ତିର୍ତ୍ତୋଲ : ଏଥର ବି ଏକତରଫା ହେବ ନା ଲଢେଇ ଜମିବ ?

ତିର୍ତ୍ତୋଲ: ଜଗତସିଂହପୁର ଅଣକଂଗ୍ରେସ ରାଜନୀତିର ଏକ ପରିଚିତ ନାମ ବିଷ୍ଣୁ ଚରଣ ଦାସ । ଏକାଧିକଥର ବିଧାନସଭାରେ ବିଜୟୀ ହେବା ସହ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ହୋଇପାରିଥିଲେ । ଏକଦା ତାଙ୍କୁ ସମ୍ମାନଜନକ ଯୋଜନା ବୋର୍ଡ ଉପାଧ୍ୟକ୍ଷଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା । ଘଟଣାକ୍ରମରେ ସ୍ୱାସ୍ଥ୍ୟଗତ କାରଣୁ ନିକଟରେ ଦାସ ପ୍ରାଣ ହରାଇଥିଲେ । ବିଷ୍ଣୁଙ୍କ ବିୟୋଗ ପରେ ତିର୍ତ୍ତୋଲ ଆସନ ଖାଲି ହୋଇଛି । ଆଗାମୀ ନଭେମ୍ବର ୩ରେ ବାଲେଶ୍ୱର ବିଧାନସଭା ଆସନ ସହ ଏହି ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଏହି ଆସନର ଇତିହାସକୁ ଯଦି ଲକ୍ଷ୍ୟ କରାଯାଏ । ତେବେ ବିଗତ କିଛି ଥର ଏଠାରେ ଏକତରଫା ଫଳାଫଳ ହେଉଛି । ତେଣୁ ଆଗାମୀ ନିର୍ବାଚନରେ ଏହି ଏକତରଫା ଫଳାଫଳର ପୁନରାବୃତ୍ତି ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି । ଗତ ନିର୍ବାଚନ ଅର୍ଥାନ ୨୦୧୯ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକ ୨୩ ୭୪୦ ଖଣ୍ଡ ଭୋଟ ପାଇଥିଲେ । ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ନିକଟତମ ପ୍ରାର୍ଥୀଙ୍କଠାରୁ ପ୍ରାୟ ୪୦,୪୭୭ ଖଣ୍ଡ ଅଧିକ ରହିଥିଲା ।

ଏହା କେବଳ ୨୦୧୯ ନୁହେଁ ୨୦୧୪ ଏବଂ ୨୦୦୯ରେ ମଧ୍ୟ ସମାନ ଫଳ ଦେଖିବାକୁ ମିଳିଥିଲା । ୨୦୧୪ରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୮୮,୯୫୩ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ୫୩, ୫୦୫ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୧୪, ୫୧୬ ଖଣ୍ଡ ଭୋଟ ପାଇଥିଲେ ।  ରାଜଶ୍ରୀ ପ୍ରାୟ ୩୫,୪୪୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ରନାଥ ଭୋଇ ୮୨,୨୮୨ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ରାଜ କିଶୋର ବେହେରା ୪୮,୧୦୦ ଖଣ୍ଡ ଏବଂ ଭାଜପା ଲତାମଣୀ ଦାସ ୪୫୧୪ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ରବୀନ୍ଦ୍ର ନାଥ ୩୪,୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ତେଣୁ ପୂର୍ବ ୩ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡି ହାରାହାରି ୩୬ ହଜାର ଭୋଟରେ ଆଗୁଆ ରହୁଛି ।

ଅପରପକ୍ଷେ ୨୦୦୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ୱାଳ ଜିତିଥିବା ବେଳେ ୨୦୦୦ରେ ବିଜେଡିରୁ ଦେବାଶିଷ ସାମନ୍ତରାୟ ବିଜୟୀ ହୋଇଥିଲେ । ୨୦୦୯ରେ ଏହି ନିର୍ବାଚନମଣ୍ଡଳୀର ସୀମା ପୁର୍ନ ନିର୍ଦ୍ଧାରଣ କରାଯାଇସାରିଛି । ଏକଦା ଏହି ବିଧାନସଭା ଆସନରୁ ରାଜ୍ୟ ରାଜନୀତିର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଜୟୀ ହୋଇ ବିଧାନସଭା ଯାଉଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଅନ୍ୟତମ । ତାଙ୍କୁ ବାଦ ଦେଲେ ପ୍ରତାପ ମହାନ୍ତି, ନିତ୍ୟାନନ୍ଦ ସାମନ୍ତରାୟ ଏବଂ ନିଶାମଣୀ ଖୁଣ୍ଟିଆ ପ୍ରମୁଖ ବିଜୟୀ ହୋଇଥିଲେ ।

 

୧୯୫୧ରୁ ୨୦୧୯ ଯାଏ ମୋଟ ୧୬ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ସର୍ବାଧିକ ୭ଥର(୧୯୫୧,୧୯୬୧,୧୯୮୦,୧୯୮୫,୧୯୯୦,୧୯୯୫ ଏବଂ ୨୦୦୪)ରେ ବିଜୟ ଲାଭ କରିଥିଲା । ସେହିପରି ବିଜେଡ଼ି ୨୦୦୦,୨୦୦୯,୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲା । ୧୯୭୧ ଏବଂ ୧୯୭୪ରେ ଉତ୍କଳ କଂଗ୍ରେସ, ପ୍ରଜାସୋସିଆଲିଷ୍ଟ ପାର୍ଟି ୧୯୫୭ ଏବଂ ୧୯୬୭ ଏବଂ ଜନତା ପାର୍ଟି ୧୯୭୭ରେ ବିଜୟୀ ହୋଇଥିଲା । ତେଣୁ ଉପନିର୍ବାଚନ ହେବାକୁ ତିର୍ତ୍ତୋଲ ଏକତରଫା ରେଜଲ୍ଟ ହେଉଛି କି ଇତିହାସ କଡ଼ ଲେଉଟାଉଛି, ତାହା ଦେଖିବାକୁ ବାକି ରହିଲା ।

 

Leave a Reply