କରୋନା ଭୟ: ବେଡ଼ରୁ ତଳକୁ ପଡି ସଂକ୍ରମିତଙ୍କ ପ୍ରାଣ ଗଲା,ହସ୍ପିଟାଲ ଷ୍ଟାଫ୍ ଛୁଇଁବାକୁ ଡରିଲେ !

ହାଇଦ୍ରାବାଦ: କରୋନା ରୋଗୀଙ୍କ ଅଭାବନୀୟ ମୃତ୍ୟୁ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମିଳିଥିବା ସୂଚନା ଅନୁସାରେ କରିମନଗରର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ବୃଦ୍ଧ ରୋଗୀଙ୍କ ବେଡରୁ ପଡ଼ିବା ପରେ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଯେ, ବେଡରୁ ତଳେ ପଡ଼ିବା ପରେ ସଂକ୍ରମଣ ଡରରେ କେହି ବି ତାଙ୍କ ନିକଟକୁ ସାହାଯ୍ୟ କରିବାକୁ ଆସି ନଥିଲେ । କହିରଖୁଛୁ ଯେ, ରୋଗୀକୁ ୨୨ଜୁଲାଇରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

କୁହାଯାଉଛି ଯେ, ୭୦ବର୍ଷିୟ ଏହି ରୋଗୀ ଜଣଙ୍କ ଗଙ୍ଗାଧର ନଗରରେ ରୁହନ୍ତି । ତାଙ୍କୁ କିଛି ଦିନ ହେବ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା ଯାହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା  ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ରୋଗୀକୁ ହସ୍ପିଟାଲରେ ଅକ୍ସିଜେନ ଦିଆଯାଇ ରଖାଯାଇଥିଲା । ରବିବାର ଦିନ ବୃଦ୍ଧ ଜଣଙ୍କ ବେଡରୁ ଖସି ତଳେ ପଡ଼ି ଯାଇଥିଲେ ଯାହା ଫଳରେ ତାଙ୍କଠାରେ ଲାଗିଥିବା ଅକ୍ସିଜେନ ସପ୍ଲାଏ ବନ୍ଦ ହୋଇଯାଇଥିଲା । ଏହି କରାଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।


ସେହି ୱାର୍ଡର ଆଉ ଜଣେ ରୋଗୀଙ୍କ ଅଭିଯୋଗ  ଯେ, ୭୦ବର୍ଷିୟ ବୃଦ୍ଧଙ୍କ ବେଡରୁ ପଡ଼ିବା ଖବର ତୁରନ୍ତ ହସ୍ପିଟାଲ କର୍ମଚାରୀଙ୍କୁ ଦିଆଯାଇଥିଲା  । ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଣଦେଖା କରିଥିଲେ ଏବଂ ରୋଗୀଟି ସେଠାରେ ପଡ଼ି ଛଟପଟ ହୋଇଥିଲେ ।  ସଂକ୍ରମଣ ଡରରେ ହସ୍ପିଟାଲ ପକ୍ଷରୁ କେହି ବି ତାଙ୍କୁ ସାହାଯ୍ୟ କରି ନଥିଲେ ଏବଂ ବୃଦ୍ଧ ଜଣଙ୍କ ସେଠାରେ ହିଁ ମୃତ୍ୟୁବରଣ କରିଥିଲେ ।

ସୋସିଆଲ ମିଡ଼ିଆରେ ସଂକ୍ରମିତ ଜଣଙ୍କ ବେଡରୁ ଖସି ତଳେ ପଡ଼ିଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏଥିରେ ହସ୍ପିଟାଲର ପ୍ରଶାସନର ଅବହେଳା ସ୍ପଷ୍ଟ ଜଣା ପଡ଼ିଛି । ହସ୍ପିଟାଲର ପ୍ରଶାସନ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିବା ସହ ଏହି ଦୁଃଖଦ ଘଟଣା ପଛର କାରଣ ମେଡିକାଲ ଷ୍ଟାଫଙ୍କ ସଂଖ୍ୟା କମ ବୋଲି କହିଛି ।

Leave a Reply