ବିଧାନସଭା ଅଧିବେଶନର ପ୍ରଥମ ଦିନ; ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ

ଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଲା । ନିୟମ ଅନୁଯାୟୀ, ପ୍ରଥମେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିବା ବେଳେ ଗୃହକାର୍ଯ୍ୟ ୧୧ଟାରେ ଆରମ୍ଭ ହୋଇଥିଲା । ବିଧାନସଭା ପ୍ରବେଶ ପାଇଁ  ସାନିଟାଇଜର ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାବ୍ୟତୀତ ସବୁ ବିଧାୟକମାନେ କାଚଫ୍ରେମ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ବିଧାନସଭା ଅଧିବେଶନ ଆଲୋଚନାରେ ଯୋଗ ଦେଇଥିଲେ । ପ୍ରତି ଧାଡିରେ ୨ ଜଣ ଲେଖାଏଁ ବିଧାୟକ ବସିଥିଲେ । କିଛି ବିଧାୟକଙ୍କୁ ଦର୍ଶକ ଗ୍ୟାଲେରି ବସିଥିବାର ଦେଖିବାକୁ ମିଳିଥିଲା ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଉପସ୍ଥିତ ନରହି ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ । ବିଧାୟକ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ, ଉଷା ଦେବୀ, ସାବିତ୍ରୀ ଅଗ୍ରୱାଲ ଲୋକସେବା ଭବନରେ ଥାଇ ବିଧାନସଭା ଅଧିବେଶନରେ ଭାଗ ନେଇଥିଲେ ।

ଏହା ବ୍ୟତୀତ ଭଦ୍ରକରେ ବିଷ୍ଣୁ ସେଠୀ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ ଓ ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆରେ ରହି ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ । ତେବେ ସମୁଦାୟ ୮୫ ଜଣ ବିଧାୟକ ଗୃହରେ ଉପସ୍ଥିତ ଥିବା ବେଳେ ଅନ୍ୟ ୯ ଜଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ତେବେ କରୋନା ଭଳି ଏକ ଭୀଷଣ ମହାମାରୀ ସମୟରେ ସରକାର ବିରୋଧୀଙ୍କ ସ୍ୱରକୁ ସବୁ ପ୍ରକାର ମର୍ଯ୍ୟାଦା ଦେବେ ଓ ବିରୋଧୀଙ୍କର ସବୁ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭା ଅଧିବେଶନ ଆରମ୍ଭରୁ ପରଲୋକଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଗୃହର ଦିବଂଗତ ସଦସ୍ୟ, ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ସମର୍ଥନ କରିଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହାକୁ ପାରିତ କଲେ । ଉଲ୍ଲେଖଯୋଗ୍ୟ ଯେ, ଦିବଂଗତଙ୍କ ସମ୍ମାନାର୍ଥେ ଗୃହର ପ୍ରଥମ ଭାଗ ମୁଲତବୀ ରହିଥିଲା।

ଆଜିର ବିଧାନସଭାର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ହଙ୍ଗାମା ଦେଖା ଦେଇଛି । କଂଗ୍ରେସ ବିଧାନସଭାରେ ସରକାରଙ୍କର ଏହି ବିଲ କଡ଼ା ଭାଷାରେ ସମାଲୋଚନା କରିଛି ଓ ତୀବ୍ର ବିରୋଧ କରିଛି । କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଲର ବିରୋଧରେ ମତପୋଷଣ କରି କହିଛନ୍ତି ଯେ, ଏହି ବିଲ୍ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ସ୍ୱୟଂଶାସନ କମିବ ।ବିଲର ଉଦ୍ଦେଶ୍ୟ ଏଭଳି ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ସରକାର ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପତ୍ର ନହଲୁ ବୋଲି ସରକାର ଚାହୁଁଛନ୍ତି ।

ଏଣୁ ଏହି ବିଲ୍ ଆଣି ବିଶ୍ୱବିଦ୍ୟାଳୟର କର୍ତ୍ତୃତ୍ୱ କମାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ।   ସେହିଭଳି ଏବେ କରୋନା ସମୟ । କରୋନାଠାରୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥାଇପାରେ । ସରକାର କରୋନା ମୁକାବିଲା ଉପରେ ଧ୍ୟାନ ନଦେଇ ବିଶ୍ୱବିଦ୍ୟାଳୟ ବିଲକୁ ପାରିତ କରିବା ପାଇଁ ଏତେ ବ୍ୟସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏଣୁ ଏହାକୁ ତରବରିଆ ଭାବେ ପାସ୍ ନକରିବା ପାଇଁ ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ନରସିଂହ ମିଶ୍ରଙ୍କର ଏଭଳି ମନ୍ତବ୍ୟକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିରୋଧ କରିଛନ୍ତି । ତାଙ୍କ କହିବା କଥା ଯେ, ବିଶ୍ୱବିଦ୍ୟାଳୟ ଆଇନ ଆସିଲେ, ବିଶ୍ୱବିଦ୍ୟାଳୟର ସ୍ୱଂୟ ଶାସନ ସାମାନ୍ୟତମ ମଧ୍ୟ ପ୍ରଭାବିତ ହେବ ନାହିଁ । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ୟୁନିଭରସିଟି ଆକ୍ଟ ଆଧାରରେ ପରିଚାଳିତ ହେବ । ଏହି ବିଲ୍ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଅଭିବୃଦ୍ଧିରେ ସହାୟକ ହେବା ସହ ଯୁଗାନ୍ତକାରୀ ହେବ । ସେହିଭଳି ଶିକ୍ଷା କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବା ଯାଇ ଶ୍ରୀ ସାହୁ କହିଥିଲେ ଯେ, ତିନି ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।

Leave a Reply