୧୩୦ କୋଟି ଲୋକଙ୍କ ପାଖରେ କରୋନା ଭ୍ୟାକ୍ସିନ ପହଂଚିବ କେମିତି ? ଏବେଠାରୁ ଆରମ୍ଭ ହେଲାଣି ପ୍ଲାନିଂ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ଟିକାକୁ ଅପେକ୍ଷା କରିଛି । ଏବେ ବିଶ୍ୱରେ ୧୪୦ ଟି ଟିକା ଉପରେ କାମ ଚାଲିଛି। ଏଥିମଧ୍ୟରୁ ୨୩ଟି ଟିକା ଏମିତି ରହିଛି ଯାହାର କ୍ଲିନିକାଲ ଟ୍ରାଏଲ୍ ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକା ଆସିବା ନେଇ ଆଶା କରାଯାଇଛି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଭ୍ୟାକ୍ସିନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ପହଞ୍ଚିବା ସହଜ ହେବ ନାହିଁ। ତେଣୁ ଦେଶର ପ୍ରତ୍ୟେକ କୋଣ ପ୍ରତିକୋଣରେ କରୋନା ଟିକା ପହଞ୍ଚାଇବାକୁ ସରକାର ଯୋଜନା ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ ସରକାର ବିଭିନ୍ନ ସ୍ତରରେ ଅନେକ ଏଜେନ୍ସି ସହ କଥା ହେଉଛନ୍ତି ।

ଭାରତୀୟ ଅଧିକାରୀମାନେ ଲଜିଷ୍ଟିକ୍ସ ଏବଂ ଭ୍ୟାକ୍ସିନ୍ ଯୋଗାଣ ଉପରେ ଆଲୋଚନା ଆରମ୍ଭ କରିସାରିଛନ୍ତି। ଏହି ଆଲୋଚନାରେ ଅନେକ ମନ୍ତ୍ରଣାଳୟ ଏବଂ ଅଧିକାରୀମାନେ ସାମିଲ ହୋଇଥିଲେ। ଆସନ୍ତା ବର୍ଷ ଆରମ୍ଭରେ ଟିକା ଆସିବ ବୋଲି ଆଶା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ଟିକା ବଣ୍ଟନ ନେଇ ଦୁଇଟି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସପ୍ତାହରେ ଏନେଇ ଅଧିକ ଆଲୋଚନା ହେବ । ଏବେ ଭ୍ୟାକ୍ସିନ୍ ନେଇ ବିଚାର ବିମର୍ଶ ଆରମ୍ଭ ହୋଇସାରିଛି। ଉତ୍ତର ପୂର୍ବ ଭାରତର କିଛି ଅଞ୍ଚଳରେ ଅଧିକ ପରିମାଣର ଶୀତଳ ଭଣ୍ଡାର ସୁବିଧା ପ୍ରସ୍ତୁତ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଭ୍ୟାକ୍ସିନ୍ କେବଳ ସରକାରୀ ଡାକ୍ତରଖାନା ଜରିଆରେ ଦିଆଯିବ ନା ଏହା ଘରୋଇ ଡାକ୍ତରଖାନାରେ ମଧ୍ୟ ସାମିଲ ହେବା ଆବଶ୍ୟକ, ଏନେଇ ଚର୍ଚ୍ଚା ଚାଲିଛି । କେବଳ ସେତିକି ନୁହେଁ  ଭ୍ୟାକ୍ସିନ୍ ପ୍ରଥମେ ଫ୍ରଣ୍ଟଲାଇନ୍ ହେଲଥ୍ କେୟାର କର୍ମଚାରୀଙ୍କୁ ଦିଆଯିବ ନା ବୟସ୍କ ଲୋକଙ୍କୁ ଦିଆଯିବ, ଏହି ପ୍ରସଙ୍ଗ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।

Leave a Reply