ଭୁବନେଶ୍ବର : ଆହୁରି ୩ ଦିନ କାଚିବ ବର୍ଷା। ୨୮ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ। କାରଣ ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ। ଧୀରେ ଧୀରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୨୪ ଘଣ୍ଟାରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ,ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଅତିକ୍ରମ କରିବ। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ୧୦ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର I ଅନ୍ଯପଟେ ସ୍ବତନ୍ତ୍ର ରିଲିଫ କମିଶନର ମଧ୍ଯ ପ୍ରବଳ ବର୍ଷା ନେଇ ସତର୍କ କରାଇଦେଇଛନ୍ତି । ସ୍ଥାନୀୟ ପ୍ରଶାସନକୁ ଯନ୍ତ୍ରପାତି ସହ ସତର୍କ ରହିବାକୁ କହିଥିବାବେଳେ ତୁରନ୍ତ ରାଜ୍ୟ ଆପାତକାଳୀନ ଅପରେସନ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି ଏସଆରସି । ମତ୍ସ୍ୟଜୀବୀଙ୍କୁ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଉପକୂଳରେ ପ୍ରବେଶ ନକରିବାକୁ ଏସଆରସି ସତର୍କ କରାଇ ଦେଇଛନ୍ତି ।
ଅଶ୍ଳୀଳ ଓ ଯୌନ ସମ୍ପର୍କିତ ଦୃଶ୍ୟ ପ୍ରସାରଣ ପ୍ରସଙ୍ଗ, ବ୍ୟାନ ହେଲା ଅଶ୍ଲୀଳ ଓଟିଟି ଆପ୍
ନନ୍ଦିଘୋଷ ବ୍ୟୁରୋ : ଅଶ୍ଳୀଳ ଓ ଯୌନସମ୍ପର୍କିତ ଦୃଶ୍ୟ ପ୍ରସାରଣ ପ୍ରସଙ୍ଗ। ଉଲ୍ଲୁ, ଆଲଟି, ଦେଶୀଫ୍ଲିକ୍ସ, ବିଗ୍ ସଟସ୍ ଓ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମକୁ ନିଷିଦ୍ଧ କରିଛନ୍ତି ସରକାର। ସଫ୍ଟ ପର୍ଣ୍ଣ ଭାବେ ବିଭିନ୍ନ ଦୃଶ୍ୟ ପ୍ରସାରଣ କରୁଥିବାରୁ ଏହି ଆପ୍ଲିକେସନଗୁଡିକୁ ବ୍ୟାନ କରିଛନ୍ତି ସରକାର। ଆଇଟି ନିୟମାବଳୀ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏରୋଟିକ ୱେବ ସିରିଜ ନାମରେ ବିଭିନ୍ନ ପ୍ରାପ୍ତବୟସ୍କ କଣ୍ଟେଣ୍ଟ ପ୍ରସାରିତ ହେଉଥିଲା। ନାବାଳକ, ନାବାଳିକାମାନେ ଯେପରି ସଫ୍ଟ ପର୍ଣ୍ଣ ଜାଲରେ ଫସିବେ ନାହିଁ ସେଥିଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚରେ ସରକାର ୧୯ଟି ୱେବସାଇଟ, ୧୦ଟି ଆପ୍ ୧୭ଟି ସୋସିଆଲ ମିଡିଆକୁ ସରକାର ନିଷିଦ୍ଧ କରିଥିଲେ।
ଖୋଲୁଛି ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଜୈନଙ୍କ ଗୁମର
ନନ୍ଦିଘୋଷ ବ୍ୟୁରୋ : ଖୋଲିବାରେ ଲାଗିଛି ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଜୈନଙ୍କ ଗୁମର । ତାଙ୍କ ନେଟଓ୍ବର୍କ ଦେଖି ତାଜୁବ ହୋଇଯାଇଛି ଉତ୍ତରପ୍ରଦେଶ ଏସଟିଏଫ । ବେଆଇନ ଅର୍ଥ ଚାଲାଣ ନିମନ୍ତେ ସେ ବାହାର ରାଷ୍ଟ୍ରରେ ବହୁ ଜାଲ୍ କମ୍ପାନୀ ପ୍ରତିଷ୍ଠା କରିଥିବା ସୂଚନା ମିଳିଛି । ଏପରିକି ୨୦୦୮ରୁ ୨୦୧୧ ଭିତରେ ତାଙ୍କ ସହଯୋଗୀ ଏହସାନ ଅଲି ସୟଦ ଜାଲ୍ ଉପାୟ ଅବଲମ୍ବନ କରି ୭୦ ନିୟୁତ ପାଉଣ୍ଡ ଋଣ କରିବାକୁ ସକ୍ଷମ ହୋଇଥିଲେ । ହର୍ଷବର୍ଦ୍ଧନଙ୍କ ବିରୋଧରେ ଏଫଆଇଆର ଦାୟର ପରେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି । ଏସଟିଏଫ ଅନୁସାରେ ବିଦେଶରେ ହର୍ଷବର୍ଦ୍ଧନ ବ୍ରିଟେନରେ ଇଷ୍ଟ ଇଣ୍ଡିଆ କମ୍ପାନୀ ୟୁକେ ଲିମିଟେଡ, ମରିସସ, ଦୁବାଇ ଓ ଆଫ୍ରିକୀୟ ରାଷ୍ଟ୍ରରେ ଫେକ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେହିପରି ତାଙ୍କ ନାମରେ ଦୁବାଇରେ ଷ୍ଟେଟ ଟ୍ରେଡିଂ କର୍ପୋରେସନ, ଆଇଲାଣ୍ଡ ଜେନେରାଲ ଟ୍ରେଡିଂ କୋ ପ୍ରତିଷ୍ଠା ହୋଇଥିଲା । ସେହିପରି ମରିସସରେ ଇନ୍ଦିରା ଓଭରସିଜ୍ ଲିମିଟେଡ, ଆଫ୍ରିକାରେ କାମେରୁନ ଇସ୍ପାତ ସର୍ଲ ପ୍ରତିଷ୍ଠା ହୋଇଥିଲା । ଏହି ସବୁ କମ୍ପାନୀ ଜରିଆରେ ଟଙ୍କା କାରବାର ହେଉଥିଲା । ଜେରା ବେଳେ ହର୍ଷବର୍ଦ୍ଧନ କହିଛନ୍ତି- ବିବାଦୀୟ ଗଡମ୍ୟାନ ଚନ୍ଦ୍ରସ୍ବାମୀଙ୍କ ଘନିଷ୍ଠ ଥିବା ଏହସାନ ଅଲି ସୟଦଙ୍କ ନିର୍ଦ୍ଦେଶ ଅନୁସାରେ ସେ ସବୁକିଛି କରିଛନ୍ତି । ଏହସାନଙ୍କ ଘର ହାଇଦ୍ରାବାଦରେ । ବର୍ତ୍ତମାନ ସେ ତୁର୍କୀରେ ବସବାସ କରୁଛନ୍ତି । ଏହି ଫେକ୍ କମ୍ପାନୀ ଜରିଆରେ ହାଓ୍ବଲା କାରବାର ଓ ବଡ଼ ଧରଣର ଆର୍ଥିକ ଜାଲିଆତି ହୋଇଥିବା ସୂଚନା ମିଳିଛି । ୨୦୦୮ରୁ ୨୦୧୧ ମଧ୍ୟରେ ଏହସାନ ୭୦ ନିୟୁତ ପାଉଣ୍ଡର ଜାଲ୍ ଋଣ ହାସଲ କରିଥିଲେ ଏବଂ କମିଶନ ବାବଦରେ ପାଇଥିଲେ ୨୫ ନିୟୁତ ପାଉଣ୍ଡ । ପରେ ସେ ତୁର୍କୀ ଚାଲିଯାଇଥିଲେ । ୨୦୨୨ରେ ସୁଇସ ସରକାରଙ୍କ ଅନୁରୋଧ କ୍ରମେ ଏହସାନଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା । ୨୦୨୩ରେ ଲଣ୍ଡନର ଏକ କୋର୍ଟ ସୁଇଜରଲ୍ୟାଣ୍ଡ ହାତରେ ପ୍ରତ୍ୟର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ଜଣାଯାଇଛି ହର୍ଷବର୍ଦ୍ଧନଙ୍କ ନାମରେ ବହୁ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏହସାନଙ୍କ ସହ ତାଙ୍କର ସମ୍ପର୍କର ବିଭିନ୍ନ ଦିଗକୁ ବି ତଦନ୍ତ କରାଯାଉଛି । ହର୍ଷବର୍ଦ୍ଧନଙ୍କ ନାମରେ ଧାରା ୩୧୮, ୩୧୮(୪), ୩୩୬(୩), ୩୩୮, ୩୪୦ ଅନୁସାରେ ମାମଲା ରୁଜୁ ହୋଇଛି ।
ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି
ନୂଆଦିଲ୍ଲୀ : ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ସଂସଦରେ ଏହାକୁ ନେଇ ଅଚଳାବସ୍ଥା ଜାରି ରହିଛି। ପ୍ରତିବାଦରେ ବିରୋଧୀ ସାଂସଦ କରିଛନ୍ତି ଡଷ୍ଟବିନ ପ୍ରୋଟେଷ୍ଟ। ଆଜି ପଞ୍ଚମ ଦିନରେ ବି ସଂସଦ ହୋଇଥିଲା ଅଚଳ। ବିହାର ସ୍ପେସାଲ ଇଣ୍ଟେନସିଭ ରିଭିଜନକୁ ନେଇ ସଂସଦ ଭବନ ବାହାରେ ପ୍ରତିବାଦ କରିଥିଲେ ଇଣ୍ଡିମେଣ୍ଟ ସାଂସଦ। ବିକ୍ଷୋଭରେ ସାମିଲ ହୋଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ନେତା। ବିକ୍ଷୋଭରେ ସାଙ୍କେତିକ ଭାବେ ବିହାର ଏସଆଇଆରକୁ ଚିରିବା ସହ ଡଷ୍ଟବିନରେ ପକାଇଥିଲେ ସାଂସଦ। ଗତ ୨୧ ତାରିଖଠାରୁ ଏହି ପ୍ରସଙ୍ଗରେ ସଂସଦରେ ବିକ୍ଷୋଭ ଜାରି ରଖିଛନ୍ତି ସାଂସଦ। ଏସଆଇଆର ଯୋଗୁ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷରୁ ଅଧିକ ଭୋଟର ବାଦ୍ ପଡିଥିବା ନେଇ ସୂଚନା ମିଳିଥିବାବେଳେ ଆହୁରି ବହୁ ଅଧିକ ଭୋଟର ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ର କରି ବିରୋଧୀ ସାଂସଦମାନେ ତୀବ୍ର ହଟ୍ଟଗୋଳ କରିବା ସହ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି।

