spot_img
Home Blog Page 6462

ଚୀନରେ ଆଉ ଏକ ଭାଇରସର ଆତଙ୍କ: ୩୨୪୫ ଜଣ ହେଲେଣି ସଂକ୍ରମିତ

ବେଜିଂ: ଚୀନର ଉହାନ ସହରରୁ ସାରା ବିଶ୍ୱକୁ ବ୍ୟାପୀ ଥିବା କରୋନାର ପ୍ରକୋପ କମିନଥିବା ବେଳେ ଏବେ ପୁଣି ଚୀନରେ ଦେଖାଦେଇଛି ନୂଆ ଭାଇରସ୍ । ଏଯାବତ୍ ମୋଟ ୩୨୪୫ ଜଣ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ଉତ୍ତର ପଶ୍ଚିମ ଚୀନର ଗଂସୁ ପ୍ରାନ୍ତର ଲାଞ୍ଝିଓରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲାଞ୍ଝିଓ ଭେଟିନାରୀ ରିସର୍ଚ୍ଚ ସେଣ୍ଟର ଗତ ଡିସେମ୍ୱରରେ ଏହି ରୋଗର ଆଣ୍ଟିବଡ଼ି ସମ୍ପର୍କରେ ଚୀନ ସରକାରଙ୍କୁ ସୂଚନା ଦେଇସାରିଛନ୍ତ । ଚୀନର ଗାଂସୁ ପ୍ରାନ୍ତରେ ଏଯାବତ୍ ୨୧ ହଜାର ୮୪୭ ଲୋକଙ୍କ ଟେଷ୍ଟିଂ ହୋଇସାରିଛି । ଏବଂ ସେମାନଙ୍କ ମଧ୍ୟରୁ ୩୨୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗାଂସୁ ଆଞ୍ଚଳିକ କେନ୍ଦ୍ର,( ରୋଗ  ନିୟନ୍ତ୍ରଣ ଏବଂ ନିରାକରଣ) ପକ୍ଷରୁ କୁହାଯାଇଛି ଯେ, ଏହି ରୋଗର ନାମ ହେଉଛି ବ୍ରୁସେଲ୍ଲୋସିସ୍( Brucellosis) ।

3000 people test positive for Brucellosis in China

          ଗ୍ଳୋବାଲ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରୁସେଲ୍ଲୋସିସ୍ ଉପରେ ନଜର ରଖିବା ପାଇଁ ଲାଞ୍ଝିଓ ଭେଟିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ଦେଶର ୧୧ ପବ୍ଳିକ୍ ମେଡିକାଲ ଏବଂ ହସ୍ପିଟାଲକୁ କାମରେ ଲଗାଇଛି । ଏହି ହସ୍ପିଟାଲ ଗୁଡ଼ିକରେ ବ୍ରୁସେଲ୍ଲୋସିସ୍ ରୋଗୀଙ୍କ ମାଗଣା ପରୀକ୍ଷା ଏବଂ ଚିକିତ୍ସା କରାଯାଉଛି । ଏଥିସହିତ ଲୋକଙ୍କୁ ଏଥିରୁ ବର୍ତ୍ତିବା ପାଇଁ ସଚେତନ କରାଯିବ ।

3000 people test positive for Brucellosis in China

          ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସୂଚିତ କରିବା ପାଇଁ ଅନଲାଇନ୍ କାଉନସିଲିଂ ମଧ୍ୟ କରାଯାଉଛି । ଯେଉଁ ଲୋକ ଅସୁସ୍ଥ ହୋଇଛନ୍ତି, ସେମାନଙ୍କ ମାସକ ମଧ୍ୟରେ ବହୁବାର ପରୀକ୍ଷା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବାରମ୍ୱାର ମନିଟରିଂ କରାଯାଉଛି । ବ୍ରୁସେଲ୍ଲୋସିସ୍ ନେଇ ଏଯାବତ୍ ୨୩ ହଜାର ୪୭୯ଲୋକଙ୍କ କାଉନସିଲିଂ ସରିଛି । ଏହା ବ୍ୟତୀତ ୩ ହଜାର ୧୫୯ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ନୂଆ ରେକର୍ଡ ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ ଗାଂସୁ ପ୍ରାନ୍ତରେ ସଚେତନତା ନେଇ ୧୫ ହଜାର ପ୍ରଚାର ସାମଗ୍ରୀ ବଣ୍ଟାଯାଇଛି  । ସାଧାରଣତଃ ଏହି ରୋଗ ମେଣ୍ଢାଙ୍କୁ ହେଉଥାଏ । କିନ୍ତୁ ମହିଳା କିମ୍ୱା ପୁରୁଷଙ୍କୁ ଏହି ରୋଗ ହେବା ଫଳରେ ସେମାନଙ୍କ ଅଣ୍ଡକୋଷ ପ୍ରଭାବିତ ହୋଇଥାଏ । ଏବଂ ପ୍ରଜନନ ପ୍ରଣାଳୀ ଏବଂ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଗୀତିକବିତା ସମ୍ମାନ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ

ଭୁବନେଶ୍ୱର: ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଶନିବାର ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାରଦାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଶାରଦାଙ୍କ ନାଁରେ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା’ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏଥିପାଇଁ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ପ୍ରଦାନ କରାଯାଉଥିବା ଗୀତିକବିତା ସମ୍ମାନ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ ହେବ ।

ଶନିବାର ସନ୍ଧ୍ୟାରେ ଶାରଦାଙ୍କ ରାଜ୍ୟସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ଏହାର ଆୟୋଜନ କରିବ ବୋଲି ସୂଚନା ମଳିଛି । ତେବେ ଶାରଦା ପ୍ରସନ୍ନଙ୍କ ଅବଦାନ ଓଡିଶା କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Sarada Prasanna

ସ୍ୱର୍ଗତ ଶାରଦା ପ୍ରସନ୍ନ ନାୟକ ଜଣେ ଓଡ଼ିଆ କଥାଚିତ୍ର, ଗୀତିକାର ଓ ନିର୍ଦ୍ଦେଶକ ଥିଲେ । ସେ ୧୯୫୬ ମସିହାରେ ଭକ୍ତକବି ଜୟଦେବ ଚଳଚ୍ଚିତ୍ରରୁ ସହ ନିର୍ଦ୍ଦେଶକ ଭାବେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ରେଡିଓ ଓ ଦୂରଦର୍ଶନରେ ମଧ୍ୟ ସକ୍ରିୟ ଥିଲେ । ସେ ତାଙ୍କ ନିର୍ମିତ ଚଳଚ୍ଚିତ୍ର କା, ସ୍ତ୍ରୀ, ସଂସାରରେ ନିଜର ପାରଦର୍ଶିତା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ୨୦୧୩ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରିଥିଲେ ।

କୋଭିଡ୍‌-୧୯ରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।

ଓଡିଶା ପାଇଁ ଗର୍ବର ଦିନ, ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ଓଡିଶା ପାଇଁ  ଏକ ଗର୍ବର ଦିନ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି ।  ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ  ୨୦୨୦ ବିଲ୍‌ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି ।

ଆଜି ଦିନର ଗୃହ କାର୍ଯ୍ୟ ସରିବା ପରେ ସସ୍ମିତଙ୍କୁ ଦଳମତ ନିର୍ବିଶେଷରେ ସାଂସଦମାନେ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଭାବେ ପଦାର୍ପଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସସ୍ମିତ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ଗୃହ ପରିଚାଳନାରେ ତାଙ୍କର ଭଦ୍ର ଆଚରଣ ଏବଂ ଧୈର୍ଯ୍ୟକୁ ସମସ୍ତେ ସ୍ୱାଗତ କରିଛନ୍ତି ।

ସସ୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇବା ପାଇଁ ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ସେ ଏଥିପାଇଁ ନବୀନ ପଟ୍ଟନାୟକ ଏବଂ ଓଡିଶାର ସାଢ଼େ ୪ କୋଟି ଲୋକଙ୍କୁୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ସାଢେ ୪ କୋଟି ଓଡ଼ିଆଙ୍କ  ସହଯୋଗ ଯୋଗୁଁ  ଆଜି ରାଜ୍ୟସଭାରେ ବଡ଼ ଦାୟିତ୍ୱ ତୁଲାଇ ପାରିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଏହା ନିଶ୍ଚିଭାବେ ଏକ ଗୌରବର ଦିନ ।

https://www.facebook.com/NandighoshaTV/videos/610919826218798/

୨୦ ବର୍ଷ ତଳେ ବିଜେଡିର ସନାତନ ବିଶି ଶେଷ ଥର ପାଇଁ ରାଜ୍ୟସଭ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଥିଲେ । ଏଥରକ ସସ୍ମିତ ପାତ୍ରଙ୍କ ସହ ଅନ୍ୟ ୫ ଜଣ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଛନ୍ତି ।

ପୋଲାଭରମ୍ ମାମଲାରେ ଏନଜିଟିଙ୍କ ଚୂଡ଼ାନ୍ତ ନିଷ୍ପତ୍ତି, ବିଶେଷଜ୍ଞ କମିଟି ସୁପାରିସକୁ ଗ୍ରହଣ କଲେ NGT

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର ଚୁଡ଼ାନ୍ତ ନିଷ୍ପତ୍ତି ଆସିଛି । ଚାରି ଜଣିଆ ଯୁଗ୍ମ କମିଟି ୮ ତାରିଖରେ ଦେଇଥିବା ରିପୋର୍ଟକୁ ଏନଜିଟି ଗ୍ରହଣ କରିଛନ୍ତି । ଏହି ରିପୋର୍ଟରେ ୯ ଟି ସୁପାରିସ କରାଯାଇଥିଲା । ଯାହା ମଧ୍ୟରୁ ୮ଟିକୁ NGT ଗ୍ରହଣ କରିଛନ୍ତି । ତେବେ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଏନଜିଟି ଗ୍ରହଣ କରିନାହାନ୍ତି ।

NGT polavaram

ରିପୋର୍ଟରେ ଉଭୟ ପକ୍ଷ ପିପିଏ ୧୯୮୦ ରାଜିନାମାକୁ ମାନି କାର୍ଯ୍ୟ କରିବ । ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ମଧ୍ୟ ମାନିବେ । ଜଳମଗ୍ନ ହେବାକୁ ଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ । ବ୍ୟାକ ଓ୍ୱାଟର ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବା ନେଇ ସୁପାରିସ କରାଯାଇଥିଲା । ପ୍ରକଳ୍ପର କୁପ୍ରଭାବ ପଡ଼ିଲେ ପୂରା ଦାୟିତ୍ୱ ଆନ୍ଧ୍ର ଜଳସମ୍ପଦ ବିଭାଗର ରହିବ ବୋଲି ଏଥିରେ କୁହାଯାଇଛି । ପ୍ରକଳ୍ପର ପ୍ରଭାବ ନେଇ ୩ ରାଜ୍ୟ ସହ ଆଲୋଚନା କରିବେ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୬୩୧୬ ଜଣ ବିସ୍ଥାପିତ ହେବେ । ସେହିଭଳି ଛତିଶଗଡ଼ର ୧୧୭୬୬ ଜଣ ମଧ୍ୟ ବିସ୍ଥାପିତ ହେବେ । ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯିବ । କମିଶନର ପୁନର୍ବାସ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇବେ ବୋଲି ଏନଜିଟି କହିଛନ୍ତି ।

https://www.facebook.com/NandighoshaTV/videos/352616859269085/

ତେବେ ଓଡ଼ିଶା ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ । ଦୀର୍ଘଦିନ ଧରି କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶା ଉପେକ୍ଷିତ ହୋଇରହିଥିଲା । ଏନ୍‌ଜିଟିଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶା ସରକାରଙ୍କ ଏକ ବଡ଼ ବିଜୟ ହୋଇଛି ବୋଲି କୁହାଯାଇପାରେ ।

ଅନ୍ୟପଟେ ଏହି ପ୍ରକଳ୍ପ ଦ୍ୱାରା ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ ଥଇଥାନ କରିବା ପାଇ ଏକ କମିଟି ଗଠନ କରାଯିବ । ଏହି କମିଟି ଆଲୋଚନା କରି ବିସ୍ଥାପିତଙ୍କୁ ଯଥାଶ୍ରୀଘ୍ର ଥଇଥାନ କରିବା କାର୍ଯ୍ୟ ଆରମ୍ଭ କରିବେ ନିର୍ଦ୍ଦେଶ ଦିଆଯାଇଛି ।

ସିବିଆଇ ରେଡ୍‌ ପ୍ରସଙ୍ଗ : ବିଜେପିକୁ ବିଜେଡିର ଉତ୍ତର,ତଦନ୍ତକୁ ଆମେ ଡରୁନା

ଭୁବେନେଶ୍ୱର: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡକୁ ନେଇ ରାଜନୀତି ଜୋର ଧରିଛି । ପକ୍ଷ ଓ ବିପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ବିଜେଡି ତଦନ୍ତକୁ ଭୟ କରୁଛି ବୋଲି ବିଜେପି ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି ଯେ, ଆମେ କାହିଁକି ଭୟ କରିବୁ ? ନିର୍ବାଚନ ଆସିଲେ ବିରୋଧୀ ଏମିତି ଡ୍ରାମା କରନ୍ତି ।   କିନ୍ତୁ ଏହାର କିଛି ପ୍ରଭାବ ବିଜେଡି ଉପରେ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଆଇନ ତା ବାଟରେ ଯିବ । ପୂର୍ବରୁ ଅନେକ ଲୋକଙ୍କ ଘରକୁ ସିବିଆଇ ଯାଇଛି ଆପଣ ମାନେ ଜାଣନ୍ତି ଫଳ କଣ ହୋଇଛି । ତେଣୁ ଯେଉଁ ନିର୍ବାଚନକୁ ଆଖି ଆଗରେ ରଖି ଏମିତି କରାଯାଇଛି ତାର କିଛି ପ୍ରଭାବ ପଡିବନି ।

Seashore Chit Fund Case, CBI Raid in Ex Tourist Minister Debi Mishra House

ସୂଚନାଯୋଗ୍ୟ ଯେ, ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ବିଜେପି କହିଥିଲା କି ଯେଉଁ ନେତା ଓ ଅଫିସର ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଅଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି  । ସିବିଆଇ ଏକ ସ୍ଵାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନେ ନିଷ୍ପତ୍ତି ନେବେ । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥାଏ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଅନ୍ୟପକ୍ଷରେ  କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ବିଜେପିର କଣ୍ଢେଇ । ସାତ ବର୍ଷହେଲା କୁଆଡେ ଯାଇଥିଲ ସିବିଆଇ ବୋଲି ପ୍ରଶ୍ନ କରିଛନ୍ତି ତାରା । କେବଳ ନିର୍ବାଚନ ବେଳେ ବିଜେପି ବିଜେଡି ଅଲଗା ବୋଲି ଏମାନେ ଦେଖେଇ ହୁଅନ୍ତି, ବାସ୍ତବରେ ଏମାନେ ଗୋଟିଏ ।

 

ବର୍ତ୍ତମାନ କେବଳ ଚିଟ୍ ଫଣ୍ଡ ଉପରେ ରାଜନୀତି ହେଉଛି କିନ୍ତୁ କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି । ତାରଙ୍କ ଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ବେଳକୁ ସିବିଆଇର ଚିଟଫଣ୍ଡ୍ ମାମଲା କଥା ମନେ ପଡିଥାଏ । କେନ୍ଦ୍ରରେ ଯାହାର ସରକାର ଥାଏ ସିବିଆଇ ତା’କଥା ଶୁଣେ ବୋଲି ସୁର ରାଉତରାୟ କହିଛନ୍ତି ।

ମହିଳା IICଙ୍କୁ ଶାଶୂଘରେ ନିର୍ଯାତନା, ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ

ରାଉରକେଲା: ରାଉରକେଲା ବୀରମିତ୍ରପୁର ଥାନା ଆଇଆଇସିଙ୍କ ରଘୁନାଥପାଲି ଥାନାରେ ଅଭିଯୋଗ । ସ୍ଵାମୀ ଓ ଶାଶୂ ଘର ଲୋକଙ୍କ ନାମରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି । ଅଭିଯୋଗ ପରେ ରଘୁନାଥପାଲି ଥାନାରେ ମାମଲା ରୁଜୁ ହୋଇଛି  । ୪୯୮ ଏ, ୩୨୩, ଓ ୫୦୬ରେ ମାମଲା ରୁଜୁ ହୋଇଛି । ସ୍ଵାମୀ, ପିଉସୀ, ମାମୁଁ ଓ ମାଇଁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମହିଳା ଆଇଆଇସିଙ୍କ ସ୍ୱାମୀ ରାଉରକେଲାରେ ଅଧ୍ୟାପକ ଅଛନ୍ତି । ବିବାହ ପରେ ସନ୍ତାନ ଜନ୍ମ ହୋଇପାରୁନଥିବାରୁ ବିଭିନ୍ନ ସମୟରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସୂଚନା ରହିଛି । ଏନେଇ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ଅଭିଯୋଗ ଅନୁଯାୟୀ ସମସ୍ତଙ୍କ ସହିତ ପୋଲିସ ପଚରାଉଚରା କରି ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

ବଜାରକୁ ଆସିଲା ଋଷ୍ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ

ମସ୍କୋ:  କରୋନା ସଂକଟରେ ଆସିଲା ଭଲ ଖବର । ବଜାରକୁ ଆସିଲା ଋଷ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ । କରୋନା-ଭି ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା ଆକ୍ରାନ୍ତଙ୍କ ପାଇଁ ଏହି ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ । ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏହି ଔଷଧ ବଜାରରୁ ନେଇ ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ ।

ଔଷଧ ନିର୍ମାତା ଆର-ଫାର୍ମା କହିଛି କି, ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି । ସେହିପରି ଆଉଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି ମିଳିଥିଲା । କୁହାଯାଉଛି ଜାପାନ ଦ୍ୱାରା ବିକଶିତ ଫାବିପିରାଭିର ଭଳି ଏହି ଦୁଇଟି ଔଷଧ କୋଭିଡ ଭୂତାଣୁ ବିରୋଧରେ କାମ କରିବ ।

ଫଳ ଦୋକାନ ଉପରକୁ ମାଡ଼ିଗଲା ପଥର ବୋଝେଇ ଟ୍ରକ୍‌, ୫ ଜଣ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଛତାବର ବଜାରରେ ଅଘଟଣ । ଫଳ ଦୋକାନ ଉପରକୁ ମାଡ଼ିଗଲା ପଥର ବୋଝେଇ ଟ୍ରକ୍‌ । ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଫଳ ଦୋକାନୀ ଗୁରୁତର ହୋଇଥିବା ବେଳେ, ଟ୍ରକରେ ବସିଥିବା ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଯଣା ହେବା ପରେ ଭାରସାମ୍ୟ ହରାଇ ପଥର ବୋଝେଇ ଟ୍ରକଟି ଦୋକାନ ଉପରକୁ ମାଡ଼ି ଯାଇଥିଲା । ସେପଟେ ଫଳ ଦୋକାନୀ ଅଧିକ ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ହୋଇଥିବା ପଥର ବୋଝେଇ ଟ୍ରକ୍‌କୁ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ ଦୁର୍ଘଟଣା ପରେ ରାସ୍ତା ଫାଙ୍କା କରିଥିଲା ପୋଲିସ ।

ବଲିଉଡରେ ରାଜ୍‌ କରୁଛି ଡ୍ରଗ୍ସ ମାଫିଆ,ସାମ୍ ଅଙ୍କଲ ଖୋଲିଲା ରହସ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲରୁ ତଦନ୍ତ କରୁଥିବା ଏନସିବିକୁ ବଡ଼ ସଫଳତା ମିଳିଛି । ଏନସିବି ଦଳ ଡ୍ରଗ୍ସ ସପ୍ଲାୟର ରାହିଲ ରାଫତଙ୍କୁ ଗିରଫ କରିଛି । ରାହିଲକୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି । ଏହାପରେ ତାକୁ କୋର୍ଟରେ ହାଜର କରାଯିବ । ରିପୋର୍ଟ ଅନୁସାରେ ରାହିଲ ଏନସିବିର ପଚରାଉଚରା ସମୟରେ କେତେକ ହାଇପ୍ରୋଫାଇଲ ସେଲିବ୍ରିଟିଜଙ୍କ ନାମ ନେଇଛି ।  ବଲିଉଡରେ ରାହିଲ ସ୍ୟାମ ଡ୍ରଗ ଅଙ୍କଲ ଭାବରେ ଜଣାଶୁଣା ।

ସୂଚନା ଅନୁଯାୟୀ ଏବେ ଏନସିବି କରଣ ଜୋହରଙ୍କ ଡ୍ରଗ୍ସ ପାର୍ଟିକୁ ନେଇ ତଦନ୍ତ କରୁଛି । ତେବେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ସମସ୍ତ ଡ୍ରଗ୍ସ ପ୍ୟାଡଲରଙ୍କ ମଧ୍ୟରେ ରାହିଲ ଏନସିବି ପାଇଁ ଏକ ବଡ଼ ଉପଲବ୍ଧି । ରାହିଲ ତା’ ବସ କହିବା ଅନୁସାରେ ବଲିଉଡର ସେଲିବ୍ରିଟି ଓ ପାର୍ଟିକୁ ଡ୍ରଗ୍ ସପ୍ଲାଏ କରୁଥିଲା । ରାହିଲର ବସ୍ କିଏ ଏପର୍ଯ୍ୟନ୍ତ ଏନସିବି କହିନାହିଁ କିନ୍ତୁ ଅନୁମାନ କରାଯାଉଛି ଯେ, ତାର ବଲିଉଡ୍ ସହ ସଂପର୍କ ରହିଛି । ସେ ଜଣେ ଅଭିନେତା,ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ ହୋଇଥାଇ ପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

ଏନସିବି ଏବେ ରାହିଲକୁ ରିମାଣ୍ଡରେ ନେବାକୁ ଅପିଲ କରିବ । ତେବେ ରାହିଲ ମାଧ୍ୟମରେ ବଲିଉଡ ସହିତ ଜଡ଼ିତ ଡ୍ରଗ୍ସ କାରବାର ପର୍ଯ୍ୟନ୍ତ ପହଞ୍ଚି ହେବ ବୋଲି ଆଶା ରଖିଛି ଏନସିବି । ଏହା ସହିତ ରାହିଲ ପଚରାଉଚରା ସମୟରେ କେତେକ ନାମିଦାମି ସେଲିବ୍ରିଟିଙ୍କ ନାମ ନେଇଛି । ତେବେ ସବୁଠାରୁ ଖାସ କଥା ହେଉଛି ଏନସିବିକୁ ମିଳିଥିବା ଖବର ଅନୁସାରେ ବଲିଉଡର ସେହି ଡ୍ରଗ୍ସ ବସ୍ ଫେରାର ହୋଇଯାଇଛି । କିନ୍ତୁ ଅନ୍ୟ କିଛି ସୋର୍ସରେ ସେ ମୁମ୍ବାଇରେ ଥିବା ଦାବି କରାଯାଉଛି ।

‘କେହି ସାଧୁ ନୁହନ୍ତି, କିନ୍ତୁ ପୁରା ଇଣ୍ଡଷ୍ଟ୍ରିକୁ ଡ୍ରଗ ଆଡିକ୍ଟ କହିବା ବି ଠିକ ନୁହେଁ’- ରଣବୀର ଶୌରୀ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଆଡିକସନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ଅଭିନେତା ରଣବୀର ଶୌରୀ ବଲିଉଡରେ ଡ୍ରଗ୍ସ ଆଡିକସନ ଏବଂ ନେପୋଟିଜମକୁ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ, କାହାକୁ ବି ସାଧୁ କୁହାଯାଇପାରିବ ନାହିଁ କିମ୍ବା କାହାକୁ ବି ଡ୍ରଗ୍ ଆଡିକ୍ଟ କୁହାଯାଇପାରିବ ନାହିଁ । NCBକୁ ତଦନ୍ତ କରିବାର ଅଧିକାର ଅଛି ଏବଂ ତଦନ୍ତ ହେବା ମଧ୍ୟ ଆବଶ୍ୟକ ।

ମୁଁ ମୋ କାମରେ ଖୁସି ଅଟେ

ରଣବୀର କହିଛନ୍ତି ଯେ, ‘ମୁଁ ଏଥିପାଇଁ ମୁହଁ ଖୋଲି କହୁଛି କାରଣ, ମୁଁ ସେମାନଙ୍କୁ ଖୁସି କରିନଥିଲି । ମୁଁ ମୋ ଆତ୍ମା ଉପରେ ପାଦ ରଖି ଆଗକୁ ବଢ଼ିବାକୁ ଚେଷ୍ଟା କରିଛି । ମତେ ଯେଉଁ କାମ ମିଳେ ମୁଁ ସେଥିରେ ଖୁସି ଅଟେ ।’

ଡ୍ରଗ୍ସକୁ ନେଇ କଣ କହିଲେ ରଣବୀର ଶୌରୀ

ରଣବୀର କହିଛନ୍ତି,- ‘ଡ୍ରଗ୍ସ କଥା କହିବାକୁ ଗଲେ, ମୁଁ ଏତିକି କହିବି ଯେ, ବଲିଉଡ ସାଧୁ ନୁହେଁ, ନା ଏ ଦୁନିଆ ସାଧୁ ଅଟେ ।’

କେବଳ ବଲିଉଡ ନୁହେଁ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏଭଲି ପାର୍ଟି ହୁଏ

‘ବଲିଉଡରେ ଏନସିବିର ତଦନ୍ତ କରିବା ତାଙ୍କ ଅଧିକାର । କିନ୍ତୁ ଏହା ମାନି ନେବା ଯେ ବଲିଉଡ ହେଉଛି ଡ୍ରଗ୍ସର ସ୍ୱର୍ଗ, ଏବଂ କଙ୍ଗନାଙ୍କ ମତରେ ଫିଲ୍ମ ଇଣ୍ଡଷ୍ଟ୍ରିର ୯୯ ପ୍ରତିଶତ ଲୋକ ଡ୍ରଗ ଆଡିକ୍ଟ ତାହା ଭୁଲ ଅଟେ । ଆପଣ ଜାଣିଥିରେ ଫିଲ୍ମ ହେଉ କିମ୍ବା ରାଜନୀତି ବା ଅନ୍ୟ ବ୍ୟବସାୟୀକ ପାର୍ଟିରେ ଏମିତି ବଡ଼ ବଡ଼ ପାର୍ଟି ହୁଏ ।’

‘ମୁଁ ଏହି କଥାରେ ମଧ୍ୟ ସହମତ ନୁହଁ ଯେ, ବଲିଉଡରେ ଡ୍ରଗ୍ସ ନେବା ଏକ ସାମାନ୍ୟ କଥା । ଯଦି କଙ୍ଗନା ବଡ଼ ସ୍ତରରେ ଏଭଲି କଥା କହୁଛନ୍ତି ତେବେ ସେ ବୋଧହୁଏ ଏସବୁ ଦେଖିଥିବେ କିନ୍ତୁ ମୋ ମତରେ ଏସବୁ ହୁଏନାହିଁ ।’

ବଲିଉଡରେ ଦେଖାଦେଉଥିବା ସମସ୍ୟା ଉପରେ ସ୍ୱର ଉଠାଇବା ଆବଶ୍ୟକ

ରଣବୀର କହିଛନ୍ତି ଯେ, ‘ବଲିଉଡରେ ଅନେକ ସମସ୍ୟା ରହିଛି ଏବଂ ସେହି ସମସ୍ୟା ବିରୋଧରେ ସ୍ୱର ଉଠାଇବା ଆବଶ୍ୟକ । କିନ୍ତୁ ‘ଥାଳିରେ କଣା କରିବା’ ମନ୍ତବ୍ୟରେ ମୁଁ ସହମତ ନୁହେଁ । ଏହା ବି କହିଦେବା ଠିକ ନୁହେଁ ଯେ, ବଲଉଡରେ ସମସ୍ତେ ଡ୍ରଗ ଆଡିକ୍ଟ ।’