spot_img
Home Blog Page 6554

5000mAh ବ୍ୟାଟେରୀ ଥିବା ଏହି ଫୋନର ମୂଲ୍ୟ ମାତ୍ର ୫,୯୯୯ ଟଙ୍କା

୩୧ ଅଗଷ୍ଟକୁ ଲଞ୍ଚ ହୋଇଛି ଜିୟୋନିର ନୂଆ ଫୋନ ଜିୟୋନି ମ୍ୟାକ୍ସ । ଏହାର ବିକ୍ରି ଫ୍ଲିପକାର୍ଟରେ ଦ୍ୱିପ୍ରହର ୧୨ଟାରୁ ଆରମ୍ଭ ହୋଇଛି । ଏଥିରେ ଖୁବ ଆକର୍ଷଣୀୟ ଅଫର ମଧ୍ୟ ମିଳୁଛି । ଯାହା ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଫୋନ ଉପରେ ରିହାତି । ମାତ୍ର ୫,୯୯୯ ଟଙ୍କାରେ ବିକ୍ରି ହେଉଥିବା ଏହି ଫୋନରେ ୫୦୦୦mAh ବ୍ୟାଟେରୀ ରହିଛି ।

ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ ଫୋନ ଉପରେ ଏକ ଖାସ୍‌ ମୂଲ୍ୟ ରହିଛି । ଯେଉଁଥିରେ ଫୋନକୁ କିଣିବା ଦ୍ୱାରା ୧୯୯୧ ଟଙ୍କାର ରିହାତି ଦିଆଯାଉଛି । ଫ୍ଲିପକାର୍ଟ Axis ବ୍ୟାଙ୍କ କ୍ରେଡିଟ କାର୍ଡ଼ରେ ୫ ପ୍ରତିଶତର ରିହାତି ମଧ୍ୟ ଦିଆଯାଉଛି । ଏହା ବ୍ୟତୀତ Rupay ଡେବିଟ କାର୍ଡ଼ରେ ପ୍ରି-ପେଡ ଟ୍ରାଞ୍ଜାକ୍ସନ ଉପରେ ୩୦ ପ୍ରତିଶତର ରିହାତି ଦିଆଯାଉଛି ।

କ’ଣ ରହିଛି ଫିଚର:

  • ଜିୟୋନି ମ୍ୟାକ୍ସରେ ୬.୧ ଇଞ୍ଚର ଏଚ୍‌.ଡି+(୧୫୬୦*୭୨୦) କର୍ଭଡ ଗ୍ଲାସ ଡିସପ୍ଲେ ରହିଛି ।
  • ଫୋନରେ ୧.୬ ଗିଗାହର୍ଟଜ Unisoc SC9863A  ପ୍ରୋସେସର ଏବଂ ଗ୍ରାଫିକ୍ସ ପାଇଁ IMG8322 GPU  ରହିଛି ।
  • ୨ ଜିବି ର୍ୟାମ ବା ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । ଏହାକୁ ମାଇକ୍ରୋଏସଡି କାର୍ଡ଼ ଜରିଆରେ ୨୫୬ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ ।
    ସବୁଠାରୁ ଖାସ କଥା ହେଉଛି ଜିୟୋନିର ଶସ୍ତା ସ୍ମାର୍ଟଫୋନ ଲାଟେଷ୍ଟ ଆଣ୍ଡ୍ରଏଡ ୧୦ରେ ବ୍ୟବହାର ହେଉଛି । ସୂଚନାଯୋଗ୍ୟ ଜିୟୋନି ମ୍ୟାକ୍ସରେ ଫେସ ଅନଲକ ଏବଂ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇନାହିଁ ।

କ୍ୟାମେରା ଏବଂ ବ୍ୟାଟେରୀ:

  • ଜିୟୋନି ମ୍ୟାକ୍ସରେ ଏଲଇଡି ଫ୍ଲାଶ ୧୩ ମେଗାପିକ୍ସଲର ପ୍ରାଇମେରୀ ସେନ୍ସର ସହିତ ଓ୍ୱାନ ଡେପଥ୍‌ ସେନ୍ସର ମଧ୍ୟ ରହିଛି ।
  • ସେଲଫି ପାଇଁ ୫ ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି ।
  • ପାଓ୍ୱାର ପାଇଁ 5000mAh ବ୍ୟାଟେରୀ ଦିଆଯାଇଛି ।
  • ଏହା ଏଣ୍ଟ୍ରି ଲେବଲ ଫୋନ ରିଭର୍ସ ଚାର୍ଜିଂ ସପୋର୍ଟ ସହିତ ଆସିଥାଏ । ଏହାର ଅର୍ଥ ଏହା ଦ୍ୱାରା ଅନ୍ୟ ଫୋନକୁ ମଧ୍ୟ ଚାର୍ଜ କରାଯାଇପାରିବ ।
  • କନେକ୍ଟିଭିଟି ପାଇଁ ଫୋନରେ ୪ଏ ଭୋଲଟି,ଓ୍ୱାଇଫାଇ ୮୦୨.୧୧ବି/ଜି/ଏନ,ବ୍ଲୁଟୁଥ ୪.୨,ଜିପିଏସ ଏବଂ ମାଇକ୍ରୋ ୟୁଏସବି ଭଳି ଫିଚର ରହିଛି ।

Bihar Politics : ହୋଇପାରେ ଶରଦ ଯାଦବଙ୍କ ଘର ବାହୁଡ଼ା, ମନେଇବା ପାଇଁ ଲାଗିଛନ୍ତି ଜେଡିୟୁ ନେତା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ନୀତିଶ କୁମାର ଯଥାସମ୍ଭବ ସମୀକରଣ ପାଇଁ ଲାଗି ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ପୂର୍ବରୁ ନୀତିଶଙ୍କ ସାରଥୀ ଥିବା ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଦଳକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶରଦ ଯାଦବ ଜେଡିୟୁକୁ ଫେରିବାକୁ ନେଇ ଦଳର କେତେକ ନେତା ତାଙ୍କ ଯୋଗାଯୋଗରେ ଆସିଛନ୍ତି । କୁହାଯାଉଛି ଖୁବଶୀଘ୍ର ଏଥିରେ ପରିବର୍ତ୍ତନ ଦେଖାଦେଇପାରେ ।

ସୂଚନାଯୋଗ୍ୟ ନୀତିଶ କୁମାରଙ୍କ ସହିତ ରାଜନୈତିକ ମନମାଳିନ୍ୟ ଯୋଗୁଁ ଶରଦ ଯାଦବ ୨୦୧୮ରେ ଜେଡିୟୁରୁ ଅଲଗା ହୋଇ ଲୋକତାନ୍ତ୍ରିକ ଜନତା ଦଳ ନାମରେ ନିଜର ଏକ ଭିନ୍ନ ରାଜନୈତିକ ଦଳ ଗଠନ କରିଥିଲେ । ଶରଦ ଯାଦବଙ୍କ ସହିତ ଅଲି ଅନବର ଏବଂ ଅନ୍ୟ କେତେକ ବଡ଼ ବଡ଼ ନେତା ମଧ୍ୟ ଦଳ ଛାଡ଼ିଥିଲେ । ଏହାପରେ ଶରଦ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ଆରଜେଡିର ଟିକେଟରେ ମଧେପୁରାରୁ ନିର୍ବାଚନ ଲଢିଥିଲେ, କିନ୍ତୁ ଜେଡିୟୁର ଦିନେଶ୍ୱର ଯାଦବଙ୍କ ଠାରୁ ୧ ଲକ୍ଷ ଭୋଟରେ ହାରିଗଲେ ।

ଗତ କିଛି ଦିନ ହେବ ଶରଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବାରୁ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଶରଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜେଡିୟୁର କେତେକ ବଡ଼ ବଡ଼ ନେତା ତାଙ୍କ ହାଲଚାଲ ବୁଝିବା ପାଇଁ ଯୋଗାଯୋଗ କରିଛନ୍ତି । ଯାହାପରେ ଦଳକୁ ପୁଣିଥରେ ଫେରିବାକୁ ନେଇ ଆଲୋଚନା ହେଉଛି । କୁହାଯାଉଛି କି ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ଯାଦବ ଜେଡିୟୁରେ ସାମିଲ ହୋଇପାରନ୍ତି । ଅବଶ୍ୟ ଶରଦ ଯାଦବ ଏବେ ମହା ମେଣ୍ଟର ଭାଗୀଦାର ଅଛନ୍ତି, କିନ୍ତୁ ଆରଜେଡି ତରଫରୁ ତାଙ୍କୁ ବିଶେଷ ଧ୍ୟାନ ଦିଆଯାଇନାହିଁ । ଏହି କଥାକୁ ନେଇ ମଧ୍ୟ ଶରଦ ଯାଦବ ରାଗି ଯାଇଛନ୍ତି । ଏହି ପରିସ୍ଥତିରେ ଶରଦ ଯାଦବ ଜେଡିୟୁ ଫେରିବାର ସମ୍ଭାବନା ବଢି ଯାଇଛି ।

ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ, ଶରଦ ଯାଦବଙ୍କ ଜେଡିୟୁରେ ସିଧା ପ୍ରବେଶକୁ ନେଇ କିଛି ମତ ରଖି ନାହାଁନ୍ତି । କିନ୍ତୁ ଇସାରା ଦେଇ କହିଛନ୍ତି ଶରଦ ସମାଜବାଦୀ ଆନ୍ଦୋଳନର ଜଣେ ବଡ଼ ନେତା, କିନ୍ତୁ ଆନୁଷ୍ଠାନିକ ଭାବେ ତାଙ୍କ ଦଳକୁ ଶରଦଙ୍କ ଫେରିବା ନେଇ କୌଣସି ସୂଚନା ମିଳିନାହିଁ ।

ବାସ୍ତବରେ ରାଷ୍ଟ୍ରୀୟ ଜନତା ଦଳର ପରାମ୍ପରାଗତ ଭୋଟରକୁ ହାତେଇବା ପାଇଁ ନୀତିଶ କୁମାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ନଜରରେ ରଖି ଗତ କିଛି ଦିନ ହେବ ଜେଡିୟୁରେ ଆରଜେଡିର କେତେକ ନେତାଙ୍କ ପ୍ରବେଶ ହୋଇଛି । ଯେଉଁଥିରେ ଯାଦବ ଏବଂ ମୁସଲମାନ ବିଧାୟକ ସାମିଲ ଅଛନ୍ତି । ଏହି ମଧ୍ୟରେ ଲାଲୁଙ୍କ ପାରମ୍ପାରିକ ଭୋଟରଙ୍କୁ ହାତେଇବା ପାଇଁ ଶରଦ ଯାଦବଙ୍କୁ ଫେରାଇ ଆଣିବାକୁ ଜେଡିୟୁ ଚେଷ୍ଟା ଜାରି ରଖିଛି ।

China-India Standoff :ସାମ୍ନାକୁ ଆସିଲା ଗଲବାନ ଘାଟିରେ ଭାରତୀୟ ସୈନିକଙ୍କ ଦ୍ୱାରା ନିହତ ଚୀନ ସୈନିକଙ୍କ ସମାଧି

ନୂଆଦିଲ୍ଲୀ:ଜୁନ୍ ୧୫ ଓ ୧୬ ତାରିଖ ରାତିରେ ଗଲବାନରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ । କିନ୍ତୁ ଚୀନ ନିଜ ମୃତହାତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବୟାନ ରଖିନାହିଁ । ତେବେ ଆମେରିକାଭଳି ଦେଶଙ୍କ ଅନୁସାରେ ସଂଘର୍ଷରେ ଚୀନର ୪୨ ଜଣ ସୈନିକ ପ୍ରାଣ ହରାଇଥିଲେ । ଏବେ ସେହି ଖବର ପ୍ରାୟତଃ ସତ ବୋଲି ଜଣା ପଡୁଛି । ଏକ ଘରୋଇ ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି ଯେ, ଚୀନ୍ ସୈନିକଙ୍କ କବରର ଫଟୋ ଏହା ପାଖରେ ଅଛି । ଏହି ନ୍ୟୁଜ୍ ଚ୍ୟାନେଲ ପ୍ରଥମେ ଶନିବାର ଦିନ ଗୋଟିଏ କବରର ଫଟୋ ଦେଖାଇ ଏହା ଗଲବାନ ଘାଟିରେ ନିହତ ଚୀନ ସୈନିକଙ୍କ କବର ବୋଲି ଦାବି କରିଥିଲା । ଏବେ ଏହା ଗୋଟିଏ ଲାଇନରେ ଥିବା ଚୀନ୍ ସୈନିକଙ୍କ କବରର ଫଟୋ ଜାରି କରିଛି । ସବୁ କବରରେ କଳା ମାର୍ବଲ ଲାଗିଥିବା ଦେଖିବାକୁ ମିଳିଛି ।

ଚିତ୍ରରୁ ଜଣା ପଡୁଛି ଯେ, ଗଲବାନ ଘାଟିରେ ନିହତ ହୋଇଥିବା ସୈନିକଙ୍କ  କବର ଚୀନର ପିଏଲଏ ସେନାର ଏକ ମେମୋରିଆଲରେ ରହିଛି । ଏହା ଏକ ନୂଆ ମେମୋରିଆଲ ବୋଲି ଜଣା ପଡୁଛି । କିନ୍ତୁ ମେମୋରିଆଲରେ ୩୫ରୁ ଅଧିକ ସୈନିକଙ୍କ ସମାଧୀ ରହିଛି । ସନ୍ଦେହ କରାଯାଉଛି ଯେ, କିଛି ଦିନ ତଳେ ତିଆରି ହୋଇଥିବା ମେମୋରିଆଲରେ ଗଲବାନ ଘାଟିରେ ନିହତ ସୈନିକଙ୍କୁ ସମାଧି ଦିଆଯାଇଛି । ପୁରା ସତ କେବଳ ଚୀନ ହିଁ କହିପାରିବ ।

china soldier memorial

ସୂଚନାଯୋଗ୍ୟ ଯେ, ଗଲବାନ ଘାଟିରେ ୧୫-୧୬ ମେ ମଧ୍ୟରାତ୍ରୀରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ଆଧିକାରିକ ଭାବେ ତା’ର କେତେଜଣ ସୈନିକ ପ୍ରାଣ ହରାଇଛନ୍ତି ସେ ବାବଦରେ କୌଣସି ସୂଚନା ଦେଇ ନାହିଁ । ଅନ୍ୟପକ୍ଷରେ ଭାରତ କେଇ ଘଣ୍ଟା ମଧ୍ୟରେ ନିଜ ସହିଦଙ୍କ ସଂପର୍କରେ ସୂଚନା ପ୍ରଦାନ କରିଥିଲା ।

china soldier memorial
ଚେନ୍ ସିୟାନଗ୍ରୋଙ୍ଗଙ୍କ ସମାଧି,ଭାରତୀୟ ସେନା ସହ ସଂଘର୍ଷରେ ପ୍ରାଣ ହରାଇଥିଲେ

ଶନିବାର ଦିନ ଉକ୍ତ ଚ୍ୟାନେଲ ଏକ ସମାଧିର ଫଟୋ ଜାରି କରିଥିଲା । ଯେଉଁଥିରେ ଲେଖାଥିଲା ଯେ, ୧୯ ବର୍ଷୀୟ ଏହି ସୈନିକଙ୍କ ମୃତ୍ୟୁ ଭାରତୀୟ ସୀମାରେ ହୋଇଥିଲା । ସମାଧିରେ ସୈନିକର ନାମ ଚେନ୍ ସିୟାନଗ୍ରୋଙ୍ଗ୍ ଲେଖା ହୋଇଛି । ସେ ଫୁଜିୟାନ ପ୍ରଦେଶର ବାସିନ୍ଦା । ସୈନିକଙ୍କ ଜନ୍ମ ଡିସେମ୍ବର ୨୦୦୧ ଓ ମୃତ୍ୟୁ ଜୁନ୍ ୨୦୨୦ ବୋଲି ଲେଖାଯାଇଛି । ଚୀନ୍ ଭାଷାରେ ଲେଖା ରହିଛି ଯେ, ଏହି ସୈନିକ ଜଣକ ସୀମାରେ ଭାରତ ବିରୋଧରେ ଲଢେଇ କରି ବଳିଦାନ ଦେଇଛନ୍ତି  । ସୈନିକଙ୍କ ଚୀନର ସେଣ୍ଟ୍ରାଲ ମିଲିଟାରୀ କମିଶନ(ସିଏମସି) ତରଫରୁ ’ଫାଷ୍ଟ୍ କ୍ଲାସ ମେରିଟ୍’ ପ୍ରଶଂସାପତ୍ର ମିଳିଥିବା କଥା ଉଲ୍ଲେଖ ରହିଛି । ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ୍ ସିଏମସିର ଚେୟାରମ୍ୟାନ୍ । କେବଳ ଏତିକି ନୁହେଁ ସୈନିକଙ୍କ ସମାଧି ଉପରେ ତାଙ୍କର ମିଲିଟାରି ୟୁନିଟର ନାମ ମଧ୍ୟ ଉଲ୍ଲେଖ ଅଛି । ଚେନ୍ ଦକ୍ଷୀଣ ଶିଚାୟିଙ୍ଗ୍ ମିଲିଟାରି ଡିଷ୍ଟ୍ରକ୍ଟ ସହ ଜଡିତ ଥିଲେ । ଏହି ୟୁନିଟ୍ ପୂର୍ବ ଲଦାଖକୁ ଲାଗିଥିବା ଏଲଏସିର ସୁରକ୍ଷାରେ ମୁତୟନ ଅଛି ।

china war memorial
ଗଲବାନରେ ନିହତ ଚୀନ ସୈନିକଙ୍କ ସାମୁହିକ ସମାଧି ସ୍ଥଳ

ସମଧି ଉପରେ ଅଧା ଜଳା ସିଗାରେଟ୍ ରହିଛି । ଚୀନରେ ସିଗାରେଟକୁ ସାମାଜିକ ଭାବେ ଶୁଭ ମନା ଯାଏ । ଲୋକ ପରସ୍ପରକୁ ଭେଟିବା ବେଳେ ସିଗାରେଟ୍ ଉପହାର ଭାବେ ଦିଅନ୍ତି । ତେଣୁ ସମ୍ଭବ ଯେ, ଚେନ୍ ଶିୟାଗ୍ରୋଙ୍ଗ୍ ମଧ୍ୟ ସିଗାରେଟ୍ ପିଉଥିବାର ସମ୍ଭବାନ ରହିଛି  ଓ ତା’ର ସାଥି ତାଙ୍କୁ ମନେ ପକାଇ ସମାଧି ଉପରେ ଅଧାଜଳା ସିଗାରେଟ୍ ରଖି ଥାଇ ପାରନ୍ତି ।

China Army In Ladakh : SUVରେ ଆସିଥିଲେ ୨ଶହ ଚୀନ୍ ସୈନିକ, କିନ୍ତୁ ତା’ପରେ ଯାହା ହେଲା…..

0

ଲେହ-ଶ୍ରୀନଗର : ଭାରତ-ଚୀନ ସୀମାରେ ପୁଣି ବିବାଦ ବଢିଛି । ପୂର୍ବ ଜୁନ ୧୫-୧୬ର ସୀମା ବିବାଦକୁ ତୁଟାଇବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଏବେ ମଧ୍ୟ ଚାଲିଛି । ଚୀନ ଭାରତ ସୀମାରେ ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ମାତ୍ର ଏବେ ସ୍ଥିତି ପୁଣି ଥରେ ଯଥା ପୂର୍ବ ତଥା ପରଂ ହୋଇଛି । ଚୀନ ପୁଣି ଥରେ ପେଙ୍ଗୋଙ୍ଗ୍ ହ୍ରଦ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଛି ।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଗତ ୨୯ ଓ ୩୦ ଅଗଷ୍ଟ ରାତ୍ରିରେ ଚୀନ ଯବାନମାନେ ଭାରତୀୟ ସୀମାରେ ବିଶୃଙ୍ଖଳିତ ଆଚରଣ କରିବା ଆରମ୍ଭ କରିଥିଲେ । ଅନୁପ୍ରବେଶ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ତେବେ ଏସବୁ ପରିସ୍ଥିତି ପାଇଁ ଭାରତୀୟ ସେନା ପୂର୍ବରୁ ପ୍ରସ୍ତୁତ ରହିଥିଲା । ଚୀନ ସେନାକୁ ସଫଳତାର ସହ ମୁକାବିଲା କରିବା ସହ ଭାରତୀୟ ଯବାନମାନେ ସେମାନଙ୍କୁ ସୀମା ଭିତରକୁ ପ୍ରବେଶ କରାଇ ଦେଇନଥିଲେ । ଗତ ୨୯ ତାରିଖ ରାତିରେ ଚୀନର ପ୍ରାୟ ୨ଶହ ଯବାନ ଏକ ଗୋଷ୍ଠୀ ହୋଇ କିଛି SUV ଗାଡ଼ିରେ ଆସି ପହଞ୍ଚିଲେ । ଏହାପରେ ଚୀନ ଯବାନମାନେ ଭାରତୀୟ ସୀମା ମଧ୍ୟରେ ଧସେଇ ପଶିବା ପାଇଁ ଉଦ୍ୟମ ଆରମ୍ଭ କଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ସେନା  ଏଭଳି କରିବାକୁ ନଦେଇ ଚୀନ ସେନାକୁ ରୋକିବାରେ ସଫଳ ହୋଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା । ଦୁଇ ପକ୍ଷର ଯବାନମାନେ ଅଧିକ ସଂଖ୍ୟାରେ ଆସି ସୀମା ପାଖରେ ଉପସ୍ଥିତ ହୋଇଥିଲେ । ଭାରତୀୟ ଯବାନଙ୍କ ଆଭିମୁଖ୍ୟ ଦେଖି ଚୀନ ଯବାନମାନେ ସ୍ଥାନ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ଚୀନ ସରକାରଙ୍କ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଚୀନ ସରକାର କହିଥିବା କଥା ରଖିନାହାନ୍ତି ବୋଲି ଭାରତ ସରକାର କହିଛନ୍ତି  । ସୀମାରେ ପୁଣି ବିଶୃଙ୍ଖଳା କରି ଚୀନ ତା’ ବାସ୍ତବ ଆଭିମୁଖ୍ୟକୁ ପ୍ରକାଶ କରିଛି । ତେବେ ସୀମାରେ ବିଶୃଙ୍ଖଳା ପୁଣି ବଢିବା ପରେ ଲେହ ଓ ଶ୍ରୀନଗର ମୁଖ୍ୟ ରାସ୍ତାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି । ମାତ୍ର ସେନାର ଚଳାଚଳ ପାଇଁ ରାସ୍ତା ଖୋଲା ରହିଛି ।

Stock Market News : ସୀମାରେ ସଂଘର୍ଷ, ଖୋଲୁ ଖୋଲୁ ବୁଡ଼ିଗଲା ନିବେଶକଙ୍କ ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ସପ୍ତାହର ଆରମ୍ଭ ସୋମବାର । ସେୟାର ବଜାର ଆରମ୍ଭରୁ ସବୁ କିଛି ଠିକ୍ ଥିଲା । କିନ୍ତୁ, ଏକ ଭାବନା ବଜାରର ଅବସ୍ଥାକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲା । କାରବାର ବେଳେ ସେନସେକ୍ସ ଆଜି ୧୫୦୦ ଅଙ୍କ ନିକଟରେ ବନ୍ଦ ହୋଇଯାଇଛି । ସେହିପରି ନିଫ୍ଟି ୩୦୦ ଅଙ୍କ ଖସି ୧୧୩୫୦ ତଳକୁ ଖସି ଆସିଛି । ସେୟାର ବଜାରର ଏହି ଝଡ଼ ପଛର କାରଣ ହେଉଛି  ଅଶାନ୍ତ ସୀମାନ୍ତ ।  ଭାରତ ଓ ଚୀନ ସୈନିକ ମୁହାଁମୁହିଁ  ହେବା ଖବର ବଜାରକୁ ଦୋହଲାଇ ଦେଇଛି ।  ଖବର ଆସିଥିଲା ୨୯ ଓ ୩୦ ଅଗଷ୍ଟ ରାତିରେ ଚୀନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଯାହା ପରେ ଦୁଇ ଦେଶରେ ସେନା ମୁହାଁମୁହିଁ ହୋଇଥିଲେ । ଏହି ଖବର ନିବେଶକଙ୍କ ମନରେ ଭୟ ସଞ୍ଚାର କରିଥିଲା । ଜିଓ ପଲିଟିକ୍ସ (ଭୌଗଳିକ ରାଜନୀତି) ବଢିବା ଡରରେ ନିବେଶକ ନିଜ ନିବେଶ ଉଠାଇ ନେଇଥିଲେ । ଫଳରେ ନିବେଶକଙ୍କ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ଦିନକରେ ବୁଡ଼ି ଯାଇଛି ।

୪୦ ହଜାର ଛୁଇଁବା ପରେ ସେନସେକ୍ସ ହ୍ରାସ

କାରବାର ଆରମ୍ଭରୁ ସେନସେକ୍ସ ୫୦୦ ଅଙ୍କରୁ ଅଧିକ ବଢ଼ି ୪୦ ହଜାର ପାଖାପାଖି ପହଞ୍ଚିଥିଲା । ଯେତେବେଳେ କି ନିଫ୍ଟି ୧୧ ହଜାର ୭୦୦ ପାଖାପାଖି ଥିଲା । ଏବେ ସେନସେକ୍ସ ୧୦୦୦ ଅଙ୍କ ଖସି ୩୮ ହଜାର ୫୦୦ ତଳକୁ ଆସିଥିବା ବେଳେ ନିଫ୍ଟି ୩୦୦ ଅଙ୍କ ହ୍ରାସ ପାଇ ୧୧ ହଜାର ୩୫୦ ତଳକୁ ଖସି ଆସିଛି ।

ବୁଡ଼ିଗଲା ୫ ଲକ୍ଷ କୋଟି

ବଜାରରେ ହଲଚଲରେ ବିଏସଇରେ ଲିଷ୍ଟେଡ୍ କମ୍ପାନୀଙ୍କର ମାର୍କେଟ ଭ୍ୟାଲୁ କ୍ୟାପ୍ ପାଖାପାଖି ୫ ଲକ୍ଷ କୋଟି କମିଛି । ୨୮ ଅଗଷ୍ଟରେ ବିଏସଇର ମାର୍କେଟ୍ କ୍ୟାପ ୧, ୫୮, ୩୨, ୨୨୦.୧୫ କୋଟି ଟଙ୍କାରେ ବନ୍ଦ ହୋଇଥିଲା । ଆଜି ଏହା ଖସିକରି ୧, ୫୩, ୫୫, ୬୭୮.୦୪ କୋଟି ଟଙ୍କା ପାଖାପାଖି ରହିଛି । ଅର୍ଥାତ୍ ଗୋଟିଏ ଥରରେ ନିବେଶକ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।

ଅଧିକ ବିକ୍ରି ହେଲା ବ୍ୟାଙ୍କ ସେୟାର୍

ଆଜିର କାରବାରରେ ବ୍ୟାଙ୍କ ସେୟାର ଭଲ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ଆଜି ଇଣ୍ଡେକ୍ସରେ ପାଖାପାଖି ୩.୬୪ ପ୍ରତିଶତ ଅର୍ଥାତ୍ ୮୯୨ ଅଙ୍କ ଖସିଥିବା ଜଣାପଡ଼ିଛି । HDFC ବ୍ୟାଙ୍କ, AXIS ବ୍ୟାଙ୍କ, ICICI ବ୍ୟାଙ୍କ, IDFC ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଅଧିକ ହ୍ରାସ ଦେଖିବାକୁ ମିଳିଛି ।

ରାଜଧାନୀ ପୂଜା ପାଇଁ ଜାରି ହେଲା ଏସଓପି : ବିନା ଭକ୍ତରେ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚାନ୍ଦା ଆଦାୟକୁ ମନା…

0

ଭୁବନେଶ୍ୱର : କରୋନା ବେଳେ ଭୁବନେଶ୍ୱରରେ ହେବ ନିରାଡମ୍ବର ପୂଜା । ରାଜଧାନୀରେ ପାର୍ବଣ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ବସିଛି । ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା,ପୋଲିସ କମିଶନ ଓ ଭୁବନେଶ୍ବର ଡିସିପିଙ୍କ ସହ ସମସ୍ତ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ ।  ବୈଠକରେ ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀ ପୂଜା, କାର୍ତ୍ତିକେଶ୍ୱର ପୂଜା ପାଇଁ ନୂଆ ଏସଓପି ଜାରି ହୋଇଛି । ଭୁବନେଶ୍ୱରରେ ସବୁ ପୂଜା ପାଇଁ ଗୋଟିଏ ନିୟମ  ଲାଗୁ ହେବ ।

ସାଜ୍ଜସଜ୍ଜା ହେବନି, ବାଜିବନି ମାଇକ୍, ଝଲସିବନି ଲାଇଟ । ଭସାଣି ନୁହେଁ ଚଳିତ ବର୍ଷ ହେବ ବିସର୍ଜନ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଗିଲା ବ୍ରେକ୍  । ସାର୍ବଜନୀନ ପୂଜାରେ ୧୦ ଜଣକୁ ନେଇ ପୂଜା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ବିନା ଭକ୍ତରେ ପୂଜା କରିବାକୁ ନିର୍ଦ୍ଦେଶ ରହିଛି । ରାଜଧାନୀରେ ସବୁ ମଣ୍ଡପରେ ହେବ ପୂଜା । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ ହେବନି ।

ଖୁବ କମ ଖର୍ଚ୍ଚରେ ପୂଜା କରିବେ ରାଜଧାନୀର ୧୮୪ ପୂଜା କମିଟି । ସେହିଭଳି ଏଥରର ରାବଣ ପୋଡ଼ିକୁ ମଧ୍ୟ ମନା ହୋଇଛି । ୪ରୁ ୫ ଫୁଟ ଭିତରେ ମୂର୍ତ୍ତି ତିଆରି ହେବ । ଏହାସହ ଚଳିତ ବର୍ଷ ରାବଣ ପୋଡି ହେବନାହିଁ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

ନନ୍ଦିଘୋଷ ଟିଭି ପ୍ରଭାବ: ଭଦ୍ରକ ବାଲିମାଫିଆଙ୍କ ଠାରୁ ଲାଞ୍ଚ ଅଡିଓ ଭାଇରାଲ ଘଟଣାରେ ତତ୍କାଳୀନ ଥାନାଧିକାରୀ ନିଲମ୍ବିତ

ଭଦ୍ରକ: ବାଲିମାଫିଆଙ୍କ ଠାରୁ ଲାଞ୍ଚ ଅଡିଓ ଭାଇରାଲ ଘଟଣା । ଭଣ୍ଡାରିପୋଖରୀର ପୂର୍ବତନ ଥାନାଧିକାରୀ ସନାତନ ସାହୁ ନିଲମ୍ବିତ । ଭାଇରାଲ ଅଡିଓ ତଦନ୍ତ ପରେ ସନାତନ ସାହୁଙ୍କୁ ନିଲମ୍ବନ କରିଛନ୍ତି  ପେଲିସ ଡିଜି ଅଭୟ । ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ରାଜେଶ ପଣ୍ଡିତ । ଭଦ୍ରକରେ ବାଲିମାଫିଆ ଓ ପୋଲିସ ଲିଙ୍କ ନେଇ ନନ୍ଦିଘୋଷ ଟିଭି ପ୍ରଥମେ ଖବର ପ୍ରସାରଣ କରିଥିଲା ।

ବାଲି ଚୋରା ଚାଲାଣ ନେଇ ଖାକି ଓ ମାଫିଆଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଡିଲ ଭାଇରାଲ ହୋଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଭଦ୍ରକ ଏସପି ଧାମନଗର ଏସଡ଼ିପିଓଙ୍କୁ ତଦନ୍ତ ଭାର ଦେଇଥିଲେ । ୨୩ ତାରିଖରେ ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା  । ୨୪ ତାରିଖ ଦିନ ଥାନା ଅଧିକାରୀଙ୍କୁ ଭଣ୍ଡାରିପୋଖରୀ ଥାନାରୁ ବଦଳି କରାଯାଇ ପୋଲିସ ମୁଖ୍ୟାଳୟକୁ ଅଣାଯାଇଥିଲା । ଘଟଣାକୁ ନେଇ ତଦନ୍ତ କରାଯାଇଥିଲା । ଆଜି ପୂର୍ବତନ ଥାନାଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଡିଜିପି ।

IPL News : ଆଇପିଏଲ ନଖେଳିଲେ ମିଳିବନି ଦରମା, CSK ମାଲିକ ଏନ.ଶ୍ରୀନିବାସନଙ୍କ ରୈନାଙ୍କୁ ଚେତାବନୀ

0

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର କ୍ରିକେଟର ସୁରେଶ ରୈନା ପାରିବାରିକ ସମସ୍ୟା କାରଣରୁ ଭାରତ ଫେରି ଆସିଛନ୍ତି । କିନ୍ତୁ ତାଙ୍କର ଏଭଳି ଆଇପିଏଲ ଛାଡ଼ି ଆସିବା ଦ୍ୱାରା ଦଳର ମାଲିକ ଏନ.ଶ୍ରୀନିବାସନ ରାଗି ଯାଇଛନ୍ତି । ତାଙ୍କ କହିବାନୁଯାୟୀ ରୈନା ହୋଟେଲର ରୁମକୁ ନେଇ ଅସନ୍ତୁଷ୍ଠ ଥିଲେ । ତେଣୁ ସେ ଟିମ୍ ଛାଡି ଭାରତକୁ ଫେରି ଆସିଛନ୍ତି ।

ରୈନାଙ୍କୁ ଦିଆଯିବ ନାହିଁ ଏହି ସିଜନର ବେତନ

ଏନ.ଶ୍ରୀନୀବାସନ ଚେନ୍ନାଇ ସୁପର କିଙ୍ଗସର ମାଲିକ । ରୈନା ସୁବେବେଳେ ଏହି ଦଳରେ ସାମିଲ ରହି ଆସିଛନ୍ତି ।  ଯେତେବେଳେ ଦଳ ଉପରେ ଦୁଇ ବର୍ଷର ବ୍ୟାନ ଲଗାଯାଇଥିଲା ସେହି ସମୟରେ ସେ ଗୁଜୁରାଟ ଲାୟନ୍ସର  ପାଇଁ ଖେଳିଥିଲେ । କିନ୍ତୁ ରୈନାଙ୍କର ଏଭଳି ଫେରି ଆସିବା ଶ୍ରୀନିବାସନଙ୍କୁ ଆଘାତ ଦେଇଛି । ଏଭଳି ପଦକ୍ଷେପ ନେଇ ରୈନା ଭୁଲ କରିଛନ୍ତି ଏବଂ ଖୁବଶୀଘ୍ର ଭୁଲକୁ ଅନୁଭବ କରିବେ ବୋଲି କହିଛନ୍ତି ସି.ଏସ.କେର ମାଲିକ । ବିସିସିଆଇର ପୂର୍ବ ଅଧ୍ୟକ୍ଷ ଶ୍ରୀନିବାସନ ଏହା ମଧ୍ୟ କହିଛନ୍ତି କି ସିଜନ ଆରମ୍ଭ ହୋଇନାହିଁ, ଏବଂ ରୈନାଙ୍କୁ ଖୁବଶୀଘ୍ର ଏହାର ପରିଣାମ ଅନୁଭବ ହୋଇଯିବ । ଯଦି ସେ ଫେରିବେ ନାହିଁ ତେବେ ତାଙ୍କୁ ୧୧ କୋଟିର କ୍ଷତି ସହିବାକୁ ପଡ଼ିବ । ତେଣୁ ରୈନା ଫେରିବାକୁ ଚାହିଁବେ ବୋଲି ଆଶା ରଖିଛନ୍ତି ଶ୍ରୀନିବାସନ ।

କେବଳ ଏତିକିରେ ଶେଷ ହୋଇନାହିଁ ଶ୍ରୀନିବାସନଙ୍କ ବୟାନ୍ । ପରେ ସେ କହିଛନ୍ତି କି କିଛି କ୍ରିକେଟର୍ସ ନିଜକୁ କିଛି ଅଲଗା ବୋଲି ଭାବିଲେଣି, ଯେପରି ଆଗରୁ ଯେମିତି କିଛି ଷ୍ଟାର ନଖରା ଦେଖାଉଥିଲେ ସେମିତି ଏବେ କିଛି କ୍ରିକେଟର ନଖରା ଦେଖାଉଛନ୍ତି ।  ସିଏସକେ ସବୁବେଳେ ଏକ ପରିବାର ଭଳି ରହିଛି ଏବଂ ସମସ୍ତ ସିନିଅର କ୍ରିକେଟର ଏଥିରେ ରହିବା ଶିଖିଛନ୍ତି । ମୁଁ ଭାବେ କି ଯଦି ଆପଣ କୌଣସି କଥାକୁ ନେଇ ଜିଦ କରି ବସିଛନ୍ତି ବା ଖୁସି ନାହାଁନ୍ତି ତେବେ ଫେରି ଯାଆନ୍ତୁ । ମୁଁ କାହାକୁ କିଛି କରିବା ପାଇଁ ବାଧ୍ୟ କରିବି ନାହିଁ । କେବେକେବେ ସଫଳତା ମୁଣ୍ଡକୁ ଚଢିଯାଏ ।

ସୂଚନାଯୋଗ୍ୟ ସୁରେଶ ରୈନା ବ୍ୟକ୍ତିଗତ ସମସ୍ୟା ଦେଖାଇ IPL ଛାଡ଼ି ଫେରି ଆସିଛନ୍ତି । ପ୍ରଥମେ କୁହାଯାଉଥିଲା କି ସେ କରୋନା ସମସ୍ୟା କାରଣରୁ ହୁଏତ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି । କିନ୍ତୁ ପରେ କୁହାଗଲା ତାଙ୍କ ପିଉସାଙ୍କ ହତ୍ୟା ହୋଇଥିବା ଯୋଗୁଁ ସେ ଫେରି ଆସିଛନ୍ତି । ଏବେ କିନ୍ତୁ ଘଟଣା ଭିନ୍ନ ମୋଡ଼ ନେଇଥିବା ଦେଖିବାକୁ ମିଳିଛି ।

Changes from 1st September: କାଲିଠୁ ହେଉଛି ଏହି ସବୁ ପରିବର୍ତ୍ତନ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ: ଦେଶରେ ସେପ୍ଟେମ୍ବର ୧ରୁ ଅନେକ କିଛି ବଦଳିବାକୁ ଯାଉଛି । ଯାହା ନିତିଦିନିଆ ଜୀବନଠାରୁ ଆରମ୍ଭ କରି ଆର୍ଥିକ କାରବାର ଉପରେ ପ୍ରଭାବ ପକାଇବ । ଏହି ପରିବର୍ତ୍ତନରେ ଲକଡାଉନ୍ ପ୍ରତ୍ୟାହାର ଅର୍ଥାତ୍ ଅନଲକ୍ ୪ର ନିୟମ ବି ରହିଛି । ଏହାବଦ୍ ସରକାର ଅଗଷ୍ଟରେ ଘୋଷଣା କରିଥିବା କିଛି ନିୟମ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ।

ବଦଳିବ ସିଲିଣ୍ଡର ଦର

ପ୍ରତି ମାସର ପ୍ରଥମ ଦିନରେ ରୋଷେଇ ଗ୍ୟାସ୍ ଦର ବଦଳୁଛି । ୧ ଅଗଷ୍ଟରେ ଏଲପିଜି ଗ୍ୟାସ୍ ଦର କେବଳ କୋଲକାତାରେ ବଦଳି ଥିଲା । ନନ୍ ସବସିଡି ଗ୍ୟାସ୍ ଦର ବଢ଼ି ୬୨୧ ଟଙ୍କା ହୋଇଥିଲା । ସେହିଭଳି ଦିଲ୍ଲୀରେ ୧୪ କିଲୋଗ୍ରାମ୍ ଗ୍ୟାସ୍ ଦର ରହିଥିଲା ୫୯୪ ଟଙ୍କା, ମୁମ୍ବାଇରେ ୫୯୪, ଚେନ୍ନାଇରେ ଏହା ୬୧୦ ଟଙ୍କା ୫୦ ହୋଇଥିଲା ।

ମହଙ୍ଗା ହେବ ବିମାନ ଯାତ୍ରା

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସେପ୍ଟେମ୍ବର ୧ରୁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଠାରୁ ଅଧିକ ବିମାନ ସୁରକ୍ଷା ଶୁଳ୍କ ଆଦାୟ ପାଇଁ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ବିମାନ ଯାତ୍ରା ଆହୁରି ମହଙ୍ଗା ହେବ । ଆସନ୍ତା ମାସରୁ ଘରୋଇ ଉଡ଼ାଣ ପାଇଁ ଯାତ୍ରୀ ବିମାନ ସୁରକ୍ଷା ଶୁଳ୍କ (ASF) ୧୫୦ ଟଙ୍କା ପରିବର୍ତ୍ତେ ୧୬୦ ଟଙ୍କା ଦେବେ । ସେହିଭଳି ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ସେପ୍ଟେମ୍ବରରୁ ୪.୮୫ ଡଲାର ବଦଳରେ ୫.୨ ଡଲାର ASF ଦେବାକୁ ପଡ଼ିବ । ବିମାନ କମ୍ପାନୀ ଟିକେଟ୍ ବୁକିଂ ବେଳେ ASF ବାବଦକୁ ଏହି ଅର୍ଥ ନେଇ ସରକାରଙ୍କୁ ଜମା କରିବେ । ଏହି ଅର୍ଥରେ ଦେଶର ସମସ୍ତ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ ।

ଅନଲକ୍ ୪

unlock-4.0-new

ଆସନ୍ତାକାଲିଠାରୁ ଦେଶରେ ଅନଲକ୍ ୪ ଆରମ୍ଭ ହେଉଛି । ଅନଲକ୍ ୪ରେ କଣ ଖୋଲିବ ଓ କଣ ନାହିଁ ଏନେଇ ବୁଧବାର ଗୃହ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି । ଏହି ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ଅନଲକ୍ ୪ରେ ଦିଲ୍ଲୀରେ ମେଟ୍ରୋ ସେବା ପୁଣି ଥରେ ଆରମ୍ଭ ହେବ । ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ମେଟ୍ରୋ ସେବା ବନ୍ଦ ଥିଲା । ତେବେ, ଏବେ ସ୍କୁଲ, କଲେଜ ଖୋଲିବ ନାହିଁ ।

GST ପୈଠରେ ବିଳମ୍ବ କଲେ ମୋଟ ଦେୟ ଉପରେ ଦେବାକୁ ପଡିବ ସୁଧ

GST ଭରିବାରେ ଡେରି କଲେ ଏଥର ଅଧିକ ଟଙ୍କା ଦେବାକୁ ପଡ଼ିବ । ସେପ୍ଟେମ୍ବର ୧ରୁ ମୋଟ ଟିକସ ଦେବାରେ ଡେରି କଲେ ସୁଧ ଦେବାକୁ ପଡ଼ିବ । ଏହି ବର୍ଷ ଆରମ୍ଭରୁ ଉଦ୍ୟୋଗ ଗୁଡ଼ିକ GST ଭରିବାରେ ବିଳମ୍ବ ପାଇଁ ପାଖାପାଖି ୪୬ ହଜାର କୋଟି ଟଙ୍କା ସୁଧ ଆଦାୟ ନିର୍ଦ୍ଦେଶ ଉପରେ ଚିନ୍ତା ପ୍ରକଟ କରିଥିଲେ । ସମୁଦାୟ ଟିକସ ଉପରେ ସୁଧ ଆଦାୟ କରାଯାଇଥିଲା ।

ଲୋନ୍ ମୋରେଟୋରିୟମ୍ ଲାଭ ମିଳିବନି

ଆରବିଆଇ ଦ୍ୱାରା ଘୋଷିତ ଲୋନ୍ ମୋରେଟୋରିୟମ ଅର୍ଥାତ୍ ଇଏମ୍ଆଇ ସ୍ଥଗିତ ଅବଧି ୩୧ ଅଗଷ୍ଟରେ ସରୁଛି । ଲକଡାଉନରେ ଋଣଗ୍ରହୀତାଙ୍କୁ ଆର୍ଥିକ ସ୍ଥିତିରୁ ଆଶ୍ୱସ୍ତି ଦେବାକୁ ଆରବିଆଇ ଲୋନ୍ ମୋରେଟୋରିୟମ୍ ଘୋଷଣା କରିଥିଲା । ପ୍ରଥମେ ଏହା ତିନି ମାସ ପାଇଁ ଘୋଷଣା ହୋଇଥିବା ବେଳେ ପୁଣି ତିନି ମାସ ବଢ଼ାଇ ଦିଆଯାଇଥିଲା ।

ମଧୁବାବୁ ପେନସନ୍ ହିତାଧିକାରୀଙ୍କୁ ପୁଣି ୪ ମାସର ଭତ୍ତା ଦେବେ ରାଜ୍ୟ ସରକାର….

ଭୁବନେଶ୍ୱର : ମଧୁବାବୁ ପେନସନ୍ ଯୋଜନାରେ ପୁଣି ଆଗୁଆ ୪ ମାସର ଭତ୍ତା ମିଳିବ । ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନା ଆରମ୍ଭ ହେବା ସମୟରେ ସରକାର ଏହି ଅଗ୍ରୀଣ ଭତ୍ତା ବ୍ୟବସ୍ଥାକୁ ଲାଗୁ କରିଥିଲେ ।ଗତ ୪ ମାସ – ଏପ୍ରିଲ୍, ମେ, ଜୁନ୍, ଜୁଲାଇ  ମାସ ପାଇଁ ରାଜ୍ୟ ସରକାର ଅଗ୍ରୀଣ ଭତ୍ତା ମେ ମାସରେ ହିଁ  ଦେଇଥିଲେ । ଏବେ ପୁଣି ୪ ମାସ ପାଇଁ ପେନସନ୍ ମିଳିବ ।

ସେପ୍ଟେମ୍ୱର, ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସ ପାଇଁ ଅଗ୍ରୀଣ ପେନସନ୍ ଦେବା ନେଇ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟ ସରକାର ଅଗଷ୍ଟ ମାସରେ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସହ କିନ୍ନରଙ୍କ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ଲାଗୁ କରିଥିଲେ ।