spot_img
Home Blog Page 677

ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଜୟପୁର : ସ୍କୁଲ ଅଛି । ପାଠପଢା ଚାଲିଛି । କିନ୍ତୁ ପାଠ ପଢାଉଥିବା ମହିଳା ଜଣଙ୍କ ଶିକ୍ଷୟିତ୍ରୀ ନୁହଁନ୍ତି । ସେ ହେଉଛନ୍ତି ଜଳ ସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରୋଗ୍ରେସ ରେକର୍ଡର ମଞ୍ଜୁଲତା ମିଶ୍ର । ଶିକ୍ଷାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋଦ ଜୟପୁର ସହରରେ ।  ଜୟପୁର ସହରର ଇରିଗେସନ କଲୋନୀରେ ଥିବା ଅପର କୋଲାବ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ତାଙ୍କୁ ଜଳସେଚନ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି । ସେ ଶିକ୍ଷା ବିଭାଗର ନିୟମ ଅନୁସାରେ କୌଣସି ତାଲିମ ପାଇ ନାହାନ୍ତି । ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ଜଣେ ପ୍ରୋଗ୍ରେସ ରେକର୍ଡର ତୁଲାଉଛନ୍ତି । ସ୍କୁଲରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୬୩ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କୁ କେଉଁ ପ୍ରକାର ଶିକ୍ଷା ଦିଆଯାଉଥିବ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ପ୍ରୋଜେକ୍ଟ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୩୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସେମାନଙ୍କ ପାଇଁ କେବଳ ୨ ଜଣ ଶିକ୍ଷକ ରହିଛନ୍ତି, ଯିଏକି ଚଳିତ ମାସରେ ଅବସର ନେବେ । ତାପରେ ସ୍କୁଲରେ ଶିକ୍ଷାଦାନ କିପରି ଚାଲିବ ସେନେଇ ଚିନ୍ତାରେ ଅଭିଭାବକ ଓ ପୂର୍ବତନ ଛାତ୍ର । ସ୍କୁଲରେ ଶିକ୍ଷକ ଅଭାବ ସଂପର୍କରେ ବାରମ୍ବାର ଶିକ୍ଷା ବିଭାଗ ଓ ଜଳ ସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।

ଅପର କୋଲାବ ପ୍ରୋଜେକ୍ଟ ଅଧୀନରେ କୋରାପୁଟ ଜିଲ୍ଲାରେ ଗୋଟିଏ ହାଇସ୍କୁଲ ଓ ୪ଟି ପ୍ରାଥମିକ ବିଦ୍ଯାଳୟ ଥିବା ବେଳେ ସବୁ ବିଦ୍ଯାଳୟ ଅବସ୍ଥା ସମାନ । ଏ ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ଯଯନ୍ତ୍ରୀଙ୍କ ଧ୍ଯାନ ଆକର୍ଷଣ କରିଥିଲେ । ସେ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିବା ସହ ବିଦ୍ଯାଳୟଗୁଡିକୁ ଶିକ୍ଷା ବିଭାଗକୁ ହନ୍ତାନ୍ତର କରିବାକୁ ଚିଠି ଲେଖିଥିବା କହିଛନ୍ତି । ଅନ୍ଯପଟେ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ । ପୂର୍ବରୁ ଯେଉଁ ହାଇସ୍କୁଲରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି, ସେହି ସ୍କୁଲ ଆଜି ଅବହେଳିତ । ଏହାଠୁ ଦୁର୍ଭାଗ୍ଯର ବିଷୟ କଣ ହୋଇପାରେ ?

ଝାରସୁଗୁଡାରେ ୧୭୩ ଜଣ ଚାଷୀଙ୍କ ଟୋକନ ଲାପ୍ସ, ଚିନ୍ତାରେ ହୀରାକୁଦ ବୁଡି ଅଞ୍ଚଳ ଅନ୍ନଦାତା

ଝାରସୁଗୁଡ଼ା : ଜୁନ ୩୦ରେ ସାରା ରାଜ୍ଯରେ ସରିଗଲା ରବି ଧାନ କିଣା । ପୂରଣ ହେଲାନି କିନ୍ତୁ ଟାର୍ଗେଟ । ଝାରସୁଗୁଡାରେ ଚାଷୀଙ୍କ ଟୋକନ ଲାପ୍ସ । ଅଦିନିଆ ବର୍ଷାରୁ ବର୍ତ୍ତି ଯାଇଥିବା ୧୭୩ ଜଣ ଚାଷୀଙ୍କ ୬ ଶହ ୩୪ କ୍ଵିଣ୍ଟାଲ ଧାନ ଏବେ ମଧ୍ଯ ଖତ ଖାଉଛି । ଧାନ ଘରକୁ ନେଇଯାଇଥିଲେ ସୁଦ୍ଧା ଧାନ କିନ୍ତୁ ନଷ୍ଟ ହୋଇଯାଇଛି । ଧାନ ବିକି ପାରିନଥିବା ଅଧିକାଂଶ ଚାଷୀ ହୀରାକୁଦ ବୁଡି ଅଞ୍ଚଳର । ଏଭଳି ସମ୍ବେଦନଶୀଳ ଘଟଣା ପାଇଁ ଦାୟୀ କିଏ ? ଝାରସୁଗୁଡା ଚାଷୀଙ୍କ ଦୁଃଖ ବୁଝିବ କିଏ ? ଏନେଇ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଦାୟୀ କରିଛନ୍ତି ଚଷା ପୁଅ ।

ଝାରସୁଗୁଡାରେ ଚଳିତ ବର୍ଷ ୨ ହଜାର ୮୯ ଜଣ ଚାଷୀଙ୍କ ଠାରୁ ୯୨ ହଜାର ୬୪୪.୧୫ କ୍ଵିଣ୍ଟାଲ ଧାନ କିଣା ଯାଇଛି । ଧାନ କିଣାକୁ ନେଇ ବାରମ୍ବାର ବାଦ ବିବାଦ ପରେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବାଦ ପଡିଗଲେ ୧୭୩ ଜଣ ଚାଷୀ । ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଅତିରିକ୍ତ ସିଏସଓ କହିଛନ୍ତି ଯଦି କୌଣସି ଜେନ୍ୟୁଇନ ଚାଷୀ ରହି ଯାଇଥିବେ ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ସେ ପ୍ରସଙ୍ଗରେ ସରକାରଙ୍କୁ ଜଣାଇ କୌଣସି ପଦକ୍ଷେପ ନିଆଯିବ। ଏଠି ପ୍ରଶ୍ନ ଉଠୁଛି- ଜିଲ୍ଲା ପ୍ରଶାସନ ପରଖ କରି ଟୋକନ ଦେଇଥିବା ଚାଷୀ କିଭଳି ହେଲେ ଫେକ ଚାଷୀ ? ଚାଷୀଙ୍କୁ ଢାଲ କରି କେବଳ ରାଜନୈତିକ ଉଦ୍ଦେଶ୍ଯ ସାଧନ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ପ୍ରେମୀ ଯୁଗଳଙ୍କୁ ରୀତିନୀତିରେ ବାହାଘର କଲେ ବଡଚଣା ଥାନା ଅଧିକାରୀ

ଚଣ୍ଡିଖୋଲ : ମଥାରେ ଟିପିଟିପି ଚନ୍ଦନ, ପାଦରେ ଲାଗିଛି ଅଳତା । ନା ଅଛନ୍ତି ବରଯାତ୍ରୀ ନା ଅଛି ବାଜା ରୋଷଣୀ । ଏହା କୌଣସି ମଣ୍ଡପ କିମ୍ବା ଘର ନୁହେଁ ବରଂ ଥାନାର ଦୃଶ୍ଯ । ବର କନ୍ୟାଙ୍କୁ ବେଦୀକୁ ପାଛୋଟି ନେଉଛନ୍ତି ପୋଲିସ କର୍ମଚାରୀ । ଦୁଇ ପ୍ରେମୀ ଯୁଗଳଙ୍କ ସାହାରା ପାଲଟିଲା ବଡଚଣା ପୋଲିସ । ବଡଚଣା ଥାନା ଅଧୀନ ଚଣ୍ଡିତଳ ଗାଁର କେଶବ ସାମଲଙ୍କ ପୁଅ ରିତୁ ସାମଲ ଓ ମହେଶ୍ଵର ମଲିକଙ୍କ ଝିଅ ରିନୁ ମଲ୍ଲିକ ପରସ୍ପରକୁ ଦୀର୍ଘ ୬ ବର୍ଷ ଧରି ଭଲ ପାଉଥିଲେ । ହେଲେ ବିବାହ ପାଇଁ ପରିବାର ଲୋକେ ରାଜି ହେଉନଥିଲେ କି ସାମାଜିକ ସ୍ଵିକୃତୀ ମିଳୁନଥିଲା । ଶେଷରେ ଦୁହେଁ ବଡ଼ଚଣା ପୋଲିସର ଦ୍ବାରସ୍ଥ ହୋଇଥିଲେ। ଉଭୟ ପରିବାରଙ୍କୁ ବୁଝାଇ ବଡଚଣା ଥାନା ଅଧିକାରୀ ନିଜେ ସମସ୍ତ ଦାୟିତ୍ବ ନେଇ ଥାନା ପରିସରରେ ଥିବା ମନ୍ଦିରରେ ରୀତିନୀତି ସହ ବିବାହ କରାଇଛନ୍ତି ।

ବଡଚଣା ପୋଲିସ ଉଭୟଙ୍କ ବାହାଘରର ସମସ୍ତ ଦାୟିତ୍ଵ ହାତକୁ ନେଇଥିଲେ । ଉଭୟ ପରିବାରର ସହମତି କ୍ରମେ ମନ୍ଦିରରେ ବିବାହ ହେଲା । ଏମିତିକି ବିବାହରେ କନ୍ୟା ପିତା ସାଜିଥିଲେ ପୋଲିସ କର୍ମଚାରୀ । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ରିତୁ ଆଉ ରିନୁ ବାନ୍ଧି ହୋଇଥିବା ବେଳେ ବାହାଘରରେ ବହୁ ବୁଦ୍ଧିଜୀବୀ ସହଯୋଗ କରିଥିଲେ । ବଡ଼ଚଣା ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରୋଜଗାରର ମାଧ୍ଯମ ସାଜିଛି ଅଦରକାରୀ କାଗଜ

ଆନନ୍ଦପୁର : ଅଦରକାରୀ ବସ୍ତୁରେ ସୁନ୍ଦର ସୁନ୍ଦର କଳାକୃତି । ଅଦରକାରୀ କାଗଜରୁ ମଣ୍ଡ ପ୍ରସ୍ତୁତ କରି ସେଥିରୁ ବିଭିନ୍ନ ଘର କରଣା ଜିନିଷ ତିଆରି କରି ସ୍ଵାବଲମ୍ବୀ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତ ସରେଇଁ ଗାଁର ୨୦ ଜଣ ମହିଳା । ରାଜ୍ଯ ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ  ଜିଲ୍ଲା ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ସଂଯୋଜନାରେ ୪ ମାସିଆ ପ୍ରଶିକ୍ଷଣ ନେଇ ସଉକିନ ଜିନିଷ ତିଆରି କରୁଛନ୍ତି ।

ମହିଳା ମାନେ ଅଦରକାରୀ କାଗଜ ଓ ଚକଗୁଣ୍ଡ ସାହାର୍ଯ୍ଯରେ ବିଭିନ୍ନ ପ୍ରକାର ଘର ଉପକରଣ ତିଆରି କରୁଛନ୍ତି । ତିଆରି କରୁଥିବା ଜିନିଷ ଓରମାସ୍ ସହାୟତାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ମେଳାରେ ଷ୍ଟଲ ଲଗାଇ ବିକ୍ରି କରାଯାଉଛି । ମହିଳାଙ୍କ ହାତ ତିଆରି କାଗଜ ମୂଖାର ନିଖୁଣ କାରିଗରୀ ପାଇଁ ସବୁଆଡୁ ବେଶ ପ୍ରଶଂସା ମିଳୁଛି  । ଘର କାମ ସାରିବା ପରେ ସ୍ଵଳ୍ପ ପରିଶ୍ରମ କରି ମହିଳା ମାନେ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ପହଲଗାଓଁ ଆକ୍ରମଣ ଘଟଣାରେ ଭାରତରେ କୂଟନୈତିକ ବିଜୟ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା ନେଇ ଭାରତକୁ ବଡ଼ ସଫଳତା । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ ବୈଠକରେ ଭାରତର କୂଟନୈତିକ ବିଜୟ ଘଟିଛି । ଏହି ବୈଠକରେ ଏପ୍ରିଲ ୨୨ ପହଲଗାଓଁ ହମଲା ଘଟଣାକୁ ନିନ୍ଦା କରାଯାଇଛି । ଏହି ହମଲାରେ ଯାଇଥିଲା ୨୬ ଜଣଙ୍କ ଜୀବନ । ଏହି ଘଟଣାରେ ଜଡ଼ିତ ଆତଙ୍କୀ, ଷଡ଼ଯନ୍ତ୍ରକାରୀ ଓ ଅର୍ଥ ବ୍ୟବସ୍ଥା କରିଥିବା ବ୍ୟକ୍ତି ଓ ସଂଗଠନଗୁଡିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଆହ୍ବାନ ଦିଆଯାଇଛି । ଓ୍ବାଶିଂଟନରେ ଆୟୋଜିତ କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପହଲଗାଓଁ ହମଲା ନେଇ ଏକ ମିଳିତ ବିବୃତି ଜାରି କରାଯାଇଛି । ଏହା ସହ ସମସ୍ତ ପ୍ରକାର ଆତଙ୍କବାଦ, ହିଂସାମୂଳକ କାର୍ଯ୍ୟକଳାପ ତଥା ସୀମାପାର ଆତଙ୍କବାଦକୁ ଭର୍ତ୍ସନା କରାଯାଇଛି । ଏହା ସହ ଅନ୍ତର୍ଜାତୀୟ ଆଇନ ଓ ଅନ୍ୟାନ୍ୟ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଲାଗି ଜାତିସଂଘ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ବାନ ଦିଆଯାଇଛି । ଏହି ବୈଠକରେ ପହଲଗାଓଁ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ, ଜାପାନ ବୈଦେଶିକ ମନ୍ତ୍ରୀ ତାକେଶି ଇଓ୍ବାୟା, ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ ଯୋଗଦେଇଥିଲେ ।

ଜୋର ଧରିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରହିବେ ନା ଯିବେ। ଏହାକୁ ନେଇ ଚାଲିଲାଣି ସସପେନ୍ସ। ସେପଟେ ସିଦ୍ଦରମୈୟା କହିଛନ୍ତି ସେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ। ତେଣେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ସିଦ୍ଦରମୈୟାଙ୍କୁ ସମର୍ଥନ କରିବା ବ୍ୟତୀତ ତାଙ୍କ ନିକଟରେ ବିକଳ୍ପ ନାହିଁ। କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂ ସୂର୍ଯେବାଲା ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ବଢିଥିଲା। ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଅଧିକାଂଶ ବିଧାୟକ ଚାହାନ୍ତି ବୋଲି ଜଣେ ବିଧାୟକ କହିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଏପରିକି ସେ କହିଥିଲେ ଯଦି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରା ନଯାଏ ତେବେ ଆସନ୍ତା ୨୦୨୮ରେ କଂଗ୍ରେସ କ୍ଷମତାକୁ ଆସି ନପାରେ। ଶିବକୁମାରଙ୍କ ସମର୍ଥକ କହିଛନ୍ତି- ବର୍ତ୍ତମାନ ତୁରନ୍ତ ସିଦ୍ଦରମୈୟା ଇସ୍ତଫା ଦିଅନ୍ତୁ ଓ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। କଂଗ୍ରେସ ବିଧାୟକ ଇକବଲ ହୁସେନ କହିଛନ୍ତି ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ରାୟ ୧୦୦ ବିଧାୟକ ଚାହାଁନ୍ତି। ଶିବକୁମାର ଦଳ ଲାଗି ଅଜସ୍ର ପରିଶ୍ରମ କରୁଛନ୍ତି। ଦଳକୁ ମଜଭୁତ କରିବା ଲାଗି ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ରଣଦୀପ ସୂର୍ଯେବାଲାଙ୍କ ସହ ବୈଠକବେଳେ ଅଧିକାଂଶ କଂଗ୍ରେସ ବିଧାୟକ ଶିବକୁମାରଙ୍କ ସପକ୍ଷରେ କହିଥିବା ସୂଚନା ମିଳିଛି। ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ- ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ। ତେଣେ ସୂର୍ଯେବାଲା କହିଛନ୍ତି- ରାଜ୍ୟରେ କଂଗ୍ରେସ ସରକାର ପାଞ୍ଚ ବର୍ଷ ଲାଗି ଦୃଢ଼ ରିହବ। ୨୦୨୩ ନିର୍ବାଚନ ବେଳେ କଂଗ୍ରେସର ବିପୁଳ ବିଜୟ ହୋଇଥିଲା ଏବଂ ଶିବକୁମାର ମୁଖ୍ୟମନ୍ତ୍ରୀ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିଛି ଦିନର ଘଣ୍ଟାଚକଟା ପରେ ସିଦ୍ଦରମୈୟାଙ୍କ ନାଁରେ ମୋହର ମାରିଥିଲେ ହାଇକମାଣ୍ଡ। ସେପଟେ କର୍ଣ୍ଣାଟକର ସର୍ବାଧିକ କାଳ ରହିଥିବା ମୁଖ୍ୟମନ୍ତ୍ରୀ ଡି. ଦେବରାଜ ଉର୍ସଙ୍କ ରେକର୍ଡ ଭାଙ୍ଗିବା ଲାଗି ସିଦ୍ଦରମୈୟା ଚାହୁଁଥିବା ଚର୍ଚ୍ଚା ଚାଲିଛି। ଦେବରାଜ ଉର୍ସ ସର୍ବାଧିକ ୭ ବର୍ଷ ଶାସନରେ ଥିଲେ।

‘କରୋନା ଟିକା ଓ କୋଭିଡ ପରବର୍ତ୍ତୀ ଆକସ୍ମିକ ମୃତ୍ୟ ମଧ୍ଯରେ ନାହିଁ ସମ୍ପର୍କ’

ନନ୍ଦିଘୋଷ ବ୍ୟୁରୋ :  କରୋନା ଟିକା ଓ କୋଭିଡ ପରବର୍ତ୍ତୀ ଆକସ୍ମିକ ମୃତ୍ୟ ମଧ୍ଯରେ ନାହିଁ ସମ୍ପର୍କ। ଏହା ସ୍ପଷ୍ଟ କରିଛି ଭାରତୀୟ ମେଡିକାଲ ଗବେଷଣା ପରିଷଦ- ଆଇସିଏମଆର। ଆକସ୍ମିକ ମୃତ୍ଯୁ ଲାଗି ଲାଇଫ ଷ୍ଟାଇଲ ଓ ଅନ୍ୟାନ୍ଯ କାରଣ ଦାୟୀ ବୋଲି ଆଇସିଏମଆର କହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି- କୋଭିଡ-୧୯ ଟିକା ଓ ଯୁବବର୍ଗଙ୍କ ମଧ୍ୟରେ ଦେଖାଯାଉଥିବା ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ନାହିଁ। କୋଭିଡ ଟିକା ହୃଦଘାତଜନିତ ସମସ୍ଯା ସୃଷ୍ଟି କରିଥାଇପାରେ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଆଇସିଏମଆର। ଗତ କିଛି ବର୍ଷ ମଧ୍ୟରେ ହୃଦଘାତରେ ୪୦ ବର୍ଷ ବୟସ୍କ ସିଦ୍ଧାର୍ଥ ଶୁକ୍ଳା, ୫୩ ବର୍ଷ ବୟସ୍କ ଗାୟକ କେକେ, ୪୬ ବର୍ଷବୟସ୍କ ପୁନୀତ ରାଜକୁମାର, ୫୦ ବର୍ଷ ବୟସ୍କ ରାଜ କୌଶଳ ଓ ୫୮ ବର୍ଷ ବୟସ୍କ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଥିଲା। ୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ପ୍ରାଣ ହରାଇଥିବା କିଛି ସ୍ବାସ୍ଥ୍ୟବାନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଗବେଷଣା  କରାଯାଇଥିଲା।

ଦୁଇ ଗୁଣ ଚାର୍ଜ କରିପାରିବେ ଓଲା, ଓବେର ସମେତ ଅନ୍ୟ ପରିବହନକାରୀ ସଂସ୍ଥା

ନନ୍ଦିଘୋଷ ବ୍ୟୁରୋ :  ପିକ୍ ଟ୍ରାଫିକ ଆୱାର ବା ବ୍ୟସ୍ତବହୁଳ ସମୟ କାଳରେ ମୂଳ ଭଡ଼ାର ଦୁଇ ଗୁଣ ଚାର୍ଜ କରିପାରିବେ ପରିବହନକାରୀ ସଂସ୍ଥା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ମୋଟର ଯାନ ଏଗ୍ରିଗେଟର ଗାଇଡଲାଇନ ଅନୁସାରେ ଏହି ଭଡ଼ା ଲାଗୁ କରାଯାଇପାରିବ। ଗତକାଲିଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ଭଡ଼ାର ସର୍ବାଧିକ ସୀମା ଥିଲା ମୂଳ ଭଡ଼ାର ଦେଢ ଗୁଣ। ଆସନ୍ତା ୩ ମାସରେ ଏହି ଗାଇଡଲାଇନ କାର୍ଯ୍ଯକାରୀ କରିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଯାତ୍ରୀ ପରିବହନକାରୀ ସଂସ୍ଥାର ଭଡ଼ା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଆବଶ୍ଯକ ହୋଇଥାଏ। ଟ୍ରାଫିକ ଭିଡ଼, ଯାନ ସଂକ୍ରାନ୍ତ ପ୍ରଦୂଷଣ ଆଦିକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡଲାଇନ ସମ୍ପର୍କରେ ନିଷ୍ପତ୍ତି ନେବେ। ଗାଇଡଲାଇନର ଧାରା ୨୩ ଅନୁସାରେ ବିଭିନ୍ନ ଯାତ୍ରୀ ପରିବହନକାରୀ ଯାନ ଉପରେ ଦୈନିକ, ସାପ୍ତାହିକ କିମ୍ବା ପାକ୍ଷିକ ଲେଭି ଧାର୍ଯ୍ୟ କରିପାରିବେ। ନିୟମ ଅନୁସାରେ ସର୍ବନିମ୍ନ ୩ କିଲୋମିଟର ଲାଗି ଭଡ଼ା ଲାଗୁ ହେବ। ତେବେ ଆଦୌ ଯାତ୍ରା ନ କରିବା କ୍ଷେତ୍ରରେ ଅର୍ଥାତ ଡେଡ ମାଇଲେଜ କ୍ଷେତ୍ରରେ ଯାତ୍ରୀମାନଙ୍କୁ ତୌଣସି ଦେୟ ଦେବାକୁ ହେବ ନାହିଁ। ଏହା ସହ ଯାତ୍ରୀମାନଙ୍କ ଲାଗି ଯାତ୍ରୀପରିବହନକାରୀମାନେ ସର୍ବନିମ୍ନ ୫ ଲକ୍ଷ ଟଙ୍କାର ବୀମା କରିବାକୁ ହେବ।

ଆଜିଠାରୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଏହାର ଶୁଭାରମ୍ଭ କରିଛନ୍ତି ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଆଜି ଭୋରରେ ସେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ଶେଷ ହେବ ଏହି ୩୮ ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ବିଶେଷ କରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭକ୍ତଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ତା ସହିତ ସେମାନଙ୍କ ରହିବା, ଖାଇବା ପିଇବାରେ ଯେମିତି କୌଣସି ପ୍ରକାରର ସମସ୍ୟା ନ ହୁଏ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଉଭୟ ପହଲଗାମ ଓ ବଲତାଲ ରୁଟ୍ ରେ ଶ୍ରଦ୍ଧାଳୁମାନେ ଯାଉଛନ୍ତି । ଏ ବର୍ଷ ପ୍ରାୟ ସାଢ଼େ ୩ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଂଜୀକରଣ କରିଛନ୍ତି ।

ପୋଲିସ ମାଡ଼ରେ ଫାଟିଲା କାନ,ନ୍ୟାୟ ପାଇଁ SP ଙ୍କ ଦ୍ୱାରସ୍ଥ ହେଲେ ପୀଡିତ

ନନ୍ଦିଘୋଷ ବ୍ୟୁରୋ : ପୋଲିସ ମାଡ଼ରେ ଫାଟିଲା କାନ। ନ୍ୟାୟ ପାଇଁ SP ଙ୍କ ଦ୍ୱାରସ୍ଥ ହେଲେ ପୀଡିତ । ନୟାଗଡ ଜ଼ିଲ୍ଲା ଫତେଗଡ ଥାନାରେ ଘଟିଛି ଏହି ଘଟଣା। ଫତେଗଡ କାଳିକା ସାହିର ବନବାସ ସ୍ୱାଇଁଙ୍କ ୬ ବର୍ଷ ର ଝିଅ ଓ ଜଣେ ପଡ଼ୋଶୀଙ୍କ ପିଲା ମଧ୍ୟରେ ସାମାନ୍ଯ ଝଗଡ଼ା ହୋଇଥିଲା । ଏନେଇ ପଡୋଶୀ ଘର ଲୋକ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବନବାସ ଫତେଗଡ଼ ଥାନାକୁ ଯାଇଥିଲେ। ସେଠାରେ ASI ଅରୂପାନନ୍ଦ ନାୟକ ବନବାସଙ୍କ ଗାଲରେ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ବନବାସ । ଏପରିକି ବିଧା ଗୋଇଠା ମାରି ଥାନାରେ ସଂଧ୍ୟା ଯାଏ ବସାଇଥିଲେ। ଅଭିଯୋଗକାରୀଙ୍କ ସହିତ ବୁଝାମଣା ହେବା ପରେ ଛାଡ଼ିଥିଲେ । କିନ୍ତୁ ବନବାସ ଘରକୁ ଫେରିବା ପରେ ଅନୁଭବ କଲେ ଯେ, ତାଙ୍କୁ କିଛି ଶୁଭୁ ନାହିଁ। ପରଦିନ ଖୋର୍ଦ୍ଧା ଓ ନୟାଗଡ଼ରେ ଡାକ୍ତରଙ୍କୁ ଦେଖାଇବା ଜଣାପଡ଼ିଲା ଯେ, କାନ ପରଦା ଫାଟି ଯାଇଛି । ଚିକିତ୍ସା ପରେ ବନବାସ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ରଖିନଥିବା ବନବାସ ଅଭିଯୋଗ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଘଟଣା ଘଟିଥିବା ଦିନ ଅରୂପାନନ୍ଦ ନାୟକ ଫତେଗଡ ଥାନାରୁ ବଦଳି ହୋଇ ଜଟଣୀ ଥାନାରେ ଯୋଗ ଦେଇସାରିଥିଲେ । ସେ ଜଟଣୀ ଥାନା ଛାଡି ଫତେଗଡ଼ ଥାନା କାହିଁକି ଆସିଥିଲେ ବୋଲି ପ୍ରଶ୍ନ ଉଠିଛି । ଫତେଗଡ଼ ଥାନାରୁ ନ୍ୟାୟ ନପାଇବାରୁ ବନବାସ ନୟାଗଡ଼ଙ୍କ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତଦନ୍ତ ପାଇଁ ଅତିରିକ୍ତ ଏସପି ଖଣ୍ଡପଡ଼ା ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।