ଆପଣଙ୍କ ଅତି ମାତ୍ରାରେ କେଶ ଝଡୁଛି କି ? ଜାଣନ୍ତୁ କେଶ ଝଡ଼ିବାର ୫ଟି ମୁଖ୍ୟ କାରଣ

ଭୁବନେଶ୍ୱର: ଅଧିକାଂଶ ମହିଳା କେଶ ଝଡ଼ିବା ଯୋଗୁଁ ଚିନ୍ତାରେ ରହିଥାନ୍ତି। ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟକୁ ବ୍ୟବହାର କରି କେଶ ଝଡ଼ିବା ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥାନ୍ତି । ତେବେ ଆପଣ କେବେ କେଶ ଝଡ଼ିବାର କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ତେବେ ବିଶେଷଜ୍ଞ ମତରେ ଖରାପ ଜୀବନଶୈଳୀ, ପ୍ରଦୂଷଣ ଓ ଚିନ୍ତାରେ ରହିବା ଯୋଗୁଁ  କେଶ ଝଡ଼ିଥାଏ । ଏହା ବ୍ୟତୀତ କେଶ ଝଡ଼ିବାର ଆହୁରି ଅନେକ କାରଣ ରହିଛି। ଆସନ୍ତୁ ଜାଣିବା ସେସବୁ ପ୍ରମୁଖ କାରଣ ଗୁଡ଼ିକ ସଂପର୍କରେ।

୧. କିଛି ମହିଳାଙ୍କ ଶରୀରରେ ଆଇରନ୍‌ର ପରିମାଣ କମ୍ ରହିଥାଏ । ଆଉ ଶରୀରରେ ଆଇରନ୍‌ର ସ୍ତର କମ୍‌ ହେଲେ କେଶ ଝଡ଼ିଥାଏ । କାରଣ ଆଇରନ୍‌ ହେୟାର ସେଲ୍‌ ଉତ୍ପାଦନରେ ସାହାଯ୍ୟ କରିଥାଏ।

୨. ସେହିପରି କିଛି ମହିଳା ଓଜନ ହ୍ରାସ କରିବା ପାଇଁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିଥା’ନ୍ତି। ତେଣୁ ଶରୀରକୁ ପୋଷକତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ମିଳି ନଥାଏ । ଏହା ମଧ୍ୟ କେଶ ଝଡ଼ିବାର ଏକ କାରଣ ।

୩. ବୟସ ବଢ଼ିଲେ କେଶ ଝଡ଼ିବାର ସମ୍ଭାବନା ରହିଥାଏ । ମେନୋପଜ୍ ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିଥାଏ ।

୪. ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରନ୍ଥିରେ ଅସନ୍ତୁଳନ ଦେଖା ଦେଲେ କେଶ ଝଡ଼ିଥାଏ। ତେଣୁ ଯେଉଁ ମହିଳାଙ୍କର ହାଇପୋଥାଇରଏଡିଜିମ୍‌ ସମସ୍ୟା ରହିଛି, ସେମାନେ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

 

୫. ବର୍ତ୍ତମାନ ସମୟରେ କେଶକୁ ସୁନ୍ଦର କରିବା ପାଇଁ ମହିଳାମାନେ ଷ୍ଟ୍ରେଟ୍‌ନିଂ ଓ କଲରିଂ ଆଦି କରୁଥିବା ଦେଖିବାକୁ ମିଳୁଛି। ଏସବୁ କରିବା ଦ୍ୱାରା କେଶ ଝଡ଼ିବାର ସମ୍ଭାବନା ଅଧିକ ରହିଥାଏ।

Leave a Reply