spot_img
Home Blog Page 6661

ଏକଦା ବିଜେପିର ପ୍ରଭାବଶାଳୀ ନେତା ଯଶବନ୍ତ ସିଂହଙ୍କୁ ବିଦା କରିଥିଲା ଦଳ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂହ ଆଉନାହାନ୍ତି । ୧୯୬୦ ମସିହାରେ ସେନାର ମେଜର ପଦବୀରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଥାପିଥିଲେ ଯଶବନ୍ତ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ଏନ୍‌ଡିଏ ସରକାରରେ ସେ ବହୁ ଗୁରୁତ୍ୱପୂଣ୍ଣ ଦାୟିତ୍ୱରେ ଅବସ୍ଥାପିତ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟର ନେତୃତ୍ୱ ନେଇଥିଲେ ଯଶବନ୍ତ ।

ଯଶୋବନ୍ତ ସିଂହ ନିଜ ରାଜନୈତିକ କ୍ୟାରିୟରରେ ବହୁ ଉତ୍ଥାନ୍ ଓ ପତନ ଦେଇ ଗତିକରିଛନ୍ତି । ବହୁ ବିବାଦର ମଧ୍ୟ ସାମ୍ନା କରିଛନ୍ତି । ୧୯୯୯ ମସିହାରେ ଏୟାର ଇଣ୍ଡିଆ ବିମାନ ଅପହରଣ ଘଟଣାରେ ଯାତ୍ରୀଙ୍କୁ ମୁକ୍ତ କରିବା ଲାଗି ଆତଙ୍କବାଦୀଙ୍କ ସହ କାନ୍ଧାର ଯିବାକୁ ନେଇ ସେ ବହୁ ସମାଲୋଚନାର ଶରବ୍ୟ ହୋଇଥିଲୋ ।

ଯଶୋବନ୍ତ ସିଂହ ସର୍ବଦା ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ୱସ୍ତ ଓ ନିକଟତର ରହିଥିଲେ । ସେ ବ୍ରଜେଶ ମିଶ୍ର ଏବଂ ପ୍ରମୋଦ ମହାଜନଙ୍କ ସହିତ ବାଜପେୟୀଙ୍କ ଟିମରେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ବାଜପେୟୀ ସରକାରରେ ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଏହି ପ୍ରଭାବଶାଳୀ ନେତାଙ୍କୁ ଏକଦା ଦଳରୁ ନିଲମ୍ୱିତ ମଧ୍ୟ ହେବାକୁ ପଡ଼ିଥିଲା । ୨୦୦୯ ମସିହାରେ ନିଜ ପୁସ୍ତକ ‘ଜିନ୍ନା: ଭାରତ ବିଭାଜନ ଏବଂ ସ୍ୱତନ୍ତ୍ରତା’ରେ ପାକିସ୍ତାନ ସହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରଶଂସା କରିଥିଲେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏଥିଲାଗି ତାଙ୍କୁ ଦଳ ବିଦା ହେବାକୁ ପଡ଼ିଥିଲା । ସେ ତାଙ୍କ ପୁସ୍ତକରେ ସର୍ଦ୍ଦାର ପଟେଲ ଏବଂ ପଣ୍ଡିତ ନେହେରୁଙ୍କୁ ଦେଶ ବିଭାଜନ ନେଇ ଦାୟୀ କରିଥିଲେ । ବିଶେଷ କରି ଏହା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ( ଆରଏସ୍‌ଏସ)କୁ ପସନ୍ଦ ନଥିଲା ।

୨ ବିଧାୟକଙ୍କ ସମେତ ୧୩୬ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହା ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ବିଧାୟକମାନଙ୍କ ସହଯୋଗୀଙ୍କ କରୋନା ଟେଷ୍ଟ କରାଯାଉଛି ଦୁଇଦିନ ହେବ ଏହି ବିଧାନସଭା ପରିସରରେ ଏହି ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ଶନିବାର ପ୍ରାୟ ୭୫୬ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା ୨ ବିଧାୟକ ସମେତ ମୋଟ ୧୩୬ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି

Odisha Health Department Issued SOP For Assembly Monsoon Session

ଗତକାଲି ୨୦ ବିଧାୟକଙ୍କ ସହ ବିଧାନସଭା ଅଧିବେଶନରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶେଷଙ୍କର କୋଭିଡ ଟେଷ୍ଟ ହୋଇଥିଲା ଦ୍ୱିତୀୟ ଦିନର କରୋନା ଟେଷ୍ଟିଂ ଜାରି ରହିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

Odisha Health Department Issued SOP For Assembly Monsoon Session

ଚଳିତ ଥର କୋଭିଡ କଟକଣା ଦୃଷ୍ଟିରୁ ବିଧାନସଭା ଅଧିବେଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ୧୪୫ ସଦସ୍ୟ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ସମସ୍ତ ବିଧାୟକଙ୍କ ବସିବା ସ୍ଥାନରେ କାଚ ଲଗାଯିବା ସହ ପରିସରକୁ ଏକାଧିକ ଥର ସାନିଟାଇଜ କରାଯାଇଛି ଅଧଇବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଥିଲା ଅଧିବେଶନର ବହୁ ପୂର୍ବରୁ ରାଜ୍ୟରେ ଡର୍ଜନରୁ ଅଧିକ ବିଧାୟକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ଏହା ପରେ ସେମାନଙ୍କର ଆଉ ଥରେ ଟେଷ୍ଟ କରାଯିବ ବୋଲି ଜଣାପଡିଛି

ୱିକେଟ୍ କିପର ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ଏହି ମହିଳା କ୍ରିକେଟର

ଦୁବାଇ: ପଛରେ ପଡ଼ିଲେ ମାହି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ହିଲି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଅଧିନାୟକ ଏଲିସା ହିଲି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ କାଟିଛନ୍ତି । ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟିରେ ୱିକେଟ କିପର ଭାବେ ଏଲିସା ହିଲି ସର୍ବାଧିକ ୱିକେଟ୍ ହାସଲ କରି ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଲିସା ହିଲି ଉଭୟ ପୁରୁଷ ଓ ମହିଳା ବର୍ଗରେ ସର୍ବାଧିକ ୱିକେଟ୍ ନେଇଥିବା ୱିକେଟ୍ କିପର ଭାବେ ନୂଆ ରେକର୍ଡ କରିଛନ୍ତି ।

ହିଲି ଏହି ସଫଳତା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ହାସଲ କରିଛନ୍ତି । ହିଲି ବର୍ତ୍ତମାନ ଯାଏଁ ୯୯ଟି ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୱିକେଟ୍ କିପର ଭାବେ ୯୨ଟି ୱିକେଟ୍ ନେଇଛନ୍ତି । ସେ ଧୋନିଙ୍କ ଠାରୁ ଗୋଟିଏ ପାଦ ଆଗରେ ଅଛନ୍ତି । ଧୋନି ୯୧ଟି ୱିକେଟ୍ ନେଇଛନ୍ତି । ହିଲିଙ୍କ ପରେ ଇଂଲଣ୍ଡର ୩୯ ବର୍ଷୀୟା ସାରା ଟେଲର ୭୪ଟି ୱିକେଟ ନେଇଛନ୍ତି । ରାଚେଲ ପ୍ରିଷ୍ଟ ୭୨ଟି ୱିକେଟ୍, ମେରିସା ଅଗୁଇଲିୟା ୭୦ଟି ୱିକେଟ୍ ନେଇଛନ୍ତି ।

ଏହା ପରେ ରହିଛନ୍ତି ଦିନେଶ ରାମଦିନ ଯିଏ କି ୬୩ଟି ୱିକେଟ୍ ନେଇଛନ୍ତି । ରାମଦିନଙ୍କ ପରେ ମୁଶଫିକୁର ରହିମ ୬୧ଟି ୱିକେଟ୍ ନେଇଛନ୍ତି । ତେବେ, କ୍ରିକେଟର ସବୁ ଫର୍ମାଟ ଦେଖିଲେ ଏଥିରେ ଆଗୁଆ ରହିଛନ୍ତି ଦକ୍ଷିଣ ଆଫିକୀୟ କ୍ରିକେଟର ମାର୍କ ବାଉଚର । ବାଉଚର ୪୬୭ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ଖେଳି ୯୯୮ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ତାଙ୍କ ପରେ ରହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଏଡମ ଗିଲକ୍ରିଷ୍ଟ । ଗିଲକ୍ରିଷ୍ଟ ୩୯୬ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ଖେଳି ୯୦୫ଟି ୱିକେଟ୍ ନେଇଛନ୍ତି । ଧୋନି ତୃତୀୟ ସ୍ଥାନରେ ଅଛନ୍ତି । ୫୩୮ଟି ମ୍ୟାଚ୍ ଖେଳିଥିବା ଧୋନି ୮୨୯ଟି ଅକ୍ତିଆର କରିଛନ୍ତି । ଧୋନି ଗତ ମାସରେ ହିଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ।

ଗାଁ ପୋଖରୀ ଶୁଖିଯାଇଥିଲା,ପାହାଡ କାଟି ପାଣି ଆଣିବାକୁ ଅଣ୍ଟା ଭିଡିଲେ ମହିଳା..

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳର ଆଗ୍ରୋଥ ଗାଁ । ପାହାଡିଆ ଭୂମିରେ ଅବସ୍ଥିତ ଗାଁରେ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ନ ଥିଲା । ଗାଁରେ ଥିବା ପୋଖରୀ ଓ ଅନ୍ୟାନ୍ୟ ଜଳାଶୟ ଶୁଖି ଯାଉଥିଲା । ବର୍ଷ ବର୍ଷ ଧରି କୌଣସି ପ୍ରକାରର ସମାଧାନର ରାସ୍ତା ବାହାରି ପାରୁ ନଥିଲା । ହେଲେ ୧୮ ମାସ ତଳେ ସାମୂହିକ ଭାବେ ନିଆଯାଇଥିବା ନିଷ୍ପତ୍ତି ସେହି ଗାଁକୁ ଜଳ ଯୋଗାଇବାରେ ସହାୟତା କରିଛି ।

ସେହି ଗାଁର ମହିଳାମାନେ ସାଧାରଣତଃ ପାଣି ଆଣିବା କାର୍ଯ୍ୟ କରିଥାନ୍ତି । ତେଣୁ ପୁରୁଷମାନଙ୍କ ଅପେକ୍ଷା ସର୍ବାଧିକ ଭାବେ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଗାଁର ସବୁ ମହିଳାମାନେ ଏହାର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କଲେ । ପରସ୍ପର ସହ ଆଲୋଚନା କରିବା ପରେ ସେହି ଗାଁର ପ୍ରାୟ ୨୫୦ ମହିଳା ଏକାଠି ହୋଇଥିଲେ । କୌଣସି ପ୍ରଶାସନିକ ସହଯୋଗ ନ ନେଇ ନିଜସ୍ୱ ଉଦ୍ୟମରେ ପାହାଡ଼ କାଟି ଜଳ ଯେପରି ମିଳିପାରିବ, ସେ ନେଇ କାମ କରିବା ଆରମ୍ଭ କରି ଦେଇଥିଲେ ।

ଯେତେବେଳେ ମହିଳାମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ସେତେବେଳେ ଗାଁର କିଛି ସେମାନଙ୍କୁ ଟାହିଟାପରା କରିଥିଲେ । ହେଲେ ଏହା ମହିଳାମାନଙ୍କୁ ହତୋତ୍ସାହିତ କରିପାରି ନ ଥିଲା । କୌଣସି ସମାଲୋଚନାର ବଶବର୍ତ୍ତୀ ନ ହୋଇ ସେମାନେ ନିଜ କାର୍ଯ୍ୟ ଜାରି ରଖିଥିଲେ । ଖରା,ବର୍ଷା, ଶୀତ, କାକରକୁ ଖାତିର ନ କରି ନିୟମିତ ଭାବେ କାର୍ଯ୍ୟ କରିଚାଲିଲେ । ଦିନୱାରୀ ନିଜ ନିଜ ଭିତରେ କାମ ବାଣ୍ଟି ପାହାଡ କାଟିବାରେ ଲାଗିଲେ । କିଛି ମହିଳା କାଟିବା କାର୍ଯ୍ୟ କରୁଥିବା ବେଳେ କେତେଜଣ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଣ କାର୍ଯ୍ୟ କରୁଥିଲେ । ଏପରିକି କେତେକ ମହିଳା ଅନ୍ୟ ମହିଳାଙ୍କ ପିଲାମାନଙ୍କ ଯତ୍ନ କଥା ବୁଝୁଥିଲେ ।

ଏହିପରି ଭାବେ ୧୮ ମାସର ପରିଶ୍ରମ ପରେ ଟାଙ୍ଗରା ଭୂମିରେ ପାଣି ଗଡିଲା । ମହିଳା ମାନଙ୍କ ପରିଶ୍ରମ ଫଳରେ ଏବେ ଗାଁର ପୋଖରୀକୁ ଜଳ ଯୋଗାଣ ହୋଇପାରିଛି । ଏନେଇ ଆଗ୍ରୋଥ ଗାଁର ମହିଳା ବବିତା ରାଜପୁତ କହିଛନ୍ତି ଯେ, ୧୮ ମାସ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ସୁଫଳ ମିଳିଛି । ପୂର୍ବରୁ ଗାଁର ପୋଖରୀକୁ ପାଣି ଆସୁ ନ ଥିବାରୁ ୫୦୦ ମିଟର ପାହାଡ କାଟିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ କାଟିକା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଏହି କାର୍ଯ୍ୟ ସରିଛି, ଗାଁକୁ ପାଣି ଆସିବାରେ ଆଉ କୌଣସି ଅସୁବିଧା ହେଉ ନ ଥିବା ବବିତା କହିଛନ୍ତି ।

କ୍ଷମତାକୁ ଆସିଲେ ୧୦ ଲକ୍ଷ ରୋଜଗାର ଦେବା ନେଇ ଘୋଷଣା କଲେ ତେଜସ୍ୱୀ ଯାଦବ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଏହା ପରେ ଉତ୍ସାହିତ ହୋଇଛନ୍ତି ସମସ୍ତ ରାଜନୈତିକ ଦଳ । ୨୦୧୫ରେ ନୀତିଶ କୁମାରଙ୍କ ଜେଡି(ୟୁ) ସହ କ୍ଷମତା ଦଖଲ କରିଥିବା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡ଼ି) ୨୦୧୭ରେ ନାଟକୀୟ ଭାବେ ବିରୋଧୀ ଦଳ ହୋଇଥିଲା । ତେଣୁ ଚଳିତ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଦଳ ପକ୍ଷରୁ ବ୍ୟାପକ ଘୋଷଣା କରାଯାଉଛି । ବିଶେଷ କରି ବିହାରର ଯୁବବର୍ଗକୁ ଆଖି ଆଗରେ ରଖି ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ ଘୋଷଣା କରିଛନ୍ତି ।

ରବିବାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ତେଜସ୍ୱୀ କହିଛନ୍ତି ଯେ,ଚଳିତ ନିର୍ବାଚନରେ ଯଦି ଆରଜେଡ଼ି କ୍ଷମତାସୀନ ହୁଏ । ତେବେ ସର୍ବପ୍ରଥମେ କିଭଳି ଭାବେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବ, ସେ ନେଇ ନିଷ୍ପତ୍ତି ନେବେ । ନିର୍ବାଚନ ଘୋଷଣା ହେବର ଯଥେଷ୍ଟ ପୂର୍ବରୁ ଲାଲୁ ନନ୍ଦନ ଏହି ଯୁବ ବର୍ଗକୁ ଫୋକସ୍ କରିବାରେ ଲାଗିଛି । ଖାସ୍ ଏଥିପାଇଁ ପ୍ରସ୍ତୁତ କରିଥିଲେ ଏକ ୱେବ ପୋର୍ଟାଲ । ଗତ ଅଗଷ୍ଟ ୫ରୁ ଏଥିରେ ବେରୋଜଗାର ତଥା ନିଯୁକ୍ତି ଥିବା ଯୁବକଯୁବତୀଙ୍କୁ ନିଜ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଥିଲା ।

ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ୯,୪୭, ୩୨୪ ଜଣ ପଞ୍ଜିକୃତ କରିସାରିଛନ୍ତି । ସେହିପରି ଜାରି କରାଯାଇଥିବା ନମ୍ବରରେ ପ୍ରାୟ ୧୩ ଲକ୍ଷ ୧୧ ହଜାର ୬୨୬ ଜଣ ମିସ୍ କଲ୍ ପ୍ରଦାନ କରିସାରିଛନ୍ତି । ଏହି ସଂଖ୍ୟା ହିଁ ରାଜ୍ୟରେ ଥିବା ବେକାରୀ ସମସ୍ୟାକୁ ଦର୍ଶାଉଥିବା ଯାଦବ ଅଭିଯୋଗ କରିଛନ୍ତି । ଖାଲିଥିବା ପଦବୀର ଉଦାହରଣ ଦେଇ ତେଜସ୍ୱୀ କହିଛନ୍ତି ଯେ, ରାଜ୍ୟରେ ଅଢେଇ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ରହିଛି । ବିହାର ପୋଲିସ ସେବାରେ ପ୍ରାୟ ୫୦ ହଜାର ପଦବୀ ଖାଲି ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗକୁ ଯଦି ଲକ୍ଷ୍ୟ କରାଯାଏ, ତେବେ ଜାତୀୟ ହାର ତୁଳନାରେ ବହୁ ସଂଖ୍ୟକ ପଦବୀ ଖାଲି ରହିଛି ।

ଏହି ସବୁ ବିଭାଗରେ ପ୍ରାୟ ୫ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଛି । ସେହିପରି ଅନ୍ୟାନ୍ୟ ବିଭାଗରେ ୪ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଥିବା ତେଜସ୍ୱୀ କହିଥିଲେ । ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେବା ସାଧାରଣ କଥା । ହେଲେ କ୍ଷମତା ପରେ ତାହାକୁ ବାସ୍ତବରୂପ ଦେବା ଭିନ୍ନକଥା । ତେଣୁ ତେଜସ୍ୱୀଙ୍କ ଏହି ଘୋଷଣା ତାଙ୍କୁ ଭୋଟ ରାଜନୀତିରେ କେତେ ସଫଳତା ଦେଉଛି, ତାହା ସମୟ କହିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

IPL 2020: ପରିବାର ସଦସ୍ୟଙ୍କ ଦେହାନ୍ତ ପରେ ବି ମ୍ୟାଚ୍ ଖେଳୁଥିଲେ ଶେନ୍ ୱାଟସନ୍, କ୍ରୀଡ଼ାପ୍ରେମୀଙ୍କ ପ୍ରଂଶସା

ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗ୍ସର ବ୍ୟାଟ୍ସମ୍ୟାନ୍ ଶେନ୍ ୱାଟସନ୍ IPL 2020 ସିଜିନରେ ଏବେ ଯାଏଁ ଖରାପ ପ୍ରଦର୍ଶନ ପାଇଁ ଚିନ୍ତିତ ଅଛନ୍ତି । ତେବେ ବହୁତ କମ୍ ଲୋକଙ୍କୁ ଜଣା ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏବେ ବ୍ୟକ୍ତିଗତ କାରଣରୁ ଦୁଃଖରେ ଅଛନ୍ତି । ଶେନ୍ ୱାଟସନ୍ ନିଜେ ଏହି କଥା ଖୁଲାସା କରିଛନ୍ତି । ୱାଟସନଙ୍କ ଆଇଙ୍କ ଦେହାନ୍ତ ପରେ ମଧ୍ୟ ସେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମ୍ୟାଚ ଖେଳିଥିଲେ । ଯାହା ପରେ ସୋସିଆଲ୍ ମିଡିଆରେ ଲୋକ ତାଙ୍କୁ ଯୋଦ୍ଧା କହୁଛନ୍ତି ।

ଶେନ୍ ୱାଟସନ୍ କହିଛନ୍ତି- ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଦୁଇ ଦିନ ପୂର୍ବରୁ ହିଁ ତାଙ୍କ ଆଇ ରିଚିଙ୍କ ମୃତ୍ୟୁ ହୋଇଥିଲା । ଯାହାପରେ ସେ ତାଙ୍କ ପରିବାରକୁ ଘରକୁ ପଠାଇ ଦେଇଥିଲେ । କହିଥିଲେ- ମୋତେ ଜଣା ମୋ ମାଆଙ୍କ ପାଇଁ ତାଙ୍କ ମାଆ କେତେ ଜରୁରୀ ଥିଲେ । ମୁଁ ଦୁଃଖିତ ଯେ ଏବେ ତାଙ୍କ ପାଖକୁ ଯାଇ ପାରୁନାହିଁ ।

ଶେନ୍ ୱାଟସନଙ୍କ ଏହି ଖୁଲାସା ପରେ ସୋସିଆଲ୍ ମିଡିଆରେ ଲୋକ ତାଙ୍କୁ ପ୍ରକୃତ ଖେଳାଳି, ଯୋଦ୍ଧା କହୁଛନ୍ତି । ତାଙ୍କ ପ୍ରଂଶସକ ୱାଟସନଙ୍କୁ ସମ୍ମାନ ଦେଇ ପୋଷ୍ଟ କରୁଛନ୍ତି । ଚଳିତ ଆଇପିଏଲ୍ ସିଜିନରେ ୱାଟସନ ଏବେ ଯାଏଁ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିନାହାଁନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ଏହା ପୂର୍ବ ୨ ମ୍ୟାଚରେ ୱାଟସନ୍ ୧୪ ଓ ୩୩ ରନ୍ କରିଥିଲେ । ଏହା ପୂର୍ବରୁ କମେଣ୍ଟର ଡିନ୍ ଜୋନ୍ସଙ୍କ ମୃତ୍ୟୁରେ ବି ୱାଟସନ୍ ଇମୋସନାଲ ହୋଇ ପଡ଼ିଥିଲେ ।

ପୂର୍ବ ଲଦାଖ୍‌ରେ ଶକ୍ତି ବଢ଼ାଉଛି ଭାରତ: ଟି-୯୦ ଭୀଷ୍ମ ଟ୍ୟାଙ୍କ ସମେତ ଅନ୍ୟ ଯୁଦ୍ଧାସ୍ତ୍ର ନିୟୋଜିତ

0

ଲଦାଖ୍‌: ପୂର୍ବ ଲଦାଖରେ ଶକ୍ତି ବଢ଼ାଉଛି ଭାରତ  । ସୀମାରେ ଆଉ ପୂର୍ବ ଭଳି ସ୍ଥିତି ନାହିଁ  । ଲେହରୁ ୨୦୦ କିଲୋମିଟର ଦୂରରେ ବି ଟ୍ୟାଙ୍କ ସହ ବିଭିନ୍ନ ଯୁଦ୍ଧାସ୍ତ୍ର ମୁତୟନ କରି ପ୍ରସ୍ତୁତ ରହିଛି ଭାରତ  । ଯେକୌଣସି ମୁହୁର୍ତ୍ତରେ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ରହିଛି  । ଭାରତର ପ୍ରସ୍ତୁତ ଦେଖି ଜଣାପଡ଼ୁଛି ଯେ ଏଥର ଚୀନ ଭୁଲରେ ବି ଭୁଲ କଲେ ଶୋଚନୀୟ ସ୍ଥିତିର ସାମ୍ନା କରିବ  । ୧୬ ହଜାରରୁ ୧୮ ହଜାର ଫୁଟ ଉଚ୍ଚତାରେ ମଧ୍ୟ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନା ସେଠାରେ କ୍ୟାମ୍ପ ପକାଇ ଆସନ୍ତା ଶୀତ ଦିନ ପାଇଁ ପ୍ରସ୍ତୁତ ଥିବା ବେଳେ ଟ୍ୟାଙ୍କ, କ୍ଷେପଣାସ୍ତ୍ର ମୁତୟନ ରହିଛି  । ଆବଶ୍ୟକ ପଡିଲେ କିଛି ମିନିଟ ଭିତରେ ସୀମା ଭିତରକୁ ପ୍ରବେଶ କରି ଟ୍ୟାଙ୍କ ଶତ୍ରୁପକ୍ଷକୁ ଧୁଳିସାତ କରିଦେବ  । ଭାରତ ଓ ଚୀନ ମଧ୍ୟରେ କୋର କମାଣ୍ଡର ସ୍ତରୀୟ ବୈଠକରେ କୌଣସି ଫଳ ନମିଳିବାରୁ ଭାରତ ଏଥର ସବୁ ସ୍ଥିତି ପାଇଁ ସଜାଗ ରହିଛି  ।

ଆଦିତ୍ୟ ଦାସଙ୍କ ବାନ୍ଧବୀ ଚିନ୍ମୟୀଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଦାସଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ଜେରାରେ ତାଙ୍କର ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଚିନ୍ମୟୀଙ୍କର ଭୂମିକା କିଭଳି ରହିଛି ସେ ନେଇ ତାଙ୍କୁ ଉତ୍ତର ମଗାଯାଇଥିଲା ।

ଅନ୍ୟପକ୍ଷରେ ଚିନ୍ମୟୀଙ୍କ ଓକିଲ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଚିନ୍ମୟୀଙ୍କ ବୟସ ମାତ୍ର ୨୧ ବର୍ଷ । ସେ ସାଇକୋ ନୁହନ୍ତି । ଅଯଥା ତାଙ୍କୁ ସାଇକୋ ସଜାଇବାର ଅପଚେଷ୍ଟା ନକରାଯାଉ । ସେହିଭଳି  ଚିନ୍ମୟୀ ଜେରା ସରିବା ପରେ ତାଙ୍କ ଓକିଲ ଚିନ୍ମୟୀଙ୍କ ପକ୍ଷ ସ୍ପଷ୍ଟ କରିଛି ।

ଓକିଲ କହିଛନ୍ତି ଯେ ଚିନ୍ମୟୀଙ୍କ ଷ୍ଟେଟମେଣ୍ଟ୍ ରେକର୍ଡ କରିବା ପାଇଁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ମିଳିବା ପରେ ଚିନ୍ମୟୀ ପହଞ୍ଚିଥିଲେ । ଚିନ୍ମୟୀ ମହାପାତ୍ର କେବେ ଆଦିତ୍ୟଙ୍କ ସହ ସମ୍ପର୍କକୁ ଆସିଲେ, ପରିବାର ସହ ମିଳାମିଶା କେମିତି ଥିଲା ଓ କେବେ ଦୁହିଁଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଲା ସେ ନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନ କରିଥିଲା । କ୍ରାଇମବ୍ରାଞ୍ଚ ଚିନ୍ମୟୀଙ୍କ ଉତ୍ତରରେ ସନ୍ତୁଷ୍ଟ ଥିବା କଥା ତାଙ୍କ ଓକିଲ କହିଛନ୍ତି ।ସେହିଭଳି ଚିନ୍ମୟୀଙ୍କ ଓକିଲ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଚିନ୍ମୟୀଙ୍କ ତରଫରୁ ସୋତପ୍ରୋତ ଭାବେ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି । କ୍ରାଇମବ୍ରାଞ୍ଚ ତଥ୍ୟ ଆଧାରରେ ଆଗାମୀ ତଦନ୍ତ ଜାରି ରଖିବ ବୋଲି ସଲେ ସ୍ପଷ୍ଟ କରିଛନ୍ତି ।

ଏନ୍‌ଆଇଏ ହାତରେ ଧରାପଡ଼ିଲା ଆଉ ଜଣେ ଆତଙ୍କବାଦୀ

0

କୋଲକାତା: ପୁଣି ଜଣେ ଆତଙ୍କବାଦୀ ଗିରଫ । କେରଳ, କୋଲକାତାରୁ  ଅଲ୍ କାଏଦାର ଆତଙ୍କବାଦୀ ଧରାପଡ଼ିବାର କିଛି ଦିନ ପରେ ଏବେ ମୁର୍ସିଦାବାଦରୁ ଆଉ ଜଣେ ଆତଙ୍କବାଦୀ ଧରାପଡ଼ିଛନ୍ତି ।

          ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନରେ ଏହି ଆତଙ୍କବାଦୀ ଜଣଙ୍କ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତ ଆତଙ୍କବାଦୀ ଜଣଙ୍କ ହେଉଛି ସଲିମ୍ ଅନ୍‌ସାରୀ । ସେ ମୁର୍ସିଦାବାଦର ବାସିନ୍ଦା । ଗିରଫ ପରେ ଶନିବାର ତାକୁ ମୁର୍ସିଦାବାଦ ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଏବଂ କୋର୍ଟ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନୂଆଦିଲ୍ଲୀ ସ୍ଥିତି ଏନ୍‌ଆଇଏ କୋର୍ଟରେ ହାଜର କରାଯିବ । ଏ ନେଇ ଖବରସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ରହିଛି ।

NIAର ବଡ଼ ଧରଣର ରେଡ, ଅଲ କାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ କଲା ଗିରଫ

          ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ୱର ୧୯ ତାରିଖରେ ଏନ୍‌ଆଇଏ ଦେଶରେ ସକ୍ରିୟ ଥିବା ଅଲ୍ କାଏଦା ଅଲ୍ କାଏଦର  ଏକ ବଡ଼ ରାକେଟକୁ ଠାବ କରିଥିଲା ଏନ୍‌ଆଇଏ । ଏହି ରେଡରେ ଦେଶର ବିଭିନ୍ନ ସ୍ଥାନରୁ ୯ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ।

ରାଜ୍ୟରେ ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନସ୍ଥଳୀ, ରାଜ୍ୟରେ ହେବ ୫ Eco Retreat

ଭୁବନେଶ୍ୱର:  ଅକ୍ଚୋବର ମାସରୁ କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ପୁଣି ଖୋଲିବ । ପର୍ଯ୍ୟଟକ ଏହି ସବୁ ସ୍ଥାନକୁ ପରିଦର୍ଶନ କରି ପାରିବେ । କିନ୍ତୁ ସେମାନଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ମାନିବାକୁ ପଡିବ । ଏସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ । ଏହା ସହ  କୋଣାର୍କ ଇକୋ ରିଟ୍ରିଟର ସଫଳତା ପରେ ରାଜ୍ୟ ସରକାର ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହାତକୁ ନେବେ । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଘୋଷଣା କରିଛନ୍ତି । ରାଜ୍ୟକୁ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ଜଣାଇଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ୫ଟି ନୂଆ ଇକୋ ରିଟ୍ରିଟ୍ ପ୍ରସ୍ତୁତ ହେବ । ବଡ଼ମୂଳ, ଭିତରକନିକା, ଦାରିଙ୍ଗବାଡି, କେଣାର୍କ ଓ ହୀରାକୁଦରେ ଇକୋ ରିଟ୍ରିଟର ଆୟୋଜନ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର. ଯାଦବ।ତେବେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି । କରୋନା ବେଳେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ହେତୁ ଏବେ ପୁଣି ଥରେ ଏହାକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।