spot_img
Home Blog Page 696

ଆଜି ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ

ନନ୍ଦିଘୋଷ ବ୍ୟୁରୋ: ଆଜି ସୁନାବେଶ । ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ । ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ । ମହାବାହୁଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ହେବେ ଭକ୍ତ । ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡଦାଣ୍ଡ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଭାବେ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ଯନ୍ତ ଏହି କଟକଣା ବଳବତ୍ତର ରହିବ ।

ବିଜୟଠାରୁ ୭ ଓ୍ବିକେଟ୍ ଦୂରରେ ଭାରତ, ଭାଙ୍ଗିବ ଏହି ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡରେ କମାଲ କରୁଛି ଭାରତ । ଗିଲ ବାହିନୀ ଦ୍ବିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଇଂଲଣ୍ଡକୁ ଜିତିବା ପାଇଁ ଶେଷ ଦିନରେ ୫୩୬ ରନ ଆବଶ୍ୟକ ହେଉଥିବାବେଳେ ଭାରତକୁ ଜିତିବା ପାଇଁ ଆଉ ୭ ଓ୍ବିକେଟ ଆବଶ୍ୟକ ରହିଛି । ବର୍ମିଂହାମ୍‌ର ଏଜବାଷ୍ଟନ୍‌ରେ ଶନିବାର ସକାଳେ ଭାରତ ଦ୍ବିତୀୟ ପାଳିକୁ ପୁନଃ ଆରମ୍ଭ କରିବା ପରେ ପ୍ରଥମ ଘଣ୍ଟାକ ଖେଳରେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ମେଘୁଆ ପାଗରୁ ଫାଇଦା ଉଠାଇ ଇଂଲିସ୍ ବୋଲର ବି ଚାପ ଜାରି ରଖିଥିଲେ। କେଏଲ୍ ରାହୁଲ୍‌ ଅସୀମ ‌‌ଧୈର୍ଯ୍ୟ ଦେଖାଇ ଅର୍ଦ୍ଧଶତକ ହାସଲ କରିଥିଲେ। କରୁଣ ନାୟାର କିନ୍ତୁ ଏକାଧିକ ବାଉଁସରକୁ ମୁଣ୍ଡ ଓ ଦେହରେ ସହିବା ପରେ ବି  ୨୬ ରନ୍‌ରୁ ଆଗକୁ ବଢ଼ିପାରିନଥିଲେ।

ଏହି ସମୟରେ କିନ୍ତୁ ଅଧିନାୟକ ଶୁବମନ ଗିଲ୍ (୧୬୧ ରନ୍, ୧୬୧ ବଲ୍‌, ୧୩ ଚୌକା, ୮ ଛକା) ଏବଂ ଉପଅଧିନାୟକ ଋଷଭ ପନ୍ତ୍ (୬୫ ରନ୍‌, ୫୮ ବଲ୍‌, ୮ ଚୌକା, ୩ ଛକ) ୧୧୦ ରନ୍‌ର ଦ୍ରୁତ ଭାଗୀଦାରି କରି ଇଂଲଣ୍ଡ ବୋଲରଙ୍କୁ ସୁଯୋଗ ଦେଇନଥିଲେ। ପନ୍ତ୍‌ଙ୍କୁ ପୁଣି ସୋଏବ ବଶିର ବଶିଭୁତ କରିଦେଇଥିଲେ। କିନ୍ତୁ ପ୍ରଥମ ପାଳି ଭଳି ରବୀନ୍ଦ୍ର ଜାଡ଼େଜା (୬୯* ରନ୍‌, ୧୧୮ ବଲ୍‌, ୫ ଚୌକା, ୧ ଛକା)ଙ୍କୁ ସାଥୀ କରି ଗିଲ୍ ପୁଣି ଏକ ଶତକୀୟ ଭାଗୀଦାରି (୧୭୫ ରନ୍) କରିବାରୁ ଇଂଲଣ୍ଡକୁ ଭାରତ ମ୍ୟାଚ୍‌ରୁ ଆପାତତଃ ସମ୍ପୂର୍ଣ୍ଣ ବିଦାୟ ରାସ୍ତା ଦେଖାଇଦେଇଛି। ଭାରତ ନିଜ ଦ୍ବିତୀୟ ପାଳିକୁ ୪୨୭/୬ରେ ଘୋଷଣା କରିବାରୁ ଘରୋଇ ଦଳ ସମ୍ମୁଖରେ ଅସମ୍ଭବ ବିଜୟ ଲକ୍ଷ୍ୟ ରହିଛି। ବାଜବଲ୍ ‌ଷ୍ଟାଇଲ୍‌ରେ ଖେଳୁଥିବା ଏହି ଦଳ ଏବେ ଅଗ୍ନିପରୀକ୍ଷାରେ ପଡ଼ିଛି।

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ କେନ୍ଦ୍ର ସ୍ଥଗିତ ରଖିବାକୁ ନେଇ ତେଜିଲା ବିବାଦ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାର ପରିବେଶ ମଂଜୁରୀକୁ ସ୍ଥଗିତ ରଖିବା ପରେ ଅନିଶ୍ଚିତତାରେ ଏହି ଏୟାରପୋର୍ଟ । ବିମାନ ବନ୍ଦର ହେବ କି ନାହିଁ, ତାକୁ ନେଇ ସନ୍ଦେହ ଦେଖା ଗଲାଣି । ଏହା ପରେ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି । ଏପରିକି ପୁରୀରେ ବିମାନବନ୍ଦର ନକଲେ, ଶ୍ରୀଜଗନ୍ନାଥ ସଂସ୍କୃତିର ଉନ୍ନତି ନ କଲେ, ସରକାରଙ୍କ ପତନ ହେବ ବୋଲି ଚେତାଇ ଦିଆଯାଇଛି ଦଳ । ପ୍ରସଙ୍ଗରେ କଂଗ୍ରେସ ମଧ୍ୟ କଡ଼ା ଭର୍ତ୍ସନା କରିଛି ।

ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଦରକାର ହେଉଥିବା ମଂଜୁରୀ ସ୍ଥଗିତ ହେବା ପରେ ତେଜିଲା ରାଜନୀତି । କେନ୍ଦ୍ର କାହିଁକି ବାଧକ ସାଜିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ କହିଛନ୍ତି, ପୁରୀରେ ବିମାନବନ୍ଦର ହେବା ଅତ୍ୟନ୍ତ ଜରୁରୀ ।  ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ସାରା ବିଶ୍ୱରୁ ଲୋକେ ସିଧା ପୁରୀରେ ପହଂଚିବେ । ଓଡି଼ଶା ସଂପର୍କରେ ସାରା ବିଶ୍ଵର ଲୋକେ ସହଜରେ ଜାଣିବେ । ପୁରୀ ଏୟାରପୋର୍ଟ ନିର୍ମାଣରେ ଯାହା ଅସୁବିଧା ଆସୁ, ସେ ଜଙ୍ଗଲ ଜମି ହେଉ କି ଆଉ କେଉଁ ଅସୁବିଧା ହେଉ ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ରକୁ ବାଧ୍ୟ କରିବୁ । ପୁରୀରେ ବିମାନ ବନ୍ଦର ହେଲେ ଅସୁବିଧା ହେବ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଜାଣି ରଖନ୍ତୁ, ଅନେକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମୁଦ୍ର କୂଳରେ ହୋଇଛି, ଆଉ କିଛି ସମୁଦ୍ର ଭିତରେ ନିର୍ମିତ ହୋଇଛି । କେନ୍ଦ୍ର ଯଦି ପୁରୀରେ ବିମାନବନ୍ଦର ନ କରିବ, ଶ୍ରୀଜଗନ୍ନାଥ ସଂସ୍କୃତିର ଉନ୍ନତି ନ କରିବ, ତେବେ ଏହି ସରକାରର ପତନ ହେବ ବୋଲି ଚେତାଇ ଦେଇଛନ୍ତି ଦିବ୍ୟଶଙ୍କର ।

ସେପଟେ ପିସିସି ସଭାପତି କହିଛନ୍ତି, ବିଜେପିର ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ଡବଲ ଧୋକା । ସବୁ କ୍ଷେତ୍ରରେ ଓଡ଼ିଶାକୁ ଲୁଟିଛନ୍ତି । ସେପଟେ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ କହିଛନ୍ତି ପୁରୀରେ ଏୟାରପୋର୍ଟ ହେବ । କେନ୍ଦ୍ର ସରକାରଙ୍କ ନିକଟରେ ନିଶ୍ଚିତ ଭାବରେ ଦାବି ରଖିବୁ । ଯାହା ବାଧକ ଅଛି ତାକୁ ଦୂର କରିବା ପାଇଁ କେନ୍ଦ୍ର ସହିତ ଆଲୋଚନା କରିବେ ରାଜ୍ୟ ସରକାର ।

ପୁରୀ ବିମାନ ବନ୍ଦର ପାଇଁ ଜଙ୍ଗଲ ଜମି ଦରକାର ହେଉଥିବା ବେଳେ ଏ ସଂପର୍କିତ ମଞ୍ଜୁରୀକୁ ସ୍ଥଗିତ ରଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଅଲିଭ୍ ରିଡଲେ କଇଁଛ, ପ୍ରବାସୀ ପକ୍ଷୀମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରାଯାଇଛି ।

ପରିବେଶ ମନ୍ତ୍ରାଳୟର ଜଙ୍ଗଲ ପରାମର୍ଶଦାତା କମିଟି (FAC) ପୁରୀର ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀକୁ ସ୍ଥଗିତ ରଖିଛି । ଅଲିଭ୍ ରିଡଲେ କଇଁଛ, ଇରାବତୀ ଡଲଫିନ୍, ପ୍ରବାସୀ ପକ୍ଷୀଙ୍କ ପ୍ରତି ସମ୍ଭାବ୍ୟ କ୍ଷତି, ଉପକୂଳକୁ ବାତ୍ୟାରୁ ସୁରକ୍ଷା ଦେଉଥିବା ୧୩ ହଜାର ଗଛ କାଟିବାକୁ ପଡ଼ିବ । ବଡ଼ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଖୋଜୁଥିବା ପ୍ରସ୍ତାବଗୁଡ଼ିକର ଯାଞ୍ଚ କରୁଥିବା FAC, ଓଡ଼ିଶା ସରକାରଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହି ମାମଲାକୁ ଡବ୍ଲ୍ୟୁଆଇଆଇକୁ ପଠାଇବାକୁ ଅନୁରୋଧ କରିଛନ୍ତି ।

ଅବସରର ଦୁଇଦିନ ପରେ ପୁନଃ ନିଯୁକ୍ତି: ବିରୋଧୀରେ ଥିବା ବେଳେ ଗୋଟିଏ କଥା, ସରକାରକୁ ଆସି ବଦଳି ଗଲା ସ୍ବର

ନନ୍ଦିଘୋଷ ବ୍ୟୁରୋ: ସରକାରଙ୍କ କଥା ଓ କାମରେ ଅନେକ ଫରକ । ବିରୋଧି ଦଳରେ ଥିବା ବେଳେ ଅବସର ନିଯୁକ୍ତିକୁ ବିରୋଧ କରୁଥିଲେ । କ୍ଷମତାକୁ ଆସିବା ପରେ ଏହା ନୀତିରେ ପରିଣତ ହୋଇଗଲାଣି । ଏପରିକି ଅବସର ପରେ ନିଯୁକ୍ତିକୁ ନେଇ ସରକାର କରିଥିବା ଗାଇଡ଼ଲାଇନ ମଧ୍ୟ ପାଳନ ହେଉନାହିଁ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସର ନେବାର ଦୁଇଦିନ ପରେ ପୁନଃ-ନିଯୁକ୍ତିକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ଇଞ୍ଜିନିୟରିଂ ସେବା ସଂଘ । ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟା ଅଧିକାରୀ ଥିବା ବେଳେ କେଉଁ କାରଣରୁ ଏବଂ କାହା ସ୍ବାର୍ଥରେ ଏଭଳି ନିଯୁକ୍ତି ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେଉଛନ୍ତି ସରକାର । ଖୋଦ ସରକାରୀ ବିଭାଗ ମାନୁନି ସରକାରଙ୍କ ନିୟମ । ଯାହା ବିରୋଧରେ ଦୁର୍ନୀତି ଅଭିଯୋଗ ଅଛି । ଯିଏ ଭିଜିଲାନ୍ସ ସ୍କାନରରେ । ସେଭଳିଆ ଅଧିକାରୀକୁ କିପରି ଅବସର ପରେ ଦିଆଗଲା ପୁନଃ-ନିଯୁକ୍ତି ? ଏ ନେଇ ଉଠିଛି ପ୍ରଶ୍ନ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳ ସମ୍ପଦ ବିଭାଗରେ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପୁନଃ-ନିଯୁକ୍ତିକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ମୁଖ୍ୟମନ୍ତ୍ରୀଙ୍କୁ ଖୋଲି ଚିଠି ଲେଖି ଅଭିଯୋଗ କରିଛି ଇଞ୍ଜିନିୟରିଂ ସେବା ସଂଘ । ଜୁନ୍ ୩୦ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ପଦରୁ ଅବସର ନେଲେ ଚନ୍ଦ୍ରଶେଖର ପାଢ଼ୀ । ନିୟମିତ ପଦବୀରେ ପୁନଃ ନିଯୁକ୍ତି ପାଇଁ କଟକଣା ଥିବା ସତ୍ତ୍ବେ ଅବସର ପରେ ଗତ ୩ ତାରିଖରେ ପାଢୀଙ୍କୁ ୬ ମାସ ପାଇଁ ମିଳିଛି ଓଏସଡି ସହିତ ଇଆଇସି ଦାୟିତ୍ବ । ଏଭଳି ଥଇଥାନ ଦ୍ବାରା ଗତ ସେପ୍ଟେମ୍ବରରେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ନେଇ ସରକାର ନିଜେ କରିଥିବ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି । ନିଜ କାର୍ଯ୍ୟକାଳ ମଧ୍ୟରେ କିଛି ଆଖିଦୃଶିଆ କାମ କରିନାହାନ୍ତି ଇଆଇସି ଚନ୍ଦ୍ର ଶେଖର ପାଢ଼ୀ । ଓଲଟି ଅନେକ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଛନ୍ତି । ଅବସର ପରେ ଅଧିକାରୀଙ୍କୁ ନିଯୁକ୍ତ କରି ଯୋଗ୍ୟ ଅଧିକାରୀଙ୍କୁ ବଞ୍ଚିତ କରାଯାଇଛି । ଏହା ଭୁଲ୍ ପରମ୍ପରା ବୋଲି ଇଞ୍ଜିନିୟରିଂ ସଂଘ ଅଭିଯୋଗ କରିଛି ।

ବିରୋଧୀ ଦଳରେ ଥିବା ବେଳେ ଅବସର ପୁନଃ-ନିଯୁକ୍ତିକୁ ଜୋରଦାର ବିରୋଧ କରୁଥିଲା ବିଜେପି । ଏବେ ସରକାରକୁ ଆସିବା ପରେ ନୀତିରେ ପରିଣତ କରି ସାରିଲେଣି ସରକାର । ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତ ପାଇଁ ସରକାର ଗତ ସେପ୍ଟେମ୍ବର ମାସରେ ବିସ୍ତୃତ ଗାଇଡ଼ଲାଇନ କରିଥିଲେ । ଯେଉଁଥିରେ ଅବସରଙ୍କୁ ଥଇଥାନର ଆବଶ୍ୟକତା, ଯୋଗ୍ୟତା, ମାନଦଣ୍ଡ ବାବଦରେ କୁହାଯିବା ସହ ସ୍ବଚ୍ଛ ଟ୍ରାକ ରେକର୍ଡ଼ ଉପରେ ଗୁରୁତ୍ବ ଦିଆଯାଇଥିଲା । ହେଲେ ଚନ୍ଦ୍ରଶେଖର ପାଢୀଙ୍କ ନିଯୁକ୍ତିରେ ଗାଇଡ଼ଲାଇନ ପାଳନ ହୋଇ ନଥିବା ଅଭିଯୋଗ ହୋଇଛି । ଯାହା ବିରୋଧରେ ଦୁର୍ନୀତି ଅଭିଯୋଗ ଅଛି ତାକୁ କିପରି ଆଉଟ ଷ୍ଟାଣ୍ଡିଂ ରିମାର୍କ ଦେଇ ପୁନଃ ନିଯୁକ୍ତି ଦିଆଗଲା । ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।

ସରକାରଙ୍କ ନିୟମ ଗୋଟେ ପଟେ । କାର୍ଯ୍ୟକାରିତା ଆଉ ଗୋଟେ ଦିଗରେ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସରଙ୍କୁ ନିଯୁକ୍ତି ବାଧ୍ୟବାଧକତା ନା ସ୍ବାର୍ଥ ସାଧନ ? ଯାହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ।

ଲେଖାଶ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ, ନିଜ ଦଳରୁ ବି ସନ୍ତୋଷଙ୍କୁ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ମହିଳା ଥାନାରେ ମାମଲା ରୁଜୁ ହେବା ସହ ଖୋଦ ଶାସକ ଦଳର ବିଧାୟକ ସନ୍ତୋଷଙ୍କ ବୟାନକୁ ନିନ୍ଦା କରିଛନ୍ତି । ଚାରିଆଡ଼ୁ ସନ୍ତୋଷଙ୍କୁ କରାଯାଉଛି ସମାଲୋଚନା ।

ମହଙ୍ଗା ପଡିବ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ମହିଳା ନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ । ବିଜେଡି ନେତ୍ରୀ ତଥା ବରିଷ୍ଠ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । ସନ୍ତୋଷଙ୍କ ନାମରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ସାଂଘାତିକ ଦଫା ଲଗାଯାଇଛି । ବିଏନଏସରେ ମାମଲା ରୁଜୁ ହୋଇଥିବା ବେଳେ ୭୫(୨)- ଯୌନ ନିର୍ଯାତନା, ୭୯-ଅଶାଳୀନ ମନ୍ତବ୍ୟ ରଖିବା, ୨୯୬- ସାଧାରଣରେ ଗାଳି ଗୁଲଜ କରିବା, ୩୫୬- ମାନହାନୀ କରିବା ଭଳି ଦଫା ଲାଗିଛି । ଲେଖାଶ୍ରୀ ସନ୍ତୋଷଙ୍କ ନାଁରେ ଗତକାଲି ଏତଲା ଦେଇଥିଲେ ।  ଆଜି ସେ ଥାନାରୁ ଏତଲା କପି ଗ୍ରହଣ କରିଛନ୍ତି । ତେବେ ବିଜେପି ବିଧାୟକଙ୍କ ବୟାନ ପରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଲେଖାଶ୍ରୀ। ଅସୁରକ୍ଷିତ ହୋଇପଡ଼ିଥିବାରୁ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି । ଲେଖାଶ୍ରୀ କହିଛନ୍ତି, ନୀଳଗିରି ବିଧାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ଦଳର ଶୀର୍ଷ ନେତୃତ୍ଵଙ୍କୁ ଅଗବତ କରିଛନ୍ତି । ଜଣେ ମହିଳା ଭାବେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା କରିଛନ୍ତି । ସମ୍ବିଧାନ ଉପରେ ଭରସା ଅଛି ।

ସେପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବୟାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବର୍ଷିଛନ୍ତି । କହିଛନ୍ତି, ବିଧାୟକମାନେ ସଂସ୍କାର ଶିଖିବା ଦରକାର । ଲେଖାଶ୍ରୀ ସାମନ୍ତସିଂହାର ଜଣେ ଉଚ୍ଚଶିକ୍ଷିତ ମହିଳା ନେତ୍ରୀ । ତାଙ୍କ ପ୍ରତି ଏପରି କହିବା ଠିକ୍ ନୁହେଁ । ରାଜନୀତିରେ ଏହା ଗ୍ରହଣୀୟ ନୁହେଁ ।

ସନ୍ତୋଷଙ୍କ ବିବାଦୀୟ ବୟାନକୁ ନେଇ ଖୋଦ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦା ଦାସ ନିନ୍ଦା କରିଛନ୍ତି । ବିଧାୟକଙ୍କ ଭାଷାରେ ଶାଳୀନତା ରହିବା ଦରକାର । ମା, ଭଉଣୀ ସମସ୍ତଙ୍କର । ତେଣୁ ସମସ୍ତେ ନାରୀଙ୍କୁ ସମ୍ମାନ ଦେବା କଥା ବୋଲି ସେ ପରାମର୍ଶ ଦେଇଛନ୍ତି । ସେହିପରି ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ମଧ୍ୟ ନୀଳଗିରି ବିଧାୟକଙ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ସବୁ ମଣିଷର ଶାଳୀନତା ରହିବା ଦରକାର । ଆଗ ଆମେ ମଣିଷ, ତା’ପରେ ବିଧାୟକ । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଭାଷାରେ ସଂଯମତା ରହିବା ଦରକାର ।

ବିଜେପି ସରକାର ଗଠନ କରିବା ଦିନଠୁ ମହିଳା ଉପରେ ନିର୍ଯାତନା ବଢ଼ିବଢ଼ି ଚାଲିଥିବା ବେଳେ ବିଜେପି ବିଧାୟକଙ୍କ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦଳର ମହିଳାଙ୍କ ପ୍ରତି ଆଭିମୁଖ୍ୟ କଣ ତାହା ଜଣା ପଡ଼ୁଛି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ କହିଛନ୍ତି ।

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଶୁବମନଙ୍କ ଶତକ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଟଇମ୍ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ପ୍ରଦର୍ଶନ । ଦ୍ବିତୀୟ ଇଂନିସରେ ମାରିଲେ ଶତକ । ପ୍ରଥମ ଇଂନିସରେ ଦ୍ବିଶତକ ମାରିଥିବା ବେଳେ ଦ୍ବିତୀୟ ଇଂନିସରେ ବି ଶତକ । ଏହାସହ ଭାଙ୍ଗିଲେ ସୁନୀଳ ଗାଭାସ୍କରଙ୍କ ରେକର୍ଡ ।

ସୂଚନାଯୋଗ୍ୟ, ଭାରତୀୟ ଭାବେ ଗାଭାସ୍କରଙ୍କ ପରେ ଏହି କୃତିତ୍ବ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ । ଅଧିନାୟକ ଭାବେ ଏହି କୃତିତ୍ବ ହାସଲ କରିବାରେ ପ୍ରଥମ ଭାରତୀୟ । ଏହାସହ ବିଶ୍ବରେ ନବମ କ୍ରିକେଟର ଭାବେ ସେ ଏହି ସଫଳତା ପାଇଛନ୍ତି ।

ଇଂଲଣ୍ଡ-ଇଣ୍ଡିଆ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ ବର୍ମିଂହମର ପ୍ରଥମ ଇନିଂସରେ ଶୁବମନ ଗିଲ କରିଥିଲେ ୨୬୯ ରନ । ଏହି ମ୍ୟାଚରେ ଦ୍ଵିତୀୟ ଇନିଂସରେ ସେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଆଜି ମ୍ୟାଚର ଚତୁର୍ଥ ଦିନ ହୋଇଥିବା ବେଳେ ଚା’ ପାନ ବିରତି ସୁଦ୍ଧା ଭାରତ ୪ ୱିକେଟ ହରାଇ କରିଛି ୩୦୪ ରନ୍ । ପନ୍ତ ୬୫ ରନ୍ କରିଛନ୍ତି । ଚା ପାନ ବିରତି ସୁଦ୍ଧା ଭାରତ ମୋଟ ୪୮୪ ରନ୍ ଲିଡ୍ କରିଛି । ଭାରତ ପ୍ରଥମ ଇନିଂସରେ ୫୮୭ ରନ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିଲା ୪୦୭ ରନ ।

ଜିନ୍ ପିଙ୍ଗ ନିଖୋଜ ! ଚୀନରେ ଅନ୍ତିମ ନିଶ୍ବାସ ନେଉଛି କି ସି’ଙ୍କ ଶାସନ ?

ନନ୍ଦିଘୋଷ ବ୍ୟୁରୋ: ଚୀନ ରାଷ୍ଟ୍ରପତି କେଉଁଠି ଅଛନ୍ତି ? କିଛି ଦିନ ହେବ ନା ତାଙ୍କର କୌଣସି ବୟାନ ଆସିଛି, ନା କୌଣସି ଫଟୋ, ନା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଚୌକିରେ ବସିବା ପରଠାରୁ ଏମିତି କେବେ ଦେଖିବାକୁ ମିଳି ନଥିଲା । ଏମିତି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଶାସନର ଅନ୍ତ ଘଟିବାକୁ ଯାଉଥିବା ଚର୍ଚ୍ଚା ହେବାରେ ଲାଗିଛି ।

ଆସନ୍ତାକାଲି ବ୍ରାଜିଲରେ ବିକ୍ସି ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଏକାଠି ହେବାକୁ ଯାଉଛନ୍ତି । ହେଲେ ଏହି ସମ୍ମିଳନୀରେ ଜିନ୍ ପିଙ୍ଗ ସାମିଲ ହେବେ ନାହିଁ । ଆଉ ଏହାକୁ ନେଇ ଅଟକଳ ବଢ଼ି ଯାଇଛି । କାରଣ, କ୍ଷମତାକୁ ଆସିବା ପରଠାରୁ ଜିନ୍ ପିଙ୍ଗଙ୍କୁ ବ୍ରିକ୍ସର ପ୍ରତି ବୈଠକରେ ଦେଖିବାକୁ ମିଳୁଥିଲା । ଏବେ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କ୍ୟୋଙ୍ଗ ଏବଂ ଉପ ପ୍ରଧାନମନ୍ତ୍ରୀ ଲେଫିଙ୍ଗ ବୈଠକରେ ସାମିଲ ହେବେ ।

ମିଡିଆ ରିପୋର୍ଟ ଅନୁସାରେ, କିଛି ସପ୍ତାହ ହେବ ଜିନ୍ ପିଙ୍ଗ ସାର୍ବଜନୀନ ଭାବେ ନଜରକୁ ଆସୁନାହାନ୍ତି । ନା ତାଙ୍କର କିଛି ବୟାନ ଆସୁଛି ନା କୌଣସି ଫଟୋ । ନା କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେଉଛନ୍ତି । ଏପରିକି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲିରୁ ତାଙ୍କ ନାଁ ଗାଏବ ହୋଇଯାଇଛି । ଜିନ୍ ପିଙ୍ଗଙ୍କ ଅନୁପସ୍ଥିତିରେ ଏବେ ବିଶ୍ବବାସୀଙ୍କ ମନରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି । ଏମିତି ସ୍ଥିତିରେ ଜିନ୍ ପିଙ୍ଗଙ୍କ ଗାଦି ବିପଦରେ ଥିବା ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଜିନ୍ ପିଙ୍ଗଙ୍କ ଶାସନର ଅନ୍ତ ନା ବେମାରୀ ?

କିଛି ରିପୋର୍ଟ ଅନୁସାରେ ଜିନ୍ ପିଙ୍ଗ ଗମ୍ଭୀର ବେମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ସେ ପଦାକୁ ଆସୁନାହାନ୍ତି । ଅନ୍ୟପଟେ କିଛି ବିଦେଶୀ ଗଣମାଧ୍ୟମ ରିପୋର୍ଟ କହୁଛି, ନିଜ ଦଳ ଭିତରେ ଜିନ୍ ପିଙ୍ଗଙ୍କୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଏଥିପାଇଁ ଜାଣିଣୁଣି ଜିନ ପିଙ୍ଗଙ୍କୁ ଅଲଗା କରାଯାଉଛି । ଏପରିକି ବେଞ୍ଜିଂର ଗ୍ରେଟ୍ ହଲରେ ଜିନ୍ ପିଙ୍ଗଙ୍କ ବଦଳରେ ଅନ୍ୟ ନେତା ବିଦେଶୀ ନେତାଙ୍କୁ ସାକ୍ଷାତ କରିବା ଆରମ୍ଭ କରି ଦେଇଛନ୍ତି ।

ସି’ଙ୍କ ନିୟନ୍ତ୍ରଣରେ ନାହିଁ ପିଏଲଏ

ଜୁଲାଇ ୪ ତାରିଖରେ ଚୀନରେ ଏକ ବଡ଼ ଘଟଣା ଘଟିଥିଲା । ଉକ୍ତଦିନ ଚୀନ ସରକାର ତିନି ଜଣ ବରିଷ୍ଠ ସେନା ଅଧିକାରୀଙ୍କୁ ହଠାତ ବହିଷ୍କାର କରି ଦେଇଥିଲେ । ଜେନେରାଲ ମିୟାଓ ହୁଆ, ନୌସେନା ପ୍ରମୁଖ ଲି ହାନଜୁନ ଏବଂ ବରିଷ୍ଠ ପରମାଣୁ ବିଜ୍ଞାନୀ ଲିୟୁ ଶିପେଙ୍ଗଙ୍କୁ ବହିଷ୍କାର କରାଯାଇଛି । ଦୁର୍ନୀତି ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଥିବା ସରକାରୀ ସ୍ତରରେ କୁହାଯାଇଛି । ହେଲେ ମିଡିଆ ରିପୋର୍ଟ ଅନୁସାରେ, ପିଏଲଏ ଭିତରେ ବଢୁଥିବା ଅସନ୍ତୋଷକୁ ଦମନ କରିବାକୁ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରକୃତ କ୍ଷମତା ଏ ବ୍ୟକ୍ତି ପାଖରେ ?

କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବର୍ତ୍ତମାନ ପ୍ରକୃତ କ୍ଷମତା ଚୀନ ସେନାର ଊପାଧ୍ୟକ୍ଷ ଜେନେରାଲ ଝାଙ୍ଗ ୟୁଶିୟାଙ୍କ ପାଖରେ ରହିଛି । ଆଉ ହୁ ଜିନ୍ତାଓଙ୍କ ପ୍ରତି ତାଙ୍କର ବିଶ୍ବସ୍ତତା ରହିଛି । ହୁ ହେଉଛନ୍ତି ସେହି ପୂର୍ବ ରାଷ୍ଟ୍ରପତି ଯାହାଙ୍କୁ ଜିନ୍ ପିଙ୍ଗଙ୍କ ଆଦେଶରେ ୨୦୨୨ରେ ପାର୍ଟି କଂଗ୍ରେସ ସମୟରେ ସାର୍ବଜନୀନ ଭାବେ ହଲରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା ।

ସେନା ଉପରୁ ନିୟନ୍ତ୍ରଣ ହରାଉଛନ୍ତି ଜିନ୍ ପିଙ୍ଗ

ଦିନେ ଚୀନ ସେନା ପିଏଲଏକୁ ସି ଜିନ୍ ପିଙ୍ଗଙ୍କ ଶକ୍ତି ବୋଲି କୁହାଯାଉଥିଲା । ହେଲେ, ଆଜି ଜିନ୍ ପିଙ୍ଗ ସେହି ସେନା ପାଖରୁ ଅଧିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି । ଏହାସହ ଜିନ୍ ପିଙ୍ଗଙ୍କ ପ୍ରଭାବ ଦଳ ମଧ୍ୟରେ କମ ହେବାରେ ଲାଗିଛି । ଯେଉଁ ଅଫିସରମାନଙ୍କୁ ପୂର୍ବରୁ ବାହାରର ରାସ୍ତା ଦେଖା ଯାଇଥିଲା, ସେମାନେ ଧିରେ ଧିରେ ପୁଣି ଫେରିବା ଆରମ୍ଭ ହୋଇଯାଇଛି ।

ଆରମ୍ଭ ହେଲା ରଥଟଣା: ବାହୁଡୁଛନ୍ତି ତିନି ଠାକୁର

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଜି ବାହୁଡ଼ା ଉତ୍ସବ । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ତିନି ଠାକୁର । ବାଟରେ ଅଟକି ମାଉସୀ ମାଆ ଆଦରରେ ପରସି ଦେଇଥିବା ପୋଡ଼ ପିଠା ଖାଇ ପୁଣି ଆଗକୁ ବଢ଼ିଛନ୍ତି ।

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଧାଡି ପହଣ୍ଡିରେ ପ୍ରଥମେ ରଥକୁ ଆସିଥିଲେ ଚକ୍ରରାଜ ସୁଦର୍ଶନ । ଏହାପରେ ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ଆସି ତାଳଧ୍ବଜ ଏବଂ ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ ।

ଏହାପରେ ଟାହିଆ ହଲାଇ ହଲାଇ ଗୁଣ୍ଡିଚା ଘରୁ ବାହାରି ଥିଲେ ବିଶ୍ବ ନିଅନ୍ତ, ଜଗତନାଥ ଜଗନ୍ନାଥ । ସେବାୟତଙ୍କ ମେଳରେ ହଲି ହଲି ନନ୍ଦିଘୋଷ ଆଡକୁ ଅଗ୍ରସର ହୋଇଥିଲେ । ବେଳେ ବେଳେ ଅଟକି ଯାଇ ଭକ୍ତଙ୍କ ଆଡକୁ ଅନାଇ ଦେଉଥିଲେ । ଧିରେ ଧିରେ ନନ୍ଦିଘୋଷରେ ବିରାଜିତ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା ।

ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା । ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ଘର୍ ଘର୍ କରି ବଡ଼ଦାଣ୍ଡରେ ଆଗେଇ ଚାଲିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବାହାରିଥିଲା ଜଗତନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଶ୍ରୀଜିଉଙ୍କ ରଥକୁ ଟାଣି ନେବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା । ହାତ ଟେକି ଦେଇ କିଏ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପି ଦେଇଛି ତ ଆଉ କିଏ ରଥ ଦଉଡିକୁ ଟିକେ ଛୁଇଁ ଦେଇ କୋଟି ଜନ୍ମର ପୂଣ୍ୟ ପାଇଯାଉଛନ୍ତି ।

ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି କହି ଉତ୍ତରାଧିକାରୀ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦଲାଇ ଲାମା

ନନ୍ଦିଘୋଷ ବ୍ୟୁରୋ: ପରବର୍ତ୍ତୀ ଦଲାଇ ଲାମାଙ୍କୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ କଲେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା । କହିଲେ, ମୁଁ ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି । ଆଉ ଏହି ସମୟରେ ଲୋକଙ୍କ ସେବା ଜାରି ରଖିବି ।  ମେକଲୋଡଗଞ୍ଜରେ ଥିବା ସ୍ତୁଗଲାଖଙ୍ଗ ମନ୍ଦିରରେ ନିଜ ୯୦ତମ ଜନ୍ମଦିନ ପୂର୍ବରୁ ଆୟୋଜିତ ଦୀର୍ଘାୟୁ ପ୍ରାର୍ଥନା ସମାରୋହରେ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିଥିଲେ ।

୧୪ତମ ଦଲାଇ ଲାମା ତେଞ୍ଜିନ ଗ୍ୟାଟସୋ କହିଛନ୍ତି, ମୋତେ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ବୌଦ୍ଧିସତ୍ବ ଅବଲୋକିତେଶ୍ବରଙ୍କ ଆଶୀର୍ବାଦ ମୋ ସହ ରହିଛି । ସେ କହିଛନ୍ତି, ଏକାଧିକ ଭବିଷ୍ୟବାଣୀ ଓ ସଙ୍କେତ ଆଧାରରେ ମୋତେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ମୁଁ ୧୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବି । ବର୍ତ୍ତମାନ ପର୍ଯ୍ୟନ୍ତ ପୂରା କ୍ଷମତାର ସହ ତିବ୍ବତୀୟ ଲୋକ ଓ ବୌଦ୍ଧ ଧର୍ମର ସେବା କରିଛି ଓ ଆଗକୁ ବି ଜାରି ରଖିବି ।

ଆଗକୁ ସେ କହିଛନ୍ତି, ମୁଁ ପିଲା ଥିବା ଦିନରୁ ଅବଲୋକିତେଶ୍ବରଙ୍କ ସହ ଗମୀର ସମ୍ପର୍କ ଥିବା ଅନୁମାନ କରି ଆସୁଛି । ମୁଁ ସବୁବେଳେ ଅନୁଭବ କରିଛି, ମୋ ଜୀବନର ଉଦ୍ଦେଶ୍ୟ ଅନ୍ୟଙ୍କ ସେବା କରିବା ପାଇଁ ହୋଇଛି । ମୁଁ ଯେଉଁଠି ବି ଅଛି, ସେଠାରୁ ଲୋକଙ୍କୁ ଭଲରେ ରହିବାର ବାଟ ଦେଖାଇବାକୁ ଚେଷ୍ଟା କରି ଆସିଛି ।

ଏହି ଅବସରରେ ମାଓ ଜୁ ତୁଙ୍ଗଙ୍କ ସହ ଭେଟ ସମ୍ପର୍କରେ କହିଥିଲେ ଦଲାଇ ଲାମା । ଚୀନର ପୂର୍ବତନ ନେତା ମାଓଙ୍କ ସହ ସାକ୍ଷାତକାରକୁ ମନେ ପକାଇ କହିଥିଲେ, ମାଓ ମୋତେ ଥରେ କହିଥିଲେ ‘ଧର୍ମ ବିଷ ଅଟେ’ । ସେ ସମୟରେ ମୁଁ କୌଣସି ଉତ୍ତର ଦେଇ ନଥିଲି । ତେଣୁ ମାଓ ମୋତେ ରାଗରେ ଅନାଇ ଥିଲେ । ଆଉ ଏହା ଦେଖି ମୋର ତାଙ୍କ ଉପରେ ଦୟା ଆସିଥିଲା । ଆଜି ପର୍ଯ୍ୟନ୍ତ ମୋ ଜୀବନ ଧର୍ମ ପ୍ରତି ରୁଚି ରଖୁଥିବା ଓ ରଖୁ ନଥିବା ଲୋକଙ୍କ ସହ ବିତିଛି । ହେଲେ ସମସ୍ତେ ସୁଖ ଚାହୁଁଥିବା ବେଳେ ଦୁଃଖରୁ ବର୍ତ୍ତିବାକୁ ଚାହିଁଥାନ୍ତି ବୋଲି ସା କହିଛନ୍ତି ।

ଉତ୍ତରାଧିକାରୀ ଘୋଷଣା କରିବାକୁ କଲେ ମନା

ବୌଦ୍ଧ ଧର୍ମଗ୍ରନ୍ଥର ଆଧାର କରି ସେ କହିଛନ୍ତି, ଲୋକଙ୍କ ବିଚାରଧାରା ଯାହା ବି ହୋଇଥାଉ ନା କାହିଁକି, ସମସ୍ତଙ୍କ ଇଚ୍ଛା ସୁଖ ପ୍ରାପ୍ତି କରିବା । ଆମକୁ ସେମାନଙ୍କ ପାଇଁ କାମ କରିବାକୁ ପଡ଼ିବ, ଯେଉଁମାନେ ଦୁଃଖରେ ଅଛନ୍ତି । ସେ କୌଣସି ଦେଶ କି ପ୍ରାନ୍ତର ହୋଇଥିଲେ ବି ସମସ୍ତଙ୍କୁ ଶାନ୍ତି ଓ ସୁଖର ଆବଶ୍ୟକତା ରହିଛି ।

ତେବେ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ନକରି ସେ କହିଛନ୍ତି,  ବର୍ତ୍ତାମନ ସେମିତି କିଛି ନିଷ୍ପତ୍ତି ନିଆଯାଇନାହିଁ । ମୁଁ ନିଜେ ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି । ତାଙ୍କର ଏହି ବୟାନ ଉପରେ କେନ୍ଦ୍ରୀୟ ତିବ୍ବତ ପ୍ରଶାସନ (CTA) ଅଧ୍ୟକ୍ଷ ପେନପା ସେରିଂ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କିଛି ଲୋକ କହୁଛନ୍ତି ପମର ପାଓ୍ବନ ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍ବା ତାଙ୍କ ଅନ୍ତିମ ସମୟ ପାଖେଇ ଆସିଲାଣି । ହେଲେ ଏମିତି କିଛି ହେବାର ନାହିଁ । ସେ ନିଜେ ସ୍ପଷ୍ଟ କରିଛନ୍ତି, ଆହୁରି କିଛି ବର୍ଷ ସେ ଜୀବିତ ରହିବେ । ଆମକୁ ପରମ୍ପରାକୁ ବୁଝିବାକୁ ପଡ଼ିବ । ତିବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ଉତ୍ତରାଧିକାରୀ ପ୍ରକ୍ରିୟା ହୋଇଥାଏ, ଗୁଜବକୁ ନେଇ ହୋଇ ନଥାଏ ।

ପିଏନବି ଘୋଟାଲା: ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ଆମେରିକାରେ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ଘୋଟାଲାରେ ସମ୍ପୃକ୍ତ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭାଇ ନିହାଲ ମୋଦି ଆମେରିକାରେ ଗିରଫ । ଜୁଲାଇ ୪ ତାରିଖରେ ଆମେରିକୀୟ ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି । ଭାରତ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ରତ୍ୟାବର୍ତ୍ତିନ ଆବେଦନ ଉପରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇ ଓ ଇଡ଼ି ପକ୍ଷରୁ ମିଳିତ ଭାବେ ଏହି ଆବେଦନ କରାଯାଇଥିଲା ।

ନିହାଲଙ୍କ ବିରୋଧରେ ଆମେରିକାରେ ଦୁଇଟି ଗମ୍ଭୀର ଅଭିଯୋଗରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଚାଲିଥିଲା । ପ୍ରଥମଟି ହେଉଛି ମନି ଲଣ୍ଡରିଂ । ଭାରତ ସରକାରଙ୍କ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ (PMLA) ଧାରା ୩ ଅଧୀନରେ ରହିଛି । ଦ୍ବିତୀୟଟି ହେଲା ଅପରାଧ ଯୋଜନା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ । ଯେଉଁଥିପାଇଁ ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୧୨୦ (ବି) ଓ ୨୦୧ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବାର ଅଛି ।

ନିହାଲଙ୍କ ବିରୋଧରେ କ’ଣ ରହିଛଇ ଅଭିଯୋଗ ?

ତଦନ୍ତକାରୀ ଅଧିକାରଙ୍କ ଅନୁସାରେ ନିହାଲ ପିଏନବି ଘୋଟାଲାରେ ସାମିଲ ଅଛନ୍ତି । ଯାହାକୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଂ ଘୋଟାଲା କୁହାଯାଉଛି । ନିହାଲଙ୍କ ବିରୋଧରେ ଅଭିଯୋଗ ରହିଛି କି, ଭାଇ ନିରବ ମୋଦିଙ୍କୁ ସାହାଯ୍ୟ କରି ହଜାର ହଜାର କୋଟି ଟଙ୍କାର କଳାଧନ ବିଦେଶରେ ଥିବା ସେଲ କମ୍ପାନୀଙ୍କ ଜରିଆରେ ଟ୍ରାନ୍ସଫର କରିଛନ୍ତି । ଏହାସହ ଘୋଟାଲାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ।

୧୭ ଜୁଲାଇରେ ପରବର୍ତ୍ତୀ ଶୁଣାଣି

ନିହାଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆସନ୍ତା ୧୭ ତାରିଖରେ ଆମେରିକା କୋର୍ଟରେ ଶୁଣାଣି ହେବ । ଯାହା ଷ୍ଟାଟସ୍ କନଫ୍ରେନ୍ସ ଜରିଆରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ଥିର କରିବ । ନିହାଲ ଜାମିନ ପାଇଁ ଆବେଦନ କରିବାର ସମ୍ଭାବନା ରହିଛି । ତେବେ ଆମେରିକୀୟ ପକ୍ଷଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରି ଦିଆଯାଇଛି ଯେ, ତାଙ୍କ ଜାମିନକୁ ବିରୋଧ କରାଯିବ । ଅନ୍ୟପକ୍ଷରେ ନିହାଲଙ୍କୁ ଶ୍ରୀଘ୍ର ଆଣିବାକୁ ଭାରତ ପକ୍ଷରୁ ଚେଷ୍ଟା କରାଯାଉଛି । ଫଳରେ ପିଏନବି ମାମଲାରେ ତାଙ୍କ ଉପରେ ଟ୍ରାଏଲ ଆରମ୍ଭ ହୋଇ ପାରିବ ।