ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ୱରେ ଧୁମଧାମରେ ପାଳନ ହେଉଛି ଆଲୋକର ପର୍ବ ଦୀପାବଳି। ହେଲେ ଆମେରିକାରେ ଦୀପାବଳି ଉତ୍ସବକୁ ନେଇ ଦେଖାଦେଇଛି ଅସନ୍ତୋଷ ଓ ଉତ୍ତେଜନା। ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଜାତିଗତ ଘୃଣା ପ୍ରଦର୍ଶନ କରିଛନ୍ତି ଜଣେ ଦକ୍ଷିଣପନ୍ଥୀ କର୍ମୀ। ଆମେରିକାର ସିଆଟେଲରେ ଦୀପାବଳି ଉତ୍ସବକୁ ବାଧା ଦେବାକୁ ଉଦ୍ୟମ କରିଛନ୍ତି ଜେକ୍ ଲାଙ୍ଗ। ଏପରିକି ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ସେ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।
ଶନିବାର ସ୍ଥାନୀୟ ସମୟରେ ୱାଶିଂଟନର ସିଆଟେଲରେ ଆୟୋଜିତ ଦୀପାବଳି ଉତ୍ସବରେ ଜେକ୍ ଲାଙ୍ଗ ଓ ତାଙ୍କ ସମର୍ଥକମାନେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନଙ୍କ ହାତରେ ଥିଲା ‘ସମସ୍ତ ଡଟ୍ ହେଡ୍ସଙ୍କୁ ଦେଶାନ୍ତର କର’ ଲେଖାଥିବା ପ୍ଲାକାର୍ଡ। ତେବେ ଉତ୍ସବରେ ଉପସ୍ଥିତ ଲୋକେ ସେମାନଙ୍କୁ ଆଗକୁ ବଢ଼ିବାରୁ ଅଟକାଇଥିଲେ।
ଏହାପରେ ଜେକ୍ ଲାଙ୍ଗ ସୋସିଆଲ ମିଡିଆରେ ଘଟଣାର ଫଟୋ ପୋଷ୍ଟ କରିବା ସହ ହିନ୍ଦୁମାନଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଟେକ୍ସାସକୁ ଡେମୋକ୍ରାଟଙ୍କ ଗଡ଼ କରିବା ପଛରେ ହିନ୍ଦୁମାନଙ୍କ ହାତ ଥିବା ସେ ଦାବି କରିଥିଲେ। ତାଙ୍କ କହିବା ଅନୁସାରେ, ସିଆଟେଲ ଦୀପାବଳି ଉତ୍ସବରେ ଆଣ୍ଟିଫା ଓ ହିନ୍ଦୁମାନେ ତାଙ୍କ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।
ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ଦଳର ପରାଜୟକୁ ନେଇ ମଧ୍ୟ ଲାଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟେକ୍ସାସ ଓ କାନସାସ ଭଳି ରାଜ୍ୟରେ ରିପବ୍ଲିକାନଙ୍କ ଗଡ଼ ଦୋହଲିବା ପଛରେ ନିର୍ବାଚନୀ ଜାଲିଆତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ୨୦୨୭ ଜାନୁଆରୀ ୩ ତାରିଖରେ ୱାଶିଂଟନ ଡିସିରେ ନିର୍ବାଚନ ଫଳାଫଳ ବିରୋଧରେ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଛନ୍ତି।
ଜେକ୍ ଲାଙ୍ଗ ୨୦୨୧ ଜାନୁଆରୀ ୬ରେ ଆମେରିକାର କ୍ୟାପିଟଲ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସାମିଲ ଥିଲେ। ଏହି ମାମଲାରେ ସେ ଜେଲ୍ ଯାଇଥିବା ବେଳେ ୨୦୨୫ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ କ୍ଷମା ପ୍ରଦାନ କରିଥିଲେ।
ଅନ୍ୟପଟେ, ଚିକାଗୋ ନିକଟସ୍ଥ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରି ଗଣଗୁଳିକାଣ୍ଡ ଘଟାଇବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ମନ୍ଦିରକୁ ଗଣଗୁଳିକାଣ୍ଡର ଧମକ ମିଳିବା ପରେ ପୋଲିସ ତଦନ୍ତ କରି ୧୯ ବର୍ଷୀୟ ଯୁବକ ଆଲେକଜାଣ୍ଡ୍ରୋସ୍ ପାପୋରାକିସ୍ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନାଜି ଚିନ୍ତାଧାରାର ସମର୍ଥକ ହୋଇଥିବା ଏବଂ ହିନ୍ଦୁ ମନ୍ଦିରରେ ଗଣଗୁଳିକାଣ୍ଡ ଯୋଜନା କରିଥିବା ଅଭିଯୋଗ ହୋଇଛି।
ଆମେରିକାରେ ଲଗାତାର ହିନ୍ଦୁ ସମ୍ପ୍ରଦାୟ ଓ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଉଥିବା ଘଟଣା ଏବେ ସୁରକ୍ଷା ଓ ଧାର୍ମିକ ସ୍ୱାଧୀନତାକୁ ନେଇ ଚିନ୍ତା ବଢ଼ାଇଛି।

