spot_img
Home Blog Page 6800

ଗବେଷଣା: ୬୦ ବର୍ଷରୁ କମ ମୋଟା ବ୍ୟକ୍ତିଙ୍କ କରୋନା ମୃତ୍ୟୁ ଆଶଙ୍କା ଅଧିକ

0

କାଲିଫର୍ଣ୍ଣିଆ: ସମସ୍ତେ ଜାଣନ୍ତି କି ସବୁ ବର୍ଗର ବ୍ୟକ୍ତିଙ୍କୁ କରୋନା ହେଉଛି । କିନ୍ତୁ ଯେଉଁ ବର୍ଗର ବ୍ୟକ୍ତି ବିଶେଷଙ୍କର ଅଧିକ ସଂଖ୍ୟାରେ କରୋନାରେ ମୃତ୍ୟୁ ହେଉଛି ଆମେ ସେମାନଙ୍କ ବିଷୟରେ ଆଲୋଚନା କରିବା । ନିକଟରେ ହୋଇଥିବା ଏକ ଗବେଷଣାରେ ସାମ୍ନାକୁ ଆସିଥିବା ଖବର ଅନୁସାରେ ୬୦ ବର୍ଷରୁ କମ ମୋଟା ମହିଳାଙ୍କ ବ୍ୟତୀତ ଅଧିକ ପରୁଷଙ୍କ ମୃତ୍ୟୁ ହେଉଛି । ଯାହାର ଅର୍ଥ ଅଧିକ ମୃତ୍ୟୁ ଆଶଙ୍କା ପୁରୁଷଙ୍କ ଉପରେ ରହିଥାଏ ।

Kaiser Permanente Southern California Health Systemର ଗବେଷକ ନିକଟରେ ୭୦୦୦ କରୋନା ମାମଲାକୁ ନେଇ ଗବେଷଣା କଲେ । ତାଙ୍କ କହିବା ଅନୁସାରେ ଯଦି ଅନ୍ୟ ସମସ୍ତ ରୋଗ ଏବଂ ପରିସ୍ଥିତିକୁ ଏଥିରୁ ବାହାର କରିଦିଆଯାଏ,ତେବେ ମେଦ ବହୁଳତା ଗୋଟିଏ କାରଣ ଯାହାଦ୍ୱାରା ୬୦ ବର୍ଷରୁ କମ ବୟସ୍କ ପୁରୁଷଙ୍କର ଅଧିକ ମୃତ୍ୟୁ ହୋଇଥାଏ । ଗବେଷଣାରେ କୁହାଯାଇଛି କି ଅତ୍ୟଧିକ ମୋଟା ଲୋକଙ୍କ ଶରୀରର Body Mass Index ୪୦ ପଏଣ୍ଟରୁ ଅଧିକ । ତେଣୁ କରୋନାରେ ଏମାନଙ୍କ ମୃତ୍ୟୁ ଆଶଙ୍କା ତିନି ଗୁଣା ବଢିଯାଏ । ଯଦି ଏହି ପଏଣ୍ଟ ୪୫ ଅତିକ୍ରମ କରୁଛି ତେବେ ମୃତ୍ୟୁ ଆଶଙ୍କା ୪ ଗୁଣା ବଢିଯାଏ । ଉଭୟ ପରିସ୍ଥିତିରେ ପୁରୁଷଙ୍କ ମୃତ୍ୟ ଆଶଙ୍କା ଅଧିକ ।

କହିରଖୁଛୁ ଏହି ବିଷୟକୁ ନେଇ ଇଉରୋପରେ ମଧ୍ୟ ଏକ ଗବେଷଣା କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଲା କି ସେଠାରେ ଦୁଇ-ତୃତୀୟାଂଶ ମୋଟା ବ୍ୟକ୍ତି ଥିଲେ । କେବଳ ୟୁ.କେ.ରେ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୬୩ ପ୍ରତିଶତ ଆଇସିୟୁରେ ଅଛନ୍ତି । ଏହି ସମସ୍ତେ ମୋଟା ବ୍ୟକ୍ତି । ମାର୍ଚ୍ଚରେ ୟୁ.କେ.ରେ ଆଇସିୟୁରେ ଆଡମିଟ ହୋଇଥିବା ୧୯୪ ଲୋକଙ୍କ ମଧ୍ୟରୁ ପ୍ରାୟ ୧୩୦ ଜଣ ମୋଟା ବ୍ୟକ୍ତି ଥିଲେ । ତେବେ ଆଇସିୟୁରେ ଆଡମିଟ ହୋଇଥିବା ୧୯୪ ଜଣ ରୋଗୀଙ୍କ ମଧ୍ୟରୁ ୧୩୯ ଜଣ କେବଳ ପୁରୁଷ ଥିଲେ । ଏହା ସହିତ ଅଧିକାଂଶ ମୋଟା ବ୍ୟକ୍ତିଙ୍କର ଫୁସଫୁସ ଜନିତ ସମସ୍ୟା ଥାଏ । ଡାକ୍ତରଙ୍କ କହିବା ଅନୁସାରେ ମୋଟା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଏତେ ଭଲ ନଥାଏ । ଏମାନଙ୍କ ଇମ୍ୟୁନ ସିଷ୍ଟମ କମଜୋର ହୋଇଥାଏ ।

ରାଜ୍ୟରେ ୮୧ ହଜାର ପାର କରୋନା ସଂକ୍ରମିତଙ୍କ ସଂଖ୍ୟା, ଖାେର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । କିଛି ଦିନ ହେବ ୨ ହଜାର ଉପରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୨୯୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ରହିଛି ଲୋକାଲ କଣ୍ଟାକ୍ଟ । ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୮୧ ହଜାର ୪୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୪ ଜହାର ୪୦୫ ସୁସ୍ଥ ହୋଇଥିବା ବେଳେ ୨୬ ଶହ ୬୦୨ ଜଣ ଏବେ ସକ୍ରିୟ ରହିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୧୩ ଲକ୍ଷ ୬୩ ହଜାର ୬୨୦ କରୋନା ଟେଷ୍ଟ କରାଯାଇଛି ।

୩୦ ଟି ଜିଲ୍ଲାରୁ ୨୯୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଦିନକରେ କଟକରୁ ସର୍ବାଧିକ ୫୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ରହିଛି ୪୭୪ ସଂକ୍ରମିତ । ଏହି ଦୁଇ ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡ଼ରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗିରରୁ ୫୭, ବୌଦ୍ଧରୁ ୩, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୧୩, ଗଜପତିରୁ ୩, ଗଞ୍ଜାମରୁ ୧୭୯, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୩୦, କୋରାପୁଟରୁ ୧୮୧, ମାଲକାନାଗିରିରୁ ୭୮, ମୟୂରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୯୩, ନୂଆପଡ଼ାରୁ ୨, ପୁରୀରୁ ୮୬, ରାୟଗଡ଼ାରୁ ୧୪୩, ସମ୍ପଲପୁରରୁ ୧୦୪, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କୋହଳ ହେଲା କଟକଣା, ଏବେ ସ୍ୱଭାବିକ ହେବ କୋର୍ଟ

କଟକ: ଆଜିଠାରୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ । ଦିର୍ଘ ମାସ ପରେ ଖୋଲୁଛି କୋର୍ଟ । କଟକଣା କୋହଳପରେ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ସ୍ୱଭାବିକ ଭାବେ କାର୍ଯ୍ୟ କରିବ । କରୋନା କଟକଣା ପାଇଁ ପୂର୍ବରୁ କେବଳ ଜାମିନ, ରିମାଣ୍ଡ ଶୁଣାଣି ଓ ହାଜର ହେଉଥିବା ବେଳେ ଏବେ ମାମଲାର ବିଚାର, ସାକ୍ଷ୍ୟ ଗ୍ରହଣ, ପୁରୁଣା ମାମଲାର ଶୁଣାଣି ସବୁ କିଛି ଚାଲିବ ।

ଅଧିକରୁ ଅଧିକ ସଂଖ୍ୟାରେ ଭିଡିଓ କନଫରେନ୍ସିଂ ଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଦାଲାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଯିବ । ତେବେ ଲକଡାଉନ୍ କିମ୍ବା ସଟ୍‌ଡାଉନରେ ପୂର୍ବ ଭଳି ସାଢ଼େ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ହେଲେ କୋଭିଡ ଭୟବହତା ଭିତରେ ଏଭଳି ଭାବେ କୋର୍ଟ ଖୋଲିବାକୁ ନାପସନ୍ଦ କରିଛନ୍ତି ଭୁବନେଶ୍ୱର ବାର ଆସୋସିଏସନ ଚେୟାରମ୍ୟାନ ।

ବୋମା ମାଡ଼ ଓ ହତ୍ୟା ମାମଲାରେ ନୟାପଲ୍ଲୀ ପୋଲିସକୁ ବଡ଼ ସଫଳତା, ଗିରଫ ହେଲେ ୫ ଅଭିଯୁକ୍ତ

ଭୁବନେଶ୍ୱର: ନୟାପଲ୍ଲୀ ରିଙ୍କୁ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୨୦୧୯ରେ ସାଲିଆସାହି ସୁନାମି କ୍ଳବ ଆଗରେ ବୋମାମାଡ଼ କରିଥିଲେ ଏମାନେ । ଆକ୍ରୋଶ ମୂଳକ ଭାବେ ଜୀବନରୁ ମାରିବା ପାଇଁ ହୋଇଥିଲା ବୋମା ମାଡ଼ । ବୋମାମାଡ଼ରେ ରିଙ୍କୁ ସ୍ୱାଇଁ ଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ୍ୟୁ ମାମଲାରେ ୧୦ ଜଣ ଅଭିଯୁକ୍ତ ସଂମ୍ପୃକ୍ତ ଥିଲେ ।

ପୂର୍ବରୁ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ୫ ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଏବେ ଫେରାର ଅଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୋଭରାଜ  ମହାରଣା ଓରଫ ସିକନ । ଗିରଫ ହେବା ପରେ ସେମାନଙ୍କ ଠାରୁ ଏୟାର ଗନ୍ ଓ ବାଇକ ଜବତ କରିଛି ପୋଲିସ । ଆଠଗଡରେ ୬୦ ହଜାର ଲୁଟ ଓ ଗୁରୁଡିଝାଟିଆ ରେ ମଦ ଦୋକାନ ଠାରୁ ଲୁଟ ଉଦ୍ଦେଶ୍ୟରେ ଗୁଳିମାଡ କରିଥିଲା ଶୋଭରାଜ । ବୋମାମାଡ଼ କରିବା ମାଡ୍ରାସ ଫେରାର ହୋଇ ଯାଇଥିଲା । ଲକଡାଉନ ଯୋଗୁ ଓଡିଶା ଫେରି ବରୁଣେଇରେ ଥିବା ଏକ ଧାନ ମିଲରେ କାମ କରୁଥିଲେ ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ସୁଶାନ୍ତଙ୍କ ମୃତ୍ୟୁ ନେଇ ରିୟାଙ୍କୁ ଜେରା କରିବ ସିବିଆଇ, କରିପାରେ ଏମିତି କିଛି ପ୍ରଶ୍ନ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଆକ୍ସନ୍ ମୋଡରେ ରହିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ସିବିଆଇ । ସୁଶାନ୍ତଙ୍କ ମୃତ୍ୟୁ ବେଳେ ତାଙ୍କ ବାନ୍ଦ୍ରା ଫ୍ଲାଟରେ ଉପସ୍ଥିତ ଥିବା ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ପଚରାଉଚରା କରିଛି ସିବିଆଇ । ଗତ ୩ ଦିନ ଧରି ସିବିଆଇ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ତାଙ୍କ ଷ୍ଟାଫ୍ ନିରଜ, ଦୀପେଶଙ୍କୁ ପଚରାଉଚରା କରିଛି । ଗୋଟିଏ ପରେ ଗୋଟି ପ୍ରଶ୍ନର ସଠିକ ଉତ୍ତର ଜାଣିବାକୁ ଚେଷ୍ଟା କରିଥିଲା । ତେବେ ପିଠାନିଙ୍କ ପରେ ଏବେ ସିବିଆଇର ନଜର ଆଢ଼ୁଆଳରେ ରିୟା ରହିଛନ୍ତି । ସିବିଆଇ ରିୟାଙ୍କୁ ଯେକୌଣସି ସମୟରେ ପଚରାଉଚରା ପାଇଁ ଡାକିପାରେ ।

କୁହାଯାଉଛି ଯେ ସିବିଆଇ ଆଜି ରିୟାଙ୍କୁ ପଚରାଉଚରା ପାଇଁ ଡାକିପାରେ । ଏହି ପରିପ୍ରେକ୍ଷୀରେ ରିୟାଙ୍କୁ ସିବିଆଇର ତୀକ୍ଷ୍ଣ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ । ଏହାପୂର୍ବରୁ ରିୟା ଦୁଇଥର ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ଏଥର ଜେରା କରିବ ସିବିଆଇ । ଏବଂ ସିବିଆଇର ଜେରା ସମ୍ପୁର୍ଣ୍ଣ ଅଲଗା ରହିଥାଏ । ରିୟାଙ୍କୁ ପଚରାଉଚରା ବେଳେ ସିବିଆଇ ଏମିତି କିଛି ପ୍ରଶ୍ନ କରିପାରେ । ଜୁନ୍ ରେ ହଠାତ୍ କ’ଣ ହେଲା ଯେ ତୁମେ ଘରୁ ଚାଲିଗଲ ?, ଯଦି ସୁଶାନ୍ତଙ୍କ ଏତେ ଭଲ ପାଉିଥିଲ ତେବେ ସୁଶାନ୍ତଙ୍କ ନମ୍ବରକୁ କାହିଁକି ବ୍ଲକ୍‌ କଲ ?, ସୁଶାନ୍ତଙ୍କୁ କେଉଁ ରୋଗ ହୋଇଥିଲା ? କେଉଁ ଡାକ୍ତର ସୁଶାନ୍ତଙ୍କ ଚିକିତ୍ସା କରୁଥିଲେ ? ଏବଂ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଯଡ଼ିତ କିଛି ପ୍ରଶ୍ନ ମଧ୍ୟ କରିପାରେ ସିବିଆଇ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ପାର, କମୁଛି କରୋନା ମୃତ୍ୟୁ ହାର

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ିବା କାରଣରୁ କରୋନା ରୋଗୀଙ୍କ ସଂଖ୍ୟା ୨.୩୪ କୋଟି ଅତିକ୍ରମ କରିଛି । ଏଥିସହ ମୃତ୍ୟୁ ସଂଖ୍ୟା ୮.୧୦ ଲକ୍ଷରୁ ଅଧିକ ହୋଇଛି । ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ୫୮.୫୨ ଲକ୍ଷରେ ପହଞ୍ଚିଛି । ବ୍ରାଜିଲରେ କରୋନା ରୋଗୀଙ୍କ ସଂଖ୍ୟା ପାଖାପାଖି ୩୬ ଲକ୍ଷରେ ପହଞ୍ଚିଛି ।

ସେପଟେ କରୋନା ସଂଖ୍ୟା ବୃଦ୍ଧିରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ କରୋନା ମାମଲା ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରିଛି । ସବୁଠାରୁ ବଡ଼ କଥା ହେଉଛି ଭାରତରେ ୫୭.୦୬ ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଛି । ଭାରତରେ ୨୩.୦୩ ଲକ୍ଷ ରୋଗୀ କରୋନା ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥି ସହିତ ଯଦ ଦେଖିବା ସକ୍ରିୟ ମାମଲା ୭ ଲକ୍ଷ ଅତିକ୍ରମ କରିଛି । ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ |

ତେବେ ଦେଶରେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ଏବଂ ସକ୍ରିୟ ମାମଲା ହାର ରେକର୍ଡ କରାଯାଉଛି । ମୃତ୍ୟୁ ହାର ୧.୮୫% କୁ ଖସି ଆସିଛି । ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୩% କୁ ଖସି ଆସିଛି । ଏହା ସହିତ ପୁନରୁଦ୍ଧାର ହାର ୭୫% ହୋଇଛି । କରୋନାକୁ ମାତ ଦେଇ ଭାରତରେ ପୁନରୁଦ୍ଧାର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।ଆଇସିଏମଆର ଅନୁଯାୟୀ ୨୩ ଅଗଷ୍ଟ ପର୍ଯ୍ୟନ୍ତ କରୋନା ଭୁତାଣୁର ମୋଟ ୩୨.୬ ନିୟୁତ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୯ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ତେବେ ପରୀକ୍ଷା ପରେ ପଜିଟିଭ ସଂଖ୍ୟା ୭ ପ୍ରତିଶତରୁ କମ୍ ଆସିଛି ।

ପରିସଂଖ୍ୟାନ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ କରୋନା ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରର ଡାକ୍ତରଖାନାରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି ।

କରୋନାକୁ ମାତ ଦେବା ପାଇଁ କଟକରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ

କଟକ: ଆଜି ଠାରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ । ଜଗତପୁର ସଦଗୁରୁ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲ ଭାବରେ ଗ୍ରହଣ କରିଛନ୍ତି  । ୧୫୦ ବେଡ଼  ବିଶିଷ୍ଟ ଏହି  ହସ୍ପିଟାଲରେ ଆଜିଠାରୁ ସେବା ଆରମ୍ଭ ହେବ । ଏଠାରେ ଆଇସିୟୁ ସୁବିଧା ସହିତ ଭେଣ୍ଟିଲେଟର ବ୍ୟବସ୍ଥା ରହୁଛି  । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ପାଇଁ ଏହି ହ୍ସପିଟାଲକୁ କୋଭିଡ ହ୍ସପିଟାଲ ଭାବେ କାର୍ଯ୍ୟକାରୀ କରାୟାଉଛି ।

ଏବେ କଟକରେ ୨ଟି କୋଭିଡ ହସପିଟାଲ ଚାଲୁ ରହିଛି  । ବିଭିନ୍ନ ସରକାରୀ, ଘରୋଇ ହସପିଟାଲରେ ଟେଷ୍ଟ କରାଯାଉଛି । କୋଭିଡ ହସପିଟାଲରେ ଆଇସିୟୁ ସଂଖ୍ୟା ୩୪ରୁ ୫୮କୁ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ସହର ମୁହାଁ ଗଜରାଜ, ମର୍ଣ୍ଣିଂ ଓ୍ୱାକ୍‌ରେ ଲୋକେ ହଟହଟା

ବାରିପଦା: ଜଙ୍ଗଲ ଛାଡି କଂକ୍ରିଟ ସହର ମୁହାଁ ହୋଇଛି ଗଜରାଜ । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ଉପକଣ୍ଠରେ ଦେଖିବାକୁ ମିଲିଛି ଦନ୍ତାହାତୀ । ମର୍ଣ୍ଣିଂ ୱାକ କରୁଥିବା ଲୋକେ ହାତୀକୁ ଦେଖି ଆତଙ୍କିତ  । ତଥାପି ଦେଖନ୍ତୁ କିପରି ହାତୀ ଚାଲିଛି ତା ପଛେ ପଛେ ହାତୀକୁ ଦେଖିବା କୌତୁହଳରେ ଲୋକେ ବି ଚାଲିଛନ୍ତି । କିଏ ଚାଲି ଚାଲି ଯାଉଛି ତ କିଏ ପୁଣି ଦୁଇ ଚକିଆରେ  । ବନ ବିଭାଗ ଗାଡି ବି ରହିଛି ।

ହାତୀକୁ ଘଉଡାଇବା ଚେଷ୍ଟା କରୁଛି ବନ ବିଭାଗ । ଏ ଦୃଶ୍ୟ ଦେଉଳି ଅଂଚଳର । ଦନ୍ତାହାତୀ ଆଜି ଭୋରରୁ ଲକ୍ଷ୍ମୀପୋଷି ରଘୁନାଥପୁର ମୁର୍ଗାବାଡି ଅଂଚଳରେ ପ୍ରବେଶ କରିବା ପରେ ବନବିଭାଗର କର୍ମଚାରୀ ମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି । ହାତୀଟି ଏବେ ଆନିଆପାଳ ନଦୀ କୂଳରେ ଥିବା ଜଙ୍ଗଲ ଅଂଚଳରେ ବୁଲୁଛି ବୋଲି ପିଠାବଟା ରେଞ୍ଜ ଅଧିକାରୀ କହିଛନ୍ତି।

କୋହଳ ହେଲା କଟକଣା, ଗଞ୍ଜାମରେ ବଢ଼ିଲା ଦୋକାନ ଖୋଲିବାର ସମୟସୀମା

ଗଞ୍ଜାମ: ଗଞ୍ଜାମରେ ସୁଧୁରୁଛି କରୋନା ସ୍ଥିତି । ଧିରେ ଧିରେ ଗଞ୍ଜାମରେ କରୋନା ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯାଇଛି । ଆଜିଠୁ ବ୍ରହ୍ମପୁରକୁ ଓ ବ୍ରହ୍ମପୁରରୁ ବିନା କଟକଣାରେ ଯାତାୟତ କରିହେବ । କରୋନାକୁ ମାତ୍ ଦେବାକୁ ଜିଲ୍ଲାକୁ ସବୁ ପ୍ରବେଶ ପଥ ସିଲ୍ କରାଯାଇଥିଲା । ଆଜିଠୁ କଟକଣା ଉଠିଥିବା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଏହାସହ ଦୋକାନ ବଜାର ଖୋଲା ସମୟ ବଢ଼ିଛି । ସକାଳ ୫ରୁ ରାତି ୮ଯାଏଁ ଜିଲ୍ଲାରେ ଖୋଲାରହିବ ଦୋକାନ ବଜାର । ସବୁ ଦୋକାନୀ ପଞ୍ଜସୂତ୍ରୀ ନିୟମ ଅନୁସାରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଏହାସହ ଜିଲ୍ଲାରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍ ଜାରି ରହିବ । ଏନେଇ ଟୁଇଟ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ।

ଲଘୁଚାପ ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୨୬ରୁ ୨୭ ତାରିଖ ଭିତରେ ଝାରସୁଗୁଡ଼ା, ବରଗଡ଼ରେ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଲଘୁଚାପର ପ୍ରଭାବ ୨୮ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି। ତେବେ ଅତ୍ୟଧିକ ବର୍ଷା ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଥିବା କହିଛନ୍ତି ଏସଆରସି। ବିଡିଓ, ତହସିଲଦାର ମାନଙ୍କୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦଶ ଦିଆଯାଇଛି। ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ବି ସଜାଗ ରହିବା ସହ ଡ୍ରେନେଜ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା SRC ପ୍ରଦୀପ ଜେନା କହିଛନ୍ତି  ।