ରାଜଧାନୀ ପୂଜା ପାଇଁ ଜାରି ହେଲା ଏସଓପି : ବିନା ଭକ୍ତରେ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚାନ୍ଦା ଆଦାୟକୁ ମନା…

ଭୁବନେଶ୍ୱର : କରୋନା ବେଳେ ଭୁବନେଶ୍ୱରରେ ହେବ ନିରାଡମ୍ବର ପୂଜା । ରାଜଧାନୀରେ ପାର୍ବଣ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ବସିଛି । ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା,ପୋଲିସ କମିଶନ ଓ ଭୁବନେଶ୍ବର ଡିସିପିଙ୍କ ସହ ସମସ୍ତ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ ।  ବୈଠକରେ ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀ ପୂଜା, କାର୍ତ୍ତିକେଶ୍ୱର ପୂଜା ପାଇଁ ନୂଆ ଏସଓପି ଜାରି ହୋଇଛି । ଭୁବନେଶ୍ୱରରେ ସବୁ ପୂଜା ପାଇଁ ଗୋଟିଏ ନିୟମ  ଲାଗୁ ହେବ ।

ସାଜ୍ଜସଜ୍ଜା ହେବନି, ବାଜିବନି ମାଇକ୍, ଝଲସିବନି ଲାଇଟ । ଭସାଣି ନୁହେଁ ଚଳିତ ବର୍ଷ ହେବ ବିସର୍ଜନ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଗିଲା ବ୍ରେକ୍  । ସାର୍ବଜନୀନ ପୂଜାରେ ୧୦ ଜଣକୁ ନେଇ ପୂଜା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ବିନା ଭକ୍ତରେ ପୂଜା କରିବାକୁ ନିର୍ଦ୍ଦେଶ ରହିଛି । ରାଜଧାନୀରେ ସବୁ ମଣ୍ଡପରେ ହେବ ପୂଜା । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ ହେବନି ।

ଖୁବ କମ ଖର୍ଚ୍ଚରେ ପୂଜା କରିବେ ରାଜଧାନୀର ୧୮୪ ପୂଜା କମିଟି । ସେହିଭଳି ଏଥରର ରାବଣ ପୋଡ଼ିକୁ ମଧ୍ୟ ମନା ହୋଇଛି । ୪ରୁ ୫ ଫୁଟ ଭିତରେ ମୂର୍ତ୍ତି ତିଆରି ହେବ । ଏହାସହ ଚଳିତ ବର୍ଷ ରାବଣ ପୋଡି ହେବନାହିଁ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

Leave a Reply