spot_img
Home Blog Page 66

ପିଲାଙ୍କ ପାଇଁ ମୋବାଇଲ୍ ଓ ଜଙ୍କ୍ ଫୁଡ୍‌ର ମିଶ୍ରଣ କେତେ ବିପଦପୂର୍ଣ୍ଣ?ଆସନ୍ତୁ ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ପିଲାମାନେ ଘଣ୍ଟା ଘଣ୍ଟା ଧରି ଫୋନ୍ ବ୍ୟବହାର କରୁଛନ୍ତି, ଏବଂ ଚିନ୍ତାର ବିଷୟ ହେଉଛି ଯେ, ପିତାମାତାମାନେ ପ୍ରାୟତଃ ସେମାନଙ୍କୁ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଦିଅନ୍ତି। ପିତାମାତା ଏହାକୁ ସେମାନଙ୍କର ପ୍ରେମ ଦେଖାଇବାର ଏକ ଉପାୟ ଭାବରେ ଦେଖନ୍ତି, କିନ୍ତୁ ଏହା କେତେ ଗୁରୁତର କ୍ଷତି କରିପାରେ ତାହା ବହୁତ କମ୍ ଲୋକ ବୁଝନ୍ତି। ଦୀର୍ଘ ସମୟ ଧରି ସ୍କ୍ରିନକୁ ଚାହିଁ ରହି ଏବଂ ହାତରେ ଚିପ୍ସର ପ୍ୟାକେଟ – ଏହି ମିଶ୍ରଣ କେତେ ବିପଦପୂର୍ଣ୍ଣ ସେ ବିଷୟରେ TV9 ଡାକ୍ତର ରୋଲି ମୁନସି (ବରିଷ୍ଠ ପରାମର୍ଶଦାତା, ଶିଶୁ ରୋଗ ଏବଂ ନିଓନାଟୋଲୋଜି, ଯଥାର୍ଥ ସୁପରସ୍ପେଶାଲିଟି ହସ୍ପିଟାଲ)ଙ୍କ ସହିତ ସ୍ୱତନ୍ତ୍ର ଭାବରେ କଥା ହୋଇଥିଲେ।

ପିତାମାତାଙ୍କ ବ୍ୟତୀତ, ଜେଜେବାପା ମଧ୍ୟ ସେମାନଙ୍କୁ ଚିପ୍ସ, ଚକୋଲେଟ୍ ଏବଂ ଅନ୍ୟାନ୍ୟ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତି। ଅନେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମୋବାଇଲ୍ ଫୋନ୍ ରୁ ନିର୍ଗତ ନୀଳ ଆଲୋକ ପିଲାମାନଙ୍କ ଆଖି ଏବଂ ମସ୍ତିଷ୍କ ଉଭୟକୁ ଦୁର୍ବଳ କରିଦିଏ।

ଏହା ବ୍ୟତୀତ, ଯେତେବେଳେ ଜଣେ ପିଲା ତା’ର ଫୋନ୍ ଦେଖି ଖାଏ, ତା’ର ମସ୍ତିଷ୍କକୁ ଏହି ବାର୍ତ୍ତା ମିଳେ ନାହିଁ ଯେ ସେ ପେଟ ପୂରଣ କରିଛି କିମ୍ବା କେତେ ଭୋକ ଅଛି। ଆସନ୍ତୁ ଏହି ବିପଦପୂର୍ଣ୍ଣ ମିଶ୍ରଣର ଖରାପ ଦିଗ ବିଷୟରେ ବର୍ଣ୍ଣନା କରିବା।

ବିଶେଷଜ୍ଞମାନେ କ’ଣ କୁହନ୍ତି?

ଡାକ୍ତରମାନେ କହିଛନ୍ତି ଯେ ଆଜିକାଲି ପିଲାମାନଙ୍କ ମଧ୍ୟରେ ମୋବାଇଲ୍ ଫୋନ୍ ଦେଖିବା ଏବଂ ଜଙ୍କ୍ ଫୁଡ୍ ଖାଇବା ଏକ ଚିନ୍ତାଜନକ ମିଶ୍ରଣ ହୋଇପଡୁଛି। ପିଲାମାନେ ପ୍ରାୟତଃ ମୋବାଇଲ୍ ଫୋନ୍ ଦେଖିବା ସମୟରେ ଅତ୍ୟଧିକ ଖାଦ୍ୟ ଖାଆନ୍ତି, ଏବଂ ସେମାନେ ପେଟ ପୂରିଗଲାଣି ବୋଲି ଜାଣିପାରନ୍ତି ନାହିଁ।

ଜଙ୍କ ଫୁଡର ଅସୁବିଧା

ଏହି ସମୟରେ, ଜଙ୍କ ଫୁଡରେ ଅଧିକ ଲୁଣ, ଚିନି ଏବଂ ଚର୍ବି ଥାଏ, ଯାହା ଓଜନ ବୃଦ୍ଧି, ପାଚନ ସମସ୍ୟା ଏବଂ ମଧୁମେହ ଭଳି ରୋଗର ଆଶଙ୍କା ବୃଦ୍ଧି କରିପାରେ। ଲଗାତାର ସ୍କ୍ରିନ୍ ସମୟ ପିଲାମାନଙ୍କର ଶାରୀରିକ କାର୍ଯ୍ୟକଳାପକୁ ମଧ୍ୟ ହ୍ରାସ କରେ, ଯାହା ସେମାନଙ୍କର ଓଜନ ଏବଂ ଫିଟନେସକୁ ପ୍ରଭାବିତ କରିପାରେ।

ଏହା ସହିତ, ମୋବାଇଲ୍ ଫୋନ୍ ର ଦୀର୍ଘ ସମୟ ବ୍ୟବହାର ପିଲାମାନଙ୍କ ଶୋଇବା ସମୟସାରଣୀ ଏବଂ ଜୀବନର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ। ତେଣୁ, ପିତାମାତାମାନେ ନିଶ୍ଚିତ କରିବା ଉଚିତ ଯେ ପିଲାମାନେ ଖାଇବା ସମୟରେ ମୋବାଇଲ୍ ଫୋନ୍ ଠାରୁ ଦୂରରେ ରୁହନ୍ତୁ ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ଘରେ ରନ୍ଧା ଖାଦ୍ୟ, ଫଳ ଏବଂ ପନିପରିବା ସାମିଲ କରନ୍ତୁ। ପିଲାମାନଙ୍କୁ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ମଧ୍ୟ ପ୍ରତିଦିନ କିଛି ସମୟ ଦିଆଯିବା ଉଚିତ।

 

 

ରାଜଧାନୀରେ ପୋଲିସଙ୍କ ଦେହରେ ଲାଗିବ କ୍ୟାମେରା !

ନନ୍ଦିଘୋଷ ବ୍ୟୁରୋ: ଏଣିକି ପୋଲିସଙ୍କ ଦେହରେ ଲାଗିବ କ୍ୟାମେରା । ବଡି କ୍ୟାମେରାରେ ଛାଉଣୀ ହେବେ ରାଜଧାନୀର ପୋଲିସ । ଫଳରେ ଆଉ ବର୍ତ୍ତି ପାରିବେନି ଦୋଷୀ । ପୋଲିସ ସହ କେହି ଦୁର୍ବ୍ୟବହାର କଲେ କିମ୍ବା ପୋଲିସ କାହା ସହିତ ଦୁର୍ବ୍ୟବହାର କଲେ, ତାହା ସହଜରେ ଧରାପଡି ପାରିବ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପୋଲିସ ଅଧିକାରୀମାନଙ୍କ ପାଇଁ ଏହିଭଳି ବ୍ୟବସ୍ଥା କରାଯାଇଛି । ବଡି କ୍ୟାମେରାରେ ସଜ୍ଜିତ ହେବେ ଦିଲ୍ଲୀ ପୋଲିସର ଅଧିକାରୀମାନେ । ଏଥିପାଇଁ ନୂଆଦିଲ୍ଲୀର ଡିସିପି ସଚିନ ଶର୍ମାଙ୍କ ସମେତ  ସମସ୍ତ ଅଧିକାରୀମାନଙ୍କୁ ଏହି ବଡି କ୍ୟାମେରା ଯୋଗଇ ଦିଆଯାଇଛି । ତେଣୁ ୬ ଅକ୍ଟୋବର ଅର୍ଥାତ ଆଜିର ଦିନରୁ ଦିଲ୍ଲୀ ପୋଲିସର କର୍ମଚାରୀ ଏବଂ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିଥିବା ନଜର ଆସିବେ । ଏସିପି ଏବଂ ତାଙ୍କ ଠାରୁ ଉପର ରାଙ୍କ୍ ର ଅଧିକାରୀମାନଙ୍କ ପାଇଁ ବଡି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଗତ କିଛି ଦିନ ହୋଇଯିବ ଦିଲ୍ଲୀ ପୋଲିସ ଉପରେ ଅସଦାଚରଣର ଆରୋପ ଲଗାଯାଇଥିଲା । ଆଉ ଯଦି ଆଗକୁ ଏଭଳି ଘଟଣା ଘଟେ, ତେବେ ବଡି କ୍ୟାମେରା ଏହାର ତଦନ୍ତରେ ସହାୟତା କରିବ । ଏହି କ୍ୟାମେରାଗୁଡିକରେ ଭିଡିଓ ଫୁଟେଜ ରେକର୍ଡ ହୋଇପାରିବ ।

ସୂଚନା ମୁତାବକ, ଅକ୍ଟୋବର ୩ ତାରିଖରେ ଜନ୍ତରମନ୍ତରରେ ପ୍ରତିବାଦ ସମୟରେ ୩ ଜଣ ମହିଳା ସାମ୍ବାଦିକା ଏସିପି ବିବେକ ଭଗତଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଅସଦାଚରଣ କରିଥିବା ଅଭିଯୋଗ ଲଗାଇଥିଲେ ।  ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହୋଇଥିଲା  ଏବଂ ଏହା ମହିଳାଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଥିଲା । ଯାହା ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, ଜନ୍ତରମନ୍ତରରେ ଜଣେ ମହିଳା ସାମ୍ବାଦିକା ଜଣେ ପୋଲିସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି। ଘଣ୍ଟା ଘଣ୍ଟା ଧରି ଶହ ଶହ ସାମ୍ବାଦିକ ସେଠାରେ ଏଫଆଇଆର୍ ରୁଜୁ କରିବାକୁ ଦାବି କରୁଛନ୍ତି । ଏହା ପୋଲିସର ମୌଳିକ କର୍ତ୍ତବ୍ୟ ନୁହେଁ କି ? ତଥାପି ସେ ତାହା କରୁନାହାଁନ୍ତି । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଆମେ ଭିଡିଓ ପ୍ରମାଣ ସହ ଦେଖିଛେ କିଭଳି ପୋଲିସ ଅଧିକାରୀମାନେ ମହିଳାଙ୍କ ଘୃଣ୍ୟ ବ୍ୟବହାର କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ଏହି ବଡ ପଦଷେପ ନିଆଯାଇଛି ।

ଚେନ୍ନାଇ ବନ୍ଦରରୁ ୧୨ କୋଟିର ଚୀନ୍ ବାଣ ଜବତ

ନନ୍ଦିଘୋଷ ବ୍ୟୁରୋ: ଚେନ୍ନାଇ ବନ୍ଦରରୁ ୧୨ କୋଟିର ଚୀନ୍ ନିର୍ମିତ ବାଣ ଜବତ । ଚେନ୍ନାଇ ବନ୍ଦରରୁ ବଡ଼ ଧରଣର ଚୀନ୍ ନିର୍ମିତ ବାଣ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍‌କୁ ମିଳିଥିବା ବିଶେଷ ସୂଚନା ଆଧାରରେ ଚେନ୍ନାଇ ବନ୍ଦରରେ କିଛି ସନ୍ଦିଗ୍ଧ କଣ୍ଟେନର ଉପରେ ଚଢ଼ାଉ କରାଯାଇଥିଲା । ଯାଞ୍ଚ ବେଳେ ବଡ଼ ଧରଣର ଚୀନ୍ ନିର୍ମିତ ବାଣ ଜବତ ହୋଇଥିଲା । ଏହି ବାଣଗୁଡ଼ିକୁ କାର୍ଟୁନ୍ ଭିତରେ ଲୁଚାଇ ଅଣାଯାଇଥିଲା ।

ବାଣଗୁଡ଼ିକୁ ଷ୍ଟେସନାରୀ ସାମଗ୍ରୀ, ମେଡିକାଲ ଗ୍ଲୋଭ୍ସ, ପ୍ଲାଷ୍ଟିକ୍ କ୍ଲିପ୍ସ, ହେୟାର ବ୍ୟାଣ୍ଡ, ଷ୍ଟୋରେଜ୍ ୱାର୍ଡରୋବ୍, ଜୋତା ରଖିବା ର୍ୟାକ୍ ଭଳି ବିଭିନ୍ନ ସାମଗ୍ରୀ ନାଁରେ କଣ୍ଟେନର ମାଧ୍ୟମରେ ଚୋରାଚାଲାଣ କରାଯାଉଥିଲା ।ଘୋଷିତ ସାମଗ୍ରୀର କାର୍ଟୁନ୍ ପଛପଟେ ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ବାଣ । ଡିଆରଆଇର ପୃଥକ ପୃଥକ ଅଭିଯାନରେ ଏସବୁ ବାଣ ଜବତ କରାଯାଇଛି । ଦେଶକୁ ବାଣ ଏବଂ ଆତସବାଜି ଆମଦାନୀ ଉପରେ କଟକଣା ରହିଛି । ଏଥିପାଇଁ ବୈଧ ଅନୁମତି ଏବଂ ଲାଇସେନ୍ସ ଆବଶ୍ୟକ ।ଡିଜିଏଫ୍‌ଟି ଏବଂ ପେସୋର ଆବଶ୍ୟକ ଅନୁମତି ବିନା ଏହି ବାଣଗୁଡ଼ିକୁ ଆମଦାନୀ କରାଯାଇଥିଲା । ଏହାସହ ବାଣଗୁଡ଼ିକୁ ଭୁଲ୍ ତଥ୍ୟ ଦେଇ ଏବଂ ଲୁଚାଇ ଚୋରାଚାଲାଣ କରାଯାଉଥିଲା । ଏହି କାରଣରୁ କଷ୍ଟମ୍ସ ଆଇନ, ୧୯୬୨ ଅନୁସାରେ ବାଣଗୁଡ଼ିକୁ ଜବତ କରିଛି ଡିଆରଆଇ ।

ଭିଜିଲାନ୍ସ ଜାଲରେ R&B ଇଞ୍ଜିନିୟର ଅରବିନ୍ଦ, ଠାବ ବିପୁଳ ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ୍ ବି ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଆର୍ ଆଣ୍ଡ୍ ବି ଡିଭିଜନ୍ ଅଧୀନ ବେତନଟୀ ସବଡିଭିଜନ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ଅରବିନ୍ଦ ମହାନ୍ତି । ଭିଜିଲାନ୍ସ ପକ୍ଷରୁ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସୀ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୨ଟି ବହୁତଳ କୋଠା, ୫ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ୍ ସୁନା, ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ, ୬୯ ଲକ୍ଷ ୬୯ ହଜାର ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଥିବା ଜଣାପଡ଼ିଛି। ସେପଟେ ଆଜି ଭୁବନେଶ୍ୱର ବାଲିଅନ୍ତାସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ତଲାସୀ ବେଳେ ଆଉ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଠାବ କରିଛି। ଫଳରେ ମୋଟ ନଗଦ ଟଙ୍କାର ପରିମାଣ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ହୋଇଛି। ଏତେ ପରିମାଣର ସମ୍ପତ୍ତିର ସନ୍ତୋଷଜନକ ହିସାବ କିମ୍ବା ଉତ୍ସ ଅରବିନ୍ଦ ମହାନ୍ତି ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସିଇସି ବିରୋଧୀ ବିକ୍ଷୋଭ ବେଳେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ, ପଦୋନ୍ନତି ପାଇଲେ ଅଭିଯୁକ୍ତ ଏସିପି

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ନେଇ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଜୋର ଧରିଛି । ତେବେ ଗତ ଶନିବାର ଦିନ ନୂଆଦିଲ୍ଲୀରେ ବିକ୍ଷୋଭ ସମୟରେ ଖବର ସଂଗ୍ରହ କରୁଥିବା ତିନି ଜଣ ମହିଳା ସାମ୍ବାଦିକାଙ୍କୁ ଦିଲ୍ଲୀ ପୋଲିସ ଆସିଷ୍ଟାଣ୍ଟ କମିଶନର (ACP) ବିବେକ ଭଗତ ଯୌନ ନିର୍ଯାତନା ଦେଇଥି୍ବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ ମଧ୍ୟ ଉକ୍ତ ଏସିପିଙ୍କୁ ସୋମବାର ଅତିରିକ୍ତ ଡ଼ିସିପି ଭାବେ ପଦୋନ୍ନତି ମିଳିଥିବା ସୂଚନା ମିଳିଛି । ଅଭିଯୁକ୍ତ ଏସିପିଙ୍କ ବ୍ୟତୀତ ଅନ୍ୟ ଏଗାର ଜଣ ପୋଲିସ ଅଫିସରଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ଏକ ନିୟମିତ ପ୍ରକ୍ରିୟା ଓ ବହୁ ଆଗରୁ ଏଥିନେଇ ଅନୁରୋଧ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ତିନି ତାରିଖରେ ଯନ୍ତରମନ୍ତରଠାରେ ସିଇସି ବିରୋଧୀ ବିକ୍ଷୋଭ (CEC Protest) ସମୟରେ ଅଭିଯୁକ୍ତ ଏସିପି ତିନି ଜଣ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଦିଲ୍ଲୀ ପୋଲିସ ଅଭିଯୋଗ ପାଇବା ପରେ କ୍ରାଇମ ବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବହୁ ଖବରଦାତା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ଏସିପିଙ୍କ ବିରୋଧରେ ଏତଲା ଦାୟର ନେଇ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏସିପି ବିବେକ ଭଗତ ନୂତନ କାର୍ଯ୍ୟଭାର ଗ୍ରହଣ କରିନଥିବା ସୂଚନା ମିଳିଛି । ଦିଲ୍ଲୀ ସରକାର ଏନେଇ ସଂଶୋଧିତ ଆଦେଶ ଜାରି କରିବା ନେଇ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଆନନ୍ଦପୁର ଉପଖଣ୍ଡ ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ

ଆନନ୍ଦପୁର : ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଛୁଉଁ ନାହାନ୍ତି, ସମୟ ଅନୁସାରେ ମେଡିକାଲ ମଧ୍ୟ ଆସୁନାହାନ୍ତି । ଜଣେ ଡାକ୍ତରାଣୀଙ୍କ ବିରୁଦ୍ଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧୀନରେ ଅଛି ଓଡ଼ପଡା ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିକଟସ୍ଥ ୫ ଟି ପଞ୍ଚାୟତ ର ଲୋକମାନେ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇ ଦେବାକୁ ଦୁଇ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି । ସେଥିମଧ୍ୟରୁ ଆୟୁଷ ଡାକ୍ତରାଣୀ ଇତିଶ୍ରୀ ଦାସ ସଠିକ ସମୟରେ ମେଡିକାଲ ଆସୁନାହାନ୍ତି କି ଡ୍ୟୁଟି କରୁନାହାନ୍ତି । ତାଙ୍କ ନାଁ ରେ ସବୁଠାରୁ ସାଙ୍ଘାତିକ ଅଭିଯୋଗ ହେଉଛି ରୋଗୀ ଦେଖିବା ସମୟରେ ସେ କୌଣସି ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଛୁଉଁ ନାହାନ୍ତି । ଯଦି କିଏ କଣ ପ୍ରଶ୍ନ ପଚାରିଲା ତ ସରିଲା । ତା ଉପରେ ଗାଳି ଉପରେ ଗାଳି ବୃଷ୍ଟି। ଏହି ମେଡିକାଲ ଉପରେ ଅନେକ ଲୋକ  ନିର୍ଭର କରୁଥିବା ବେଳେ ଡାକ୍ତର ସଠିକ ଭାବେ ଆସୁନଥିବାରୁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ୧୫ କିଲୋମିଟର ଦୂର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଉଛନ୍ତି । ତେବେ ଘଟଣାକୁ ନେଇ ଯଦି ଲିଖିତ ଅଭିଯୋଗ କରାଯାଏ ତେବେ ସମ୍ପୃକ୍ତ ଡାକ୍ତରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଇଁକୁଳ ମେଡିକାଲ ଅଫିସର ପ୍ରକାଶ କରିଛନ୍ତି ।…

 

 

ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ଟ୍ରଫି ଉପରେ

ଭୁବନେଶ୍ୱର :  ଦିନିକିଆ ସିରିଜ୍‌କୁ ୨-୧ ରେ ଜିତିବା ପରେ, ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ଟ୍ରଫି ଉପରେ । ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ହାଇଭୋଲ୍ଟେଜ୍ ଟି-୨୦ ସିରିଜ୍ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଯୁବ ଟିମ୍ ଇଣ୍ଡିଆ ।  ସନ୍ଧ୍ୟା ୭ଟାରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ସିରିଜ୍‌ର ପ୍ରଥମ ମ୍ୟାଚ୍। ଏହି ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ଏବଂ ଉପ-ଅଧିନାୟକ ଦାୟିତ୍ୱରେ ଅଛନ୍ତି ତିଲକ ବର୍ମା । ସେହିପରି କାରିବିଆନ୍ ଦଳର କମାଣ୍ଡ ସମ୍ଭାଳୁଛନ୍ତି ଶାଇ ହୋପ୍ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ୱାଶିଂଟନ୍ ସୁନ୍ଦରଙ୍କୁ ଏହି ସିରିଜ୍‌ରୁ ବାଦ୍ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ନମନ ଧୀରଙ୍କୁ ଦଳରେ ସାମିଲ କରାଯାଇଛି । ଏହାସହ ଷ୍ଟାର୍ ବୋଲର ଯଶପ୍ରୀତ ବୁମରାଙ୍କୁ ଏହି ସିରିଜ୍‌ ପାଇଁ ବିଶ୍ରାମ ଦିଆଯାଇଛି । ଭାରତ  ଦିନିକିଆ ସିରିଜ୍‌କୁ ନିଜ ନାମରେ କରିସାରିଥିବା ବେଳେ, ଏବେ ଟି-୨୦ ସିରିଜ୍‌ରେ ମଧ୍ୟ ନିଜର ଦବଦବା ବଜାୟ ରଖିବାକୁ ଚେଷ୍ଟା କରିବ । ଅନ୍ୟପଟେ କାରିବିଆନ୍ ଦଳ ଟି-୨୦ ଫର୍ମାଟ୍‌ରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।….

ଦେବୀ ପୀଠରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା

କୋଣାର୍କ : ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ରାଜ୍ୟର ସବୁ ଶକ୍ତିପୀଠ ଏବେ ଚଳଚଞ୍ଚଳ। ପ୍ରାଚୀ ତଟବାସିନୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଆଜି ଷୋଡଶ ପୂଜାର ଚତୁର୍ଥ ଦିନ। ଷୋଡଶ ବେଶ, ଷୋଡଶ ଭୋଗରେ ଝଲସୁଛି ମା’ଙ୍କ ପୀଠ। କିନ୍ତୁ ଆଜିର ରାତି ସବୁଠୁ ସ୍ୱତନ୍ତ୍ର। ଆଜି ହେଉଛି ପବିତ୍ର ନିଶା ମଙ୍ଗଳବାର। ଯେଉଁ ରାତିରେ ସାରା ଦୁନିଆ ସୋଇଯାଏ, ସେହି ରାତିରେ ପୁଅ ପାଇଁ ଅନିଦ୍ରା ରହନ୍ତି ହଜାର ହଜାର ମା’। ପରିବାର ଓ ସନ୍ତାନର ମଙ୍ଗଳ ପାଇଁ ବ୍ରତ ରଖନ୍ତି। ବିଶ୍ୱାସ ଅଛି, ଏହି ରାତିରେ ମା’ ମଙ୍ଗଳା ନିଶା ଭ୍ରମଣ କରନ୍ତି ଓ ମନସ୍କାମନା ପୂରଣ କରନ୍ତି। ଶକ୍ତିପୀଠରେ ଶଙ୍ଖ, ଘଣ୍ଟ, ଘଣ୍ଟାର ଧ୍ୱନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ଆଜି ଶକ୍ତି ସ୍ୱରୂପିଣୀ ମା ମଙ୍ଗଳା ସୁନା ବେଶରେ ଦର୍ଶନ ଦେଉଛନ୍ତି। ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା ,ଉଗ୍ରତାରା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ  । କଟକ ଚଣ୍ଡି ଉଗ୍ର ତାରା ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।

ଏସ୍‌ଆଇଆର ବିରୋଧୀ ପଦଯାତ୍ରାରେ ସାମିଲ ହେବ ବିଜେଡି

ଭୁବନେଶ୍ୱର : ଏସ୍‌ଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ, ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଆଜି ବିରୋଧ ପଦଯାତ୍ରାରେ ସାମିଲ ହେବ ବିଜେଡି ।  ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେବେ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏସ୍‌ଆଇଆର ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ଜ୍ଞାନେଶ କୁମାରଙ୍କ ଇସ୍ତଫା ପୂର୍ବରୁ ଦାବି କରିଛନ୍ତି । ଏସ୍‌ଆଇଆର ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ସହ ସାରା ଦେଶରେ ୧୩ କୋଟିରୁ ଊର୍ଦ୍ଧ୍ବ ମତଦାତାଙ୍କୁ ବାଦ ଦିଆଯିବା ସନ୍ଦେହ ସୃଷ୍ଟି କରିଥିବାବେଳେ ଧାମନଗରରେ ଘଟିଥିବା ଘଟଣା ଏହାକୁ ଦୃଢ଼ୀଭୂତ କରିଛି । ବିଏଲ୍‌ଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ କାଟିଦିଆଯିବା ଏସ୍‌ଆଇଆର୍‌ ଜାଲିଆତିକୁ ସ୍ପଷ୍ଟ କରିଦେଇଛି । କେବଳ ଧାମନଗର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି । ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ଅନେକ ଦିଗକୁ ଇଙ୍ଗିତ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଆର୍‌ରେ ଫର୍ମ-୬ ପରିବର୍ତ୍ତନ ନେଇ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ ଖଣ୍ଡନ କରି ଏପରି ନିର୍ଦ୍ଦେଶ ଦିଆଯାଇ ନ ଥିବା କହିବା ପରେ ସିଇସି ଜ୍ଞାନେଶ କୁମାର ଭୋଟର ତାଲିକାରେ ଜାଲିଆତିରେ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ସ୍ପଷ୍ଟ । ବିଜେଡି ଉଭୟ ଇଣ୍ଡିଆ ମେଣ୍ଟ ଓ ଏନ୍‌ଡିଏଠାରୁ ସମଦୂରତ୍ୱ ବଜାୟ ରଖିଛି।  ତେବେ ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ବିଜେଡି ଆସନ୍ତାକାଲି କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।

ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ : ଦିନିକିଆ କୋରାପୁଟ ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲର)ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍‌ ପରିଦର୍ଶନ କରିବେ । ସୁନାବେଡ଼ା ହାଲ ର ସ୍ୱତନ୍ତ୍ର ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ସିଧାସଳଖ ହାଲ ପରିସରକୁ ଯିବେ । ସେଠାରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ୟୁନିଟ୍‌ର କାର୍ଯ୍ୟପ୍ରଣାଳୀ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ ହେବେ । ଏହି ଗସ୍ତର ମୁଖ୍ୟ ଆକର୍ଷଣ ହେବ ଶକ୍ତି ଇଞ୍ଜିନର ଶୁଭ ଉଦ୍‌ଘାଟନ । ଆଗାମୀ ଦିନରେ ସୁନାବେଡ଼ା ହାଲ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆହୁରି ନୂଆ ସୁଯୋଗ ଓ ଦାୟିତ୍ୱ ପାଇବ ବୋଲି ଆଶା କରାଯାଉଛି । ଏହି ଅବସରରେ ହାଲ ର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅଧିକାରୀଙ୍କ ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଇନଶୃଙ୍ଖଳା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି । କୋରାପୁଟ ଏସ୍‌ପି ରୋହିତ ବର୍ମା ଏବଂ ଜୟପୁର ଏସ୍‌ଡିପିଓ ତଥା ଆଇପିଏସ ଅଧିକାରୀ ଅର୍ଚ୍ଚିତା ମିତ୍ତଲଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାର ନିରନ୍ତର ଅନୁଧ୍ୟାନ କରାଯାଉଛି ।..