spot_img
Home Blog Page 6742

କରୋନା, ଆମେରିକା-ଚୀନ୍ ବିବାଦ ପାଇଁ ମହଙ୍ଗା ହେଉଛି ଆପଣଙ୍କ ସୁନା !

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାର ମଜବୁତ୍ ହେବା କାରଣରୁ ସୁନା ଦର୍ ରେକର୍ଡ ଭାଙ୍ଗିଛି । ଫ୍ୟୁଚର ବଜାରରେ ସୁନା ଦର ୧୦ଗ୍ରାମ ପ୍ରତି ୫୧,୮୩୩ଟଙ୍କା ରହିଛି । ଏହାସହ ରୂପା ଦର ମଧ୍ୟ ବଢି କିଲୋଗ୍ରାମ ପ୍ରତି ୬୪, ୮୯୬ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଯଦିଓ  ବଜାରରେ ସୁନା ଦର ୫୧ହଜାର ତଳେ ରହିଛି ।

ମଲ୍ଟି କମେଡିଟି ଏକ୍ସଚେଞ୍ଜରେ ସୁନା ୭୮୫ ଟଙ୍କା ବୃଦ୍ଧି ପାଇ ସୋମବାର ୧୦ ଗ୍ରାମ ପିଛା ୫୧,୮୨୦ ଟଙ୍କାରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଅଗଷ୍ଟରେ ସୁନା ଫ୍ୟୁଚର ଡିଲ୍ ଅର୍ଥାତ୍ ଅଗଷ୍ଟରେ ୧୦ ଗ୍ରାମ ପିଛା ୫୧,୮୩୩ ଟଙ୍କାରେ ରେକର୍ଡ କରାଯାଇଛି । ସେହିଭଳି ସେପ୍ଟେମ୍ବରରେ ରୂପା ଫ୍ୟୁଚର ୩,୫୪୭ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମରେ ୬୪,୭୭୦ ଟଙ୍କା ହୋଇଛି ।

ସ୍ପଟ୍ ବଜାର ହାର

ସୋମବାର ଦିନ ୨୪ କ୍ୟାରେଟ୍ ସୁନା ଦର ଦିଲ୍ଲୀର ସ୍ପଟ୍ ବଜାରରେ ୧୦ ଗ୍ରାମ ପିଛା ୫୦,୯୨୦ ଟଙ୍କା, ଚେନ୍ନାଇରେ ୧୦ ଗ୍ରାମ ପିଛା ୫୩,୪୯୦ ଟଙ୍କା ଏବଂ ମୁମ୍ବାଇରେ ୧୦ ଗ୍ରାମ ପିଛା ୫୦,୯୨୦ ଟଙ୍କା ଥିଲା।

ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ବଢୁଛି । ତେଣୁ କରୋନା ସଙ୍କଟ ବଢୁଥିବାରୁ ନିବେଶକମାନେ ଏହି ସ୍ୱଳ୍ପ ବିପଦପୂର୍ଣ୍ଣ ମୂଲ୍ୟବାନ ଧାତୁରେ ବିନିଯୋଗ କରିବାକୁ ଆକର୍ଷିତ ହୋଇଛନ୍ତି । କମେକ୍ସ ଉପରେ ସୁନା ୦.୪ ପ୍ରତିଶତ ଗତିରେ ୧,୯୦୪ ଡଲାର ପ୍ରତି ଅଂଶରେ କାରବାର କରିଥିଲା ​ । ସେହିଭଳି ସ୍ପଟ୍ ସୁନା ୧.୫ ପ୍ରତିଶତ ବୃଦ୍ଧି ପାଇ ୧୯୨୮ ଡଲାର ପ୍ରତି ଅଂଶରେ କାରବାର କରିଥିଲା।

କ’ଣ କହୁଛନ୍ତି ବିଶେଷଜ୍ଞ ?

ନିକଟ ଭବିଷ୍ୟତରେ ସୁନା ଦର କଣ ରହିବ ସେ ସମ୍ପର୍କରେ ବିଶେଷଜ୍ଞ କହୁଛନ୍ତି ଯେ,  ଏହି ମୂଲ୍ୟବାନ ଧାତୁଗୁଡ଼ିକରେ ମୁଲ୍ୟବୃଦ୍ଧି ଆଗକୁ ଆହୁରି  ଜାରି ରହିବ । ସୁନା ବହୁଶିଘ୍ର ୫୨,୫୦୦ ଏବଂ ରୂପା ୬୬,୦୦୦ ସ୍ତରକୁ ଅତିକ୍ରମ କରିପାରେ ।

କରୋନା ଭୟ: ବେଡ଼ରୁ ତଳକୁ ପଡି ସଂକ୍ରମିତଙ୍କ ପ୍ରାଣ ଗଲା,ହସ୍ପିଟାଲ ଷ୍ଟାଫ୍ ଛୁଇଁବାକୁ ଡରିଲେ !

ହାଇଦ୍ରାବାଦ: କରୋନା ରୋଗୀଙ୍କ ଅଭାବନୀୟ ମୃତ୍ୟୁ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମିଳିଥିବା ସୂଚନା ଅନୁସାରେ କରିମନଗରର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ବୃଦ୍ଧ ରୋଗୀଙ୍କ ବେଡରୁ ପଡ଼ିବା ପରେ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଯେ, ବେଡରୁ ତଳେ ପଡ଼ିବା ପରେ ସଂକ୍ରମଣ ଡରରେ କେହି ବି ତାଙ୍କ ନିକଟକୁ ସାହାଯ୍ୟ କରିବାକୁ ଆସି ନଥିଲେ । କହିରଖୁଛୁ ଯେ, ରୋଗୀକୁ ୨୨ଜୁଲାଇରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

କୁହାଯାଉଛି ଯେ, ୭୦ବର୍ଷିୟ ଏହି ରୋଗୀ ଜଣଙ୍କ ଗଙ୍ଗାଧର ନଗରରେ ରୁହନ୍ତି । ତାଙ୍କୁ କିଛି ଦିନ ହେବ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା ଯାହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା  ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ରୋଗୀକୁ ହସ୍ପିଟାଲରେ ଅକ୍ସିଜେନ ଦିଆଯାଇ ରଖାଯାଇଥିଲା । ରବିବାର ଦିନ ବୃଦ୍ଧ ଜଣଙ୍କ ବେଡରୁ ଖସି ତଳେ ପଡ଼ି ଯାଇଥିଲେ ଯାହା ଫଳରେ ତାଙ୍କଠାରେ ଲାଗିଥିବା ଅକ୍ସିଜେନ ସପ୍ଲାଏ ବନ୍ଦ ହୋଇଯାଇଥିଲା । ଏହି କରାଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।


ସେହି ୱାର୍ଡର ଆଉ ଜଣେ ରୋଗୀଙ୍କ ଅଭିଯୋଗ  ଯେ, ୭୦ବର୍ଷିୟ ବୃଦ୍ଧଙ୍କ ବେଡରୁ ପଡ଼ିବା ଖବର ତୁରନ୍ତ ହସ୍ପିଟାଲ କର୍ମଚାରୀଙ୍କୁ ଦିଆଯାଇଥିଲା  । ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଣଦେଖା କରିଥିଲେ ଏବଂ ରୋଗୀଟି ସେଠାରେ ପଡ଼ି ଛଟପଟ ହୋଇଥିଲେ ।  ସଂକ୍ରମଣ ଡରରେ ହସ୍ପିଟାଲ ପକ୍ଷରୁ କେହି ବି ତାଙ୍କୁ ସାହାଯ୍ୟ କରି ନଥିଲେ ଏବଂ ବୃଦ୍ଧ ଜଣଙ୍କ ସେଠାରେ ହିଁ ମୃତ୍ୟୁବରଣ କରିଥିଲେ ।

ସୋସିଆଲ ମିଡ଼ିଆରେ ସଂକ୍ରମିତ ଜଣଙ୍କ ବେଡରୁ ଖସି ତଳେ ପଡ଼ିଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏଥିରେ ହସ୍ପିଟାଲର ପ୍ରଶାସନର ଅବହେଳା ସ୍ପଷ୍ଟ ଜଣା ପଡ଼ିଛି । ହସ୍ପିଟାଲର ପ୍ରଶାସନ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିବା ସହ ଏହି ଦୁଃଖଦ ଘଟଣା ପଛର କାରଣ ମେଡିକାଲ ଷ୍ଟାଫଙ୍କ ସଂଖ୍ୟା କମ ବୋଲି କହିଛି ।

ଏହି ତାମିଲ ଅଭିନେତ୍ରୀ କଲେ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ସାଉଥ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ବିଜୟଲକ୍ଷ୍ମୀ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ ବିଜୟଲକ୍ଷ୍ମୀ କହିଥିଲେ ଯେ, କିଛି ସମୟ ମଧ୍ୟ ସେ ତାଙ୍କର ମୃତ୍ୟୁ ହେବ । ଏହାପୂର୍ବରୁ ଅଭିନେତ୍ରୀ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ବହୁତ ହଇରାଣ କରାଯାଉଛି, ଯେଉଁଥିପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଫେସବୁକରେ ଏକ ଭିଡିଓ ପୋଷ୍ଟରେ ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଏହା ତାଙ୍କର ଶେଷ ଭିଡିଓ। ଗତ ଚାରିମାସ ଧରି, ସେ ସିମନ ଓ ତାଙ୍କ ପାର୍ଟିର ଲୋକମାନଙ୍କ ଯୋଗୁଁ ଅବସାଦଗ୍ରସ୍ଥ ହୋଇଥିଲେ । ନିଜ ପରିବାର ପାଇଁ ଜୀବନ୍ତ ରହିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଆଉ କଷ୍ଟ ସହିପାରୁନାହାନ୍ତି ବୋଲି ସେ କହିଛନ୍ତି । ସିମନ ଓ ହରି ନାଦର ତାଙ୍କୁ ବହୁତ ଅପମାନିତ କରିଛନ୍ତି ବୋଲି ବିଜୟଲକ୍ଷ୍ମୀ ସ୍ପଷ୍ଟ କରିଛନ୍ତି । “ସେ ରକ୍ତଚାପର ବଟିକା ଖାଇଥିଲେ ଓ କିଛି ସମୟ ମଧ୍ୟରେ, ତାଙ୍କର ରକ୍ତଚାପ ସଂପୂର୍ଣ୍ଣ ହ୍ରାସ ହେବା ସହ ତାଙ୍କର ମୃତ୍ୟୁ ହେବ” । ତାଙ୍କ ମୃତ୍ୟୁ, ଲୋକଙ୍କ ପାଇଁ ଏକ ଉଦାହରଣ ହେବା ଉଚିତ । ଏବଂ ସେ ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି ଯେ, ହରି ନାଦରଙ୍କ ଭଳି ଲୋକଙ୍କୁ ଉଚିତ ଶିକ୍ଷା ମିଳିବା ଜରୁରୀ ।  ଅଭିନେତ୍ରୀଙ୍କ ମାନସିକ ସ୍ତରରେ ଶୋଷଣ କରିଥିବାରୁ ତାଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ।

 

ଟେକ୍ ଅଫ୍ କଲା ରାଫେଲ,୨୯ରେ ଭାରତରେ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ମାଟିରୁ ଟେକ୍ ଅଫ୍ କରିଛି ରାଫେଲ । ଆକାଶରେ ଏବେ ରାଫେଲ । ଭାରତ ମୁହାଁ ରାଫେଲ । ସୋମବାର ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ରେ ଫ୍ରାନ୍ସର ମେରିଗ୍ନାକ୍ ଏୟାରବେସରୁ ୫ ରାଫେଲ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରିଥିଲେ । ୨୯ ତାରିଖ ଅର୍ଥାତ ବୁଧବାର ଦିନ ଏହି ୫ ଫାଇଟର ପ୍ଲେନ୍ ଅମ୍ବାଲା ଏୟାରବେସର ଲ୍ୟାଣ୍ଡିଂ କରିବେ । ଭାରତରେ ପହଂଚିବା ପୂର୍ବରୁ ସମସ୍ତ ୫ ବିମାନ UAEର ଆବୁଧାବି ନିକଟରେ ଥିବା ଅଲ ଦ୍ରଫା ଫରାସୀ ବିମାନ ଘାଟିରେ ଅଟକିବେ । ସେଠାରୁ ଏହି ୫ ବିମାନ ଅମ୍ବାଲା ଆସିବେ । ଫ୍ରାନ୍ସରୁ କିଣା ଯାଇଥିବା ୫ ରାଫେଲ ମଧ୍ୟରେ ଦୁଇଟି ଟ୍ରେନର ଏୟାରକ୍ରାଫ୍ଟ ସାମିଲ ଅଛନ୍ତି ।  ବାକି ତିନି ଯୁଦ୍ଧ ବିମାନ ।

ରାଫେଲ ବଢାଇବ ଚୀନ୍ ଚିନ୍ତା !

ଲଦାଖରେ ଭାରତ ଚୀନ୍ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନର ବିସ୍ତାରବାଦୀ ନୀତିକୁ ଭାରତ ଯବାବ ଦେଉଥିବା ବେଳେ ଡ୍ରାଗାନ ତାର ମିଲିଟାରି ମଶଲ ଦେଖାଇ ଭାରତକୁ ଡରାଇବାକୁ ଚାହୁଁଛି । ଏମିତିରେ ରାଫେଲ ବାୟୁସେନାରେ ସାମିଲ ହେବା ଡ୍ରାଗନକୁ ନିଶ୍ଚୟ ଡରାଉଥିବ । କାରଣ ରାଫେଲ ଫିଫ୍ଥ ଜେନେରେସନର ଏମିତି ଯୁଦ୍ଧ ବିମାନ ଯାହାର ଯବାବ ଚୀନ୍ ପାଖରେ ମଧ୍ୟ ନାହିଁ । ଭାରତ ତା’ର ବାୟୁ ଶକ୍ତି କ୍ଷମତା ବଢାଇବାକୁ ନେଇ ଚୀନ ଅସନ୍ତୁଷ୍ଠ ଅଛି । ଏମିତିରେ ରାଫେଲ ଡ୍ରାଗନର ଚିନ୍ତାକୁ ଆହୁରି ବଢାଇ ଦେବ ।

ବାୟୁସେନା ରାଫେଲରେ ୬୦ କିଲୋମିଟର ପର୍ଯ୍ୟନ୍ତ  ଆକାଶରୁ ମାଟିକୁ ଲକ୍ଷ୍ୟଭେଦ କରି ପାରୁଥିବା କ୍ଷେପଣାସ୍ତ୍ର ଲଗାଇବା ପାଇଁ ଚିନ୍ତା କରୁଛି । ବାୟୁସେନା ଏବେ ମଧ୍ୟମ ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମୋଡ୍ୟୁଲାର ଅସ୍ତ୍ର ପ୍ରଣାଳୀ ହାମର କିଣିବା ଉପରେ ବିଚାର କରୁଛି । ହାମର ମିଶାଇଲକୁ ଏକ ଫରାସୀ କଂପାନୀ ତିଆରି କରିଛି । ସାଫରାନ୍ ଦ୍ୱାର ବିକଶିତ ଏହି ମିଶାଇଲର ଲକ୍ଷ୍ୟଭେଦ ଶକ୍ତି ସଠିକ । ଏହି ମିଶାଇଲକୁ ଫରାସୀ ନୌସେନା ଓ ବାୟୁସେନା ପାଇଁ ବିକଶିତ କରାଯାଇଥିଲା । ଏବେ ଭାରତ ଏହାକୁ ନିଜ ବାୟୁସେନାରେ ସାମିଲ କରିବାକୁ ଚାହୁଁଛି ।

ଚୀନ ସହ ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ସେନା ପାଇଁ ଆବଶ୍ୟକ ଉପକରଣ କ୍ରୟ କରିବା ପାଇଁ ୩୦୦ କୋଟି କେବଳ ଜୁଲାଇ ମାସରେ ମଂଜୁର କରିଥିଲେ ।  ଭାରତ ୫୮ ହଜାର କୋଟି ଟଙ୍କା ଦେଇ ୩୬ ରାଫେଲ କିଣିବା ପାଇଁ ସେପ୍ଟେମ୍ବର ୨୦୧୬ରେ ଫ୍ରାନ୍ସ ସହ ଚୁକ୍ତି କରିଥିଲା । ଏହି ୩୬ ବିମାନ ମଧ୍ୟରୁ ୩୦ ଯୁଦ୍ଧ ବିମାନ ହୋଇଥିବା ବେଳେ ୬ ପ୍ରଶିକ୍ଷଣ ବିମାନ ।

ମୋବାଇଲ ଭ୍ୟାନ୍ ଦ୍ୱାରା କରୋନା ଟେଷ୍ଟ୍ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । କିଛି ସ୍ଥାନରେ କରୋନା ଟେଷ୍ଟିଂକୁ ନେଇ ବିଭିନ୍ନ ପ୍ରକାରର ଅସୁବିଧା ରହିଛି । ସେଥିପାଇଁ ଲୋକେ ଟେଷ୍ଟ କରିପାରୁ ନାହାନ୍ତି । ସେଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲାଯାଇ କୋରନା ଟେଷ୍ଟିଂ ଲାଗି ପ୍ରସ୍ତାଵ ରହିଛି । ଏବେ ଗଞ୍ଜାମରେ ମୋବାଇଲ ଭ୍ୟାନ ମାଧ୍ୟମରେ ଆଣ୍ଟିଜେନ ଟେଷ୍ଟ ହେଉଛି । ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । କୋରନାର ସ୍ଥିତି ବର୍ତ୍ତମାନ  ରାଜ୍ୟରେ ପିକରେ ରହିଛି ।

ଆଗକୁ ବଢିବ କି କମିବ ତାହା କହିହେବ ନାହିଁ । ତେଣୁ ତିନୋଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ପ୍ରତିଦିନ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛି । ତେଣୁ ଏସବୁ ଜିଲାରେ ଅଧିକ ଆକ୍ରନ୍ତ ହେଉଥିବାରୁ ସଂଖ୍ୟା ବଡୁଛି । ଏସବୁ ଜିଲ୍ଲାରେ କରୋନା ସଂକ୍ରମଣ କମିଲେ ରାଜ୍ୟରେ ବି କମିବ ବୋଲି ବିଶ୍ୱାଷ ରହିଛି ।  ସେରୋ ସର୍ଭିଲାନ୍ସ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଦୈନିକ ୧୫୦୦୦ କରୋନା ଟେଷ୍ଟ କରିବାକୁ କୁହାଯାଇଛି । ICMR ମଧ୍ୟ ଟେଷ୍ଟ ବଢାଇବ ବୋଲି ନିଷ୍ପତ୍ତି ନେଇଛି ।

ସେ ଅନୁସାରେ ରାଜ୍ୟ ସରକାର ବି ଟେଷ୍ଟ ବଢାଇବେ । ତେବେ କରୋନା ରୋଗୀଙ୍କ ବିଭିନ୍ନ ରୋଗ ଥିବାରୁ ମୃତ୍ୟୁ ହେଉଛି । ଖୁବଶୀଘ୍ର ଆଇଏଲଏସ ଆଣ୍ଟି ଡ୍ରଗ୍ସ ପରିକ୍ଷା ଲାଗି ଏକ sop ଆଣୁଛି । ସେଇ ଅନୁସାରେ  ଅଗଷ୍ଟରେ ଏହା ଆରମ୍ଭ ହେବ ବୋଲି ଆଇଏଲସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

(ରିପୋର୍ଟ: ଚିନ୍ମୟ ମହାପାତ୍ର)

୧୩୦ କୋଟି ଲୋକଙ୍କ ପାଖରେ କରୋନା ଭ୍ୟାକ୍ସିନ ପହଂଚିବ କେମିତି ? ଏବେଠାରୁ ଆରମ୍ଭ ହେଲାଣି ପ୍ଲାନିଂ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ଟିକାକୁ ଅପେକ୍ଷା କରିଛି । ଏବେ ବିଶ୍ୱରେ ୧୪୦ ଟି ଟିକା ଉପରେ କାମ ଚାଲିଛି। ଏଥିମଧ୍ୟରୁ ୨୩ଟି ଟିକା ଏମିତି ରହିଛି ଯାହାର କ୍ଲିନିକାଲ ଟ୍ରାଏଲ୍ ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକା ଆସିବା ନେଇ ଆଶା କରାଯାଇଛି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଭ୍ୟାକ୍ସିନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ପହଞ୍ଚିବା ସହଜ ହେବ ନାହିଁ। ତେଣୁ ଦେଶର ପ୍ରତ୍ୟେକ କୋଣ ପ୍ରତିକୋଣରେ କରୋନା ଟିକା ପହଞ୍ଚାଇବାକୁ ସରକାର ଯୋଜନା ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ ସରକାର ବିଭିନ୍ନ ସ୍ତରରେ ଅନେକ ଏଜେନ୍ସି ସହ କଥା ହେଉଛନ୍ତି ।

ଭାରତୀୟ ଅଧିକାରୀମାନେ ଲଜିଷ୍ଟିକ୍ସ ଏବଂ ଭ୍ୟାକ୍ସିନ୍ ଯୋଗାଣ ଉପରେ ଆଲୋଚନା ଆରମ୍ଭ କରିସାରିଛନ୍ତି। ଏହି ଆଲୋଚନାରେ ଅନେକ ମନ୍ତ୍ରଣାଳୟ ଏବଂ ଅଧିକାରୀମାନେ ସାମିଲ ହୋଇଥିଲେ। ଆସନ୍ତା ବର୍ଷ ଆରମ୍ଭରେ ଟିକା ଆସିବ ବୋଲି ଆଶା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ଟିକା ବଣ୍ଟନ ନେଇ ଦୁଇଟି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସପ୍ତାହରେ ଏନେଇ ଅଧିକ ଆଲୋଚନା ହେବ । ଏବେ ଭ୍ୟାକ୍ସିନ୍ ନେଇ ବିଚାର ବିମର୍ଶ ଆରମ୍ଭ ହୋଇସାରିଛି। ଉତ୍ତର ପୂର୍ବ ଭାରତର କିଛି ଅଞ୍ଚଳରେ ଅଧିକ ପରିମାଣର ଶୀତଳ ଭଣ୍ଡାର ସୁବିଧା ପ୍ରସ୍ତୁତ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଭ୍ୟାକ୍ସିନ୍ କେବଳ ସରକାରୀ ଡାକ୍ତରଖାନା ଜରିଆରେ ଦିଆଯିବ ନା ଏହା ଘରୋଇ ଡାକ୍ତରଖାନାରେ ମଧ୍ୟ ସାମିଲ ହେବା ଆବଶ୍ୟକ, ଏନେଇ ଚର୍ଚ୍ଚା ଚାଲିଛି । କେବଳ ସେତିକି ନୁହେଁ  ଭ୍ୟାକ୍ସିନ୍ ପ୍ରଥମେ ଫ୍ରଣ୍ଟଲାଇନ୍ ହେଲଥ୍ କେୟାର କର୍ମଚାରୀଙ୍କୁ ଦିଆଯିବ ନା ବୟସ୍କ ଲୋକଙ୍କୁ ଦିଆଯିବ, ଏହି ପ୍ରସଙ୍ଗ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।

ଡିଜିଟାଲ ଷ୍ଟ୍ରାଇକ୍ ୨.୦ : ପୁଣି ୪୭ ଚାଇନା ଆପ୍ ବ୍ୟାନ୍, ଏହାସହ ଆଗକୁ ଲିଷ୍ଟରେ ଆଉ ୨୭୫ ଚାଇନା ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନ କମ୍ପାନୀ ବିରୋଧରେ ପୁଣି ଥରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ଭାରତ ସରକାର ଚୀନର ଆଉ ୪୭ ଆପକୁ ବ୍ୟାନ୍ କରିଛନ୍ତି । ଏହାକୁ ଚୀନ ସରକାର ଉପରେ ମୋଦି ସରକାରଙ୍କ ଦ୍ୱିତୀୟ ଡିଜିଟାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି । ତେବେ ସୂଚନା ଅନୁସାରେ ଏହି ୪୭ଟି ଆପ୍  ପୂର୍ବରୁ ବ୍ୟାନ ହୋଇଥିବା ୫୯ ଆପକୁ କ୍ଲିନିଂ କରୁଥିଲେ । ଉଦାହରଣ ସ୍ୱରୂପ ଚୀନ ଆପ ଟିକଟକ୍ ବ୍ୟାନ ହେବା ପରେ ଟିକଟକ୍ ଲାଇଟ୍ ନାଁରେ ଉପସ୍ଥିତ ଥିଲା । ଯଦିଓ ଏହା ପୂର୍ବରୁ କେନ୍ଦ୍ର ସରକାର ଚୀନର ୫୯ ଆପ ବ୍ୟାନ କରିଦେଇଥିଲେ । ଯେଉଁଥିରେ ଟିକଟକ୍, ସେୟାରଇଟ୍, କ୍ୟାମସ୍କାନର ଭଳି ବହୁ ଲୋକପ୍ରିୟ ଆପ ସାମିଲ ଥିଲା । ଏହା ବ୍ୟତୀତ ଜଣାପଡ଼ିଛି  ଯେ, ସରକାର ୨୭୫ ଅନ୍ୟ ଆପର ଲିଷ୍ଟ ପ୍ରସ୍ତୁତ କରିଛନ୍ତି ।

ତାଲିକାରେ ଥିବା ଏହିସବୁ ଆପ  ରାଷ୍ଟ୍ରୀୟ ସୁରକ୍ଷା ଏବଂ ଉପଭୋକ୍ତାଙ୍କ ପ୍ରାଇଭେସି ପାଇଁ ବିପଦ ସୃଷ୍ଟି କରିବ କି ନାହିଁ ତାକୁ ନେଇ  ସରକାର ବିଶ୍ଳେଷଣ କରୁଛନ୍ତି । ସୂଚନା ଅନୁସାରେ ଯେଉଁ କମ୍ପାନୀର ସର୍ଭର ଚୀନରେ ରହିଛି ତାହା ଉପରେ ପ୍ରଥମେ ରୋକ ଲଗାଇବାକୁ ପ୍ରୟାସ ଚାଲିଛି ।

ସୂଚନା ଅନୁସାରେ ପ୍ରସ୍ତୁତ ହେଉଥିବା ଲିଷ୍ଟରେ Xiaomi ଦ୍ୱାରା ପ୍ରସ୍ତୁତ Zili ଆପ୍, ଇ-କମର୍ସ Alibabaର Aliexpress ଆପ୍ , Resso ଆପ୍ ଏବଂ Bytedance ର ULike ଆପ୍ ସାମିଲ ରହିଛି ।  ସରକାର ଏହି ସବୁ ୨୭୫ ଆପକୁ ବା ଏମାନଙ୍କ ଭିତରୁ ଗୋଟିଏ ଆପକୁ ବ୍ୟାନ କରିପାରନ୍ତି । ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କିଛି ଆପ ରାଷ୍ଟ୍ରୀୟ ସୁରାକ୍ଷା ପାଇଁ ବିପଦପୂର୍ଣ୍ଣ ଅଟେ । ଏହାସବ କିଛି ଆପ ଡାଟା ସେୟାରିଂ ଏବଂ ବ୍ୟକ୍ତିଗତ ନିୟମକୁ ଉଲ୍ଲଂଘନ କରୁଛି ।

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର: କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ମଧ୍ୟ ମହିଳାମାନେ ଅସୁରକ୍ଷିତ । କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ମହିଳାଙ୍କୁ ଦୁଷ୍କର୍ମର ଅଭିଯୋଗ ହୋଇଛି । ବାଲେଶ୍ୱର ବାଲିଆପାଳ ଥାନା ବାଲିକୁଟୀ ପଞ୍ଚାୟତର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ମହିଳାଙ୍କୁ ସଫେଇ କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ: କରୋନା ସଂକ୍ରମଣ ପାଇଁ ସବୁ ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି । ବାହାରୁ ଆସୁଥିବା ପ୍ରବାସୀ ମାନେ ଏହି ସେଣ୍ଟରରେ ରହିବେ । ତେବେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ଦିଅରଙ୍କ ସହ ହାଇଦ୍ରାବାଦରୁ ଚାରିଦିନ ପୂର୍ବରୁ ଗାଁକୁ ଆସିଥିଲେ । ଏହାପରେ ଗାଇଡଲାଇନ୍ ଅନୁସାରେ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ତେବେ ଗତକାଲି ରାତିରେ କ୍ୱାରେଣ୍ଟାଇନ ସେଣ୍ଟରରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଯୁବକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଏହା ପ୍ରଥମ ଥର ପାଇଁ ହୋଇନାହିଁ, ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି ।

IAS ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର, ଅନୁ ଗର୍ଗ ଜଳ ସମ୍ପଦ ସଚିବ

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୭ ବ୍ୟାଚ୍‍ ଆଇଏଏସ୍‍ ରାଜକୁମାର ଶର୍ମାଙ୍କୁ  କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।  ଶର୍ମା ପ୍ରଥମେ ଇସ୍ପାତ ଓ ଖଣି ବିଭାଗର ମୁଖ୍ୟ ସଚିବ ଥିଲେ । ୧୯୯୧ ବ୍ୟାଚ୍‍ ଆଇଏଏସ୍‍ ଅନୁ ଗର୍ଗ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ।  ଅନୁ ଗର୍ଗ ପ୍ରଥମେ ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୂଖ ସଚିବ ଥିଲେ ।ଏଥିସହ ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିପରି ୧୯୯୧ ବ୍ୟାଚ୍‍ ଆଇଏଏସ୍‍ ସତ୍ୟବ୍ରତ ସାହୁ ଏମଏସଏମଇ ସହ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ ତୁଲାଇବେ ପୂର୍ବରୁ ସେ ଏମ୍ଏସ୍ଏମ୍ଇର ପ୍ରମୂଖ ସଚିବ ରହିଛନ୍ତି ।

୧୯୯୩ ବ୍ୟାଚ୍‍ ଆଇଏଏସ୍‍ ସୁରେନ୍ଦ୍ର କୁମାର ଷ୍ଟିଲ୍ ଓ ମାଇନ୍‌ସ ପ୍ରମୁଖ ସଚିବ ସହ ସିଡିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ପୂର୍ବରୁ ଜଳସମ୍ପଦ ବିଭାଗର ପ୍ରମୂଖ ସଚିବ ଥିଲେ । ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଚିତ୍ରା ଅରୁମୁଗମ୍ ଶ୍ରମ ଓ ଇଏସଆଇର ପ୍ରମୁଖ ସଚିବ ହୋଇଛନ୍ତି ।

କୋଭିଡ-୧୯ ସଠିକ ଖବର ପରିବେଷଣ କରିବାରେ ଓଡିଶା ଆଗୁଆ, ଆମେରିକା ବିଶ୍ୱବିଦ୍ୟାଳୟ ରିପୋର୍ଟ କ‘ଣ କହୁଛି ଜାଣନ୍ତୁ..

ଭୁବନେଶ୍ୱର: କୋଭିଡ-୧୯ ସଠିକ ରିପୋର୍ଟିଂରେ ଶ୍ରେଷ୍ଠ ୩ ଭାରତୀୟ ରାଜ୍ୟ ମଧ୍ୟରେ ଓଡିଶା । ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ଟେକ୍ ଇଣ୍ଡଷ୍ଟ୍ରି ଏବଂ ସ୍ୱିଜରଲାଣ୍ଡର ଏରୋଜଲ ଇଣ୍ଟଷ୍ଟ୍ରି ପକ୍ଷରୁ କୋଭିଡ ୧୯କୁ ନେଇ ଏକ ସର୍ଭେ କରାଯାଇଥିଲା । ସର୍ଭେରୁ ଏହା ଜଣାପଡିଛି ଯେ, ଶ୍ରେଷ୍ଠ ୩ ଭାରତୀୟ ରାଜ୍ୟ ମଧ୍ୟରେ ଓଡିଶା ମଧ୍ୟ ରହିଛି । ମେଡ୍ରିକ୍ସଭରେ ପ୍ରକାଶିତ ରିପୋର୍ଟ ଅନୁସାରେ, କର୍ଣାଟକ, କେରଳ ଓ ଓଡିଶା କୋଭିଡ ସମ୍ବନ୍ଧୀୟ ଖବର ପରିବେଷଣ କରିବାରେ ଅଗ୍ରଣୀ ରହିଛନ୍ତି । ଠିକ ଖବର ଲୋକଙ୍କ ନିକଟରେ ପହଞ୍ଚାଇବା, ଏହାର ବିଶ୍ଳେଷଣ କରିବା, ସବିଶେଷ ବିବରଣୀ ପ୍ରଦାନ କରିବା ଏବଂ ଖବରର ଗୋପନୀୟତା ରକ୍ଷା ଆଦିକୁ ନେଇ ହୋଇଥିବା ଅନୁଧ୍ୟାନରେ ଏହି ୩ ରାଜ୍ୟ ଅଗ୍ରଣୀ ରହିଛନ୍ତି ।

ତିନିଟି ରାଜ୍ୟ ମଧ୍ୟରେ କର୍ଣ୍ଣାଟକର ସ୍କୋର ୦.୬୧, କେରଳର ୦.୫୨ ଥିବାବେଳେ ଓଡିଶାର ସ୍କୋର ରହିଛି ୦.୫୧ । କୋଭିଡ ରିପୋର୍ଟିଂ ପାଇଁ ନିଜସ୍ୱ ଡାସବୋର୍ଡ ଥିବା ସ୍ୱଳ୍ପ ରାଜ୍ୟଗୁଡିକ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଅଧିକରୁ ଅଧିକ କୋଭିଡ-୧୯ ତଥ୍ୟ ଉପସ୍ଥାପନ କରିବାରେ ଓଡ଼ିଶା ଅଗ୍ରଣୀ ରହିଛି । ତଥ୍ୟଗୁଡିକୁ ଠିକ ଏବଂ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ନେଇ ଓଡ଼ିଶା ଉତ୍ତମ ନିଷ୍ପତ୍ତି ଗ୍ରହଣ କରୁଛି ବୋଲି ରିପୋର୍ଟରେ କୁହାଯ଼ାଇଛି । ମହାମାରୀ ଆରମ୍ଭରୁ ଓଡିଶା କୋଭିଡ ନିୟମାବଳୀକୁ ଉଚିତ ରୂପେ ପାଳନ କରିଛି । ଯାହା ରାଜ୍ୟ ସରକାରଙ୍କୁ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସହାୟକ ହୋଇ ପାରିଛି । ମହାମାରୀ ସମ୍ବନ୍ଧରେ ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ସହ ସଚେତନତା ସୃଷ୍ଟି କ୍ଷେତ୍ରରେ ଓଡିଶାର କାର୍ଯ୍ୟଧାରାକୁ ରିପୋର୍ଟରେ ପ୍ରଶଂସା କରାଯାଇଛି ।

 

ନନ୍ଦିଘୋଷ ବ୍ୟୁରୋ