spot_img
Home Blog Page 676

ନବୀନଙ୍କ ପାଇଁ ଅତୁଟ ଭଲ ପାଇବା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛି ବିଜୁ ଜନତା ଦଳ

ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇରୁ ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ ଆର୍ଥ୍ରରାଇଟିସର ସଫଳ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ବର ଫେରିଛନ୍ତି । ତାଙ୍କୁ ସ୍ବାଗତ ଜଣାଇବାକୁ ବିମାନ ବନ୍ଦରରୁ ନବୀସ ନିବାସ ଥିଲା ଲୋକାରଣ୍ୟ । ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନବୀନଙ୍କୁ ଦେଖିବା ପରେ ଭାବବିହ୍ବଳ ହୋଇ ପଡ଼ିଥିଲେ । ନବୀନ ଫେରୁଥିବା ଖବର ପାଇବା ପରେ ସ୍ବେଚ୍ଛାକୃତ ଭାବେ ହଜାର ହଜାର ସଂଖ୍ୟାରେ ଲୋକ ଆସିଥିଲେ । ନବୀନଙ୍କ ପାଇଁ ଅତୁଟ ଭଲ ପାଇବା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛି ବିଜୁ ଜନତା ଦଳ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଲୋକଙ୍କ ଭଲ ପାଇବା  ରିହିଛି । ଚିକିତ୍ସା ପାଇଁ ଜୁନ ୨୦ରେ ମୁମ୍ବାଇ ଯିବା ସମୟରେ ଯେପରି ଲୋକଙ୍କ ଭିଡ଼ ଜମିଥିଲା, ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇ ନବୀନ ଫେରିବା ପରେ ତା’ଠାରୁ ଅଧିକ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଶଂଖ ଭବନରୁ ବିମାନ ବନ୍ଦର, ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ବାଲିଯାତ୍ରାଠାରୁ ଥିଲା ଅଧିକ ଭିଡ଼ । କାହା ଆଖିରେ ଲୁହ ତ କିଏ ପୂଜାର୍ଚ୍ଚନା କରି ନବୀନଙ୍କ ସ୍ବାଗତ ପାଇଁ ଜମା ହୋଇଥିଲେ । ଆର୍ଥ୍ରରାଇଟିସର ସଫଳ ଅସ୍ତ୍ରୋପଚାର ପାଇଁ ସମସ୍ତେ ନବୀନଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଲୋକଙ୍କ ଭଲ ପାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଜୁନ ୨୨ରେ ହୋଇଥିବା ଅପରେସନ ବି ସଫଳ ହୋଇଥିଲା । ଜୁଲାଇ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ତା ପରଠାରୁ ସାରା ରାଜ୍ୟ ନବୀନଙ୍କ ଫେରିବା ବାଟକୁ ଚାହିଁ ବସିଥିଲା । ନବୀନ ଫେରିବା ଖବର ପାଇବା ପରେ ନେତାଙ୍କଠାରୁ ଆରମ୍ଭ ସାଧାରଣ ଜନତା ଧାଇଁଥିଲେ ବିମାନ ବନ୍ଦର । ଟାଣ ଖରା ବି ସେମାନଙ୍କ ମନୋବଳ ଭାଙ୍ଗି ପାରି ନଥିଲା । ନବୀନ ଫେରିବା ମାତ୍ରେ ଜୟଗାନ ସହ ପୁଷ୍ପ ବର୍ଷାରେ ହୋଇଥିଲା ସ୍ବାଗତ । ନବୀନ ଫେରି ପୁଣି ଜନସେବାରେ ଯୋଗ ଦେଉଥିବାରୁ, ଲୋକଙ୍କ ଭିତରେ ଉତ୍ସାହ ଦ୍ବିଗୁଣିତ ଥିଲା ।

ନିଜର ପ୍ରିୟ ନେତାଙ୍କୁ ଦେଖିବାକୁ ସ୍ବତଃପ୍ରବୃତ୍ତ ଭାବେ ଯୋଗ ଦେଇଥିବା ଜନସାଧାରଣ ଖରାକୁ ଖାତିର ନ କରି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ସେଥିପାଇଁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଲୋକଙ୍କୁ କୃତଜ୍ଞତା ଜଣାଇଛି ବିଜେଡି। ଓଡ଼ିଶାକୁ ବିକାଶର ଧାରାକୁ ଆଣିବା ପାଇଁ ନବୀନ ଯେଉଁ ଉଦ୍ୟମ କରିଥିଲେ ସେଥିପାଇଁ ଓଡ଼ିଶାବାସୀଙ୍କ ଭଲ ପାଇବା ରହିଛି । ଆଗକୁ ପୁଣି ନବୀନଙ୍କ ନେତୃତ୍ବରେ ଓଡିଶାବାସୀଙ୍କ ସେବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛି ବିଜେଡି ।

ହସ୍ପିଟାଲ ସମୟରେ ବି ରାଜ୍ୟବାସୀଙ୍କ କଥା ଚିନ୍ତା କରୁଥିଲେ ନବୀନ । ଦଳଚକଟା ପରି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ସୋସିଆଲ ମିଡିଆ ଜରିଆରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁଠି ବି ରହିଲେ, ଜନସେବାକୁ ନବୀନ ଦେଇଛନ୍ତି ପ୍ରାଥମିକତା । ଏହି କାରଣରୁ ଆଜି ବି ସେ ଜନତାଙ୍କ ପ୍ରିୟ ନେତା ହୋଇ ରହିଛନ୍ତି ।

୪୫ ବର୍ଷ ତଳର ନାଟକ ଦେଖିଲେ ଦର୍ଶକ । ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ବାଞ୍ଛାର ବଗିଚା ।

ନନ୍ଦିଘୋଷ ବ୍ୟୁରୋ : ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ବାଞ୍ଛାର ବଗିଚା । ୪୫ ବର୍ଷ ତଳର ନାଟକ ଦେଖିଲେ ଦର୍ଶକ । ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀ କଳାକାରଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ୧୭୭ ଥର ମଞ୍ଚସ୍ଥ ପରେ ବି କମିନି ନାଟକର କ୍ରେଜ୍ । ବାଞ୍ଛାର ସୁନ୍ଦର ବଗିଚା ନେବାକୁ ଜମିଦାର ଛକଡ଼ି ମହାନ୍ତି ବହୁ ଚେଷ୍ଟା କରି ଶେଷରେ ମୃତ୍ୟୁବରଣ କରନ୍ତି । ପୁଅ ନକଡ଼ି ମହାନ୍ତି ବାପାଙ୍କ ଅପୂର୍ଣ୍ଣ ଇଚ୍ଛାକୁ ପୂରଣ କରିବାକୁ ଲାଗିପଡ଼େ । ୯୫ ବର୍ଷର ରୋଗାଗ୍ରସ୍ତ ବାଞ୍ଛାକୁ ପ୍ରଲୋଭିତ କରି ଏକ ଚୁକ୍ତିପତ୍ର କରିନିଏ । ଚୁକ୍ତି ଅନୁସାରେ ବାଞ୍ଛା ବଞ୍ଚିଥିବା ପର୍ଯ୍ୟନ୍ତ ମାସକୁ ୨ଶହ ଟଙ୍କା ପାଇବେ ଓ ମୃତ୍ୟୁ ପରେ ବଗିଚାର ମାଲିକାନା ଜମିଦାର ହାତକୁ ଚାଲିଯିବ । କିନ୍ତୁ ନାତୁଣୀବୋହୂ ପଦ୍ମାଙ୍କ ସେବାରେ ସୁସ୍ଥ ହୋଇ ଉଠନ୍ତି ବାଞ୍ଛା । ଏମିତି ଏକ କାହାଣୀକୁ ନେଇ ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀ କଳାକାରଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମଞ୍ଚସ୍ଥ ହୋଇଥିଲା ନାଟକ ବାଞ୍ଛାର ବଗିଚା । ୯୫ ବର୍ଷ ବୟସରେ ବାଞ୍ଛା ଭୂମିକାରେ ଅଭିନୟ କରୁଥିବା ବୃନ୍ଦାବନ ବାରିକଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା ।

ମନୋଜ ମିତ୍ର ନାଟକର ରଚନା କରିଥିବା ବେଳେ ଓଡ଼ିଆ ଅନୁବାଦ କରିଛନ୍ତି ଧୀର ମଲ୍ଲିକ ଓ ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ବାରିକ । ଏଥିରେ ଧୀର ମଲ୍ଲିକ, ବୃନ୍ଦାବନ ବାରିକ, କାଳୀପ୍ରସନ୍ନ ମଲ୍ଲିକ, ଭାରତ ପଣ୍ଡା, ସକଳେଶ୍ଵର, ସନ୍ତୋଷ, ସୌମ୍ୟ, ହେମନ୍ତ, ନରେନ୍ଦ୍ର, ମନିଦୀପା, ଧାରା ଶ୍ରାବଣୀ, ସଂଗ୍ରାମ, ସରୋଜ, ଜ୍ୟୋତି ପ୍ରମୁଖ ଅଭିନୟ କରିଥିଲେ ।ପ୍ରାୟ ୪୫ ବର୍ଷ ଧରି ଏହି ନାଟକ ସମସ୍ତଙ୍କ ମନ ଜିଣିଥିବା କହିଛନ୍ତି ଶତାବ୍ଦୀର କଳାକାର ।

ଗ୍ରେଟର ବ୍ରହ୍ମପୁର ପାଇଁ ଆଉ ଏକ ପ୍ରୟାସ । BEMCରେ ସାମିଲ ହେବ ସହର ଉପକଣ୍ଠ ୧୩ ପଞ୍ଚାୟତ

ନନ୍ଦିଘୋଷ ବ୍ୟୁରୋ : ଗ୍ରେଟର ବ୍ରହ୍ମପୁର ପାଇଁ ଆଉ ଏକ ପ୍ରୟାସ । BEMCରେ ସାମିଲ ହେବ ୧୩ ପଞ୍ଚାୟତ । କାଉନସିଲ ବୈଠକରେ ପ୍ରସ୍ତାବ ପାରିତ । ସରକାରଙ୍କ ଅନୁମୋଦନକୁ ଅପେକ୍ଷା । କିଛିଦିନ ପୂର୍ବରୁ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହରକୁ ଲାଗି ରହିଥିବା ୧୮ଟି ପଞ୍ଚାୟତର ସରପଞ୍ଚଙ୍କୁ ନେଇ ବୈଠକ କରିଥିଲେ ଉପ-ଜିଲ୍ଲାପାଳ । ୧୩ଟି ପଞ୍ଚାୟତର ସରପଞ୍ଚ ବ୍ରହ୍ମପୁରରେ ମିଶିବାକୁ ସମ୍ମତି ଜଣାଇ ଜିଲ୍ଲା ପ୍ରଶାସନ ନିକଟରେ ରିଜଲ୍ଯୁସନ ପ୍ରଦାନ କରିଥିଲେ । ଏନେଇ କାଉନସିଲ ବୈଠକରେ ଆଲୋଚନା ପରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା । ସରକାର ଏହାକୁ ଅନୁଧ୍ୟାନ କରି ଅନୁମୋଦନ କରିବା ପରେ ଖୁବଶୀଘ୍ର ପୂର୍ଣ୍ଣଙ୍ଗ ବ୍ରହ୍ମପୁରରେ ସାମିଲ ହେବେ ଏହି ୧୩ ପଞ୍ଚାୟତ ।

ରଙ୍ଗେଇଲୁଣ୍ଡା ବ୍ଳକର ୭ଟି ଓ କୁକୁଡ଼ାଖଣ୍ଡି ବ୍ଳକର ୬ଟି ପଞ୍ଚାୟତ ବ୍ରହ୍ମପୁରରେ ସାମିଲ ହେବେ । ରଙ୍ଗେଇଲୁଣ୍ଡା ବ୍ଳକର ଡୁରା, ଗଉଞ୍ଜୁ, ଫୁଲଟା, ସାତକୁଟୁଣି, ଭାବିନୀପୁର, ହଳଦିଆପଦର ଏବଂ ବଡ଼କୁଶସ୍ଥଳୀ ପଞ୍ଚାୟତ ଓ କୁକୁଡ଼ାଖଣ୍ଡି ବ୍ଳକର ଜଗଦଳପୁର, ଲାଠି, ଅନନ୍ତେଇ, ନିମଖଣ୍ଡି, ଆଙ୍କୁଶପୁର ଓ ଦକ୍ଷିଣପୁର ପଞ୍ଚାୟତ ବ୍ରହ୍ମପୁରରେ ସାମିଲ ହେବା ନେଇ ସମ୍ମତି ପ୍ରକାଶ କରିଛନ୍ତି । ବ୍ରହ୍ମପୁରରେ ସାମିଲ ହେବା ନେଇ ରେଜୁଲେସନ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଦାଖଲ କରିଛନ୍ତି । ୨୦୦୮ ରୁ ସହରକୁ ଲାଗି ରହିଥିବା ୧୮ଟି ପଞ୍ଚାୟତକୁ ସାମିଲ କରିବା ନେଇ ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଦାବି କରି ଆସୁଥିଲା । ନିକଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ସହିତ ଏନେଇ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲା କମିଟି ।  ୧୩ଟି ପଞ୍ଚାୟତ BEMCରେ ସାମିଲ ହେଲେ ମୌଳିକ ସମସ୍ୟାର ସମାଧାନ ହେବା ସହ ସହରର ସମସ୍ତ ସୁବିଧା ପାଇପାରିବେ ପଞ୍ଚାୟତ ବାସିନ୍ଦା  ।

ଅପରାଧୀଙ୍କୁ ତ୍ରାହି ନାହିଁ… ରାଉରକେଲାରେ ଆରମ୍ଭ ହେଲେ ଇ-ବିଟ୍ ପାଟ୍ରୋଲିଂ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ : ରାଉରକେଲାରେ ଅପରାଧୀଙ୍କୁ ନାହିଁ ନିସ୍ତାର। ସହରର ୬୪୮ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ । ୧୦୦ ବିଟ କରାଯାଇ କଡ଼ାକଡ଼ି ହେବ ପାଟ୍ରୋଲିଂ । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ  ଆକସନ ମୋଡରେ ପୋଲିସ । ୧୨ଟି ପୋଲିସ ଥାନା ଆରମ୍ଭ ହେଲା ଇ-ବିଟ ପାଟ୍ରୋଲିଙ୍ଗ ସିଷ୍ଟମ । ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସପି ନିତେଶ ୱାଧୱାନୀ ଏହାର ଶୁଭାଶୁଭ କରିଛନ୍ତି । ସହରାଞ୍ଚଳ ପୋଲିସକୁ ଆଧୁନିକୀକରଣ କରିବା, ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି କରିବା ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରାଧୀଙ୍କୁ କାବୁ କରିବାକୁ ଏପରି ପଦକ୍ଷେପ ନିଆଯାଇଛି । ଏହି ସିଷ୍ଟମରେ ଶହେରୁ ଅଧିକ ପୋଲିସ ନିୟୋଜିତ ହେବେ ।

ରାଉରକେଲା ସହରରେ ଥିବା ବିଭିନ୍ନ ଏଟିଏମ୍, ଧାର୍ମିକ ସ୍ଥଳ, ପାର୍କ, ବଜାର, ବରିଷ୍ଠ ନାଗରିକଙ୍କ ଘର ସମେତ ୬୪୮ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି । ପୋଲିସ ପକ୍ଷରୁ ଶହେଟି ବିଟ କରାଯାଇ ଶହେ ଜଣ ପୋଲିସଙ୍କୁ ଦାୟିତ୍ଵ ଦିଆଯାଇଛି । କୁଖ୍ୟାତ ଅପରାଧୀଙ୍କ ଗତିବିଧି ଅନୁଧ୍ୟାନ କରିବା ସ୍ଥାନୀୟ ବାସିନ୍ଦାଙ୍କ ସହିତ ଯୋଗାଯୋଗ କରି ଅପରାଧୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବେ ଅଧିକାରୀ। ପ୍ରତ୍ୟେକ ବିଟ ସ୍ଥାନର ଜିଓ ମ୍ୟାପ ହୋଇଛି । ବିଟ ଅଧିକାରୀ ମାନଙ୍କ ଦ୍ଵାରା ବ୍ଯବହୃତ ମୋବାଇଲ ଆପ ମାଧ୍ୟମରେ ପରିଦର୍ଶନ ଲଗଇନ କରାଯାଇଛି । ବିଟ ଅଧିକାରୀ ମାନଙ୍କ ଲୋକେସନ ଟ୍ରାକିଙ୍ଗ ସହ ଅସମ୍ପୂର୍ଣ୍ଣ ରାଉଣ୍ଡ ପାଇଁ ସ୍ବୟଂ ଚାଳିତ ସତର୍କତା ବ୍ଯବସ୍ଥା ହୋଇଛି । ଆଗାମୀ ଦିନରେ ଅନ୍ୟ ଥାନା ଅଧିନରେ ଏହି ସିଷ୍ଟମ କାର୍ଯ୍ଯକାରୀ କରାଯିବ । ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସିଷ୍ଟମକୁ ସ୍ବାଗତ କରିଛନ୍ତି ସହରବାସୀ  ।

ତୁରକେଲା ବ୍ଲକ ନାଗଫେଣା ଗାଁରେ ଥିବା ଅଶ୍ବତ୍ଥ ଗଛ ମୂଳରୁ ବାହାରୁଛି ନିରନ୍ତର ପାଣି

ନନ୍ଦିଘୋଷ ବ୍ୟୁରୋ : ବିସ୍ତୀର୍ଣ୍ଣ ସବୁଜିମା ପରିବେଶ । ପାଖରେ ବଡ ବଡ଼ ପଥର ଚଟାଣ । ଯେଉଁଥିରେ ପାଦୁକା ସହ ଅନ୍ଯ କଳାକୃତିର ରହିଛି ନିଖୁଣ ଛାପ । ଆଉ ପାଖରେ ଥିବା ପିପ୍ପଳ ବୃକ୍ଷ ତଳୁ ବାହାରୁଛି ଅନର୍ଗଳ ପାଣି । ଜଳଧାରା ଶୁଖିବାର ନାଁ ହିଁ ଧରୁନି । ତୁରେକେଲା ବ୍ଲକ ବଡଡ଼କଲା ପଂଚାୟତର ନାଗଫେଣା ଗାଁରେ ରହିଛି ଏଭଳି ଜଳ ଉତ୍ସ । ନାଗଫେଣା ଗାଁକୁ ପ୍ରବେଶ କରିବା ମାତ୍ରେ ବାମ ପାର୍ଶ୍ୱରେ ଥିବା ଏକ ଜମିରୁ ଦିନ ରାତି ବାହାରୁଛି ପାଣି । ଦୀର୍ଘ ଦଶନ୍ଧିରୁ ଏହି ପାଣି ବାହାରି ବିଲକୁ ବୋହିଯାଉଛି ବୋଲି କହିଛନ୍ତି ଗ୍ରାମବାସୀ ।

ଗଛ ତଳୁ ଏପରି ଜଳଧାର ବୋହୁଥିବା ଦେଖି ଗାଁ ଲୋକେ ଏକ ସିମେଣ୍ଟରେ କୁଣ୍ଡ ତିଆରି କରିଛନ୍ତି । ଏହି କୁଣ୍ଡ ଦେଇ ଏବେ ପାଣି ବାହାରୁଛି । ଏହି ଜଳ ଉତ୍ସ ପାଖରେ ଏକ ଜଗନ୍ନାଥ ମନ୍ଦିର ମଧ୍ୟ ରହିଛି । ତେବେ ଏହି ଜଳ ଉତ୍ସ ସ୍ଥଳକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ଯପଟେ ସରକାରଙ୍କ ପକ୍ଷରୁ ମଧ୍ଯ ଯାହା ହେବ ବ୍ଯବସ୍ଥା କରିବୁ ବୋଲି କହିଛନ୍ତି ବିଡିଓ । ନାଗଫେଣା ଗାଁର ଜଳ ଉତ୍ସ ଉପରେ ପ୍ରଶାସନ କେବେ ଧ୍ଯାନ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଭିନ୍ନ ଏକ ସଂସ୍କୃତିର ମାଆ ବସ୍ତରେନ ଦେବୀଙ୍କ ନିଆରା କୃଷି ଭିତ୍ତିକ ପର୍ବ ଆଷାଢ଼ କେନା ଯାତ୍ରା

ନନ୍ଦିଘୋଷ ବ୍ୟୁରୋ  : ଆଦ୍ଯ ବର୍ଷାର ଭିଜା ମାଟିରେ ବିଭୋର ଚାଷୀ କୂଳ । ହଳଲଙ୍ଗଳ ଧରି କରୁଛନ୍ତି ଜମି ପ୍ରସ୍ତୁତ । ବିଭିନ୍ନ ସ୍ଥାନରେ ଧାନ ମଧ୍ଯ ବୁଣା ସରିଲାଣି । ହେଲେ କଳାହାଣ୍ଡି କୋକସରା ବ୍ଲକ ଟେମରା ଗାଁରେ ରହିଛି ନିଆରା ପରମ୍ପରା । ଗାଁ ଅଧିଷ୍ଠାତ୍ରୀ ଦେବୀ ମାଆ ବସ୍ତରେନ ଦେବୀଙ୍କ କୃଷି ଓ ସଂସ୍କୃତିର ଆଦ୍ୟ ପର୍ବ ଆଷାଢ଼ କେନା ଯାତ୍ରା ପରେ ଚାଷ କାମ ଆରମ୍ଭ ହେବାର ରହିଛି ପରମ୍ପରା । ଆଷାଢ଼ କେନା ଯାତ୍ରା ଏକ କୃଷି ଭିତ୍ତିକ ପର୍ବ l କୃଷି ସଭ୍ୟତା ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଏହି ପ୍ରାଚୀନ ପାର୍ବଣ । ଯେତେବେଳେ ଜଗତର ନାଥ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ବାହୁଡା଼ ଯାତ୍ରା ଶେଷ ହୋଇଯାଏ ତାପରେ ଏହି ଯାତ୍ରାର ଆୟୋଜନ ହୁଏ। ବାହୁଡା ପରର ଶୁକ୍ରବାର ଦିନ ବେଶ ଧୁମଧାମରେ ପାଳନ ହୁଏ ଏହି ଯାତ୍ରା ।

ଆଷାଢ଼ କେନା ଯାତ୍ରା ପଡୋଶୀ ଛତିଶଗଡ ରାଜ୍ୟ ସହିତ ଜଡିତ l ଯାତ୍ରାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ା ରାଜାଙ୍କ ଲାଠି ଯାତ୍ରା ବାହାରି ଗାଁ ଗୌନ୍ତିଆ ଓ ପୂଜକ ଘରକୁ ଆସିଥାଏ l ପରେ ବସ୍ତରେନ୍ ମାଉଳିଙ୍କ ଲାଠି ଯାତ୍ରା ସହିତ ମିଶି ମନ୍ଦିରକୁ ଯାଏ  l ପ୍ରାଥମିକ ପୂଜାର୍ଚ୍ଚନା ପରେ କାଳିଶି ଲାଗିଥାଏ। ଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହୋଇ ମାଆଙ୍କୁ ନିଜର ଦୁଃଖ ଜଣାନ୍ତି l ଶେଷରେ ମାନସିକଧାରୀ ମାନେ ବୋଦା କୁକୁଡ଼ା ବଳି ଦେଇଥାନ୍ତି l ଏହି ଯାତ୍ରା ଦ୍ବାରା ଚାଷ ଭଲ ହେବା ସହ ଗାଁରୁ ରୋଗ ବ୍ୟାଧି ଦୂର ହେବାର ବିଶ୍ବାସ ରହିଛି। ଏହି ଯାତ୍ରା ଅଞ୍ଚଳରେ ଭାଇଚାରା ସୃଷ୍ଟି କରିଥାଏ ତେଣୁ ଏହାକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରନ୍ତି।

ଆକାଶଛୁଆଁ ପରିବା ଦର । ହାଣ୍ଡିଶାଳରୁ ପରିବା ଗାଏବ

ନନ୍ଦିଘୋଷ ବ୍ୟୁରୋ : କନ୍ଦାଉଛି ପରିବା ଦର । ହାଣ୍ଡି ଶାଳରୁ ପରିବା ଗାଏବ । ସୋନପୁରରେ ଆକାଶଛୁଆଁ ଦରଦାମ । ରେକର୍ଡ କଲାଣି ସମସ୍ତ ପରିବା ଦର । ବଜାରରେ କଞ୍ଚାଲଙ୍କା କିଲୋ ୧୨୦ ଟଙ୍କାରେ ପହଞ୍ଚିଥିବା ବେଳେ ଅଦା, ଟମାଟୋ ଦର ୧୨୦ ପାର କରିଛି । ସେହିପରି ବାଇଗଣ ,ପୋଟଳ, କାଙ୍କଡ ଦର ଲୋକଙ୍କ ପକେଟକୁ ବେଶ ବାଧୁଛି ।

ବର୍ତ୍ତମାନ ସାରା ରାଜ୍ଯରେ ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଚାଲୁଥିବା କାରଣରୁ ବାହାର ରାଜ୍ଯରୁ ପନିପରିବା ଆସିପାରୁନାହିଁ । ଫଳରେ ସୋନପୁର ବଜାରରେ ପନିପରିବା ଅଭାବ ହେବା ସହ ବଢୁଛି ପନିପରିବା ଦର । ଯାହାକୁ ନେଇ ଚିନ୍ତାରେ ଖାଉଟି । ଅନ୍ଯପଟେ ଡ୍ରାଇଭର ମାନଙ୍କ ପାଇଁ କିଛି ପରିମାଣରେ ପରିବା ଦର ବଢିଥିଲେ ମଧ୍ଯ ସବୁ ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ସୋନପୁର ଜିଲ୍ଲାରୁ ଉତ୍ପାଦିତ ପନିପରିବା ସାରା ପଶ୍ଚିମ ଓଡିଶାର ଲୋକଙ୍କ ଚାହିଦାକୁ କିଛି ପରିମାଣରେ ପୂରଣ କରିଥାଏ । ହେଲେ ଜିଲ୍ଲାରେ ଉତ୍ପାଦିତ ଫସଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଟିଏ ନାହିଁ । ଫଳରେ ଚାଷୀ ଉତ୍ପାଦନ ସମୟରେ କ୍ଷତି ସହୁଥିବା ବେଳେ ଅନ୍ଯ ସମୟରେ ଖାଉଟି ମହଙ୍ଗାମାଡର ଶିକାର ହେଉଛନ୍ତି । ଆଗାମୀ ଦିନରେ ଦର ନକମିଲେ ଲୋକେ ହଇରାଣ ହେବେ ନିଶ୍ଚୟ

ସକ୍ରିୟ ବାଲି ମାଫିଆ, ନିଷ୍କ୍ରିୟ ପୋଲିସ । ଦିନ ଦ୍ଵିପ୍ରହରେ ବେଧଡକ ଭାବେ ଲୁଟୁଛନ୍ତି ବାଲି ।

ନନ୍ଦିଘୋଷ ବ୍ୟୁରୋ : ମାତିଛନ୍ତି ବାଲି ମାଫିଆ । ବେଧଡକ ଲୁଟୁଛନ୍ତି ବାଲି । ଦିନ ଦ୍ଵିପ୍ରହରେ ଜନବସତି ଅଞ୍ଚଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି କରୁଛନ୍ତି ଚାଲାଣ । ଚୁପ ବସିଛି ପ୍ରଶାସନ ଓ ପୋଲିସ । ଯାଜପୁର ବ୍ଲକ ସିମିଳିଆ ମଇଦପୁର ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କରାଜ । ବୈତରଣୀ ନଦୀର ଶାଖା ବୁଢ଼ା ନଦୀରୁ ବାଲି ଉତ୍ତୋଳନ କରି ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି । ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଦେଉଛନ୍ତି ଧମକ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ରାସ୍ତାଘାଟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀ କରି ପ୍ରତିବାଦ ଜଣାଇଛନ୍ତି  ।

ବୁଢା ନଦୀରୁ ବାଲି ଉତ୍ତୋଳନ କରି ମାଫିଆ ମାନେ ବେଆଇନ ଭାବେ ସ୍ଥାନୀୟ ଜଗନ୍ନାଥ ପଣ୍ଡାଙ୍କ ଜାଗାରେ ଗଚ୍ଛିତ ରଖୁଛନ୍ତି । ପରେ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି । ଯାହାର ପ୍ରତିବାଦ କରି ଜଗନ୍ନାଥଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ । ପରେ ମାଫିଆ ମାନେ ଜଗନ୍ନାଥଙ୍କ ପରିବାକୁ ଧମକଚମକ ହେଇଥିଲେ । ଭୟଭୀତ ହୋଇ ପରିବାର ଲୋକେ ଖଣି ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ଯ ହୋଇ ସେମାନେ ସାମ୍ଵାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

ମାଫିଆ ଦିନ ଦ୍ଵିପ୍ରହରେ ବେଆଇନ ବାଲି ଚାଲାଣ କରୁଛନ୍ତି ହେଲେ ପ୍ରଶାସନ ଚୁପ କଣ ପାଇଁ ? ମାଫିଆଙ୍କ ପ୍ରତି ପ୍ରଶାସନର ଅହେତୁକ ଅନୁକମ୍ପା କାହିଁକି ? ମାଫିଆ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତରାରେ ଚାଲୁଛି କି ବାଲି ଉତ୍ତୋଳନ ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଖୁବଶୀଘ୍ର ବାଲି ଉତ୍ତୋଳନ ବନ୍ଦ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଋଣ ଟଙ୍କା ସୁଝି ନପାରି ମୁଣ୍ଡଳି ସ୍ଥିତ ମହାନଦୀକୁ ଡେଇଁଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ :  ଋଣ ସୁଝି ନପାରି ନଦୀକୁ ଡେଇଁ ଆତ୍ମହତ୍ୟା। ଋଣ ନ ସୁଝି ପାରିବାରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। କଟକ ମୁଣ୍ଡଳୀ ନିକଟସ୍ଥ ମହାନଦୀ ବ୍ରିଜ ଉପରେ ଘଟିଛି ଏ ଘଟଣା। ଆତ୍ମହତ୍ୟା କରିଥିବା ଯୁବକଙ୍କ ଘର ସିଡ଼ିଏ ସେକ୍ଟର ୧୦ ମର୍କତ ନଗର ଅଞ୍ଚଳରେ। ତାଙ୍କ ନାମ ହେମନ୍ତ ସାହୁ ବୋଲି ଜଣାପଡ଼ିଛି। ହେମନ୍ତ ଧୂପକାଠି ବ୍ୟବସାୟ କର ପରିବାର ଗୁଜୁରାଣ କରୁଥିଲେ।  ବ୍ୟାଙ୍କ କର୍ମଚାରୀ ଟଙ୍କା ମାଗିଥିଲେ। ହେଲେ ହେମନ୍ତ ଟଙ୍କା ନଦେଇ ପାରିବାରୁ ବ୍ୟାଙ୍କ କର୍ମଚାରୀମାନେ ତାଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ସେ ଲୋକଲଜ୍ଜା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଗାଡ଼ିକୁ ଜବତ କରି ଖୋଜା ଖୋଜି ଜାରି ରଖିଛି।

ମୁମ୍ଵାଇରୁ ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁମ୍ଵାଇରୁ ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ଵର ବିମାନ ବନ୍ଦରରେ ଭରପୂର ସ୍ଵାଗତ ଜଣାଇଛନ୍ତି ବିଜେଡି ନେତା ଓ କର୍ମୀମାନେ । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କର୍ମୀ, ନେତା ଓ ଜନତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସାରା ରାଜ୍ୟବାସୀ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଜୁନ ୨୨ ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳତାର ସହ ହୋଇଥିଲା ନବୀନ ପଟ୍ଟନାୟକଙ୍କର ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ। ଏଥିପାଇଁ ସେ ଜୁନ୍ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ । ନବୀନଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପ୍ରଚାର କରିଥିଲେ । ଗତ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ସାରା ରାଜ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଥିଲା । ଓଡ଼ିଶାବାସୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁସ୍ଥତା କାମନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସିଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷ ଭାବରେ ନବୀନଙ୍କୁ ଦେଖନ୍ତି ଓଡ଼ିଶାବାସୀ ।  ଏହି ମହାନ ବ୍ୟକ୍ତିତ୍ବଙ୍କ ସୁସ୍ଥତା ଖବର ଶୁଣି ରାଜ୍ୟବାସୀ ଖୁସି ହୋଇଛନ୍ତି  ।