spot_img
Home Blog Page 6735

କୋଭିଡ୍ ମୁକାବିଲା : କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ମିଳିବ ୫୦ ଲକ୍ଷର ସହାୟତା ରାଶି, ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ  ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସହାୟତା କୋଭିଡ ଯୁଦ୍ଧରେ ନିୟୋଜିତ   କର୍ମଚାରୀ ଓ ଜନପ୍ରତିନିଧିଙ୍କ (ସରପଞ୍ଚ ଓ ଅନ୍ୟ ପ୍ରତିନିଧି) ନିକଟତମ ଆତ୍ମୀୟମାନେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି କୋଭିଡ-୧୯ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ମୃତ ଅଙ୍ଗନବାଡି ଓ ଆଶାକର୍ମୀମାନଙ୍କୁ  ୬୦ ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ସେମାନଙ୍କ ପରିବାରବର୍ଗଙ୍କୁ ଦିଆଯିବ । ଏଭଳି ଦୁଃଖଦ ଘଟଣା କ୍ଷେତ୍ରରେ ଯୋଦ୍ଧା ମାନଙ୍କ ପରିବାର ଯେପରି ଅବିଳମ୍ବେ ସହାୟତା ରାଶି ପାଇପାରିବେ, ସେଥିପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟରେ ଅଣ-କୋଭିଡ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବାର କେତେକ ଅଭିଯୋଗ ଆସୁଥିବାରୁ, ସେମାନଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟରେ ଆମ୍ବୁଲାନ୍‌ସ ନେଟୱାର୍କକୁ ସୁଦୃଢ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୋଗୀଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା। ଆମର ସବୁ ପଦକ୍ଷେପକୁ ଏହା ଉପରେ କେନ୍ଦ୍ରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

କୋଭିଡ ପରିଚାଳନାରେ ପ୍ରଶାସନର ଆଗୁଆ ପ୍ରସ୍ତୁତି ଏବଂ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ  ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭୂମିକା ଗ୍ରହଣ କରିଛି। ଗୁରୁତ ସ୍ୱାସ୍ଥ୍ୟ ସମସ୍ୟା ନଥିବା ସ୍ବଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ କୋଭିଡ ରୋଗୀ ମାନଙ୍କୁ ସେମାନଙ୍କ ଘରେ ରହି ଚିକିତ୍ସିତ ହେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଉଭୟ ସହର ଓ ଗ୍ରାମାଞ୍ଚଳରେ ଲାଗୁ ହୋଇଛି। ଘରୋଇ ପରିବେଶରେ ରୋଗୀମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ସହିତ ଡାକ୍ତରଖାନା ଉପରେ ଚାପ ହ୍ରାସରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହିତ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଭିଡରେ ମୃତ୍ୟୁବରଣ କରୁଥିବା ରୋଗୀ ମାନଙ୍କ ଶବସତ୍କାର ଏକ ସମ୍ବେଦନଶୀଳ ପ୍ରଶ୍ନ ହୋଇଥିବାରୁ, ଉଭୟ ଆବେଗିକ ଓ ଧାର୍ମିକ ବିଶ୍ୱାସକୁ ନେଇ ସମ୍ମାନଜନକ ଭାବରେ ଶବସଂସ୍କାର ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଉପରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

ବିଭିନ୍ନ ଡାକ୍ତରଖାନା ଓ କେୟାର ସେଣ୍ଟର ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀମାନେ ଯେପରି ଗୁଣାତ୍ମକ ସେବା ପାଇପାରିବେ, ସେଥିପାଇଁ ସେମାନଙ୍କ ଠାରୁ ପ୍ରତିକ୍ରିୟା ସଂଗ୍ରହ କରି ତଦ୍‌ନୁଯାୟୀ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ କୋଭିଡ ଲଭେଇ ଜିତିବା ପାଇଁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଜି ଅନୁଗୁଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ ଓ ନୂଆପଡା ଆଦି ଜିଲ୍ଲାର ପରିସ୍ଥିତି ଓ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଜିଲ୍ଲା ଗୁଡିକରେ କୋଭିଡ ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ପର୍ଯ୍ୟବେକ୍ଷକମାନେ କିଛି ପ୍ରସ୍ତାବ ମଧ୍ୟ ରଖିଥିଲେ। ଏହି ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷକ ମଧ୍ୟରେ ସୁଶାନ୍ତଙ୍କଠାରୁ ରିୟା ନେଇଥିଲେ ୧୪ କୋଟି ଟଙ୍କା !

ପାଟନା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ କେ ସିଂହ ପାଟନାର ରାଜିବ ନଗର ଥାନାରେ ଆଜି ପୁଅର ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ଏଫଆଇଆର ଦାଏର କରିଛନ୍ତି । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଯେ, ରିୟା ତାଙ୍କ ପୁଅକୁ ପ୍ରେମ ଜାଲରେ ଫଶାଇ ଟଙ୍କା ହଡପ କରିବା ସହ ଆତ୍ମହତ୍ୟା ପାଇଁ ଉସକାଇଥିଲେ । ଏହି ମାମଲାର ତଦନ୍ତ ପାଇଁ ପାଟନା ପୋଲିସ ମୁମ୍ବାଇରେ ପହଂଚି ସାରିଛି ।

ଆଇପିସିର ସେକ୍ସନ ୩୪୦,୩୪୧,୩୪୨,,୩୮୦,୪୦୬,୪୨୦,୩୦୬ ଅନ୍ତର୍ଗତରେ ପୋଲିସ ମାମଲା ରୁଜ କରିଛି । ରିୟାଙ୍କ ସମେତ ଏଫାଆଇଆରରେ ଇନ୍ଦ୍ରଜିତ ଚକ୍ରବର୍ତ୍ତି,ସଂଧ୍ୟା ଚକ୍ରବର୍ତ୍ତି,ଶୋଭିକ୍ ଚକ୍ରବର୍ତ୍ତି,ସାମୁଏଲ ମିରଣ୍ଡା ଓ ଶୃତି ମୋଦିଙ୍କ ନାମ ରହିଛି । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଗୋଟିଏ ବର୍ଷ ମଧ୍ୟରେ ରିୟାଙ୍କ ପରିବାର ସୁଶାନ୍ତଙ୍କଠାରୁ ୧୪ କୋଟି ୫୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ସବୁ ଟଙ୍କା ଅନଲାଇନ୍ ଟ୍ରାନ୍ସଫର ହୋଇଥିଲା । ଯାହାର ରେକର୍ଡ ପରିବାର ପକ୍ଷରୁ ପୋଲିସକୁ ଦିଆଯାଇଛି ।

riya

ସୂଚନାଯୋଗ୍ୟ ଯେ, ନିକଟରେ ମୁମ୍ବାଇ ପୋଲିସ ରିୟାଙ୍କୁ ଏହି ମାମଲାରେ ପଚରାଉଚରା କରିଥିଲା । ତାଙ୍କୁ ୧୧ ଘଣ୍ଟା ଧରି ଜେରା କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ ରିୟାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ । ନିଜକୁ ନିର୍ଦ୍ଦୋଷ ବୋଲି କହି ରିୟା ମାମଲାର ସିବିଆ ତଦନ୍ତ ଦାବି ମଧ୍ୟ କରିଥିଲେ । ଏପରିକି ସେ ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ୍ କରି ସିବିଆଇ ତଦନ୍ତ ପାଇଁ ନିବେଦନ କରିଥିଲେ ।

ସୁଶାନ୍ତ ଡିପ୍ରେସନର ଶିକାର ଓ ତାଙ୍କ ଜୀବନରୁ ରିୟା ବାହାରି ଯାନ୍ତୁ ବୋଲି ମହେଶ ଭଟ୍ଟ ତାଙ୍କୁ ପରାମର୍ଶ ଦେଇଥିବା କଥା ମଧ୍ୟ ଜୁନ୍ ୧୪ ତାରିଖର ଘଟଣା ପରେ ସାମ୍ନାକୁ ଆସିଥିଲା । ତେବେ ଗତକାଲି(ସୋମବାର ) ମହେଶ ମୁମ୍ବାଇ ପୋଲିସ ଆଗରେ ସେ କେବେ ମଧ୍ୟ ରିୟାଙ୍କୁ ଏଭଳି କହିନାହାନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡ୍ ନୋଟ୍ ପୋଲିସକୁ ମିଳିନାହିଁ ।

 

ଶୋଇଥିବା ବେଳେ ଯୁବକଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ନାଗ ସାପ, ତା’ପରେ…

ମିର୍ଜାପୁର: ଏବେ ବର୍ଷା ଋତୁ । ଦେଶର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ଏମିତିରେ ବର୍ଷା ଦିନରେ ସାପ ବାହାରିବା ସାଧାରଣ ଘଟଣା । ଉତ୍ତରପ୍ରଦେଶରୁ ସାପକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା । ଯୁପିର ମିର୍ଜାପୁରର ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ବିପଜ୍ଜନକ । ଯେଉଁଠି ଶୋଇଥିବା ବେଳେ ଜଣେ ଯୁବକଙ୍କ ପ୍ୟାଣ୍ଟ ଭିତରେ ଏକ ନାଗ ସାପ ପଶି ଯାଇଥିଲା । ଆଉ ସାପ ସହ ଯୁବକ ବିତାଇଥିଲେ ସାରା ରାତି । ଆତଙ୍କ ଭିତରେ ବିତିଥିଲ ୭ ଘଣ୍ଟା । ଟିକିଏ ହଲଚଲ୍ କି ଅସାବଧାନତା ଜୀବନ ମୃତ୍ୟୁର ରେଖା ଟାଣିଥାନ୍ତା । ସକାଳୁ ହେବାରୁ ସାପ ଧରାଳିଙ୍କୁ ଡାକିବା ପରେ ଯୁବକଙ୍କୁ ପ୍ୟାଣ୍ଟରୁ ସାପକୁ ବାହାର କରାଯାଇଥିଲା । ଏହି ସମୟରେ କୌଣସି ଅଘଟଣ ରୋକିବାକୁ ସେଠାରେ ପୋଲିସ ପ୍ରଶାସନ ସହ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଥିଲା ।

Cobra Snake enters young man jeans pant while sleeping

ସାପ ସହ ସାରା ରାତି ଖୁଣ୍ଟିରେ ବିତିଲା

ଏ ଘଟଣା ଉତ୍ତରପ୍ରଦେଶ ଜମାଲପୁର ଥାନା ସିକନ୍ଦରପୁର ଗାଁର । ଏହି ଗାଁର ବିଦ୍ୟାଳୟରେ ସୌଭାଗ୍ୟା ଯୋଜନାରେ କାମ କରୁଥିବା ଶ୍ରମିକ ରୁହନ୍ତି । ସେମାନଙ୍କ ମଧ୍ୟରେ ଆହ୍ଲାବାଦର ଲବଲେଶ ମଧ୍ୟ ଥିଲେ । ଲୋକଙ୍କ ସୂଚନା ଅନୁଯାୟୀ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟାରେ ଲବଲେଶଙ୍କ ପ୍ୟାଣ୍ଟରେ ନାଗ ସାପ ପଶି ଯାଇଥିଲା । ଯୁବକ ଜଣଙ୍କୁ ଏହି କଥା ଜଣା ପଡ଼ିବା ପରେ ତାଙ୍କ ଶରୀର ପୂରା ଥରି ଉଠିଥିଲା । କିନ୍ତୁ, ସେ ସାହସ ଓ ସତର୍କତାର ସହ ଧିରେ ଧିରେ ଉଠିଥିଲେ ଓ ବିଲ୍ଡିଂର ଖୁଣ୍ଟିକୁ ଧରି ରହିଥିଲେ ।

ପ୍ୟାଣ୍ଟରୁ କେମିତି ବାହାରିଲା ସାପ ?

ସାରା ରାତି ଅର୍ଥାତ୍ ୭ ଘଣ୍ଟା ସାପ ସହ ଯୁବକ ଜଣଙ୍କ ଖୁଣ୍ଟିକୁ ଧରି ରହିବା ପରେ ସମସ୍ତେ ଘଟଣା ଜାଣିଥିଲେ । ତା ପରେ ପୋଲିସ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପୋଲିସ ସେଠାରେ ପହଞ୍ଚି ସାପ ଧରାଳିଙ୍କୁ ଡକାଇଥିଲା । ଏହି ସମୟରେ ଯୁବକଙ୍କୁ ଦେଖିବାକୁ ସେଠାରେ ପ୍ରବଳ ଲୋକଙ୍କ ଭିଡ଼ ମଧ୍ୟ ହୋଇଥିଲା । ପୋଲିସ ଆମ୍ବୁଲାନ୍ସ ଡାକିବା ସହ ଆରମ୍ଭ ହୋଇଥିଲା ଅପରେସନ୍ ସ୍ନେକ୍ । କିଛି ସମୟର ଚେଷ୍ଟା ପରେ ସାପ ଧରାଳି କୌଣସି ପ୍ରକାରେ ଯୁବକଙ୍କ ଜିନ୍ସ ପ୍ୟାଣ୍ଟରୁ ସାପଟିକୁ ବାହାର କରିଥିଲେ । ଆସ୍ତେ ଆସ୍ତେ ଜିନ୍ସକୁ କାଟିବା ପରେ ସାପଟିକୁ ବାହାର କରାଯାଇଥିଲା । ତେବେ, ଆଶ୍ୱସ୍ତିର କଥା ହେଉଛି ସାପଟି ଯୁବକଙ୍କୁ କୌଣସି କ୍ଷତି ପହଞ୍ଚାଇ ନାହିଁ ।

ଭାରତ ଆସୁଛି ରାଫେଲ,ମଝି ଆକାଶରେ ଏମିତି ଭରିଲା ଇନ୍ଧନ

ଫାଇଟର ଜେଟ୍ ରାଫେଲ ଭାରତରେ ଆସନ୍ତାକାଲି ପହଂଚିବ । ରାଫେଲ ବିମାନ ଗତକାଲି ଫ୍ରାନ୍ସରୁ ଉଡାଣ ଭରିଥିଲା । ଅତ୍ୟାଧୁନିକ ଏହି ବିମାନର ପାକିସ୍ତାନ କିମ୍ବା ଚୀନ ପାଖରେ କୌଣସି ଉତ୍ତର ନାହିଁ ବୋଲି କୁହାଯାଉଛି ।  ଏହି ବିମାନ ଭାରତକୁ ଆସୁଥିବା ବେଳେ ମଝି ଆକାଶରେ ଇନ୍ଧନ ଭରିଥିଲା । ରାଫେଲକୁ ଲଗାତର ଉଡିବାକୁ ହେଲେ ଇନ୍ଧନ ଭର୍ତ୍ତି କରିବାକୁ ତଳକୁ ଓହ୍ଲାଇବାକୁ ପଡିବ ନାହିଁ । ଏହା ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିପାରିବ । ୩୦ ହଜାର ଫୁଟ ଉପରେ ରାଫେଲ ଇନ୍ଧନ ଭରୁଥିବାର କିଛି ଫଟୋକୁ ଭାରତୀୟ ବାୟୁସେନା ପକ୍ଷରୁ ଜାରି କରାଯାଇଛି ।

ଚିତ୍ରରେ ଦେଖନ୍ତୁ କେମିତି ରାଫେଲରେ ଇନ୍ଧନ ଭର୍ତ୍ତି କରାଯାଉଛି । ଭାରତ ମୋଟ ୩୬ ରାଫେଲ ବିମାନ ପାଇଁ ଫ୍ରାନ୍ସ ସହ ଚୁକ୍ତି କରିଛି । ଏହା ମଧ୍ୟରୁ ୫ଟି ଆସନ୍ତାକାଲି ଅମ୍ବାଲା ବିମାନଘାଟିରେ ଲ୍ୟାଣ୍ଡ୍ କରିବେ । ଭାରତ ଏଥିପାଇଁ ୫୯ ହଜାର କୋଟି ଟଙ୍କା ପୈଠ କରିବ ।

ଆଜିର ସମୟରେ ଗୋଟିଏ ଯୁଦ୍ଧ ବିମାନ ପାଇଁ ଯେଉଁସବୁ ବୈଷିଷ୍ଟ୍ୟ ଜରୁରୀ ତାହା ରାଫେଲରେ ରହିଛି । ଏହା ୬୦ କିଲୋମିଟର ଦୁରରୁ ଏକାଥରକେ ଶହେ ଯୁଦ୍ଧ ବିମାନକୁ ନିଶାନାରେ ନେଇପାରେ । ଏଥିରେ ଲାଗିଥିବା ଅତ୍ୟାଧୁନିକ ଅସ୍ତ୍ର ଓ ରାଡାର ଶତ୍ରୁକୁ ଆକ୍ରମଣ କରିବାର ମୌକା ଦିଏନାହିଁ ।

ରାଫେଲ ଆକାଶରେ ଇନ୍ଧନ ଭର୍ତି କରିବାର କ୍ଷମତା ରଖେ । ୭ ହଜାର କିଲୋମିଟରର ଯାତ୍ରା ମଧ୍ୟରେ ଏହି  ୫ ବିମାନ କେବଳ ୟୁଏଇର ଆବୁଧାବି ନିକଟରେ ଲ୍ୟାଣ୍ଡିଂ କରିବେ । ଗୋଟିଏ ଷ୍ଟପେଜ୍ ପରେ ବିମାନ ସିଧା ଅମ୍ବାଲାରେ ଆସି ପହଂଚିବ ।

Sushant Singh Rajput case: ପିତା କେକେ ସିଂ ପାଟନାରେ ରିୟାଙ୍କ ବିରୋଧରେ ଦେଲେ FIR,ମୁମ୍ବାଇରେ ହୋଇପରେ ଗିରଫଦାରି !

ପାଟନା : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଡ ଧରଣର ଟ୍ୱିଷ୍ଟ ଆସିଛି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଚୁପ ଥିବା ପରିବାର ଏବେ ଥାନାରେ ଏତଲା ରୁଜ କରିଛି । ସୁଶାନ୍ତଙ୍କ ପିତା କେ କେ ସିଂ ମଙ୍ଗଳବାର ଦିନ ପାଟନାର ରାଜିବ ନଗର ଥାନାରେ ଏତଲା ରୁଜ କରିଛନ୍ତି । କେ କେ ସିଂହଙ୍କ ଏତଲା ପରେ ପାଟନା ପୋଲିସର ୪ ଜଣିଆ ଟିମ୍ ଯାଂଚ ପାଇଁ ମୁମ୍ବାଇ ପହଂଚିଥିବା ସୂଚନା ମିଳିଛି । ସୁଶାନ୍ତଙ୍କ ପିତା କେ କେ ସିଂହଙ୍କ ବୟାନ ଆଧାରରେ ମାମଲା ରୁଜ ହୋଇଥିବା ଜଣା ପଡିଛି । କୁହାଯାଉଛି ଯେ, ମୁମ୍ବାଇରେ କିଛି ଗିରଫଦାରୀ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଏହି ପୁରା ପ୍ରସଙ୍ଗରେ ପରିବାର ନିରବ ଥିଲା । କିନ୍ତୁ ଏବେ ପରିବାର ପକ୍ଷରୁ ଥାନାରେ ଏଫଆଇଆର ଦିଆଯିବା ପରେ ମାମଲାରେ ନୂଆ ମୋଡ ଆସିଛି ।

ଏଫାଆଇଆରରେ ସୁଶାନ୍ତଙ୍କ ପିତା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ନାମ ନେଇଥିବା କୁହାଯାଉଛି । । ଜୁନ୍ ୧୪ ତାରିଖ ଦିନ ସୁଶାନ୍ତ ମୁମ୍ବାଇରେ ମୃତ୍ୟୁ ବରଣ କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାର ଗଭୀର ଆଘାତ ଭିତରେ ଥିଲେ । କୁହାଯାଉଛି ଯେ, ସେ ତଥାକଥିତ ଭାବେ ଡିପ୍ରେସନର ଶିକାର ଥିଲେ । ସୁଶାନ୍ତ ନିଜ ପ୍ରଫେସନାଲ ଲାଇଫ୍ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ ।

k k singh

ରାଜିବ ନଗର ଥାନାରେ ମାମଲା ସଂଖ୍ୟା ୨୪୧/୨୦ରେ ଏଫଆଇର ଦାଏର ହୋଇଛି । ରିୟା ଚକ୍ରବର୍ତ୍ତି ସୁଶାନ୍ତଙ୍କୁ ପ୍ରେମ ଜାଲରେ ଫଶାଇ ତାଙ୍କଠାରୁ ଟଙ୍କା ନେଉଥିଲେ ଓ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିଲେ ବୋଲି ସୁଶାନ୍ତଙ୍କ ପିତା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ରିୟାଙ୍କୁ ଏହି ମାମଲାରେ ଆଗରୁ ମୁମ୍ବାଇ ପୋଲିସ ଜେରା କରି ସାରିଛି । ତାଙ୍କୁ ପାଖାପାଖି ୧୧ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ପଚରା ଉଚରା କରିଥିଲା । ସୁଶାନ୍ତଙ୍କର ରିୟାଙ୍କ ସହ ବାହାଘରକୁ ନେଇ ଝଗଡା ହୋଇଥିଲା ବୋଲି ଆତ୍ମହତ୍ୟା ପରେ ପରେ ଖବର ଆସୁଥିଲା । ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ସଂପର୍କ ଏତେଟା ଭଲ ନଥିଲା ବୋଲି କୁହାଯାଉଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମହେଶ ଭଟ୍ଟଙ୍କ ବୟାନକୁ ନେଇ ମଧ୍ୟ ରିୟାଙ୍କୁ ଟ୍ରୋଲ କରାଯାଇଥିଲା । ସୁଶାନ୍ତଙ୍କ ଅବସ୍ଥା ପରବିନ୍ ବବିଙ୍କ ଭଳି ହେବ ବୋଲି ମହେଶ ଭଟ୍ଟ ରିୟାଙ୍କୁ କହିଥିବା ନେଇ ଚର୍ଚ୍ଚା ହେଉଥିଲା । ସୋମବାର ଦିନ ଏହି ମାମଲାରେ ମୁମ୍ବାଇ ପୋଲିସ ମହେଶ ଭଟ୍ଟଙ୍କୁ ମଧ୍ୟ ଜେରା କରିଛି । ସୁଶାନ୍ତଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ କିମ୍ବା ପେଶାଗତ ସମ୍ପର୍କ ନଥିଲା ବୋଲି ମହେଶ ପୋଲିସକୁ କହିଥିଲେ । ମହେଶ ସୁଶାନ୍ତଙ୍କୁ ମୋଟ ଦୁଇଥର ଭେଟିଥିବା କଥା ମଧ୍ୟ ପୋଲିସକୁ କହିଛନ୍ତି । ନିକଟେର ରିୟା ଟ୍ରୋଲରଙ୍କ ଶିକାର ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ୍ କରି ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ ।

mahesh bhat riya

ସୂଚନାଯୋଗ୍ୟ ଯେ, ବିହାରରେ ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି ହେଉଛି ।  ପୂର୍ବତନ ସାଂସଦ ପପୁ ଯାଦବ,ଫିଲ୍ମ ଅଭିନେତା ଶେଖର ସୁମନ,ତେଜସ୍ୱୀ ଯାଦବଙ୍କ ସହିତ ବିହାରର ଅନେକ ନାମିଦାମି ବ୍ୟକ୍ତି ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛନ୍ତି । ପପୁ ଯାଦବ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖଥିଲେ । ଅମିତ ଶାହା ପତ୍ରର ଯବାବରେ ଅଭିଯୋଗକୁ କାର୍ମିକ ବିଭାଗ ନିକଟକୁ ପଠାଇ ଦିଆଯାଇଛି ବୋଲି କହିଥିଲେ । ସେହିଭଳି ବିଜେପି ନେତା ରାମେଶ୍ୱର  ଯାଦବ ମଧ୍ୟ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏବାବଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି । ତାଙ୍କ ଅନୁସାରେ ଶତ୍ରୁଘ୍ନ ସିହ୍ନାଙ୍କ ପରେ ସେ ଏକ ମାତ୍ର ବିହାରୀ ଥିଲେ ଯିଏ ସୁପରଷ୍ଟାର ହେବା ରାସ୍ତାରେ ଥିଲେ । ତେଣୁ ସୁଶାନ୍ତ ଆତ୍ମହତ୍ୟ କରିବେ ବୋଲି କେହି ଚିନ୍ତା ମଧ୍ୟ କରି ପାରୁନାହାନ୍ତି ବୋଲି କହିଛନ୍ତି ଚୌରାସିଆ ।

ବିଜେଡିର ବିଜେପିକୁ କଟାକ୍ଷ : କୋଭିଡ୍ ପରିଚାଳନା ନେଇ ଯଦି ଏତେ ଦକ୍ଷ ତେବେ ନିଜ କେନ୍ଦ୍ରଶାସିତ ଦଳକୁ ପରାମର୍ଶ ଦିଅ….

କରୋନା ବେଳେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଦେଶବିଦେଶରେ ସାବାସି ମିଳୁଥିବା ବେଳେ ରାଜ୍ୟ ବିଜେପି ହୀନ ରାଜନୀତି ଚଳାଇଛି ବୋଲି ବିଜେଡି କହିଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଦଳୀୟ ମୁଖ୍ୟପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ଯେ କରୋନାରେ  କୋଭିଡ୍ ସମ୍ୱନ୍ଧୀତ ତଥ୍ୟ ପ୍ରକାଶ କରିବାରେ ସାରା ଦେଶରେ ଓଡିଶା ଆଗ୍ରୀଣ ୩ଟି ରାଜ୍ୟ ମଧ୍ୟରେ ଆସେ ।ବିଜେପି ମିଛ ଖବର ପ୍ରକାଶ କରିବା ଭଳି ଯେଉଁ ପଦ୍ଧତି ଆପଣାଇଛି ତାହାକୁ ପରିବର୍ତ୍ତନ କରୁ । ତେବେ ଓଡିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ମଧ୍ୟ ଏହା । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଜ୍ୟର କରୋନା ମୁକାବିଲାକୁ ପଦକ୍ଷେପ ପ୍ରଶଂସା କରିବା ହେତୁ  ରାଜ୍ୟ ସରକାର ଅଦିକ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ମାତ୍ର ଏଭଳି ସ୍ଥିତି ରାଜ୍ୟ ବିଜେପି ନିଜ ହୀନ ରାଜନୀତିରେ ବ୍ୟସ୍ତ ରହିଛି ।

ଅନ୍ୟପକ୍ଷରେ କୋଭିଡ୍ ପରିଚାଳନା ନେଇ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ଘେରୁଛି ।ବିଜେଡି ଏ ପ୍ରସଙ୍ଗରେ ମତ ପ୍ରକାଶ କରି କହିଛି ଯେ, ପ୍ରତି ତିନି ଦିନରେ ଦେଶରେ ୧ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶର ସ୍ଥିତି ଏବେ ସଙ୍ଗିନ ରହିଛି । ଏଣୁ ବାସ୍ତବରେ ଯଦି ରାଜ୍ୟ ବିଜେପିର କରୋନା ମୁକାବିଲାରେ ଦକ୍ଷତା ଓ ଅଭିଜ୍ଞତା ରହିଛି ତେବେ ସେମାନେ କେନ୍ଦ୍ର ବିଜେପିକୁ ପରାମର୍ଶ ଦିଅନ୍ତୁ । କେନ୍ଦ୍ରରେ ମଧ୍ୟ ତାଙ୍କ ଦଳ ଶାସନରେ ରହିଛି । ନିଜ ଭଲ ଭାବେ ପରିଚାଳନା କରି ଆଦର୍ଶ ହୁଅନ୍ତୁ । ସେହିଭଳି କରୋନା ବେଳେ ହୀନ ରାଜନୀତି ନକରି କୋଭିଡ୍ ଯୋଦ୍ଧାଙ୍କୁ ହତୋତ୍ସାହିତ ନକରି ମୁକାବିଲା ଦିଗରେ ସହାୟକ ହୁଅନ୍ତୁ ବୋଲି ଲେନିନ ମହାନ୍ତି କହିଛନ୍ତି ।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ….

କୋଭିଡ୍ ମୁକାବିଲା କ୍ଷେତ୍ରରେ ରାଜ୍ୟରେ ପ୍ଲାଜମା ଥେରାପି ଫଳପ୍ରଦ ସାବ୍ୟସ୍ତ ହେବା ପରେ ରାଜ୍ୟ ସରକାର ଅଧିକ ପ୍ଲାଜମା ବ୍ୟାଙ୍କ ପ୍ରସ୍ତୁତ ସପକ୍ଷରେ ରହିଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଜମା ଥେରାପିରେ ସୁସ୍ଥ ହୋଇଥିବା ରୋଗୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ପ୍ଲାଜମା ଥେରାପି ପରେ ସଂକ୍ରମଣରୁ ମୁକ୍ତ ହେଉଥିବା ଲୋକଙ୍କର ସ୍ଥିତି କିଭଳି ରହିଛି ଓ ସେମାନେ କିଭଳି ଅନୁଭବ କରୁଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ ଏହା ରାଜ୍ୟର ୨ୟ ପ୍ଲାଜମା ବ୍ୟାଙ୍କ ଅଟେ । ଏହା ପୂର୍ବରୁ କଟକ ଏସସିବିରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହୋଇ ସାରିଛି ।

ଆସନ୍ତାକାଲି ରାଉରକେଲା ଆରଏଚଜିରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବା ନେଇ ସୂଚନା ରହିଛି । ତେବେ ଅନ୍ୟ ଡାକ୍ତରଖାନା ତାଲିକାରେ  ମେକେସିଜି ଓ ବୁର୍ଲା ମଧ୍ୟ ରହିଛି । ଖୁବ୍ ଶୀଘ୍ର ଏହି ଡାକ୍ତରଖାନାରେ ମଧ୍ୟ ପ୍ଲାଜମା ବ୍ୟାଙ୍କର ସୁବିଧା ରହିବ । ତେବେ ପ୍ଲାଜମା ବ୍ୟାଙ୍କରେ କରୋନାରୁ ସୁସ୍ଥ ହୋଇଥିବା ଯକୌଣସି ବ୍ୟକ୍ତି ପ୍ଲାଜମା ଦେଇ ପାରିବେ । ଏଣୁ କରୋନା ମୁକାବିଲାରେ ସରକାରଙ୍କ ସହଯୋଗ କରିବା ପାଇଁ କରୋନା ସୁସ୍ଥକୁ ପ୍ଲାଜମା ଦେବା ପାଇଁ ସରକାର ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଏଯାବତ୍ କରୋନା ସଂକ୍ରମଣ ରୋକିବା ପାଇଁ ଭ୍ୟାକ୍ସିନ ନଥିବା ହେତୁ ପ୍ଲାଜମା ଥେରାପିକୁ କରୋନା ମୁକାବିଲା କ୍ଷେତ୍ରରେ ପ୍ରମୁଖ ଅସ୍ତ୍ର ଭାବେ ଦେଖାଯାଉଛି ।

ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା, ଚିନ୍ତାରେ ଚାଷୀ..

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ, କେନ୍ଦୁଝର  ଏବଂ  ମୟୁରଭଞ୍ଜ ଭଳି  ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରଯାଇଛି । ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୩୦ ଏବଂ ୩୧  ତାରିଖରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ ।

୩୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଏବଂ  ମୟୁରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରଯାଇଛି । ସେହିଭଳି ଅଗଷ୍ଟ ପହିଲାରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ୧ ଜୁନ୍‌  ରୁ ୨୮ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୬୪.୧  ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫୨୬.୬ ମିମି ଠାରୁ ୧୨ ପ୍ରତିଶତ କମ୍‌ ବୋଲି ଜଣାପଡ଼ିଛି ।

୧ ଜୁନ ରୁ ୨୮  ଜୁଲାଇ ମଧ୍ୟରେ ଓଡ଼ିଶାର  ୧୨ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ପୁରୀ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୋନପୁର ଠାରେ ସ୍ୱାଭାବିକ ବର୍ଷା ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ୍‌ରୁ ୨୮ ଜୁଲାଇ ମଧ୍ୟରେ ଓଡ଼ିଶାର ଝାରସୁଗୁଡା ଏବଂ ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌, ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ଚଳିତ ଥର ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଥିବା ବେଳେ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଲକ୍‌ଡାଉନ୍‌ ସମୟରେ କାମ ଧନ୍ଦା ଛାଡ଼ି ଘରେ ବସିଥିବା ଚାଷୀ ପରିବାର, ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ବେଳେ ସ୍ୱଳ୍ପ ବର୍ଷା ଏବେ ସେମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ସତ ହୋଇଥିଲେ ଶୁଭ : ଭାରତରେ ୧୮ କୋଟି ଲୋକଙ୍କ ମଧ୍ୟରେ ଅଛି କରୋନା ପ୍ରତିଶେଧକ ଶକ୍ତି !

ମୁମ୍ବାଇ: ଭାରତୀୟଙ୍କ ମଧ୍ୟରେ ପ୍ରାକୃତିକ ଭାବେ କରୋନା ଭାଇରସ ବିରୋଧରେ ଲଢିବାର ରୋଗ ପ୍ରତିରୋଧକ ଶକ୍ତି ରହିଛି କି ? ମୁମ୍ବାଇର ଏକ ଘରୋଇ ଲାବ୍ ଦ୍ୱାରା ଦେଶର ବିଭିନ୍ନ ସହରରେ ୨୦ ଦିନ ଧରି କରାଯାଇଥିବା ଟେଷ୍ଟରୁ ସକରାତ୍ମକ ତଥ୍ୟ ଆସିଛି । ଲାବର ବିଭିନ୍ନ ସହରରେ ଥିବା ପରୀକ୍ଷାଗାରରେ ୨୦ ଦିନ ମଧ୍ୟରେ ହୋଇଥିବା ଲୋକଙ୍କ କରୋନା ଟେଷ୍ଟରୁ ଜଣା ପଡିଛି ଯେ, ଦେଶର ୧୮ କୋଟି ଲୋକଙ୍କ ମଧ୍ୟରେ ନଭେଲ କରୋନା ଭାଇରସ ବିରୋଧୀ ଆଣ୍ଟିବଡି ରହିଛି ।

ଥାୟୋକେୟାର ପକ୍ଷରୁ ଏଭଳି ଦାବି କରାଯାଇଛି । ଥାୟୋକେୟାର ଏହି ତଥ୍ୟ ୬ଶହ ପିନକୋଡରେ ୨୦ ଦିନ ମଧ୍ୟରେ ୬୦ ହଜାର ଲୋକଙ୍କ ଉପରେ ହୋଇଥିବା ଟେଷ୍ଟରୁ ପାଇଛି । ଲାବ୍ ଅନୁସାରେ ଦେଶର ପାଖାପାଖି ୧୫ ପ୍ରତିଶତ ବା ୧୮ କୋଟି ଲୋକଙ୍କ ମଧ୍ୟରେ କରୋନା ବିରୋଧୀ ଆଣ୍ଟିବଡି ରହିଛି । ଏହି ସଂଖ୍ୟାରେ ୩ ପ୍ରତିଶତ ଏପଟ ସେପଟ ହୋଇପାରେ ବୋଲି ଥାୟୋକେୟାର କହିଛି ।

ଥାୟୋକେୟାର ଟେକ୍ନୋଲୋଜିର ଅଧ୍ୟକ୍ଷ ଡ.ଏ ଭେଲୁମନି ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମର ଏହା ତଥ୍ୟ ଆଧାରିତ ଭବିଷ୍ୟବାଣୀ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଏହା ଯେତିକି ପ୍ରଚାରିତ ହେବା କଥା ସେତିକି ହେଉନାହିଁ । ଯଦିଓ ଏହା ସରକାରୀ ସର୍ଭେ ନୁହେଁ କିନ୍ତୁ ଥାୟୋକେୟାର ତଥ୍ୟ ଆଇସିଏମଆର ଦ୍ୱାରା କରାଯାଇଥିବା ସେରୋ ପ୍ରିଭେଲାନ୍ସ ଷ୍ଟଡିର ତଥ୍ୟ ସହ ମେଳ ଖାଉଛି । ଆଇସିଏମଆର ଦ୍ୱାର ଜୁନ୍ ମାସରେ କରାଯାଇଥିବା ସେରୋ ସର୍ଭେର ଆଧିକାରିକ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ କିନ୍ତୁ ଲିକ୍ ରିପୋର୍ଟରୁ ଜଣାପଡୁଛି ଯେ, ଦେଶରେ ୧୫ରୁ ୨୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ବିରୋଧରେ ଆଣ୍ଟିବଡି ରହିଛି ।

ଥାୟୋକେୟାର ଡାଟା ଅନୁସାରେ ଯେଉଁ ସବୁ ପିନକୋଡରେ ଲୋକ ନିଜର କରୋନା ଟେଷ୍ଟ କରିଛନ୍ତି ତାହା ମଧ୍ୟରୁ ମୁମ୍ବାଇର ଭିୱାଣ୍ଡି ସର୍ବାଧିକ ସଂକ୍ରମିତ ଅଂଚଳ । ଭିୱାଣ୍ଡି ପରେ ଥାନେ ରହିଛି । ଥାନେର ବିଭିନ୍ନ ଥାୟୋକେୟାର ଲାବରେ ଯେତିକି ଲୋକ ଟେଷ୍ଟ କରିଛନ୍ତି ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ କରୋନା ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁର ପିନ୍ୟା ଦାସରାହାଲିରେ ମଧ୍ୟ ୪୪ ପ୍ରତିଶତ ପଜିଟିଭ୍ ରହିଛନ୍ତି ବୋଲି ଥାୟୋକେୟାର ଦାବି କରିଛି ।

 

କରୋନ ମୁକାବିଲା : ପ୍ଲାଜମା ଦାନ ପାଇଁ ଜିଲ୍ଲା ଗସ୍ତ କରି ଲୋକଙ୍କୁ ଉତ୍ସାହିତ କରୁଛନ୍ତି ମନ୍ତ୍ରୀ….

ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ତାର ଭୟାବହତା ଦେଖାଇବାରେ ଲାଗିଛି । ତେବେ ଟିକା ନ ଆସିବା ପର୍ଯ୍ୟନ୍ତ ବର୍ତ୍ତମାନ ପ୍ଲାଜମା ଥେରାପି କରୋନା ପାଇଁ ରାମବାଣ ଭଳି କାର୍ଯ୍ୟକରୁଛି । ଫଳରେ ରାଜ୍ୟ ସରକାର ବର୍ତ୍ତମାନ ପ୍ଲାଜମା ଚିକିତ୍ସା ଉପରେ ଅଧିକ ଜୋର ଦେଉଛନ୍ତି । ଏବଂ ପ୍ଲାଜମା ଚିକିତ୍ସାକୁ ଆହୁରି ସଶକ୍ତ ସୁଦୃଢ କରିବା ପାଇଁ ଲୋକ ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଛନ୍ତି । ସାରା ରାଜ୍ୟ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ପ୍ଲାଜମା ଦାତାଙ୍କୁ ଉତ୍ସାହିତ କରିବେ ।

ଏହି ପରିପ୍ରେକ୍ଷୀରେ ଆଜି ଶକ୍ତି, ଶିଳ୍ପ ଗୃହରାଷ୍ଟ୍ର ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱ । ତେଣୁ ଆଜି ମନ୍ତ୍ରୀ ଢେଙ୍କାନାଳ ଗସ୍ତରେ ଯାଇଛନ୍ତି । ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରି ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଏନେଇ ବିଭିନ୍ନ ଲୋକ ପ୍ରତିନିଧିଙ୍କ ପରାମର୍ଶ ମାଗି ଜିଲ୍ଲାରୁ କିଭଳି ମହାମାରୀ ଲୋପ ପାଇବ ସେନେଇ ଆଲୋଚନା ହେବ । ଏବଂ ଯେଉଁ ଆକ୍ରାନ୍ତମାନେ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ମନ୍ତ୍ରୀ ଉର୍ତ୍ସାହିତ କରିବେ । ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ସହ ସରକାରଙ୍କ ନିୟମ ମାନିବାକୁ ଆହ୍ୱାନ ଦେଇଛନ୍ତି ।