Bihar Politics : ହୋଇପାରେ ଶରଦ ଯାଦବଙ୍କ ଘର ବାହୁଡ଼ା, ମନେଇବା ପାଇଁ ଲାଗିଛନ୍ତି ଜେଡିୟୁ ନେତା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ନୀତିଶ କୁମାର ଯଥାସମ୍ଭବ ସମୀକରଣ ପାଇଁ ଲାଗି ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ପୂର୍ବରୁ ନୀତିଶଙ୍କ ସାରଥୀ ଥିବା ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଦଳକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶରଦ ଯାଦବ ଜେଡିୟୁକୁ ଫେରିବାକୁ ନେଇ ଦଳର କେତେକ ନେତା ତାଙ୍କ ଯୋଗାଯୋଗରେ ଆସିଛନ୍ତି । କୁହାଯାଉଛି ଖୁବଶୀଘ୍ର ଏଥିରେ ପରିବର୍ତ୍ତନ ଦେଖାଦେଇପାରେ ।

ସୂଚନାଯୋଗ୍ୟ ନୀତିଶ କୁମାରଙ୍କ ସହିତ ରାଜନୈତିକ ମନମାଳିନ୍ୟ ଯୋଗୁଁ ଶରଦ ଯାଦବ ୨୦୧୮ରେ ଜେଡିୟୁରୁ ଅଲଗା ହୋଇ ଲୋକତାନ୍ତ୍ରିକ ଜନତା ଦଳ ନାମରେ ନିଜର ଏକ ଭିନ୍ନ ରାଜନୈତିକ ଦଳ ଗଠନ କରିଥିଲେ । ଶରଦ ଯାଦବଙ୍କ ସହିତ ଅଲି ଅନବର ଏବଂ ଅନ୍ୟ କେତେକ ବଡ଼ ବଡ଼ ନେତା ମଧ୍ୟ ଦଳ ଛାଡ଼ିଥିଲେ । ଏହାପରେ ଶରଦ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ଆରଜେଡିର ଟିକେଟରେ ମଧେପୁରାରୁ ନିର୍ବାଚନ ଲଢିଥିଲେ, କିନ୍ତୁ ଜେଡିୟୁର ଦିନେଶ୍ୱର ଯାଦବଙ୍କ ଠାରୁ ୧ ଲକ୍ଷ ଭୋଟରେ ହାରିଗଲେ ।

ଗତ କିଛି ଦିନ ହେବ ଶରଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବାରୁ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଶରଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜେଡିୟୁର କେତେକ ବଡ଼ ବଡ଼ ନେତା ତାଙ୍କ ହାଲଚାଲ ବୁଝିବା ପାଇଁ ଯୋଗାଯୋଗ କରିଛନ୍ତି । ଯାହାପରେ ଦଳକୁ ପୁଣିଥରେ ଫେରିବାକୁ ନେଇ ଆଲୋଚନା ହେଉଛି । କୁହାଯାଉଛି କି ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ଯାଦବ ଜେଡିୟୁରେ ସାମିଲ ହୋଇପାରନ୍ତି । ଅବଶ୍ୟ ଶରଦ ଯାଦବ ଏବେ ମହା ମେଣ୍ଟର ଭାଗୀଦାର ଅଛନ୍ତି, କିନ୍ତୁ ଆରଜେଡି ତରଫରୁ ତାଙ୍କୁ ବିଶେଷ ଧ୍ୟାନ ଦିଆଯାଇନାହିଁ । ଏହି କଥାକୁ ନେଇ ମଧ୍ୟ ଶରଦ ଯାଦବ ରାଗି ଯାଇଛନ୍ତି । ଏହି ପରିସ୍ଥତିରେ ଶରଦ ଯାଦବ ଜେଡିୟୁ ଫେରିବାର ସମ୍ଭାବନା ବଢି ଯାଇଛି ।

ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ, ଶରଦ ଯାଦବଙ୍କ ଜେଡିୟୁରେ ସିଧା ପ୍ରବେଶକୁ ନେଇ କିଛି ମତ ରଖି ନାହାଁନ୍ତି । କିନ୍ତୁ ଇସାରା ଦେଇ କହିଛନ୍ତି ଶରଦ ସମାଜବାଦୀ ଆନ୍ଦୋଳନର ଜଣେ ବଡ଼ ନେତା, କିନ୍ତୁ ଆନୁଷ୍ଠାନିକ ଭାବେ ତାଙ୍କ ଦଳକୁ ଶରଦଙ୍କ ଫେରିବା ନେଇ କୌଣସି ସୂଚନା ମିଳିନାହିଁ ।

ବାସ୍ତବରେ ରାଷ୍ଟ୍ରୀୟ ଜନତା ଦଳର ପରାମ୍ପରାଗତ ଭୋଟରକୁ ହାତେଇବା ପାଇଁ ନୀତିଶ କୁମାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ନଜରରେ ରଖି ଗତ କିଛି ଦିନ ହେବ ଜେଡିୟୁରେ ଆରଜେଡିର କେତେକ ନେତାଙ୍କ ପ୍ରବେଶ ହୋଇଛି । ଯେଉଁଥିରେ ଯାଦବ ଏବଂ ମୁସଲମାନ ବିଧାୟକ ସାମିଲ ଅଛନ୍ତି । ଏହି ମଧ୍ୟରେ ଲାଲୁଙ୍କ ପାରମ୍ପାରିକ ଭୋଟରଙ୍କୁ ହାତେଇବା ପାଇଁ ଶରଦ ଯାଦବଙ୍କୁ ଫେରାଇ ଆଣିବାକୁ ଜେଡିୟୁ ଚେଷ୍ଟା ଜାରି ରଖିଛି ।

Leave a Reply