spot_img
Home Blog Page 6782

ରାଜ୍ୟରେ ପୁଣି ୬ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଖାଲି ଆମ ରାଜ୍ୟ ନୁହେଁ ସାରା ଦେଶରେ ମଧ୍ୟ କରୋନା କାୟା ବିସ୍ତାର କରି ରଖିଛି ।

ସୋମବାର ସକାଳେ ରାଜ୍ୟରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଗଜପତିରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହି ୫ ଜଣଙ୍କ ମୃତ୍ୟୁ ମିଶାଇ ଗଞ୍ଜାମରେ ଏବେ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଲାଣି । ଅନ୍ୟପଟେ ସାରା ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଲାଣି ।

ଗଞ୍ଜମର ଏହି ୫ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ପୁରୁଷ ଅଛନ୍ତି, ଯିଏ କି ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ଆଉ ଜଣେ ୪୦ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ପୁରୁଷ, ୪୨ ବର୍ଷୀୟ ପୁରୁଷ, ୫୪ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।

ସେହିଭଳି ଗଜପତିର ଜଣେ ୫୫ ବର୍ଷୀୟ ମହିଳାଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ୨୩ ଜିଲ୍ଲାରୁ ୬୭୩ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୪୪୬ ଓ ଲୋକାଲ୍ କେସ ୨୨୭

ଭୁବନେଶ୍ୱର: ସୋମବର ରାଜ୍ୟରୁ ୨୩ ଜିଲ୍ଲାରୁ ୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୨୪ ଘଣ୍ଟା ମଧ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୧୧୦କୁ ବୃଦ୍ଧି ହୋଇଛି । ଏହା ସହ କରୋନା ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଦି ହୋଇଛି । ରାଜ୍ୟରେ ଆଜି ୬ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୬ ଓ ଲୋକାଲ୍ କେସ୍ ୨୨୭ଜଣ ସଂକ୍ରମିତ ହୋଇଛନ୍ତି ।   ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ ଭଦ୍ରକରୁ ୫୮ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କନ୍ଧମାଳରୁ ୪୪, ବରଗଡ଼ରୁ ୨୨, ଜଗତସିଂହପୁରରୁ ୩୬, କଟକରୁ ୩୨, ଯାଜପୁରରୁ ୨୮, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧, ଗଜପତିରୁ ୧୫, ଝାରସୁଗୁଡ଼ାରୁ ୧୪, ବାଲେଶ୍ୱରରୁ ୧୩, ସୁନ୍ଦରଗଡ଼ରୁ ୧୧, ଢେଙ୍କାନାଳରୁ ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ା, ନାୟଗଡ଼, ମାଲକାନିଗିରି, ସୋନପୁର ପୁରୀ ଓ ଅନୁଗୁଳରୁ ୪ଜଣ ଲେଖାଏଁ  ଓ ସମ୍ବଲପୁରରୁ ୩ଜଣ ଓ ମୟୂରଭଞ୍ଜରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୫୫୩୩ ଆକ୍ଟିଭ କେସ ରହିଥିବାବେଳେ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ କାର୍ବନ କପି ସେୟାର କଲେ ଫଟୋ, ବାୟୋପିକରେ ଆସିବେ ନଜର ?

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅନେକ ପୁରୁଣା ଭିଡିଓକୁ ଏବେ ଦର୍ଶକ ସୋସିଆଲ ମିଡିଆରେ ଦେଖି ତାଙ୍କୁ ମନେ ପକାଉଛନ୍ତି । ଏହି ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ହେଉଛି ସଚିନ ତିୱାରୀ, ଯିଏ ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ କାର୍ବନ କପି ଭାବେ ଜବରଦସ୍ତ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ସଚିନଙ୍କ ଏକ ନୂଆ ଫଟୋ ଭାଇରାଲ ହୋଇଛି । ଏହି ଫଟୋ ଦେଖିବା ପରେ ସମସ୍ତେ ଆଚମ୍ବିତ ହୋଇଛନ୍ତି । କେବଳ ସେତିକି ନୁହେଁ ଦର୍ଶକ ସୁଶାନ୍ତଙ୍କ ବାୟୋପିକରେ କାମ କରିବାକୁ ମଧ୍ୟ ସଚିନ୍ ଙ୍କୁ ପରାମର୍ଶ ଦେଉଛନ୍ତି ।

ବାସ୍ତବରେ, ସଚିନ ତିୱାରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି । ସଚିନଙ୍କ ଏହି ଫଟୋରେ ଅନେକ ଦର୍ଶକ କମେଣ୍ଟ ଦେଇଛନ୍ତି । କିଛି ଜଣ ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକରେ କାମ କରିବାକୁ ସଚିନଙ୍କୁ ପରାମର୍ଶ ଦେଉଥିବା ନଜର ଆସିଛନ୍ତି । କିନ୍ତୁ ସଚିନ ନିଜେ ଏହି ଫଟୋରେ କୌଣସି କମେଣ୍ଟ ଦେଇନାହାନ୍ତି ।

https://www.instagram.com/p/CCyydW4p6ab/?utm_source=ig_embed

ସଚିନ ତିୱାରୀଙ୍କ ଏହି ଫଟୋରେ ଜଣେ ତାଙ୍କୁ ପବିତ୍ର ରିସ୍ତାରେ ମାନଭ ବୋଲି କହିଛନ୍ତି । କିଛି ଜଣ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଅଫର ମଧ୍ୟ କରିଥିଲେ । ଲୋକମାନେ ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ପରାମର୍ଶ ଦେଇଛନ୍ତି। ଲୋକଙ୍କ କମେଣ୍ଟ ଯୋଗୁଁ ସଚିନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ସଚିନଙ୍କର ଅନେକ ଟିକଟକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏବେ ସଚିନ ସୁଶାନ୍ତଙ୍କ ଭଳି ହେୟାର ଷ୍ଟାଇଲ କରିଛନ୍ତି। ସେଥିପାଇଁ ଏବେ ସେ ପୁରା ସୁଶାନ୍ତଙ୍କ କାର୍ବନ କପି ଲାଗୁଛନ୍ତି ।

ଝଡ଼ାଫୁଙ୍କା ଯୋଗୁଁ ସାହିରେ ଲାଗୁଥିଲେ କଳି, ଏବେ ଜିଅନ୍ତା ଜାଳିଦେଲେ..!

ଯାଜପୁର: ପୁଣି ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ । ଗୋଟିଏ ପଟେ ମଣିଷ ଚନ୍ଦ୍ରରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଲୋକମାନେ ଏବେ ବି ଭୂତପ୍ରେତ ଉପରେ ବିଶ୍ୱାସ ରଖୁଛନ୍ତି । ସ୍ୱାସ୍ଥ୍ୟ ଖରାପ ହେଲେ ମେଡିକାଲ ବଦଳରେ ଲୋକ ତାନ୍ତ୍ରିକ ପାଖକୁ ଯାଉଛନ୍ତି । ଆଉ ଗୁଣିଗାରେଡ଼ି ସନ୍ଦେହରେ ନୀରିହ ଜୀବନ ମଧ୍ୟ ଚାଲିଯାଉଛି । ଆଉ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।

ତେବେ ଏମିତି ଏକ ଅନ୍ଧ ବିଶ୍ୱାସର କାହାଣୀ ପୁଣି ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ଗୁଣିଗାରେଡ଼ି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯାଜପୁର, କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ନିମପଲ୍ଲୀର ସୁରି ବସ୍ତିରେ ରହୁଥିବା ଆଦିବାସୀ ଦମ୍ପତ୍ତିଙ୍କୁ ଜିଆନ୍ତା ପୋଡ଼ି ମାରି ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅଗ୍ନିକାଣ୍ଡ ଖବର ଶୁଣି ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ଆଦିବାସୀ ଦମ୍ପତ୍ତି ଝଡ଼ାଫୁଙ୍କା କରୁଥିଲେ । ପୂର୍ବରୁ ଏଥିପାଇଁ ସାହି ପଡ଼ିଶା ସହ ତାଙ୍କର ଗଣ୍ଡଗୋଳ ମଧ୍ୟ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଅନୁମାନ କରୁଛି ଯେ, ଗୁଣିଗାରେଡ଼ି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ।

ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଆଦିବାସୀ ଦମ୍ପତ୍ତିଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା । ସେମାନେ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଜେଲ୍ ଗଲେ ଅଧ୍ୟାପକ

ବାଲିଗୁଡ଼ା: କରୋନା ମହାମାରୀ ଦେଶ ଚିନ୍ତା ବଢାଇଥିବା ବେଳେ କେତେକ ଅମାନିଆ ଏହାକୁ ଫୁ କରୁଛନ୍ତି । କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ସବୁ ପ୍ରାକାର ପ୍ରୟାସ ବିଫଳ ହେଉଛି । କିନ୍ତୁ ଏବେ ଏହି ଅମାନିଆଙ୍କ ପାଇଁ ରାଜ୍ୟ ସରକାର କଠୋର ହୋଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷାକୁ ଦେଖି ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ାରେ । ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି ତହସିଲଦାରଙ୍କୁ ଦୁର୍ବ୍ୟବହାର ।

ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଜେଲ୍ ଯାଇଛନ୍ତି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ତେଜେଶ୍ୱର ନାୟକ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁଣ୍ଡାସାହିରେ ରହୁଥିବା ଅଧ୍ୟାପକ ତେଜେଶ୍ୱର ନାୟକଙ୍କ ଘରକୁ ଗତ ଶନିବାର ୪ଜଣ କୋଲକାତା ଫେରନ୍ତା ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ । ଯାହା ଥିଲା ନିୟମର ସମ୍ପୂର୍ଣ୍ଣ ଉଲଂଘ୍ନ । ଏବଂ ଏହାକୁ ଗ୍ରାମବାସୀମାନେ ମଧ୍ୟ ବିରୋଧ କରିଥିଲେ ।

ସମ୍ପୃକ୍ତ ୪ଜଣ କୌଣସି ପ୍ରାଧୀକୃତ ଅଧିକାରୀଙ୍କ ଠାରୁ ଅନୁମତି ଆଣିନଥିବା ସୂଚନା ମିଳିଥିଲା । ଖବର ପାଇ ତହସିଲଦାର ପହଞ୍ଚି ସଙ୍ଗରୋଧରେ ରହିବା କଥା କହିବାରୁ ଉତକ୍ଷିପ୍ତ ହୋଇ ଅଧ୍ୟାପକ ତେଜେଶ୍ୱର ନାୟକ ତହସିଲଦାରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଅଧ୍ୟାପକ ତେଜେଶ୍ୱର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେପଟେ ଅଧ୍ୟାପକଙ୍କ ଏଭଳି ଆଚରଣକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

୫ ନର୍ସିଂହୋମ ସିଲ୍, ଡାକ୍ତରଙ୍କ ସମେତ ୬୦ ଜଣଙ୍କୁ କ୍ୱାରେଣ୍ଟାଇନ୍ ନିର୍ଦ୍ଦେଶ

ଢ଼େଙ୍କାନାଳ: ଢ଼େଙ୍କାନାଳରେ ୫ ଟି ନର୍ସିଂହୋମକୁ ସିଲ କରାଯାଇଛି । ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି ପରେ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଅଞ୍ଚଳର ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି  । ଘଟଣା ଅନୁଯାଇ ଜଣେ ପ୍ରସୂତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଘରୋଇ ନର୍ସିଂହୋମ କୁ ଯାଇଥିଲେ । ସେଠାରେ ଉପଯୁକ୍ତ ଚିକିତ୍ସା ନ ମିଳିଥିବାରୁ ଆଉ ୪ଟି ନର୍ସିଂହୋମ ଯାଇଥିଲେ ।

ତା ସହିତ ୨ଟି ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଓ ଗୋଟିଏ ଔଷଧ ଦୋକାନ ମଧ୍ୟ ଯାଇଥିଲେ। ତେବେ ନିଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜିବା ରୁ କଟକ ସ୍ଥାନାନ୍ତର ହୋଇଥିଲେ ପ୍ରସୂତୀ । ସେଠି ତାଙ୍କର କରୋନା ପଜିଟିଭି ବାହାରିବା ପରେ ୫ ଟି ନର୍ସିଂହୋମ ଗୋଟିଏ ମେଡ଼ିସିନ ଦୋକାନ ଓ ଗୋଟିଏ ଅଲ୍ଟ୍ରାସାଉଣ୍ଡ କ୍ଲିନକ୍ କୁ ସିଲ କରିଛି ଜିଲ୍ଲା ପ୍ରଶାସନ। ତେବେ କରୋନା ବ୍ୟାପିବାକୁ ଦୃଷ୍ଟିରେ ରଖି ମହିଳାଙ୍କ ସଂସ୍ପର୍ଷରେ ଆସିଥିବା ଡାକ୍ତର, ଷ୍ଟାଫ ନର୍ସଙ୍କ ସହ ୬୦ ଜଣ ଙ୍କୁ କ୍ୱାରେଣ୍ଟଟାନ୍ ରେ ରଖାଯାଇଥବା ସୂଚନା ମିଳିଛି ।

କରୋନାକୁ ବ୍ରେକ୍ ଦେବାକୁ ସମରସଜ୍ଜା, ୪ ଜିଲ୍ଲା ଓ ରାଉରକେଲାରେ ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ଲକଡାଉନରେ ଥିବା ୪ ଜିଲ୍ଲା ଓ ରାଉରକେଲାରେ ବଦଳିଲା ବ୍ୟାଙ୍କ ଖୋଲିବା ସମୟ । ସକାଳ ୮ଟାରୁ ଦିନ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ବ୍ୟାଙ୍କ ଖୋଲିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହା ଅନୁସାରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ ଖୋଲିବ । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଆଜିଠୁ ଜୁଲାଇ ୩୧ ଯାଏ ନିୟମ ବଳବତ୍ତର ରହିବ ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ସହରରେ ଜୁଲାଇ ୩୧ ଯାଏଁ ଲକଡାଉନ୍ ଘୋଷଣା କରାଯାଇଛି । ଚଳିତ ମାସ ୧୭ ତାରିଖ ରାତି ୯ଟାରୁ ଏହି ୧୪ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିଲା । ତେବେ ଲକଡାଉନ ବେଳେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଗ୍ରୋସରୀ, ଫଳ, ପରିବା ଓ ଆମିଷ ଦୋକାନ ଖୋଲାରହିଛି ।

ଅନ୍ୟପଟେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଜୋମାଟୋ, ସ୍ୱିଗି ଭଳି ବିଭିନ୍ନ ଖାଦ୍ୟ ଯୋଗାଣକାରୀ ସଂସ୍ଥା କାର୍ଯ୍ୟ ଜାରି ରଖିବେ । ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ ଏହି ସବୁ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିବ । ସରକାର ଜାରି କରିଥିବା ଲକଡାଉନ ପାଇଁ ସବୁଠି କଡ଼ାକଡି ନିୟମ ମଧ୍ୟ ପାଳନ କରାଯାଉଛି ।

ଆଉ ତିନି ବର୍ଷ ପରେ ପ୍ରାଇଭେଟ୍‌ ଟ୍ରେନ୍, ଜାଣନ୍ତୁ କେଉଁ ବର୍ଷ କେତେ ଗଡ଼ିବ ନୂଆ…

ନୂଆଦିଲ୍ଲୀ:  ଆଗାମୀ ତିନି ବର୍ଷ ମଧ୍ୟରେ ଦେଶରେ ଗଡ଼ିବ ବେସରକାରୀ ଟ୍ରେନ୍ ।‌ ପ୍ରଥମ ବ୍ୟାଚ୍ ୨୦୨୩ରେ ୧୨ଟି ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ । ଏହା ପରେ ଆଗାମୀ ଆର୍ଥିକ ବର୍ଷରେ ୪୫ଟି ଟ୍ରେନ୍ ଆରମ୍ଭ ହେବ ବୋଲି ଯୋଜନା କରାଯାଇଛି । ରେଳ ଅଧିକାରୀଙ୍କ ଅନୁଯାୟୀ, ଏହିପରି ୧୫୧ଟି ବେସରକାରୀ ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୭ ସୁଦ୍ଧା ଆରମ୍ଭ ହୋଇଯିବ । ରେଳ ବିଭାଗ ବେସରକାରୀ କମ୍ପାନୀମାନଙ୍କୁ ନିଜ ନେଟୱାର୍କରେ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ପାଇଁ ଆନୁଷ୍ଠାନିକ ଭାବେ ଅନୁମତି ଦେବାକୁ ଯୋଜନା ପ୍ରସ୍ତୁତ କରୁଛି । ଏହି ମାସ ଆରମ୍ଭରେ ଦେଶର ୧୦୯ ଯୋଡ଼ି ରୁଟ୍‌ରେ ୧୫୧ଟି ଆଧୁନିକ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ରେଳ ବିଭାଗ ପ୍ରସ୍ତାବ ଆମନ୍ତ୍ରଣ କରିଛି ।

ରେଳ ବିଭାଗ ୨୦୨୨-୨୩ରେ ୧୨ଟି ଅତ୍ୟାଧୁନିକ ବେସରକାରୀ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି । ଏହା ପରେ, ୨୦୨୩-୨୪ରେ ୪୫ଟି ଟ୍ରେନ୍, ୨୦୨୫-୨୬ରେ ୫୦ ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ୪୪ଟି ଟ୍ରେନ୍ ଆରମ୍ଭ କରିବାର ଯୋଜନା କରିଛି । ଏହିପରି, ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ମୋଟ ୧୫୧ ଟ୍ରେନ୍ ଆରମ୍ଭ ଚଳାଇବା ଯୋଜନା ରହିଛି । ଏହି ପରିପ୍ରେକ୍ଷୀରେ, ୮ ଜୁଲାଇରେ ଜାରି କରାଯାଇଥିବା ଅନୁରୋଧ (RFQ) ନଭେମ୍ବର ସୁଦ୍ଧା ଚୂଡାନ୍ତ ହେବ ଏବଂ ମାର୍ଚ୍ଚ ୨୦୨୧ ସୁଦ୍ଧା ଆର୍ଥିକ ବିଡ୍ ଖୋଲାଯିବ ବୋଲି ଆଶା କରାଯାଉଛି । ଏହା ପରେ, ୩୧ ଏପ୍ରିଲ ୨୦୨୧ ସୁଦ୍ଧା ବିଡ୍‌ରେ ଭାଗ ନେଇଥିବା କମ୍ପାନୀ ମଧ୍ୟରୁ ଚୟନ କରାଯିବ । ଏହି ଅଧିକାରୀ କହିଛନ୍ତି ଯେ, ମୋଟ ରାଜସ୍ୱରେ ସର୍ବାଧିକ ଅଂଶ ପ୍ରଦାନ କରୁଥିବା ବିଡରମାନଙ୍କୁ ଏହି ପ୍ରକଳ୍ପ ପ୍ରଦାନ କରାଯିବ ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ, ଯାହା ଅଧୀନରେ ଆମେ ଘରୋଇ ଟ୍ରେନ୍ କାର୍ଯ୍ୟ ଆରମ୍ଭ କରିବାକୁ ଆଶା ରଖିଛୁ । ମାର୍ଚ୍ଚ ୨୦୨୧ ସୁଦ୍ଧା ଟେଣ୍ଡରଗୁଡିକ ଚୂଡାନ୍ତ ହେବ ଏବଂ ଟ୍ରେନ୍ ମାର୍ଚ୍ଚ ୨୦୨୩ରୁ ପରିଚାଳନା ଆରମ୍ଭ କରିବ । ରେଳବାଇ କହିଛି ଯେ ୭୦ ପ୍ରତିଶତ ଘରୋଇ ଟ୍ରେନ୍ ଭାରତରେ ପ୍ରସ୍ତୁତ କରାଯିବ । ଯାହାର ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗ ରହିବ । ସେହି ଅନୁସରାରେ ଏହି ଟ୍ରେନ୍‌ ଗୁଡ଼ିକର ଡିଜାଇନ୍ କରାଯିବ ।

ଏହି ଅଭିନେତା ନିଜଠୁ ୧୬ବର୍ଷ ବଡ଼ ମହିଳାଙ୍କୁ ବିବାହ କରିଥିଲେ

ମୁମ୍ବାଇ: ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ ଆଜି ତାଙ୍କର ୭୦ତମ ଜନ୍ମଦିନ ପାଳିଛନ୍ତି । ସେ ବହୁ ବଲିଉଡ଼ରେ କାମ କରି ଅଭିନୟ ମାଧ୍ୟମରେ ନିଜର ଦକ୍ଷତା ଦେଖାଇଛନ୍ତି । ତାଙ୍କର ଜନ୍ମ ୨୦ଜୁଲାଇ ୧୯୫୦ରେହୋଇଥିଲା । ସେ ଆଜି ବି ବିଭିନ୍ନ ଫିଲ୍ମରେ ଅଭିନୟ କରୁଛନ୍ତି ଏବଂ ଏବେ  ବି ଦର୍ଶକ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି । ତାଙ୍କର ଏହି ଜନ୍ମଦିନ ଅବସରରେ ଆମେ ତାଙ୍କ ଜୀବନର ଅଜଣା ଲଭ୍ ଷ୍ଟୋରୀ ବିଷୟରେ କହିବୁ ।

ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେ ତାଙ୍କ ପରିବାର ସହ ଝଗଡ଼ା କରି ପଳେଇ ଆସିଥିଲେ । ଏବଂ ୧୬ବର୍ଷ ବଡ଼ ମନାରା ଶିକାରିଙ୍କ ସହ ବିବାହ କରିଥିଲେ । ସେହି ସମୟରେ ନାସିରୁଦ୍ଦିନଙ୍କ ପରିବାର ତାଙ୍କ ଉପରେ ଖୁସି ନଥିଲା ଏବଂ ସମସ୍ତେ ତାଙ୍କୁ ବିବାହ କରିବାକୁ ବାରଣ କରିଥିଲେ ।

ନାସିର କିନ୍ତୁ ମନାରାଙ୍କ ପ୍ରେମରେ ପାଗଳ ଥିଲେ । ମନାରା ପୂର୍ବରୁ ବିବାହ କରିବା ସହ ତାଙ୍କର ଗୋଟିଏ ପିଲା ମଧ୍ୟ ଥିଲେ ନାସିରଉଦ୍ଦିନ ମାନରାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ଝିଅ ଅଛି ଯାହାର ନାଁ ଥିଲା ହିବା ଶାହ ।  ଯଦିଓ ତାଙ୍କ ସମ୍ପର୍କ ଲମ୍ବାସମୟ ସହ ଚାଲି ନଥିଲା । ଏବଂ ସେ ଦୁହେଁ ଅଲଗା ହୋଇଯାଇଥିଲେ । ଏହାପରେ ନାସିରଉଦ୍ଦିନଙ୍କ ଦେଖା ରତ୍ନା ପାଠକଙ୍କ ସହ ହୋଇଥିଲା ।

ଦୁଇଜଣ୧୯୮୨ ମସିହାରେ ବିବାହ କରିଥିଲେ । ରତ୍ନା ନାସିରଉଦ୍ଦିନଙ୍କ ସହ ବିବାହ କରିବାକୁ ମୁସଲମାନ ଧର୍ମକୁ ଆପଣାଇ ଥିଲେ । ଏବଂ ରତ୍ନାଙ୍କୁ ବିବାହର କିଛି ସମୟ ପରେ ହିଁ ନାସିରଉଦ୍ଦିନଙ୍କ ପ୍ରଥମ ସ୍ତ୍ରୀଙ୍କ ନିଧନ ହୋଇଥିଲା ଏବଂ  ତାଙ୍କ ଝିଅ ହିବା ନାସିର ଓ ରତ୍ନାଙ୍କ ସହ ରହିଥିଲେ ।ନାସିରଉଦ୍ଦିନ ଏବଂ ରତ୍ନାଙ୍କ ଦୁଇଟି ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଲିଉଡ଼ରେ ତାଙ୍କ ଡେବ୍ୟୁ ମଧ୍ୟ କରିସାରିଛନ୍ତି ।

କରୋନା ସଙ୍କଟରେ ଆଶା ବଢାଉଛି କୋଭାକ୍ସିନ୍… ସମ୍‌ରେ ହ୍ୟୁମାନ ଟ୍ରାଏଲ ପାଇଁ ଉଦଘାଟନ ହେବ ଲ୍ୟାବ

ଭୁବନେଶ୍ୱର: କରୋନା ସଙ୍କଟ ମଧ୍ୟରେ ଭାରତର ସ୍ୱଦେଶୀ କୋଭିଡ୍ ଟିକା ‘କୋଭିକ୍ସିନ୍ ’ ଟ୍ରାଏଲ ବିଷୟରେ ଖବର ଆସିଥିଲା । ଏବେ କରୋନା ସଙ୍କଟରେ ଆଶା ବଢାଉଛି କୋଭାକ୍ସିନ୍। ଟିକାର ହ୍ୟୁମାନ ଟ୍ରାଏଲ ପାଇଁ ସମ ହସପିଟାଲରେ ଲ୍ୟାବ୍ ଉଦଘାଟନ କରାଯିବ । କୋଭାକ୍ସିନ୍‌ର ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ପାଇଁ ଦେଶର ୧୨ଟି ହସପିଟାଲକୁ ଚୟନ କରିଛି ଇଣ୍ଡିଆନ୍ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର। ଏହା ମଧ୍ୟରେ ଭୁବନେଶ୍ୱର ସମ୍ ହସପିଟାଲ ମଧ୍ୟ ରହିଛି ।

covaxin

ମାନବୀୟ ପରୀକ୍ଷଣ ପାଇଁ ଆଜି ସମ ଅଡିଟୋରିୟମରେ ଲ୍ୟାବର ଉଦଘାଟନ କରାଯିବ। ସେପଟେ ଆଜିଠୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେଉଛି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ । ଶନିବାର ଦିଲ୍ଲୀ ଏମ୍ସର ଏଥିକ୍ସ କମିଟି ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ପାଇଁ ମଂଜୁରୀ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରାଯିବ । ୧୮ରୁ ୫୫ ବର୍ଷ ବୟସ୍କ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯିବ । ଟିକା ଦେବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ହାଇଦ୍ରାବାଦର ଭାରତ ବାୟୋଟେକ ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସହଯୋଗରେ ଟିକାକୁ ବିକଶିତ କରିଛି ।

(ନନ୍ଦିଘୋଷ ବ୍ୟୁରୋ)