spot_img
Home Blog Page 6404

କରୋନା ସ୍ଥିତି ସୁଧୁରୁଛି: ଆଜି ସୁସ୍ଥ ହେଲେ ୩୮୯୪

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୯୪ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ଜିଲ୍ଲାରୁ ୨ୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬, ଅନୁଗୁଳରୁ ୨୧୭, ପୁରୀରୁ ୧୮୨, ଗଜତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, କୋରାପୁଟରୁ ୧୨୬, ସୁନ୍ଦରଗଡ଼ରୁ ୧୧୯, ନୟାଗଡ଼ରୁ ୧୧୫, କେନ୍ଦ୍ରପଡ଼ାରୁ ୧୧୨, ସମ୍ୱଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡ଼ରୁ ୯୭ ଓ ନବରଙ୍ଗପୁରରୁ ୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଭଦ୍ରକରୁ ୭୪, ମାଲକାନଗିୁରିରୁ ୭୨, ସୋନପୁରରୁ ୭୦, ୱଲାଙ୍ଗିରରୁ ୬୮, କେନ୍ଦୁଝରରୁ ୫୫, ନୂଆପଡ଼ାରୁ ୪୯, ଢେଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, କନ୍ଧମାଳରୁ ୪୦, ରାୟଗଡ଼ାରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେଓଗଡ଼ରୁ ୧୨ ଓ ୯୧ ଜଣ ଷ୍ଟେଟ ପୋଲ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ ରାଜ୍ୟରେ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ।

 

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: କୋଭିଡ କଟକଣାକୁ ଗୁରୁତ୍ୱ, ୪୦ ପ୍ରତିଶତ ବଢିଲା ବୁଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୨ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ୨ ଆସନ ହେଉଛି- ବାଲେଶ୍ୱର ଜିଲାର ବାଲେଶ୍ବର ସଦର ଏବଂ ଜଗତସିଂହପୁର ଜିଲାର ତିର୍ତ୍ତୋଲ । ଭାରତୀୟ ନିର୍ବାଚନ କମିଶନ କ୍ରମେ ଏହି ୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ସର୍ବିଶେଷ ବିବରଣୀ ଦେଇଛନ୍ତି ।

ଲୋହାନୀ କହିଛନ୍ତି ଯେ, ଆସନ୍ତା ନଭେମ୍ବର ୧୨ ସୁଦ୍ଧା ୨ଟି ଆସନର ସମସ୍ତ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ । ୯ ଅକ୍ଟୋବରରେ ଆନୁଷ୍ଠାନିକ ଭାବେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପ୍ରାର୍ଥୀପତ୍ର ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୧୬ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିପରି ୧୭ରେ ଯାଞ୍ଚ ଏବଂ ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ୩ ନଭେମ୍ବରରେ ଏହି ୨ ଆସନ ପାଇଁ ଭୋଟ ଗ୍ରହଣ ହେବ । ୧୦ ତାରିଖରେ ଏହି ଫଳାଫଳ ଘୋଷଣା କରାଯିବ ।

ସ୍ୱାଧୀନତା ପରେ ହୋଇଥିବା ସମସ୍ତ ନିର୍ବାଚନଠାରୁ ଏହା ନିଶ୍ଚିତ ଭାବେ ଭିନ୍ନ ରହିବ । ଏଥିରେ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବାଲେଶ୍ୱରରେ ୨,୨୬,୫୮୬ ଜଣ ଏବଂ ତିର୍ତ୍ତୋଲ ୨,୩୮,୦୫୬ ଜଣ ମତଦାତା ରହିଛନ୍ତି । ସାଧାରଣତଃ ପ୍ରତିବୁଥରେ ୧୫୦୦ ଲୋକଙ୍କୁ ନେଇ ହୋଇଥାଏ । ହେଲେ ଏଥର ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ୧୦୦୦କୁ ହ୍ରାସ କରାଯାଇଛି । ବାଲେଶ୍ୱରରେ ୧୯୮ ବୁଥକୁ ବୃଦ୍ଧି କରାଯାଇ ୩୪୬ କରାଯାଇଛି । ସେହିପରି ତିର୍ତ୍ତୋଲରେ ୨୬୫ରୁ ଏହା ବୃଦ୍ଧି ପାଇ ୩୭୩ କରାଯାଇଛି । ସେହିପରି ଏହି ଉପନିର୍ବାଚନରେ ଏମ୍ ୩ ମଡେଲ ଇଭିଏମ୍ ବ୍ୟବହାର କରାଯିବ ।

ଭୋଟର ପରିଚୟ ବାଧ୍ୟତାମୂଳକ ହୋଇଥିବା ବେଳେ ଏହାକୁ ବାଦ୍ ଅନ୍ୟ ୧୧ଟି ଜିନିଷ ମଧ୍ୟବ୍ୟବହାର କରାଯାଇପାରିବ । ଏହା ମଧ୍ୟରେ ରହିଛି ଆଧାର କାର୍ଡ, ଡିଏଲ, ପ୍ୟାନ କାର୍ଡ, ବ୍ୟାଙ୍କ ପାସବୁକ୍, ସର୍ଭିସ କାର୍ଡ, ପେନସନ କାର୍ଡ, ମନରେଗାର ଜବକାର୍ଡ ଇତ୍ୟାଦି । ପୂର୍ବରୁ ଯେପରି ଆପରାଧିକ ରେକର୍ଡ ଥିବା ପ୍ରାର୍ଥୀମାନେ ନିଜର ଅପରାଧ ସମ୍ପର୍କରେ ସାର୍ବଜନୀନ ତଥ୍ୟ ପ୍ରଦାନ କରିବେ । ରାଜନୈତିକ ଦଳ ମଧ୍ୟ ଏ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବେ । ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଅଧିକ ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲେଟର ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ପରିଚାଳନାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିୟୋଜିତ ଥିବା ସମସ୍ତ ବ୍ୟକ୍ତି ଫେସ ମାକ୍ସ ପିନ୍ଧିବେ । ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ବଡବଡ଼ ହଲରେ କରାଯିବ । ଏଠାରେ ସାମାଜିକ ସୁରକ୍ଷାକୁ ବ୍ୟାପକ ଗୁରୁତ୍ୱ ଦିଆଯିବ । ନିର୍ବାଚନ ଗାଡ଼ିରେ କେତେଜଣ ବସିବେ, ତାହା ପାଇଁ ମଧ୍ୟ ନିୟମ ରହିଛି । କୋଭିଡ ନିୟମ ଅନୁପାଳନ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ହେଲ୍ଥ ଅଧିକାରୀ ଭାବେ ନିଯୁକ୍ତି କରାଯିବ । ପ୍ରାର୍ଥୀପତ୍ର ଦାଖଲ ସମୟରେ କେବଳ ୨ ଜଣ ଯାଇପାରିବେ । ଏହି ସମୟରେ କେବଳ ୨ଟି ଗାଡି ବ୍ୟବହୃତ ହେବ । କରୋନା ରୋଗୀ, ଆଇସୋଲେସନରେ ଥିବା ବ୍ୟକ୍ତି ଏବଂ ସନ୍ଦିଗ୍ଧ ମାନେ ମଧ୍ୟ ପୋଷ୍ଟାଲ ବ୍ୟାଲେଟ ବ୍ୟବହାର କରିପାରିବେ । ସମସ୍ତ ପ୍ରକାର ଭିଡକୁ ବାରଣ କରାଯାଇଛି ।

ଡୋର ଟୁ ଡୋର କ୍ୟାମ୍ପେନିଂରେ ୫ ଜଣ ଯିବ । ପ୍ରଚାରରେ ବେଶୀ ଗାଡ଼ି ଯିବ ନାହିଁ । ପ୍ରତିଗାଡି ନିୟମିତ ବ୍ୟବଧାନରେ ଯିବ । ସମସ୍ତ ରାଲି,ସଭା କୋଭିଡ ନିୟମରେ ପରିଚାଳନା ହେବ । କେଉଁ ଜାଗାରେ ସଭା ହେବ, ତାହା ଅନୁଧ୍ୟାନ କରାଯିବ । ସେଠାରେ କୋଭିଡ ଗାଇଡଲାଇନ କାର୍ଯ୍ୟକାରୀ ହୋଇ ପାରିବ ନାହିଁ ନଜର ଦିଆଯିବ । ଥର୍ମାଲ ସ୍କାନିଂକୁ ଗୁରୁତ୍ୱ ଦିଆଯିବ । ଆବଶ୍ୟକ ମାସ୍କ, ପିପିଇ କିଟ୍, ସବୁ ପ୍ରଦାନ କରାଯିବ । ପୂର୍ବପେକ୍ଷା ଅଧିକ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ବୁଥ ଆପ ଗଠନ କରାଯାଇଛି, ଏହା ମାଧ୍ୟମରେ ବିଭିନ୍ନ ସୂଚନା ମତଦାତା ପାଇବେ । କୋଭିଡ ସଚେତନତା ସମ୍ପର୍କିତ ପୋଷ୍ଟର ମରାଯିବ ।

ବିଧାନସଭା ଅଧିବେଶନର ପ୍ରଥମ ଦିନ; ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ

ଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଲା । ନିୟମ ଅନୁଯାୟୀ, ପ୍ରଥମେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିବା ବେଳେ ଗୃହକାର୍ଯ୍ୟ ୧୧ଟାରେ ଆରମ୍ଭ ହୋଇଥିଲା । ବିଧାନସଭା ପ୍ରବେଶ ପାଇଁ  ସାନିଟାଇଜର ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାବ୍ୟତୀତ ସବୁ ବିଧାୟକମାନେ କାଚଫ୍ରେମ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ବିଧାନସଭା ଅଧିବେଶନ ଆଲୋଚନାରେ ଯୋଗ ଦେଇଥିଲେ । ପ୍ରତି ଧାଡିରେ ୨ ଜଣ ଲେଖାଏଁ ବିଧାୟକ ବସିଥିଲେ । କିଛି ବିଧାୟକଙ୍କୁ ଦର୍ଶକ ଗ୍ୟାଲେରି ବସିଥିବାର ଦେଖିବାକୁ ମିଳିଥିଲା ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଉପସ୍ଥିତ ନରହି ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ । ବିଧାୟକ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ, ଉଷା ଦେବୀ, ସାବିତ୍ରୀ ଅଗ୍ରୱାଲ ଲୋକସେବା ଭବନରେ ଥାଇ ବିଧାନସଭା ଅଧିବେଶନରେ ଭାଗ ନେଇଥିଲେ ।

ଏହା ବ୍ୟତୀତ ଭଦ୍ରକରେ ବିଷ୍ଣୁ ସେଠୀ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ ଓ ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆରେ ରହି ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ । ତେବେ ସମୁଦାୟ ୮୫ ଜଣ ବିଧାୟକ ଗୃହରେ ଉପସ୍ଥିତ ଥିବା ବେଳେ ଅନ୍ୟ ୯ ଜଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ତେବେ କରୋନା ଭଳି ଏକ ଭୀଷଣ ମହାମାରୀ ସମୟରେ ସରକାର ବିରୋଧୀଙ୍କ ସ୍ୱରକୁ ସବୁ ପ୍ରକାର ମର୍ଯ୍ୟାଦା ଦେବେ ଓ ବିରୋଧୀଙ୍କର ସବୁ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭା ଅଧିବେଶନ ଆରମ୍ଭରୁ ପରଲୋକଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଗୃହର ଦିବଂଗତ ସଦସ୍ୟ, ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ସମର୍ଥନ କରିଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହାକୁ ପାରିତ କଲେ । ଉଲ୍ଲେଖଯୋଗ୍ୟ ଯେ, ଦିବଂଗତଙ୍କ ସମ୍ମାନାର୍ଥେ ଗୃହର ପ୍ରଥମ ଭାଗ ମୁଲତବୀ ରହିଥିଲା।

ଆଜିର ବିଧାନସଭାର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ହଙ୍ଗାମା ଦେଖା ଦେଇଛି । କଂଗ୍ରେସ ବିଧାନସଭାରେ ସରକାରଙ୍କର ଏହି ବିଲ କଡ଼ା ଭାଷାରେ ସମାଲୋଚନା କରିଛି ଓ ତୀବ୍ର ବିରୋଧ କରିଛି । କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଲର ବିରୋଧରେ ମତପୋଷଣ କରି କହିଛନ୍ତି ଯେ, ଏହି ବିଲ୍ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ସ୍ୱୟଂଶାସନ କମିବ ।ବିଲର ଉଦ୍ଦେଶ୍ୟ ଏଭଳି ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ସରକାର ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପତ୍ର ନହଲୁ ବୋଲି ସରକାର ଚାହୁଁଛନ୍ତି ।

ଏଣୁ ଏହି ବିଲ୍ ଆଣି ବିଶ୍ୱବିଦ୍ୟାଳୟର କର୍ତ୍ତୃତ୍ୱ କମାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ।   ସେହିଭଳି ଏବେ କରୋନା ସମୟ । କରୋନାଠାରୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥାଇପାରେ । ସରକାର କରୋନା ମୁକାବିଲା ଉପରେ ଧ୍ୟାନ ନଦେଇ ବିଶ୍ୱବିଦ୍ୟାଳୟ ବିଲକୁ ପାରିତ କରିବା ପାଇଁ ଏତେ ବ୍ୟସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏଣୁ ଏହାକୁ ତରବରିଆ ଭାବେ ପାସ୍ ନକରିବା ପାଇଁ ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ନରସିଂହ ମିଶ୍ରଙ୍କର ଏଭଳି ମନ୍ତବ୍ୟକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିରୋଧ କରିଛନ୍ତି । ତାଙ୍କ କହିବା କଥା ଯେ, ବିଶ୍ୱବିଦ୍ୟାଳୟ ଆଇନ ଆସିଲେ, ବିଶ୍ୱବିଦ୍ୟାଳୟର ସ୍ୱଂୟ ଶାସନ ସାମାନ୍ୟତମ ମଧ୍ୟ ପ୍ରଭାବିତ ହେବ ନାହିଁ । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ୟୁନିଭରସିଟି ଆକ୍ଟ ଆଧାରରେ ପରିଚାଳିତ ହେବ । ଏହି ବିଲ୍ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଅଭିବୃଦ୍ଧିରେ ସହାୟକ ହେବା ସହ ଯୁଗାନ୍ତକାରୀ ହେବ । ସେହିଭଳି ଶିକ୍ଷା କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବା ଯାଇ ଶ୍ରୀ ସାହୁ କହିଥିଲେ ଯେ, ତିନି ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।

ଅମାନିଆ ଡ୍ରାଇଭର ସାବଧାନ ! ମହଙ୍ଗା ପଡିବ ନୂଆ ମୋଟର ଯାନ ଆଇନ, ନିୟମ ଉଲଙ୍ଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଏଣିକି ସାବାଡ଼ ହେବେ ଅମାନିଆ ଡ୍ରାଇଭର  ।  ଅମାନିଆଙ୍କ ପାଇଁ ଲାଗୁ ହେବ ନୂଆ ନିୟମ । ସରକାରୀ ୱେବସାଇଟରେ ରହିବ ନିୟମ ଉଲଂଘନକାରୀଙ୍କ ସବୁ ତଥ୍ୟ ।  ବାରମ୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଅକ୍ଟୋବାର ପହିଲାରୁ ଲାଗୁ ହେବ ନୂଆ ନିୟମ ।

ଅମାନିଆ ଡ୍ରାଇଭର ସାବଧାନ

ମହଙ୍ଗା ପଡିବ ନୂଆ ମୋଟର ଯାନ ଆଇନ

ଟ୍ରାଫିକ ନିୟମ ଉଲଂଘନ କଲେ ତଣ୍ଡିବାକୁ ପଡିବ ଅଧିକ ଜରିମାନା

ସରକାରୀ ପୋର୍ଟାଲରେ ରହିବ ନିୟମ ଉଲଂଘନକାରୀଙ୍କ ତାଲିକା । ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି । ଯଦି ଏହା ଆପଣଙ୍କ ଅଭ୍ୟାସଗତ ଭୂଲ ତେବେ ହୋଇଯଆନ୍ତୁ ସାବଧାନ । କାରଣ ଟ୍ରାଫିକ ନିୟମ ବାରମ୍ବାର ଭାଙ୍ଗିଲେ ଏଣିକି ଦେବାକୁ ପଡିବ ଦୁଇ ଗୁଣା ଜରିମାନା । ଥରେ ନିୟମ ଉଲଂଘନ କଲେ ସରକାରୀ ପୋର୍ଟାଲରେ ରହିବ ନିୟମ ଉଲଂଘନକାରୀଙ୍କ ସମସ୍ତ ତଥ୍ୟ । ଅମାନିଆ ଡ୍ରାଇଭରଙ୍କୁ ଏଣିକି ତଣ୍ଡିବାକୁ ପଡିବ ଅଧିକ ଜରିମାନା ।

ଗାଡି ଚଳାଇବା ବେଳେ ପାଖରେ ଗାଡିର କାଗଜ ପତ୍ର ନଥିଲେ ଏଣିକି ଜରିମାନା ଆଦାୟ କରି ହେବନି ।  ଡ୍ରାଇଭିଂ ଲାଇସେନ୍ସ ସମେତ , ଗାଡିର ଅନ୍ୟାନ୍ୟ କାଗଜ ପତ୍ରର ଡିଜିଟାଲ କପି ଦେଖାଇ ପାରିବେ ଚାଳକ ।  ଗାଡିର ରେଜିଷ୍ଟ୍ରେସନ , ଫିଟନେସ  ତଥା ପରମିଟ ଠିକ ଅଛି କି ନାହିଁ ତାହାର ସମସ୍ତ ତଥ୍ୟ ସରକାରୀ ପୋର୍ଟାଲରେ ଉପଲବ୍ଧ ରହିବ  । ଯାହାଫଳରେ ଗାଡି ଚାଳକ ସଚେତନ ହେବା ସହ ଦୁର୍ଘଟଣା ମଧ୍ୟ କମ୍ ହେବ ।

ନୂଆ ମୋଟର ଯାନ ଆଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି  । ଅକ୍ଚୋବର ୧ ତାରିଖରୁ କଡାକଡି ହେବ ଏହି ନିୟମ  ।  ଏହା ଫଳରେ ଦୁର୍ଘଟଣା କମ୍ ହେବ ବୋଲି ଆଶା କରାଯାଉଛି ।

୯୬୦ କୋଟି ଟଙ୍କାର ଖରାପ ଗୋଳାବାରୁଦ କିଣିଛି ସେନା, ଏତିକିରେ ୧୦୦ ତୋପ ହୋଇଥାନ୍ତା

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସୀମାରେ ଦୀର୍ଘ ଦିନ ହେବ ଉତ୍ତେଜନା ପରିସ୍ଥିତି, ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଉ ଏକ ଚର୍ଚ୍ଚା ସମସ୍ତଙ୍କୁ ଚକିତ କରିଛି । ଭାରତୀୟ ସେନାରୁ ମିଳିଥିବା ଭିତିରି ରିପୋର୍ଟ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ଯେତିକି ଟଙ୍କାର ଖରାପ ଗୋଳାବାରୁଦ କଣାଯାଇଛି, ସେହି ଟଙ୍କାରେ ୧୦୦ ଆର୍ଟଲିରି ଗନ୍ ଭଳି ତୋପ‌ କିଣାଯାଇ ପାରିଥାନ୍ତା । ଏହି ରିପୋର୍ଟ ଏବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟକୁ ଦିଆଯାଇଛି ।

Artillery gun

ଗତ ୨୦୧୪ ରୁ ୨୦୨୦ ମଧ୍ୟରେ କିଣାଯାଇଥିବା ଲୋ’କ୍ୱାଲିଟି ଗୋଳାବାରୁଦର ଦାମ୍‌ ୯୬୦ କୋଟି ହେବ ବୋଲି ଜଣାପଡ଼ିଛି । ତେବେ ଏହି ମୂଲ୍ୟରେ ସେନା ପାଇଁ 150-MM ମିଡିୟମ ଆର୍ଟିଲିରି ବନ୍ଧୁକ କିଣାଯାଇ ପାରିଥାନ୍ତା ।

ସୂଚନାଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ (OFB) ପରିଚାଳିତ ହୋଇଥାଏ । ଏହା ବିଶ୍ୱର ସର୍ବ ପୁରାତନ ସରକାରୀ ଅର୍ଡିନାନ୍ସ ଉତ୍ପାଦନ ୟୁନିଟ୍ ମଧ୍ୟରୁ ଅନ୍ୟତମ । ଏହା ଅଧୀନରେ ସେନା ପାଇଁ ଗୁଳିଗୋଳା ପ୍ରସ୍ତୁତ କରାଯାଇଥାଏ । ଯାହାକୁ ନେଇ ସେନା ସମାଲୋଚନା କରିଛି । ତ୍ରୁଟିପୂର୍ଣ୍ଣ ଉତ୍ପାଦ ମଧ୍ୟରେ 23-MM ଏୟାର୍‌ ଡିଫେନ୍ସ ସେଲ, ଆର୍ଟିଲିରି ସେଲ୍‌, 125 MM ଟ୍ୟାଙ୍କ ରାଉଣ୍ଡ ସମେତ ବିଭିନ୍ନ କ୍ୟାଲିବରର ବୁଲେଟ୍ ସାମିଲ ରହିଛି ।

Artillery gun

ସେନା ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଖରାପ କ୍ୱାଲିଟିର ଗୋଳାବାରୁଦ ପାଇଁ କେବଳ ଟଙ୍କା ନଷ୍ଟ ହୋଇନାହିଁ ବରଂ ଅନେକ ସମୟରେ ଜୀବନ ମଧ୍ୟ ହାନୀ ହୋଇଛି ।

ଏହି ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୪ ପରଠାରୁ ଆସିଥିବା ଖରାପ କ୍ୱାଲିଟିର ଗୋଳାବାରୁଦ ଯୋଗୁଁ ୪୦୩ ଅଘଟଣ ଘଟିଛି । ଯଦିଓ ପରବର୍ତ୍ତୀ ସମୟରେ ଏହା ହ୍ରାସ ପାଇଛି, କିନ୍ତୁ ଏହା ଚିନ୍ତାର  ବିଷୟ ନିଶ୍ଚୟ । ତେବେ ୨୦୧୪ ରେ ୧୧୪ ଅଘଟଣ ଘଟିଥିବା ବେଳେ ୨୦୧୭ରେ ୫୩, ୨୦୧୮ ରେ ୭୮, ୨୦୧୯ରେ ୧୬ ଅଘଟଣ ଘଟିଥିବା ରିପୋର୍ଟରୁ ସୂଚନା ମିଳିଛି ।

Artillery gun

ଏହି ଘଟଣାରେ ପ୍ରାୟ ୨୭ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୯ ସୈନିକ ଆହତ ହୋଇଛନ୍ତି । ଚଳିତ ବର୍ଷ ଏବେ ସୁଦ୍ଧା ୧୩ଟି ଅଘଟଣ ଘଟିଛି । ହେଲେ କୌଣସି ଜୀବନ ହାନି ହୋଇନାହିଁ । ଏହି ୯୬୦ କୋଟି ଟଙ୍କା ମଧ୍ୟରୁ ୬୫୮ କୋଟି ଟଙ୍କା ୨୦୧୪ରୁ ୨୦୧୯ ମଧ୍ୟରେ ସେଲ୍ଫରେ ଖର୍ଚ୍ଚ ହୋଇଛି । ଏହାବାଦ୍‌ ବଳକା ୩୦୩ କୋଟି ଟଙ୍କା ମୂଲ୍ୟର ମାଇନ୍ସ, ମହାରାଷ୍ଟ୍ର ଅଗ୍ନିକାଣ୍ଡରେ ଶେଷ ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ ବେସରକାରୀ କ୍ଷେତ୍ରଗୁଡ଼ିକୁ ସେନା ପକ୍ଷରୁ ଆମନ୍ତ୍ରଣ କରାଯାଉଛି । ଯାହାଦ୍ୱାରା ସେମାନେ ସେନା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବେ । ତେବେ ଏଥିପାଇଁ ଅନେକ ଜୋର ଦେବାକୁ ହେବ ବୋଳି କୁହାଯାଉଛି ।

ବସ୍ତିରେ ସଂକ୍ରମଣ ରୋକିବା ପାଇଁ ବିଏମସିର ପ୍ରୟାସ, ପ୍ରତି ବସ୍ତିକୁ ସ୍ୱଚ୍ଛତା ମିଶନ ପାଇଁ ୫ ହଜାର…

ଭୁବନେଶ୍ୱର: ରାଜଧାନୀ ସଂକ୍ରମଣ ମାତ୍ରା କ୍ରମାଗତ ଭାବେ ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ବିଶେଷ ଭାବେ ଅନଲକ୍ ୪.୦ ପରେ ଭୁବନେଶ୍ୱରରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲା । ତେବେ ରାଜଧାନୀର ବସ୍ତି ଅଞ୍ଚଳରେ ସଂକ୍ରମଣ କମାଇବା ପାଇଁ ବିଏମସି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ସମୁଦାୟ ୪୨୮ଟି ବସ୍ତି ଥିବା ବେଳେ ସବୁ ବସ୍ତିରେ ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏଥିପାଇଁ ପ୍ରତି ବସ୍ତି କମିଟିକୁ ବିଏମସି ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ସେହିଭଳି ରାଜଧାନୀର ପ୍ରାୟ ସମସ୍ତ ବସ୍ତିରେ କରୋନା ସଂକ୍ରମଣ ହୋଇ ସାରିଥିବା ବେଳେ କେବଳ ୧୭ ନମ୍ୱର ଓାର୍ଡର ତାରିଣୀ ବସ୍ତିରେ ଏଯାବତ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ସୂଚନାଯୋଗ୍ୟ ଯେ ବିଏମସି ସ୍ୱଚ୍ଛତା ମିଶନ ଏହି ବସ୍ତିରୁ ହିଁ ପ୍ରଥମେ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଥିଲା ।

ବସ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ବିଏମସିର ପଦକ୍ଷେପକୁ ବସ୍ତିବାସିନ୍ଦାମାନେ ପ୍ରଶଂସା କରିଛନ୍ତି । ତେବେ ବସ୍ତିକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ବାସିନ୍ଦାଙ୍କର ଅଟେ । ନିଜ ପରିବେଶକୁ ପରିସ୍କାର ରଖିପାରିଲେ କରୋନା ସଂକ୍ରମଣରୁ ରକ୍ଷା ପାଇହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

କୋଲାବ ଜଳ ଭଣ୍ଡାର ବିଚ୍ଛିନ୍ନାଞ୍ଚଳ ଲୋକଙ୍କର ସରୁନି ଦୁଃଖ, ଏବେବି ବିପଦପୂର୍ଣ୍ଣ ଭାବେ ମେଡିକାଲ ଯାଉଛନ୍ତି ରୋଗୀ

0

କୋରାପୁଟ: ବିଛିନ୍ନାଞ୍ଚଳ ପାଇଁ ଆସିଥିବା ବୋଟ୍ ଆମ୍ବୁଲାନ୍ସ ଆସିବା ଦିନରୁ ଅଚଳ । ୬ ମାସ ପରେ ବି ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ଲୋକେ । ଲମତାପୁଟ ସି୍ଦିଘାଟ ଥିବା ବୋଟ ଆମ୍ବୁଲାନ୍ସ ୬ ମାସ ହେଲା ପଡି ଖତ ଖାଉଛି । ଏପଟେ ଲୋକେ ବାଧ୍ୟହୋଇ ଦେଶୀଡଙ୍ଗାରେ ରୋଗୀଙ୍କୁ ନେବାଆଣିବା କରୁଛନ୍ତି । ରାତିଅଧରେ ଡଙ୍ଗା ଚଳାଚଳ କରୁନଥିବାରୁ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି ।

କୋଲାବ ଜଳ ଭଣ୍ଡାର ଭିତରେ ବିଛିନ୍ନାଞ୍ଚଳ ଭାବେ ରହିଛି ୪ଟି ପ଼଼ଞ୍ଚାୟତ । ସେମାନଙ୍କ ଯିବା ଆସିବାର ଏକ ମାତ୍ର ସାହା ଦେଶୀ ଡଙ୍ଗା । ତେବେ ଏହି ୪ଟି ପଞ୍ଚାୟତର ୩୦ ହଜାର ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଯୋଗାଇଥିଲେ ଗୋଟିଏ ବୋଟ୍ ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସ ମଧ୍ୟ ସିନ୍ଦିଗୁଡା ଘାଟରୁ ଚାଲିବା ପାଇଁ ସ୍ଥିର ହୋଇଥିଲା । ହେଲେ ଆସିବା ଦିନଠୁ ପଡି ରହିଛି ଏହି ଆମ୍ବୁଲାନ୍ସ । ଫଳରେ ଲୋକେ ଉପାୟଶୁନ୍ୟ ହୋଇ ପୁଣି ରୋଗୀଙ୍କୁ ମେଡିକାଲ ନେବାପାଇଁ ଦେଶୀ ଡଙ୍ଗାର ସାହାରା ଲୋଡୁଛନ୍ତି । ଏଥିପ୍ରତି ସରକାର ନଜର ଦେବାକୁ ଦାବି କରିଛନ୍ତି ବିଛିନ୍ନାଞ୍ଚଳବାସିନ୍ଦା ।

ବେଳେ ବେଳେ ଠିକ୍ ସମୟରେ ରୋଗୀ ମେଡିକାଲରେ ପହଞ୍ଚି ନପାରିବାରୁ ମୃତ୍ୟୁ ଘଟୁଛି । ଏମିତିକି ଆମ୍ବୁଲାନ୍ସ ସେବା ନଥିବାରୁ ପ୍ରସୂତିଙ୍କ ଅଧବାଟରେ ପ୍ରସବ ହେଉଛି । ଏନେଇ ବହବୁବାର ପାଣି ଘେରରେ ଥିବା ଲୋକଙ୍କ ପାଇଁ ବୋଟ୍ ଆମ୍ବୁଲାନ୍ସ ଟିଏ ଦାବି ହୋଇଛି । ହେଲେ ଏଥିପ୍ରତି ପ୍ରଶାସନର କୌଣସି ନିଘା ନଥିବା ଅଭିଯୋଗ ହୋଇଛି । ସେପଟେ ବୋଟ ଆମ୍ବୁଲାନ୍ସରେ ଥିବା କିଛି ତୃଟିକୁ ମରାପତି କରାଯାଇ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ।

ତିର୍ତ୍ତୋଲ : ଏଥର ବି ଏକତରଫା ହେବ ନା ଲଢେଇ ଜମିବ ?

ତିର୍ତ୍ତୋଲ: ଜଗତସିଂହପୁର ଅଣକଂଗ୍ରେସ ରାଜନୀତିର ଏକ ପରିଚିତ ନାମ ବିଷ୍ଣୁ ଚରଣ ଦାସ । ଏକାଧିକଥର ବିଧାନସଭାରେ ବିଜୟୀ ହେବା ସହ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ହୋଇପାରିଥିଲେ । ଏକଦା ତାଙ୍କୁ ସମ୍ମାନଜନକ ଯୋଜନା ବୋର୍ଡ ଉପାଧ୍ୟକ୍ଷଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା । ଘଟଣାକ୍ରମରେ ସ୍ୱାସ୍ଥ୍ୟଗତ କାରଣୁ ନିକଟରେ ଦାସ ପ୍ରାଣ ହରାଇଥିଲେ । ବିଷ୍ଣୁଙ୍କ ବିୟୋଗ ପରେ ତିର୍ତ୍ତୋଲ ଆସନ ଖାଲି ହୋଇଛି । ଆଗାମୀ ନଭେମ୍ବର ୩ରେ ବାଲେଶ୍ୱର ବିଧାନସଭା ଆସନ ସହ ଏହି ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଏହି ଆସନର ଇତିହାସକୁ ଯଦି ଲକ୍ଷ୍ୟ କରାଯାଏ । ତେବେ ବିଗତ କିଛି ଥର ଏଠାରେ ଏକତରଫା ଫଳାଫଳ ହେଉଛି । ତେଣୁ ଆଗାମୀ ନିର୍ବାଚନରେ ଏହି ଏକତରଫା ଫଳାଫଳର ପୁନରାବୃତ୍ତି ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି । ଗତ ନିର୍ବାଚନ ଅର୍ଥାନ ୨୦୧୯ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକ ୨୩ ୭୪୦ ଖଣ୍ଡ ଭୋଟ ପାଇଥିଲେ । ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ନିକଟତମ ପ୍ରାର୍ଥୀଙ୍କଠାରୁ ପ୍ରାୟ ୪୦,୪୭୭ ଖଣ୍ଡ ଅଧିକ ରହିଥିଲା ।

ଏହା କେବଳ ୨୦୧୯ ନୁହେଁ ୨୦୧୪ ଏବଂ ୨୦୦୯ରେ ମଧ୍ୟ ସମାନ ଫଳ ଦେଖିବାକୁ ମିଳିଥିଲା । ୨୦୧୪ରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୮୮,୯୫୩ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ୫୩, ୫୦୫ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୧୪, ୫୧୬ ଖଣ୍ଡ ଭୋଟ ପାଇଥିଲେ ।  ରାଜଶ୍ରୀ ପ୍ରାୟ ୩୫,୪୪୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ରନାଥ ଭୋଇ ୮୨,୨୮୨ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ରାଜ କିଶୋର ବେହେରା ୪୮,୧୦୦ ଖଣ୍ଡ ଏବଂ ଭାଜପା ଲତାମଣୀ ଦାସ ୪୫୧୪ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ରବୀନ୍ଦ୍ର ନାଥ ୩୪,୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ତେଣୁ ପୂର୍ବ ୩ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡି ହାରାହାରି ୩୬ ହଜାର ଭୋଟରେ ଆଗୁଆ ରହୁଛି ।

ଅପରପକ୍ଷେ ୨୦୦୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ୱାଳ ଜିତିଥିବା ବେଳେ ୨୦୦୦ରେ ବିଜେଡିରୁ ଦେବାଶିଷ ସାମନ୍ତରାୟ ବିଜୟୀ ହୋଇଥିଲେ । ୨୦୦୯ରେ ଏହି ନିର୍ବାଚନମଣ୍ଡଳୀର ସୀମା ପୁର୍ନ ନିର୍ଦ୍ଧାରଣ କରାଯାଇସାରିଛି । ଏକଦା ଏହି ବିଧାନସଭା ଆସନରୁ ରାଜ୍ୟ ରାଜନୀତିର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଜୟୀ ହୋଇ ବିଧାନସଭା ଯାଉଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଅନ୍ୟତମ । ତାଙ୍କୁ ବାଦ ଦେଲେ ପ୍ରତାପ ମହାନ୍ତି, ନିତ୍ୟାନନ୍ଦ ସାମନ୍ତରାୟ ଏବଂ ନିଶାମଣୀ ଖୁଣ୍ଟିଆ ପ୍ରମୁଖ ବିଜୟୀ ହୋଇଥିଲେ ।

 

୧୯୫୧ରୁ ୨୦୧୯ ଯାଏ ମୋଟ ୧୬ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ସର୍ବାଧିକ ୭ଥର(୧୯୫୧,୧୯୬୧,୧୯୮୦,୧୯୮୫,୧୯୯୦,୧୯୯୫ ଏବଂ ୨୦୦୪)ରେ ବିଜୟ ଲାଭ କରିଥିଲା । ସେହିପରି ବିଜେଡ଼ି ୨୦୦୦,୨୦୦୯,୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲା । ୧୯୭୧ ଏବଂ ୧୯୭୪ରେ ଉତ୍କଳ କଂଗ୍ରେସ, ପ୍ରଜାସୋସିଆଲିଷ୍ଟ ପାର୍ଟି ୧୯୫୭ ଏବଂ ୧୯୬୭ ଏବଂ ଜନତା ପାର୍ଟି ୧୯୭୭ରେ ବିଜୟୀ ହୋଇଥିଲା । ତେଣୁ ଉପନିର୍ବାଚନ ହେବାକୁ ତିର୍ତ୍ତୋଲ ଏକତରଫା ରେଜଲ୍ଟ ହେଉଛି କି ଇତିହାସ କଡ଼ ଲେଉଟାଉଛି, ତାହା ଦେଖିବାକୁ ବାକି ରହିଲା ।

 

ଗାନ୍ଧିଜୀଙ୍କ ତିନି ମାଙ୍କଡ ପରେ ଯୋଡି ହେଲା ଚତୁର୍ଥ ମାଙ୍କଡ: ଖରାପ କଥା ଚିନ୍ତା ନକରିବାକୁ ଦେଉଛି ବାର୍ତ୍ତା

ଭୁବନେଶ୍ୱର: ଖରାପ କଥା ଦେଖିବିନି, ଖରାପ କଥା ଶୁଣିବିନି, ଖରାପ କଥା କହିବିନି । ସତ୍ୟ ଓ ଅହିଂସାର ଲଢେଇରେ ମହାତ୍ମା ଗାନ୍ଧୀଙ୍କ ଏହି ତିନୋଟି ମାଙ୍କଡ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକଙ୍କୁ ଅହିଂସାର ପଥ ଆପଣେଇବାକୁ ପ୍ରୋତ୍ସାହନ ଦେଇଥିଲେ । ଗାନ୍ଧୀଜୀଙ୍କୁ ଏହି ତିନୋଟି ମାଙ୍କଡର ମୂର୍ତ୍ତୀ ଦେଇଥିଲେ ଚୀନର ପ୍ରତିନିଧି ମଣ୍ଡଳ ।

ଗାନ୍ଧୀଜୀ ଏହି ମୂର୍ତ୍ତୀଗୁଡିକୁ ନିଜର ପେପର ୱେଟ ଭାବେ ବ୍ୟବହାର କରୁଥିଲେ । କିନ୍ତୁ ଏହାର ଉଦ୍ଦେଶ୍ୟ ସେ ତାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ବୁଝାଇଥିଲେ । ଧିରେ ଧିରେ ତାଙ୍କ ଆଶ୍ରମର ଅନ୍ତେବାସୀମାନେ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇଯାଇଥିଲେ । ଏବେ କିନ୍ତୁ ଜଣେ ଶିକ୍ଷାବିତ ଚତୁର୍ଥ ମାଙ୍କଡର ଚିତ୍ରଣ କରିଛନ୍ତି । ଚତୁର୍ଥ ମାଙ୍କଡଟି ମୁଣ୍ଡରେ ହାତ ଦେଇ ବସିଛି । ଅର୍ଥାତ ଖରାପ କଥା ଚିନ୍ତା କରିବିନି ।

ରେଜିଷ୍ଟ୍ରାର ଅଫ କପିରାଇଟସ ଠାରୁ କପିରାଇଟ ପାଇଥିବା ଏହି ଶିକ୍ଷାବିତ ହେଲେ ପ୍ରଫେସର ସଂଜୟ ଶତପଥୀ । ଦୀର୍ଘ ବର୍ଷକାଳ ଏହା ଉପରେ ଅଧ୍ୟୟନ କରି ତଥ୍ୟ ପ୍ରମାଣ ସହ ସେ ରେଜିଷ୍ଟ୍ରାର ଅଫ କପିରାଇଟସଙ୍କ ନିକଟରେ କପିରାଇଟ ପାଇଁ ଆବେଦନ କରିଥିଲେ । ତାଙ୍କ ଏହି ଗବେଷଣା ଏବଂ ସମ୍ମାନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୁର୍ଗାଙ୍କ ରୂପ ଧାରଣ କରିବାରୁ ସାଂସଦଙ୍କୁ ହତ୍ୟା ଧମକ ! ନୂସରତଙ୍କ ପାଇ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କୁ ପୁଣି ହତ୍ୟା ଧମକ । ନିକଟ ଅତୀତରେ ନୁସରତ ଜାହାଁ ଦୁର୍ଗାଙ୍କ ଅବତାର ଧାରଣ କରି ଫଟୋ ସୁଟ୍‌ କରିଥିଲେ, ଏହା ପରେ ତାଙ୍କୁ ଲଗାତାର ହତ୍ୟା ଧମକ ଦିଆଯାଉଛି । ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ସେ ଏବେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।

ଜଣେ ସୋସିଆଲ ମିଡିଆ ୟୁଜର୍ସ ନୁସରତ ଜାହାଁଙ୍କୁ ଧମକ ଦେଇ ଲେଖିଛନ୍ତି ଯେ, ତୁମର ମୃତ୍ୟୁ ସମୟ ଆସିସାରିଛି, ତୁମେ ନିଜ ଶରୀରକୁ ଢ଼ାଙ୍କି ପାରୁ ନାହଁ କାହିଁକି ? ଏହା ବ୍ୟତୀତ ଜଣେ ୟୁଜର୍ସ ନୁସରତ ଜାହାଁଙ୍କୁ ତାଙ୍କ ନାଁ ପରିବର୍ତ୍ତନ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ନୁସରତ ଜାହାଁ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି । ତାଙ୍କ ବିବାହ ସମୟରେ ମଧ୍ୟ ଅନେକ ବିବାଦ ଉପୁଜିଥିଲା ଏବଂ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଏଭଳି ଧମକ ମିଳିବା ପରେ ସାଂସଦଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସେ ଏବେ ବିଦେଶରେ ଅଛନ୍ତି । ତେଣୁ ସେ ବିଦେଶ ମନ୍ତ୍ରାଳୟ ଏବଂ ପଶ୍ଚିମ ବଙ୍ଗ ସରକାରକୁ ସୁରକ୍ଷା ମାଗିଛନ୍ତି । ଏନେଇ ନୁସରତଙ୍କ ଜଣେ ନିକଟତର ସୂଚନା ଦେଇଛନ୍ତି ।

ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସହିତ ବିଦେଶ ମନ୍ତ୍ରଣାଳୟ ଯୋଗାଯୋଗରେ ଅଛି । ଏହାସହ ନୁସରତଙ୍କ ପାଇଁ ସୁରକ୍ଷା କଡ଼ା କଡ଼ି କରିବା ନେଇ ଆଲୋଚନା ହେଉଛି।

ତେବେ ପୂର୍ବରୁ ମଧ୍ୟ ନୁସରତ ଜାହାଁଙ୍କ ସହ ଏଭଳି ଘଟଣା ଘଟିସାରିଛି । ଯେତେବେଳେ ସେ ଦୁର୍ଗା ପୂଜାରେ ଭାଗ ନେଇଥିଲେ, ସିନ୍ଦୁର ନିନ୍ଧି ସଂସଦକୁ ଆସିଥିଲେ ଏବଂ ଯେତେବେଳେ ନୁସରତ ବିବାହ କରିଥିଲେ, ସେହି ସମୟରେ ମଧ୍ୟ ତାଙ୍କୁ ଏଭଳି ଧମକ ମିଳିଥିଲା ଏବଂ ଅନେକ ବିବାଦ ଉପୁଜିଥିଲା ।