ସତ ହୋଇଥିଲେ ଶୁଭ : ଭାରତରେ ୧୮ କୋଟି ଲୋକଙ୍କ ମଧ୍ୟରେ ଅଛି କରୋନା ପ୍ରତିଶେଧକ ଶକ୍ତି !

1 min read

ମୁମ୍ବାଇ: ଭାରତୀୟଙ୍କ ମଧ୍ୟରେ ପ୍ରାକୃତିକ ଭାବେ କରୋନା ଭାଇରସ ବିରୋଧରେ ଲଢିବାର ରୋଗ ପ୍ରତିରୋଧକ ଶକ୍ତି ରହିଛି କି ? ମୁମ୍ବାଇର ଏକ ଘରୋଇ ଲାବ୍ ଦ୍ୱାରା ଦେଶର ବିଭିନ୍ନ ସହରରେ ୨୦ ଦିନ ଧରି କରାଯାଇଥିବା ଟେଷ୍ଟରୁ ସକରାତ୍ମକ ତଥ୍ୟ ଆସିଛି । ଲାବର ବିଭିନ୍ନ ସହରରେ ଥିବା ପରୀକ୍ଷାଗାରରେ ୨୦ ଦିନ ମଧ୍ୟରେ ହୋଇଥିବା ଲୋକଙ୍କ କରୋନା ଟେଷ୍ଟରୁ ଜଣା ପଡିଛି ଯେ, ଦେଶର ୧୮ କୋଟି ଲୋକଙ୍କ ମଧ୍ୟରେ ନଭେଲ କରୋନା ଭାଇରସ ବିରୋଧୀ ଆଣ୍ଟିବଡି ରହିଛି ।

ଥାୟୋକେୟାର ପକ୍ଷରୁ ଏଭଳି ଦାବି କରାଯାଇଛି । ଥାୟୋକେୟାର ଏହି ତଥ୍ୟ ୬ଶହ ପିନକୋଡରେ ୨୦ ଦିନ ମଧ୍ୟରେ ୬୦ ହଜାର ଲୋକଙ୍କ ଉପରେ ହୋଇଥିବା ଟେଷ୍ଟରୁ ପାଇଛି । ଲାବ୍ ଅନୁସାରେ ଦେଶର ପାଖାପାଖି ୧୫ ପ୍ରତିଶତ ବା ୧୮ କୋଟି ଲୋକଙ୍କ ମଧ୍ୟରେ କରୋନା ବିରୋଧୀ ଆଣ୍ଟିବଡି ରହିଛି । ଏହି ସଂଖ୍ୟାରେ ୩ ପ୍ରତିଶତ ଏପଟ ସେପଟ ହୋଇପାରେ ବୋଲି ଥାୟୋକେୟାର କହିଛି ।

ଥାୟୋକେୟାର ଟେକ୍ନୋଲୋଜିର ଅଧ୍ୟକ୍ଷ ଡ.ଏ ଭେଲୁମନି ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମର ଏହା ତଥ୍ୟ ଆଧାରିତ ଭବିଷ୍ୟବାଣୀ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଏହା ଯେତିକି ପ୍ରଚାରିତ ହେବା କଥା ସେତିକି ହେଉନାହିଁ । ଯଦିଓ ଏହା ସରକାରୀ ସର୍ଭେ ନୁହେଁ କିନ୍ତୁ ଥାୟୋକେୟାର ତଥ୍ୟ ଆଇସିଏମଆର ଦ୍ୱାରା କରାଯାଇଥିବା ସେରୋ ପ୍ରିଭେଲାନ୍ସ ଷ୍ଟଡିର ତଥ୍ୟ ସହ ମେଳ ଖାଉଛି । ଆଇସିଏମଆର ଦ୍ୱାର ଜୁନ୍ ମାସରେ କରାଯାଇଥିବା ସେରୋ ସର୍ଭେର ଆଧିକାରିକ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ କିନ୍ତୁ ଲିକ୍ ରିପୋର୍ଟରୁ ଜଣାପଡୁଛି ଯେ, ଦେଶରେ ୧୫ରୁ ୨୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ବିରୋଧରେ ଆଣ୍ଟିବଡି ରହିଛି ।

ଥାୟୋକେୟାର ଡାଟା ଅନୁସାରେ ଯେଉଁ ସବୁ ପିନକୋଡରେ ଲୋକ ନିଜର କରୋନା ଟେଷ୍ଟ କରିଛନ୍ତି ତାହା ମଧ୍ୟରୁ ମୁମ୍ବାଇର ଭିୱାଣ୍ଡି ସର୍ବାଧିକ ସଂକ୍ରମିତ ଅଂଚଳ । ଭିୱାଣ୍ଡି ପରେ ଥାନେ ରହିଛି । ଥାନେର ବିଭିନ୍ନ ଥାୟୋକେୟାର ଲାବରେ ଯେତିକି ଲୋକ ଟେଷ୍ଟ କରିଛନ୍ତି ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ କରୋନା ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁର ପିନ୍ୟା ଦାସରାହାଲିରେ ମଧ୍ୟ ୪୪ ପ୍ରତିଶତ ପଜିଟିଭ୍ ରହିଛନ୍ତି ବୋଲି ଥାୟୋକେୟାର ଦାବି କରିଛି ।

 

Leave a Reply