spot_img
Home Blog Page 688

ରଥଯାତ୍ରା ବିଭ୍ରାଟ: ୧୦ରୁ ୧୫ ହଜାର କର୍ଡନ ପାସ ଦେଇ ରାଚ୍ୟ ସରକାର ଚରମ ଅବହେଳା କରିଛନ୍ତି

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପି କର୍ମୀଙ୍କୁ ୧୦ରୁ ୧୫ ହଜାର କର୍ଡନ ପାସ ଦେଇ ଗତକାଲି ରାଜ୍ୟ ସରକାର ରଥଯାତ୍ରାରେ ଚରମ ବିଶୃଙ୍ଖଳାକୁ ଡାକି ଆଣିଛନ୍ତି ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି । ବିଜେପି ସରକାରର ପ୍ରଥମ ରଥଯାତ୍ରାରେ ଯେଉଁ ବିଭ୍ରାଟ ହୋଇଥିଲା ତାହାର ଯେଉଁ ତଦନ୍ତ କରାଯାଇଥିଲା ଯଦି ତା’ର ସଠିକ ପଦକ୍ଷେପ ନିଆଯାଇଥାନ୍ତା ତେବେ ଆଜି ଏହି ବିରାଟ ଭୁଲ ହୋଇନଥାନ୍ତା । ଗୋଟିଏ ଭୁଲକୁ ଘୋଡାଇବାକୁ ଯାଇ ଅନେକ ଭୁଲ କରିବାରେ ଏହି ସରକାର ସିଦ୍ଧହସ୍ତ ବୋଲି କହିଛି ବିଜେଡି । ରଥଯାତ୍ରା ବିଭ୍ରାଟ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଗଜପତି ମହାପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି ବରିଷ୍ଠ ରାଜନେତା ଦାବି କରିଛନ୍ତି ।

ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଘେରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ରଥଯାତ୍ରା ପରିଚାଳନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସରକାର ୧୦ରୁ ୧୫ ହଜାର କର୍ଡନ ପାସ ଦେଲେ । ଯେଉଁଥି ପାଇଁ ଚରମ ବିଶୃଙ୍ଖଳା ସୃଷ୍ଟି ହେଲା । ରଥଯାତ୍ରାରେ କଳଙ୍କର ଛିଟା ପଡ଼ିଛି । ତେଣୁ ସରକାର ତୁରନ୍ତ ପ୍ରାୟଶ୍ଚିତ କରନ୍ତୁ । ଫଲ୍ସ ପାସ ବାଣ୍ଟିବାରେ ଯେଉଁମାନେ ଦାୟୀ ସେମାନଙ୍କୁ କଠିନ ଦଣ୍ଡ ଦିଅନ୍ତୁ । ଯଦି କୌଣସି ମନ୍ତ୍ରୀଙ୍କର ହାତ ଅଛି ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ।

ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛି । ବିଜେପି ଗୋଟିଏ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ସରକାର ପରିଚାଳନାରେ ଚରମ ବିଶୃଙ୍ଖଳା ଦେଖାଦେଉଛି ବୋଲି ଅଭିଯୋଗ କରିଛି । ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରି ସମସ୍ତ ବିଧି ବ୍ୟବସ୍ଥାକୁ ଅଚଳ କରି ସାରିଲେଣି । ତାହା ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରତିଫଳିତ ହୋଇଛି । ସୂର୍ଯ୍ୟାସ୍ତ ହୋଇଯାଇଥିଲେ ମଧ୍ୟ ନନ୍ଦିଘୋଷ ରଥ ଟଣା ଯାଇପାରିଲା ନାହିଁ । ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା କାର୍ଯ୍ୟକୁ ଜାଣିଶୁଣି ସମ୍ପୂର୍ଣ୍ଣ କରୁନାହାନ୍ତି । ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହଁ । ଦଳୀୟ ଲୋକଙ୍କୁ ମାତ୍ରାଧିକ କର୍ଡନ ପାସ ଦେଇ ଏଭଳି ପରିସ୍ଥିତି ସୃଷ୍ଟି କଲେ । ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ । ନିଜ ଦୋଷକୁ ଘୋଡାଇ ସବୁ ମହାପ୍ରଭୁଙ୍କ ଉପରେ ଛାଡି ଦେଲେ କେମିତି ହେବ ବୋଲି ପ୍ରଶ୍ନ କରି କଂଗ୍ରେସର ବିଭିନ୍ନ ନେତା ସରକାରଙ୍କ ଉପରେ ବର୍ଷିଛନ୍ତି ।

ରଥଯାତ୍ରାରେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଦୃଢ ଭାବରେ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ଓ ଠେଲାପେଲାରେ ଆହତ ହେବାକୁ ନିନ୍ଦା କରଛନ୍ତି ସାମ୍ବାଦିକ ।

ଓଡିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାର କୋଟି କୋଟି ଓଡିଆଙ୍କ ମନରେ ଆଘାତ ପରେ ଆଘାତ ଦେଇ ଚାଲିଛନ୍ତି । ଦୁଇବର୍ଷ ଧରି ରଥଯାତ୍ରାରେ ଯେଉଁ ବିଶୃଙ୍ଖଳା ଦେଖାଯାଉଛି ତାହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୋଠାର ଆଘାତ ଦେଇଛି । ଯାହାକୁ ନେଇ ସବୁଠି ସରକାରଙ୍କ ବିରୋଧରେ ଉଠିଲାଣି ସ୍ବର ।

ରୋହିତଙ୍କ ଗୋଟିଏ ପରାମର୍ଶ, ବଦଳାଇ ଦେଲା କେ.ଏଲ. ରାହୁଲଙ୍କ କ୍ୟାରିୟର

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ କେ.ଏଲ. ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ତ ଭୁଲି ନଥିବେ । ଆଉ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଥିଲେ ବି ରାହୁଲଙ୍କ ଶତକୀୟ ପାରି ମନେ ପଡୁଛି କି ? ଏବେ ଭାରତୀୟ କ୍ରିକେଟରେ ସବୁଠାରୁ ଭରଷାଯୋଗ୍ୟ ଓ୍ବିକେଟ କିପର ବ୍ୟାଟର ଯଦି କେହି ଅଛନ୍ତି ତେବେ ସେ ହେଉଛନ୍ତି କେ.ଏଲ. ରାହୁଲ । ହେଲେ, ଟିମ୍ ଇଣ୍ଡିଆରୁ ବାହାର ହେବାର ସ୍ଥିତିରେ ପହଞ୍ଚି ଯାଇଥିବା ରାହୁଲଙ୍କ ହଠାତ ଏହି ପରିବର୍ତ୍ତନ ପଛର କାରଣ କ’ଣ ଜାଣିଛନ୍ତି କି ? ଆଜ୍ଞା ହଁ, ରାହୁଲଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେବା ପଛରେ ଅଛି ପୂର୍ବତନ ଭାରତୀୟ ଅଧିନାୟକ ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ହାତ । ଯାହାର ଖୁଲାସା ପୂର୍ବ ସହାୟକ କୋଚ ଅଭିଶେଷ ନାୟର କରିଛନ୍ତି ।

ନାୟରଙ୍କ ଅନୁସାରେ, ରୋହିତଙ୍କ ଗୋଟିଏ ପରାମର୍ଶ ରାହୁଲଙ୍କୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ସାହାଯ୍ୟ କରିଥିଲା । ଆଉ ରାହୁଲଙ୍କୁ ଏହି ଭୂମିକାକୁ ଆଣିବା ଦାୟିତ୍ବ ରୋହିତ ମୋତେ ଦେଇଥିଲେ ।

ନାୟର କହିଛନ୍ତି, ଯେତେବେଳେ ମୁଁ କୋଚିଂ ଦାୟିତ୍ବ ନେଲି ସେତେବେଳେ ରୋହିତଙ୍କ ସହ ମୋର ଆଲୋଚନା ହୋଇଥିଲା । ଏହି ସମୟରେ କେ.ଏଲ. ରାହୁଲଙ୍କ ଉପରେ କାମ କରିବାକୁ ସେ ମୋତେ କହିଥିଲେ । ତାଙ୍କ ଖେଳକୁ ଅଧିକ ଆକ୍ରମଣାତ୍ମକ କରିବାକୁ ପଡ଼ିବ ଓ ଏହା ମୋତେ କରିବାକୁ ପଡ଼ିବ ବୋଲି ରୋହିତ କହିଥିଲେ । ଏପରି ହେଲେ ରାହୁଲଙ୍କ ପାଖରୁ ସର୍ବଶେଷ୍ଠ ପ୍ରଦର୍ଶନ ବାହାର କରାଯାଇ ପାରିବ ବୋଲି ରୋହିତ ଚିନ୍ତା କରୁଥିଲେ । ଏପରିକି ଚାମ୍ପିୟନ୍ସ ଟ୍ରଫି, ଓ୍ବାର୍ଲ୍ଡ କପ, ବର୍ଡର ଗାଭାସ୍କର ଟ୍ରଫି ଓ ଇଂଲଣ୍ଡ ଟେଷ୍ଟ ପରି ଟୁର୍ଣ୍ଣାମେଣ୍ଟରେ ରାହୁଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ପାରିବେ ବୋଲି ରୋହିତଙ୍କର ବିଶ୍ବାସ ଥିଲା ।

ଏହାପରେ ରାହୁଲଙ୍କ ଉପରେ କାମ କରିବା ଆରମ୍ଭ କରି ଦେଇଥିଲି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ତାଙ୍କ କ୍ୟାରିୟରର ଭବିଷ୍ୟତ ଲେଖିବ ବୋଲି ବୋଲି ରାହୁଲ ବି ଜାଣି ସାରିଥିଲେ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫ୍ଲପ୍ ହେବା ପରେ ତାଙ୍କୁ ଆଗାମୀ ଦୁଇଟି ମ୍ୟାଚରେ ସୁଯୋଗ ମିଳି ନଥିଲା । ଯାହାକୁ ନେଇ ସେ ଚାପରେ ଥିଲେ । ଏହି ସମୟରେ ତାଙ୍କ ସହ ଘଣ୍ଟା ଘଣ୍ଟା କଥା ହୋଇଥିଲି ବୋଲି ନାୟର କହିଛନ୍ତି । ଏହି ସମୟରେ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି ।

ନାୟର କହିଛନ୍ତି, ଏପର୍ଯ୍ୟନ୍ତ ସେ କ’ଣ କରିଛନ୍ତି ଓ କ’ଣ ତାଙ୍କୁ ସଫଳତା ଦେଇଛି ଏ ସମ୍ପର୍କରେ ରହୁଲ ମୋତେ କହିଥିଲେ । ମୋ ଚିନ୍ତାଧାରା ତାଙ୍କଠାରୁ ବହୁତ ଅଲଗା ଥିଲା । ଆମେ ଘଣ୍ଟା ଘଣ୍ଟା ଆଲୋଚନା କରିଥିଲୁ । ଧୀରେ ଧୀରେ ସେ ମୋତେ ଭରଷା କରିବା ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଦର୍ଶନ ତାଙ୍କ ଆତ୍ମବିଶ୍ବାସକୁ ବଢ଼ାଇ ଦେଇଥିଲା । ସେତେବେଳେ ରାହୁଲ ମୋତେ କହିଥିଲେ ଏବେ କ୍ରିକେଟ ମୋତେ ଗୀତ ପରି ଲାଗିଛୁ ।

ପରାଗ ଜୈନ ହେଲେ ନୂଆ ର’ ମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ: ୧୯୮୯ ବ୍ୟାଚ ଆଇପିଏସ ଅଫିସର ପରାଗ ଜୈନ ହେଲେ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟ । ସେ ଆସନ୍ତା ୨ ବର୍ଷ ଲାଗି ଏହି ଗୁରୁତ୍ବପୂର୍ଣ୍ମ ପଦ ସମ୍ଭାଳିବେ । RAW ସଚିବ ରବି ସିହ୍ନାଙ୍କ ସ୍ଥାନରେ ସେ କାର୍ଯ୍ୟଭାର ସମ୍ଭାଳିବେ । ବର୍ତ୍ତମାନ ପରାଗ ଆଭିଏସନ ରିସର୍ଚ୍ଚ ସେଣ୍ଟର ବା ଏଆରସିର ମୁଖ୍ୟ ଅଛନ୍ତି ।

ଅପରେସନ ସିନ୍ଦୂର ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏଆରସି । ପାକିସ୍ତାନ ସଶସ୍ତ୍ର ବାହିନୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହରେ ଏହି ସଂସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପୂର୍ବରୁ ଚଣ୍ଡୀଗଡ଼ରେ ପରାଗ ଏସଏସପି ଭାବେ କାର୍ଯ୍ୟ କରୁଥିଲେ । ଏହାସହ କାନାଡ ଓ ଶ୍ରୀଲଙ୍ଗର କୂଟନୈତିକ ଅଧିକାରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଜାମ୍ମୁ ଓ କାଶ୍ମୀରରେ ଅବସ୍ଥାପିତ ଥିବାବେଳେ ସେ ଆତଙ୍କବାଦ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ । ଆସନ୍ତା ସୋମବାର ଅର୍ଥାତ ୩୦ ତାରିଖରେ ସେ ବିଧିବଦ୍ଧ ଭାବେ ଏହି ଦାୟିତ୍ବ ନେବେ ।

ଅଧା ରହିଗଲା ଜଗା ଦର୍ଶନ: ତିନି ଭଉଣୀଙ୍କ ଉପରେ ମାଡ଼ିଗଲା ଆମ ବସ୍

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ଭିତରେ ପିପିଲିରୁ ଆସିଛି ଦୁଃଖଦ ଖବର । ଅଧାରେ ରହି ଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ଆମ ବସ୍ ଧକ୍କାରେ ଚାଲି ଯାଇଛି ତିନି ଭଉଣୀଙ୍କ ଜୀବନ । ପିପିଲି ଓଭର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ଏକ ସ୍କୁଟିରେ ତିନି ଭଉଣୀ ପୁରୀ ଯାଉଥିଲେ । ମନରେ ଥିଲା ଅନେକ ଆଶା । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବ । ଥରେ ମହାପ୍ରଭୁଙ୍କ ଦର୍ଶନ କରି କୋଟି ଜନ୍ମର ପୂଣ୍ୟ ପାଇବେ । ହେଲେ ଏହି ଆଶା ଆଶାରେ ରହିଗଲା । କାଳ ସାଜି ପଛରେ ଆସିଲା ଆମ ବସ୍ । ଧକ୍କା ଦେବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି ।

ତେବେ ରାଜ୍ୟରେ ଆମ ବସ୍ ଦୁର୍ଘଟଣା କିଛି ନୂଆ ଘଟଣା ନୁହେଁ । ବହୁ ସମୟରେ ଆମ ବସ୍ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି । ଆମ ବସ୍ ପରିଚାଳନା ଓ କର୍ମଚାରୀଙ୍କ ମନମାନୀ ଦୁର୍ଘଟଣାର କାରଣ ପାଲଟୁଛି । ବାରମ୍ବାର ଅଭିଯୋଗ ହେଉଥିଲେ ବି ଏଥିରେ କିଛି ସୁଧାର ପରିଲକ୍ଷିତ ହେଉନାହିଁ ।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ପାର୍ଟି ଭିଡିଓ ଭାଇରାଲ, ୪ ବରିଷ୍ଠ ଅଧିକାରୀ ନିଲମ୍ବିତ

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏକ ପାର୍ଟିର ଭିଡିଓ ହେଉଛି ଭାଇରାଲ । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ଅଫିସର ୪ ଜଣ ବରିଷ୍ଠ ଅଧିକାରୀଙ୍କ ଚାକିରିରୁ ବହିଷ୍କାର କରାଯାଇଛି । ଆଉ ଏହି ଅଫିସ ଖୋଦ ଏୟାର ଇଣ୍ଡିଆ ସହ ଜଡ଼ିତ । ଏତେ ବଡ଼ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ଓ ମର୍ମାହତ ହୋଇ ଯାଇଥିବା ବେଳେ ଉକ୍ତ ଅଫିସର କର୍ମଚାରୀ ଦୁର୍ଘଟଣାର କିଛିଦିନ ପରେ ପାର୍ଟି କରୁଥିବା ଓ ନାଚିବା ଭିଡିଓ ଭାଇରାଲ ହୋଇଥିଲା ।

ଏୟୋପୋର୍ଟ ସର୍ଭିସ ମ୍ୟାନେଜମେଣ୍ଟ ଫର୍ମ ଏୟାର ଇଣ୍ଡିଆ ସେଟ୍ସ ସର୍ଭିସେଜ (AISATS) ଏମିତି ଭିଡିଓ ପାଇଁ ଦୁଃଖ ପ୍ରକାଶ କରିଛି । ଏହାସହ ଘଟଣାକୁ ଗମ୍ଭୀରତାର ସହ ନେଇ କମ୍ପାନୀର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଦେଇଛି ।

AISATS, ଏୟାର ଇଣ୍ଡିଆ ଓ ସିଙ୍ଗାପୁରର SATS ଲିମିଟେଡର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଜଏଣ୍ଟ ଭେଞ୍ଚର କମ୍ପାନୀ । ନିକଟରେ ଏହାର କର୍ମଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଅଫିସ ଭିତରେ ନାଚ, ଗୀତର ଆସର ଜମିଥିଲା । ଏହି ଭିଡିଓଟି ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରର ବୋଲି କୁହାଯାଉଛି । ତେବେ ଭିଡିଓଟି କେବେ ର କମ୍ପାନୀ ସ୍ପଷ୍ଟ କରିନାହିଁ ।

ଶୁକ୍ରବାର AISATS ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ କୁହାଯାଇଛି, ଆମେ AI 171 ଦୁର୍ଘଟଣାରେ ଜୀବନ ହାରିଥିବା ସମସ୍ତ ଲୋକଙ୍କ ପରିବାର ସହ ଛିଡ଼ା ହୋଇଛୁ । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛୁ । ଏମିତି ଭିଡିଓ ପାଇଁ କମ୍ପାନୀ ଦୁଃଖ ପ୍ରକାଶ କରୁଛି । ଏପରି ଆଚରଣ ଆମ ମୂଲ୍ୟବୋଧ ନୁହେଁ । ଏଥିପାଇଁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଫିସ ପାର୍ଟି ଆୟୋଜନରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ତତ୍କାଳ ଚାକିରିରୁ ବହିଷ୍କାର କରି ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ୨୭୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ୨୪୧ ଜଣ ବିମାନ ଯାତ୍ରୀ ଥିଲେ । ବିମାନଟି ଲଣ୍ଡନ ଯିବାକୁ ଟେକ ଅପ୍ କରିବାର କିଛି ସମୟ ପରେ ଏକ ମେଡିକାଲର ହଷ୍ଟେଲ ଉପରେ ପଡ଼ି ବିସ୍ଫୋରଣ ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ଜୀବିତ ରହିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀଙ୍କ ସମେତ ବିମାନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା ।

ପୁରୀରେ ଗୌତମ ଆଦାନୀ, ସପରିବାରେ କଲେ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ପୁରୀରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଆଜି ଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ବର୍ଷାରେ ଭିଜି ପତ୍ନୀ ଓ ପୁଅଙ୍କ ସହିତ ତିନି ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି ।

ଏହାପରେ ଆଦାନୀ ଫାଉଣ୍ଡେସନ ଓ ଇସ୍କନ ଦ୍ଵାରା ପରିଚାଳିତ ରୋଷଶାଳାକୁ ଯାଇଥିଲେ । ଏଠାରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରାଯାଉଛି । ରଥଯାତ୍ରା ସମୟରେ ୪୦ ଲକ୍ଷ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି । ନିଜେ ପୁରୀ ଛାଣିବା ସହିତ ରୋଷେଇରେ ସାହାଯ୍ୟ କରିଥିଲେ ଗୌତମ ଆଦାନୀ । ଏପରିକି ନିଜେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ମଧ୍ୟ କରିଥିଲେ । ପରେ ପୁରୀ ସମୁଦ୍ର କୂଳକୁ ଯାଇ ଆଦାନୀ ପକ୍ଷରୁ ନିୟୋଜିତ ଲାଇଫ ଗାର୍ଡଙ୍କୁ ଭେଟିବେ । ଆଦାନୀ ଲାଇଫ ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ବହୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

ସେ କହିଥିଲେ, ରଥଯାତ୍ରାରେ ଅହଂକାର ଆଗରେ ନର୍ମତା ରହିଛି । ପ୍ରଭୁଙ୍କ ଶରଣକୁ ଆସିବାକୁ ସୁଯୋଗ ମିଳିଛି । ଏହା ମୋ ଜୀବନରେ ଏକ ଅନୁଭୂତି ହୋଇ ରହିବ । ମୋ ପାଖରେ କିଛି ନଥିଲା ଭଗବାନଙ୍କ ଆଶୀର୍ବାଦରୁ ଆଜି ମୋ ପାଖରେ ସବୁ କିଛି ଅଛି । ଦେଶ ଓ ଓଡ଼ିଶାର ଉନ୍ନତୀ ଏବଂ ପ୍ରଗତି ପାଇଁ ଭଗବାନ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି ।

ଆଗକୁ ସେ କହିଥିଲେ, ମହାକୁମ୍ଭରେ ସେବା ଦେବାକୁ ଚେଷ୍ଟା କରିଥିଲୁ । ଏହି ସେବା ମଧ୍ୟମରେ ଜୀବନରେ ବି ପରିବର୍ତ୍ତନ ଆସିଛି । ଏହା କେବଳ ଏକ ଧାର୍ମିକ ପ୍ରସଙ୍ଗ ନୁହେଁ । କର୍ପୋରେଟ ଜଗତରେ ବି ଏହାର ଅନୁଭୂତି ନେବାର ସୁଯୋଗ ମିଳିଛି । ଆଜି ପୁରୀରେ ରଥଯାତ୍ରା ସମୟରେ ଆମେ ଆଗକୁ କେମିତି ବଢ଼ି ପାରିବା ସେ ସଙ୍କଳ୍ପ ନେଇଛୁ ।

ଏହି ଅବସରରେ ରଥଯାତ୍ରାର ସଫଳ ପରିଚାଳନା ପାଇଁ ସରକାର, ପୁରୀ ପ୍ରଶାସନ, ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କୁ ପ୍ରଶଂସା କରିଥିଲେ ଗୌତମ ଆଦାନୀ ।

ରଥଟଣାରେ ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନନ୍ଦୁଘୋଷ ବ୍ୟୁରୋ : ଶୁକ୍ରବାର ଦିନ ପୁରୀଠାରେ ରଥଟଣାରେ ହୋଇଥିବା ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ ‘ଏକ୍ସ’(ପୂର୍ବରୁ ଟ୍ୱିଟର)ରେ ନିଜ ଉଦବେଗ ପ୍ରକାଶ କରି ସେ ଏଥିପାଇଁ ଚିନ୍ତାପ୍ରକଟ କରିଛନ୍ତି ।

ସେ ଲେଖିଛନ୍ତି ଯେ,‘ ଗତକାଲି ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ହେବା ପାଇଁ ଆମେ ଏଠାରେ କାହା ଉପରକୁ ଅଙ୍ଗୁଳି ଉଠାଇବାକୁ କିମ୍ବା ପ୍ରଶାସନକୁ ଦୋଷ ଦେବା ପାଇଁ ଚାହୁଁନାହୁଁ, । କିନ୍ତୁ ରାଜ୍ୟର ଏହି ପବିତ୍ର ଉତ୍ସବ ସମୟରେ ଯେଉଁ ଘଟଣା ଘଟିଲା, ତାହା ଉପରେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହିହେଉନାହିଁ।
ଗତ ବର୍ଷ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ଆଡ଼ପ ବିଜେ ପହାଣ୍ଡି ସମୟରେ ଖସି ପଡ଼ିଥିବା ଘଟଣା ଭୁଲିବା କଷ୍ଟକର, ଯାହା ଅସଂଖ୍ୟ ଭକ୍ତଙ୍କୁ ମର୍ମାହତ କରିଥିଲା।

ଏବେ ଚଳିତ ବର୍ଷ, ନନ୍ଦିଘୋଷ ରଥ ସିଂହଦ୍ୱାରରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିବା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିବା, ଆମେ ଦେଖିଲୁ। ଏହା ସ୍ୱାଭାବିକ ଭାବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ନିରାଶ ଓ ହତାଶ କରିଛି। ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।

ଏସବୁ ଭିତରେ ଆମେ କେବଳ ପ୍ରାର୍ଥନା କରିପାରିବା ବୋଲି ନବୀନ କହିଛନ୍ତି । ସେ ପୁଣି ଲେଖିଛନ୍ତି ଯେ,ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଏହା ସରକାରର ସମସ୍ତଙ୍କ ପାଇଁ ଗଭୀର ଆତ୍ମନିରୀକ୍ଷଣର କାରଣ ହେବ।

ଆଖି ବୁଜିଲେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି ଜରିୱାଲା

ନନ୍ଦିଘୋଷ ବ୍ୟୁରୋ : ଜୀବନର କୌଣସି ଭରସା ନାହିଁ । ଏହି କଥାରେ କୌଣସି ସନ୍ଦେହ ନାହିଁ। ଅଭିନେତ୍ରୀ ତଥା ମଡେଲ ଶେଫାଲୀ ଜରିୱାଲାଙ୍କର ହଠାତ୍ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କେହି ବିଶ୍ୱାସ କରିପାରୁ ନାହାନ୍ତି ଯେ ଶେଫାଲୀ ଏବେ ଆମ ମଧ୍ୟରେ ନାହାନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ ଏବଂ ମାତ୍ର ୩ ଦିନ ପୂର୍ବେ ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ସୁନ୍ଦର ଫଟୋ ମଧ୍ୟ ସେୟାର କରିଥିଲେ

ଗତ କାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସେ ମୁମ୍ବାଇରେ ରହୁଥିଲେ । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଶେଫାଳି ଜରିୱାଲାଙ୍କ ହୃଦଘାତ ହୋଇଥିଲା । ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ରାତି ପ୍ରାୟ ୧୨.୩୦ ବେଳେ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ନିଆ ଯାଇଥିଲା ।

AI ବ୍ୟବହାର କରିବା ପାଇଁ ଆଉ ଦରକାର ପଡିବନି ଇଣ୍ଟରନେଟ

ନନ୍ଦିଘୋଷ ବ୍ୟୁରୋ : ChatGPT ଭଳି AI ମଡେଲଗୁଡ଼ିକୁ କଡ଼ା ଟକ୍କର ଦେବା ପାଇଁ ଗୁଗୁଲ୍‌ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। କମ୍ପାନୀ ଏବେ ଏକ ଏପରି ପଦକ୍ଷେପ ନେଇଛି ଯାହା ସମସ୍ତଙ୍କୁ ପଛରେ ପକାଇ ପାରେ। ଗୁଗୁଲ୍‌ ଏକ ଏପରି AI ମଡେଲ ଆରମ୍ଭ କରିଛି ଯାହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ଇଣ୍ଟରନେଟ ବିନା ମଧ୍ୟ କାମ କରିବାରେ ସକ୍ଷମ। ଏହି AI ଟୁଲର ଆଉ କ’ଣ ବିଶେଷତ୍ବ ରହିଛି? ଆସନ୍ତୁ ଜାଣିବା।

AI ର ପ୍ରତିଯୋଗିତାରେ କିଏ ପ୍ରଥମ ହେବ, ଏହାକୁ ନେଇ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଦୌଡ଼ ଚାଲିଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚମତ୍କାର ଫିଚର୍ସ ସହିତ ନୂଆ ନୂଆ AI ମଡେଲ୍‌ଗୁଡ଼ିକ ଆସୁଛି। ନିକଟରେ ଗୂଗଲ୍‌ ମଧ୍ୟ ତା’ର ନୂଆ ଓପନ୍‌ ସୋର୍ସ ମଡେଲ୍‌ ଗେମା 3n ଉନ୍ମୋଚନ କରିଛି। ଏହି AI ମଡେଲ୍‌ର ଗୋଟିଏ ନୁହେଁ, ଦୁଇଟି ବିଶେଷତ୍ବ ରହିଛି ଯାହା ଏହାକୁ ଅନ୍ୟ AI ମଡେଲ୍‌ଗୁଡ଼ିକଠାରୁ ଅଲଗା କରୁଛି। ପ୍ରଥମ ବିଶେଷତ୍ବ ହେଉଛି, ଗେମା 3n ଚଲାଇବା ପାଇଁ ଇଣ୍ଟରନେଟର ଆବଶ୍ୟକତା ନାହିଁ, ଓ ଦ୍ୱିତୀୟ ବିଶେଷତ୍ବ ହେଉଛି ଏହା ମାତ୍ର ୨ ଜିବି ରାମ୍‌ ଥିବା ଏକ ସାଧାରଣ ସ୍ମାର୍ଟଫୋନ୍‌ରେ ମଧ୍ୟ ସହଜରେ କାମ କରିବାରେ ଏହା ସକ୍ଷମ।

ଗେମା 3N କ’ଣ?

ଏହା ଗୂଗଲର ଏକ ଓପନ ସୋର୍ସ ମଲ୍ଟିମୋଡାଲ AI ମଡେଲ ଯାହା କେବଳ ଟେକ୍ସଟ ନୁହେଁ ଅଡିଓ, ଇମେଜ ଏବଂ ଭିଡିଓ ଇନପୁଟ କାମ ମଧ୍ୟ କରିପାରିବେ। ଏହି ମଡେଲ ଆପଣଙ୍କଠାରୁ ଏସବୁ ଫର୍ମାଟରେ ଇନପୁଟ ବା ପ୍ରଶ୍ନ ନେଇଥାଏ, କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଆଉଟପୁଟ ବା ଉତ୍ତର କେବଳ ଟେକ୍ସଟ ଫର୍ମାଟରେ ଦେଇଥାଏ। ଗୂଗଲର ଏହି ନୂଆ AI ମଡେଲ ବେଶ ଚତୁର, କାରଣ ଏହା ୧୪୦ରୁ ଅଧିକ ଭାଷା ବୁଝିବାରେ ପାରଙ୍ଗମ। ଏହି ନୂଆ ମଡେଲ ଗୂଗଲର ଗେମା ସିରିଜର ଏକ ଅଂଶ ହୋଇଛି ।

ChatGPT କୁ କିପରି ଟକ୍କର ଦେବ?

ଯେପରି ଆମେ ଆପଣଙ୍କୁ କହିଛୁ ଗୁଗୁଲ୍‌ ଗେମା 3n ରେ କିଛି ଖାସ ବିଶେଷତ୍ବ ରହିଛି  । ସେହି ଖାସ ବିଶେଷତ୍ବ ହେଉଛି ଏହି AI ଇଣ୍ଟରନେଟ ବିନା ମଧ୍ୟ କାମ କରିବାରେ ସକ୍ଷମ। କିନ୍ତୁ ଅନ୍ୟପଟେ, ChatGPT ବିଷୟରେ କହିବାକୁ ଗଲେ, ଏହି AI ମଡେଲ ଇଣ୍ଟରନେଟ ବିନା କାମ କରିପାରେ ନାହିଁ। ChatGPT ବ୍ୟବହାର କରିବା ପାଇଁ ଆପଣଙ୍କୁ ଇଣ୍ଟରନେଟର ଆବଶ୍ୟକତା ପଡ଼ିବ।

ଗୂଗଲର ଇଣ୍ଟରନେଟ ବିନା କାମ କରୁଥିବା AI ମଡେଲ ଏକ ହଇଚଇ ସୃଷ୍ଟି କରିପାରେ, କାରଣ ଏହି AI ସେହି ଅଞ୍ଚଳରେ ମଧ୍ୟ ବ୍ୟବହାର କରାଯାଇପାରିବ ଯେଉଁଠାରେ ଇଣ୍ଟରନେଟ ସେବା ନ ଥିବ କିମ୍ବା ଯେତେବେଳେ ଆପଣଙ୍କ ପାଖରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବ। କିନ୍ତୁ ChatGPTପାଖରେ ଏହି ସୁବିଧା ଉପଲବ୍ଧ ନାହିଁ ।  ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ ଇଣ୍ଟରନେଟ ଅଛି, ଆପଣ ଏହାକୁ ଚଲାଇପାରିବେ, କିନ୍ତୁ ଯେତେବେଳେ ଇଣ୍ଟରନେଟ ସୁବିଧା ଶେଷ ହୁଏ, ChatGPT ମଧ୍ୟ କାମ କରିବା ବନ୍ଦ କରିଦେବ।

 

ଆଜି ପୁଣି ହେବ ରଥଟଣା ସକାଳ ସାଢେ ୯ ଟାରୁ ପୁଣି ଗଡିବ ରଥ

ପୁରୀ : ଆଜି ସକାଳ ସାଢେ ୯ ଟାରୁ ପୁଣି ଚାଲିବ ରଥଟଣା। ଗତକାଲି ସଂଧ୍ୟା ୭ଟା ୪୧ରେ ରଥଟଣା ବନ୍ଦ ହୋଇଥିଲା। ବଳଗଣ୍ଡି ଛକରେ ଅଟକିଥିଲା ବଳଭଦ୍ରଙ୍କ ରଥ। ମରିଚିକୋଟ ଛକରେ ଅଟକିଥିଲା ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଥିଲା ନନ୍ଦିଘୋଷ ରଥ। ଗତକାଲି ବଳଭଦ୍ରଙ୍କ ରଥଟଣା ବିଳମ୍ବ ଯୋଗୁଁ ବଡ଼ଦାଣ୍ଡରେ ଅଟକିଯାଇଥିଲେ ମହାପ୍ରଭୁ। ଯାହାକୁ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଭକ୍ତଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଥିଲା। ଗତକାଲି ଅପରାହ୍ନ ୪ଟା ୫ରେ ରଥଟଣା ଆରମ୍ଭରୁହିଁ ବିଗିଡିଥିଲା ରଥଟଣା ଶୃଙ୍ଖଳା। ବଳଭଦ୍ରଙ୍କ ରଥ ମୋଡ଼ ଖାଇବାରୁ ରଥଟଣା ବିଳମ୍ବ ହୋଇଚାଲିଥିଲା। ବଳଭଦ୍ରଙ୍କ ରଥଟଣା ବିଳମ୍ବ ହେବାରୁ ପଛକୁ ପଛ ସୁଭଦ୍ରାଙ୍କ ରଥଟଣା ମଧ୍ୟ ବିଳମ୍ବ ହୋଇଥିଲା। ବିଧିରକ୍ଷା ପାଇଁ ନନ୍ଦିଘୋଷକୁ ଅଳ୍ପ ବାଟ ହିଁ ଟଣା ଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ।