭୦ଲକ୍ଷ ଟଙ୍କା ବଜେଟରେ ନିର୍ମିତ ‘ମୁଙ୍ଗାରୁ ମାଲେ’ ଏକ ସ୍ଲିପର ହିଟ୍ ଏବଂ ଏପର୍ଯ୍ୟନ୍ତ ସର୍ବାଧିକ ଆୟକାରୀ କନ୍ନଡ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

ବର୍ଷେରୁ ଅଧିକ ଦିନ ଚାଲିଥିଲା ଏହି ଫିଲ୍ମ

‘ମୁଙ୍ଗାରୁ ମାଲେ’ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ମଲ୍ଟିପ୍ଲେକ୍ସରେ ଥିଲା। ଏହି ସିନେମାଟି PVR ବାଙ୍ଗାଲୋରରେ ୪୬୦ ଦିନ ଧରି ଥିଏଟରରେ ରାଜ୍ କରିଥିଲା। ଏହା ବିଶ୍ୱବ୍ୟାପୀ  ୫୦ କୋଟି ଟଙ୍କା ଅତିକ୍ରମ କରିବାରେ ପ୍ରଥମ କନ୍ନଡ ଚଳଚ୍ଚିତ୍ର ହୋଇଥିଲା ଏବଂ ଏହାର ମୋଟ ୭୫କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଥିଲା ।

ଫିଲ୍ମର ପ୍ରଯୋଜକଙ୍କ ଘରେ ଆଇଟି ରେଡ୍ ହୋଇଥିଲା

ଫିଲ୍ମଟି ରିଲିଜ୍ ହେବା ମାତ୍ରେ ପୂଜା ଏବଂ ଗଣେଶ ଉଭୟ ରାତାରାତି ସୁପରଷ୍ଟାର ହୋଇଗଲେ। ସେମାନେ ଅନକେ ନୂଆ ସିନେମାରେ ମଧ୍ୟ କାମ କରି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତଥାପି, ଏହି ଫିଲ୍ମର ପ୍ରଯୋଜକ ଇ. କୃଷ୍ଣଙ୍କ ଘରେ ଆୟକର ବିଭାଗ ଦ୍ୱାରା ଚଢାଉ କରାଯାଇଥିଲା। ଫିଲ୍ମଟି ଯେତେବେଳେ ୬୭.୫୦ କୋଟି ଆୟ କରିସାରିଥିଲା, ସେବେ ବିଭାଗ ଦାବି କରିଥିଲା ଯେ ତାଙ୍କୁ ଏଥିରେ ଟିକସ ଦେବାକୁ ପଡିବ। ଏଥିପାଇଁ, ପ୍ରଯୋଜକଙ୍କ ଉପରେ ଚଢାଉ କରାଯାଇଥିଲା। ‘ମୁଙ୍ଗାରୁ ମାଲେ’ର ବକ୍ସ ଅଫିସ ରେକର୍ଡ ଦଶ ବର୍ଷରୁ ଅଧିକ ସମୟ ପାଇଁ ଅକ୍ଷୁର୍ଣ୍ଣ ରହିଥିଲା। କିନ୍ତୁ ୟଶଙ୍କ KGF ଚାପ୍ଟର 1 ରିଲିଜ୍ ପରେ, ଏହି ରେକର୍ଡ ଭାଙ୍ଗିଥିଲା।

 

ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଅନୁଗୁଳ : ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଚାଲିଛି ରେଡ୍ । ସୁରେନ୍ଦ୍ରଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଅନୁଗୁଳ ବାସଭବନ, ଭୁବନେଶ୍ୱରର ଦୁଇଟି ସ୍ଥାନ, ସୁନ୍ଦରଗଡ଼ , ରାଉରକେଲା ଛେଣ୍ଡ କଲୋନୀରେ ଥିବା ବାସଭବନରେ ଚାଲିଛି ଚଢ଼ାଉ।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଅନୁଗୁଳର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।

ନିମ୍ନଲିଖିତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି

ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା

ରାଉରକେଲାର ଗୋପବନ୍ଧୁ ନଗରର ଛେଣ୍ଡ, ଏମ/୨୦ରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୩, ଅରୋଭିଲା-୧, ଫେଜ୍-୩

ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୨, ଅରୋଭିଲା-୧, ଫେଜ୍-୩

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପିଏସ୍, ରାଞ୍ଝାଲି ଗ୍ରାମରେ ତାଙ୍କ ପୈତୃକ ଘର

ଗଞ୍ଜାମ ଜିଲ୍ଲା ବେହେରାସାହିର ପୁରୁଷୋତ୍ତମପୁରର ଆଲାଡିଗାଁ ଗ୍ରାମରେ ତାଙ୍କ ଶ୍ୱଶୁର ଘର

ଅନୁଗୁଳର ୩ଆରଏ/୧ ଜଳସେଚନ କଲୋନୀରେ ତାଙ୍କ ଆବାସିକ ସରକାରୀ କ୍ୱାର୍ଟର

ଅନୁଗୁଳର ଜଳସେଚନ ଡିଭିଜନରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ

ମାଲକାନଗିରିରେ ବର୍ଷାର ତାଣ୍ଡବ ; ଭୁଶୁଡ଼ିଲା ଏୟାରପୋର୍ଟ ପାଚେରି

ମାଲକାନଗିରି : ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି। ଆଗରୁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା। ଆଜି ପୁଣି ବର୍ଷା ଯୋଗୁଁ ପାଚେରୀ ଭାଙ୍ଗି ଯାଇଛି। ସେପଟେ ଲଗାଣ ବର୍ଷା ଯୋଗୁଁ ବୁଡ଼ିଲା ପୋଟେରୁ ପୋଲ। ପୋଟେରୁ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ମାଲକାନଗିରିରୁ କାଲିମେଳା ଯାତାୟାତ ଠପ ହୋଇଛି। ପୋଲର ଉଭୟ ପାର୍ଶ୍ବରେ ଅଟକିଛି ଗାଡ଼ି ମୋଟର। ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏହି ପୋଟେରୁ ପୋଲଟି ପ୍ରତିବର୍ଷ ବର୍ଷା ଦିନରେ ବୁଡ଼ିଯାଇଥାଏ। ଏହାର ଉଚ୍ଚତା ବୃଦ୍ଧି ପାଇଁ ନୂତନ ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଆଜି ଯାଏଁ ତାହା ସମ୍ପୂର୍ଣ୍ଣ ହୋଇନି। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ବନ୍ଦ ରଖାଯାଇଛି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର। ଛୁଟି ନେଇ ଘୋଷଣା କରିଥିଲେ ଜିଲ୍ଲାପାଳ। ମାଲକାନଗିରି ଦେଇ ଯାଇଥିବା ଜାତୀୟ ରାଜପଥରେ ଜମିଛି ପାଣି। ରାସ୍ତାରେ ପାଣି ଜମିଥିବାରୁ ଯାତାୟାତରେ ସମସ୍ୟା ଉପୁଜିବା ସହ ବିଭିନ୍ନ ଦୋକାନ ଓ ଘରେ ପଶିଛି ପାଣି।