spot_img
Home Blog Page 684

ଉତ୍ତର ଓଡ଼ିଶା ଉବୁଟୁବୁ: ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଅବବାହିକାରେ ବନ୍ୟା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ସପ୍ତାହେ ନପୂରୁଣୁ ପୁଣି ଉତ୍ତର ବାଲେଶ୍ୱରରେ ବନ୍ୟା ସ୍ଥିତି । ଝାଡ଼ଖଣ୍ଡ ଗାଲୁଡି ବ୍ୟାରେଜ ପାଣିରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ଦ୍ୱିତୀୟ ବନ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଆଗାମୀ ତିନି ଦିନ ପାଇଁ ଉପରମୁଣ୍ଡରେ ପ୍ରବଳ ବର୍ଷା ଅନୁମାନ ବଢ଼ାଇ ଦେଇଛି ଅଧିକ ଚିନ୍ତା । ମୟୂରଭଞ୍ଜ ଜିଲ୍ଲାରେ ବି ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି ରହିଛି ।

ସୁବର୍ଣ୍ଣରେଖାର ବନ୍ୟାଜଳ ପାଇଁ ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ, ରେମୁଣା, ସଦର ବ୍ଳକର ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗାଁ ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଚାଷ ବାସ କଥା କହିଲେ ନସରେ । ଚାରିଆଡେ ସୃଷ୍ଟି ହୋଇଛି ନଦୀର ଭ୍ରମ । ଗାଲୁଡି ବ୍ୟାରେଜର ଗେଟ ଖୋଲିବା ଫଳରେ ନଦୀରେ ବନ୍ୟା ପାଣି ଆସି ଉତ୍ତର ବାଲେଶ୍ବରକୁ ଜଳମଗ୍ନ କରିଛି । ଅପରାହ୍ନ ୪ଟା ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ରାଜଘାଟଠାରେ ୧୧.୫୩ ମିଟର ରହିଛି । ଯାହା ବିପଦ ସଂକେତ ୧୦.୩୬ ମିଟରରୁ ଢେର ଉପରେ । ଉପରେ ମୁଣ୍ଡରେ ଅଧିକ ବର୍ଷାରେ ଭୟାବହ ସ୍ଥିତି ଉପୁଜିବାର ଆଶଙ୍କା କରାଯାଇଛି । ସେପଟେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ସତର୍କ ସଂକେତ ତଳକୁ ଖସି ୭.୨୧ରୁ ନିମ୍ନରେ ୬.୬୦ରେ ରହିଛି । ଅନ୍ୟପଟେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ୬.୫୦ ମିଟରରୁ ଉପରେ ୬.୭୦ ମିଟର ଥିଲେ ବି ବନ୍ୟା ପାଣି ଧୀରେ ଧୀରେ ହ୍ରାସ ପାଉଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲାରେ ୨୯୧୬ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ସବୁ ସ୍ଥାନରେ ଓଡ୍ରାଫର ୪ ଓ ଅଗ୍ନିଶମ ବିଭାଗର ୮ଟି ଟିମ ମୁତୟନ ହୋଇଛନ୍ତି । ବିଚ୍ଛିନ୍ନ ଅଞ୍ଚଳକୁ ଏସଆରସି ବୋଟ ମାଧ୍ୟମରେ ଲୋକଙ୍କୁ ଯିବା ଆସିବା ସୁବିଧା ଯୋଗାଇ ଦିଆଯାଉଛି । ଏଥିସହ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବର ଜାରି କରାଯିବା ସହିତ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ ।

ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି ରହିଛି । ମାଟି ଅତଡା ଖସି ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡୁଗୁଡିଆ ଓ କାଳିକାପ୍ରସାଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩ ଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଭଦ୍ରକରେ ୩ ଦିନ ଧରି ଲଗାଣ ବର୍ଷାରେ ତଳମୁଣ୍ଡରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ । ସାଳନ୍ଦୀ ନଦୀରେ ଭର୍ତ୍ତି ହୋଇ ରହିଥିବା ମଇଁଶିଆ ଦଳ ଉପର ମୁଣ୍ଡରୁ ଭାସି ଆସିବାରୁ ଆରଡି ତିନିତର ନଦୀଘାଟରେ ଯାତାୟତ ବନ୍ଦ ରହିଛି । ଫଳରେ ନଦୀର ଉଭୟ ପାର୍ଶ୍ବରେ ଶହଶହ ଯାତ୍ରୀ ଅଟକି ରହିଛନ୍ତି ।

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା: ବିଜେପି କର୍ପୋରେଟରଙ୍କ ସମେତ ତିନି ଗିରଫ

ନନ୍ଦିଘୋଷ ବ୍ୟୁରୋ: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ବାନ୍ଧିଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଜୀବନ ରାଉତ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର । ଗିରଫ ଅଭିଯୁକ୍ତ ବିଜେପି କର୍ମୀ ଓ ନେତା । ତେବେ ଜଗନ୍ନାଥ ପ୍ରଧାନ ଗିରଫ ନହେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଜଗନ୍ନାଥ ପ୍ରଧାନଙ୍କ ନାଁରେ ହୋଇଛି ଅଭିଯୋଗ । ଆକ୍ରମଣକାରୀ ନେଇଥିଲେ ଜଗନ୍ନାଥ ପ୍ରଧାନଙ୍କ ନାଁ । ଏହି ଘଟଣା ପରେ ପଦାରେ ପଡ଼ିଛି ବିଜେପିର ଦାଦାଗିରି ।

ସେପଟେ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ବିଏମସି ସେବା ଦେବନି ବୋଲି ଚେତାବନୀ ଦେଇଛନ୍ତି ବିଏମସି ମେୟର । ଅପରପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଓଏଏସ ସଂଘ ଦାବି କରିଛି । ଘଟଣା ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଏଭଳି ଆକ୍ରମଣକୁ ବର୍ବରୋଚିତ କହିଛି ଓଏଏସ ସଂଘ । ନ୍ୟାୟ ନମିଳିଲେ କଲମ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି ।

ଅଭିଯୋଗ ଶୁଣାଣି ବେଳେ ଆଜି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ଆକ୍ରମଣ ବେଳର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଯେଉଁ ଭିଡିଓରେ ଅତିରିକ୍ତ କମିଶନରଙ୍କୁ ଦୁର୍ବୃତ୍ତମାନେ ଘୋଷାଡି ଘୋଷାଡ଼ି ନେବା ସହ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସରକାରୀ କର୍ମଚାରୀ । ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କର୍ପୋରେଟର ଓ କର୍ମଚାରୀ । ଏହାସହ ଓଏଏସ ସଂଘ ମଧ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛି । ଏନେଇ ଥାନାରେ ଏତଲା ଦିଆଯାଇଛି ।

ଆହତ ଅତିରିକ୍ତ କମିଶନର ଏଫଆଇଆରରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ, ଜଗନ୍ନାଥ ପ୍ରଧାନଙ୍କ ନାଁରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ଆକ୍ରମଣକାରୀ । ଏହାସହ ମୋବାଇଲ ଛଡ଼ାଇ ନେଇଥିଲେ । ମୋବାଇଲ ଛଡ଼ାଇ ନେବା ପରେ ହ୍ବାଟ୍ସଆପ ଷ୍ଟାଟସରେ ଦେଇଥିଲେ ଆପତ୍ତିଜନକ ଛବି । ପୋଲିସ ନିକଟରେ ଏହାର ସ୍କ୍ରିନସଟ୍ ଦାଖଲ ହୋଇଛି ।

ଅନ୍ୟପଟେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଏମସି କମିଶନର । ଆଗରୁ କେବେ ଏମିତି ହୋଇ ନଥିଲା, ଏହା ପ୍ରଥମ । ଦୁର୍ବୃତ୍ତମାନେ ରତ୍ନାକର ସାହୁଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ସୂଚନାଯୋଗ୍ୟ, ଜୀବନ ରାଉତ ପୂର୍ବରୁ ମଧ୍ୟ ବନ୍ଧା ହୋଇଥିଲେ । ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ବନ୍ଧା ହୋଇଥିଲେ ବିଜେପି କର୍ପୋରେଟର ଜୀବନ ରାଉତ ।

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼: ଜନ ଶୁଣାଣି ଚାଲିଥିବା ବେଳେ ଅଫିସରେ ପଶି ଘୋଷାଡ଼ିବା ସହ ପିଟିଲେ ୫ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବିଏମସି କାର୍ଯ୍ୟାଳୟରେ ଗୁଣ୍ଡାଗିରି । ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ମେୟରଙ୍କ ଅଭିଯୋଗ, ରାଜ୍ୟରେ ଭୁଶୁଡ଼ିଗଲାଣି ଆଇନଶୃଙ୍ଖଳା । ମାଡ଼ ମାରିଥିବା ଯୁବକଙ୍କ ଗିରଫ ଦାବିରେ ଧାରଣା ଦେଲେ ବିଏମସି କର୍ମଚାରୀ ।

ମାଡ଼ ଓ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁ । ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଏପରି ଆକ୍ରମଣର ଶିକାର ହେଲେ ଅତିରିକ୍ତ କମିଶନର । ଯାହାକୁ କର୍ମଚାରୀ ମହଲରେ ଭୟର ବାତାବରଣ । ଏପରି କାଣ୍ଡକୁ ବିରୋଧ କରିବା ସହ ଅଭିଯୁକ୍ତଙ୍କ ଗିରଫଦାରି ଦାବିରେ ଧାରଣା ଦେଲେ ସମସ୍ତ କର୍ମଚାରୀ । ଏପରି କାଣ୍ଡ ଜନୈକ ବିଜେପି ନେତାଙ୍କ ଲୋକ କରିଥିବା ଅଭିଯୋଗ ହୋଇଛି ।

କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ୫ ଜଣ ଯୁବକ ଚାମ୍ବରକୁ ଧଶେଇ ପଶି ବିଜେପି ନେତାଙ୍କୁ କ’ଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତ କରୁଥିଲେ ଅତିରିକ୍ତ କମିଶନର । ବିଜେପି ନେତାଙ୍କୁ କାହିଁକି ଦୁର୍ବ୍ୟହାର କଲ ବୋଲି କହି ମାଡ଼ ମାରିବା ସହିତ ଜବରଦସ୍ତ ଟେକି ନେଇଥିଲେ ।

କାର୍ଯ୍ୟାଳୟରେ ପଶି ଏପରି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଏମସି ମେୟର ସୁଲଷାଚନା ଦାସ । ସେ କହିଛନ୍ତି, ସିସିଟିଭି କ୍ୟାମେରା ଥାଇ ଦୁର୍ବୃତ୍ତ ଏପରି ସାହସ କରିପାରିଲେ । ବିଏମସି କାର୍ଯ୍ୟାଳୟର କୌଣସି କର୍ମଚାରୀ ସୁରକ୍ଷିତ ନୁହଁନ୍ତି । ଏ ନେଇ ଥାନାରେ ଅଭିଯୋଗ କରାଯାଇଛି । ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରେକର୍ଡ ହୋଇଛି । ଲୋକଙ୍କ ସେବା ପାଇଁ ବିଏମସିର ଅଧିକାରୀଠାରୁ ଆରମ୍ଭ କରି ଜନ ପ୍ରତିନିଧି ଓ ଝାଡୁଦାର ପର୍ଯ୍ୟନ୍ତ କାମ କରୁଛନ୍ତି । ଯଦି ସେବା ଯୋଗାଉଥିବା ଅଫିସରେ କର୍ମଚାରୀ ସୁରକ୍ଷିତ ନୁହଁନ୍ତି ତା’ହେଲେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କେଉଁ ସ୍ତରକୁ ଗଲାଣି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର । ସେପଟେ ଏହି ଘଟଣାକୁ ନେଇ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେଡି ।

ଅଭିଯୋଗ ପରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରଶ୍ନ ଉଠୁଛି, କାର୍ଯ୍ୟରତ ଅଧିକାରୀଙ୍କୁ ଅଫିସ ଭିତରେ ମାଡ଼ ମାରିବାକୁ ସାହସ କଲେ କିପରି ଦୁର୍ବୃତ୍ତ ? କାହା ପ୍ରରୋଚନାରେ ଘଟିଲା ଏପରି କାଣ୍ଡ ? ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ।

ଆରସିବି ଷ୍ଟାର ବୋଲର ୟଶ ଦୟାଲଙ୍କ ବିରୋଧରେ ଏକାଧିକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟର ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି)ର ଷ୍ଟାର ବୋଲର ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଗାଜିଆବାଦର ଜଣେ ମହିଳା ଏମିତି ଅଭିଯୋଗ କରିବା ସହ ୟଶ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ମାମଲା ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମହିଳା ଜଣଙ୍କ ଅଭିଯୋଗ ଦାଖଲ କରିଛନ୍ତି । ଗତ ୫ ବର୍ଷ ହେଲା ୟଶ ତାଙ୍କ ସହ ସମ୍ପର୍କରେ ଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇବା ସହ ତାଙ୍କ ବିରୋଧରେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିବା ଓ ଦୁଷ୍କର୍ମ କରିବା ଅଭିଯୋଗ ଆଣିଛନ୍ତି ।

ନିକଟରେ ଶେଷ ହୋଇଥିବା ୨୦୨୫ ଆଇପିଏଲ ବିଜୟୀ ଟିମ୍ ଆରସିବିର ସଦସ୍ୟ ଥିଲେ ୟଶ । ଏଥିରେ ସେ ୧୫ ମ୍ୟାଚରୁ ୧୩ ଓ୍ବିକେଟ ନେଇଥିଲେ । ୟୁପି ଘରୋଇ କ୍ରିକେଟରେ ଖେଳୁଥିବା ୟଶ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇନାହାନ୍ତି । ହେଲେ ଦୁଷ୍କର୍ମ ମାମଲାରେ ଏବେ ସେ ଚର୍ଚ୍ଚାକୁ ଆସି ଯାଇଛନ୍ତି ।

ପୀଡ଼ିତା ଅଭିଯୋଗ କରିଛନ୍ତି, ୨୦୨୦ ମସିହାରୁ ସେ ୟଶଙ୍କୁ ଜାଣିଛନ୍ତି । ୟଶ ତାଙ୍କୁ ତାଙ୍କ ପରିବାର ସହ ବି ଭେଟ କରାଇଛନ୍ତି । ଏପରିକି ସେ ତାଙ୍କ ଘରେ ରହିଛନ୍ତି ମଧ୍ୟ । ହେଲେ ଗତ ଅଢେଇ ବର୍ଷ ହେବ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ପୀଡ଼ିତାଙ୍କ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି । ୟଶ ଏହି ଯୁବତୀମାନଙ୍କ ସହ ବି ପ୍ରତାରଣା କରିଛନ୍ତି । ୟଶା ଦୟାଲ କି ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନି । ତେବେ ଏହା ଏବେ ଖେଳ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ତଦନ୍ତରୁ କି ତଥ୍ୟ ପଦାକୁ ଆସିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ୟଶ ଦୟାଲ ଏବଂ ପୀଡ଼ିତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ୨୦୨୨ ଆଇପିଏଲ ସମୟର । ଏହି ବର୍ଷ ୟଶ ଗୁଜରାଟ ଟାଇସନର ସଦସ୍ୟ ଥିଲେ । ଉକ୍ତ ବର୍ଷ ତାଙ୍କ ଟିମ୍ ଚାମ୍ପିୟନ ହୋଇଥିଲା । ଫାଇନାଲ ପରେ ୟଶ ଓ ମହିଳା ଜଣଙ୍କ ଫଟୋ ଉଠାଇଥିଲେ । ଉକ୍ତ ଫଟୋକୁ ପୀଡ଼ିତା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ପୀଡ଼ିତା ଏହା ମଧ୍ୟ ଦାବି କରିଛନ୍ତି କି ୨୦୨୫ ଫେବୃଆରୀରେ ଆରସିବିର ଜଣେ ଖେଳାଳିଙ୍କ ବିବାହ ଉତ୍ସବକୁ ମଧ୍ୟ ସେ ୟଶଙ୍କ ସହ ଯାଇଥିଲେ । ସେଠାରେ ଉଭୟ ନିଜ ନିର୍ବନ୍ଧକୁ ନେଇ ଆଲୋଚନା କରିଥିଲେ ବୋଲି ପୀଡ଼ିତା ଦାବି କରିଛନ୍ତି ।

GST ସଂଗ୍ରହରେ ସରକାର ଭାଙ୍ଗିଲେ ୫ ବର୍ଷର ରେକର୍ଡ, ଗୋଟିଏ ବର୍ଷରେ ରାଜକୋଷକୁ କେତେ ଟଙ୍କା ଆସିଛି ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ : GST ଲାଗୁ ହେବା ପରଠାରୁ ସରକାରୀ କୋଷାଗାରରେ ନିରନ୍ତର ବୃଦ୍ଧି ଘଟିଛି। ଏବେ ସରକାର GST ସଂଗ୍ରହରେ ଏକ ରେକର୍ଡ ମଧ୍ୟ କରିଛନ୍ତି। ଗତ ଆର୍ଥିକ ବର୍ଷ ୨୦୨୫ରେ, ସରକାର ରେକର୍ଡ GSTସଂଗ୍ରହ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ସରକାରଙ୍କ ଏହି ସଂଗ୍ରହ ଦୁଇ ଗୁଣ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ବର୍ଷଗୁଡ଼ିକରେ ଜିଏସ୍ଟି ସଂଗ୍ରହ ଆହୁରି ବୃଦ୍ଧି ପାଇପାରେ।

GST ସଂଗ୍ରହର ରେକର୍ଡ :

ମୋଟ ଜିଏସଟି ସଂଗ୍ରହ ପାଞ୍ଚ ବର୍ଷ ମଧ୍ୟରେ ଦୁଇଗୁଣ ହୋଇ ୨୦୨୪-୨୫ ଆର୍ଥିକ ବର୍ଷରେ ୨୨.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ୧୧.୩୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଜିଏସଟି ସଂଗ୍ରହ ୨୨.୦୮ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୯.୪ ପ୍ରତିଶତ ଅଧିକ। ବିଶେଷ କଥା ହେଉଛି ଏହି ସଂଗ୍ରହ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ଆଧାରରେ ପ୍ରାୟ ଦ୍ୱିଗୁଣିତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ହାରାହାରି ମାସିକ ସଂଗ୍ରହ ୧.୮୪ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୨୦୨୩-୨୪ ରେ ୧.୬୮ ଲକ୍ଷ କୋଟି ଟଙ୍କା ଏବଂ ୨୦୨୧-୨୨ ରେ ୧.୫୧ ଲକ୍ଷ କୋଟି ଟଙ୍କା ଥିଲା। ବିଶେଷଜ୍ଞଙ୍କ ମତରେ, ଆଗାମୀ ବର୍ଷଗୁଡ଼ିକରେ ଏହି ମାସିକ ହାରାହାରି ସଂଗ୍ରହ ୨ ଲକ୍ଷ କୋଟି ଟଙ୍କା ପାଖାପାଖି ପହଞ୍ଚିପାରେ।

କରଦାତାଙ୍କ ସଂଖ୍ୟା ଦ୍ୱିଗୁଣରୁ ବୃଦ୍ଧି :

ଜିଏସଟି ଅଧୀନରେ ପଞ୍ଜିକୃତ କରଦାତାଙ୍କ ସଂଖ୍ୟା ୨୦୧୭ରେ ୬୫ ଲକ୍ଷରୁ ବୃଦ୍ଧି ପାଇ ୮ବର୍ଷ ମଧ୍ୟରେ ୧.୫୧ କୋଟିରୁ ଅଧିକ ହୋଇଛି। ଜିଏସଟିର ଉପରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଏହା ଲାଗୁ ହେବା ପରଠାରୁ, ଜିଏସଟି ରାଜସ୍ୱ ସଂଗ୍ରହରେ ଦୃଢ଼ ଅଭିବୃଦ୍ଧି ଏବଂ ଟିକସ ଆଧାରକୁ ବିସ୍ତାର କରିଛି। ଏହା ନିରନ୍ତର ଭାରତର ଆର୍ଥିକ ସ୍ଥିତିକୁ ମଜବୁତ କରିଛି ଏବଂ ପରୋକ୍ଷ କରକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିଛି। ଜିଏସଟି ୨୦୨୪-୨୫ରେ ୨୨.୦୮ ଲକ୍ଷ କୋଟି ଟଙ୍କାର ସର୍ବକାଳୀନ ମୋଟ ସଂଗ୍ରହ ରେକର୍ଡ କରିଛି, ଯାହା ବାର୍ଷିକ ଆଧାରରେ ୯.୪ ପ୍ରତିଶତ ବୃଦ୍ଧି ଘଟିଛି।

ଏସିଆ କପ୍ ଅପଡେଟ୍: ଜୁଲାଇରେ ତାରିଖ ଘୋଷଣା ! ଭାରତ-ପାକ୍ ମ୍ୟାଚ୍ କେଉଁଠି ?

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ବିବାଦକୁ ନେଇ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଥିବା ଏସିଆ କପକୁ ନେଇ ବଡ଼ ଅପଡେଟ ମିଳିଛି । ଔପଚାରିକ ଭାବେ କିଛି ଘୋଷଣା ହୋଇ ନଥିଲେ ବି ଏସିଆ କପ୍ ଉପରୁ ବିପଦ ଟଳିବା ପରି ମନେ ହେଉଛି । କାରଣ ଏସିଆ କପ୍ ଖେଳାଯିବାକୁ ନେଇ ସକରାତ୍ମକ ସଙ୍କେତ ମିଳିବାରେ ଲାଗିଛି । ଏସିଆଇ କ୍ରିକେଟ ପରିଷଦ (ଏସିସି) ଆଗାମୀ ସପ୍ତାହରେ ଏହାକୁ ନେଇ ଔପଚାରିକ ଘୋଷଣା କରିପାରେ । ଆଶା କରାଯାଉଛି ଜୁଲାଇ ପ୍ରଥମ ସପ୍ତାହରେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚି ଜାରି କରାଯାଇପାରେ ।

୧୦ ଡିସେମ୍ବରରେ ଟୁର୍ଣ୍ଣାମେଣ୍ଟ !

ଯଦି ସବୁ ଯୋଜନା ମୁତାବକ ହେଲା ତେବେ ଟି୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ଦ୍ବିତୀୟ ସପ୍ତାହ ଅର୍ଥାତ ୧୦ ଡିସେମ୍ବରରୁ ଆରମ୍ଭ ହୋଇପାରେ । ପୂର୍ବ ପରି ଚଳିତବର୍ଷ ମଧ୍ୟ ଋଯି ଟିମ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ୟୁଏଇ ଅଂଶଗ୍ରହଣ କରିବେ ।

ଆୟୋଜନକୁ ନେଇ ୟୁଏଇ ଆଗରେ

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଟୁର୍ଣ୍ଣାମେଣ୍ଟ କେଉଁଠି ହେବ ତାକୁ ନେଇ ବଡ଼ ପେଞ୍ଚ ରହିଛି । ଏଥର ଭାରତକୁ ଆୟୋଜକ ଦେଶ ଭାବେ ଯୋଜନା କରାଯାଇଛି । ହେଲେ ଏସିସି ପୂର୍ବରୁ ସ୍ଥିର କରି ରଖିଛି, ଭାରତ ଓ ପାକିସ୍ତାନ ମଧ୍ୟରୁ କାହାକୁ ଆୟୋଜନ ମିଳିଲେ ଏହା ନୀରପେକ୍ଷ ସ୍ଥାନରେ କରାଯିବ । ଏମିତି ସ୍ଥିତିରେ ଏସିଆ କପ୍ ଆୟୋଜନ ନେଇ ୟୁଏଇ ସମସ୍ତଙ୍କଠାରୁ ଆଗରେ ରହିଛି । ତେବେ ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଯେଉଁଥିରେ କିଛି ମ୍ୟାଚ୍ ଅଲଗା ଅଲଗା ଦେଶରେ ଖେଳା ଯାଇପାରେ ।

ଆଇସିସି ଘୋଷଣା ପରେ ବଦଳିଲା ସ୍ଥିତି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଟୁର୍ଣ୍ଣାମେଣ୍ଟକୁ ନେଇ ସଙ୍କଟ ଦେଖା ଦେଇଥିଲା । ଭାରତର ବିଭିନ୍ନ ବର୍ଗରୁ ପାକିସ୍ତାନର ବହିଷ୍କାର ଦାବି କରାଯାଇଥିଲା । ଯାହା ଏସିଆ କପ୍ ହେବାକୁ ସନ୍ଦେହ ଭିତରକୁ ଟାଣି ନେଇଥିଲା । ତେବେ ନିକଟରେ ଆଇସିସିର ଘୋଷଣା ପରେ ସ୍ଥିତିରେ ପରିବର୍ତ୍ତନ ଦେଖା ଦେଇଛି ଓ ଏସିଆ କପ୍ ଆୟୋଜନ ନେଇ ଆଶା ସଞ୍ଚାର ହୋଇଛି ।

ସୂଚନାଯୋଗ୍ୟ, ନିକଟରେ ଆଇସିସି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଘୋଷଣା କରିଛି । ଗୋଟିଏ ମହିଳା ଦିନିକିଆ ବିଶ୍ବକପ୍ ଓ ଅନ୍ୟଟି ମହିଳା ଟି୨୦ ବିଶ୍ବକପ୍ । ଦିନିକିଆ ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ବେଳେ ଟି୨୦ ଇଂଲଣ୍ଡରେ ଖେଳାଯିବ । ଉଭୟ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରହିଛି । ଗୋଟିଏ ୫ ଅକ୍ଟୋବରରେ କଲୋମ୍ବୋରେ ଏବଂ ଦ୍ବିତୀୟଟି ୧୪ ଜୁନ ୨୦୨୬କୁ ଇଂଲଣ୍ଡର ଏଜବେଷ୍ଟନରେ ଖେଳାଯିବ ।

ସ୍ୱପ୍ନରେ ନିଜ ମୃତ୍ୟୁ ଦେଖିବାର ଅର୍ଥ କ’ଣ ? ଜାଣନ୍ତୁ ଶୁଭ ନା ଅଶୁଭ…

ନନ୍ଦିଘୋଷ ବ୍ୟୁରୋ : ପ୍ରତ୍ୟେକ ସ୍ୱପ୍ନ କିଛି ନା କିଛି କୁହେ। ସ୍ୱପ୍ନ ଆମର ବାସ୍ତବ ଜୀବନ ସହିତ ମଧ୍ୟ ଜଡିତ। ଆସନ୍ତୁ ଜାଣିବା ସ୍ୱପ୍ନରେ ନିଜ ମୃତ୍ୟୁ ଦେଖିବା କ’ଣ ସୂଚିତ କରେ। ସ୍ୱପ୍ନରେ ନିଜକୁ ମୃତ ଦେଖିବା ପ୍ରାୟତଃ ସାଧାରଣ ଲୋକଙ୍କୁ ଭୟଭୀତ କରିଥାଏ, କିନ୍ତୁ ଜ୍ୟୋତିଷ, ମନସ୍ତତ୍ତ୍ୱ ଏବଂ ସ୍ୱପ୍ନ ବିଜ୍ଞାନରେ ଏହାର ଅନେକ ଅର୍ଥ ଅଛି।

ଯଦି ଆପଣ ସ୍ୱପ୍ନରେ ଆପଣଙ୍କର ମୃତ୍ୟୁ ଦେଖନ୍ତି, ତେବେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଆପଣ ଦୀର୍ଘଜୀବୀ ହେବେ ଏବଂ ଆପଣ ଅସୁବିଧାରୁ ମୁକ୍ତ ହେବେ। ଏହା ସହିତ, ଏହାକୁ ନୂତନ ପରିବର୍ତ୍ତନର ଆରମ୍ଭ ବୋଲି ବିବେଚନା କରାଯାଏ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନରେ ନିଜକୁ ମୃତ ଦେଖିବା ଏକ ଶୁଭ ସଙ୍କେତ। ଏହାର ଅର୍ଥ ହେଉଛି ଯେ ଆପଣଙ୍କର ବୟସ ବଢ଼ିଯାଇଛି। ଏହା ସହିତ, ଯଦି ଆପଣ କୌଣସି ପରିସ୍ଥିତିରେ ବହୁତ ଚିନ୍ତିତ ଅଛନ୍ତି ଏବଂ ସେଥିରୁ ବାହାରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହି ସ୍ୱପ୍ନ ଆତ୍ମନିରୀକ୍ଷଣକୁ ସୂଚିତ କରେ।

ସ୍ୱପ୍ନରେ ନିଜର ମୃତ୍ୟୁ ଦେଖି ଲୋକମାନେ ଭୟଭୀତ ହୋଇଯାଆନ୍ତି। ଯଦି ଆପଣ ମଧ୍ୟ ସ୍ୱପ୍ନରେ ନିଜର ମୃତ୍ୟୁ ଦେଖନ୍ତି, ହେଲେ ଏହି ସ୍ୱପ୍ନଗୁଡ଼ିକର ଅର୍ଥ ବହୁତ ସ୍ୱତନ୍ତ୍ର। ନିଜର ମୃତ୍ୟୁ ଦେଖିବା ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଜୀବନରେ ସମସ୍ୟା ଦୂର ହେବାକୁ ଯାଉଛି ଏବଂ ଆପଣ ଖୁବ୍ ଶୀଘ୍ର ଭଲ ଖବର ପାଇବେ।

ମହିଳାଙ୍କୁ ଦୁଷ୍କର୍ମ ଓ ଉଲଗ୍ନ ଭିଡିଓ ଭାଇରାଲ ପ୍ରତିବାଦରେ ବାଂଲାଦେଶରେ ହିନ୍ଦୁଙ୍କ ବଡ଼ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ହିନ୍ଦୁ ନିର୍ଯାତନାର ଶିକାର ହେଉଛନ୍ତି । ହିନ୍ଦୁ ମହିଳା ଓ ଯୁବତୀ ବି ସୁରକ୍ଷିତ ନୁହଁନ୍ତି । ସ୍ଥିତି ଏମିତି ହିନ୍ଦୁମାନେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି । ଏମିତି ସ୍ଥିତିରେ ସଂଖ୍ୟାଲଘୁ ହିନ୍ଦୁଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବା ଆରମ୍ଭ କରି ଦେଇଛି । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପକ୍ଷରୁ ଏକ ବଡ଼ ବିକ୍ଷୋଭ କରାଯାଇଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ତାଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏପରିକି ତାଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମରାଯାଇଛି । ସେ କାକୁତି ମିନତି କରିଥିଲେ ବି ସୈତାନମାନେ ତାଙ୍କୁ ଛାଡି ନଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହାକୁ ନେଇ ବାଂଲାଦେଶରେ ବଡ଼ ବିକ୍ଷୋଭ ହୋଇଛି । ରାଜଧାନୀ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିଶାଳ ପ୍ରତିବାଦ ଆୟୋଜନ କରିଥିଲେ । ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ଜୁନ୍ ୨୬ ତାରିଖରେ ୨୧ ବର୍ଷୀୟ ମହିଳାଙ୍କୁ ଜଣେ ସ୍ଥାନୀୟ ନେତା ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । କୁମିଲ୍ଲା ଜିଲ୍ଲାରେ ଏହି ଘଟଣା ଘଟିଛି । ମହିଳା ଜଣକ ତାଙ୍କ ବାପଘରକୁ ଆସିଥିବା ବେଳେ ଏହି ଜଘନ୍ୟକାଣ୍ଡ ଘଟିଥିଲା ।

ଏହାର ପ୍ରତିବାଦରେ ଢାକା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ବହୁତ ବଡ଼ ବିକ୍ଷୋଭ କରିଛନ୍ତି । ଗତବର୍ଷ ଅଗଷ୍ଟରେ ଶେଖ ହାସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହିଂସା ବଢିଛି ।

ଟ୍ରମ୍ପ ଓ ନେତାନ୍ୟାହୁଙ୍କ ବିରୋଧରେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଜାରି କଲେ ଫତତ୍ବା

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଫତତ୍ବା ଜାରି କଲେ ଇରାନର ସର୍ବୋଚ୍ଚ ଧମର୍ଗୁରୁ । ଇରାନ ଆଇନ ଅନୁସାରେ ଫତତ୍ବା ଜାରି ହେଲେ ମୃତ୍ୟୁଦଣ୍ଡ, ଅଙ୍ଗ ଚ୍ଛେଦନ ଓ ନିର୍ବାସନ କରାଯାଇଥାଏ । ଫତତ୍ବା ଜାରି କରିବା ସହ ଏହି ଦୁଇ ନେତାଙ୍କୁ ଈଶ୍ବରଙ୍କ ଶତ୍ରୁ ବୋଲି କହିଛନ୍ତି ଇରାନର ସର୍ବୋଚ୍ଚ ଧର୍ମଗୁରୁ ।

ଏହାସହ ସେ ଆମେରିକା ଓ ଇସ୍ରାଏଲର ଏହି ଦୁଇ ନେତାଙ୍କ ବିରୋଧରେ ସାରା ବିଶ୍ଵର ମୁସଲମାନ ଏକତ୍ରିତ ହୋଇ ସେମାନଙ୍କୁ ଦଣ୍ଡ ଦେବାକୁ ଆହ୍ଵାନ ଦେଇଛନ୍ତି । ତାଙ୍କ କହିବା ଅନୁସାରେ କୌଣସି ବ୍ୟକ୍ତି ବା ସରକାର ଈଶ୍ଵରଙ୍କ ପ୍ରତିନିଧିଙ୍କୁ ଧମକ ଦିଅନ୍ତି, ତେବେ ତାଙ୍କୁ ଯୁଦ୍ଧଖୋର୍ ବା ମୋହାରବ ବୋଲି କୁହାଯାଏ । ଏହାକୁ ଈଶ୍ଵରଙ୍କ ବିରୋଧରେ ଯୁଦ୍ଧ ବୋଲି ଗ୍ରହଣ କରାଯାଏ । ସେପରି ବ୍ୟକ୍ତିଙ୍କ ବିରୋଧରେ ଫତୱା ଜାରି କରାଯାଏ ।

ଇରାନର ଦଣ୍ଡ ବ୍ୟବସ୍ଥା ଅନୁସାରେ ମୃତ୍ୟୁଦଣ୍ଡ, ଅଙ୍ଗ ଚ୍ଛେଦନ ବା ନିର୍ବାସନ ମଧ୍ୟ କରାଯାଇଥାଏ । ଫତୱାରେ କୁହାଯାଇଛି, ମୁସଲମାନ କିମ୍ବା ଇସଲାମିକ ରାଷ୍ଟ୍ର ସେମାନଙ୍କୁ ସହଯୋଗ କିମ୍ବା ସମର୍ଥନ କରିବା ନିଷିଦ୍ଧ । ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିଥିବାରୁ ଏହି ଫତୱା ଜାରି କରାଯାଇଛି । ଏଥିରେ ଇରାନର ୩ଟି ଆଣବିକ କେନ୍ଦ୍ର ଧ୍ଵଂସ ହେବା ସହିତ ଅନେକ ବୈଜ୍ଞାନିକ ଓ ଜେନେରାଲ ନିହତ ହୋଇଥିଲେ । ୧୨ ଦିନ ଧରି ଆକ୍ରମଣ ପ୍ରତି ଆକ୍ରମଣ ଚାଲିଥିଲା । ଇରାନ ଏହାର ଜବାବ ଦେଇଥିଲା । ତେବେ ଇସ୍ରାଏଲ ଓ ଆମେରିକାର ଆକ୍ରମଣରେ ଇରାନର ବହୁତ କ୍ଷତି ହୋଇଛି । ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଥିପାଇଁ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଏହି ଫତୱା ଜାରି କରିଛନ୍ତି ।

ଶିଶୁ କନ୍ୟାକୁ ଟୋକେଇରେ ଛାଡି ଦେଇ Sorry ଲେଖିଲେ ବାପା-ମାଆ

ନନ୍ଦିଘୋଷ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଶିଶୁକୁ ଟୋକେଇରେ ଛାଡି ପଳାଇଲେ ବାପା ମାଆ । ମହାରାଷ୍ଟ୍ରର ନଭି ମୁମ୍ବାଇରେ ରାସ୍ତା କଡ଼ରେ ଏକ ଟୋକେଇରେ ଏକ ନବଜାତ ଶିଶୁକନ୍ୟା ମିଳିବା ଘଟଣା ସାମ୍ନାକୁ ଆସିଛି। ୩ ଦିନର ଏକ ଶିଶୁକନ୍ୟାକୁ ଟୋକେଇରେ ପୂରାଇ ରାସ୍ତାକଡ଼ରେ କେହି ନିଷ୍ଠୁର ମାଆ-ବାପା ଛାଡ଼ି ଚାଲିଯାଇଛନ୍ତି। ଏହା ସହିତ ଏକ କାଗଜରେ ‘Sorry’ ଲେଖିବା ସହ ଛାଡ଼ିବାର କାରଣ ମଧ୍ୟ ଲେଖିଦେଇଯାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ନିଜ ସହିତ ନେଇଯାଇଛି। ଏହା ସହିତ ପୋଲିସ ଝିଅର ପିତାମାତାଙ୍କୁ ଖୋଜିବା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ନୋଟଟି ଇଂରାଜୀରେ ଲେଖାଯାଇଥିଲା।

ଏହି ଚିଠିରେ ଶିଶୁକନ୍ୟାର ମାଆବାପା ଲେଖିଛନ୍ତି ଯେ, ସେମାନେ ବହୁତ ଗରିବ। ତେଣୁ ସେମାନେ ଝିଅଟିକୁ ପାଳନ କରିବାକୁ ସକ୍ଷମ ନୁହନ୍ତି। ଏହି କାରଣରୁ ସେମାନଙ୍କୁ ଏପରି ପଦକ୍ଷେପ ନେବାକୁ ପଡ଼ିଛି। ଏହା ସହିତ ସେମାନେ ଚିଠିର ଶେଷରେ ‘Sorry’ ଲେଖି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ପୋଲିସ ଝିଅଟିକୁ ନିଜ ସୁରକ୍ଷାରେ ନେଇ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାଇଛି। ଝିଅଟିର ଅବସ୍ଥା ସ୍ଥିର ଅଛି। ପୋଲିସ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ନଭି ମୁମ୍ବାଇର ପାନଭେଲ ଅଞ୍ଚଳରେ ରାସ୍ତା କଡ଼ରେ ଏକ ନବଜାତ ଶିଶୁକନ୍ୟା ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ତିନି ଦିନର ଶିଶୁକନ୍ୟାଟିକୁ ତାଙ୍କ ବାପାମା ଟିକ୍କା କଲୋନିରେ ରାସ୍ତା କଡ଼ରେ ଏକ ନୀଳ ଟୋକେଇରେ ଛାଡି ଦେଇଥିଲେ। ସ୍ଥାନୀୟ ଲୋକମାନେ ପରିତ୍ୟକ୍ତ ଝିଅଟିକୁ ଦେଖିବା ମାତ୍ରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ପୋଲିସ ଦେଖିଲା ଯେ ଝିଅଟି ସହିତ ଟୋକେଇରେ ଏକ ଚିଠି ମଧ୍ୟ ରଖାଯାଇଥିଲା। ମାମଲାର ତଦନ୍ତ ପାଇଁ ପାଖରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ମଧ୍ୟ ଯାଞ୍ଚ କରୁଛି। ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ମାଆବାପାଙ୍କ ବିରୋଧରେ ପୋଲିସଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।